Categories
ଆଜିର ଖବର

ମହିଳା ପୁଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଗୋଟିଏ ପଟେ ପାକିସ୍ତାନ ଶାନ୍ତି ପାଇଁ ଉଦ୍ୟମ କରୁଥିବାର କହୁଥିବାବେଳେ ଆଉ ଗୋଟିଏ ପଟେ ଆତଙ୍କୀ କାର୍ଯ୍ୟକ୍ରମ ଚାଲୁ ରହିଛି। ଜମ୍ମୁ କାଶ୍ମୀରର ଶୋପିଆନାଠାରେ ଜଣେ ମହିଳା ସ୍ପେଶାଲ୍‌ ଅଫିସର୍‌ଙ୍କୁ  ଆତଙ୍କୀ ଗୁଳିରେ ହତ୍ୟା କରିଛନ୍ତି। ଆଜି ୨.୪୦ ବେଳକୁ ଶ୍ରୀନଗରଠାରୁ ୬୦ କିଲୋମିଟର ଦୂର ଭେହିଲ୍‌ ଗାଁରେ ଖୁସ୍‌ବୁ ଜାନ୍‌ ନାମକ ଏହି ଏସ୍‌ପିଓଙ୍କ ଉପରକୁ ଆତଙ୍କବାଦୀମାନେ ଅତର୍କିତ ଭାବରେ ଗୁଳି ଚାଳନା କରିଥିବାରୁ ଏହି ଅଘଟଣ ଘଟିଛି। ତୁରନ୍ତ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାପରେ ସେନା, ସ୍ବତନ୍ତ୍ର ଅପରେସନ୍‌ ଗ୍ରୁପ୍‌, ପୁଲିସ୍‌ ଓ ସିଆରପିଏଫ୍‌ ପକ୍ଷରୁ ସେହି ସ୍ଥାନକୁ ଘେରାଉ କରାଯାଇଛି।

Categories
ଆଜିର ଖବର

ନ୍ୟୁଜିଲାଣ୍ଡ ମସଜିଦ୍‌ରେ ଗୁଳିକାଣ୍ଡ:  ୪୦ ନିହତ

ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚ ସହରରେ ଥିବା ୨ଟି ମସଜିଦ୍‌ରେ ଭୟଙ୍କର ଗୁଳିକାଣ୍ଡ ଘଟିଛି। କେତେଜଣ ଆତତାୟୀ ଆଖିବୁଜା ଗୁଳିମାଡ଼ କରିଛନ୍ତି ଏହି ଘଟଣାରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏଥିରେ ବହୁ ସଂଖ୍ୟକ ଆହତ ମଧ୍ୟ ହୋଇଛନ୍ତି। ଏହି ଘଟଣାରେ ୪ଜଣ ସନ୍ଦିଗ୍ଧଙ୍କୁ ପୁଲିସ୍‌ ଧରିଥିବାବେଳେ ଆଉ କେତେଜଣ ବନ୍ଧୁକଧାରୀ ସହରରେ ସକ୍ରିୟ ଥିବାର ଜଣାପଡିଛି। ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ଏହି ଘଟଣାକୁ ନ୍ୟୁଜିଲାଣ୍ଡ ଇତିହାସର ସବୁଠାରୁ କଳାଦିନ ବୋଲି କହିଛନ୍ତି। ତେବେ ଗୁଳିକାଣ୍ଡରେ ଅଳ୍ପକେ ବର୍ତ୍ତି ଯାଇଛି ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ବାଂଲାଦେଶ କ୍ରିକେଟ୍ ଟିମ୍। ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ବେଳେ ବାଂଲାଦେଶ କ୍ରିକେଟ୍ ଟିମ୍ ମସଜିଦକୁ ନମାଜ କରିବାକୁ ଯାଇଥିବାବେଳେ ଗୁଳିକାଣ୍ଡ ଘଟିଥିଲା। ନ୍ୟୁଜିଲ୍ୟାଣ୍ଡରେ ଏଭଳି ଗଣହତ୍ୟା ଘଟଣା ଖୁବ୍ ବିରଳ। କାରଣ ଏଠାରେ ବନ୍ଧୁକକୁ ନେଇ କଡ଼ା ଆଇନ୍ ରହିଛି।

Categories
ବିଶେଷ ଖବର

ଦେଶଦ୍ରୋହୀ ପ୍ରମାଣପତ୍ର ବାଣ୍ଟୁଥିବା ଲୋକେ ଜାଣନ୍ତି କି ତାଙ୍କ ନିଜ ଦଳରେ ଦେଶଦ୍ରୋହୀଙ୍କ ସଂଖ୍ୟା କେତେ?

କେଦାର ମିଶ୍ର

କଥା କଥାରେ ଏବେ ଦେଶଦ୍ରୋହର ପ୍ରମାଣପତ୍ର ବଣ୍ଟା ଯାଉଛି। ଯିଏ ବାଣ୍ଟୁଛି ତାର ଏକମାତ୍ର ଯୋଗ୍ୟତା ହେଲା, ସେ ଶାସକ ଦଳର ସଦସ୍ୟ। ଯେଉଁ ଶାସକଙ୍କର ଅପାରଗତା ଓ ପରିଚାଳନାଗତ ତ୍ରୁଟି କାରଣରୁ ୨୦୧୪ ରୁ ୨୦୧୮ ଭିତରେ କେବଳ ଜାମ୍ମୁ ଓ କାଶ୍ମୀରରେ ୩୩୯ ଜଣ ଜବାନ ଓ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି, ସେମାନେ ଆଜି ଲଜ୍ଜିତ ହେବା ପରିବର୍ତ୍ତେ ଅନ୍ୟ ମାନଙ୍କୁ ସମାଲୋଚନା କରିବାର ବିକଳ ପ୍ରୟାସ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଗୃହ ବିଭାଗର ତଥ୍ୟ କହୁଛି, କେବଳ ଜାମ୍ମୁ ଓ କାଶ୍ମୀରରେ ୨୦୧୪ରେ ୨୨୨,  ୨୦୧୫ ରେ ୨୦୮, ୨୦୧୬ ରେ ୩୨୨, ୨୦୧୭ ରେ ୩୪୨ ଓ ୨୦୧୮ ରେ ୬୧୪ ଟି ଆତଙ୍କବାଦୀ ଘଟନା ଘଟିଛି। ୨୦୧୭ ତୁଳନାରେ ୨୦୧୮ ରେ ଏପ୍ରକାର ଘଟନା ପ୍ରାୟ ଶହେ ଗୁଣ ବଢିଥିବା ବେଳେ ୨୦୧୯ ଆରମ୍ଭରୁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଜଣାପଡୁଛି। ଶାସକ ଦଳର ଦେଶଦ୍ରୋହୀ ପ୍ରମାଣପତ୍ର ବାଣ୍ଟୁଥିବା ନେତାମାନେ କହିବେ କି, ଏଥି ପାଇଁ ଦାୟୀ କିଏ? ଜାମ୍ମୁ – କାଶ୍ମୀରର ଜନ ସାଧାରଣ ୨୦୧୪ ଲୋକସଭା ଓ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ବିଜେପିକୁ ବିପୁଳ ସମର୍ଥନ ଦେଇଥିଲେ। ବିଜେପି ଓ ପିଡିପିର ସରକାର ସେଠି ଥିଲା। ଏବେ କେନ୍ଦ୍ରର ପ୍ରତିନିଧି ଭାବରେ ରାଜ୍ୟପାଳ ତାର ଶାସନ ଦାୟିତ୍ଵ ତୁଲାଉଛନ୍ତି। ସେଥିରେ ଯଦି କାଶ୍ମୀରର ନିଆଁ ଲିଭୁନାହିଁ, ସେଥିପାଇଁ ବିଜେପି ଛଡା ଅନ୍ୟମାନେ ଉତ୍ତରଦାୟୀ ହେବେ କାହିଁକି?

ଏବେ ବିଜେପି ନିଜର ବିଫଳତାକୁ ଘୋଡାଇବାକୁ ଦେଶପ୍ରେମର ବାହାନା ଖୋଜୁଛି। ଆଜି ଶାନ୍ତି ଓ ସଦ୍ଭାବନାର କଥା କହିବା ସବୁଠୁ ବଡ ଦେଶଦ୍ରୋହ ବୋଲି ବିବେଚନା କରାଯାଉଛି। ସନ୍ତ୍ରାସବାଦ ରୋକିବାରେ ବିଫଳ ଭାରତୀୟ ଜନତା ପାର୍ଟିର ନେତା ଓ କର୍ମୀମାନେ ଏବେ ସରକାରକୁ ବିରୋଧ କରୁଥିବା ଭାରତୀୟଙ୍କ ଉପରେ ଦାଉ ସାଧୁଛନ୍ତି। ସେମାନଙ୍କ ଯୁକ୍ତି ଅନୁସାରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନାର ମାର୍ଗ ବଛାଯାଉ ବୋଲି ଯିଏ କହୁଛି, ସେ ଦେଶଦ୍ରୋହୀ। ପାକିସ୍ତାନକୁ ମାଟିରେ ମିଶାଇଦେବୁ ବୋଲି ଯେ କହି ପାରୁନି ସେ ଦେଶଦ୍ରୋହୀ। ଏପରିକି ପ୍ରଧାନମନ୍ତ୍ରୀଙ୍କୁ ଯେ ସମାଲୋଚନା କରୁଛି ସେ ମଧ୍ୟ ଦେଶଦ୍ରୋହୀ। ଏଠି ଆମର କିଛି ପ୍ରଶ୍ନ ରହିଛି। ଆଶା କରିବୁ ବିଜେପିର ନେତା ଓ କର୍ମୀ ମାନେ ଏହାର ଉତ୍ତର ରଖିବେ।

ପୁଲବାମାରେ ଆମର ଚାଳିଶ ଜଣ ଜବାନଙ୍କ ଅମୂଲ୍ୟ ଜୀବନ ନେଇଥିବା ଜୈଶ-ଏ-ମହମ୍ମଦ ର ମୁଖ୍ୟ ମୌଲାନା ମାସୁଦ ଆଝାରକୁ ୧୯୯୪ ରେ ଭାରତ ସରକାର ଗିରଫ କରିଥିଲେ। ୧୯୯୯ ରେ ଭାରତୀୟ ବିମାନ ଆଇସି ୮୧୪ କୁ ଅପହରଣ କରିନେଇ ମାସୁଦ ଆଝାରର ସହଯୋଗୀ ମାନେ ତାକୁ ମୁକ୍ତ କରିଥିଲେ। ଏଠି କହିରଖିବା ଉଚିତ ହେବ ଯେ ୧୯୯୯ରେ ଭାରତରେ ବିଜେପି ଶାସନ ଥିଲା ଓ ମାସୁଦ ଆଝାରକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଯଶୋବନ୍ତ ସିଂ ଓ ତତ୍କାଳୀନ ଆଇବି ର ମୁଖ୍ୟ  ଅଜିତ ଦୋଭାଲ କାନ୍ଦାହାରରେ ମୁକ୍ତି ଦେଇଥିଲେ। ଆଇସି ୮୧୪ ବିମାନଟି ଅମୃତସର ବିମାନବନ୍ଦରରେ ଓହ୍ଲାଇ ଥିଲେ ମଧ୍ୟ ତାକୁ ସେତେବେଳେ ଅଟକା ଯାଇପାରି ନଥିଲା। ସେଥିପାଇଁ ଦାୟୀ କିଏ? ଯେଉଁମାନେ ମାସୁଦ ଆଝାରକୁ ମୁକ୍ତି ଦେଇଥିଲେ ସେମାନେ ଦେଶପ୍ରେମୀ ନା ଦେଶଦ୍ରୋହୀ, ଏ ପ୍ରଶ୍ନ ପଚାରିବା ଠିକ ହେବ କି? ସେତେବେଳେ ଯିଏ ଆଇବି ର ନିର୍ଦ୍ଦେଶକ ଥିଲେ ଆଜି ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଛନ୍ତି। ତାଙ୍କ ପୁଅ ପାକିସ୍ତାନୀ ଅଂଶୀଦାରଙ୍କ ସହ ବ୍ୟବସାୟ କରୁଛନ୍ତି। ଦୋଭାଲ ସାହେବ ଏହାର କି ଉତ୍ତର ରଖିବେ?

ଏଠି ମନେ ପକାନ୍ତୁ, ମଇ ରୁ ଜୁଲାଇ ୧୯୯୯ ମସିହାକୁ। କାରଗିଲ ଯୁଦ୍ଧରେ ଏ ଦେଶର ୫୨୭ ଯୋଦ୍ଧା ସୈନିକ ଶହୀଦ ହେଲେ। ତାପରେ ମଧ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ପାକିସ୍ତାନ ସରକାରଙ୍କ ସହ ନିଜର ଆଲୋଚନା ଅବ୍ୟାହତ ରଖିଥିଲେ। ୨୦୦୧ ମସିହାରେ ଯେତେବେଳେ କାରଗିଲ ର ମୁଖ୍ୟ ଖଳନାୟକ ପରଭେଜ ମୁଶାରଫ ପାକିସ୍ତାନର ମୁଖ୍ୟ ହେଲେ ତାଙ୍କୁ ଡାକି ଆଗ୍ରା ଶିଖର ସମ୍ମିଳନୀ ଆୟୋଜନ କରିଥିଲେ। ସେହିପରି କାଶ୍ମୀର ଲାଗି ବାଜପାୟୀଙ୍କ ମନ୍ତ୍ର ଥିଲା- କାଶ୍ମୀରୀୟତ, ଇନସାନିୟତ ଓ ଜମ୍ହୁରିୟତ ଅର୍ଥାତ କାଶ୍ମୀର ର ଅସ୍ମିତା, ମାନବିକତା ଓ ଭାଇଚାରା। ଆଜି ସେଇ ସମାନ କଥା କହୁଥିବା ଲୋକେ ଦେଶଦ୍ରୋହୀ ହେଲେ କେମିତି?

ଆଜି ହଠାତ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟିୟର ନବଜୋତ ସିଂ ସିଦ୍ଧୁଙ୍କୁ ବିଜେପି ଓ ସଂଘ ପରିବାରର ଲୋକେ ସବୁଠୁ ବଡ ଦେଶଦ୍ରୋହୀ ବୋଲି ଗାଳି କରୁଛନ୍ତି। ସିଦ୍ଧୁ କଂଗ୍ରେସକୁ ଆସିଲେ କେବେ? ୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ସିଦ୍ଧୁ କଂଗ୍ରେସରେ ଯୋଗଦାନ କଲେ। ତା ପୂର୍ବରୁ ୨୦୦୪ ରୁ ୨୦୧୪ ଦଶବର୍ଷ ଧରି ସେ ଥିଲେ ବିଜେପିର ଅମୃତସର ଲୋକସଭା ସଦସ୍ୟ। ସିଦ୍ଧୁ ବିଜେପିରେ ଥିବା ବେଳେ ଦେଶପ୍ରେମୀ ଓ ବିଜେପି ଛାଡିଲା ପରେ ଦେଶଦ୍ରୋହୀ ହେଲେ କେମିତି? ବିଜେପି ବୋଧେ ନିଜକୁ ଦେଶପ୍ରେମର ଠିକାଦାର ବୋଲି ଭାବୁଛି। ନଚେତ ଅନ୍ୟ ସବୁ ଦଳର ନେତାଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ ଏ ଦଳ ସାହସ କରନ୍ତା କେମିତି?

ସବୁଠୁ ମଜାର କଥା ହେଲା ଓଡିଶା ବିଜେପିର ଜଣେ ପ୍ରବକ୍ତା ଏବେ ପ୍ରତିଦିନ ଦେଶଦ୍ରୋହୀ ପ୍ରମାଣପତ୍ର ବାଣ୍ଟି ଚାଲିଛନ୍ତି। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ ଏମାନଙ୍କୁ ଲଜ୍ଜା ବି ଲାଗୁନାହିଁ। ସେହିପରି ଜଣେ ବିଧାୟକ କାହାକୁ ଗୋଟେ ଠେଲିଦେଲେ ବୋଲି ତାଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଉଛି। ଦେଶପ୍ରେମର ଏ ଉଦ୍ଭଟ ନାଟକ ଦେଖି ମନେ ହେଉଛି, ସତେକି ଏ ଦେଶରେ ଦେଶପ୍ରେମ କେବଳ ଗୋଟେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମ୍ପତ୍ତି,ଏବଂ ସବୁଠୁ ବିଡମ୍ବନାର କଥା ହେଉଛି ଏ ଦେଶର ସ୍ଵାଧୀନତା ଆନ୍ଦୋଳନକୁ ଏହି ଦଳର ପିତୃ ସଂଗଠନ ବିରୋଧ କରୁଥିଲା।

ମାସୁଦ ଆଝାରକୁ ମୁକ୍ତ କରିଥିବା ଓ କାରଗିଲ ଯୁଦ୍ଧର ମୁଖ୍ୟ ଖଳ ନାୟକଙ୍କୁ ଆଗ୍ରାରେ ବେଶ ଭଲ ଆପ୍ୟାୟିତ କରିଥିବା ଗୋଟେ ଦଳ ଅନ୍ୟ ମାନଙ୍କୁ ଦେଶଦ୍ରୋହୀର ପ୍ରମାଣପତ୍ର ବାଣ୍ଟିବା ପୂର୍ବରୁ, ନିଜ ମୁହଁକୁ ଦର୍ପଣରେ ନିହାତି ଦେଖିବା ଉଚିତ ନୁହେଁ କି?

Categories
ବିଶେଷ ଖବର

ପୁଲବାମା ଆତଙ୍କବାଦୀ ଆକ୍ରମଣ, ରକ୍ତର ଏ ଜଘନ୍ୟ ଖେଳ ବନ୍ଦ ହେବ କେବେ?

ସମୀକ୍ଷା ବ୍ୟୁରୋ

ଗୋଟେ ବୋଲେରୋ ଗାଡିରେ ୩୫୦ କିଲୋଗ୍ରାମ ଆରଡିଏକ୍ସ ପୂରେଇ ଆତଙ୍କବାଦୀ ଆଦିଲ ଅହମଦ ଦର ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ୭୮ଟି ଗାଡିରେ ଆସୁଥିବା କେନ୍ଦ୍ରୀୟ ସ୍ଵତନ୍ତ୍ର ପୋଲିସ ବଳ ବା ସିଆରପିଏଫ ର ୨୫୦୦ ଜବାନଙ୍କ ଉପରେ ଆତ୍ମଘାତି ଆକ୍ରମଣ କରି ୪୦ରୁ ଅଧିକ ଜବାନଙ୍କୁ ହତ୍ୟା କରିଛି। ଏହି ଜଘନ୍ୟ ଆତଙ୍କବାଦୀ ଆକ୍ରମଣରେ ୪୦ ରୁ ଅଧିକ ଜବାନ ଆହତ ହୋଇଛନ୍ତି। ଗତ ପାଞ୍ଚ ବର୍ଷ ଭିତରେ ଏହା ଆମର ଜବାନଙ୍କ ଉପରେ ସବୁଠୁ ବଡ ଆତଙ୍କବାଦୀ ଆକ୍ରମଣ। ପଠାଣକୋଟ ଓ ଉରି ଆକ୍ରମଣ ପରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଜୈସ-ଏ-ଅହମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ସହିତ ଏହି ଆତ୍ମଘାତି ଆକ୍ରମଣର ମୁଖ୍ୟ ଅପରାଧୀ ଆଦିଲ ଅହମଦ ଦରର ଭିଡିଓ ଜାରି କରିଛି। ଜାତୀୟ ରାଜପଥରେ ଏତେ ବଡ ଆକ୍ରମଣ ଘଟଣାକୁ ଭାରତ ସହଜ ଭାବରେ ଗ୍ରହଣ କରିବା ଆଦୌ ଉଚିତ ନୁହେଁ। ହେଲେ ଏ ପ୍ରକାର ଆକ୍ରମଣ ସମ୍ଭବ ହେଲା କେମିତି? ୩୫୦ କିଲୋଗ୍ରାମର ଭୟଙ୍କର ବିସ୍ଫୋରକ ନେଇ ଜଣେ ଆତଙ୍କବାଦୀ ରାଜରାସ୍ତାରେ ଏତେ ବଡ ହମଲା କରିବାର ସୁଯୋଗ ପାଇଲା କେମିତି? ପୁଲବାମା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଶକ୍ତିଶାଳୀ ଥିଲା ଓ ଜବାନ ମାନେ ସେ ରାସ୍ତାରେ ଯିବା ପୂର୍ବରୁ ରାସ୍ତାକୁ “ସାନିଟାଇଜ” କରାଯାଇଥିଲା ବୋଲି କୁହାଯାଉଛି। ତା ସତ୍ତ୍ୱେ ବି ଏତେ ବଡ ଦୁର୍ଘଟଣା ଘଟିଲା କେମିତି?

ସବୁଠୁ ବିଡମ୍ବନା ର କଥା ହେଉଛି, ଏଇ ମାତ୍ର ଅଳ୍ପ ଦିନ ତଳେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଲା ସୀତାରାମନ କହିଥିଲେ ଯେ, ତାଙ୍କ ସରକାର ଅମଳରେ ବଡ ଆତଙ୍କବାଦୀ ଆକ୍ରମଣ ହୋଇନାହିଁ। ସେ ବୋଧେ ପଠାଣକୋଟ ଓ ଉରି ଆକ୍ରମଣ କଥା ଭୁଲି ଯାଇଥିଲେ। ଗତ କିଛି ବର୍ଷ ଭିତରେ କାଶ୍ମୀର ସମସ୍ୟା ଉତ୍କଟରୁ ଉତ୍କଟତର ହୋଇ ଚାଲିଛି। ସର୍ଜିକାଲ ଷ୍ଟ୍ରାଇକ ଓ ବିମୂଦ୍ରାକରଣ ମାଧ୍ୟମରେ କାଶ୍ମିରୀ ସନ୍ତ୍ରାସବାଦର ମେରୁଦଣ୍ଡ ଭାଙ୍ଗିଯାଇଛି ବୋଲି ଯେଉଁ ଦାବୀ କରାଯାଉଥିଲା, ତାହା ଆଜି ଭୁଲ ପ୍ରମାଣିତ ହୋଇଛି। କାଶ୍ମୀର ଓ ପାକିସ୍ତାନ ସୀମାନ୍ତରେ ଆମର ଜବାନମାନେ ନିରନ୍ତର ସହିଦ ହେଉଛନ୍ତି। ଆମର ସହିଦମାନଙ୍କ ପ୍ରତି ଆମେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ। ଦେଶ ସେମାନଙ୍କର ବଳିଦାନକୁ ସମ୍ମାନ ଦେଉଛି। ହେଲେ ଆମ ସହିଦଙ୍କ ରକ୍ତର ଖେଳ ଏମିତି କେତେ ଦିନ ଚାଲିଥିବ। ଏ ସମସ୍ୟାର ସ୍ଥାୟୀ ସମାଧାନ କଣ?

ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଯେତେବେଳେ ବି କିଛି ଗୋଟେ ବଡ ଆତଙ୍କବାଦୀ ଆକ୍ରମଣ ହେଉଛି ତାକୁ ନେଇ ଆମର ଟେଲିଭିଜନ ଚାନେଲ ଗୁଡିକ ଅଧିକରୁ ଅଧିକ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି। ଏହାକୁ ନେଇ ରାଜନୈତିକ ଫାଇଦା ଉଠାଇବାର ପ୍ରତିଯୋଗିତା ଆରମ୍ଭ ହୋଇଯାଏ। ସହିଦଙ୍କୁ ସଲାମ କରିବା ବାହାନାରେ  ଭୋଟ ମାଗିବାର ଅଶ୍ଳୀଳ ରାଜନୀତି ଚାଲେ। ତେବେ ଅସଲ ସତ୍ୟ ହେଉଛି, ଆତଙ୍କବାଦର ମୁକାବିଲା କ୍ଷେତ୍ରରେ ଆମକୁ ଏକ ସର୍ବସମ୍ମତ ନୀତି ଗ୍ରହଣ କରିବାକୁ ପଡିବ।

ଉଗ୍ର ରାଷ୍ଟ୍ରବାଦ ନାମରେ ବାସ୍ତବ ସ୍ଥିତିକୁ ଅଣଦେଖା କରିବାର ପରିଣାମ ଆମେ ଭୋଗି ଚାଲିଛୁ। କାଶ୍ମୀର ଉପତ୍ୟକାରେ ଚିରସ୍ଥାୟୀ ଶାନ୍ତି ଫେରେଇ ଆଣିବାର ଦାୟିତ୍ଵ ପ୍ରତ୍ୟେକ ଭାରତୀୟଙ୍କର। ସୀମାପାର ଆତଙ୍କବାଦର ମୁକାବିଲା ଲାଗି ଆମକୁ କାଶ୍ମୀରର ଜଣ ସାଧାରଣଙ୍କର ସାହାଜ୍ୟ ଦରକାର। କାଶ୍ମୀର ଓ କାଶ୍ମୀରବାସୀ ଆମ ଦେଶର ଅବିଚ୍ଚ୍ହେଦ୍ୟ ଅଙ୍ଗ। ତେଣୁ ସେମାନଙ୍କ ସହିତ ଏକ ରାଜନୈତିକ କଥାବାର୍ତ୍ତା ଆଜି ପାଇଁ ସବୁଠୁ ବଡ ଆବଶ୍ୟକତା। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ  କଡା ଜବାବ ଆମକୁ ଦେବାକୁ ପଡିବ ଓ ସେ ଜବାବ କାଶ୍ମୀରର ଜନତା ହିଁ ଦେବେ।

ତେବେ ପୁଲବାମା ଘଟନା ପୂର୍ବରୁ କାଶ୍ମୀର ପୋଲିସ ତରଫରୁ ଏ ପ୍ରକାର ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ତଥ୍ୟ ମିଳିଥିଲା। ତା ସତ୍ତ୍ୱେ ବି କେଉଁଠି ଆମର ଭୁଲ ରହିଲା ତାର ତର୍ଜମା ହେବା ନିହାତି ଆବଶ୍ୟକ। ଏ ପ୍ରକାର ସ୍ଥିତିରେ ସାରା ଦେଶକୁ ଏକ ହୋଇ ଆତଙ୍କବାଦର ମୁକାବିଲା କରିବାର ଅଛି।