Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଗୁୟାନାର ରାଷ୍ଟ୍ରପତିଙ୍କ ସହ ସରକାରୀ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ନଭେମ୍ବରରେ ଜର୍ଜଟାଉନ୍ ସ୍ଥିତ ଷ୍ଟେଟ୍ ହାଉସ୍ରେ ଡକ୍ଟର ମହମ୍ମଦ ଇରଫାନ୍ ଅଲିଙ୍କୁ ସାକ୍ଷାତ କରିଥିଲେ। ଷ୍ଟେଟ୍ ହାଉସରେ ପହଞ୍ଚିବା ପରେ ରାଷ୍ଟ୍ରପତି ଅଲି ତାଙ୍କୁ ସ୍ୱାଗତ କରିଥିଲେ ଏବଂ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲେ।

ଦୁଇ ନେତାଙ୍କ ମଧ୍ୟରେ ଏକ ସୀମିତ ବୈଠକ ପରେ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଥିଲା। ଭାରତ ଏବଂ ଗୁୟାନା ମଧ୍ୟରେ ଥିବା ଗଭୀର ଐତିହାସିକ ସମ୍ପର୍କକୁ ସୂଚାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ । ଦୁଇ ନେତା ପ୍ରତିରକ୍ଷା, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ସ୍ୱାସ୍ଥ୍ୟ ଏବଂ ଫାର୍ମା, ପାରମ୍ପରିକ ଔଷଧ, ଖାଦ୍ୟ ନିରାପତ୍ତା, ଭିତ୍ତିଭୂମି ବିକାଶ, ଡିଜିଟାଲ୍ ଜନସାଧାରଣ ଭିତ୍ତିଭୂମି, ଦକ୍ଷତା ବିକାଶ, ସଂସ୍କୃତି ଏବଂ ଲୋକ ସମ୍ପର୍କ ସମେତ ଭାରତ ଓ ଗୁୟାନା ମଧ୍ୟରେ ଥିବା ବହୁମୁଖୀ ସମ୍ପର୍କର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା କରିଥିଲେ। ଶକ୍ତି କ୍ଷେତ୍ରରେ ଚାଲିଥିବା ସହଯୋଗକୁ ଅନୁଧ୍ୟାନ କରି ଦୁଇ ନେତା ସୂଚାଇ ଦେଇଛନ୍ତି ଯେ, ହାଇଡ୍ରୋକାର୍ବନରେ ଭାଗିଦାରୀ ତଥା ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଭାଗିତା ବୃଦ୍ଧି ପାଇଁ ଅପାର ସମ୍ଭାବନା ରହିଛି। ବିକାଶ ସହଯୋଗ ଭାରତ-ଗୁୟାନା ସହଭାଗିତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ବ ଅଟେ। ଗୁୟାନାର ବିକାଶ ଆକାଂକ୍ଷା ପୂରଣ କରିବା ପାଇଁ ଭାରତ ନିରନ୍ତର ସମର୍ଥନ ଜଣାଇବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

ଉଭୟ ନେତା ପାରସ୍ପରିକ ଆବଶ୍ୟକତାର ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ ।  ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଦୁଇ ନେତା ଅଧିକ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି । ଭାରତ ଦ୍ୱାରା ଆୟୋଜିତ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀରେ ଅଂଶଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଅଲିଙ୍କୁ ଧନ୍ୟବାଦ ଜଣାଇଥିଲେ । ଗ୍ଲୋବାଲ୍ ଦକ୍ଷିଣ ଦେଶ ମଧ୍ୟରେ ଏକତାକୁ ଦୃଢ଼ କରିବା ପାଇଁ ଦୁଇ ନେତା ମିଳିତ ଭାବରେ କାର୍ଯ୍ୟ କରିବାକୁ ସହମତ ହୋଇଥିଲେ ।

ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଉଭୟ ନେତା ନିୟମିତ ବ୍ୟବଧାନରେ ଉଚ୍ଚ ସ୍ତରୀୟ ବୈଠକ କରିବାକୁ ରାଜି ହୋଇଥିଲେ । ଏହି ଗସ୍ତ ସମୟରେ ୧୦ଟି ବୁଝାମଣାଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ବୁଝାମଣାପତ୍ରର ତାଲିକା ଏଠାରେ ଦେଖିପାରିବେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମାନବସମ୍ବଳ ଓ କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଗୁଆ ରାଜ୍ୟ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ଏବଂ ନିରନ୍ତର ପ୍ରଗତିରେ ସେମାନଙ୍କ କ୍ରିୟାଶୀଳ ଭୂମିକାକୁ ଉନ୍ନତ କରିବା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି। ଆଜି ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏକ କର୍ମଶାଳାରେ ଯୋଗଦେଇ ଶ୍ରୀ ମହାପାତ୍ର ଉପରୋକ୍ତ ମର୍ମରେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପଗୁଡ଼ିକ ନେଇ ଆଲୋକପାତ କରିଛନ୍ତି।

‘ବିକଶିତ ଭାରତ: ଦିଗନ୍ତ ପହୁଞ୍ଚ’ ଶୀର୍ଷକ ଏହି କର୍ମଶାଳାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବିକଶିତ ଭାରତ ଓ ମାନବସମ୍ବଳ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ନେଇ ମୁଖ୍ୟ ଶାସନ ସଚିବ ବକ୍ତବ୍ୟ ରଖିଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମଧ୍ୟ ବକ୍ତବ୍ୟ ରଖି ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସରକାର ଅନେକାନେକ ପଦକ୍ଷେପ ନେଇ ରାଜ୍ୟରେ ଦକ୍ଷତା ବିକାଶ ପରିମଣ୍ଡଳର ସ୍ଥିତି ଉପରେ ଆଲୋକପାତ କରିଥିଲେ।

ଏହି କର୍ମଶାଳାରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ହିମାଚଳ ପ୍ରଦେଶ, ଗୋଆ, ଜାମ୍ମୁ ଓ କାଶ୍ମୀର, ପଞ୍ଜାବ, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ, ମଣିପୁର ତଥା କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଡାମନ-ଡିଉ-ଦାଦ୍ରା-ନଗର ହାବେଳୀ, ଲାକ୍ଷାଦ୍ୱୀପ, ଲାଦାକର ପ୍ରତିନିଧିମାନେ ଯୋଗଦେଇ ଦକ୍ଷତା ବିକାଶ ସ୍ଥିତି ନେଇ ସେମାନଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟର ଶାସନ ସଚିବ ଅତୁଲ ତିୱାରୀ ମଧ୍ୟ ବକ୍ତବ୍ୟ ରଖିଥିଲେ। କର୍ମଶାଳା ଆରମ୍ଭରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ସ୍ୱାଗତ ଭାଷଣ ଦେଇ ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ହୋଇଥିବା ଦର୍ଶାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରେଘୁ ଜିଙ୍କ ସମେତ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଅପରାହ୍ନର ଉଦ୍‌ଯାପନ ଅଧିବେଶନ ପରେ ପ୍ରତିନିଧି ଦଳ ଜଟଣୀସ୍ଥିତ ଦକ୍ଷତା ବିକାଶ ପ୍ରତିଷ୍ଠାନ ଓ ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ତଥ୍ୟ ସଂପର୍କରେ ଅବଗତ ହୋଇଥିଲେ ଏବଂ ଉଭୟ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।