Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରାର୍ଥୀତ୍ବକୁ ନେଇ ଅଡୁଆରେ ବିଜେପି, ବଢୁଛି ଗୋଷ୍ଠୀ କନ୍ଦଳ

ଭୁବନେଶ୍ବର: ଦିଗପହଣ୍ଡି ନିର୍ବାଚନ ମଣ୍ଡଳିରେ ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀତ୍ବକୁ ନେଇ ବଢୁଛି ଅଡୁଆ। ସେଠାରେ ବିଜେପି ନେତା ଥିବା ବେଳେ ସିଦ୍ଧାନ୍ତ ମହାପାତ୍ରଙ୍କୁ କଣ ପାଇଁ ବିଜେପି ପ୍ରାର୍ଥୀ କଲା ତାହାକୁ ବିରୋଧ କରାଯାଉଛି। ଫଳରେ ସିଦ୍ଧାନ୍ତ ମହାପାତ୍ର ବହୁ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏ ପର୍ଯ୍ୟନ୍ତ ପ୍ରଚାର ମଇଦାନକୁ ଓହ୍ଲାଇ ପାରୁ ନାହାଁନ୍ତି।

ଦିଗପହଣ୍ଡି ହେଉଛି ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦବଦବା ଥିବା ନିର୍ବାଚନ ମଣ୍ଡଳି। ତାଙ୍କ ପରଲୋକରେ ବିଜେଡି ସେଠାରେ ତାଙ୍କ ପୁତ୍ର ବିପ୍ଲବ ପାତ୍ରଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ସେଠାରେ ଦବଦବା ରଖିଥିବା ନେତା ବିପିନ ପ୍ରଧାନ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଆଶା ଥିଲା ତାଙ୍କୁ ବିଜେପି ଟିକେଟ ଦେବ।

ହେଲେ ତାହା ନ ହେବାରୁ ସେ ଏବଂ ତାଙ୍କ କର୍ମି ଉତକ୍ଷିପ୍ତ ହୋଇପଡିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସିଦ୍ଧାନ୍ତ ମହାପାତ୍ରଙ୍କୁ କେହି ସହଯୋଗ କରୁ ନାହାଁନ୍ତି। ଫଳରେ ବର୍ତ୍ତମାନ ସେଠାରେ ଅଡୁଆ ପରିସ୍ଥିତିରେ ପଡିଯାଇଛି ବିଜେପିଷ

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ମିଶିବେ ବ୍ରହ୍ମପୁରର ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର, ଚାଲିଛି ଚର୍ଚ୍ଚା

ଭୁବନେଶ୍ବର: ଖୁବ ଶିଘ୍ର ବିଜେପିରେ ସାମିଲ ହେବେ ସୁପରଷ୍ଟାର ତଥା ବ୍ରହ୍ମପୁର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର। ଏ ନେଇ ରାଜ୍ୟ ରାଜନୀତିରେ ଚାଲିଛି ଚର୍ଚ୍ଚା। ତେବେ ଏ ନେଇ ଉଭୟ ପକ୍ଷରୁ କେହି କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି। ତେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ପରେ ସେ କେତେକ ବିଜେଡି ନେତାଙ୍କୁ ଦଳରେ ସାମିଲ କରାଇବା ପାଇଁ ଚେଷ୍ଠା କରୁଛନ୍ତି।

ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ଲୋକସଭା ଆସନରୁ 2009 ଏବଂ 2014 ରେ ଦୁଇଥର  ବିଜେଡିର ସାଂସଦ ଥିଲେ। ଏହାପରେ 2019 ରେ ଦଳ ତାଙ୍କୁ ଆଉ ଟିକେଟ ଦେଇ ନ ଥିଲା। ଏପରିକି ସେ କୌଣସି ଦଳୀୟ କାର୍ଯ୍ୟରେ ମଧ୍ୟ ଦେଖିବାକୁ ମିଳି ନ ଥିଲା। ଦଳ ଏକ ପ୍ରକାରର ତାଙ୍କୁ କଣଠୋସା କରି ରଖିଥିବାର ଜଣାପଡିଛି। ଏପରି ପରିସ୍ଥିତିରେ ସେ ପଦ୍ମ ଧରିବେ ବୋଲି ଆଲୋଚନା ଚାଲିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବ୍ରହ୍ମପୁର ଲୋକସଭା: ଚନ୍ଦ୍ରଶେଖରଙ୍କ ଉପରୁ ଆସ୍ଥା ହରାଇଲାଣି କି ବିଜଦ?, ଭାଜପା ଦ୍ୱନ୍ଦ୍ୱରେ, କଂଗ୍ରେସ ଘର ଖାଲି

ଭୁବନେଶ୍ୱର: ବର୍ତ୍ତମାନର ବ୍ରହ୍ମପୁର ଆସନର ବିଜଦ ସାଂସଦ ଉପରେ ଦଳ ତଥା କର୍ମୀମାନେ ଆସ୍ଥା ହରାଇବାର ସଂକେତ ମିଳିଲାଣି। ତେଣୁ ତାଙ୍କୁ ପରିବର୍ତ୍ତନ କରି ପୂର୍ବତନ ସାଂସଦଙ୍କୁ ପ୍ରାର୍ଥୀ କରିବା ପାଇଁ କର୍ମୀଙ୍କ ସ୍ୱର ଉଠିଲାଣି । ଭାଜପା ଏଠାରୁ ଜିତିବା ପାଇଁ ପ୍ରୟାସ କରୁଥିଲେ ହେଁ ଉପଯୁକ୍ତ ପ୍ରାର୍ଥୀ ପାଇପାରୁନାହିଁ। କଂଗ୍ରେସର ଏଠାରୁ କର୍ପୁର ଉଡ଼ି ଯାଇଛି, କେବଳ କପଡ଼ା ପଡ଼ି ରହିଛି।

୧୯୫୭ରୁ ୨୦୦୯ ପର୍ଯ୍ୟନ୍ତ ବ୍ରହ୍ମପୁର ଲୋକସଭା ଆସନ କଂଗ୍ରେସ ଦଳର ଗଡ଼ ଥିଲା। ଏହି କାରଣରୁ ବିଜଦ-ଭାଜପା ମେଣ୍ଟବେଳେ ଏହି ଆସନକୁ ଭାଜପା ଛାଡ଼ି ଦିଆଯାଇଥିଲା। ଯାହାଫଳରେ ୧୯୯୯ରେ ଭାଜପା ପ୍ରାର୍ଥୀ ଅନାଦି ସାହୁ ବିଜୟୀ ହୋଇଥିଲେ। ଏହାପରେ ରାଜ୍ୟରେ ୨୦୦୯ ପର୍ଯ୍ୟନ୍ତ ମେଣ୍ଟ ଥିଲେ ହେଁ ୨୦୦୪ରେ ପୁଣି କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ ବିଜୟୀ ହୋଇ କେନ୍ଦ୍ରରେ ଅଳ୍ପଦିନ ପାଇଁ ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ। ୨୦୦୯ ପରଠାରୁ ଅଦ୍ୟାବଧି ଏହି ଆସନରୁ ବିଜଦ ପ୍ରାର୍ଥୀ ଅଭିନେତା ସିଦ୍ଧାନ୍ତ ମହାପାତ୍ର ୨ଥର ଓ ୨୦୧୯ରେ କଂଗ୍ରେସରୁ ବିଜଦକୁ ଆସିଥିବା ଚନ୍ଦ୍ର ଶେଖର ସାହୁ ସାଂସଦ ହୋଇ ନିର୍ବାଚିତ ହୋଇଛନ୍ତି।

୨୦୦୯ ପରଠାରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି ଓ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଏବଂ ମୋହନା ବିଧାନସଭା ଆସନକୁ ନେଇ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଗଠିତ। ଶ୍ରୀ ସାହୁ ଗତ ନିର୍ବାଚନରେ ବିଜଦ ପ୍ରାର୍ଥୀଭାବେ ନିର୍ବାଚିତ ହୋଇଥିଲେ ହେଁ ଆଗାମୀ ନିର୍ବାଚନରେ ତାଙ୍କୁ ଦଳ ପ୍ରାର୍ଥୀ କରିବ କି ନାହିଁ ଏହାକୁ ନେଇ ବିଚାର ବିମର୍ଷ ଚାଲିଛି। ଦଳୀୟ ସଂଗଠନରେ ଶ୍ରୀ ସାହୁଙ୍କୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି। ଅପରପକ୍ଷରେ ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବେ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ହେବା ସହିତ ସଂଗଠନକୁ ସଜାଡ଼ିବାରେ ଲାଗିଛନ୍ତି। ଏଇଥିପାଇଁ ଯେ ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ସହିତ ଗୋପାଳପୁର, ଛତ୍ରପୁର, ଚିକିଟି ଭଳି ନିର୍ବାଚନମଣ୍ଡଳୀ ଗସ୍ତ କରି କର୍ମୀଙ୍କୁ ଭେଟିଥିଲେ। ଏଣୁ ସେ ପୁଣିଥରେ ବ୍ରହ୍ମପୁର ରାଜନୀତିକୁ ଫେରିବେ ବୋଲି ଗୋଟିଏ ବାର୍ତ୍ତା ଯାଇଛି। ଚନ୍ଦ୍ର ଶେଖର ସାହୁ କଂଗ୍ରେସରୁ ଆସିଥିବାରୁ ତାଙ୍କୁ ଅନେକ କର୍ମୀ ପସନ୍ଦ କରୁନାହାନ୍ତି। ତେଣୁ ସେମାନେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ସପକ୍ଷରେ ଯୁକ୍ତି ଲବି କରୁଥିବା ଜଣାପଡ଼ିଛି। ଶେଷ ନିଷ୍ପତ୍ତି ଦଳର ହାଇକମାଣ୍ଡ ନେବେ।

୨୦୦୪ ପରଠାରୁ ଅଦ୍ୟାବଧି ବିଜୟ ପାଇବା ପାଇଁ ଭାଜପା ଏଠାରେ ସଂଗ୍ରାମ କରୁଛି। ୨୦୦୯ରେ ଭାଜପା ପ୍ରାର୍ଥୀ ଭରତ ପାଇକ ୭୮,୯୨୯ ଖଣ୍ଡ ଭୋଟ ପାଇଥିଲାବେଳେ ୨୦୧୪ରେ ଭାଜପା ପ୍ରାର୍ଥୀ ରାମଚନ୍ଦ୍ର ପଣ୍ଡା ୧,୫୮,୮୧୧ ଖଣ୍ଡ ଭୋଟ ପାଇଥିଲେ। ୨୦୧୯ରେ ଭାଜପା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ୩,୪୮,୯୯୯ ଭୋଟ ସହିତ ସମ୍ମାନଜନକ ୨ୟ ସ୍ଥାନକୁ ଆସିଥିଲେ। ଏହି ନିର୍ବାଚନ ପରଠାରୁ ଭାଜପା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କର ଏଠାରେ ଦେଖାଦର୍ଶନ ମିଳୁନାହିଁ। ମୁଣ୍ଡ ଉପରେ ନିର୍ବାଚନ ଥିଲେ ହେଁ ଶ୍ରୀ ବକ୍ସିପାତ୍ର କୌଣସି ସାଂଗଠନିକ କାମ କରୁନାହାଁନ୍ତି। ତେଣୁ ଦଳର ସାଂଗଠନିକ ସ୍ଥିତି ଭଲ ନ ଥିବା ସତ୍ତ୍ୱେ ସଂଗଠନ ଭାଗ ଭାଗ ହୋଇଛି। ଫଳରେ ଆଗାମୀ ନିର୍ବାଚନରେ ଦଳ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ କରିନପାରେ ବୋଲି କର୍ମୀ ମହଲରେ ଗୁଞ୍ଜରଣ ସୃଷ୍ଟି ହେଉଛି। ବିଜଦରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭାଜପାରେ ଯୋଗଦେଇ ସାଂସଦ ପ୍ରାର୍ଥୀ ହେବେ ବୋଲି କର୍ମୀ ମହଲରେ ଆଲୋଚନା ହେଉଥିଲେ ହେଁ ଦଳ ପକ୍ଷରୁ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇନାହିଁ।

ଏକଦା ବ୍ରହ୍ମପୁର ଲୋକସଭା ଆସନ କଂଗ୍ରେସ ପାଇଁ ଏତେ ସୁରକ୍ଷିତ ଥିଲା ଯେ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ୧୯୯୬ରେ ଏଠାରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୧୮ଥର ଲୋକସଭା ନିର୍ବାଚନ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀମାନେ ଏଠାରୁ ୧୨ଥର ବିଜୟ ବାନା ଛଡ଼ାଇଛନ୍ତି । ଏଭଳି ସ୍ଥିତି ସତ୍ତ୍ୱେ ୨୦୦୯ରେ (୨,୬୨,୫୨୨ଭୋଟ) ଓ ୨୦୧୪ରେ (୨,୭୦,୩୮୭ ଭୋଟ) କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ ପାଇଥିଲାବେଳେ ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡ଼ୁ ୧,୪୨,୬୩୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ନିର୍ବାଚନ ପରଠାରୁ କଂଗ୍ରେସ ପ୍ରାର୍ଥୀ ନାଇଡ଼ୁଙ୍କର ମତଦାତା ଓ ଦଳର ସଂଗଠନ ସହିତ ସମ୍ପର୍କ ନ ଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ତେଣୁ କଂଗ୍ରେସ ଏଠାରେ ଜଣେ ନୂଆ ନେତାଙ୍କୁ ପ୍ରାର୍ଥୀ କରିବା ପାଇଁ ପ୍ରାର୍ଥୀ ଖୋଜା ଆରମ୍ଭ କରିଛି। କିନ୍ତୁ କଂଗ୍ରେସ ଦଳରୁ ଲୋକସଭା ପ୍ରାର୍ଥୀ ହେବା ପାଇଁ ନେତା ମିଳୁ ନାହାନ୍ତି। କଂଗ୍ରେସର ଏଠାରୁ କର୍ପୁର ଉଡ଼ି ଯାଇଛି, କେବଳ କପଡ଼ା ପଡ଼ି ରହିଛି ବୋଲି ଲୋକମାନେ କହୁଛନ୍ତି।