Categories
ଜାତୀୟ ଖବର ବିଶେଷ ଖବର

ବାହାରେ ଥିବା ପ୍ରାୟ ପାଞ୍ଚ ଲକ୍ଷ ଓଡିଆମାନେ ପଂଜିକରଣ କରି ସାରିଲେଣି, ଆଉ କଣ ରହିଛି କରୋନାର ତାଜା ସୂଚନା

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ତାହା ହେଲା

1- ଆଜି ଏକ ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ଛାତ୍ର, ଶ୍ରମଜୀବୀ, ତୀର୍ଥଯାତ୍ରୀ, ରୋଗୀ ଓ ବୃତ୍ତିଜୀବୀମାନଙ୍କ ସମେତ ଅଟକି ରହିଥିବା ସମସ୍ତ ଲୋକଙ୍କର ସହଜ ଯାତାୟତ ପାଇଁ ଏକ ଜାତୀୟ ସ୍ତରୀୟ ନୀତି ନିର୍ଦ୍ଧାରଣ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମଜୀବୀମାନଙ୍କର ଉପଯୁକ୍ତ ଯନି ନେବା ପାଇଁ ସଂପୃକ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେବା ନିମନ୍ତେ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି । ଅନୁରୂପ ଭାବରେ କୋଭିଡ୍‌-୧୯ ପରୀକ୍ଷଣ ସୁବିଧା ବୃଦ୍ଧି କରିବା ଉପରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

2- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ‘ଆମକୁ ପରାହତ କରିବା ନିମନ୍ତେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସିଛି । କିନ୍ତୁ ଓଡ଼ିଆ ଜାତି କେବେ ବି ଭାଙ୍ଗି ପଡ଼ିନି କି ଆମେ କେବେ ବି ପରାଜିତ ହେବା ନାହିଁ । ଆମ ଧୈର୍ଯ୍ୟ, ଆମ ତ୍ୟାଗ ବଳରେ ଆସିବ ଏକ ନୂଆ ସକାଳ ଏବଂ ଓଡ଼ିଶା ପୁଣି ଥରେ ହସି ଉଠିବ।’

3-କାର୍ଯ୍ୟରତ ସାମ୍ବାଦିକମାନେ ଯଦି କରୋନାରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରନ୍ତି ତେବେ ସେ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କରୋନା ଯୋଗୁଁ ସାରା ବିଶ୍ୱରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି । କରୋନା ଭୂତାଣୁ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସାମ୍ବାଦିକମାନେ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଚାଲିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

4- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଲକ୍‌ ଡାଉନ୍‌ ନିୟମ ମାନି ବ୍ୟାପକ ସାମାଜିକ ସଚେତନତା ଓ ସ୍ୱଚ୍ଛତା ଅଭ୍ୟାସ ଦ୍ୱାରା ଆଗକୁ ବଢ଼ିଲେ ହିଁ କରୋନା ସଂକ୍ରମଣକୁ ପ୍ରତିରୋଧ କରାଯାଇ ପାରିବ । ଜଣେ ଦାୟିତ୍ୱବାନ ସ୍ବେଚ୍ଛାସେବୀ ଭାବେ ଓଡ଼ିଶା ସରକାରଙ୍କ ପ୍ରୟାସରେ ସାମିଲ ହୋଇ କୋଭିଡ୍‌ ସଂଗ୍ରାମୀ ଭାବେ ନିଜ ବହୁମୂଲ୍ୟ ଯୋଗଦାନ ଦେବା ନିମନ୍ତେ ପଞ୍ଜୀକୃତ ହେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି ।

5-କୋଭିଡ୍‌-୧୯ ଚିକିତ୍ସା ସେବାକୁ ରାଜ୍ୟର ସବୁ ଜିଲ୍ଲାକୁ ସଂପ୍ରସାରିତ କରିବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ସଂଖ୍ୟା ୩୪ ହେବା ସହ ସମୁଦାୟ ଶଯ୍ୟା ସଂଖ୍ୟା ୫୬୭୬କୁ ବୃଦ୍ଧିପାଇଛି ।

6-ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରବାସୀ ଓଡ଼ିଆମାନଙ୍କୁ କ୍ୱରାଣ୍ଟାଇନ୍‌ରେ ରଖିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏ ପର୍ଯ୍ୟନ୍ତ ୨ ଲକ୍ଷ ୨୭ ହଜାର ଶଯ୍ୟା ସମ୍ବଳିତ ୭୧୦୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯାଇଛି।

7-ଓଡ଼ିଶା ସରକାର ପ୍ରବାସୀ ଓଡ଼ିଆମାନଙ୍କ ପଂଜୀକରଣ ନିମନ୍ତେ ପୋର୍ଟାଲ ଆରମ୍ଭ କରିଛନ୍ତି। ତାହା ହେଲା https://covid19.odisha.gov.in । ଏଥି ପାଇଁ ୬୭୯୮ ଜଣ ଗ୍ରାମପଞ୍ଚାୟତ ନୋଡାଲ ଅଧିକାରୀ ଏବଂ ସମସ୍ତ ବିଡ଼ିଓଙ୍କୁ ପଂଜୀକରଣ ପ୍ରକି୍ରୟା ବାବଦରେ ତାଲିମ ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୮୬ ହଜାର ଲୋକ ଏହି ପୋର୍ଟାଲ୍‌ରେ ପଂଜୀକରଣ କରିସାରିଛନ୍ତି ।

8-ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନିୟୋଜିତ କରି ଓର୍‌ମାସ୍‌ ଜରିଆରେ ମାସ୍କ ପ୍ରସ୍ତୁତି ଓ ବିତରଣ କରାଯାଉଛି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ(ଏସ୍‌ଆଇଆର୍‌ଡି), ଭୁବନେଶ୍ୱରଠାରେ ଗୋଟିଏ ବିକ୍ରୟ କେନ୍ଦ୍ର ଖୋଲାଯାଇଛି । ଗୋଟିଏ ଭ୍ରାମ୍ୟମାଣ ଯାନ ସହିତ ୨୦ଟି ମେଡିକାଲ୍‌ ଷ୍ଟୋରରେ ଏହିସବୁ ମାସ୍କ ବିକ୍ରୟ ପାଇଁ ଉପଲବ୍ଧ ହେଉଛି । ଗତ ୧୯ ଅପ୍ରେଲ୍‌ଠାରୁ ଏ ପର୍ଯ୍ୟନ୍ତ ୧୨,୧୦୦ଟି ମାସ୍କ ବିକ୍ରି ହୋଇସାରିଛି । ସୂଚନାଯୋଗ୍ୟ ଯେ ଏ ପର୍ଯ୍ୟନ୍ତ ୨୦୮ଟି ସ୍ୱୟଂ ସହାୟକ ଗୋଷ୍ଠୀ/ ଉତ୍ପାଦକ ଗୋଷ୍ଠୀ ଏ ପର୍ଯ୍ୟନ୍ତ ୧୯ ଲକ୍ଷ ୫୨ ହଜାର ମାସ୍କ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଇ ଦେଇଛନ୍ତି ।

9-ବର୍ତ୍ତମାନ କଠିନ ପରିସ୍ଥିତିରେ ଲୋକମାନଙ୍କୁ କର୍ମନିୟୋଜନ ଯୋଗାଇ ଦେଇ ସେମାନଙ୍କ ଜୀବିକାକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମନରେଗା ଯୋଜନାକୁ ତ୍ୱରାନ୍ୱିତ କରାଯାଇଛି । ଆଜି ସୁଦ୍ଧା ଦୈନିକ ୪ ଲକ୍ଷ ଶ୍ରମଦିବସ ସୃଷ୍ଟି କରାଯାଇଛି ।

10-ଆଜି ରାଜ୍ୟର ୫୫୩୬ ଗ୍ରାମ ପଞ୍ଚାୟତରେ ୩,୫୩,୩୦୬ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୪୨,୧୮୬ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

11-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୨୬ରୁ ଅପ୍ରେଲ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୫୫ଟି ମାମଲା ଦାୟର କରାଯାଇଛି । ସେଥିରୁ ୫୧ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୪ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୫୫ ଜଣଙ୍କୁ ଗିରଫ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଲକାତା ଫେରନ୍ତା ସମ୍ମୁଖକୁ ଆସିବାକୁ ସରକାରଙ୍କ ଅନୁରୋଧ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତକୁ ପ୍ରତିହତ କରିବାରେ ଓଡିଶା ଆପାତତଃ ସକ୍ଷମ ହୋଇଥିବା ବେଳେ ଏନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏହି ସୂଚନା ପ୍ରଦାନ କରିଛନ୍ତି । ବିଗତ 48 ଘଣ୍ଟା ମଧ୍ୟରେ ପ୍ରାୟ 1 ଲକ୍ଷ 57ହଜାର 550 ଜଣ ନୂତନ ସଙ୍କ୍ରମିତ ହୋଇଥିବା ବେଳେ 11015 ଜଣ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଭାରତରେ ସଙ୍କ୍ରମିତଙ୍କ ସଂଖ୍ୟା 17265 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 543ରେ ପହଞ୍‌ଚିଛି । ସେହିପରି ରାଜ୍ୟରେ ସମୁ୍ଦାୟ 10641ଟି ନମୁନା ପରୀକ୍ଷଣ ହୋଇଥିବା ବେଳେ 74 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 24 ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ଆଜି ଚିହ୍ନଟ ହୋଇଥିବା ଏକ ତୃତୀୟାଂଶ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ରହିଥିବାରୁ କୋଲକାତାରୁ ଫେରିଥିବା ବ୍ୟକ୍ତି ମାନେ ସମ୍ମୁଖକୁ ଆସି ନିଜର ନମୁନା ପରୀକ୍ଷା କରାନ୍ତୁ ବୋଲି ବାଗ୍‌ଚୀ କହିଥିଲେ । ସେହିପରି କରୋନା କିପରି ଶରୀରରେ ସଂକ୍ରମିତ ହୋଇଥାଏ ତାହା ସମ୍ପର୍କରେ ବର୍ଣ୍ଣନା କରିଥିଲେ । କିପରି ଗୋଟିଏ ଭୂତାଣୁ ଗୋଟିଏ ଶରୀରରୁ ଲକ୍ଷ ଲକ୍ଷ ଭୂତାଣୁ ସୃଷ୍ଟି କରିଥାନ୍ତି ବାଗ୍‌ଚୀ ବର୍ଣ୍ଣନା କରିଥିଲେ । ସେହିପରି କଟକ-ଭୁବନେଶ୍ବରରେ ସାଧାରଣ ଲୋକଙ୍କ ପକ୍ଷରୁ ସୋସିଆଲ ଡିଷ୍ଟାନ୍ସିଂର ଉଲ୍ଲଂଘନ କରାଯାଉଥିବା ନେଇ ଦେଖାଇଥିଲେ । ଗ୍ରାମାଞ୍ଚଳରେ ସୋସିଆଲ ଡିଷ୍ଟାନ୍ସିଂକୁ ପାଳନ କରାଯାଉଥିବା ବେଳେ ସହରର ସ୍ଥିତିକୁ ନେଇ ବାଗ୍‌ଚୀ ଉଦ୍‌ବେଗ ପ୍ରକାଶ କରିଥିଲେ । କରୋନା ମୁକାବିଲା ପାଇଁ ସୋସିଆଲ ଡିଷ୍ଟାନ୍ସିଂ ଆବଶ୍ୟକ ବୋଲି ବାଗ୍‌ଚୀ ମତ ଦେଇଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ବର୍ତ୍ତମାନ ଆଉ ନୂଆ କରୋନା ରୋଗୀ ସୃଷ୍ଟି ହୋଇ ନାହାଁନ୍ତି, ସବୁ କୋଭିଡ19 ପରୀକ୍ଷା ନେଗେଟିଭି ଆସିଛି

ଭୁବନେଶ୍ବର, ବର୍ତ୍ତମାନ ଓଡିଶାରେ ଆଉ ନୂଆ ରୋଗୀ ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇ ନାହିଁନ୍ତି। ପୂର୍ବରୁ ଯେଉଁ ଦୁଇଜଣ ଥିଲେ ତାହା ହିଁ ରହିଛି। ଆଜି ଦିନ 12ଟା ସୁଦ୍ଧା 190ଟି ସାମ୍ପୁଲ କୋଭିଡ19 ଟେଷ୍ଟ ପାଇଁ ପଠାଯାଇଥିଲା। ସେସବୁର ପରୀକ୍ଷା ରିପୋର୍ଟରେ ନେଗେଟିଭି ଆସିଛି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ19 ମୁକାବିଲା ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ଏଥିସହିତ କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଗୁଡକ ହେଲା..

1-କୋଭିଡ୍‌-୧୯ ଲକ୍‌ ଡାଉନ୍‌ ପରିପ୍ରେକ୍ଷୀରେ ନିରନ୍ତର କାର୍ଯ୍ୟ କରୁଥିବା ପୋଲିସ୍‌ ଓ ବିଦୁ୍ୟତ ବିଭାଗର ସମସ୍ତ ପଦାଧିକାରୀ ଓ କର୍ମଚାରୀମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ଆଗକୁ ମଧ୍ୟ ସମସ୍ତେ ଏହିପରି ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବେ ଏବଂ ସରକାରଙ୍କ ଦୃଢ଼ ପଦକ୍ଷେପକୁ ସଫଳ କରିବାରେ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି।

2-ଓଡ଼ିଶା ସରକାର ଏକ ନିର୍ଦ୍ଦେଶନାମା ବଳରେ ଏମ୍‌ଏଲ୍‌ଏ-ଲ୍ୟାଡ୍‌ ଫଣ୍ଡ-୧୯୯୭ର ମଞ୍ଜୁରୀ ପାଇଁ ରହିଥିବା ନିୟମାବଳୀ ଓ ପଦ୍ଧତିରେ କୋଭିଡ୍‌-୧୯କୁ ପ୍ରତିହତ କରିବା ପାଇଁ ବିଭିନ୍ନ କାର୍ଯ୍ୟକଳାପ ନିମନ୍ତେ ଆବଶ୍ୟକୀୟ ମାନବସମ୍ବଳ ସୁବିଧା, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ନିମନ୍ତେ ସାମଗ୍ରୀ ସଂଗ୍ରହଣ, ସ୍ୱାସ୍ଥ୍ୟ ଶିବିର ପାଇଁ ଶୌଚାଳୟ ସମେତ ବିଭିନ୍ନ ଭିତ୍ତିଭୂମି ନିର୍ମାଣ, ରୋଗୀମାନଙ୍କ ପରିବହନ ପାଇଁ ଆମ୍ବୁଲନ୍ସ ଏବଂ ଅନ୍ୟାନ୍ୟ ଯାନବାହନ ବନ୍ଦୋବସ୍ତ, ଖାଦ୍ୟ, ପାନୀୟ ଜଳ, ପରିଚ୍ଛନ୍ନତା ଏବଂ କର୍ମଚାରୀ ନିୟୋଜନ ତଥା ଆଇସୋଲେସନ୍‌ ସେଣ୍ଟରଗୁଡ଼ିକ ପାଇଁ ବିଭିନ୍ନ ସୁବିଧା ସକାଶେ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିଛନ୍ତି।

3-ଯେଉଁ କର୍ମଚାରୀମାନଙ୍କର ବଦଳି କରାଯାଇଛି ସେମାନେ ତୁରନ୍ତ ୪୮ ଘଣ୍ଟା ମଧ୍ୟରେ ନୂତନ କାର୍ଯ୍ୟସ୍ଥଳୀରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାର ବ୍ୟତିକ୍ରମ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

4-ଓଡ଼ିଶା ସରକାର ଏକ ବିଜ୍ଞପ୍ତି ବଳରେ ରାଜ୍ୟରେ ଚାଲିଥିବା ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିଛନ୍ତି । କେବଳ ସ୍ୱାସ୍ଥ୍ୟସେବା ଓ କୋଭିଡ୍‌-୧୯ ସଂପୃକ୍ତ ନିର୍ମାଣ କାର୍ଯ୍ୟ ଜାରି ରହିବ।

5-ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ (ପିଡିଏସ୍‌) ଓ ପେନ୍‌ସନ୍‌ ସେମାନଙ୍କ ଘରେ ପହଞ୍ଚାଇଦେବା ନିମନ୍ତେ ଓଡ଼ିଶା ସରକାର ଏକ ଆଦେଶନାମା ଜରିଆରେ ସମସ୍ତ ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ୍‌, ସମସ୍ତ ପୌରାଞ୍ଚଳ କମିଶନର ଓ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଆବଶ୍ୟକ ହେଲେ ବିଭିନ୍ନ ବିଭାଗର କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ଏଥିରେ ନିୟୋଜିତ କରିପାରିବେ।

6-ଆଜି ଦିନ ୧୨ଟା ସୁଦ୍ଧା ଓଡ଼ିଶାରେ ୧୧୦ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମସ୍ତ ନମୁନାର ରିପୋର୍ଟ ହସ୍ତଗତ ହୋଇଛି । ଏ ପର୍ଯ୍ୟନ୍ତ ୨ଟି ପଜିଟିଭ୍‌ ରହିଥିବାବେଳେ ଆଉ କୌଣସି ନୂଆ ପଜିଟିଭ୍‌ ଚିହ୍ନଟ ହୋଇନାହିଁ।

7-ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିିର ଅଛି । ଉଭୟ ହସ୍‌ପିଟାଲ୍‌ରେ ଦିଆ ଯାଉଥିବା ଖାଦ୍ୟ ଖାଉଛନ୍ତି।

8-ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୭ ଜଣ ଆସିଥିବା ତଥ୍ୟ ମିଳିଛି । ସେମାନଙ୍କ ମଧ୍ୟରୁ ୫୪ ଜଣଙ୍କ ସହ ଯୋଗାଯୋଗ ହୋଇଛି। ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛି।

9-ବର୍ତ୍ତମାନ ସୁଦ୍ଧା ୯ଟି ମନିଟରିଂ ଟିମ୍‌ ଏଥି ପାଇଁ କାର୍ଯ୍ୟ କରୁଛନ୍ତି।

10-ବର୍ତ୍ତମାନ ସୁଦ୍ଧା ୩୮୬୧ ଜଣ ୧୦୪ ହେଲ୍‌ପ ଲାଇନ୍‌ ଏବଂ ପୋର୍ଟାଲ୍‌ ଜରିଆରେ ପଞ୍ଜୀକରଣ କରିଛନ୍ତି ।

11-କୋଭିଡ୍‌-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୪୫ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍‌ରେ ରଖାଯାଇଛି।

12-ରାଜ୍ୟ ସରକାରଙ୍କ ଆଦେଶନାମା ଅନୁସାରେ କୋଭିଡ୍‌-୧୯ ପରି ଲକ୍ଷଣ ହେତୁ ଅସୁସ୍ଥ ଅନୁଭବ କରୁଥିବା କର୍ମଚାରୀମାନେ ୧୪ ଦିନ ନିମନ୍ତେ କର୍ମସ୍ଥଳୀ ତ୍ୟାଗ କରି ଘରୋଇ ସଙ୍ଗରୋଧରେ ରହିପାରିବେ।

13-ବହୁମୂତ୍ର, ନିଃଶ୍ୱାସପ୍ରଶ୍ୱାସରେ ସମସ୍ୟା, ବୃକକ୍‌ଜନିତ ରୋଗ, ହୃଦ୍‌ରୋଗ ଓ ଅନ୍ୟାନ୍ୟ ଜୀବନ କ୍ଷତିକାରକ ଅସୁସ୍ଥତାରେ ଥିବା ୫୦ ବର୍ଷ ବୟସରୁ ଊଦ୍ଧ୍ୱର୍ କର୍ମଚାରୀମାନେ ବିନା ଡାକ୍ତରୀ ପ୍ରମାଣପତ୍ରରେ ଅପ୍ରେଲ ୪ ତାରିଖ ପର୍ଯ୍ୟନ୍ତ ପରିବର୍ତ୍ତିତ ଛୁଟି ନେଇପାରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।