Categories
ଆଜିର ଖବର ରାଜ୍ୟ ଖବର

ଢେଙ୍କାନାଳରେ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ: ଆଗାମୀ ଦିନରେ ଢେଙ୍କାନାଳ ମଡର୍ନ କମ୍ୟୁନିକେସନର ଫ୍ୟୁଚରିଷ୍ଟିକ୍ ସେଣ୍ଟର ତଥା ଆଧୁନିକ ଯୋଗାଯୋଗର ଭବିଷ୍ୟତ କେନ୍ଦ୍ର ହେବ ବୋଲି ଶୁକ୍ରବାର ଢେଙ୍କାନାଳରେ ଏନଏସଡିସିର ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’(ଏସଆଇଏସ)କୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗତ ୨୦ ତାରିଖରେ ଏନଏସଡିସି ଦ୍ୱାରା ସମ୍ବଲପୁରରେ ଦେଶର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟର ଉଦଘାଟନ କରିବା ପରେ ଆଜି ଢେଙ୍କାନାଳରେ ଏହି ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଏକବିଂଶ ଶତାବ୍ଦୀର ଯୁବପିଢିଙ୍କ ଆକାଂକ୍ଷା ଓ ରୁଚିକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ରୋଜଗାର ଓ ସ୍ୱରୋଜଗାର ବଢାଇବା ଲକ୍ଷ୍ୟରେ ଏହି କେନ୍ଦ୍ର ସ୍ଥାପନା କରାଯାଇଛି । ଏହି କେନ୍ଦ୍ରରେ ଡିଜିଟାଲ ଦୁନିଆ ତଥା ସର୍ଭିସ ଇଣ୍ଡଷ୍ଟ୍ରିର ଆଧୁନିକ ସ୍କିଲିଂ ଟ୍ରେନିଂର ବ୍ୟବସ୍ଥା ଅଛି ।

ନିକଟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ସ୍ୱୀକୃତି ଦେଇ ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)କୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଡିମଡ୍ ୟୁନିଭର୍ସିଟିର ମାନ୍ୟତା ଦିଆଯାଇଛି । ଆଜି ଉଦଘାଟିତ ସ୍କିଲ୍ ଇଣ୍ଡିଆ ସେଣ୍ଟର ଆଇଆଇଏମ ଢେଙ୍କାନାଳ ସହ ଯୋଡିହେଲେ ଆଗାମୀ ଦିନରେ ଢେଙ୍କାନାଳ ମଡର୍ନ କମ୍ୟୁନିକେସନର ଫ୍ୟୁଚରିଷ୍ଟିକ୍ ସେଣ୍ଟର ହୋଇପାରିବ । ଅନେକ ଛାତ୍ରଛାତ୍ରୀ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲାଭ ନେଇପାରିବେ । ନୂଆପିଢିର ପିଲାମାନଙ୍କୁ ଦକ୍ଷ କରିବା ପାଇଁ ପ୍ରଧାନମନ୍ତ୍ରୀ ବଦ୍ଧ ପରିକର । ନୂଆପିଢିର ଯୁବକ ଯୁବତୀମାନେ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍- ସ୍କିଲିଂ ସହ ଯୋଡି ହୋଇ ନିଜକୁ ଦକ୍ଷ ବନାଇଲେ ହିଁ ଆମେ ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିପାରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଢେଙ୍କାନାଳରେ ୬  ହଜାର ବର୍ଗଫୁଟ ପରିମିତ ଜାଗାରେ ପ୍ରତିଷ୍ଠିତ ଏହି ସ୍କିଲ୍ ସେଣ୍ଟରରେ ମୋଟ ୫ଟି ଆଧୁନିକ ଲ୍ୟାବ ରହିଛି ଏବଂ ପ୍ରଶିକ୍ଷଣ ନିମନ୍ତେ ୩ ଟି ଟ୍ରେନିଂ ହଲ ଅଛି, ଯେଉଁଥିରେ ବର୍ଷକୁ ୧୨୦୦ ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ପ୍ରଶିକ୍ଷିତ ହୋଇପାରିବେ । ସ୍ୱଳ୍ପ ମୂଲ୍ୟରେ ୩ ମାସରେ ୮ଟି ବିଷୟ ଉପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ନ୍ୟୁ ଏଜ୍ ସ୍କିଲ୍ସ, ଗ୍ରାଫିକ୍ସ ଡିଜାଇନ, ପ୍ରଯୁକ୍ତିବିଦ୍ୟା ଓ ପ୍ରଯୁକ୍ତିସେବା ଫୁଡ୍ ଆଣ୍ଡ ବେଭରେଜ୍ ସର୍ଭିସେସ୍ ଭଳି ବିବିଧ କ୍ଷେତ୍ରରେ ଇଚ୍ଛୁକ ଯୁବକ ଯୁବତୀଙ୍କୁ ଏହି କେନ୍ଦ୍ରରେ ତାଲିମ ଦିଆଯିବ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସମ୍ବଲପୁରରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ  

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କରିବେ। ଏହାସହ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସନ୍ଥକବି ଭୀମ ଭୋଇ ଓ  ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୬ ଗୋଟି ଡାକ ଟିକେଟର ଉନ୍ମୋଚନ ସହ ୪୨ଟି ଡାକଘର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଶ୍ରୀ ପ୍ରଧାନ ମଙ୍ଗଳବାର ଦିନ ପ୍ରଥମେ ସମ୍ବଲପୁର ରେଳ ଷ୍ଟେସନରେ ସମ୍ବଲପୁର – ଦର୍ଶନ ନଗର – ସମ୍ବଲପୁର ଆସ୍ଥା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିବେ। ସମ୍ବଲପୁର ଭେଦିକ ଆନ୍ତର୍ଜାତିକ ସ୍କୁଲରେ ରୋବୋଟିକ୍ ସେଣ୍ଟରର ଲୋକାର୍ପଣ କରିବେ। ପରେ ମାଝିପାଲି ଠାରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଉଦଘାଟିତ ଓ ଶିଳାନ୍ୟାସ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଡିହେବେ। ଏହି ଦିନ ପ୍ରଧାନମନ୍ତ୍ରୀ ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ବହୁମୁଖୀ ସଭାଗୃହର ଶିଳାନ୍ୟାସ, ଫୁଟବଲ ଫର୍ ସ୍କୁଲ୍(ଏଫ୪ଏସ) କାର୍ଯ୍ୟକ୍ରମର ଶୁଭାରମ୍ଭ ବ୍ୟତିତ ଦେଶବ୍ୟାପୀ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ସନ୍ଥକବି ଭୀମ ଭୋଇ ଓ  ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୬ ଗୋଟି ଡାକ ଟିକେଟ ଓ ଡାକ ଘର ଉନ୍ମୋଚନ କରିବେ। ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ତଥା ଧନୁଯାତ୍ରା, ନୂଆଖାଇ ପର୍ବ, ସମ୍ବଲପୁରୀ ବନ୍ଧ, ଶୀତଳ ଷଷ୍ଠୀ ଯାତ୍ରା ଓ ସମ୍ବଲପୁରୀ ନୃତ୍ୟ ଉପରେ ଡାକ ଟିକେଟ୍ ଉନ୍ମୋଚିତ ହେବ। ଏହାସହ ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ୪୨ଟି ଡାକଘରର ଉଦଘାଟନ କରିବେ।

ଏହା ପରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରରେ ପିଏମ ସ୍ୱନିଧି ଯୋଜନା ସମ୍ପର୍କୀତ ରାଷ୍ଟ୍ରୀୟ ଉଦ୍ୟମିତା ବିକାଶ ପରିଯୋଜନାର ଶୁଭାରମ୍ଭ କରିବେ। ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିକଟରେ ଲୋକାର୍ପିତ ହୋଇଥିବା ଝାରସୁଗୁଡ଼ାର ନବନିର୍ମିତ ମୁଖ୍ୟ ଡାକଘର ଐତିହ୍ୟ ଭବନ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।