Categories
ବିଶେଷ ଖବର ରାଜ୍ୟ ଖବର

ଆଗାମୀ ଦିନରେ ଗମ୍ଭୀର ପରିସ୍ଥିତିକୁ ରାଜ୍ୟବାସୀ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ,ସୁବ୍ରତ୍ ବାଗଚୀ

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାର ନିର୍ଦ୍ଦେଶକ ଶ୍ରୀମତୀ ଶାଲିନୀ ପଣ୍ଡିତ ଏବଂ ଡିଏମ୍‌ଇଟି ଡକଫର ପ୍ରଫେସର ସି.ବି.କେ. ମହାନ୍ତି ଆଜି ଅପରାହ@ରେ ଗଣମାଧ୍ୟମକୁ ଯାହା ସୂଚନା ଦେଇଛନ୍ତି ତାହା ହେଲା..

1-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତାରେ କହିଛନ୍ତି କୋଭିଡ୍‌-୧୯ ପରିସ୍ଥିତି ଆମ ପାଇଁ ଅନେକ ଆହ୍ୱାନ ସୃଷ୍ଟି କରିଛି। ପ୍ରଥମେ ଆମ ପାଇଁ ଚାଲେଞ୍ଜ ଥିଲା ବିଦେଶରୁ ଫେରୁଥିବା ଓଡ଼ିଆ ଭାଇଭଉଣୀମାନଙ୍କ ଯତ୍ନ ନେବା। ବିଦେଶ ଫେରନ୍ତାଙ୍କ ପାଇଁ ରେଜିଷ୍ଟ୍ରେସନ୍‌ ଆରମ୍ଭ କରିବାରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ। ରାଜ୍ୟବାସୀଙ୍କ ପୂର୍ଣ୍ଣ ସହଯୋଗ ହେତୁ ପରିସ୍ଥିତି ଭଲ ଭାବରେ ନିୟନ୍ତ୍ରଣ କରାଯାଇ ପାରିଥିଲା।

2-ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ନିଜାମୁଦ୍ଦିନରୁ ଫେରିଥିବା ବନ୍ଧୁମାନଙ୍କର ଯତ୍ନନେବା ଆମ ପାଇଁ ଦ୍ୱିତୀୟ ଆହ୍ୱାନ ଥିଲା । ରାଜ୍ୟବାସୀଙ୍କ ସହଯୋଗ ଫଳରେ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିଛି ।

3- ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମବଙ୍ଗରୁ ଫେରିଥିବା ଭାଇଭଉଣୀମାନଙ୍କ ଯତ୍ନନେବା ଆମ ପାଇଁ ତୃତୀୟ ଆହ୍ୱାନ ଥିଲା। ରାଜ୍ୟରେ ବର୍ତ୍ତମାନ କରୋନା ପଜିଟିଭ୍‌ମାନଙ୍କ ମଧ୍ୟରେ ବହୁସଂଖ୍ୟାରେ ପଶ୍ଚିମବଙ୍ଗ ଫେରନ୍ତା ଅଛନ୍ତି । ରାଜ୍ୟବାସୀଙ୍କ ସହଯୋଗରେ ଆମେ ପରିସ୍ଥିିତିକୁ ଭଲ ଭାବରେ ମୁକାବିଲା କରିପାରିଛୁ ଓ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ।

4-ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଦେଶର ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ଆମ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ବହୁ ଓଡ଼ିଆ ଭାଉଭଉଣୀ ରାଜ୍ୟକୁ ଫେରିବେ। ସେମାନେ ଆମ ଘର ଲୋକ। ବିପଦ ସମୟରେ ମା’ ଓ ମାତୃଭୂମି ଆଗ ମନକୁ ଆସିଥାଏ। ସେମାନେ ସମସ୍ତେ ଆମ ପିଲାଛୁଆ, ଆମ ଭାଉଭଉଣୀ। ସେମାନଙ୍କ ଯନି ନେବା ଆମ ଦାୟିତ୍ୱ । ବାହାର ଲୋକ ଆସିଲେ ପଜିଟିଭ୍‌ ସଂଖ୍ୟା ବଢ଼ିବ। ଯଦି ଜନସାଧାରଣ ସରକାରଙ୍କୁ ପୂରା ସହଯୋଗ ଯୋଗାଇଦେବେ ତେବେ ପରିସ୍ଥିତି ନିୟନ୍ତ୍ରଣରେ ରହିପାରିବ।

5-କୋଭିଡ୍‌-୧୯ ପରିସ୍ଥିତି ହେଉଛି ଜୀବନ ଓ ମୃତ୍ୟୁର କଥା । ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ ଦ୍ୱାରା ସମସ୍ୟା ୧୦୦ ଗୁଣ ବଢ଼ିଯିବ । ଓଡ଼ିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କଠାରୁ ବହୁତ ଭଲ ଅଛି। ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ସରକାରଙ୍କୁ ପୂରା ସହଯୋଗ ଯୋଗାଇଦେବା ତେବେ ଓଡ଼ିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିବା ସହିିତ ଏହି ସଂଗ୍ରାମରେ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି।

6-ଆଜିଠାରୁ ସମ୍ବଲପୁର, ଖୋର୍ଦ୍ଧା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଏବଂ ଭୁବନେଶ୍ୱରର କ୍ୟାପିଟାଲ୍‌ ହସ୍‌ପିଟାଲ ରେ ଟେଲିମେଡିସିନ୍‌ ସେବା ଆରମ୍ଭ ହୋଇଛି । ଘରେ ରହିବା ସହିତ ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

7-କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ମହିଳା, ଯୁବତୀ ଓ କିଶୋରୀମାନଙ୍କ ପ୍ରତି ଘରୋଇ ହିଂସା ପରିସ୍ଥିତିକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ୱାନ୍‌ ଷ୍ଟପ୍‌ ସେଣ୍ଟର, ମହିଳା ସହାୟତା ନମ୍ବର ଏବଂ ପରିବାର ପରାମର୍ଶ କେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ କାଉନ୍‌ସେଲର ଏବଂ କର୍ମଚାରୀମାନଙ୍କ ପାଇଁ େୱବ୍‌-କର୍ମଶାଳା ଗତକାଲିଠାରୁ ଆରମ୍ଭ ହୋଇଛି। ଏଥିରେ ରାଜ୍ୟରୁ ୨୦୦ ଜଣ ଅଂଶଗ୍ରହଣ କରିଛନ୍ତି।

8-ରାଜ୍ୟ ସରକାର ଶ୍ରମଜୀବୀମାନଙ୍କ ପାଇଁ ଯିବାଆସିବା କଟକଣା କୋହଳ କରିବା ଫଳରେ ରାଜ୍ୟର ବିଭିନ୍ନ ଶିବିର/ଆଶ୍ରୟସ୍ଥଳରେ ରହିଥିବା ପ୍ରାୟ ୯୦,୦୦୦ ଅତିଥି ଶ୍ରମଜୀବୀଙ୍କ ମଧ୍ୟରୁ ପ୍ରାୟ ୩୦,୦୦୦ ଅତିଥି ଶ୍ରମଜୀବୀ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।

9-ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାରୁ ଫସଲ ଋଣ ପ୍ରଦାନ କ୍ଷେତ୍ରରେ ପ୍ରାଥମିକତା ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଚଳିତ ବର୍ଷ ଖରିଫ୍‌ ଋତୁରେ ସମବାୟ ସଂସ୍ଥା ମାଧ୍ୟମରେ ୭୫୦୦ କୋଟି ଟଙ୍କାର ଫସଲ ଋଣ ଚାଷୀମାନଙ୍କୁ ଠିକଣା ସମୟ ମଧ୍ୟରେ ଯୋଗାଇଦେବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏବଂ ତଦନୁଯାୟୀ ସମବାୟ ବିଭାଗକୁ ଫଳପ୍ରଦ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

10-ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏ ପର୍ଯ୍ୟନ୍ତ ରାଜ୍ୟରେ ୮୯ ଲକ୍ଷ ୪୫ ହଜାର ୭୯୩ ଜଣ ରାସନ୍‌ କାର୍ଡଧାରୀ ପରିବାରକୁ ଆଗୁଆ ଅପ୍ରେଲ୍‌, ମଇ ଓ ଜୁନ୍‌ ତିନିମାସ ପାଇଁ ଚାଉଳ ଓ ଗହମ ଦିଆଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଆଜି ସୁଦ୍ଧା ୯୧ ଲକ୍ଷ ୩୩ ହଜାର ୨୨ ଜଣ କାର୍ଡଧାରୀ ପରିବାରକୁ ୧୦୦୦ ଟଙ୍କା ଲେଖାଏଁ ନଗଦ ରିଲିଫ୍‌ ଆକାରରେ ୯୧୩ କୋଟି ୩୦ ଲକ୍ଷ ୨୨ ହଜାର ଟଙ୍କା ଦିଆଯାଇଛି । ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବେ ୪୦,୨୪୩ ପରିବାରର ୧ ଲକ୍ଷ ୯ ହଜାର ୭୧୨ ଜଣ ହିତାଧିକାରୀଙ୍କୁ ସାମିଲ କରାଯାଇଛି ଏବଂ ଏହି ପ୍ରକ୍ରିୟା ଜାରି ରହିଛି ।

11-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ୧୬ ଲକ୍ଷ ୪୫ ହଜାର ୫୮୨ ଜଣ କାର୍ଡଧାରୀଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ ତିନିମାସ ପାଇଁ ଏବଂ କାର୍ଡ ପିଛା ୧ କେଜି ଡାଲି ତିନି ମାସ ପାଇଁ ବିନାମୂଲ୍ୟରେ ଦିଆଯାଇଛି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ୧୧,୩୧୪ କାର୍ଡଧାରୀଙ୍କୁ ଅତିରିକ୍ତ ଚାଉଳ ବାବଦକୁ ମୁଣ୍ଡପିଛା ୫ କେଜି ହିସାବରେ ତିନିମାସ ପାଇଁ ଏବଂ କାର୍ଡ ପିଛା ୧ କେଜି ଡାଲି ତିନି ମାସ ପାଇଁ ବିନାମୂଲ୍ୟରେ ଦିଆଯାଇଛି।

12-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୭୧୮୦ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ମୋଟ ୧,୭୪,୭୬୬ ଶଯ୍ୟାର ବ୍ୟବସ୍ଥା କରାଯାଇଛି।

13- ଆଜି ରାଜ୍ୟର ୫୫୩୦ ଗ୍ରାମ ପଞ୍ଚାୟତରେ ୩,୬୪,୨୯୬ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୪୧,୭୭୩ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

14-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୨୮ରୁ ଅପ୍ରେଲ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୬ଟି ମାମଲା ଦାୟର କରାଯାଇଛି । ସେଥିରୁ ୨୫ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି ଗୁଜବ ପ୍ରଚାର ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୪୮ ଜଣଙ୍କୁ ଗିରଫ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ୍‌-୧୯ ମୁକାବିଲା ପାଇଁ ନିର୍ମିତ ହୋଇଛି ୬,୮୩୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସମୟରେ ୪୦୦ ସ୍ୱୟଂ ସହାୟକ ଗୋଷ୍ଠୀ ମାସ୍କ ପ୍ରସ୍ତୁତିରେ ନିୟୋଜିତ ରହିଥିବା ବେଳେ ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ ଶୁଖିଲା ଖାଦ୍ୟ ସାମଗ୍ରୀ, ପନିପରିବା ଓ ଫଳ ବିକ୍ରୟ କରୁଛନ୍ତି। ସେହିପରି ରାଜ୍ୟର ୬,୮୩୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଯେଉଁଥିରେ ୧,୪୯,୦୬୫ଟି ଶଯ୍ୟା ରହିଛି।

ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ :

୧. ପବିତ୍ର ‘ଓଡ଼ିଶା ଦିବସ’ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସ୍ୱପ୍ନକୁ ସାକାର କରିଥିବା ମହାପୁରୁଷ ଏବଂ ଓଡ଼ିଆ ଭାଷା, ସାହିତ୍ୟ ତଥା ସଂସ୍କୃତିର ଗୌରବ ବୃଦ୍ଧି କରିବାରେ ଅବଦାନ ରଖିଥିବା ବରପୁତ୍ରମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିକାଶ କ୍ଷେତ୍ରରେ ଓଡ଼ିଶା ନୂଆ ପରିଚୟ ସୃଷ୍ଟି କରିଛି। ସେହିପରି ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ରାଜ୍ୟବାସୀଙ୍କ ସହଯୋଗରେ ଓଡ଼ିଶା ଆଗୁଆ ରହିଛି। କରୋନା ବିରୋଧରେ ଚାଲିଥିବା ସଂଗ୍ରାମରେ ଆମେ ସମସ୍ତେ ନିଶ୍ଚୟ ବିଜୟୀ ହେବା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

୨. କୋଭିଡ୍‌-୧୯ ସଂକ୍ରମଣ ସମୟରେ ନିଷ୍ଠାପର ସହଯୋଗ କରୁଥିବାରୁ ମିଶନ ଶକ୍ତି ଅନ୍ତର୍ଭୁକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମା’, ଭଉଣୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

୩. ପ୍ରାୟ ୪୦୦ ସ୍ୱୟଂ ସହାୟକ ଗୋଷ୍ଠୀ ମାସ୍କ ପ୍ରସ୍ତୁତିରେ ନିୟୋଜିତ ରହିଛନ୍ତି ଓ ସେମାନେ ଦୈନିକ ୫୦,୦୦୦ ମାସ୍କ ପ୍ରସ୍ତୁତ କରୁଛନ୍ତି।

୪. ପ୍ରାୟ ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୁଖିଲା ଖାଦ୍ୟ ସାମଗ୍ରୀ, ପନିପରିବା ଓ ଫଳ ବିକ୍ରୟ କରୁଛନ୍ତି।

୫. ପ୍ରତି ଗ୍ରାମ ପଞ୍ଚାୟତରେ ରନ୍ଧାଖାଦ୍ୟ ପ୍ରସ୍ତୁତି ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଦାୟିତ୍ୱ ପ୍ରଦାନ କରାଯାଇଛି।

୬. ଲକ୍‌ ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନବାହନଗୁଡ଼ିକର ଚଳାଚଳକୁ କଟକଣା ମୁକ୍ତ କରାଯାଇଛି। ଏକ ଉଚ୍ଚସ୍ତରୀୟ କମିଟି ମାଧ୍ୟମରେ ରାଜ୍ୟର ଗୋଦାମ ମାଲିକ,ବ୍ୟବସାୟୀ ସଂଘ, ଖୁଚୁରା ଦୋକାନୀ ଓ ପରିବହନ ସଂସ୍ଥା ମାଲିକମାନଙ୍କ ସହିତ ସଂପର୍କ ରକ୍ଷା କରାଯାଇ ସାମଗ୍ରୀ ଯୋଗାଣ ଓ ପରିବହନ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଦୋକାନବଜାର ଇତ୍ୟାଦିରେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଯଥା-ଅଟା, ତେଲ, ଡାଲି, ଆଳୁ ତଥା ପିଆଜ ଇତ୍ୟାଦି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି।

୭. ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୨୩,୧୩୩ ଜଣ ଅତିଥି ଶ୍ରମିକଙ୍କୁ ୩୩୬ଟି ଶିବିର ଜରିଆରେ ଖାଇବା ଓ ରହଣି ଯୋଗାଇ ଦିଆଯାଇଛି। ଏହି ସବୁ ଅତିଥି ଶ୍ରମିକ ମାନେ ମୁଖ୍ୟତଃ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ରାଜ୍ୟର ଅଟନ୍ତି। ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍‌ ସେଣ୍ଟର ଟୋଲ୍‌ ଫି୍ର ନଂ-୧୮୦୦୩୪୬୬୭୦୩ ଜାରି କରାଯାଇଛି।

୮. ଆଜି ରାଜ୍ୟର ୪୫୬୩ ଗ୍ରାମ ପଞ୍ଚାୟତରେ ୨,୪୩,୩୩୭ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ୧୦୪ଟି ପୌରାଞ୍ଚଳରେ ୧୮୪୪୫ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି।

୯. ରାଜ୍ୟର ବିଭିନ୍ନ ସ୍ଥାନରେ ୬୯ଟି ଆହାର କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। ଏଠାରେ ସମୁଦାୟ ୨୯,୧୪୧ ଜଣ ଲୋକ ଉଭୟ ଦିନ ଓ ରାତିରେ ଖାଇବା ସୁବିଧା ପାଇଛନ୍ତି।

୧୦. ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ନଗଦ ଅର୍ଥ ପ୍ରଦାନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।

୧୧. ରାଜ୍ୟର ୬୭୯୮ ଗ୍ରାମ ପଞ୍ଚାୟତରେ ୬,୮୩୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଏଥିରେ ୧,୪୯,୦୬୫ଟି ଶଯ୍ୟାର ବନ୍ଦୋବସ୍ତ ରହିଛି।

୧୨. କୋଭିଡ୍‌-୧୯ର ଅର୍ଥନୈତିକ ପ୍ରଭାବକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ବିଧାୟକ, ବିଭିନ୍ନ ନିଗମର ଅଧ୍ୟକ୍ଷ ଏବଂ ସମସ୍ତ ପୌରସଂସ୍ଥାର ନିର୍ବାଚିତ ପ୍ରତିନିଧିମାନଙ୍କ ଦରମାର ୭୦ ପ୍ରତିଶତ ଏବଂ ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କ ଦରମାର ୫୦ ପ୍ରତିଶତ ପରବର୍ତ୍ତୀ ସମୟରେ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

୧୩. ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୩୧ ମାର୍ଚ୍ଚରୁ ଅପ୍ରେଲ୍‌ ୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୧୯ଟି ମାମଲା ଦାୟର କରାଯାଇଛି। ସେଥିରୁ ୧୯୭ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୯ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ଓ ୧୩ଟି କୋଭିଡ୍‌-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ଅନ୍ତର୍ଭୁକ୍ତ।

୧୪ କୋଭିଡ୍‌-୧୯ ସଂପର୍କିତ କୌଣସି ଗୁଜବକୁ ପ୍ରଶ୍ରୟ ଦିଆଯିବ ନାହିଁ। ଗୁଜବ ରଟନାକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା :

୧. ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୬୧୦ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

୨. ପ୍ରଥମ ୨ଟି ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ୫୫ ଜଣ ବ୍ୟକ୍ତି ଯୋଗାଯୋଗରେ ଅଛନ୍ତି। ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ଓ ଯୋଗାଯୋଗ ଜାରି ରହିଛି।

୩. ୪ର୍ଥ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୭ ଜଣଙ୍କୁ ଚିହ୍ନଟ କରାଯାଇଛି।

୪. ଏହି ୪ର୍ଥ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ୧୮ ମାର୍ଚ୍ଚ ୨୦୨୦ରେ ଦୁବାଇରୁ କୋଲକାତା ବିମାନ ଯୋଗେ ଆସିଥିଲେ। କୋଲକାତା ବିମାନ ବନ୍ଦରରୁ ଟ୍ୟାକ୍ସିରେ ଏକୁଟିଆ ହାଓଡା ଷ୍ଟେସନ୍‌ ଯାତ୍ରା କରିଥିଲେ ଏବଂ ୧୮ ତାରିଖ ରାତିରେ ଭଦ୍ରକ ଷ୍ଟେସନ୍‌ରେ ପହଞ୍ଚିଥିଲେ ଏବଂ ସେଠାରୁ ସେ ଅଟୋରିକ୍ସାରେ ଘରକୁ ଯାଇଥିଲେ। ନିଜ ଘରେ ସଙ୍ଗରୋଧ ହୋଇ ରହିଥିବା ସମୟରେ ମାର୍ଚ୍ଚ ୩୦ରେ ତାଙ୍କର ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଥିଲା। ମାର୍ଚ୍ଚ ୩୧ରେ ନମୁନା ପରୀକ୍ଷାରେ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

୫. ଆଜି ୮୮ ଜଣ କରୋନା ସଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି।

୬. ଆଜି ପର୍ଯ୍ୟନ୍ତ ମୋଟ ୧୫,୦୪୫ ଜଣ ଅନ୍‌ଲାଇନ୍‌ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ କରାଇଛନ୍ତି। ସେମାନଙ୍କ ମଧ୍ୟରୁ ୪,୩୩୨ ଜଣ ବିଦେଶରୁ ଓ ୧୦,୭୧୩ ଜଣ ବାହାର ରାଜ୍ୟରୁ ଆସିଛନ୍ତି।