ଶୁକ୍ରବାର ସୁପ୍ରିମ୍କୋର୍ଟ ଚେନ୍ନାଇର ସର୍ବଣା ଭବନ ହତ୍ୟା ମାମଲାର ଦଣ୍ଡାଦେଶ କାଏମ ରଖିଛନ୍ତି । ମାଡ୍ରାସ ହାଇକୋର୍ଟ ସର୍ବଣା ଭବନ ମାଲିକ ପି. ରାଜଗୋପାଳଙ୍କୁ ନିଜର ଜନୈକ କର୍ମଚାରୀ ପ୍ରିନ୍ସ ଶାନ୍ତାକୁମାରଙ୍କ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଜଷ୍ଟିସ୍ ଏନ୍ ଭି ରମନାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ରାଜଗୋପାଳଙ୍କୁ ଜୁଲାଇ ୭ ପୂର୍ବରୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ପାଇଁ ରାଜଗୋପାଳଙ୍କୁ୨୦୦୯ରେ ସ୍ବାସ୍ଥ୍ୟଗତ କାରଣ ନେଇ ଜାମିନରେ ଛାଡିଥିଲେ । ସେହିପରି ଘଟଣାର ଅନ୍ୟ ଅଭିଯୁକ୍ତ ଡାନିଏଲ କର୍ମେଗାମ୍, ଜାକିର ହୁସେନ୍, କାଶୀ ବିଶ୍ବନାଥ ଏବଂ ପଟ୍ଟୁ ରାଜନଙ୍କୁ ମଧ୍ୟ ୨୦୦୯ରେ ଜାମିନ ମିଳିଥିଲା । ସର୍ବଣା ଭବନର ମାଲିକ ରାଜଗୋପାଳ ଜନୈକ କର୍ମଚାରୀ ରାମାସ୍ବାମୀଙ୍କ ଝିଅ ଜୀବା ଜ୍ୟୋତିଙ୍କୁ ବିବାହ କରିବାକୁ ଚାହିଁଥିଲେ । ମାତ୍ର ସେ ଶାନ୍ତାକୁମାରଙ୍କୁ ବିବାହ କରିବା ପରେ ପ୍ରତିଶୋଧ ପରାୟଣ ହୋଇ ରାଜଗୋପାଳ ଶାନ୍ତାକୁମାରଙ୍କୁ ହତ୍ୟା କରିଥିଲେ । ଏହି ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।