Categories
ଆଜିର ଖବର ରାଜ୍ୟ ଖବର

ସୋଆର ୧୫୬ ଶଯ୍ୟା ବିଶିଷ୍ଟ ତୃତୀୟ କୋଭିଡ ହସ୍ପିଟାଲ ତାଳଚେରରେ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲର ତୃତୀୟ ସମ କୋଭିଡ-୧୯ ହସ୍ପିଟାଲ ଅନୁଗୁଳ ଜିଲ୍ଲା ତାଳଚେରଠାରେ ସୋମବାର କାର୍ଯ୍ୟକ୍ଷମ ହୋଇଛି। କରୋନା ମହାମାରୀ ଆକ୍ରାନ୍ତଙ୍କୁ ଏହି ଦୁଃସାଧ୍ୟ ବ୍ୟାଧିରୁ ରକ୍ଷା କରିବା ନିମନ୍ତେ ସୋଆର ଏହି ପ୍ରୟାସକୁ ସହଯୋଗ କରିଛି ମହାନଦୀ କୋଲ ଫିଲଡ ଲିମିଟେଡ଼।

ତାଳଚେର ସ୍ଥିତ ଏମସିଏଲ ହସ୍ପିଟାଲ ପରିସରରେ ସମ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଥିବାବେଳେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏହାର ଉଦଘାଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର  ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ  ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ହସ୍ପିଟାଲ ଉଦଘାଟନ ହେବାପୂର୍ବରୁ ସୋମବାର ସକାଳେ  ସମ ହସ୍ପିଟାଲ, ଏମସିଏଲ ଏବଂ ରାଜ୍ୟସରକାରଙ୍କ ମଧ୍ୟରେ ୧୫୬ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସ୍ଥାପନ ନେଇ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଓ ଏମସିଏଲ ତାଳଚେରର ଜେନେରାଲ ମ୍ୟାନେଜର ଏନ. ଜି. ବ୍ରହ୍ମପୁରକର ଏହି ଚୁକ୍ତିନାମା ସ୍ଵାକ୍ଷରିତ କରିଥିଲେ।

୧୫୬ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ନିମନ୍ତେ ଏମସିଏଲ ଆର୍ଥିକ ସହାୟତା କରୁଥିବା ବେଳେ ଡାକ୍ତର, ନର୍ସ, ଏବଂ ଅନ୍ୟାନ୍ୟ ସମସ୍ତ  ଆନୁସଙ୍ଗିକ ଡାକ୍ତରୀ ବ୍ୟବସ୍ଥା ସମ ପକ୍ଷରୁ ଯୋଗାଇ ଦିଆଯିବ।

ଏହି ଭିଡିଓ କନଫରେନସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର, ଏବଂ ମେଡିକାଲ ଷ୍ଟାଫ ମାନେ  କରୋନା ରୋଗୀମାନଙ୍କୁ ଚିକିତ୍ସା କରୁଥିବା ହେତୁ ଧନ୍ୟବାଦ ଅର୍ପଣ କରିଥିଲେ। ହସ୍ପିଟାଲକୁ ନେଇ ଏମସିଏଲର ସହଯୋଗକୁ ପ୍ରଶଂସା କରିବା ସହ ସୋଆର ଉଦ୍ୟମ ଓ ଦାୟିତ୍ୱବୋଧତାକୁ ନେଇ ମଧ୍ୟ ଆନନ୍ଦବ୍ୟକ୍ତ କରିଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସାରାଦେଶରେ ୬୮୨ ଟି କୋଭିଡ ହସ୍ପିଟାଲ ସ୍ଥାପନ ହୋଇସାରିଥିବ ବେଳେ ଓଡିଶା ଏ ଦିଗରେ ଅଗ୍ରଣୀ ଭୂମିକା ନେଇଛି। ତେବେ ଆଗାମୀ ୬ ମାସ ପର୍ଯ୍ୟନ୍ତ କୌଣସି ଏହି ହସ୍ପିଟାଲଗୁଡିକୁ କେହି କରୋନା ରୋଗୀ ନ ଆସନ୍ତୁ ବୋଲି ସେ ଆଶା କରିବା ସହ ଏକ ବର୍ଷ ପର୍ଯ୍ୟନ୍ତ କିନ୍ତୁ ଆମକୁ ବିଶ୍ୱରୁ କରୋନା ସମ୍ପୂର୍ଣ ହଟିବା ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ପଡିବ ବୋଲିସେ କହିଥିଲେ।

ଏହି ଅବସରରେ ମୁଖ୍ୟଶାସନ ସଚିବ ଅସିତ କୁମାର  ତ୍ରିପାଠୀ, ଫାଇଭ-ଟି ସଚିବ ଭି କେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ର ଓ କୋଭିଡ-୧୯ ନିମନ୍ତେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ତାଳଚେର ସାର କାରଖାନାରେ କୋଇଲା ବାଷ୍ପୀକରଣ ୟୁନିଟ ପାଇଁ ଚୁକ୍ତି ସ୍ୱାକ୍ଷରିତ, ୧୩,୨୭୭ କୋଟି ଟଙ୍କା ବିନିମୟରେ ପ୍ରତିଷ୍ଠା ହେବ କାରଖାନା

ସମୀକ୍ଷା ବ୍ୟୁରୋ

ୟୁରିଆ ଏବଂ ଆମୋନିଆ ଉତ୍ପାଦନ ଲାଗି ତାଳଚେର ସାର କାରଖାନାରେ ଏକ କୋଇଲା ବାଷ୍ପୀକରଣ ୟୁନିଟ ଖୋଲିବା ନେଇ ଆଜି ଦିଲ୍ଲୀରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି । ଓଡିଶାର ଅନୁଗୁଳ ଜିଲ୍ଲାରେ ୧୩,୨୭୭ କୋଟି ଟଙ୍କା ନିବେଶ କରାଯାଇ ଜିଏଆଇଏଲ, ଆରସିଏଫ, ସିଆଇଏଲ ଓ ଏଫସିଆଇଏଲର ମିଳିତ ସହଭାଗୀତାରେ ଏହି କାରଖାନା ପ୍ରତିଷ୍ଠା କରାଯିବ । ଏହି କାରଖାନାରୁ ବାର୍ଷିକ ୧.୨୭ ମିଲିୟନ ମେଟ୍ରିକ ଟନ୍ ୟୁରିଆ ଓ ୦.୭୩ ମିଲିୟନ ମେଟ୍ରିକ ଟନ ଆମୋନିଆ ଉତ୍ପାଦିତ ହେବ । ମେସର୍ସ ଉହାନ ଇଞ୍ଜିନିୟରିଂ କୋ ଲିମିଟେଡ ତରଫରୁ ଏହି ପ୍ଲାଂଟ ପାଇଁ କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ପ୍ରଦାନ କରାଯିବ । ଏହି ଅବସରରେ ନିଜର ବକ୍ତବ୍ୟ ରଖି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ତାଳଚେର ସାର କାରଖାନା କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ଆଧାରରେ ୟୁରିଆ ଓ ଆମୋନିଆ ଉତ୍ପାଦନ କରିବ ଯାହାକି ଭାରତର ବିକାଶ ଯାତ୍ରାରେ ଏକ ନୂତନ କିର୍ତୀମାନ ହେବ । ସେ କହିଲେ, ଅଙ୍ଗାରକ ପରିମାଣ ହ୍ରାସ କରିବା ପାଇଁ ଭାରତ ସିଓପି୨୧ ନିକଟରେ ସମ୍ପୂର୍ଣ୍ଣ ଭାବେ ସଂକଳ୍ପବଦ୍ଧ ଏବଂ କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ଏ ଦିଗରେ ଏକ ପଦକ୍ଷେପ ।‛ ପୂର୍ବ ଭାରତରେ ବନ୍ଦ ହୋଇଯାଇଥିବା ସମସ୍ତ ସାର କାରଖାନାକୁ ପୁଣିଥରେ ଚାଲୁ କରିବା ନେଇ ସରକାର ନିଷ୍ପତି ନେଇଥିବା ସେ ପ୍ରକାଶ କରିଥିଲେ ।

ପୂର୍ବାଂଚଳ ଗ୍ୟାସ ଗ୍ରୀଡ ପାଇଁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗାର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି ଏବଂ ଏଥିରେ ଗୋରଖପୁର ଓ ବାରାଉନିକୁ ଅନ୍ତର୍ଭୁକ୍ତ କରାଯାଇଛି। ଖୁବଶୀଘ୍ର ସିନ୍ଦରିକୁ ଅନ୍ତର୍ଭୁକ୍ତ କରାଯିବ । ସାର ଉତ୍ପାଦନ ପାଇଁ ଏହି ପ୍ରକଳ୍ପରେ କୋଇଲା ଓ ପିଟକୋକର ବ୍ୟବହାର କରାଯିବ ବୋଲି ମନ୍ତ୍ରୀ କହିଥିଲେ । ଟିଏଫଏଲକୁ ପ୍ରଦାନ କରାଯାଇଥିବା ତାଳଚେର ଅଂଚଳର ଉତ୍ତର ଅର୍ଖପାଳ ଖଣିର ଉତ୍ତର ଭାଗରୁ ଏହି ପ୍ରକଳ୍ପ ପାଇଁ କୋଇଲା ଅଣାଯିବ ଏବଂ କ୍ୟାପ୍ଟିଭ ଖଣିର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଏହି ପ୍ରକଳ୍ପ ପାଇଁ ପାରାଦୀପ ବିଶୋଧନାଗାରରୁ ପିଟକୋକ ଯୋଗାଇ ଦିଆଯିବ । ପରିବେଶ ଅନୁକୂଳ ପଦ୍ଧତିରେ ରାଜ୍ୟରେ ଉପଲବ୍ଧ ପ୍ରଚୁର କୋଇଲା ଏହି ପ୍ରକଳ୍ପ ପାଇଁ ଉପଯୋଗ କରାଯିବ । ମନ୍ତ୍ରୀ କହିଲେ ଯେ ସିନଗ୍ୟାସ, ଡିଜେଲ, ମିଥାନଲ ଓ ପେଟ୍ରୋକେମିକାଲ ଭଳି ଉତ୍ପାଦ ପାଇଁ କୋଇଲାର ବ୍ୟବହାର ଏହି ପ୍ରଯୁକ୍ତି ବିଦ୍ୟାର ସଫଳତା ପରେ ବୃଦ୍ଧି ପାଇବ ।

ଭାରତ ପ୍ରସଙ୍ଗରେ ଏକ ବିରାଟ ପରିବର୍ତନ ଆଣିବାରେ ଏହି ପ୍ରକଳ୍ପ ପାଖରେ ସାମର୍ଥ୍ୟ ରହିଛି । ଏହାଫଳରେ ଶକ୍ତି ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ କୋଇଲାକୁ ପରିବେଶର ଶୁଦ୍ଧତା ରଖାଯାଇ ବ୍ୟବହାର କରାଯାଇ ପାରିବ । ଏହାଫଳରେ ୨.୩୮ଏମଏମଏସସିଏମଡି ପରିମାଣର ପ୍ରାକୃତିକ ଗ୍ୟାସର ଉତ୍ପାଦନ ହୋଇପାରିବ ଏବଂ ଏହାଦ୍ୱାରା ଏଲଏନଜି ଉତ୍ପାଦନ ଦେୟ ହ୍ରାସ ପାଇବ । ରସାୟନ ଓ ସାର ମବୀ ଶ୍ରୀ ଡିଭି ସଦାନନ୍ଦ ଗୌଡା କହିଲେ ଯେ ଦେଶରେ ଖାଦ୍ୟ ଆବଶ୍ୟକତାକୁ ପୁରଣ କରିବା ପାଇଁ ସାର ବିଶେଷ କରି ୟୁରିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଚାହିଦା ମେଂଟାଇବା ପାଇଁ ଭାରତ ପ୍ରତିବର୍ଷ ୫୦ରୁ ୭୦ ଲକ୍ଷ ୟୁରିଆ ଉତ୍ପାଦନ କରୁଛି । ଘରୋଇ ଭାବେ ୟୁରିଆର ଉତ୍ପାଦନ ବୃଦ୍ଧି କରିବା ପାଇଁ ଭାରତ ଚେଷ୍ଟା କରୁଛି ।

ସମ୍ପ୍ରତି ଦେଶରେ ପ୍ରାକୃତିକ ଗ୍ୟାସର ବ୍ୟବହାର କରାଯାଇ ୟୁରିଆ ଉତ୍ପାଦନ କରାଯାଉଛି । ଏଥି ମଧ୍ୟରେ ରହିଛି ଘରୋଇ ପ୍ରାକୃତିକ ବାଷ୍ପ ଓ ଆମଦାନୀ କରାଯାଉଥିବା ଏଲଏନଜି । ଏଲଏନଜିର ଉତ୍ପାଦନ ଅତ୍ୟନ୍ତ ମହଙ୍ଗା ଏବଂ ଏଥିପାଇଁ ଭାରତକୁ ଅନେକ ମୂଲ୍ୟବାନ ବୈଦେଶିକ ମୁଦ୍ରା ବ୍ୟୟ କରିବାକୁ ପଡିଥାଏ । ତେଣୁ ଦେଶରେ ୟୁରିଆ ଓ ଅନ୍ୟାନ୍ୟ ସାରର ଉତ୍ପାଦନ ପାଇଁ ସ୍ୱଦେଶୀ କଂଚାମାଲର ବ୍ୟବହାରକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ସେ କହିଲେ ଯେ ତାଳଚେର ସାର ପ୍ରକଳ୍ପ ଏ ଦିଗରେ ଏକ ପଦକ୍ଷେପ ଯେଉଁଠି ୟୁରିଆ ଉତ୍ପାଦନ ପାଇଁ ସ୍ୱଦେଶୀ କୋଇଲା ଓ ପିଟକୋକର ମିଶ୍ରଣକୁ କଂଚାମାଲ ଭାବେ ବ୍ୟବହାର କରାଯିବ । ଏହି ପ୍ରକଳ୍ପ ଫଳରେ ୟୁରିଆ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ ଏବଂ ଓଡିଶାରେ କୃଷିର ବିକାଶ ହେବ । ଏହାଛଡ଼ା ଦେଶ ତଥା ରାଜ୍ୟର କୃଷକଙ୍କ ପାଇଁ ଯଥେଷ୍ଟ ପରିମାଣର ୟୁରିଆ ଉପଲ୨ ହୋଇପାରିବ । ଶ୍ରୀ ଗୌଡା କହିଥିଲେ ଯେ ‘ମେକ ଇନ ଇଣ୍ଡିଆ’ ଅନ୍ତର୍ଗତ ଏହି ପଦକ୍ଷେପ ଭାରତକୁ ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବ ଏବଂ ଏଥିସହିତ ୪,୫୦୦ ପରୋକ୍ଷ ଓ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।