ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତରୁ ବହୁତ ଦୁଃଖଦ ଖବର ଆସୁଛି। ୨୦୧୬ ଚଳଚ୍ଚିତ୍ର ‘ଦଙ୍ଗଲ’ରେ ଆମୀର ଖାନଙ୍କ ସାନ ଝିଅ ଜୁନିଅର ବବିତା ଫୋଗାଟ ଭୂମିକାରେ ଅଭିନୟ କରିଥିବା ସୁହାନୀ ଭଟନଗରଙ୍କ ଦେହାନ୍ତ ହୋଇଛି। ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା। ଏହି ଖବର ସମସ୍ତଙ୍କୁ ଚକିତ କରିଛି। ସୋସିଆଲ ମିଡିଆରେ ହଠାତ୍ ଦୁନିଆରୁ ବିଦାୟ ନେଇଥିବା ସୁହାନୀଙ୍କ ଉପରେ ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି।
ସୁହାନୀ ଭଟନଗରଙ୍କ ମୃତ୍ୟୁର କାରଣ ତାଙ୍କ ଶରୀରରେ ତରଳ ପଦାର୍ଥ ଜମା ହୋଇଥିବା କୁହାଯାଉଛି। କିଛି ସମୟ ପୂର୍ବରୁ ସୁହାନୀଙ୍କର ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିପାଇଁ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା । ଚିକିତ୍ସା ସମୟରେ ସେ ଗ୍ରହଣ କରିଥିବା ଔଷଧଗୁଡ଼ିକର ପାର୍ଶ୍ୱ ପ୍ରତିକ୍ରିୟା ରହିଥିଲା ଏବଂ ଧୀରେ ଧୀରେ ତାଙ୍କ ଶରୀରରେ ତରଳ ପଦାର୍ଥ ଜମା ହେବା ଆରମ୍ଭ କଲା। ତାଙ୍କୁ ଦୀର୍ଘ ଦିନ ଧରି ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ସୁହାନୀ ଭଟନଗର କିଏ?:
ସୁହାନୀ ଭଟନଗର ବଲିଉଡର ଜଣେ ପ୍ରସିଦ୍ଧ ଶିଶୁ କଳାକାର ଥିଲେ। ସେ ଆମୀର ଖାନଙ୍କ ଅଭିନୀତ ବ୍ଲକବଷ୍ଟର ଚଳଚ୍ଚିତ୍ର “ଦଙ୍ଗଲ” (୨୦୧୬) ରେ ବବିତା ଫୋଗାଟଙ୍କ ଭୂମିକା ପାଇଁ ଅପାର ଲୋକପ୍ରିୟତା ହାସଲ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା। ସେ ଅନେକ ଟେଲିଭିଜନ ବିଜ୍ଞାପନରେ ମଧ୍ୟ କାମ କରିଥିଲେ।
ଦଙ୍ଗଲ ପରେ ସୁହାନୀଙ୍କୁ ଅନେକ ଫିଲ୍ମ ଅଫର ମିଳିଥିଲା, କିନ୍ତୁ ସେ ଅଭିନୟରୁ ବିରତି ନେବାକୁ ସ୍ଥିର କଲେ। ସେ ନିଜ ଅଧ୍ୟୟନରେ ଧ୍ୟାନ ଦେବାକୁ ଚାହୁଁଥିଲେ। ଅନେକ ସାକ୍ଷାତକାରରେ ସୁହାନୀ କହିଥିଲେ ଯେ ଅଧ୍ୟୟନ ଶେଷ କରିବା ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିବାକୁ ଯୋଜନା କରିଥିଲେ।