Categories
ଆଜିର ଖବର ଖେଳ

କୋରୋନା ଆତଙ୍କ : ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ବାତିଲ

ମୁମ୍ବାଇ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାକୁ ବାତିଲ କରିଛି ବିସିସିଆଇ । ଦେଶରେ କୋରୋନା ଭାଇରସ୍‌ର ବର୍ଦ୍ଧିତ ପ୍ରଭାବ କାରଣରୁ ବିସିସିଆଇ ଶୁକ୍ରବାର ଏହି ନିଷ୍ପତ୍ତି ନେଇଛି । ତିନିଟିକିଆ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବର୍ଷାରେ ଧୋଇ ଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ ଲକ୍ଷ୍ନୌ ଏବଂ କୋଲକାତାରେ ତୃତୀୟ ମ୍ୟାଚ୍‌ ଖେଳାଯାଇଥାନ୍ତା । ତେବେ ସାଧାରଣ ଜନତା ଏବଂ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ବିସିସିଆଇ ଶୃଙ୍ଖଳାକୁ ବାତିଲ କରିବାର ନିଷ୍ପତ୍ତି ନେଇଛି । (ଏଜେନ୍ସି)

Categories
ଆଜିର ଖବର ଖେଳ

ମହିଳା ଟି 20 ବିଶ୍ବକପ୍‌ : ଦ୍ବିତୀୟ ସେମିରେ ଦ. ଆଫ୍ରିକା ସମ୍ମୁଖରେ 135 ରନ୍‌ର ବିଜୟଲକ୍ଷ୍ୟ

ସିଡ୍‌ନୀ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି 20 ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ 135 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ଅଧିନାୟିକା ମେଗ୍‌ ଲାନିଂଙ୍କ 49 ରନ୍‌ ସହାୟତାରେ ଡିଫେଣ୍ଡିଂ ଚାମ୍ପିୟନ୍‌ ଅଷ୍ଟ୍ରେଲିଆ 5 ଓ୍ବିକେଟ ହରାଇ 134 ରନ୍‌ ସଂଗ୍ରହ କରିଛି । ଲାନିଂ 49ଟି ବଳ୍‌ର ସମ୍ମୁଖୀନ ହୋଇ 4 ଚୌକା ଏବଂ ଛକ୍କା ସହାୟତାରେ 49 ରନ୍‌ ସଂଗ୍ରହ କରିଥିଲା । ଦ. ଆଫ୍ରିକା ପକ୍ଷରୁ ନାଡିନ୍‌ ଡି କ୍ଲାର୍କ 19 ରନ୍‌ ବିନିମୟରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିବାରୁ ଅଷ୍ଟ୍ରେଲିଆ 134 ରନ୍‌ରେ ସୀମିତ ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ ବେଥ୍‌ ମୁନି 28 ରନ୍‌ ସଂଗ୍ରହ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର

ବିଶ୍ବକପ୍‌ରେ ଭାରତର ଅଭିଯାନ ଆରମ୍ଭ : ସାଉଥାମ୍ପଟନ୍‌ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍‌

ଚଳିତ ବିଶ୍ବକପ୍‌ରେ ଅନ୍ୟ ସମସ୍ତ ପ୍ରତିଯୋଗୀ ଦଳ ମ୍ୟାଚ୍ ଖେଳି ସାରିଥିବା ବେଳେ ଭାରତ ଟୁର୍ଣ୍ଣାମେଣ୍ଟର ସପ୍ତମ ଦିନରେ ଆଜି ପ୍ରଥମେ ପଡ଼ିଆକୁ ଓହ୍ଲାଇବ। ସାଉଥାମ୍ପଟନ୍‌ରେ ଦଳ ଅପରାହ୍ନ ୨.୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତା’ର ପ୍ରଥମ ମ୍ୟାଚ୍ ଖେଳିବ। ତେବେ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ଦୁଇଟି ଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡଠାରୁ ଶତାଧିକ ରନ୍‌ରେ ହାରିବା ପରେ ଆଇସିସି ଦିନିକିଆ ମାନ୍ୟତାରେ ସପ୍ତମ ସ୍ଥାନରେ ଥିବା ବାଂଲାଦେଶଠାରୁ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଛି। ତେଣୁ ଭାରତ ବିପକ୍ଷ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ବିଜୟଧାରାକୁ ଫେରିବା ପାଇଁ ଏହା ବ୍ୟଗ୍ର। ଅନ୍ୟପକ୍ଷରେ ବିଜୟ ସହ ତା’ର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବାକୁ ଭାରତୀୟ ଦଳ ନିଶ୍ଚୟ ଲକ୍ଷ୍ୟରଖିଛି। ଆଇସିସି ଦିନିକିଆ ମାନ୍ୟତାରେ କୋହଲିଙ୍କ ଦଳ ଦୁଇ ନମ୍ବର ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ରହିଛି। କ୍ରମାଗତ ୨ଟି ମ୍ୟାଚ୍ ହାରି ଦକ୍ଷିଣ ଆଫ୍ରିକା ଏବେ ଆତ୍ମବିଶ୍ବାସ ହରାଇ ସାରିଛି। ଏହାସହ ଦଳର ଦୁଇ ପ୍ରମୁଖ ଫାଷ୍ଟବୋଲର ଆହତହେବା ଦକ୍ଷିଣ ଆଫ୍ରିକା ପାଇଁ ବୋଝ ଉପରେ ନଳିତା ବିଡ଼ା ପରି ହୋଇଛି। ଲୁଙ୍ଗି ଏନ୍‌ଗିଡି ଆହତ ହୋଇ ଭାରତ ବିପକ୍ଷ ମ୍ୟାଚ୍‌ରୁ ବାଦ୍ ପଡ଼ିଥିବା ବେଳେ ଅଭିଜ୍ଞ ଡେଲ୍‌ ଷ୍ଟେନ୍ ପୂରା ବିଶ୍ବକପ୍‌ରୁ ବାଦ୍ ପଡ଼ିଛନ୍ତି। ହେଲ୍‌ମେଟରେ ବଲ୍ ବାଜିବା ପରେ ହାସିମ୍ ଆମ୍‌ଲା ଆହତ ହୋଇଥିଲେ​ ହେଁ ତାଙ୍କୁ ଖେଳାଇବା କଥା ଦକ୍ଷିଣ ଆଫ୍ରିକା ବିଚାର କରିପାରେ। ତେବେ ଦକ୍ଷିଣ ଆଫ୍ରିକା ପରି ଦଳକୁ ଦୁର୍ବଳ ମନେକରିବା ଆତ୍ମଘାତୀ ହୋଇପାରେ ବୋଲି ପ୍ରଶିକ୍ଷକ ରବି ଶାସ୍ତ୍ରୀ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି। ସାଉଥାମ୍ପ୍‌ଟନର ପିଚ୍ ବ୍ୟାଟିଂ ସହାୟକ ହେବ। ତେବେ ପାଗ ମେଘୁଆ ରହିବା ସହ ମଝିରେ ମଝିରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରା ଯାଇଥିବାରୁ ଚୂଡ଼ାନ୍ତ ଏକାଦଶ ବାଛିବା ଭାରତ ପାଇଁ ସହଜ ହେବନାହିଁ। ଜଣେ ସ୍ପିନରଙ୍କୁ ବସାଇ ୩ୟ ପେସ୍ ବୋଲର ଭାବେ ଭୁବନେଶ୍ବର କୁମାରଙ୍କୁ ଖେଳାଇବା କଥା କୋହଲି ବିଚାର କରୁଛନ୍ତି। ପୁଣି ବ୍ୟାଟିଂକୁ ମଜ୍‌ଭୁତ କରିବା ପାଇଁ ରବୀନ୍ଦ୍ର ଜାଡ଼େଜାଙ୍କୁ ଖେଳାଇବା କଥା ମଧ୍ୟ ଭାରତ ଚିନ୍ତା କରିପାରେ। ପୁଣି କୋହଲିଙ୍କୁ କେଦାର ଯାଦବ ଓ ବିଜୟ ଶଙ୍କରଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ହେବ। କାରଣ ଚାରି ନମ୍ବର ସ୍ଥାନରେ କେ.ଏଲ୍‌. ରାହୁଲ ଖେଳିବା ଆପାତତଃ ନିଶ୍ଚିତ। ଚଳିତ ବିଶ୍ବକପ୍‌ରେ ଓପନିଂ ଭାଗିଦାରୀ ଭଲ ରହିଲେ ହିଁ ମ୍ୟାଚ୍‌ର ଫଳାଫଳ ଦଳ ସପକ୍ଷରେ ଯାଉଥିବା ଦେଖା ଦେଇଛି। ତେଣୁ ରୋହିତ-ଧଓ୍ବନ୍‌ ଯୋଡି ଉପରେ ଅନେକ କିଛି ନିର୍ଭର କରିବ।