Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ସରିଲା ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ଆୟୋଜିତ ହୋଇଛି। ଏହି ଦ୍ୱିଦିବସୀୟ ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ମଇ ୨୩ ଓ ୨୪ ତାରିଖ ଦିନ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜନ କରାଯାଇଥିଲା।

ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବରେ ଓଡ଼ିଶାର ୧୩ ପ୍ରକାରର ଆଦିମ ଜନଜାତିଙ୍କର ନୃତ୍ୟ ପରିବେଷଣ କରାଯାଇଥିଲା। ଆଜି ଦ୍ୱିତୀୟ ଦିବସରେ ଲାଞ୍ଜିଆ ସଉରାଙ୍କ ବେଣ୍ଟନୃତ୍ୟ ପରିବେଷିତ ହୋଇଥିଲା। ଏହି ନୃତ୍ୟରେ ପୁରୁଷ ଓ ମହିଳାମାନେ ଏକତ୍ର ବାଦ୍ୟ ଓ ସଂଗୀତର ତାଳେ ତାଳେ ନୃତ୍ୟ କରିଥିଲେ।

ଲୋଧା ଜନଜାତିଙ୍କ ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ରହିଛି। ଆଜି ଏହି ଝୁମର ନୃତ୍ୟରେ କଳାକାରମାନେ ଝୁମ୍‌-ଝୁମ୍‌ ଶବ୍ଦ କରି ଅତି ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଡଙ୍ଗରିଆ କନ୍ଧମାନଙ୍କର ଧାଙ୍ଗଡ଼ା-ଧାଙ୍ଗଡ଼ୀ ନୃତ୍ୟ, ଜୁଆଙ୍ଗ ଜନଜାତିଙ୍କ ଚାଙ୍ଗୁ ନୃତ୍ୟ, ପାଉଡ଼ି ଭୂୟାଁଙ୍କର ବିସ୍‌ରୀ ନୃତ୍ୟ, କୁଟିଆ କନ୍ଧଙ୍କ ଧାଙ୍ଗଡ଼ା-ଧାଙ୍ଗଡ଼ୀ ନୃତ୍ୟ, ଚନ୍ଦ୍ରଗିରିର ସଉରା ଜନଜାତିଙ୍କର ଚଇତି ନୃତ୍ୟ ପରିବେଷିତ ହୋଇଥିଲା।

ପ୍ରତ୍ୟେକ ଜନଜାତି ନିଜସ୍ୱ ନୃତ୍ୟ, ସଂଗୀତ, ବାଦ୍ୟ, ପାରମ୍ପରିକ ସାଜସଜ୍ଜାରେ ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟ ଶେଷରେ ଆଜି କଳାକାରମାନଙ୍କୁ ସ୍ମୃତିଫଳକ ଓ ପ୍ରମାଣପତ୍ର ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରରେ ଆରମ୍ଭ ହେଲା ଦୁଇ ଦିନିଆ ଆଦିମ ଜନଜାତି ନୃତ୍ୟ ମହୋତ୍ସବ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ଆୟୋଜିତ ହେଉଛି। ଏହି ନୃତ୍ୟ ମହୋତ୍ସବ ମଇ ୨୩ ଓ ୨୪ ତାରିଖ ସନ୍ଧ୍ୟା ୬.୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥ ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେଉଅଛି।
ଏହି ଆଦିମ ଜନଜାତି ନୃତ୍ୟ ମହୋତ୍ସବକୁ ଆଜି ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ଉଦ୍‌ଘାଟନ କରିଥିଲେ।

ଶ୍ରୀମତୀ ଚୋପ୍ରା ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆଜି ଆମ ପାଇଁ ଏକ ଐତିହାସିକ ଦିନ। ଆଦିମ ଜନଜାତିଙ୍କୁ ନେଇ ଏକ ଅଲଗା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଗାମୀ ବର୍ଷଠାରୁ ଆମେ ଜାତୀୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବର ଆୟୋଜନ କରିବାକୁ ପ୍ରୟାସ କରିବୁ। ଆଦିମ ଜନଜାତିଙ୍କ ସଂସ୍କୃତିର ସଂରକ୍ଷଣ ଓ ମୌଳିକତା ବଜାୟ ରହିଛି। ସେମାନଙ୍କର ନୃତ୍ୟ ଓ ସଂଗୀତ ପରିବେଶ ସହିତ ଜଡ଼ିତ। ଆଦିମ ଜନଜାତିଙ୍କ ସଂସ୍କୃତିର ସଂରକ୍ଷଣ କରିବା ଆମର ପ୍ରମୁଖ ଲକ୍ଷ୍ୟ। ଏହି ଅବସରରେ ସ୍ୱାଗତ ଭାଷଣ ଦେଇ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ଆଦିମ ଜନଜାତି ନୃତ୍ୟ ମହୋତ୍ସବର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ।

ଏଭଳି ଆଦିମ ଜନଜାତି ନୃତ୍ୟ ମହୋତ୍ସବ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି। ଜନଜାତିଙ୍କ ବିବିଧତାକୁ ଆଦିମ ଜନଜାତିଙ୍କ ନୃତ୍ୟ ସଂଦର୍ଶନ କରି ଆମେ ଉପଲବ୍ଧି କରିପାରିବା। ସମ୍ମାନିତ ଅତିଥି ଭାବେ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନୟନ ପ୍ରକଳ୍ପର ନିର୍ଦ୍ଦେଶକ ଶ୍ରୀ ପି. ଅର୍ଥନାରୀ ଯୋଗଦେଇ କହିଥିଲେ ଯେ ଆଦିମ ଜନଜାତିଙ୍କ ଅନନ୍ୟ ନୃତ୍ୟଶୈଳୀ ଯେପରି ସମସ୍ତଙ୍କ ପାଖରେ ପହଞ୍ଚିପାରିବ ଆମେ ସେଥିପାଇଁ ପ୍ରୟାସ ଜାରି ରଖିଛୁ। ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଆଦିମ ଜନଜାତି ନୃତ୍ୟ ମହୋତ୍ସବରେ ପ୍ରତିଦିନ ୮ ଗୋଟି ନୃତ୍ୟ ପରିବେଷିତ ହେବ। ଆଜି ବଣ୍ଡା ଜନଜାତିଙ୍କ ଚଇତି ନୃତ୍ୟ, କୁଟିଆ କନ୍ଧଙ୍କ ଢାପ ନୃତ୍ୟ, ଡଙ୍ଗରିଆ କନ୍ଧଙ୍କ ବେଜୁନି ନୃତ୍ୟ, ଲାଞ୍ଜିଆ ସଉରାଙ୍କ କାନ୍ଦୁଲ ନୂଆ ନୃତ୍ୟ, ଚୁକୁଟିଆ ଭୁଞ୍ଜିଆଙ୍କ ନୂଆଖାଇ ନୃତ୍ୟ, ମାଙ୍କିରିଡ଼ିଆ ଜନଜାତିଙ୍କ ମାଘ ପରବ ନୃତ୍ୟ, ପାଉଡ଼ି ଭୂୟାଁଙ୍କ ବିହା ନୃତ୍ୟ, ଦିଦାୟୀ ଜନଜାତିଙ୍କ ଢେମ୍‌ସା ନୃତ୍ୟ ପରିବେଷିତ ହୋଇଥିଲା।

ଆସନ୍ତାକାଲି ଲାଞ୍ଜିଆ ସଉରାଙ୍କ ବେଣ୍ଟ ନୃତ୍ୟ, ଲୋଧା ଜନଜାତିଙ୍କ ଝୁମର ନୃତ୍ୟ, ଡଙ୍ଗରିଆ କନ୍ଧଙ୍କ ଧାଙ୍ଗଡ଼ା-ଧାଙ୍ଗଡ଼ା ନୃତ୍ୟ, ଜୁଆଙ୍ଗମାନଙ୍କ ଚାଙ୍ଗୁ ନୃତ୍ୟ, ପାଉଡ଼ି ଭୂୟାଁଙ୍କ ବିସ୍ରି ନୃତ୍ୟ, କୁଟିଆ କନ୍ଧଙ୍କ ଧାଙ୍ଗଡ଼ା-ଧାଙ୍ଗଡ଼ୀ ନୃତ୍ୟ, ସଉରା ଜନଜାତିଙ୍କ ଚଇତି ନୃତ୍ୟ ପରିବେଷିତ ହେବାର କାର୍ଯ୍ୟକ୍ରମ ରହିଛି।

ପ୍ରକାଶ ଥାଉ କି ଓଡ଼ିଶାରେ ବସବାସ କରୁଥିବା ୬୨ ପ୍ରକାର ଜନଜାତିଙ୍କ ମଧ୍ୟରେ ୧୩ ପ୍ରକାର ଆଦିମ ଜନଜାତି ବାସବାସ କରନ୍ତି। ସେମାନେ ହେଲେ ବଣ୍ଡା, ଦିଦାୟୀ, ଡଙ୍ଗରିଆ କନ୍ଧ, ଲାଞ୍ଜିଆ ସଉରା, ସଉରା, କୁଟିଆ କନ୍ଧ, ପାଉଡ଼ି ଭୂୟାଁ, ଚୁକୁଟିଆ ଭୁଞ୍ଜିଆ, ଜୁଆଙ୍ଗ, ପାହାଡ଼ି ଖଡ଼ିଆ, ମାଙ୍କିଡ଼ିଆ, ଲୋଧା ଓ ବିରହୋର।

ସାରା ଭାରତରେ ଓଡ଼ିଶା ହିଁ ସଖ୍ୟାଧିକ ଆଦିମ ଜନଜାତିଙ୍କ ବାସସ୍ଥଳୀ। ଏମାନେ ଅନ୍ୟାନ୍ୟ ଜନଜାତିଙ୍କଠାରୁ ତୁଳନାତ୍ମକ ଭାବରେ ପଛୁଆ, ସାମାଜିକ ଓ ଆର୍ଥିକ ଦିଗରୁ ଅନଗ୍ରସର। ନିଜସ୍ୱ ପରିମଣ୍ଡଳ ମଧ୍ୟରେ ରହି ପ୍ରାଚୀନ ଜ୍ଞାନକୌଶଳକୁ ଅଦ୍ୟାବଧି ଜୀବନଜୀବିକା ଭାବରେ ପ୍ରୟୋଗ କରିଥାନ୍ତି। ସରକାର ଆଦିମ ଜନଜାତିଙ୍କ ଶୈକ୍ଷିକ ତଥା ସଂସ୍କୃତି ଆଧାରିତ ଅର୍ଥନୈତିକ ବିକାଶ ଓ ସଚେତନତା ପାଇଁ ବହୁବିଧ ପଦକ୍ଷେପ ନେଉଛନ୍ତି।

ନୃତ୍ୟ ଓ ସଂଗୀତ ଆଦିମ ଜନଜାତିଙ୍କ ସହଜାତ ପ୍ରବୃତ୍ତି। କୌଣସି ପ୍ରାକ୍‌ ପ୍ରସ୍ତୁତି ନଥାଇ ସେମାନେ ଅବସର ସମୟକୁ ନୃତ୍ୟସଂଗୀତରେ ଅତିବାହିତ କରିଥାନ୍ତି । ବିକାଶ ଯାତ୍ରାରେ ଏମାନଙ୍କର ସଂସ୍କୃତିରେ ପରିବର୍ତ୍ତନ ଆସିଥିଲେ ସୁଦ୍ଧା ଆଜି ବି ତାଙ୍କ ନୃତ୍ୟ-ସଂଗୀତ ପ୍ରବାହମାନ। ସେହି ସାଂସ୍କୃତିକ ସଂପଦକୁ ପରିବେଷଣ କରିବା ସହ ପ୍ରଚାରପ୍ରସାର କରାଇବାକୁ ଚଳିତ ବର୍ଷ ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେଉଛି।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରବିନ୍ଦ୍ର ମଣ୍ଡପରେ ଆରମ୍ଭ ହେଲା ତିନିଦିନିଆ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଏକାଦଶ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆଜିଠାରୁ ତିନିଦିନ ଧରି ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେଉଛି। ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହାୟତାରେ ଏହି ନୃତ୍ୟ ମହୋତ୍ସବ ଆଜି ସନ୍ଧ୍ୟରେ ଓଡ଼ିଶାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି।

ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସାରକା ବିଭିନ୍ନ ଜନଜାତିଙ୍କ ମଧ୍ୟରେ ଥିବା ପ୍ରଦର୍ଶନ କଳାର ଏକତ୍ର ପରିବେଷଣରେ କଳାଗ୍ରହୀତାମାନଙ୍କ ଭିତରେ କୌଶଳଗୁଡ଼ିକର ଭାବଗତ ତଥା ମୁଦ୍ରାଗତ ବିନିମୟ ହୋଇଥିବାର ସୂଚନା ଦେଇଥିଲେ। ଓଡ଼ିଶା ରାଜ୍ୟର ୬୨ ଜନଜାତିଙ୍କ ମଧ୍ୟରେ ବହୁବିଧ ନୃତ୍ୟ ସମ୍ଭାର ରହିଛି ଏବଂ ମହାଭାରତୀୟ ଜନଜାତିଙ୍କ ନୃତ୍ୟ ସମ୍ଭାରର ଉତ୍କର୍ଷ ଦେଶବିଦେଶରେ ଖ୍ୟାତି ଲାଭ କରିଛି । ଏସବୁ ଗୋଟିଏ ମଂଚରେ ପରିବେଷିତ ହେବା ଦ୍ୱାରା ପ୍ରତ୍ୟେକ ପ୍ରତ୍ୟେକଙ୍କର ଶୈଳୀ, ମୁଦ୍ରା ସହ ପରିଚିତ ହେଉଛନ୍ତି ଏବଂ ପରସ୍ପର ମଧ୍ୟରେ ଭାବଗତ ଆଦାନପ୍ରଦାନ ବାଣ୍ଟୁଛନ୍ତି । ରାୟଗଡ଼ାର ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଜନଜାତିଙ୍କ ସମୃଦ୍ଧ ନୃତ୍ୟପରମ୍ପରା ନେଇ ତାଙ୍କର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ଡ. ନୱଲଜିତ୍‌ କପୁର ଭାରତୀୟ ଜନଜାତି ନୃତ୍ୟକଳାର ବିବିଧତା ଏବଂ ମୌଳିକତା ଉପରେ ଅଲୋକପାତ କରିବା ସହ ଜନଜାତି ଲୋକପରମ୍ପରାର ସଂରକ୍ଷଣ ଓ ପରିପ୍ରସାର କରାଇବାର ଉଦ୍ଦେଶ୍ୟ ସୂଚାଇଥିଲେ । ଓଡ଼ିଶାର ଆଦିବାସୀ ଗବେଷଣା ସଂସ୍ଥାନ ଦେଶର ସର୍ବଶ୍ରେଷ୍ଠ ଓ ଏହା ଅନ୍ୟ ଗବେଷଣା ସଂସ୍ଥାନକୁ ମାର୍ଗଦର୍ଶନ ଦେବ ବୋଲି ସେ କହିଥିଲେ ।
ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆୟୋଜନରେ ଓଡ଼ିଶାର ଅଗ୍ରଣୀ ଭୂମିକା ରହିଥିବା ପ୍ରକାଶ କରିବା ସହ ସାଂସ୍କୃତିକ ସମନ୍ୱୟ ସ୍ଥାପନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏସ୍‌ସିଏସ୍‌ଟିଆର୍‌ଟିଆଇର ଉପଦେଷ୍ଟା ତଥା ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଏସ୍‌ସିଆର୍‌ଟିଆଇ ଏହି ଉତ୍ସବକୁ ଏକ ପରମ୍ପରା ହିସାବରେ ପାଳନ କରିବାର ବିଧିବଦ୍ଧ ପ୍ରୟାସ ଜାରି ରଖିଛି ଏବଂ ଏ ପରମ୍ପରାକୁ ଓଡ଼ିଶାବାସୀଙ୍କ ପୂର୍ବାଗ୍ରହ ପୂର୍ତ୍ତି କରିବା ସହ ସାରା ଭାରତର ଜନଜାତିଙ୍କ ପ୍ରତିଛବି ଭୁବନେଶ୍ୱରବାସୀଙ୍କୁ ଦେଖାଇବା ଗୌରବର ବିଷୟ ହୋଇ ରହିଥିବା ସେ ସୂଚନା ଦେଇଥିଲେ । ଉଦ୍‌ଘାଟନୀ ଉତ୍ସବରେ ବିଭାଗୀୟ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ‘କୋଲି’ ଓ ‘କୋରୁଆ’ ଜନଜାତିଙ୍କ ପରିଚିତି ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ଆଜି ସନ୍ଧ୍ୟାରେ ଓଡ଼ିଶାର କୋୟା ଓ ଧୁରୁଆମାନଙ୍କ ୱିଜାପାଣ୍ଡୁମ୍‌ ଏବଂ ବିର୍‌ଲି ନୃତ୍ୟ ସହ ଆସାମର ବିହୁ ନୃତ୍ୟ, ଗୁଜୁରାଟର ଡାଙ୍ଗି ନୃତ୍ୟ, ମଣିପୁରର ବି. ମେଟିଙ୍ଗ୍‌ ନୃତ୍ୟ, ହିମାଚଳ ଡାନ୍‌ଡାରାସ୍‌ ନୃତ୍ୟ, ଝାରଖଣ୍ଡର କୁଆରୀ ଲହସୁୱା ନୃତ୍ୟ, ଅନ୍ଧ୍ରପ୍ରଦେଶର ମୟୂର ନୃତ୍ୟ, ସିକିମ୍‌ର ଡେନ୍‌ଜୋଙ୍ଗ୍‌ ନେୟ ନୃତ୍ୟ ତଥା ମିଜୋରାମର ସାର୍‌ଲାମକାଇ ନୃତ୍ୟ ବେଶ୍‌ ମନୋରଞ୍ଜକ ହୋଇଥିଲା ।