ନୂଆଦିଲ୍ଲୀ: ଭାରତୀୟ ଟି -୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦୁଲିପ ଟ୍ରଫି ୨୦୨୪-୨୫ ର ପ୍ରଥମ ପର୍ଯ୍ୟାୟରୁ ବାହାରିଛନ୍ତି। ଗତ ସପ୍ତାହରେ ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ପାଇଁ ଖେଳୁଥିବା ବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା। ବର୍ତ୍ତମାନ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି ଏବଂ ଫିଟନେସ୍ ପ୍ରକ୍ରିୟା ଅତିକ୍ରମ କରିବାକୁ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ରେ ଉପସ୍ଥିତ ଅଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ସୂର୍ଯ୍ୟକୁମାର ଗତ ସପ୍ତାହରେ TNCA XI ପାଇଁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିପାରିନଥିଲେ। ମ୍ୟାଚର ତୃତୀୟ ଦିନରେ ସେ ହାତରେ ଆଘାତ ପାଇଥିଲେ ଏବଂ ଏହା ପରେ ସେ ପଡ଼ିଆକୁ ମଧ୍ୟ ଆସି ନଥିଲେ। ସେତେବେଳେ ମୁମ୍ବାଇ ଦଳ ସ୍ଵୀକାର କରିଥିଲା ଯେ, ଗୁରୁତର ଆହତ ହେବାରୁ ରକ୍ଷା ପାଇବା ପାଇଁ ସୂର୍ଯ୍ୟଙ୍କୁ ଫିଲ୍ଡ ଓ ବ୍ୟାଟିଂକୁ ପଠାଯାଇ ନାହିଁ।
ନିକଟରେ ସୁର୍ଯ୍ୟକୁମାର ଯାଦବ ଟେଷ୍ଟ ଦଳକୁ ଫେରିବାର ଆଶା ପ୍ରକାଶ କରିଥିଲେ। ସେ ଗତ ଏକ ବର୍ଷ ମଧ୍ୟରେ କୌଣସି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ନାହାଁନ୍ତି ଏବଂ ଟେଷ୍ଟ ଦଳରେ ପ୍ରତ୍ୟାବର୍ତ୍ତନ କରିବା ଉଦ୍ଦେଶ୍ୟରେ ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲେ। ସୂର୍ଯ୍ୟକୁମାରଙ୍କ ଆଘାତ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତୀୟ ଦଳକୁ ଆସନ୍ତା ୫ ମାସ ମଧ୍ୟରେ ୧୦ ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ। ଏହି ସମସ୍ତ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହେବ କାରଣ ସେଗୁଡିକ ଜିତିଲେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ସ୍ଥାନ ସୁରକ୍ଷିତ କରିପାରିବ।