Categories
ଆଜିର ଖବର

ପାକିସ୍ତାନକୁ ଝଟ୍‌କା : ଅର୍ଥ ଅଟକାଇଲା ବିଶ୍ବବ୍ୟାଙ୍କ

ପାକିସ୍ତାନକୁ ବିଶ୍ଵବ୍ୟାଙ୍କ ଝଟ୍‌କା ଦେଇଛି। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ହେବାକୁ ଥିବା ଏକ ଜଳ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ୨୦ କୋଟି ଡଲାରର ଋଣକୁ ବିଶ୍ଵବ୍ୟାଙ୍କ ଅଟକାଇ ଦେଇଛି। ଦେଶର ପ୍ରଗତି ଏବଂ ନିୟନ୍ତ୍ରଣରେ ଅଭାବ ଯୋଗୁ ବିଶ୍ଵବ୍ୟାଙ୍କ ମୁଖ୍ୟ ଏହି ନିଷ୍ପତ୍ତି ନେଇଥିବା କାରଣରେ ଦର୍ଶାଯାଇଛି। ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ଉକ୍ତ ଜଳ ପ୍ରକଳ୍ପ ଉପରେ ରୋକ ଲଗାଯାଇଥିବା ବିଶ୍ଵବ୍ୟାଙ୍କ ପ୍ରବକ୍ତା ମରିୟମ ଅଲତାଫ କହିଛନ୍ତି। ସମନ୍ବିତ ଜଳ ସମ୍ପଦ ପରିଚାଳନା ଏବଂ ବିକାଶ ଯୋଜନାରେ ଏକ ବୃହତ ଜଳ ପ୍ରକଳ୍ପ ଲାଗି ବେଲୁଚିସ୍ତାନ ବିଶ୍ଵବ୍ୟାଙ୍କ ସହିତ ୩ବର୍ଷ ତଳେ ଏକ ଚୁକ୍ତି କରିଥିଲା। ପ୍ରକଳ୍ପରେ ୨୦ କୋଟି ୯୭ ଲକ୍ଷ ଡଲାର ଅର୍ଥରାଶି ଖର୍ଚ୍ଚ ହେବ ବୋଲି ବିଶ୍ଵବ୍ୟାଙ୍କ ଆକଳନ କରିବା ସହ ୨୦ କୋଟି ଡଲାର ଋଣ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଦେଶରେ ପ୍ରଗତି, ପାଣ୍ଠି ବଣ୍ଟନ, ନାଗରିକମାନେ କାର୍ଯ୍ୟରେ ଆଗକୁ ବଢ଼ିବା ଏବଂ ନିୟନ୍ତ୍ରଣ ଆଦିରେ ଅଭାବ ଦେଖିବାକୁ ମିଳୁଥିବାରୁ ବିଶ୍ଵବ୍ୟାଙ୍କ ଏପରି ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ, ବେଲୁଚିସ୍ତାନର ୬୨ ପ୍ରତିଶତ ଜନସାଧାରଣ ସ୍ବଚ୍ଛ ପାନୀୟଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ଲକ୍ଷ୍ୟରେ ଏହି ବୃହତ୍ତ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା, ଯାହା ୨୦୨୨ ସୁଦ୍ଧା ଶେଷ ହେବ ବୋଲି ଧାର୍ଯ୍ୟ କରାଯାଇଛି।

Categories
ଆଜିର ଖବର

୨୮ ସୁଦ୍ଧା ଭିଭିପାଟ୍‌ ନେଇ ସତ୍ୟପାଠ ଦାଖଲ ପାଇଁ ନିର୍ବାଚନ ଆୟୋଗକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବାବେଳେ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ବ୍ୟାପକ ପ୍ରସ୍ତୁତି ମଧ୍ୟ କରିସାରିଛନ୍ତି। ଆସନ୍ତା ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଭୋଟର୍‌ ଭେରିଫିଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌ (ଭିଭିପ୍ୟାଟ୍‌) ବ୍ୟବହାର ନେଇ ଆସନ୍ତା ଗୁରୁବାର ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବ୍ୟବହାର ହେବାକୁ ଥିବା ଭିଭିପ୍ୟାଟ୍‌ ନମୁନା ସର୍ବେକ୍ଷଣ ସଂଖା ୧ରୁ ଅଧିକକୁ ବୃଦ୍ଧି କରିହେବ କି ନାହିଁ, ତାହା ସମ୍ପର୍କିତ ଜଣାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନମନ୍ତ୍ରୀ ବିଚାରପତି ରଂଜନ ଗୋଗେଇ, ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।   ଭିଭିପ୍ୟାଟ୍‌ର ସତ୍ୟତାକୁ ନେଇ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଅନ୍ୟ ୨୧ ବିରୋଧୀ ନେତା ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ଆସନ୍ତା ୨୮ ତାରିଖ ସୁଦ୍ଧା ନିର୍ବାଚନ ଆୟୋଗ ଏ ସମ୍ପର୍କିତ ସମସ୍ତ ଜବାବ ରଖିବାକୁ ସୁପ୍ରିମ୍‌କୋର୍ଟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମ୍ପର୍କିତ ଆଗାମୀ ଶୁଣାଣୀ ଏପ୍ରିଲ୍‌ ୧ ତାରିଖରେ କରାଯିବ ବୋଲି  ଧାର୍ଯ୍ୟ ହୋଇଛି।

Categories
ଆଜିର ଖବର

ବେନେଡିକ୍ଟ କମ୍ବରବ୍ୟାଚ୍ ଏମ୍‌ଜି ଇଣ୍ଡିଆର ବ୍ରାଣ୍ଡ୍ ଆମ୍ବାସଡର

ବ୍ରିଟିସ୍ ଅଭିନେତା ବେନେଡିକ୍ଟ କମ୍ବରବ୍ୟାଚ୍‌ଙ୍କୁ କାର୍ କମ୍ପାନି ଏମ୍‌ଜି (ମୋରିସ୍ ଗ୍ୟାରେଜ୍‌ସ) ଇଣ୍ଡିଆ ଏହାର ବ୍ରାଣ୍ଡ୍ ଆମ୍ବାସଡର ଭାବେ ଘୋଷଣା କରିଛି। ଏହି ଖ୍ୟାତନାମା ଅଭିନେତା ଜଣକ ବିଭିନ୍ନ ଲୋକପ୍ରିୟ ଟିଭି ସୋ ଏବଂ ସିନେମାରେ ଅଭିନୟ କରିଛନ୍ତି। ଏହି ପରିପ୍ରେକ୍ଷୀରେ କମ୍ବରବ୍ୟାଚ୍ କହିଛନ୍ତି, ଏମ୍‌ଜି ଏକ କ୍ଲାସିକ୍ ଓ ପ୍ରତିଷ୍ଠିତ ବ୍ରାଣ୍ଡ୍ ଭାବେ ସ୍ବୀକୃତି ମିଳିଛି । ଭାରତରେ ନୂଆ ଏମ୍‌ଜି ସହିତ ନିଜକୁ ସାମିଲ କରି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ସେ କହିଛନ୍ତି। ଏମ୍‌ଜି ଇଣ୍ଡିଆର ଏମଡି ତଥା ସିଇଓ ରାଜୀବ ଚାବା କହିଛନ୍ତି, ମୋରିସ୍ ଗ୍ୟାରେଜ୍‌ସ ସହିତ ବେନେଡିକ୍ଟଙ୍କର ଅନେକ କିଛି ସାମଞ୍ଜସ୍ୟ ରହିଛି। ଏଥିଯୋଗୁ ବେନେଡିକ୍ଟଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ଭାବେ ପାଇଁ ଆମେ ଅତ୍ୟନ୍ତ ଆନନ୍ଦିତ ବୋଲି ଶ୍ରୀ ଚାବା କହିଛନ୍ତି। ସୂଚନାଯୋଗ୍ୟ ଯେ, ନିକଟରେ ମୋରିସ ଗ୍ୟାରେଜ୍‌ ଭାରତରେ ବୈଦୁ୍ୟତିକ କାର ନିର୍ମାଣ ପାଇଁ ଓଲା  ଏବଂ ହ୍ୟୁଣ୍ଡାଇ ମୋଟର୍ସ ସହିତ ୩୦୦ କୋଟିର ଏକ ରାଜିନାମା ସ୍ବାକ୍ଷର କରିଥିଲା ।
Categories
ଆଜିର ଖବର

ପନ୍ତ ଭାରତୀୟ କ୍ରିକେଟର ଭବିଷ୍ୟତ : ଯୁବରାଜ

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଳୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଦିଲ୍ଲୀ ୩୭ ରନ୍‌ରେ ମୁ୍ମ୍ବାଇକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଯୁବ ଓ୍ବିକେଟ ରକ୍ଷକ ଋଷଭ ପନ୍ତ ୨୭ ବଲ୍‌ରୁ ଅପରାଜିତ ୭୮ରନ୍‌ କସଂଗ୍ରହ କରିଥିଲେ। ପନ୍ତଙ୍କ ଏହି ଇନିଂସକୁ ମ୍ୟାଚ୍‌ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ପ୍ରଶଂସା କରିଛନ୍ତି ଭାରତୀୟ ଭେଟେରାନ ଖେଳାଳି ତଥା ୨୦୧୧ ବିଶ୍ବକପ୍‌ ହିରୋ ଯୁବରାଜ ସିଂ। ଏହି ମ୍ୟାଚ୍‌ରେ ଯୁବରାଜ ପ୍ରତ୍ୟାବତ୍ତର୍ନ କରିଥିବା ବେଳେ ୩୫ ବଲ୍‌ରୁ ୫୩ ରନ୍‌ ସଂଗ୍ରହ କରିଥିଲେ।  ବର୍ତ୍ତମାନ ଭାରତୀୟ ଦଳରେ ପନ୍ତଙ୍କ ମନୋନୟନ କଷ୍ଟ ମାତ୍ର ଆଜିର ମ୍ୟାଚ୍‌ରେ ପନ୍ତ ଚମତ୍କାର ବ୍ୟାଟିଂ କରିଛନ୍ତି ବୋଲି ଯୁବରାଜ କହିଛନ୍ତି। ଦିନିକିଆ ଏବଂ ଟେଷ୍ଟରେ ମଧ୍ୟ ପନ୍ତ ବଢିଆ ପ୍ରଦର୍ଶନ କରିଛନ୍ତି ଯାହା ତାଙ୍କୁ ବର୍ତ୍ତମାନ ଦଳରେ୪ ନମ୍ବର ସ୍ଥାନ ନିମନ୍ତେ ପ୍ରମୁଖ ଦାବିଦାର ଭାବରେ ଛିଡା କରିଛି। ସେହିପରି ନିଜର ଅବସର ସମ୍ପର୍କରେ ଯୁବରାଜ କହିଥିଲେ, ଉପଯୁକ୍ତ ସମୟ ଆସିଲେ ମୁଁ କ୍ରିକେଟ୍‌ରୁ ଅବସର ଗ୍ରହଣ କରିବି। ବିଗତ ଦୁଇ ବର୍ଷ ଜଣେ କ୍ରିକେଟର ହିସାବରେ ମୋ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ରହିଛି ମାତ୍ର ଯେ ପର୍ଯ୍ୟନ୍ତ ମୁଁ କ୍ରିକେଟ୍‌ ଖେଳିବା ଉପଭୋଗ କରୁଛି ସେ ପର୍ଯ୍ୟନ୍ତ ଅବସର ଗ୍ରହଣ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଯୁବି। ଏ ସମ୍ପର୍କରେ ସଚିନ୍‌ ତେନ୍ଦୁଲକରଙ୍କ ସହିତ ଆଲୋଚନା କରିଥିଲି ଏବଂ ନିଜ କ୍ୟାରିୟରର ଅନ୍ତିମ ସୋପାନରେ ସେ ମଧ୍ୟ ସମାନ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବୋଲି କହିଥିଲେ। ସଚିନଙ୍କ ଉପଦେଶ ମୋ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି ବାେଲି ଯୁବି କହିଥିଲେ।

Categories
ଆଜିର ଖବର

ସଚେତନତାଠାରୁ ବଡ଼ ଦେଶଭକ୍ତି ଆଉ କିଛି ନାହିଁ :  ପ୍ରିୟଙ୍କା ଗାନ୍ଧି

ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବା ପରେ ପ୍ରଥମଥର ପାଇଁ ପ୍ରିୟଙ୍କା ଗାନ୍ଧି ପ୍ରଥମଥର ପାଇଁ ଜାତୀୟସ୍ତରରେ ଭାଷଣ ଦେଇଛନ୍ତି। ଗୁଜୁରାଟର ଗାନ୍ଧିନଗରର କଂଗ୍ରେସ କାର୍ଯ୍ୟ ସମିତି ପରେ ଆୟୋଜିତ ରାଲିରେ ପ୍ରିୟଙ୍କା ଗାନ୍ଧି ମୋଦି ସରକାରଙ୍କୁ ସିଧା ଟାର୍ଗେଟ୍‌ କରିଛନ୍ତି।  ପ୍ରିୟଙ୍କା ମୋଦି ସରକାରଙ୍କୁ କଟାକ୍ଷ କରି କାଠଗଡ଼ାରେ ଠିଆ କରାଇଦେଇଛନ୍ତି। ଦେଶର ଯୁବକଙ୍କୁ ଦେଇଥିବା ୨ କୋଟି ରୋଜଗାରର ପ୍ରତିଶ୍ରୁତିକୁ ମୋଦି ସରକାର ପାଳନ କରିନାହାନ୍ତି ବୋଲି ସମାଲୋଚନା କରିଥିଲେ ପ୍ରିୟଙ୍କା। ସେ ତାଙ୍କ ଭାଷଣରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ସଚେତନତାଠାରୁ ବଡ଼ ଦେଶଭକ୍ତି ଆଉ କିଛି ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି। ଆଉ ସଚେତନତା ହିଁ ଜନତାଙ୍କର ଅସ୍ତ୍ର। ଏବଂ ଭୋଟ ହେଉଛି ଅମୋଘ ଅସ୍ତ୍ର। ତେଣୁ ଜନସାଧାରଣ ସଚେତନ ସହକାରେ ଭୋଟ୍‌ ଦେବା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍‌ ବୋଲି ସେ କହିଛନ୍ତି। ଭାଷଣ ଆରମ୍ଭ ପୂର୍ବରୁ ପ୍ରିୟଙ୍କା କହିଥିଲେ ଯେ, ମୁଁ ଭାଷଣ ଦେବି ନାହିଁ କେବଳ ଦୁଇ ଶବ୍ଦ ହିଁ କହିବି। ଦେଶର ବର୍ତ୍ତମାନର ଅବସ୍ଥା ଦେଖି ତାଙ୍କୁ ଦୁଃଖ ଲାଗୁଛି। ଠିକ୍‌ ସମୟରେ ଠିକ୍‌ ନିର୍ଣ୍ଣୟ ନେବାକୁ ସେ ସାଧାରଣ ଜନତାଙ୍କୁ କହିଛନ୍ତି।