Categories
ଆଜିର ଖବର ଜାତୀୟ ଖବର

ଅସହ୍ୟ ତାତି ଯୋଗୁଁ ମକ୍କାରେ ୫୫୦ରୁ ଅଧିକ ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସାରା ବିଶ୍ୱରୁ ହଜ୍ ତୀର୍ଥଯାତ୍ରାରେ ସାଉଦି ଆରବ ଯାଇଥିବା ଅତି କମରେ ୫୫୦ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଅତ୍ୟଧିକ ଉତ୍ତାପ ବୋଲି କୁହାଯାଏ। ଦୁଇ ଆରବ କୂଟନୀତିଜ୍ଞ ଗଣମାଧ୍ୟମକୁ କହିଛନ୍ତି ଯେ, ମୃତମାନଙ୍କ ମଧ୍ୟରୁ ଅତି କମରେ ୩୨୩ ଜଣ ଇଜିପ୍ଟୀୟ ଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଂଶୁଘାନଜନିତ ରୋଗରେ ମୃତ୍ୟୁ ବରଣ କରିଥିଲେ।

ବିଭିନ୍ନ ଦେଶର ରିପୋର୍ଟ ଅନୁଯାୟୀ ମୋଟ ମୃତ୍ୟୁ ସଂଖ୍ୟା ୫୭୭ ରେ ପହଞ୍ଚିଛି। କୂଟନୀତିଜ୍ଞ କହିଛନ୍ତି ଯେ, ଅତିକମରେ ୬୦ ଜଣ ଜୋର୍ଡାନ ନାଗରିକଙ୍କର ମୃତ୍ୟୁ ଘଟିଛି। ମକ୍କାର ସବୁଠାରୁ ବଡ ଶବଗୃହ ମଧ୍ୟରୁ ଅଲ-ମୁଆଇସିମ ଶବଗୃହରେ ମୋଟ ୫୫୦ ମୃତ୍ୟୁ ନିଶ୍ଚିତ ହୋଇଛି।

ସାଉଦି ଜାତୀୟ ପାଣିପାଗ ବିଭାଗ କହିଛି ଯେ, ସୋମବାର ମକ୍କାର ଗ୍ରାଣ୍ଡ ମସଜିଦରେ ତାପମାତ୍ରା ୫୧.୮ ଡିଗ୍ରୀ ସେଲସିୟସ ରେ ପହଞ୍ଚିଛି। ସାଉଦି ଅଧିକାରୀ କହିଛନ୍ତି ଯେ, ଅଂଶୁଘାତରେ ପୀଡିତ ୨ ହଜାର ରୁ ଅଧିକ ତୀର୍ଥଯାତ୍ରୀଙ୍କ ଚିକିତ୍ସା କରାଯାଇଛି। କିନ୍ତୁ ରବିବାର ଠାରୁ ଏହି ସଂଖ୍ୟା ଅପଡେଟ୍ ହୋଇନାହିଁ, ଯାହା ମୃତ୍ୟୁ ଓ ଅସୁସ୍ଥ ଲୋକଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି। ଗତ ବର୍ଷ ବିଭିନ୍ନ ଦେଶରେ ଅତି କମରେ ୨୪୦ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଣ୍ଡୋନେସିଆ ନାଗରିକ ଥିଲେ।