Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

‘ସ୍ଵୟମ୍’ ଯୋଜନାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ସ୍ଵାକ୍ଷରିତ ହେଲା ବୁଝାମଣା ପତ୍ର 

ଭୁବନେଶ୍ବର: ରାଜ୍ୟର ଯୁବଗୋଷ୍ଠୀଙ୍କୁ ସ୍ଵତନ୍ତ୍ର ଯୁବ ଉଦ୍ୟମୀରେ ପରିଣତ କରିବା ପାଇଁ ଓଡିଶା ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ‘ସ୍ଵୟମ୍’ ଯୋଜନାକୁ କାର‌୍ୟ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସରକାର ଓ କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର ମାଇକ୍ରୋ ଆଣ୍ଡ ସ୍ମଲ୍ ଏଣ୍ଟରପ୍ରାଇଜେସ୍ (CGTMSE) କର୍ତ୍ତୃପକ୍ଷଙ୍କ ସହ ଏକ ବୁଝାମଣା ପତ୍ର ଆଜି ଲୋକସେବା ଭବନ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ସ୍ଵାକ୍ଷର ହୋଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଅଧ୍ୟକ୍ଷତା କରିଥିଲେ ଏବଂ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜି. ମାଥିଭାଥାନନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଓ ବିଭିନ୍ନ ବ୍ୟାଙ୍କର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ । ,

ଏହି ବୁଝାମଣା ପତ୍ରକୁ CGTMSE ର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦିପ ବର୍ମାଙ୍କ ସହ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶକ, ଅନୁଷ୍ଠାନିକ ଅର୍ଥ , ଅର୍ଥ ବିଭାଗ ଡଃ. ପ୍ରଜ୍ଞାସ୍ମିତା ସାହୁ ସ୍ଵାକ୍ଷର କରିଥିଲେ । ବୁଝାମଣା ପତ୍ର ଅନୁଯାୟୀ ସ୍ଵୟଂ ଯୋଜନାରେ CGTMSE ସ୍ଵୟମ୍ ଯୋଜନା ଋଣର ୮୫% ଅର୍ଥ ଗ୍ୟାରେଣ୍ଟି ଆକାରରେ ପ୍ରଦାନ କରିବେ ଓ ରାଜ୍ୟ ସରକାର ଅବଶିଷ୍ଟ ୧୫% ଗ୍ୟାରେଣ୍ଟି ପ୍ରଦାନ କରିବେ । ଏଥିସହ CGTMSEର ଗ୍ୟାରେଣ୍ଟି ଅଂଶ ବାବଦ ବାର୍ଷିକ ଗ୍ୟାରେଣ୍ଟି ଦେୟ ଋଣ ଗ୍ରହିତାଙ୍କ ତରଫରୁ ରାଜ୍ୟ ସରକାର ବହନ କରିବେ।

ପ୍ରମୁଖ ଶାସନ ସଚିବ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଯୋଜନା ସମ୍ପର୍କରେ ରାଜ୍ୟର ସମସ୍ତ ବ୍ୟାଙ୍କ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଏହି ଯୋଜନାରେ ଋଣର ସମସ୍ତ ସୁଧଭାର ରାଜ୍ୟ ସରକାର ବହନ କରୁଥିବା ବିଷୟ ବ୍ୟାଙ୍କ ଅଧିକାରୀ ମାନଙ୍କୁ ଜଣାଇ ଦିଆଯାଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ,ସ୍ଵୟମ୍ ଯୋଜନାରେ ୧୮ ରୁ ୩୫ ବର୍ଷ ବୟସ୍କ ଯୁବକ ଯୁବତୀଙ୍କୁ ନୂଆ କିମ୍ବା ଚାଲୁ ରହିଥିବା ବ୍ୟବସାୟକୁ ବଢାଇବା ନିମନ୍ତେ ବିନା ସୁଧରେ ୧ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ଅନୁସୂଚିତ ଜାତି/ ଜନଜାତି/ଭିନ୍ନକ୍ଷମ / ସହରାଞ୍ଚଳର କିନ୍ନରମାନଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୪୦ ବର୍ଷ ଅଟେ ।

ଏହି ଋଣ ନିମନ୍ତେ ଋଣ ଗ୍ରହିତାଙ୍କୁ ବ୍ୟାଙ୍କରେ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ କିମ୍ବା ବ୍ୟାଙ୍କକୁ କୌଣସି ପ୍ରୋସେସିଂ ଦେୟ ଦେବାକୁ ପଡିବ ନାହିଁ । ଯୋଜନାର ଋଣ ପରିଶୋଧ ଅବଧି ୪ ବର୍ଷ ଯେଉଁଥିରେ ବ୍ୟାଙ୍କର ପ୍ରଚଳିତ ନିୟମ ଅନୁଯାୟୀ ୩ ରୁ ୬ ମାସ ପର‌୍ୟ୍ୟନ୍ତ ରିହାତି ଅବଧି ରହିଛି ।

Categories
ନିର୍ବାଚନ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟରେ ଲାଗୁ ହେବ ‘ସ୍ବୟଂ’ ଯୋଜନା, ଯୁବକଙ୍କୁ ମିଳିବ ବିନା ସୁଧରେ ଏକ ଲକ୍ଷ ଟଙ୍କା ଋଣ, ଜାଣନ୍ତୁ ଯୋଗ୍ୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବର୍ତ୍ତମାନ ଆସିଥିବା ନୂଆ ଜାଗରଣରେ ଓଡିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଯୁବ ସମାଜକୁ ସାମିଲ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ‘ସ୍ୱୟମ’ ନାମରେ ଏକ ନୂତନ ଯୋଜନାକୁ ଅନୁମତି ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟର ବ୍ୟବସାୟିକ ବାତାବରଣ ଆହୁରି ଉଜ୍ଜ୍ୱଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

‘ସ୍ୱୟମ’ ହେଉଛି ସ୍ୱତନ୍ତ୍ର ଯୁବ ଉଦ୍ୟମୀ ( Swatantra Yuba Udyami) । ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନଙ୍କୁ ବ୍ୟବସାୟ କରିବା ପାଇଁ ୧ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ବିନା ସୁଧରେ ପ୍ରଦାନ କରାଯିବ। ଏହି ଯୋଜନାରେ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୧ ଲକ୍ଷ ଯୋଗ୍ୟ ଯୁବକ ଯୁବତୀମାନଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥି ପାଇଁ ରାଜ୍ୟ ସରକାର ତାଙ୍କ ନିଜ ବଜେଟରୁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରିବେ।

ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଯୁବକ ଯୁବତୀମାନେ ବ୍ୟବସାୟ ବାଣିଜ୍ୟ ପାଇଁ ସରକାରଙ୍କ ସ୍ୱତନ୍ତ୍ର ସହାୟତା ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିବା ପରେ ଏ ସଂପର୍କିତ ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ପାଇଁ ଯାଇଥିଲା ଏବଂ ଆଜି ଏହା ଅନୁମୋଦନ ଲାଭ କରିଛି।

ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନେ ସାମିଲ ହୋଇପାରିବେ। ଅନୁସୂଚିତ ଜାତି ଜନଜାତି ଓ ଭିନ୍ନକ୍ଷମ ବର୍ଗର ପିଲାଙ୍କ ପାଇଁ ଏହି ବୟମ ସୀମା ୧୮ ରୁ ୪୦ ବର୍ଷ । ଆବେଦନକାରୀଙ୍କ ପରିବାର କାଳିଆ କିମ୍ବା BSKY ଯୋଜନାରେ ସାମିଲ ହୋଇଥିବେ କିମ୍ବା ସେମାନଙ୍କ ବାର୍ଷିକ ପାରିବାରିକ ରୋଜଗାର ୨ ଲକ୍ଷରୁ କମ ହେବା ଆବଶ୍ୟକ। ପରିବାରର ଅର୍ଥ ଏଠାରେ ହେଉଛି ଆବେଦନକାରୀ ଓ ତାଙ୍କ ପତି ବା ପତ୍ନୀ। ଆବେଦନକାରୀଙ୍କର ଉଦ୍ୟମୀ ପଞ୍ଜିକୃତ କିମ୍ବା ଉଦ୍ୟମୀ ସହାୟତା ନମ୍ବର ରହିବା ଆବଶ୍ୟକ।

ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ଆର୍ଥିକ ଅନୁଷ୍ଠାନରୁ ଋଣ ନେଇ defaulter ହୋଇଥିବା କିମ୍ବା କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କୌଣସି ଯୋଜନାର ବକୈୟା ଋଣ ଥିଲେ, ଆବେଦନକାରୀଙ୍କୁ ଏହି ଯୋଜନାର ସୁବିଧା ମିଳିବ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର କିମ୍ବା କୌଣସି ସରକାରୀ ଉଦ୍ୟୋଗର କର୍ମଚାରୀ ବା ସାମ୍ବିଧାନିକ ସଂସ୍ଥାର କର୍ମଚାରୀ ଏବଂ ତାଙ୍କ ପରିବାରଙ୍କୁ ଏହି ଋଣ ମିଳିବ ନାହିଁ। ପରିବାରର ଜଣେ ସଦସ୍ୟ ଏହି ସୁବିଧା ନେଇଥିଲେ ଅନ୍ୟ ସଦସ୍ୟ ଏହା ପାଇପାରିବେ ନାହିଁ।

ଏହି ଯୋଜନାରେ ରାଜ୍ୟ ସରକାର ଅଣୁ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଉପଲବ୍ଧ 85 ପ୍ରତିଶତ ଋଣ ଗ୍ୟାରେଣ୍ଟି ବ୍ୟତିତ (Credit Guarantee Fund Trust for Micro and Small Enterprises (CGTMSE)) ଆହୁରି ୧୫ ପ୍ରତିଶତ ଋଣ ଗ୍ୟାରେଣ୍ଟି ପ୍ରଦାନ କରିବେ। ରାଜ୍ୟ ସରକାର ଋଣର ସମସ୍ତ ସୁଧ ଭାର ବହନ କରିବେ। CGTMSE ର ବାର୍ଷିକ ଗ୍ୟାରେଣ୍ଟି ଦେୟ ମଧ୍ୟ ରାଜ୍ୟ ସରକାର ବହନ କରିବେ।

ଏଥିପାଇଁ ଆବେଦନକାରୀମାନଙ୍କୁ ଋଣ ପାଇଁ କୌଣସି ବନ୍ଧକ ବା processing fee ଦେବାକୁ ପଡିବ ନାହିଁ। ୪ ବର୍ଷରେ ଆବେଦନକାରୀମାନେ ମୂଳ ଋଣ ସୁଝି ପାରିବେ।