Categories
ବିଶେଷ ଖବର ମନୋରଂଜନ ସିନେମା

ଜୁନରେ ଆସୁଛି ବିଗ୍ ବଜେଟର ଦୁଇଟି ନୂଆ ଓଡିଆ ଚ୍ୟାନେଲ; ‘ଷ୍ଟାର କିରଣ’, ‘ଷ୍ଟାର କିରଣ ଏଚଡି’

ଭୁବନେଶ୍ବର: ଓଡିଶା ମନୋରଂଜନ ଜଗତରେ ଧୂମ ମଚାଇ ଆସୁଛି ଡିସ୍ନି ଷ୍ଟାର ନେଟୱାର୍କର ନୂଆ ଓଡିଆ ଚ୍ୟାନେଲ ‘ଷ୍ଟାର କିରଣ’। ଏହି ବିଗ ବଜେଟ ଚ୍ୟାନେଲ  ଜୁନ୍ ପ୍ରଥମ ସପ୍ତାହରେ ଏହାର ପ୍ରସାରଣ ଆରମ୍ଭ କରିବ ବୋଲି ଜଣାପଡିଛି। ଏଥିସହିତ ‘ଷ୍ଟାର କିରଣ ଏଚଡି’ ଚ୍ୟାନେଲ ମଧ୍ୟ ଏକା ସମୟରେ ପ୍ରସାରଣ ହେବ।

ସେଥିପାଇଁ ଭୁବନେଶ୍ବରରେ ଥିବା ‘ଷ୍ଟାର କିରଣ’ ଟିମ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଓଡିଆ ଦର୍ଶକମାନଙ୍କୁ ନୂତନ ଧରଣର ମନୋରଂଜନ ପ୍ରଦାନ କରିବା ପାଇଁ କଂପାନୀ ତରଫରୁ ଉଦ୍ୟମ ଜାରୀ ରହିଛି। ସେଥିପାଇଁ ପ୍ରାୟ ଚାରି ମାସ ଧରି ଓଡିଶାର ବିଭିନ୍ନ ସ୍ଥାନରେ ହାଇ ବଜେଟ ସୁଟିଂ ଚାଲିଛି।

ପ୍ରଥମ ଥର ପାଇଁ ଓଡିଶାର ଦର୍ଶକମାନେ ଏକ ଏଚଡି ଚ୍ୟାନେଲ ଦେଖିବାର ସୁଯୋଗ ପାଇବେ। ପୂର୍ବରୁ ଜାତୀୟ ସ୍ତରରେ ବିଭିନ୍ନ ମନୋରଂଜନ ଚ୍ୟାନେଲ ଏଚଡି ଫର୍ମାଟରେ ପ୍ରସାରଣ କରୁଛନ୍ତି। ଏପରିକି ଆଞ୍ଚଳିକ ସ୍ତରରେ ମଧ୍ୟ କେତେକ ଚ୍ୟାନେଲ ମଧ୍ୟ ଏଚଡି ଫର୍ମାଟରେ ପ୍ରସାରଣ କରୁଛନ୍ତି। ହେଲେ ଓଡିଶା ଦର୍ଶକ ଏହି ଏଚଡି କ୍ବାଲିଟ ଚ୍ୟାନେଲ ଦେଖିବାର ସୁଯୋଗ ନ ଥିଲା। ବର୍ତ୍ତମାନ ‘ଷ୍ଟାର କିରଣ ଏଚଡି’ ସେହି ଅଭାବକୁ ପୂରଣ କରିବାକୁ ଯାଉଛି।

ଷ୍ଟାର କିରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ପ୍ରଯୋଜକମାନେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ସେମାନଙ୍କର କହିବା କଥା ଯେ, ଷ୍ଟାର ଟିଭି ବର୍ତ୍ତମାନ ଯେଉଁ ପ୍ରକାରର କାର୍ଯ୍ୟକ୍ରମ ଆଣୁଛି ତାହା ଓଡିଆ ମନୋରଂଜନ ଜଗତରେ କେବେ ବି ହୋଇ ନ ଥିଲା। ଏଥିସହିତ କଂପାନୀ ଗୋଟିଏ ଗୋଟିଏ ଧାରାବାହିକ ପଛରେ ଯେତେ ପଇସା ଖର୍ଚ୍ଚ କରୁଛି ତାହା ଓଡିଶାରେ କେହି କରି ନାହାଁନ୍ତି। ଏପରି ହାଇ ବଜେଟ କାର୍ଯ୍ୟକ୍ରମ ଓଡିଶା ଦର୍ଶକଙ୍କ ମହଲରେ ହଇଚଇ ସୃଷ୍ଟି ହେବ ବୋଲି ସେମାନେ କହିଛନ୍ତି।

ଓଡିଶାର ମନୋରଂଜନ ଶିଳ୍ପରେ ବର୍ତ୍ତମାନ ପାଞ୍ଚୋଟି ଚ୍ୟାନେଲ ମଧ୍ୟରେ ପ୍ରତିଯୋଗୀତା ଚାଲିଛି। ସେଗୁଡିକ ହେଉଛି ତରଙ୍ଗ, ଜୀ ସାର୍ଥକ, କଲରସ ଓଡିଆ, ସିଦ୍ଧାର୍ଥ ଟିଭି ଏବଂ ମଞ୍ଜରୀ ଟିଭି। ଏଗୁଡିକ ମଧ୍ୟରୁ ତରଙ୍ଗ ଏବଂ ଜୀ ସାର୍ଥକ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇପାରିଥିବା ବେଳେ ଅନ୍ୟ ଚ୍ୟାନେଲଗୁଡିକ ସଂଘର୍ଷ ଚଳାଇଛନ୍ତି। ଏହି ପ୍ରତିଯୋଗୀତାରେ ଷ୍ଟାର ପରି ଜାତୀୟ ସ୍ତରର ଚ୍ୟାନେଲ ସାମିଲ ହେବ।

ଦେଶରେ ଡିସ୍ନି ଷ୍ଟାର ନେଟୱାର୍କର ବର୍ତ୍ତମାନ ଛଅଟି ଆଞ୍ଚଳିକ ଭାଷାର ଚ୍ୟାନେଲ ରହିଛି।ସେଗୁଡିକ ହେଲା ମାଲାୟାଲମ୍, କନ୍ନଡ, ତେଲୁଗୁ, ତାମିଲ, ବଙ୍ଗଳା ଏବଂ ମରାଠୀ। ଏହା ଯଥାକ୍ରମେ ଏସିଆନେଟ୍, ଷ୍ଟାର୍ ସୁବର୍ଣ୍ଣା, ଷ୍ଟାର୍ ମା, ଷ୍ଟାର୍ ବିଜୟ, ଷ୍ଟାର୍ ଜଲସା ଏବଂ ଷ୍ଟାର୍ ପ୍ରଭା ବ୍ରାଣ୍ଡରେ ଚାଲିଛି। ଷ୍ଟାର କିରଣ, ଏହି ନେଟୱାର୍କର ସପ୍ତମ ଆଞ୍ଚଳିକ ଭାଷାର ଚ୍ୟାନେଲ ହେବ।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ

ଓଡିଆ ମନୋରଂଜନ ଜଗତରେ ସୃଷ୍ଟି ହେବ ହଇଚଇ, ଷ୍ଟାର ଟିଭି ଆଣୁଛି ଦୁଇଟି ନୂଆ ଓଡିଆ ଚ୍ୟାନେଲ

ନୂଆଦିଲ୍ଲୀ, ଓଡିଶା ମନୋରଂଜନ ଜଗତରେ ଆସିଛୁ ଆଉ ଏକ ବଡ ବିପ୍ଲବ। ତାହା ହେଲା ଦେଶର ନାମଜାଦା ମନୋରଂଜନ ଧର୍ମି ଟିଭି କଂପାନୀ ‘ଷ୍ଟାର ଇଣ୍ଡିଆ’ ଓଡିଶାରେ ଖୋଲୁଛି ଦୁଇଟି ନୂଆ ଚ୍ୟାନେଲ। ତାହାର ନାମ ହେଲା ‘ଷ୍ଟାର କିରଣ’ ଏବଂ ‘ଷ୍ଟାର କିରଣ ଏଚଡି’। ଏହି ଦୁଇଟି ଚ୍ୟାନେଲକୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ତରଫରୁ ଲାଇସେନସ ପ୍ରଦାନ କରାଯାଇଛି।

ଷ୍ଟାର ଟିଭି ବର୍ତ୍ତମାନ ବିଶ୍ବର ନାମଜାଦା ଟେଲିଭିଜନ କଂପାନୀ ଡିଜିନ୍ ଦ୍ବାରା ପରିଚାଳିତ ହେଉଛି। ଏହି କଂପାନୀକୁ ଚାରୋଟି ଚ୍ୟାନେଲ ପାଇଁ ଲାଇସେନସ ମିଳିଛି। ଓଡିଶା ପାଇଁ ଏହି ଦୁଇଟି ସହିତ ଷ୍ଟାର ସ୍ପୋର୍ଟସ ୱାନ ତେଲୁଗୁ ଏବଂ ଷ୍ଟାର ଗୋଲ୍ଡ ଫାମିଲି ଲାଇସେନସ ହାସଲ କରିଛି।

ଏହି ଦୁଇଟି ଚ୍ୟାନେଲ ପାଇଁ ଲାଇସେନସ ମିଳିବା ପୂର୍ବରୁ କଂପାନୀ ଏହାର ପ୍ରସ୍ତୁତି ଆରମ୍ଭ କରିସାରିଛି। ଏ ନେଇ କଂପାନୀର କୋଲକାତା ଏବଂ ମୁମ୍ବାଇ ଅଧିକାରୀମାନେ ଦୁଇଥର ଓଡିଶା ଆସି ଓଡିଆ ଟେଲିଭିଜନ ପ୍ରଯୋଜକଙ୍କ ସହିତ ଆଲୋଚନା କରି ସାରିଲେଣି। କଣ ଏବଂ କି ପ୍ରକାରର ନୂଆ ନୂଆ କାର୍ଯ୍ୟକ୍ରମ ଓ ଧାରାବାହିକ ହେବ ସେ ନେଇ ବୈଠକ ହୋଇ ସାରିଛି। ଫଳରେ କଂପାନୀ ଏକ ବ୍ୟବସାୟିକ ଢଙ୍ଗରେ ଚ୍ୟାନେଲ ଆରମ୍ଭ କରିବା ବୋଲି ଜଣାପଡିଛି।

ବର୍ତ୍ତମାନ ଓଡିଶାରେ ପାଞ୍ଚୋଟି ମନୋରଂଜନ ଧର୍ମି ଚ୍ୟାନେଲ ପ୍ରସାରଣ ହେଉଛି। ସେଗୁଡିକ ହେଲା ଜୀ ସାର୍ଥକ, ତରଙ୍ଗ ଟିଭି, ମଞ୍ଜରୀ ଟିଭି, କଲରସ ଓଡିଆ ଏବଂ ସିଦ୍ଧାର୍ଥ ଟିଭି। ସେଥିମଧ୍ୟରୁ କେବଳ ଜୀ ସାର୍ଥକ ଏବଂ କଲରସ ଓଡିଆ ହେଉଛି ଜାତୀୟ ସ୍ତରର ମନୋରଂଜନ ଧର୍ମି ଚ୍ୟାନେଲ। ଓଡିଶାରେ ଷ୍ଟାରର ଏହି ଦୁଇଟି ନୂଆ ଚ୍ୟାନେଲର ପ୍ରସାରଣ ଆରମ୍ଭ ହେଲେ ଏହି ସଂଖ୍ୟା ସାତ ହେବ।

ଦୀର୍ଘବର୍ଷ ଧରି ଓଡିଶାର ମନୋରଂଜନ ବଜାରରେ ଜୀ ସାର୍ଥକ ଏବଂ ତରଙ୍ଗ ଟିଭି ସେମାନଙ୍କ ଆଧିପତ୍ୟ ବିସ୍ତାର କରି ରହିଛନ୍ତି। ଅନ୍ୟ ଚ୍ୟାନେଲଗୁଡିକ ସେହିପରି ଆକର୍ଷଣୀୟ କାର୍ଯ୍ୟକ୍ରମ ଦେବାରେ ବିଫଳ ହୋଇଛନ୍ତି। କଲରସ ଓଡିଆ ଭାରତର ନାମଜାଦା ଭାୟାକମ-18 କଂପାନୀର ହୋଇଥିଲେ ମଧ୍ୟ କର୍ତ୍ତୁପକ୍ଷ ଓଡିଆ ଚ୍ୟାନେଲ ପ୍ରତି ସେମିତି ଗୁରୁତ୍ବ ପ୍ରଦାନ କରୁ ନାହଁନ୍ତି। ଫଳରେ ଓଡିଆ ଦର୍ଶକଙ୍କୁ ନୂଆନୂଆ କାର୍ଯ୍ୟକ୍ରମ ଦେବାରେ ଏହି ଚ୍ୟାନେଲଟି ମଧ୍ୟ ବିଫଳ ହୋଇଛି। ସେହିପରି ଓଡିଶା ମିଡିଆ ଜଗତର ନାମାଜାଦା ବ୍ୟକ୍ତିତ୍ବ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦ୍ବାରା ପରିଚାଳିତ ମଂଜରୀ ଟିଭି ମଧ୍ୟ ଭଲ ପ୍ରଦର୍ଶନ କରିପାରୁ ନାହିଁ।

ଓଡିଶାର ମନୋରଂଜନ ଶିଳ୍ପର ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ବ ସୀତାରାମ ଅଗ୍ରୱାଲା ମଧ୍ୟ ନୂଆ ଚ୍ୟାନେଲ ବଜାରକୁ ଆଣିଛନ୍ତି। ଯାହାର ନାମ ରହିଛି ସିଦ୍ଧାର୍ଥ ଟିଭି। ପୂର୍ବରୁ ସୀତାରାମ ସାର୍ଥକ ଟିଭି ପ୍ରତିଷ୍ଠା କରି ବେଶ୍ ଲୋକପ୍ରିୟ କରାଇ ପାରିଥିଲେ। ଯାହା ପରବର୍ତ୍ତି ସମୟରେ ଜୀ ଏଣ୍ଟରଣ୍ଟେନମେଣ୍ଟ କଂପାନୀକୁ ବିକ୍ରି କରିଦେଲେ। ବର୍ତ୍ତମାନ ଏହା ‘ଜୀ ସାର୍ଥକ’ ଭାବେ ପ୍ରସାରଣ ହେଉଛି। ତେବେ ସୀତାରାମଙ୍କ ସିଦ୍ଧାର୍ଥ ଟିଭି ନୂଆ ଭାବେ ବଜାର ପ୍ରବେଶ କରିଥିବାରୁ ଏହା ଲୋକପ୍ରିୟତା ହାସଲ କରିବା ଅପେକ୍ଷାରେ ରହିଛି।

ତେବେ ଏସବୁ ପ୍ରତିଯୋଗୀତା ଭିତରେ ଷ୍ଟାର କିରଣ ନିଶ୍ଚିତ ଭାବେ ଓଡିଶା ମନୋରଂଜନ ବଜାରରେ ହଇଚଇ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଷ୍ଟାର କିରଣ ଏଚଡି ଚ୍ୟାନେଲ ଓଡିଶା ବଜାର ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରିବ। କାରଣ ବର୍ତ୍ତମାନ ଜାତୀୟ ତଥା ଅନେକ ଆଞ୍ଚଳିକ ଭାଷାରେ ଏଚଡି ବା ହାଇ ଡେଫିନେସନ ଚ୍ୟାନେଲ ରହିଥିଲେ ମଧ୍ୟ ଓଡିଶାରେ ଏହା ନାହିଁ। ଷ୍ଟାର କିରଣ ଏଚଡି ଚ୍ୟାନେଲ ନିଶ୍ଚିତ ଭାବେ ଓଡିଶା ଦର୍ଶକଙ୍କୁ ଏକ ନୂଆ ସ୍ବାଦ ପ୍ରଦାନ କରିବ।

(ଏଥିରେ ବ୍ୟବହାର କରାଯାଇଥିବା ଫଟୋଟି ସୋସିଆଲ ମିଡିଆରୁ ସଂଗ୍ରହ କରାଯାଇଛି। ଏହା କଂପାନୀ ଘୋଷିତ ଲୋଗୋ ନୁହେଁ)