Categories
ଆଜିର ଖବର ଜାତୀୟ ଖବର

ବିହାର ନିର୍ବାଚନ ପାଇଁ ମୁମ୍ବାଇରୁ ପାର୍ସଲ ହେବ ପ୍ରସଙ୍ଗ : ସଞ୍ଜୟ ରାଓ୍ବତ

ମୁମ୍ବାଇ : ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଶିବସେନା ନେତା ସଞ୍ଜୟ ରାଓ୍ବତ କଡ୍ଡା ଟିପ୍ପଣୀ ରଖିଛନ୍ତି । ସଞ୍ଜୟ କହିଛନ୍ତି ଯେ, ଯଦି ବିହାରରେ ପର୍ଯ୍ୟାପ୍ତ ପରିମାଣରେ ପ୍ରସଙ୍ଗ ନାହିଁ, ତେବେ ମୁମ୍ବାଇରୁ କିଛି ପ୍ରସଙ୍ଗ ପାର୍ସଲ କରାଯାଇପାରିବ । ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟକୁ ନେଇ ବିହାରରେ ରାଜନୀତି କରାଯାଉଥିବା ନେଇ ସଞ୍ଜୟ ଟାର୍ଗେଟ କରିଛନ୍ତି । ସୁଶାନ୍ତ ବିହାରର ବାସିନ୍ଦା ଥିଲେ ।

ବିହାରରେ ନିର୍ବାଚନ ବିକାଶ, ଆଇନ କାନୁନ ବ୍ୟବସ୍ଥା ତଥା ସୁଶାସନ ଉପରେ ଲଢାଯିବା ଉଚିତ୍‌ । କିନ୍ତୁ ଯଦି ସେଠାରେ ସବୁ ପ୍ରସଙ୍ଗ ସରିଯିବ, ତେବେ ମୁମ୍ବାଇରୁ କିଛି ପ୍ରସଙ୍ଗ ପାର୍ସଲ କରାଯିବ ।

ଜୁନ୍‌ 14ରେ ମୁମ୍ବାଇ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ ସୁଶାନ୍ତ ସିଂ ରାଜପୁତ୍‌ । ସୁଶାନ୍ତଙ୍କ ମୃତ୍ୟକୁ ନେଇ ବିହାର ଓ ମହାରାଷ୍ଟ୍ର ପୋଲିସ୍‌ ବିଭାଗ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା । ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ବର ପାଣ୍ଡେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ପୋଲିସ୍‌ ସହଯୋଗ କରୁନଥିବାର ଅଭିଯୋଗ କରିଥିଲେ । ଅପରପକ୍ଷରେ ଡିଜିପି ଗୁପ୍ତେଶ୍ବର ପାଣ୍ଡେ ଭିଆରଏସ୍‌ ନେବା ପରେ ରାଜନୀତିରେ ପ୍ରବେଶ କରୁଥିବାନେଇ ଚର୍ଚ୍ଚା ମଧ୍ୟ ସୃଷ୍ଟି ହୋଇଛନ୍ତି ।

ସୂଚନାଯୋଗ୍ୟ, ତିନୋଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର 28, ନଭେମ୍ବର 3 ଓ ନଭେମ୍ବର 7 ତାରିଖରେ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେବ ବୋଲି ଗତକାଲି ନିର୍ବାଚନ କମିଶନର ଘୋଷଣା କରିଛନ୍ତି । (ଏଜେନ୍ସି)