Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସା ନେଇ ଶୁଣାଣି କରିଥିବା ବିଚାରପତି ମୂରଲୀଧରଙ୍କ ପଞ୍ଜାବ-ହରିୟାଣା ହାଇକୋର୍ଟକୁ ବଦଳି

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାରେ ମୃତକଙ୍କ ସଂଖ୍ୟା 27ରେ ପହଞ୍ଚିଥିବାବେଳେ  ଦିଲ୍ଲୀ ହିଂସାକୁ ନେଇ ଶୁଣାଣୀ କରୁଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍‌. ମୂରଲୀଧରଙ୍କୁ ପଞ୍ଜାବ-ହରିୟାଣା ହାଇକୋର୍ଟ ବଦଳି ହୋଇଛି। ଦିଲ୍ଲୀ ହାଇକୋର୍ଟରେ ବୁଧବାର ଦିନ ଦିଲ୍ଲୀକୁ ନେଇ ଶୁଣାଣି କରିଥିବାବେଳେ ପୁଲିସ୍‌କୁ କଡା ତାଗିଦ୍‌ କରିଥିଲେ ।ବୁଧବାର ଦିଲ୍ଲୀ ହିଂସା ନେଇ ଶୁଣାଣି ସମୟରେ ହାଇକୋର୍ଟ ଶକ୍ତ ଟିପ୍ପଣୀ ଦେଇଥିଲେ । ଦିଲ୍ଲୀରେ ପୁଣି ଥରେ ୧୯୮୪ ଭଳି ଦଙ୍ଗା ହେବାକୁ ଦେବୁ ନାହିଁ । ଦିଲ୍ଲୀ ହିଂସା ନେଇ କଡ଼ା ପଦକ୍ଷେପ ନିଆଯିବା ଦରକାର ବୋଲି ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ମୁରଲୀଧର କହିଥିଲେ । କେନ୍ଦ୍ର ସରକାର ଜଷ୍ଟିସ ମୁରଲୀଧରଙ୍କ ବଳଦି ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ସୂଚନାଯୋଗ୍ୟ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ମୁରଲିଧରଙ୍କ ବଦଳି ପାଇଁ ୨୦୨୦ ଫେବୃଆରୀ ୧୨ରେ କେନ୍ଦ୍ର ସରକାରଙ୍କୁ ନାମ ସୁପାରିଶ କରିଥିଲେ ।

ତେବେ ଆଜି ହାଇକୋର୍ଟରେ ଦିଲ୍ଲୀ ହିଂସାକୁ ନେଇ ଶୁଣାଣି ହେବ । ଉତ୍ତେଜନା ପୂର୍ଣ୍ଣ ଭାଷଣକୁ ଏଫଆଇର ଦାୟର କରିବାକୁ ନେଇ ହୋଇଥିବା ଯାଚିକାରେ ଆଜି ଦିଲ୍ଲୀ ହାଇକୋର୍ଟ ପୋଲିସ୍‌କୁ ଜବାବ ମାଗିବେ । ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ବଦଳି ହୋଇଯାଇଥିବାବେଳେ ମୁଖ୍ୟ ବିଚାରପତି ଡିଏନ୍‌ ପଟେଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଆଜି ଏହି ମାମଲାର ଶୁଣାଣି କରିବେ । (ଏଜେନ୍ସି)

Categories
ବିଶେଷ ଖବର ମତାମତ

ଖଣି ମାଫିଆଙ୍କ ଚାପରେ ମାତ୍ର ୨୧ ଦିନରେ ବଦଳିଲେ କି କୋରାପୁଟ ଜିଲ୍ଲାପାଳ ପୋମା ଟୁଡୁ?

ସମୀକ୍ଷା ବ୍ୟୁରୋ

ରାଜ୍ୟ ସରକାର ଫାଇବ ଟି କୁ ନେଇ ବେଶ ବାହାବା ନେଉଛନ୍ତି। ଫାଇବ ଟି ଭିତରେ ରହିଛି ଟ୍ରାଂସପେରେନ୍ସି ବା ସ୍ବଚ୍ଛତା। ଶାସନରେ ସ୍ବଚ୍ଛତା ନବୀନ ସରକାରର ଏକ ବଡ ଉପାଦାନ ବୋଲି କୁହାଯାଉଛି। ସେହି ଆଧାରରେ ଆଜି ଓଡିଶାର ଜନ ସାଧାରଣ ଜାଣିବାକୁ ଚାହୁଁଛନ୍ତି, ମାତ୍ର କୋଡିଏ ଦିନ ତଳେ କୋରାପୁଟ ଜିଲ୍ଲାପାଳ ଭାବରେ ଯୋଗ ଦେଇଥିବା ପୋମା ଟୁଡ଼ୁଙ୍କୁ ହଠାତ ବଦଳି କରାଗଲା କାହିଁକି? ଜଣେ ଜିଲ୍ଲାପାଳ ୨୦ ଦିନର ରହଣି ଭିତରେ କୋରାପୁଟରେ ଏମିତି କଣ କଲେ ଯେ ତାଙ୍କୁ ରାଜ୍ୟ ସରକାର ତୁରନ୍ତ ବଦଳି କରିବାକୁ ଆଦେଶ ଦେଲେ? କେନ୍ଦ୍ର ସରକାରଙ୍କ ପର୍ସୋନେଲ ଏବଂ ତାଲିମ ବିଭାଗ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଜିଲ୍ଲାପାଳମାନେ ଅତି କମରେ ୨ ବର୍ଷ ଗୋଟେ ଜିଲ୍ଲାରେ କାମ କରିବାର ସୁଯୋଗ ପାଇବେ। ଦୁଇ ବର୍ଷ ଆଗରୁ ତାଙ୍କୁ ବଦଳି କରିବାକୁ ହେଲେ ଏକ ସ୍ଵତନ୍ତ୍ର ବୋର୍ଡର ଅନୁମତି ଦରକାର ବୋଲି କୁହାଯାଇଥିଲା। ତେବେ ଏହି ନିୟମକୁ ରାଜ୍ୟ ସରକାର ମାନୁଛନ୍ତି କି?

କୋରାପୁଟ ଜିଲ୍ଲାପାଳଙ୍କ ବଦଳି ପ୍ରସଙ୍ଗରେ ଯାହା ଆଲୋଚନା ହେଉଛି, ତାହା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିକଟରେ ଥିବା କୋଡିଙ୍ଗାମାଳୀ ଖଣି ଉତ୍ତୋଳନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା। ଜିଲାପାଳ ପୋମା ଟୁଡୁ କାର୍ଯ୍ୟରେ ଯୋଗ ଦେବା ପରେ ପରେ କୋଡିଙ୍ଗାମାଳୀ ଖଣି ଦ୍ଵାରା ପ୍ରଭାବିତ ୨୨ ଖଣ୍ଡ ଗାଁ ର ଲୋକେ ଖଣି ଖନନ ବନ୍ଦ କରିବାକୁ ଆନ୍ଦୋଳନ ଆରମ୍ଭ କରିଥିଲେ। କୋଡିଙ୍ଗାମାଳୀରେ ଖଣି ଖନନ ଯୋଗୁଁ ୨୨ ଟି ଗାଁ ର ଲୋକେ ଭୟଙ୍କର ପ୍ରଦୂଷଣ ର ଶିକାର ହେଉଛନ୍ତି ଓ ଖଣି ଖନନ କରୁଥିବା ଠିକାଦାର ସଂସ୍ଥା ଜାଲ ଗ୍ରାମସଭାର ରିପୋର୍ଟ ଆଧାରରେ ଖଣି ଖୋଳା ଚାଲିଛି ବୋଲି ଅଭିଯୋଗ ଆସିଥିଲା। ୩ ତାରିଖ ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସହିତ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ ଓ କୋରାପୁଟ ଏସପି କେ.ବିଶାଳ ସିଂ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ। ଲୋକଙ୍କୁ ବୁଝାଶୁଝା କରି ଫେରୁଥିବା ଜିଲାପାଳଙ୍କୁ ହଠାତ ବଦଳି କରାଗଲା। ମାତ୍ର ୨୦ ଦିନ ଭିତରେ ଲୋକଙ୍କ ସହ ମିଶି ଓ ପୁରା କୋରାପୁଟ ଜିଲ୍ଲା ଗସ୍ତ କରି ଲୋକଙ୍କ ପାଇଁ କାମ କରିବାକୁ ବଦ୍ଧପରିକର ଥିବା ପୋମା ଟୁଡୁଙ୍କୁ ହଠାତ ବଦଳି କରିବାର କାରଣ କଣ?

କୋଡିଙ୍ଗାମାଳୀ ଖଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ରହିଛି। ରାଜନେତା ଓ ଖଣି ଠିକାଦାରଙ୍କ ମିଳିତ ଶୋଷଣର ଶିକାର ହେଉଥିବା ସ୍ଥାନୀୟ ଲୋକେ ଏହାର ଘୋର ବିରୋଧ କରୁଛନ୍ତି। କମ୍ପାନୀ ର ପରିବହନ ବିଭାଗରେ କୋରାପୁଟର ପୂର୍ବତନ ସାଂସଦ, ଲକ୍ଷ୍ମୀପୁର ର କିଛି ପୂର୍ବତନ ବିଧାୟକଙ୍କ ଟ୍ରକ ଓ ଟିପର ଲାଗିଥିବାର ଅଭିଯୋଗ ହେଉଛି। ଓଏମସି ଏହି ଖଣିର ମୂଳ ମାଲିକ ହୋଇଥିବା ବେଳେ ଅନ୍ୟ ଏକ କମ୍ପାନୀକୁ ଠିକା ଦେଇ ଖନନ କାମ ଚାଲିଛି। ଏହି କମ୍ପାନୀ ଖଣି ଖନନ ନିୟମର ଉଲ୍ଲଂଘନ କରି ପ୍ରଦୂଷଣ ଓ ଲୋକଙ୍କ ଭିତରେ ବିଭାଜନ ସୃଷ୍ଟି କରୁଛି ବୋଲି ଅଭିଯୋଗ ଆସିଛି। ଖଣି ମାଫିଆ ଓ ରାଜନେତାଙ୍କ ଅବୈଧ ଚାପକୁ ଅଣଦେଖା କରି ଲୋକଙ୍କ କଥା ଶୁଣିଥିବାରୁ ଓ ଲୋକ ହିତରେ ନିଷ୍ପତ୍ତି ନେଇଥିବାରୁ ଜିଲ୍ଲାପାଳ ପୋମା ଟୁଡ଼ୁଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି ବୋଲି କୋରାପୁଟରେ ପ୍ରବଳ ଜନଅସନ୍ତୋଷ ଦେଖା ଦେଇଛି। ଜାଣିଶୁଣି ବିଧାନସଭା ଅଧିବେଶନ ସାରିବା ପରେ ପରେ ଏହି ବଦଳି କରାଯାଇଛି। ପୋମା ଟୁଡୁ ନୂଆପଡା ଜିଲ୍ଲାପାଳ ଥିବା ବେଳେ ଜିଲାର ଅଗମ୍ୟ ଅଞ୍ଚଳକୁ ପାଦରେ ଚାଲି ଚାଲି ଯାଇ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣୁଥିଲେ। ଜଣେ ଲୋକପ୍ରିୟ ଅଧିକାରୀଙ୍କୁ ଖଣି ମାଫିଆଙ୍କ ଚାପରେ ସତରେ ଯଦି ହଟା ଯାଇଥାଏ, ଏହା ନବୀନ ସରକାରଙ୍କ ସ୍ବଚ୍ଛତା ପ୍ରତି ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିବ।

Categories
ଆଜିର ଖବର

କୋଲକାତା କମିଶନରଙ୍କ ସମେତ ୩ଅଧିକାରୀଙ୍କୁ ବଦଳାଇଲେ ନିର୍ବାଚନ କମିଶନର

ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ କୋଲକାତା କମିଶନରଙ୍କ ସମେତ ଅନ୍ୟ ୩ଅଧିକାରୀଙ୍କୁ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। ଶୁକ୍ରବାର ରାତିରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି। ନିର୍ବାଚନ କମିଶନ କୋଲକାତା ପୋଲିସ କମିଶନର ଅନୁଜ ଶର୍ମାଙ୍କୁ ବଦଳାଇଥିବା ବେଳେ ବିଧାନନଗର କମିଶନର ଜ୍ଞାନବନ୍ତ ସିଂଙ୍କୁ ମଧ୍ୟ ବଦଳାଇଛନ୍ତି। ଏହାସହିତ ପ୍ରଦୁଷଣ ନିୟନ୍ତ୍ରଣ ବିଭାଗର ଏଡିଜି ଡ. ରାଜେଶ କୁମାରଙ୍କୁୂ କୋଲକାତାର ନୂତନ କମିଶନର ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ନଟରାଜନ ରମେଶ ବାବୁଙ୍କୁ ବିଧାନନଗର କମିଶନର ଭାବରେ ଦାୟିତ୍ବ ପ୍ରଦାନ କରାଯାଇଛି। ଏହା ସହିତ ବିଧାନ ନଗର ବିମାନବନ୍ଦର ବିଭାଗର ଉପ କମିଶନର ଅଭାନ୍ନୁ ରବିନ୍ଦ୍ରନାଥଙ୍କୁ  ବୀରଭୂମର କମିଶନର ଭାବେ ନିଯୁକ୍ତ କରାଯାଇଛି। ଡାଏମଣ୍ଡ ହାର୍ବରର ପୋଲିସ୍‌ ମୁଖ୍ୟ ଭାବରେ ତୃତୀୟ ବାଟାଲିୟନ୍‌ର ଶ୍ରୀହରି ପାଣ୍ଡେଙ୍କୁ ନିଯୁକ୍ତ କରାଯାଇଛି। ଏହି ନିର୍ଦ୍ଦେଶକୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବଦଳି କରାଯାଇଥିବା ଅଧିକାରୀଙ୍କୁ ନିର୍ବାଚନୀ ଡ୍ୟୁଟିରେ ବ୍ୟବହାର ନକରିବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )