Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ସମ୍ବଲପୁରରେ ପ୍ରଣବ ପ୍ରକାଶଙ୍କ ଜୋରଦାର ପ୍ରଚାର, ଖଣିଜ ସଂପଦକୁ ନେଇ କେନ୍ଦ୍ରକୁ କଲେ ଟାର୍ଗେଟ

ଭୁବନେଶ୍ବର: ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବର୍ତ୍ତମାନ ପ୍ରଚାର ଜୋରଦାର କରିବାରେ ଲାଗିଛନ୍ତି। ସେ ଏହି ଅଧିନରେ ଥିବା ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ସ୍ତରରେ ପ୍ରଚାର କରିବାରେ ଲାଗିଛନ୍ତି। ବିଭିନ୍ନ ସ୍ଥାନରେ ତାଙ୍କୁ ବେଶ ଜନ ସମର୍ଥନ ମିଳିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଥିବା ମତଭେଦକୁ ଦୂର କରି ସେ ସଂଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି।

କୁଚିଣ୍ଡାର ଏକ ସଭାରେ ପ୍ରଣବ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କୁଚିଣ୍ଡା ଖଣିଜ ସଂପଦରେ ଭରପୁର। କେନ୍ଦ୍ର ସରକାରଙ୍କ ନାଲକୋ, ଏସିଏଲ ପରି ବଡବଡ ସଂସ୍ଥା ଏଠାରୁ ଖଣିଜ ନେଉଛନ୍ତି। ହେଲେ ତା ପ୍ରତିବଦଳରେ ସେମାନେ ଦେଉଛନ୍ତି କଣ ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି। ସେମାନେ କେବଳ ପାଉଁଶ ଓ ଧୂଆଁ ଦେଉଛନ୍ତି ବୋଲି ସେ ଜନସଭାକୁ କହିଥିଲେ।

Categories
ଆଜିର ଖବର

ସମ୍ବଲପୁର ଲୋକସଭା ପାଇଁ ବିଜେଡିର ରଣନୀତି, ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବା ପାଇଁ ଛିଡା ହେବେ ବବି ଦାସ !!

ଭୁବନେଶ୍ବର: ଲୋକସଭା ଓ ଓଡିଶା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ସେମାନଙ୍କର ରଣନୀତି ତିଆରି କରିବାରେ ଲାଗିଛନ୍ତି। ତେବେ ଏଥର ସମ୍ବଲପୁର ଲୋକସଭା ଆସନ ଉପରେ ପୁରା ରାଜ୍ୟର ନଜରରେ ରହୁଛି। ଏହାର କାରଣ ହେଲା ଯେ, ସେହି ଆସନରୁ ଲଢେଇ କରିବାକୁ ସଜବାଜ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ତେବେ ଏକ ବିଶେଷ ସୁତ୍ର ଅନୁସାରେ ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବା ପାଇଁ ବିଜେଡିର ଟାଣୁଆ ତଥା ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କୁ ପ୍ରସ୍ତୁତ କରାଯାଉଛି। କାରଣ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବା ପାଇଁ ହେଲେ ବିଜେଡିର ଜଣେ ଟାଣୁଆ ନେତାର ଆବଶ୍ୟକ ରହିଛି। ବର୍ତ୍ତମାନ ପରିସ୍ଥିତିରେ ସମ୍ବଲପୁରରେ ସେପରି କେହି ନେତା ଦୃଷ୍ଟିକୁ ଆସୁ ନ ଥିବାରୁ କୁଆଡେ ବବିଙ୍କୁ ଛିଡା ହେବା ପାଇଁ ନିଷ୍ପତି ହେଉଛି ବୋଲି ଜଣାପଡିଛି।

ସେହି ସୁତ୍ର ଅନୁସାରେ ଜଣାପଡିଛି ଯେ, ନିକଟରେ ସମ୍ବଲପୁରରେ ଏକ ରୁଦ୍ଧ ଦ୍ବାର ବୈଠକ କରାଯାଇଥିଲା। ସେଥିରେ ପଶ୍ଚିମ ଓଡିଶାର ଅନ୍ୟତମ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବରିଷ୍ଠ ନେତାଙ୍କୁ ନେଇ ଏହି ବୈଠକ ବସିଥିଲା। ସେହି ବୈଠକରେ ସମ୍ବଲପୁର ଲୋକସଭା ବା ଧର୍ମେନ୍ଦ୍ର ପ୍ରଧାନଙ୍କୁ କିଏ ଟକ୍କର ଦେବ ସେ ଉପରେ ଆଲୋଚନା ହୋଇଥିଲା। ସେଥିରେ ସମସ୍ତେ ବବି ଦାସ ଛିଡା ହୁଅନ୍ତୁ ବୋଲି କୁଆଡେ ମତ ପ୍ରକାଶ କରିଥିଲେ। ସେହି ଅନୁସାରେ ଦଳ ବବିଙ୍କୁ ଆଗକୁ ଆଣିବ ବୋଲି ଜଣାପଡିଛି।

ଧର୍ମେନ୍ଦ୍ର କେଉଁଠି ଛିଡା ହେବେ ତାହା ଜଣାପଡି ନ ଥିଲେ ମଧ୍ୟ ସେ ନିଶ୍ଚିତ ଭାବେ ଲୋକସଭା ନିର୍ବାଚନରେ ଲଢେଇ କରିବେ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ତାଙ୍କୁ ବିଜେଡି ଏବେଠାରୁ ଟାର୍ଗେଟ କରିବାରେ ଲାଗିଛି। ଖୋଦ ବିଜେଡି ନେତା ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ତାଙ୍କୁ ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି। ଏପରିକି ତାଙ୍କର ନିଜ ଜିଲ୍ଲାରେ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କରିବାରେ ଲାଗିଛନ୍ତି।

ଏହାଦ୍ବାରା ସ୍ପଷ୍ଟ ହୋଇଛି ଯେ, କୌଣସି ପ୍ରକାରରେ ଧର୍ମେନ୍ଦ୍ରଙ୍କ ବିଜୟକୁ ବିଜେଡି ରୋକିବା ପାଇଁ ସମସ୍ତ କଳ ବଳ କୌଶଳ ପ୍ରୟୋଗ କରିବ। ଯେପରିକି ଗତ ନିର୍ବାଚନରେ ବୈଜୟନ୍ତ ପଣ୍ଡାଙ୍କୁ କରିଥିଲେ। ବର୍ତ୍ତମାନ ବିଜେଡି ଚାହୁଁ ନାହିଁ ଯେ, ଧର୍ମେନ୍ଦ୍ର ପ୍ରଧାନ କୌଣସି ପ୍ରକାରରେ ବିଜୟ ହୋଇ ପୁଣି କେନ୍ଦ୍ରରେ ମନ୍ତ୍ରୀ ହୁଅନ୍ତୁ। ସେଥିପାଇଁ ବିଜେଡି ବର୍ତ୍ତମାନଠାରୁ ଧର୍ମେନ୍ଦ୍ରଙ୍କ ବିଜୟ ରାସ୍ତାକୁ ରୁନ୍ଧିବାରେ ଲାଗିଛି।

ପୂର୍ବରୁ ବବିଙ୍କୁ ବିଜେଡିର ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଫଳରେ ପର୍ଯ୍ୟବେକ୍ଷକଙ୍କ ନାମରେ ସେ ଲୋକସଂପର୍କ ରଖିବା କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ପାଣ୍ଡିଆନ ମଧ୍ୟ ସମ୍ବଲପୁରକୁ ଗସ୍ତ କରି ସେଠାକାର ଲୋକସଂପର୍କକୁ ମଜବୁତ କରିବାରେ ଲାଗିଛନ୍ତି। ସେଥିପାଇଁ ବବି ଦାସ ସମ୍ବଲପୁର ଲୋକସଭା ପାଇଁ ଉପଯୁକ୍ତ ପ୍ରାର୍ଥୀ ହେବେ ବୋଲି ଦଳ ନିଷ୍ପତି କରିଛି।

ଅନ୍ୟପକ୍ଷରେ ବବି ଦାସ ବା ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ବିଜେଡିର ଜଣେ ଟାଣୁଆ ତଥା ତୃତୀୟ କ୍ଷମତା କେନ୍ଦ୍ର ନେତା। ଦଳରେ ନବୀନ ପଟ୍ଟନାୟକଙ୍କ ପରେ ପାଣ୍ଡିଆନ ଏବଂ ଏହାପରେ ବବି ଦାସ ହିଁ ହେଉଛନ୍ତି ଦଳର ହର୍ତ୍ତାକର୍ତ୍ତା। ଉଭୟ ପାଣ୍ଡିଆନ ଏବଂ ବବି ଆଜି ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନ ଓ ଉପନିର୍ବାଚନରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। ସେଥିପାଇଁ ବବି ହିଁ ବିଜେଡିର ଉପଯୁକ୍ତ ପ୍ରାର୍ଥୀ ହେବେ ବୋଲି ନିଷ୍ପତି କରାଯାଇଛି।