Categories
ଆଜିର ଖବର

‘ଭାରତ’ର ପୋଷ୍ଟରକୁ ସେୟାର୍‌ କଲେ ଭାଇଜାନ୍‌

ବଲିଉଡ୍‌ ସୁଲ୍‌ତାନ୍‌ ସଲମନ୍‌ ଖାନ୍‌ଙ୍କ ରିଲିଜ୍‌ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ ଏବେ ବେଶ୍‌ ଚର୍ଚ୍ଚାରେ। ସଲମାନ୍‌ ଖାନ୍‌ ‘ଭାରତ’ ଫିଲ୍ମର ପୋଷ୍ଟର୍‌କୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି। ରିଲିଜ୍‌ ହୋଇଥିବା ଏହି ପୋଷ୍ଟର୍‌ରେ ସଲମାନ୍‌ଙ୍କ ଲୁକ୍‌ ବେଶ୍‌ ଶାନ୍‌ଦାର ରହିଛି। ଏହି ପୋଷ୍ଟରରେ ସଲମାନ୍‌ ଧଳା ଚୁଟି ସହ ଦାଢିରେ ନଜର ଆସିଛନ୍ତି। ଏହି ପୋଷ୍ଟରରେ ଏହି ଫିଲ୍ମର ଏକ ଡାଇଲଗ୍‌ ମଧ୍ୟ ରହିଛି – ‘ମୋ’ ମୁଣ୍ଡ ଓ ଦାଢିରେ ଯେତିକି ଧଳା ବାଳ ଅଛି, ତା’ଠାରୁ ଅଧିକ ମୋ ଜୀବନ ରଙ୍ଗୀନ୍‌ ରହିଛି।’ ଏହି ଫିଲ୍ମକୁ ନେଇ ଦର୍ଶକେ ବେଶ୍‌ ଉତ୍ସାହିତ ରହିଛନ୍ତି। ଏହି ଫିଲ୍ମରେ ସଲମାନ୍‌ଙ୍କୁ ଭିନ୍ନ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିବ। ସଲ୍‌ମନ୍‌ ଖାନ୍‌ ଫିଲ୍ମସ୍‌ ଓ ଅତୁଲ୍‌ ଅଗ୍ନିହୋତ୍ରୀଙ୍କ ପ୍ରଯୋଜିତ ଏହି ଫିଲ୍ମରେ କ୍ୟାଟ୍ରିନା କୈଫ୍‌, ତବୁ, ଦିଶା ପଟ୍ଟାନୀ ଓ ସୁନୀଲ୍‌ ଗ୍ରୋଭର୍‌ ପ୍ରମୁଖ ଅଭିନୟ କରିଛନ୍ତି। କୋରିଆନ୍‌ ମୁଭି ‘ଦ ଅଡ୍‌ ଟୁ ମାଇ ଫାଦର୍‌’ର ଆଧାରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଲ୍ଲୀ ଆବାସ ଜାଫର୍‌। ଫିଲ୍ମଟି ଜୁନ୍‌ ୫ ତାରିଖ ଇଦ୍‌ ଅବସରରେ ମୁକ୍ତିଲାଭ କରିବ।

Categories
ଆଜିର ଖବର

ହାପ୍‌ଟିକ୍‌ର ୮୭ ପ୍ରତିଶତ ଅଂଶଧନ କିଣିଲା ରିଲାଏନ୍ସ ଜିଓ

ରିଲାଏନ୍ସ  ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ କମ୍ପାନୀ ରିଲାଏନ୍ସ ଜିଓ ହାପ୍‌ଟିକ୍‌ର ୮୭ ପ୍ରତିଶତ ଅଂଶଧନ କ୍ରୟ କରିଛି। ୭୦୦ କୋଟି ମୂଲ୍ୟରେ କମ୍ପାନୀ ଏହି ୮୭ ପ୍ରତିଶତ ଅଂଶଧନ କିଣିଥିବା ବେଳେ ପ୍ରାରମ୍ଭିକ ଭାବରେ ହାପ୍‌ଟିକକୁ ୨୩୦ କୋଟି ପ୍ରଦାନ କରିଛି ଜିଓ। ବଳକା ୪୭୦ କୋଟିର ଅର୍ଥରାଶି ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରଦାନ କରାଯିବ ବୋଲି ଜଣାପଡିଛି। କମ୍ପାନୀର ବଳକା ୧୩ ପ୍ରତିଶତ ଅଂଶଧନ କମ୍ପାନୀର ପ୍ରତିଷ୍ଠାତା ଅକ୍ରିତ୍‌ ବୈଶ ଏବଂ କିଛି କର୍ମଚାରୀଙ୍କ ନିକଟରେ ରହିବ। ଏହି କମ୍ପାନୀ ଅଧିଗ୍ରହଣ ପରେ ଖୁବ୍‌ଶୀଘ୍ର ଜିଓ ନିଜର ସ୍ବତନ୍ତ୍ର ଆପ୍‌ର ଲଞ୍ଚ କରିବ ବୋଲି ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନୀ କହିଛନ୍ତି। ସ୍ବଦେଶୀ  ବୈଷୟିକ କୌଶଳ ବ୍ୟବହାର କରି ଆମାଜନ୍‌ର ଆଲେକ୍ସା କିମ୍ବା ଆପଲ୍‌ର ସିରି ପରି ଏହି ଆପ୍‌ ହେବ ଯେଉଁଥିରେ କି ବିଭିନ୍ନ ଭାରତୀୟ ଭାଷା ଅନ୍ତର୍ଭୁକ୍ତ ରହିବ ବୋଲି ଶ୍ରୀ ଅମ୍ବାନୀ ପ୍ରକାଶ କରିଛନ୍ତି। ବିଗତ ଦୁଇ ମାସ ମଧ୍ୟରେ ରିଲାଏନ୍ସ ଜିଓର ଏହା ଷଷ୍ଠ ଷ୍ଟାର୍ଟଅପ୍‌ ଅଧିଗ୍ରହଣ। ୨୦୧୭-୧୮ ଆର୍ଥିକ ବର୍ଷରେ ହାପ୍‌ଟିକ୍‌ର ଆୟ ୪.୬ କୋଟି ରହିଥିଲା ଏବଂ କମ୍ପାନୀ ୨୨.୫ କୋଟିର କ୍ଷତି ସହିଥିଲା।