Categories
ଆଜିର ଖବର ଜାତୀୟ ଖବର

ଆପଣ ଆପଣଙ୍କ ଗ୍ରାମର ମୋଦୀ: ମେଘାଳୟର ସିଲ୍‌ମେ ମାରାକଙ୍କୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ମେଘାଳୟର ରି ଭୋଇର ସିଲ୍‌କେ ମାରାକଙ୍କ ଜୀବନ ସେତେେବେଳେ ଏକ ସକାରାତ୍ମକ ମୋଡ଼ ନେଇଥିଲା, ଯେତେବେଳେ ସେ ତାଙ୍କ ଛୋଟ ଦୋକାନରୁ ଆଗକୁ ବଢ଼ି ସ୍ୱୟଂ ସହାୟକ ଗୋଷ୍ଠୀରେ ସ୍ନାତକ ହାସଲ କରିଥିଲେ। ସେ ବର୍ତ୍ତମାନ ସ୍ଥାନୀୟ ମହିଳା ମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ ହେବାରେ ସାହାଯ୍ୟ କରୁଛନ୍ତି ଏବଂ ୫୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନରେ ସାହାଯ୍ୟ କରିଛନ୍ତି। ସେ ପିଏମ୍ କିଷାନ ସମ୍ମାନ ନିଧି, ବୀମା ଏବଂ ଅନ୍ୟାନ୍ୟ ଯୋଜନା ଗୁଡିକର ହିତାଧିକାରୀ ମଧ୍ୟ ଅଟନ୍ତି।

ଶ୍ରୀମତୀ ସିଲ୍‌ମେ ନିକଟରେ ତାଙ୍କ ସମ୍ପ୍ରସାରିତ କାର୍ଯ୍ୟ ପାଇଁ ଏକ ସ୍କୁଟି କିଣିଛନ୍ତି। ସେ ତାଙ୍କ ବ୍ଲକରେ ଏକ ଗ୍ରାହକ ସେବା ପଏଣ୍ଟ ମଧ୍ୟ ଚଳାଉଛନ୍ତି ଏବଂ ଲୋକଙ୍କୁ ସରକାରୀ ଯୋଜନାର ଲାଭ ଉଠାଇବାରେ ସାହାଯ୍ୟ କରନ୍ତି। ତାଙ୍କ ଗ୍ରୁପ୍ ଖାଦ୍ୟ ପ୍ରକ୍ରିୟାକରଣ ଓ ବେକେରୀରେ ମଧ୍ୟ ସକ୍ରିୟ ରହିଛି। ପ୍ରଧାନମନ୍ତ୍ରୀ ତାଙ୍କ ଆତ୍ମବିଶ୍ୱାସକୁ ପ୍ରଶଂସା କରିବା ସହ ତାଙ୍କ ସମ୍ମାନ ଉଦ୍ଦେଶ୍ୟରେ ତାଳି ମାରିଥିଲେ।

ସରକାରୀ ଯୋଜନା ଗୁଡ଼ିକରେ ତାଙ୍କର ଅଭିଜ୍ଞତା ଏବଂ ହିନ୍ଦୀ ଭାଷା ଉପରେ ଉଚ୍ଚକୋଟୀର ଦଖଲ ରହିଥିବା ଅନୁଭବ କରି  “ଆପଣ ବହୁତ ଦକ୍ଷ, ବୋଧ ହୁଏ ମୋ ଠାରୁ ମଧ୍ୟ ଭଲ” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ସାମାଜିକ ସେବା ମନୋଭାବକୁ ପ୍ରଶଂସା କରିଥିଲେ ଏବଂ “ଆପଣଙ୍କ ଭଳି ଲୋକ ମାନଙ୍କର ସମର୍ପଣ ହେଉଛି ପ୍ରତ୍ୟେକ ନାଗରିକଙ୍କ ନିକଟରେ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ପାଇଁ ଆମର ସଂକଳ୍ପ ପଛର ଶକ୍ତି। ଆପଣ ମାନଙ୍କ ଭଳି ଲୋକମାନେ ହିଁ ମୋର କାମକୁ ସହଜ କରି ଦେଇଛନ୍ତି। ଆପଣ ହିଁ ଆପଣଙ୍କ ଗ୍ରାମର ମୋଦୀ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କଲେ ମେଘାଳୟ ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ଵର: ଏକ ନୂତନ ଓ ବିକଶିତ ରାଷ୍ଟ୍ର ଗଠନ ଲକ୍ଷ୍ୟ ନେଇ ବିକଶିତ ଭାରତ ସଂକଳ୍ପ ଯାତ୍ରା ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି। ଆଜି ମେଘାଳୟର ୧୦ ଜଣିଆ ଗଣମାଧ୍ୟମ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲା ବାଣପୁରଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସାମ୍ବାଦିକମାନେ କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ସଭାକୁ ସମ୍ବୋଧିତ କରିଥିଲେ। ସେମାନେ ଗ୍ରାମୀଣ ହିତାଧିକାରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ସହିତ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ବିଷୟରେ ବାର୍ତ୍ତା ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ, ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ଏହାର ଲାଭ ପାଇପାରିବେ। ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀମାନେ ସେମାନଙ୍କ ଜୀବନ ପରିବର୍ତ୍ତନକାରୀ ଅନୁଭୂତି ବର୍ଣ୍ଣନା କରିଥିଲେ।

ମେଘାଳୟର ଏହି ଗଣମାଧ୍ୟମ ପ୍ରତିନିଧିମାନେ ଏବେ ୪ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଆଜି ସେମାନେ ଶତାଧିକ ଗ୍ରାମବାସୀଙ୍କ ସହ ମିଶି ‘ବିକଶିତ ଭାରତ ସଂକଳ୍ପ’ ଶପଥ ଗ୍ରହଣ କରିବା ସହିତ କେନ୍ଦ୍ର ସରକାରଙ୍କ ଯୋଜନା ଓ ଉପଲବ୍ଧି ସମ୍ପର୍କିତ ସୂଚନା, ଶିକ୍ଷା, ଯୋଗାଯୋଗ (ଆଇଇସି) ବିଷୟବସ୍ତୁ ଦେଖିଥିଲେ।

ଏହାପରେ ପ୍ରତିନିଧିମାନେ ଏସିଆର ସର୍ବବୃହତ ଲୁଣା ହ୍ରଦ ଚିଲିକା  ପରିଦର୍ଶନ କରି ଏହାର ଅନନ୍ୟ ପରିବେଶ ଓ ସମୃଦ୍ଧ ଜୈବ ବିବିଧତା ବିଷୟରେ ଜାଣିବାକୁ ପାଇଥିଲେ। ଓଡ଼ିଶାର ଗୌରବମୟ ଅତୀତ ଓ ସାଂସ୍କୃତିକ ଐତିହ୍ୟକୁ ଦେଖିବା ପାଇଁ ପ୍ରତିନିଧିମାନେ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ପରିଦର୍ଶନ କରିଥିଲେ, ଯାହାର ଇତିହାସ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ରକ୍ଷଣାବେକ୍ଷଣ କରାଯାଉଥିବା ଏହି ଦୁଇଟି ପାହାଡ଼ ଜୈନ ପ୍ରସ୍ତର ସ୍ଥାପତ୍ୟର ପ୍ରାରମ୍ଭିକ କିର୍ତ୍ତିରାଜି ମଧ୍ୟରୁ ଅନ୍ୟତମ। ଏଠାରେ ଥିବା ପ୍ରାଚୀନ ପଥର  ଗୁମ୍ଫା ମୁଖ୍ୟତଃ ପ୍ରାଚୀନ କାଳରେ ଜୈନ ସନ୍ନ୍ୟାସୀଙ୍କ ଆଶ୍ରୟ ସ୍ଥଳୀ ଭାବେ ବ୍ୟବହୃତ ହେଉଥିଲା।

କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା, ପ୍ରକଳ୍ପ ଓ ପଦକ୍ଷେପ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ପତ୍ର ସୂଚନା କାର୍ଯ୍ୟାଳୟ, ଶିଲଂ ଓ ପତ୍ର ସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର ସହଯୋଗରେ ଏହି ଗଣମାଧ୍ୟମ ପ୍ରତିନିଧିଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।