Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: କେଆରସିଙ୍କ ଝିଅ କବିତାଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ଏବଂ ଏମଏଲସି କେ କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। କେ କବିତାଙ୍କୁ ଗିରଫ କରାଯାଇ ଦିଲ୍ଲୀ ଅଣାଯାଉଛି। ଇଡି ଆଜି ହାଇଦ୍ରାବାଦରେ ଥିବା ବିଆରଏସ ନେତାଙ୍କ ଘରେ ଚଢାଉ କରିଥିଲା।

ଏହାପୂର୍ବରୁ ଆଜି ଇଡି ଦଳ ହାଇଦ୍ରାବାଦରେ କେ କବିତାଙ୍କ ବାସଭବନରେ ଚଢାଉ କରିଥିଲା। ଏହି ସମୟ ମଧ୍ୟରେ ଇଡି ଦଳ ସହିତ ଆୟକର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। କେବଳ ଏତିକି ନୁହେଁ, ବହୁ ସଂଖ୍ୟକ ପୋଲିସ ମଧ୍ୟ ଇଡି ଟିମ୍ ସହିତ ଥିଲେ।

ଏହି ଇଡି ଆକ୍ରମଣ ପୂର୍ବରୁ କବିତା ଅନୁସନ୍ଧାନକାରୀ ସଂସ୍ଥାର ଅନେକ ସମନରେ ହାଜର
ହୋଇନଥିଲେ। ଏହାପୂର୍ବରୁ ଦିଲ୍ଲୀ ଅବକାରୀ ନୀତି ସମ୍ପର୍କିତ ଇଡି ମଧ୍ୟ କବିତାଙ୍କୁ ଜେରା କରିଥିଲା। ଇଡି ଦାବି କରିଛି ଯେ, ୨୦୨୧-୨୨ ପାଇଁ ଦିଲ୍ଲୀ ଅବକାରୀ ନୀତିରେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରୁଥିବା ମଦ ବ୍ୟବସାୟୀଙ୍କ ଲବି ‘ସାଉଥ୍ ଗ୍ରୁପ୍’ ସହିତ କବିତା ସଂଶ୍ଳିଷ୍ଟ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନା ଗସ୍ତ: ୫୬,୦୦୦ କୋଟିରୁ ଅଧିକ ମୂଲ୍ୟ ପ୍ରକଳ୍ପର କଲେ ଉଦ୍‌ଘାଟନ, ଶିଳାନ୍ୟାସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ଆଦିଲାବାଦ ଠାରେ ୫୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଦ୍ୟୁତ, ରେଳ ଏବଂ ସଡ଼କ କ୍ଷେତ୍ର ସହିତ ଜଡ଼ିତ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କରିଛନ୍ତି ତଥା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଦିଲାବାଦର ଭୂମି କେବଳ ତେଲେଙ୍ଗାନାର ନୁହେଁ , ବରଂ ସମଗ୍ର ଦେଶ ସହ ଜଡିତ ବିକାଶ ପ୍ରକଳ୍ପର ସାକ୍ଷୀ ପାଲଟିଛି କାରଣ ୫୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୩୦ରୁ ଅଧିକ ଉନ୍ନୟନ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଛି କିମ୍ବା ଆଜି ଏହାର ଶିଳାନ୍ୟାସ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାଜ୍ୟର ଶକ୍ତି, ପରିବେଶ ସ୍ଥାୟୀତା ଏବଂ ସଡ଼କ ଯୋଗାଯୋଗ ସହିତ ଜଡିତ ଅନେକ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

କେନ୍ଦ୍ର ସରକାର ଏବଂ ତେଲେଙ୍ଗାନା ରାଜ୍ୟ ଉଭୟ ପ୍ରାୟ ୧୦ ବର୍ଷ ପୂରଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ନାଗରିକଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସରକାର ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଉଛନ୍ତି । ଆଜି ମଧ୍ୟ ୮୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଏନଟିପିସି ୟୁନିଟ ୨ ଉଦ୍‌ଘାଟିତ ହୋଇଛି , ଯାହା ତେଲେଙ୍ଗାନାର ବିଦ୍ୟୁତ ଉତ୍ପାଦନ କ୍ଷମତାକୁ ଆହୁରି ବୃଦ୍ଧି କରିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସେ ଅମ୍ବାରୀ – ଆଦିଲାବାଦ – ପିମ୍ପଲଖୁଟି ରେଳ ଲାଇନର ବିଦ୍ୟୁତିକରଣ ଶେଷ ହେବା ଏବଂ ଆଦିଲାବାଦ, ବେଲା ଏବଂ ମୁଲୁଗୁରେ ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ଆଜିର ଏହି ଆଧୁନିକ ରେଳ ଓ ସଡ଼କ ପ୍ରକଳ୍ପଗୁଡ଼ିକ ତେଲେଙ୍ଗାନା ତଥା ସମଗ୍ର ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା ସହିତ ଯାତ୍ରା ସମୟ  ହ୍ରାସ କରିବ, ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ଅଗଣିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ରାଜ୍ୟ ଗୁଡ଼ିକର ବିକାଶ ମାଧ୍ୟମରେ ଦେଶର ବିକାଶର ମନ୍ତ୍ରକୁ ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ । ଉନ୍ନତ ଅର୍ଥନୀତି ସହିତ ଦେଶ ଉପରେ ବିଶ୍ୱାସ ବୃଦ୍ଧି ପାଇଥାଏ ଏବଂ ରାଜ୍ୟରେ ପୁଞ୍ଜି ନିବେଶ ହେଲେ, ରାଜ୍ୟମାନେ ହିଁ ଲାଭବାନ ହୁଅନ୍ତି ବୋଲି ସେ କହିଛନ୍ତି । ଗତ ତ୍ରୈମାସିକରେ ଭାରତ ଏକମାତ୍ର ପ୍ରମୁଖ ଅର୍ଥନୀତି ଭାବେ ୮.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବାରୁ ଭାରତୀୟ ଅର୍ଥନୀତିର ଉଚ୍ଚ ଅଭିବୃଦ୍ଧି ହାରକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଜୋର ଧରିଛି ବୋଲି ସେ ଉଲ୍ଲେଖ କରିଥିଲେ । “ଏହି ଦ୍ରୁତ ଗତିରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ” ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଏହାର ଅର୍ଥ ହେଉଛି ତେଲେଙ୍ଗାନାର ଅର୍ଥନୀତି ମଧ୍ୟ ଉଚ୍ଚ ଅଭିବୃଦ୍ଧିସମ୍ପନ୍ନ ହେବ ।

ତେଲେଙ୍ଗାନା ଭଳି କ୍ଷେତ୍ରରେ ପୂର୍ବରୁ ହୋଇଥିବା ଅବହେଳାକୁ  ମନେ ପକାଇ ପ୍ରଧାନମନ୍ତ୍ରୀ ଗତ ୧୦ ବର୍ଷ ମଧ୍ୟରେ ଶାସନର ନୂତନ ପଦ୍ଧତି ଉପରେ ଆଲୋକପାତ କରିଥିଲେ । ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ବିକାଶ ପାଇଁ ଅଧିକ ଆବଣ୍ଟନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆମ ପାଇଁ ବିକାଶର ଅର୍ଥ ହେଉଛି ଅତି ଗରିବ ଲୋକ ମାନଙ୍କର ବିକାଶ, ଦଳିତ, ଆଦିବାସୀ, ପଛୁଆ ଓ ବଞ୍ଚିତଙ୍କ ବିକାଶ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର‌୍ୟରୁ ମୁକୁଳିଛନ୍ତି ଏବଂ ଗରିବଙ୍କ ପାଇଁ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସେ ଶ୍ରେୟ ଦେଇଥିଲେ ।

ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗାମୀ ୫ ବର୍ଷ ମଧ୍ୟରେ ଏଭଳି ଅଭିଯାନକୁ ଆହୁରି ବ୍ୟାପକ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ତେଲେଙ୍ଗାନା ରାଜ୍ୟପାଳ ଡ. ତାମିଲିସାଇ ସୌନ୍ଦରରାଜନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରେବନ୍ତ ରେଡ୍ଡୀ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି.  କିଶନ ରେଡ୍ଡୀ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ଶକ୍ତି କ୍ଷେତ୍ର ସହ ଜଡିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ  ଏବଂ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ତେଲେଙ୍ଗାନାର ପେଡାପଲ୍ଲୀ ଠାରେ ଏନଟିପିସିର ୮୦୦ ମେଗାୱାଟ (ୟୁନିଟ-୨) ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଅଲ୍ଟ୍ରା – ସୁପରକ୍ରିଟିକାଲ ଟେକ୍ନୋଲୋଜି ଉପରେ ଆଧାରିତ ଏହି ପ୍ରକଳ୍ପ ତେଲେଙ୍ଗାନାକୁ ୮୫% ବିଜୁଳି ଯୋଗାଣ କରିବ ଏବଂ ଭାରତରେ ଏନ୍‌ଟିପିସିର ସମସ୍ତ ପାୱାର ଷ୍ଟେସନ ମଧ୍ୟରେ ଏହାର ଉତ୍ପାଦନ ଦକ୍ଷତା ଅଧିକ ଅର୍ଥାତ୍ ପ୍ରାୟ ୪୨% ବିଦ୍ୟୁତ ଉତ୍ପାଦନ ଦକ୍ଷତା ରହିବ । ଏହି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ ପୂର୍ବରୁ ପ୍ରଧାନମନ୍ତ୍ରୀ କରିଥିଲେ ।

ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଛତ୍ରା ଠାରେ ଉତ୍ତର କରଣପୁରା ସୁପର ଥର୍ମାଲ ପାୱାର ପ୍ରକଳ୍ପର ୬୬୦ ମେଗାୱାଟ (ୟୁନିଟ-୨) ଲୋକାର୍ପଣ କରିଥିଲେ । ଏୟାର କୁଲ୍ଡ କଣ୍ଡେନସର (ଏସିସି) ସହ ଏତେ ବଡ଼ ଧରଣର ପରିକଳ୍ପନା କରାଯାଇଥିବା ଏହି ପ୍ରକଳ୍ପ ହେଉଛି ଦେଶର ପ୍ରଥମ ସୁପରକ୍ରିଟିକାଲ ଥର୍ମାଲ ପାୱାର ପ୍ରକଳ୍ପ ଯାହା ପାରମ୍ପରିକ ୱାଟର – କୁଲ୍ଡ କଣ୍ଡେନସର୍  ତୁଳନାରେ ଜଳ ବ୍ୟବହାରକୁ ୧/୩ ଭାଗକୁ ହ୍ରାସ କରିଥାଏ । ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।

ପ୍ରଧାନମନ୍ତ୍ରୀ ଛତିଶଗଡ଼ର ବିଳାସପୁରର ସିପତ ଠାରେ ଫ୍ଲାଇ ଆଶ୍ ଆଧାରିତ ହାଲୁକା ଓଜନ ଏଗ୍ରିଗେଟ୍ ପ୍ଲାଣ୍ଟ ; ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଥିବା ଏସ୍‌ଟିପି ୱାଟରରୁ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟକୁ ଲୋକାର୍ପଣ କରିଥିଲେ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ସୋନଭଦ୍ରା ଠାରେ ସିଙ୍ଗରୌଲି ସୁପର ଥର୍ମାଲ ପାୱାର ପ୍ରକଳ୍ପ, ପର୍ଯ୍ୟାୟ – ୩ (୨ x ୮୦୦ ମେଗାୱାଟ);  ଛତିଶଗଡ଼ର ରାୟଗଡ଼ର ଲାରା ଠାରେ ଫ୍ଲୁ ଗ୍ୟାସ୍ କାର୍ବନ ଡାଇଅକ୍ସାଇଡ୍‌ରୁ ୪ଜି ଇଥାନଲ ପ୍ଲାଣ୍ଟ; ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ସିଂହାଦ୍ରି ଠାରେ ସମୁଦ୍ର ଜଳରୁ ସବୁଜ ହାଇଡ୍ରୋଜେନ୍ ପ୍ଲାଣ୍ଟ ; ଏବଂ ଛତିଶଗଡ଼ର କୋରବା ଠାରେ ଫ୍ଲାଇ ଆଶ୍ ଆଧାରିତ ଫ୍ଲାଗ୍ ଏଗ୍ରିଗେଟ୍ ପ୍ଲାଣ୍ଟ୍‌ର ଶିଳାନ୍ୟାସ କରିଛନ୍ତି ।

ପ୍ରଧାନମନ୍ତ୍ରୀ ପାୱାର ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ୭ଟି ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଜାତୀୟ ଗ୍ରିଡ୍‌କୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ପ୍ରଧାନମନ୍ତ୍ରୀ ରାଜସ୍ଥାନର ଜୈସଲମେର ଠାରେ ଜାତୀୟ ଜଳବିଦ୍ୟୁତ୍ ଶକ୍ତି ନିଗମ (ଏନ୍‌ଏଚ୍‌ପିସି)ର ୩୮୦ ମେଗାୱାଟ୍ ସୌର ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି ପ୍ରକଳ୍ପରୁ ପ୍ରତି ବର୍ଷ ପ୍ରାୟ ୭୯୨ ନିୟୁତ ୟୁନିଟ୍ ସବୁଜ ଶକ୍ତି ଉତ୍ପାଦନ ହେବ ।

ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଜାଲୌନ ଠାରେ ବୁନ୍ଦେଲଖଣ୍ଡ ସୌର ଉର୍ଜା ଲିମିଟେଡ୍ (ବିଏସ୍ ୟୁଏଲ୍‌)ର ୧୨୦୦ ମେଗାୱାଟ୍ ଜାଲୌନ୍ ଅଲ୍ଟ୍ରା ମେଗା ନବୀକରଣୀୟ ଶକ୍ତି ପାର୍କର ଶିଳାନ୍ୟାସ କରିଛନ୍ତି । ଏହି ପାର୍କରୁ ପ୍ରତି ବର୍ଷ ପ୍ରାୟ ୨୪୦୦ ନିୟୁତ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ ହେବ ।

ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଜାଲୌନ ଏବଂ କାନପୁର ଦେହାଟରେ ସତଲେଜ୍ ଜଳ ବିଦ୍ୟୁତ ନିଗମ (ଏସ୍‌ଜେଭିଏନ୍‌)ର ତିନୋଟି ସୌର ଶକ୍ତି ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ ଗୁଡ଼ିକର ସମୁଦାୟ କ୍ଷମତା ୨୦୦ ମେଗାୱାଟ୍ । ଏହି ସବୁ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ ପ୍ରଧାନମନ୍ତ୍ରୀ କରିଥିଲେ । ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ଉତ୍ତରକାଶୀରେ ନୈତୱାର ମୋରି ଜଳ ବିଦ୍ୟୁତ୍ କେନ୍ଦ୍ର ସହିତ ଆନୁସଙ୍ଗିକ ଟ୍ରାନ୍ସମିସନ ଲାଇନ୍‌କୁ ଉଦ୍‌ଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ବିଳାସପୁର ଏବଂ ଆସାମର ଧୁବରି ଠାରେ ଏସ୍‌ଜେଭିଏନ୍‌ର ଦୁଇଟି ସୌର ପ୍ରକଳ୍ପ ଏବଂ ହିମାଚଳ ପ୍ରଦେଶରେ ୩୮୨ ମେଗାୱାଟ ସୁନ୍ନି ଡ୍ୟାମ୍ ଜଳ ବିଦ୍ୟୁତ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଲଳିତପୁର ଜିଲ୍ଲାରେ ଟୁସ୍କୋର ୬୦୦ ମେଗାୱାଟ ଲଳିତପୁର ସୌର ଶକ୍ତି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପରେ ବାର୍ଷିକ ୧୨୦୦ ନିୟୁତ ୟୁନିଟ୍ ସବୁଜ ଶକ୍ତି ଉତ୍ପାଦନ ହେବ ।

ନବୀକରଣୀୟ ଶକ୍ତିରୁ ୨୫୦୦ ମେଗାୱାଟ୍ ବିଦ୍ୟୁତ୍ ନିଷ୍କାସନ ପାଇଁ ପ୍ରଧାନମନ୍ତ୍ରୀ ରିନ୍ୟୁଜ୍‌ର କୋପ୍ପାଲ – ନରେନ୍ଦ୍ର ଟ୍ରାନ୍ସମିସନ୍ ଯୋଜନାର ଉଦଘାଟନ କରିଥିଲେ । ଏହି ଆନ୍ତଃରାଜ୍ୟ ଯୋଜନା କର୍ଣ୍ଣାଟକର କୋପ୍ପାଲ ଜିଲ୍ଲାରେ ଅବସ୍ଥିତ । ଦାମୋଦର ଭ୍ୟାଲି କର୍ପୋରେସନ୍ ଏବଂ ଇଣ୍ଡିଗ୍ରିଡ୍ ବିଦ୍ୟୁତ୍ କ୍ଷେତ୍ର ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ ।

ଏହି ଗସ୍ତ ସମୟରେ ଶକ୍ତି କ୍ଷେତ୍ର ବ୍ୟତୀତ ସଡ଼କ ଓ ରେଳ କ୍ଷେତ୍ରର ମଧ୍ୟ ପ୍ରକଳ୍ପ ହାତକୁ ନିଆଯାଇଥିଲା । ପ୍ରଧାନମନ୍ତ୍ରୀ ନୂତନ ଭାବେ ବିଦ୍ୟୁତ୍ ସଂଯୋଗ ହୋଇଥିବା ଅମ୍ବାରୀ – ଆଦିଲାବାଦ – ପିମ୍ପଲଖୁଟି ରେଳ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ ଜାତୀୟ ରାଜପଥ- ୩୫୩ବି ଏବଂ ଜାତୀୟ ରାଜପଥ- ୧୬୩ ମାଧ୍ୟମରେ ତେଲେଙ୍ଗାନାକୁ ମହାରାଷ୍ଟ୍ର ଏବଂ ତେଲେଙ୍ଗାନାକୁ ଛତିଶଗଡ଼ ସହିତ ସଂଯୋଗ କରୁଥିବା ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଆଜିଠାରୁ ୬ ଯାଏଁ ପ୍ରଧାନମନ୍ତ୍ରୀଙ୍କ ତେଲଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାର୍ଚ୍ଚ ୪-୬, ୨୦୨୪ ରେ ତେଲଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ।

ମାର୍ଚ୍ଚ ୫ ତାରିଖ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପ୍ରଧାନମନ୍ତ୍ରୀ ଯାଜପୁରର ଚଣ୍ଡିଖୋଲଠାରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ।

ଏହି ପ୍ରକଳ୍ପ ଗୁଡ଼ିକ ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରର ଅଟେ।

ପ୍ରଧାନମନ୍ତ୍ରୀ ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ କରିବେ ଯାହା ଭାରତର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ଆହୁରି ସହାୟକ ହେବ । ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବର ପ୍ରଡକ୍ଟ ପାଇପଲାଇନକୁ ଉଦଘାଟନ କରିବେ । ଭାରତର ପୂର୍ବ ଉପକୂଳରେ ଆମଦାନୀ ଭିତ୍ତିଭୂମି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ପାରାଦୀପରେ ୦.୬ ଏମଏମଟିପିଏ ଏଲପିଜି ଆମଦାନୀ ସୁବିଧାର ଉଦଘାଟନ କରିବେ ।

ଏହି ଅଞ୍ଚଳରେ ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ-୪୯ର ସିଙ୍ଗଡ଼ାରୁ ବିଞ୍ଜାବାହାଲ ସେକ୍ସନର ଚାରି ଲେନ୍, ୪୯ ନମ୍ବର ଜାତୀୟ ରାଜପଥର ବିଞ୍ଜାବାହାଲରୁ ତିଲେଇବଣୀ ସେକ୍ସନର ୪ ଲେନ୍; ୧୮ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର-ଝାରପୋଖରିଆ ସେକ୍ସନର ୪ ଲେନ୍ ଏବଂ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଭୁବନେଶ୍ୱର ସେକ୍ସନର ୪ ଲେନ୍ କାର୍ଯ୍ୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଚଣ୍ଡିଖୋଲଠାରେ ଚଣ୍ଡିଖୋଲ- ପାରାଦୀପ ସେକ୍ସନର ଆଠ ଲେନ୍ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ ମଧ୍ୟ କରିବେ।

ରେଳ ସଂଯୋଗର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେବା ସହିତ ରେଳ ନେଟୱାର୍କର ସମ୍ପ୍ରସାରଣ ମଧ୍ୟ କରାଯିବ । ପ୍ରଧାନମନ୍ତ୍ରୀ ୧୬୨ କିଲୋମିଟର ବାଂଶପାଣି – ଦୈତାରୀ – ଟମକା – ଜଖପୁରା ରେଳ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା କେବଳ ବର୍ତ୍ତମାନର ଟ୍ରାଫିକ୍ ସୁବିଧାର କ୍ଷମତା ବୃଦ୍ଧି କରିବ ନାହିଁ ବରଂ କେନ୍ଦୁଝର ଜିଲ୍ଲାରୁ ନିକଟସ୍ଥ ବନ୍ଦର ଏବଂ ଇସ୍ପାତ କାରଖାନାକୁ ଲୁହା ଓ ମାଙ୍ଗାନିଜ ପଥରର ଦକ୍ଷ ପରିବହନକୁ ସହଜ କରିବ, ଯାହା ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଘରୋଇ ଓ ଅନ୍ତର୍ଜାତୀୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କଳିଙ୍ଗ ନଗରରେ କନକୋର କଣ୍ଟେନର ଡିପୋର ଉଦଘାଟନ କରାଯିବ । ନର୍ଲାଠାରେ ଇଲେକ୍ଟ୍ରିକ୍ ଲୋକୋ ପିରିଓଡିକାଲ ଓଭରହୋଲିଂ ୱାର୍କସପ୍, କଣ୍ଟାବାଞ୍ଜିରେ ଓ୍ଵାଗନ୍ ପିରିଓଡିକାଲ୍‌ ଓଭରହୋଲିଂ ୱାର୍କସପ୍ ଏବଂ ବାଘୁଆପାଳରେ ରକ୍ଷଣାବେକ୍ଷଣ ସୁବିଧାର ଉନ୍ନତିକରଣ ଓ ବୃଦ୍ଧି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ଗସ୍ତ ସମୟରେ ନୂତନ ଟ୍ରେନ୍ ସେବାର ଶୁଭାରମ୍ଭ ସମେତ ଅନ୍ୟାନ୍ୟ ରେଳ ପ୍ରକଳ୍ପ ମଧ୍ୟ ହାତକୁ ନିଆଯିବ।

ପ୍ରଧାନମନ୍ତ୍ରୀ ଆଇଆରଇଏଲ୍ (ଆଇ) ଲିମିଟେଡର ଓଡ଼ିଶା ସ୍ୟାଣ୍ଡସ କମ୍ପ୍ଲେକ୍ସରେ ୫ ଏମଏଲଡି କ୍ଷମତା ବିଶିଷ୍ଟ ସମୁଦ୍ର ଜଳ ଡିସାଲିନେସନ ପ୍ଲାଣ୍ଟକୁ ଉଦଘାଟନ କରିବେ । ଭାବା ପରମାଣୁ ଗବେଷଣା କେନ୍ଦ୍ର ଦ୍ୱାରା ବିକଶିତ ସ୍ୱଦେଶୀ ଡିସାଲିନେସନ୍ ଟେକ୍ନୋଲୋଜିର କ୍ଷେତ୍ର ପ୍ରୟୋଗର ଏକ ଅଂଶ ଭାବରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

BreakingNews: ତେଲେଙ୍ଗାନା ଡିଜିପିଙ୍କୁ ନିଳମ୍ବିତ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ହାଇଦ୍ରାବାଦ: ଆଜି ତେଲେଙ୍ଗାନା ରାଜ୍ୟ ଡିଜିପି ଅଂଜନୀ କୁମାରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଚାକିରୀରୁ ନିଳମ୍ବିତ କରିଛନ୍ତି। ଏହାର କାରଣ ହେଲା ଯେ, ସେ ନିର୍ବାଚନ ଅଚରଣ ବିଧି ଉଲ୍ଲଂଘନ କରିଛନ୍ତି। ଆଉ ତାହା ହେଲା ଯେ ସେ ରାଜ୍ୟ କଂଗ୍ରେସ ମୁଖ୍ୟ ଏ ରିଭେନ୍ଥ ରେଡ୍ଡୀଙ୍କୁ ଆଜି ସାକ୍ଷାତ କରି ତାଙ୍କୁ ଫୁଲତୋଡା ପ୍ରଦାନ କରିଛନ୍ତି।

ଆଜି ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ସେଠାରେ କଂଗ୍ରେସ ବିଜୟ ଲାଭ କରିଛି। କଂଗ୍ରେସ ସରକାର କରିବା ନିଶ୍ଚିତ ବୋଲି ଜଣାପଡିଛି। ଏହି ଖବର ଆସିବା ପରେ ଡିଜିପି ଅଂଜନୀ କୁମାର ଆଉ ତିନିଜଣ ପୋଲିସ ଅଧିକାରୀଙ୍କୁ ସାଥିରେ ନେଇ ରେଡ୍ଡୀଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ବର୍ତ୍ତମାନ ନିର୍ବାଚନ ଆଚରଣ ବିଧି ଲାଗୁଥିବା ବେଳେ ସେ ଏପରି ସାକ୍ଷାତ ଠିକ ନ ଥିଲା। ସେଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତାଙ୍କୁ ନିଳମ୍ବିତ କରିଛନ୍ତି।

 

Categories
ଆଜିର ଖବର ଜାତୀୟ ଖବର

କରୋନା ମୁକାବିଲା ପାଇଁ ୫୦ ହଜାର ଦାନ କଲେ କୃଷକ

ହାଇଦ୍ରାବାଦ : କରୋନା ମୁକାବିଲା ପାଇଁ ବିଭିନ୍ନ ଶିଳ୍ପପତି ଓ କଳାକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ପ୍ରଦାନ କରାଯାଉଥିବା ବେଳେ ମାତ୍ର ୫୦ ହଜାର ଟଙ୍କା ପ୍ରଦାନ କରି ଚର୍ଚ୍ଚାକୁ ଆସିଛନ୍ତି ତେଲେଙ୍ଗାନାର ଜନୈକ କ୍ଷୁଦ୍ର ଚାଷୀ । ଏହି ଚାଷୀ ଜଣକ ତେଲେଙ୍ଗାନା ସରକାରଙ୍କ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କରି ଚର୍ଚ୍ଚାରେ ରହିଛନ୍ତି । ଆଦିଲାବାଦର ମୋରା ହମାନ୍ଦଲୁ ନାମକ ଏହି ଚାଷୀ ଜଣକ ସାଢେ୪ ଏକର ଜମିରେ ଚାଷ କରନ୍ତି । ଚଳିତ ବର୍ଷର ଆୟର ଅର୍ଥକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ପ୍ରଦାନ କରିଛନ୍ତି ଏହି ଚାଷୀ । ହମାନ୍ଦଲୁଙ୍କ ବିଷୟରେ ଟ୍ୱିଟ୍ଟରରେ ଉଲ୍ଲେଖ କରିଛନ୍ତି ତେଲେଙ୍ଗାନା କ୍ୟାବିନେଟ୍ ମନ୍ତ୍ରୀ କେଟିଆର୍ । ‘ହମାନ୍ଦୁଲା ଜଣେ କ୍ଷୁଦ୍ର ଚାଷୀ ଯାହାଙ୍କ ହୃଦୟ ବିଶାଳ’ ବୋଲି ଟ୍ୱିଟ୍ କରିଥିଲେ କେଟିଆର୍ ।

Categories
ଆଜିର ଖବର

ତେଲେଙ୍ଗାନା ପୋଲିସ୍‌ର ଏନ୍‌କାଉଣ୍ଟରକୁ ମାନେକା ଗାନ୍ଧୀଙ୍କ ନିନ୍ଦା

ନୂଆଦିଲ୍ଲୀ,6/12: ପଶୁ ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏନ୍‌କାଉଣ୍ଟରକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ନେତା, ଅଭିନେତା ଏବଂ ସାଧାରଣ ଲୋକ ପୋଲିସ୍‌କୁ ପ୍ରଶଂସା କରିଥିବା ବେଳେ ବିଜେପିର କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀ ଏହାକୁ ନାପସନ୍ଦ କରିଛନ୍ତି । ଯାହାବି ହେଲା ତାହା ବହୁତ ଭୟଙ୍କର ଏବଂ ଏପରି ହେବା ଅନୁଚିତ୍‌ ବୋଲି ମାନେକା କହିଛନ୍ତି । ଅଭିଯୁକ୍ତ ମାନଙ୍କୁ କୋର୍ଟେର ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡିତ କରାଯିବା ଉଚିତ୍‌ ହୋଇଥାନ୍ତା ବୋଲି ମାନେକା ପ୍ରକାଶ କରିଛନ୍ତି । ଯଦି ପୋଲିସ୍‌ ଏପରି ଆଇନକୁ ହାତକୁ ନେବ ତେବ ଦେଶରେ ଆଇନ କାନୁନ୍‌ ଏବଂ ନ୍ୟାୟିକ ବ୍ୟବସ୍ଥା ରହିବାର ଫାଇଦା କଣ ବୋଲି ସଂସଦ ବାହାରେ ମତ ଦେଇଛନ୍ତି ମାନେକା । ଏହି ମାମଲାରେ ମାନେକାଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି କଂଗ୍ରେସ ନେତ୍ରୀ କୁମାରୀ ଶୈଳଜା ।(ଏଜେନ୍ସୀ)

Categories
ଆଜିର ଖବର

ତେଲେଙ୍ଗାନାରେ କଂଗ୍ରେସକୁ ବଡ ଝଟ୍‌କା : ୧୨ ବିଧାୟକ ଟିଆରଏସ୍‌ରେ ସାମିଲ୍‌ ହେବେ

ତେଲେଙ୍ଗାନାରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଦଳର ସମସ୍ତ ୧୮ ଜଣ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଦଳ ଟିଆରଏସ୍‌ରେ ବିଲୟ ହେବାକୁ ଘୋଷଣା କରିଛନ୍ତି। ଏହି ସମ୍ବନ୍ଧୀୟ ଘୋଷଣା ପାଇଁ ଆଜି ତେଲେଙ୍ଗାନା ବିଧାନସଭାର ବାଚସ୍ପତିଙ୍କ ସହ ବିଧାୟକମାନେ ସାକ୍ଷାତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ୧୮ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାନସଭା ଅଧ୍ୟକ୍ଷଙ୍କ ସହ ସାକ୍ଷାତ୍‌ କରି ତେଲେଙ୍ଗାନା ରାଷ୍ଟ୍ର ସମିତି ବିଧାୟକ ଦଳରେ ସାମିଲ୍‌ ହେବା ପାଇଁ ଅପିଲ୍‌ କରିଛନ୍ତି। କେ. ଚନ୍ଦ୍ରଶେଖର ରାଓ ତେଲେଙ୍ଗାନାରେ ୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ତାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ନିକଟରେ ଲୋକସଭା ନିର୍ବାଚନରେ ଟିଆରଏସ୍‌ ୧୭ଟି ସିଟ୍‌ରୁ ୯ଟି ଆସନ ହାତେଇଥିବାବେଳେ, କଂଗ୍ରେସ ଗୋଟିଏ ଓ ବିଜେପି ଚାରିଟି ଓ ଏଆଇଏମଆଇଏମ୍‌ ଗୋଟିଏ ଆସନ ଜିତିଛି।

Categories
ଆଜିର ଖବର

ତେଲେଙ୍ଗାନା ଉପ ନିର୍ବାଚନରେ ଟିଆର୍‌ଏସ୍‌ ବିଜୟୀ

ତେଲେଙ୍ଗାନାରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ତିନୋଟି ଉପ ନିର୍ବାଚନରେ ବିଜୟୀ ହୋଇଛି। ସୋମବାର ତିନି ଆସନର ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବା ବେଳେ ତିନି ଆସନରେ ଟିଆରଏସ୍‌ ବିଜୟୀ ହୋଇଛି। ନାଲଗୋଣ୍ଡା, ଓ୍ବାରାଙ୍ଗଲ ଏବଂ ରଙ୍ଗା ରେଡ୍ଡୀରେ ଟିଆରଏସ୍‌ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ନାଲଗୋଣ୍ଡାରୁ ଟେରା ଚିନ୍ନାପା ରେଡ୍ଡୀ, ଓ୍ବାରାଙ୍ଗଲରୁ ପୋଚମ ପଲ୍ଳୀ ଶ୍ରୀନିବାସ ରେଡ୍ଡୀ ଏବଂ ରଙ୍ଗାରେଡ୍ହୀରୁ ପି ମହେନ୍ଦ୍ର ରେଡ୍ହୀ ବିଜୟୀ ହୋଇଛନ୍ତି। ଲୋକସଭା ନିର୍ବାଚନର ଫଳାଫଳ ପରେ ଏହା ଟିଆରଏସ୍‌ ପାଇଁ ଖୁସି ଖବର। ଲୋକ ସଭାରେ ଟିଆରଏସ୍‌ ୧୩-୧୪ ଆସନରେ ବିଜୟୀ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଦଳ ମାତ୍ର ୯ଟି ଆସନରେ ବିଜୟୀ ହୋଇଥିଲା। ଉପ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର

ନେତାଙ୍କ ରାଲି ପାଇଁ ଛାତ୍ରଛାତ୍ରୀଙ୍କୁ ଖରାରେ ଛିଡା କରାଇଲେ : ସ୍କୁଲ ବିରୋଧରେ ମାମଲା

ନେତାଙ୍କ ସ୍ବାଗତ ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଖରାରେ ଛିଡା କରାଇବା କାରଣରୁ ସ୍କୁଲ ଅଧିକାରୀଙ୍କ ବିପକ୍ଷରେ ମାମଲା ରୁଜୁ କରାଯାଇଛି। କରୀମନଗରରେ ତେଲଙ୍ଗାନା ରାଷ୍ଟ୍ରୀୟ ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ କେଟୀ ରାମାରାଓଙ୍କୁ ସ୍ୱାଗତ କରିବା ପାଇଁ ଶହେରୁ ଅଧିକ ସ୍କୁଲ ପିଲାଙ୍କୁ ଖରାରେ ୩ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଛିଡା କରାଯାଇଥିବା ଅଭିଯୋଗରେ ପୋଲିସ ଏକ ପ୍ରାଇଭେଟ ସ୍କୁଲ ବିରୋଧରେ ମାମଲା ରୁଜୁ କରିଛି। ଛାତ୍ର-ଛାତ୍ରୀଙ୍କ ହାତରେ ପୋଷ୍ଟର-ବ୍ୟାନର ଦେଇ ଟିଆରଏସର ରାଲିକୁ ନିଆଯାଇଥିଲା। ଶିଶୁ ଅଧିକାର ସହ ଜଡିତ ଥିବା ଏକ ବେସରକାରୀ ସଂଗଠନର ଅଭିଯୋଗ ପରେ କରୀମନଗର ବନ ଟାଉନ ପୋଲିସ ସ୍କୁଲ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନ୍ତରୀଣ ତଦନ୍ତ ପରେ ପୋଲିସ କିଶୋର ନ୍ୟାୟ ଧାରା ୭୫ ଅନୁସାରେ ମାମଲା ରୁଜୁ କରିଛି। ରାଲିରେ ପିଲାମାନଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିବାର ମାମଲା ରୁଜୁ କରାଯାଇଛି। ମହିଳା ଏବଂ ଶିଶୁ କଲ୍ୟାଣ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ଟିଆରଏସ ନେତାଙ୍କ ସ୍ୱାଗତ ପାଇଁ  ଶହେରୁ ଅଧିକ ପିଲାଙ୍କୁ ପୋଷ୍ଟର ବ୍ୟାନେର ସହ ସକାଳ ୧୧ ଟାରୁ ଆରମ୍ଭ କରି ଅପରାହ୍ନ ୨ ପର୍ଯ୍ୟନ୍ତ ଟାଣ ଖରାରେ ଛିଡା କରାଯାଇଥିଲା। ଏହି ସମୟରେ ପିଲାମାନଙ୍କୁ ଖାଇବା ଏବଂ ପିଇବା ପାଇଁ ମଧ୍ୟ ଦିଆଯାଇନଥିଲା।

Categories
ଆଜିର ଖବର

ଦଳରୁ ଇସ୍ତଫା ଦେଲେ ପି. ସୁଧାକର ରେଡ୍ଡି, କଂଗ୍ରେସରେ ପଇସା ବଦଳରେ ଟିକେଟ ମିଳୁଛି ବୋଲି ଅଭିଯୋଗ କଲେ

ଲୋକସଭା ନିର୍ବାଚନର ଠିକ୍‌ ପୂର୍ବରୁ ତେଲେଙ୍ଗାନାର ମୁଖ୍ୟ ବିପକ୍ଷ ଦଳ କଂଗ୍ରେସକୁ ଝଟ୍‌କା ଲାଗିଛି। ୧୦ ଏମଏଲ୍‌ଏ ଟିଆରଏସ୍‌ରେ ମିଶିବା ପରେ କଂଗ୍ରେସର ଅନ୍ୟ ଜଣେ ବରିଷ୍ଠ ନେତା ପି. ସୁଧାକର ରେଡ୍ଡି ଆଜି ଇସ୍ତଫା ଦେଇଛନ୍ତି। ତେବେ ସେ ବିଜେପିରେ ମିଶିବେ ବୋଲି ଶୁଣିବାକୁ ମିଳୁଛି। ତେଲେଙ୍ଗାନା ବିଧାନ ପରିଷଦର ପୂର୍ବ ସଦସ୍ୟ ସୁଧାକର ରେଡ୍ଡି ପରିଷଦର ସଦସ୍ୟ ରୂପେ ନିଜ କାର୍ଯ୍ୟକାଳ ସମାପ୍ତ ହେବାର ଦୁଇ ଦିନ ପରେ ଏହି ନିର୍ଣ୍ଣୟ ନେଇଛନ୍ତି। ସେ ରାଜ୍ୟର ନେତାମାନଙ୍କର କାର୍ଯ୍ୟରେ ଅସନ୍ତୁଷ୍ଟ ରହିଥିବାବେଳେ ­ନିର୍ବାଚନରେ ଟିକେଟ ଦେବା ପାଇଁ କଂଗ୍ରେସ କୋଟି କୋଟି ଟଙ୍କା ଦାବି କରୁଛି ବୋଲି କହିଛନ୍ତି ସୁଧାକର। ଏଭଳି ଅଭିଯୋଗ ଆଣି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଏକ ଚିଠି ଲେଖି ଜଣାଇବା ସହ ଇସ୍ତଫା ଦେଇଛନ୍ତି ସୁଧାକର। “କଂଗ୍ରେସ ତା’ର ମୌଳିକ ଆଦର୍ଶ ଓ ଚିନ୍ତାଧାରା ହରାଇ ବସିଛି, ଦଳ ନେତା ବାଛିବା ସ୍ଥାନରେ ଦଳୀୟ କର୍ମୀଙ୍କ ପାଖରୁ ଟଙ୍କା ଆଦାୟ କରି ବ୍ୟବସାୟ ଉପରେ ଅଧିକ ଗୁରୁତ୍ବ ଦେଉଛି। ଏହାକୁ ନେଇ ସେ ବେଶ୍‌ ମର୍ମାହତ ହୋଇଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।