Categories
ବିଶେଷ ଖବର ରାଜ୍ୟ ଖବର

ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ କୁଶଭଦ୍ରା ହାଇଲେଭଲ ସେତୁ ପରିଦର୍ଶନ

ଭୁବନେଶ୍ୱର: ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିପାଟଣା ବ୍ଲକର ବାଲିପାଟଣା ଓ ବନମାଳିପୁର ଅଂଚଳ ପରିଦର୍ଶନ କରିଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।

ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପ୍ରଥମେ କୁଶଭଦ୍ରା ନଦୀରେ ନିର୍ମିତ ହାଇଲେଭଲ ସେତୁ ପରିଦର୍ଶନ କରିଥିଲେ । ଶିଶୁ ଅନନ୍ତ ପୀଠ ଠାରୁ ଜୟଦେବ ପୀଠ ସହିତ ସଂଯୋଗ କରୁଥିବା ଏହି ହାଇଲେଭଲ ସେତୁ ୩୭ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହି ସେତୁ ନିର୍ମାଣ ସରିଥିବା ବେଳେ ଏହାର ସଂଯୋଗୀକରଣ ରାସ୍ତା ଉନ୍ନତିକରଣ କାର‌୍ୟ୍ୟ ଜାରି ରହିଛି । ଏହି ସେତୁ ଫଳରେ ସ୍ଥାନୀୟ ଗାରେଡିପାଂଚଣ, ଅଠାନ୍ତର,ପମ୍ପାଲୋ, ଜୟଦେବ, ପ୍ରତାପରୁଦ୍ରପୁର ଆଦି ୪ଟି ଗ୍ରାମ ପଂଚାୟତର ପ୍ରାୟ ୧୮୦୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ ଉପକୃତ ହେଉଛନ୍ତି ।

ସେହିପରି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ, ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୬ କୋଟି ୧ଲକ୍ଷ ଟଙ୍କା ବ୍ୟୟରେଉନ୍ନତିକରଣକରାଯାଉଥିବା ଚଣାହାଟ-ରାଜସ ରାସ୍ତା ଏବଂ ୫ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ବନମାଳିପୁର-ବଳଙ୍ଗା ରାସ୍ତା ଉନ୍ନତିକରଣ କାର‌୍ୟ୍ୟର ତଦାରଖ କରିଛନ୍ତି ।

ଏହି ଗସ୍ତ ସମୟରେ ପୂର୍ତ୍ତ ସଚିବ ଶ୍ରୀ ପ୍ରଦୀପ କୁମାର ସାମଲ, ମୁଖ୍ୟ ଯନ୍ତ୍ରୀ, ସେତୁ ଓ ବିଲ୍ଡିଂ ଶ୍ରୀ ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ଯନ୍ତ୍ରୀ-ଯୋଜନା ଓ ରାସ୍ତା ନିର୍ମାଣ ଶ୍ରୀ ସଂଜୀବ କୁମାର ମହାନ୍ତି, ମୁଖ୍ୟ ନିର୍ମାଣ ଯନ୍ତ୍ରୀ –କେନ୍ଦ୍ରୀୟ ଗ୍ରାମ୍ୟ ନିର୍ମାଣ ସର୍କଲ ଶ୍ରୀ ସତ୍ୟବ୍ରତ ବେହେରା ଓ ଅଧିକ୍ଷଣ ଯନ୍ତ୍ରୀ(ପୂର୍ତ୍ତ) ଶ୍ରୀ ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଅନୁଧ୍ୟାନ ସମୟରେ ପ୍ରମୁଖ ଶାସନ ଶ୍ରୀ ସିଂ ବିଭାଗର ଯନ୍ତ୍ରୀମାନଙ୍କ ସହିତ ନିର୍ମାଣ କାର‌୍ୟ୍ୟରେ ଗୁଣବତ୍ତା ବଜାୟ ରଖିବା, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର‌୍ୟ୍ୟ ଶେଷ କରିବା, ଆବଶ୍ୟକ ସ୍ଥାନରେ ଗାର୍ଡଓ୍ୱାଲ ନିର୍ମାଣଆଦି ସଂପର୍କରେ ଆବଶ୍ୟକନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ସେ ବାଲିପାଟଣାର ପ୍ରସିଦ୍ଧ ଶିଶୁ ଅନନ୍ତ ପୀଠ ପରିଦର୍ଶନ କରିଥିଲେ। ସେଠାରେ ଶିଶୁ ଅନନ୍ତ ପୀଠର ମହିମା ସଂପର୍କରେ ପୀଠର ସଂପାଦିକା ତନୟା ଦାସ ଗୋସ୍ୱାମୀଙ୍କ ଠାରୁ ବିଶେଷ ଭାବେ ଅବଗତ ହୋଇଥିଲେ । ଏହି ଅବସରରେ ସଂପାଦିକା ତନୟା ଦାସ ଗୋସ୍ୱାମୀ ପ୍ରମୁଖ ଶାସନ ସଚିବଙ୍କ ସହିତ ପୀଠର ଉନ୍ନତିକରଣ ସଂପର୍କରେ ଅନୁରୋଧ କରିଥିଲେ ।

Categories
ବିଶେଷ ଖବର

ପ୍ରବାସୀ ଓଡିଆଙ୍କ ପ୍ରତି ସରପଞ୍ଚମାନେ ବିଶେଷ ଧ୍ୟାନ ଦେଇ ସରକାରୀ ନିୟମ ପାଳନ କରିବାକୁ ସଂଜୟ ସିଂଙ୍କ ପରାମର୍ଶ

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ଡକଫର ମୋନା ଶର୍ମା ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

1-କୋଭିଡ୍‌-୧୯ ପରିସ୍ଥିତିରେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଜନଜାତି ଏବଂ ଅନ୍ୟମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନର୍ସରୀ ଚାରା ପ୍ରସ୍ତୁତି ଓ ବ୍ୟାପକ ବନୀକରଣ ପାଇଁ ପଦକ୍ଷେପ ନିଆଯାଇଛି । ଚଳିତ ଜୁନ୍‌ ମାସ ସୁଦ୍ଧା ୨ ଲକ୍ଷ ହେକଫର ଅଞ୍ଚଳରେ ବନୀକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରାୟ ୬ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ ସାମୟିକ କର୍ମଚାରୀମାନଙ୍କୁ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରାଯାଇଛି ।

2-ପଶ୍ଚିମ ବଙ୍ଗରୁ ଯାଜପୁର ଜିଲ୍ଲାର କଟିକଟା ଅଞ୍ଚଳକୁ ଫେରିଥିବା ୬ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି କଟିକଟାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ (ସଂକ୍ରମଣ ପ୍ରତିରୋଧ ଅଞ୍ଚଳ) ଭାବେ ଘୋଷଣା କରାଯାଇଥିଲା । ଏହି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ବର୍ତ୍ତମାନ ସୁଦ୍ଧା ୨୦୦ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଉଛି ଏବଂ ଅନ୍ୟମାନଙ୍କର ନମୁନା ସଂଗ୍ରହ ଜାରି ରହିଛି । ଏହିି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଆଜି ୧୪ଟି ନମୁନା ପଜିଟିଭ୍‌ ଚିହ୍ନଟ ହୋଇଛି । ଏମାନେ ସମସ୍ତେ ଗୋଟିଏ ନିର୍ଦ୍ଦିଷ୍ଟ କଣ୍ଟେନ୍‌ମେଣ୍ଟ ଜୋନ୍‌ର ହୋଇଥିବାରୁ ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ । କିନ୍ତୁ ସଂକ୍ରମଣ ପ୍ରତିରୋଧ ନିମନ୍ତେ ସରକାରଙ୍କ ସମସ୍ତ ନିୟମକୁ ପାଳନ କରିବା ସହ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ଭାଇଭଉଣୀମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାରାଣ୍ଟାଇନ୍‌ ନିୟମକୁ କଡ଼ାକଡ଼ି ଭାବରେ ଅନୁପାଳନ କରିବାକୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି । ଏହା ପାଳନ କଲେ ଆମେ ନିଜକୁ, ନିଜ ପରିବାର ଓ ଅଞ୍ଚଳକୁ ସଂକ୍ରମଣମୁକ୍ତ ରଖିପାରିବା । ଯେହେତୁ ଲକ୍‌ ଡାଉନ୍‌ କୋହଳ ହେବା ପରେ ବହୁସଂଖ୍ୟାରେ ଭାଇଭଉଣୀମାନେ ଓଡ଼ିଶା ଫେରିବେ, ସେଥିପାଇଁ ଜନସାଧାରଣ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି ।

3- ଶିଳ୍ପ ସଂସ୍ଥା/କର୍ପୋରେଟ୍‌ ସଂସ୍ଥାଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଘରୁ ଶିଳ୍ପ ସଂସ୍ଥା ଏବଂ ସରକାରୀ କାର୍ଯ୍ୟାଳୟକୁ ଯାତାୟତରେ ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ କଟକଣାକୁ କୋହଳ କରାଯାଇଛି । ସମ୍ପୃକ୍ତ ଶିଳ୍ପସଂସ୍ଥାଗୁଡ଼ିକର ଆବେଦନକୁ ଆଧାର କରି ଜିଲ୍ଲାପାଳ/ମହାନଗର ନିଗମର କମିଶନରମାନେ ଅନୁମତି ପ୍ରଦାନ କରିବେ । ସର୍ବାଧିକ ୩୦ ପ୍ରତିଶତ କର୍ମଚାରୀ ଏବଂ ଆବଶ୍ୟକୀୟ ଯାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯିବ । ଦୁଇ ଚକିଆ ଯାନରେ କେବଳ ଚାଳକ ଏବଂ କାର୍‌ରେ ଡ୍ରାଇଭର ସହିତ ପଛ ସିଟ୍‌ରେ ବସି କେବଳ ଜଣେ ଯିବା ଆସିବା କରିପାରିବେ । ଜିଲ୍ଲାପାଳ/ମହାନଗର ନିଗମର କମିଶନର ଆନ୍ତଃଜିଲ୍ଲା ଗମନାଗମନ ପାଇଁ ଆବଶ୍ୟକୀୟ ପାସ୍‌ ପ୍ରଦାନ କରିବେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି ।

4-ଠିକାଦାର/ନିର୍ମାଣକାରୀ ସଂସ୍ଥାର କର୍ମଚାରୀମାନେ ନିଜ ନିଜ କାର୍ଯ୍ୟସ୍ଥଳରେ ପହଞ୍ଚିବା ନିମନ୍ତେ ହେଉଥିବା ସମସ୍ୟାକୁ ଦୂରୀଭୂତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କେତେକ କଟକଣାକୁ କୋହଳ କରାଯାଇଛି । ଏହିସବୁ ସଂସ୍ଥା ପାଇଁ ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କ ଅନୁମୋଦନ କ୍ରମେ ଜିଲ୍ଲାପାଳ/ମହାନଗର ନିଗମର କମିଶନରମାନଙ୍କଠାରୁ ଅନୁମତି ମିଳିବ । ସଂକ୍ରମଣ ପ୍ରତିରୋଧ ଅଞ୍ଚଳଗୁଡ଼ିକରେ କୌଣସି ଅଫିସ ଖୋଲିବ ନାହିଁ । ଆବଶ୍ୟକୀୟ ୫୦ ପ୍ରତିଶତ କର୍ମଚାରୀ ଏବଂ ଯାନ ପାଇଁ ଏହି ସଂସ୍ଥାମାନେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ/ମହାନଗର ନିଗମର କମିଶନର୍‌ଙ୍କୁ ଆବେଦନ
କରିବେ । ଜିଲ୍ଲାର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ମିଳିଥିବା ଚିଠିର ଆଧାରରେ ବୃତ୍ତିଗତ ଆବଶ୍ୟକତା ପାଇଁ ଯାତାୟତ ନିମନ୍ତେ ଅନୁମତି ପ୍ରଦାନ କରାଯିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି ।

5-ବିଭିନ୍ନ ପଞ୍ଚାୟତ ଏବଂ ଗ୍ରାମରେ କିଛି ଲୋକଙ୍କ ଦ୍ୱାରା କରାଯାଇଥିବା ବ୍ୟାରିକେଡ୍‌ ମାଲ ପରିବହନ ଓ ଶ୍ରମିକମାନଙ୍କ ଯାତାୟତରେ ବାଧକ ହେଉଛି । କେବଳ ସଂକ୍ରମଣ ନିରୋଧ ଅଞ୍ଚଳ ଏବଂ ଆବଦ୍ଧ ଅଞ୍ଚଳ ଇତ୍ୟାଦିକୁ ଛାଡି ଦେଲେ ଅନ୍ୟ ସମସ୍ତ ବ୍ୟାରିକେଡ୍‌ଗୁଡିକୁ ଉଠାଇଦେବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

6-କୋଭିଡ-୧୯ ପରୀକ୍ଷଣର ସଂଖ୍ୟା ବୃଦ୍ଧି ଉଦ୍ଦେଶ୍ୟରେ କଟକସ୍ଥିତ ଏସ୍‌ସିବି ମେଡ଼ିକାଲ କଲେଜର ଟେଲିମେଡ଼ିସିନ୍‌ ସେଣ୍ଟର ଜରିଆରେ ଆଜି ରାଜ୍ୟର ୯୭ଜଣ ମାଇକ୍ରୋବାୟୋଲୋଜିଷ୍ଟ ଓ ଭାଇରୋଲୋଜିଷ୍ଟଙ୍କୁ ଅନ୍‌ଲାଇନ ତାଲିମ ପ୍ରଦାନ କରାଯାଇଛି।

7-୨୦୧୯-୨୦ ରବି ଋତୁ ପାଇଁ ଆସନ୍ତା ମଇ ମାସ ୭ ତାରିଖ ଠାରୁ ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯିବ । ଏହି ସଂଗ୍ରହ କାର୍ଯ୍ୟ ଅଗଷ୍ଟ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ‘ମାର୍କଫେଡ୍‌’, ଓଡ଼ିଶା ପକ୍ଷରୁ ପ୍ରାଥମିକ କୃଷି ସମବାୟ ସମିତି/ଲ୍ୟାମ୍ପ୍ସ୍‌/ନିୟନ୍ତ୍ରିତ ବଜାର କମିଟି ଜରିଆରେ ଏହି ସଂଗ୍ରହ କାର୍ଯ୍ୟ କରାଯିବ । ସର୍ବାଧିକ ୧୪୧୨୧ ମେଟି୍ରକ୍‌ ଟନ୍‌ ମୁଗ, ୫୪୨୫ ମେଟି୍ରକ୍‌ ଟନ୍‌ ଚିନାବାଦାମ ଓ ୮୭୫୦ ମେଟି୍ରକ୍‌ ଟନ୍‌ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯିବ । ସମସ୍ତ ଡାଲିଜାତୀୟ ଶସ୍ୟ ଓ ତୈଳବୀଜ ରାଜ୍ୟର ନୂଆପଡା, ବାଲେଶ୍ୱର, କଟକ, ଢ଼େଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ପୁରୀ, ରାୟଗଡା, କଳାହାଣ୍ଡି, ମାଲକାନଗିରି, ବରଗଡ, ଯାଜପୁର, ଖୋର୍ଦ୍ଧା ଓ କେନ୍ଦୁଝର ଆଦି ୧୬ଟି ଜିଲ୍ଲାରୁ କେବଳ ପଞ୍ଜିକୃତ ଚାଷୀମାନଙ୍କ ଠାରୁ କ୍ରୟ କରାଯିବ ।

8-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୭୧୮୨ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ମୋଟ ୧,୭୬,୫୯୧ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।

9-ଆଜି ରାଜ୍ୟର ୫୫୨୪ ଗ୍ରାମ ପଞ୍ଚାୟତରେ ୩,୫୪,୪୪୩ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୪୧,୫୬୧ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

10-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୨୯ରୁ ଅପ୍ରେଲ ୩୦ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୭ଟି ମାମଲା ଦାୟର କରାଯାଇଛି । ସେଥିରୁ ୨୬ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୮୧ ଜଣଙ୍କୁ ଗିରଫ କରାଯାଇଛି ।