ଭୁବନେଶ୍ବର: ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ସୂର୍ଯ୍ୟ ଦେବତାଙ୍କ ଜନ୍ମ ତିଥି। ମାଘ ସପ୍ତମୀ ଦିନ ସୂର୍ଯ୍ୟ କ୍ଷେତ୍ର କୋଣାର୍କର ପବିତ୍ର ଚଦ୍ରଭାଗା ତୀର୍ଥରେ ଚନ୍ଦ୍ରଭାଗା ବୁଡ ଅନୁଷ୍ଠିତ ହୋଇଥାଏ । ଏହା ମାଘ ସପ୍ତମୀ ମେଳା ବା ଚନ୍ଦ୍ରଭାଗା ଯାତ୍ରା ରୂପେ ପ୍ରସିଦ୍ଧ। ସୁପ୍ରାଚୀନ କାଳରୁ କୋଣାର୍କ ସୂର୍ଯ୍ୟକ୍ଷେତ୍ର ରୂପେ ପ୍ରସିଦ୍ଧି ଲାଭ କରିଆସିଛି।
ପୁରାଣ ବର୍ଣ୍ଣିତ କଳିଙ୍ଗ ଦେଶ ସୂର୍ଯ୍ୟଙ୍କର ଜନ୍ମ ପୀଠ। କୋଣାର୍କ ହେଉଛି ସୂର୍ଯ୍ୟ ଦେବତା ଙ୍କ ଜନ୍ମପୀଠ। ଦ୍ଵାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ମୈତ୍ରୟ ବନର ଏହି ଚନ୍ଦ୍ରଭାଗା ତୀର୍ଥରେ ସୁର୍ଯ୍ୟ ଉପାସନା କରି ପିତୃ ଅଭିଶାପ ଜନିତ କୁଷ୍ଠରୋଗରୁ ମୁକ୍ତି ଲାଭ କରି କୋଣାର୍କରେ ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ। ସ୍ୱୟଂ ଶିବ ଏହି ତୀର୍ଥରେ ସ୍ନାନ କରି ବ୍ରହ୍ମାଙ୍କ ଶିର ଛେଦନ ଜନିତ ପାପରୁ ମୁକ୍ତି ହୋଇଥିଲେ।
ଦେବୀ ସରସ୍ୱତୀ ପ୍ରାଚୀ ସରସ୍ୱତୀ ନଦୀ ରୂପରେ ମର୍ତ୍ତ୍ୟଲୋକରେ ପ୍ରବାହିତ ହୋଇ ପୂର୍ବ ସାଗରରେ ମିଳିତ ହୋଇଥିଲେ । ସେହି ପୁଣ୍ୟତୋୟା ପ୍ରାଚୀ ନଦୀ ଚିତ୍ରୋତ୍ପଳା ରୂପ ଧାରଣ କରି କୋଣାର୍କ ନିକଟରେ ପ୍ରବାହିତ ହୋଇଥିଲେ । ନଦୀର ଶେଷ ଭାଗ ଚନ୍ଦ୍ରଭାଗା ତୀର୍ଥ ରୂପେ ପରିଚିତ । ଆବଟେ ଶାଳ୍ମଳୀ ଭାଣ୍ଡେ ସୁର୍ଯ୍ୟଗଙ୍ଗା ମାହୋଦଧି ଚନ୍ଦ୍ରଭାଗା କରେତ୍ ସ୍ନାନ ପୁନଜନ୍ମ ନ ଲଭ୍ୟତେ ।
କୋଣାର୍କର ପଞ୍ଚ ତୀର୍ଥଙ୍କ ମଧ୍ୟରେ ଚଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ତିଥିରେ ଚଦ୍ରଭାଗା ତୀର୍ଥରେ ସ୍ନାନ କରି ଉଦୟ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କଲେ ପୁନଃ ଜନ୍ମ ହୋଇ ନଥାଏ ରୋଗ ପାପରୁ ମୁକ୍ତି ହୋଇଥାଏ। ସୂର୍ଯ୍ୟ ଉପାସନା ଦ୍ୱାରା ଶରୀର ସୁସ୍ଥ ରହିଥାଏ ସୁଖ ଶାନ୍ତି ସମୃଦ୍ଧି ଲାଭ ହୁଏ। ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁ ସାଧୁ ସନ୍ଥ ମାନେ ଆସିଥାନ୍ତି।
ପୂର୍ବରୁ କୋଣାର୍କ ମନ୍ଦିରର ଚଳନ୍ତି ପ୍ରତିମା ସୂର୍ଯ୍ୟ ଚନ୍ଦ୍ର ଓ କୋଣାର୍କର ଅଷ୍ଟଶମ୍ଭୁ ଅସ୍ଟଚଣ୍ଡୀ ତୀର୍ଥରେ ସ୍ନାନ କରୁଥିଲେ। ଏବେ ସୂର୍ଯ୍ୟ ଦେବତାଙ୍କ ଚଳନ୍ତି ପ୍ରତିମା ସୁର୍ଯ୍ୟ ଚନ୍ଦ୍ର ପରେ ଐଶାନେଶ୍ୱର ତ୍ରିବେଣୀସ୍ୱର ଦକ୍ଷିଣେସ୍ୱର ସ୍ନାନ କରିବା ପରେ ଶ୍ରଦ୍ଧାଳୁ ସାଧୁ ସନ୍ଥ ସମସ୍ତେ ସ୍ନାନ କରି ଉଦୟ ସୂର୍ଯ୍ୟଙ୍କୁ ଦର୍ଶନ କରିବା ପାଇଁ ସୁଦୀର୍ଘ ବେଳାଭୂମିରେ ଅପେକ୍ଷା କରିଥାନ୍ତି। ଚନ୍ଦ୍ରଭାଗାର ନୀଳ ସାଗରର ଦୂର ଦିଗ୍ ବଳୟରେ ଲୋହିତବର୍ଣ୍ଣ ଧାରଣ କରି ସୁର୍ଯ୍ୟଦେବତା ଲାଲ୍ ପେଣ୍ଡୁଟିଏ ଭଳି ଉଠନ୍ତି। ସୂର୍ଯ୍ୟ ଦେବତାଙ୍କୁ ଜନ୍ମ ଦିନରେ ଦର୍ଶନ କରି ଶ୍ରଦ୍ଧାଳୁ ମାନେ ହରିବୋଲ ହୁଳହୁଳି ଧ୍ୱନୀରେ ପ୍ରକମ୍ପିତ କରିଦିଅନ୍ତି ।