Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଦିବାସୀ ମେଳାରେ ‘ବହୁଭାଷୀ ନାଟକ ମହୋତ୍ସବ’

ଭୁବନେଶ୍ବର: ରାଜଧାନୀରେ ଚାଲିଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହି ଅବସରରେ ଭୁବନେଶ୍ୱର ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆରେ ଆୟୋଜିତ ‘ଆଦିବାସୀ ମେଳା’ରେ ବହୁଭାଷୀ ନାଟକ ମହୋତ୍ସବ ଆୟୋଜନ କରାଯାଇଛି। ଫେବୃଆରୀ ୩ରୁ ଆରମ୍ଭ ହୋଇଥିବା ଏହି କାର‌୍ୟ୍ୟକ୍ରମରେ ସାନ୍ତାଳୀ, ମୁଣ୍ଡାରୀ, ଦେଶିଆ ଏବଂ ହୋ ଆଦି ଭାଷାରେ ନାଟକ ମଞ୍ଚସ୍ଥ କରାଯାଉଛି। ଏହାକୁ ଦର୍ଶକମାନେ ବେଶ୍ ଆଗ୍ରହର ସହିତ ଉପଭୋଗ କରୁଛନ୍ତି।

ରବିବାର ଦିନ ଆଦିବାସୀ ମେଳାରେ ଦେଶିଆ ଭାଷାରେ ପ୍ରସ୍ତୁତ ନାଟକ ‘ଦେଖ୍ ମେଟା ତୋର୍ ଟୋକିର୍ କଟା’ ପରିବେଷଣ ହୋଇଥିଲା। ଏଥିରେ କୋରାପୁଟ ଜିଲ୍ଲା କୁନ୍ଦୁରାର ମା’ ମାଉଲି କଳା ପରିଷଦର କଳାକାରମାନେ ଏଥିରେ ନିଛକ ଅଭିନୟ କରିଥିଲେ। ସୁନ୍ଦରମାଲ୍ ବାରିକ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି।

ସେହିପରି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ଅଷ୍ଟଝରଣର ମା’ ଚିନ୍ତାମଣି ମୁଣ୍ଡାରୀ ଅପେରାର କଳାକାରମାନଙ୍କ ପକ୍ଷରୁ ମୁଣ୍ଡାରୀ ଭାଷାରେ ‘ହେମଲ ଉମ୍ବୁଲ’ ନାଟକ ପରିବେଷଣ କରାଯାଇଥିଲା। ଏଥିରେ କାହାଣୀ ରଚନା ଓ ନିର୍ଦ୍ଦେଶନା ସହ ନିଜେ ଅଭିନୟ କରିଛନ୍ତି ଦଶରଥ ସିଂ।

‘ଦେଖ୍ ମେଟା ତୋର୍ ଟୋକିର୍ କଟା’ – ବାଲ୍ୟ ବିବାହ ସଚେତନତା ଉପରେ ଏହି ନାଟକ ଆଧାରିତ। ଏଥିରେ ଗ୍ରାମର ଶିକ୍ଷିତ ଲୋକଙ୍କ ହସ୍ତକ୍ଷେପ ଦ୍ୱାରା କିପରି ବାଲ୍ୟ ବିବାହକୁ ବନ୍ଦ କରାଗଲା ଏବଂ ପରବର୍ତ୍ତୀ ସମୟରେ ଉଭୟ ଝିଅ ଓ ପୁଅ ଉଚ୍ଚ ଶିକ୍ଷିତ ହୋଇ ସୁନ୍ଦର ଜୀବନ ଯାପନ କଲେ ତାହା ଏହି ନାଟକର ମୁଖ୍ୟ କାହାଣୀ ରହିଥିଲା। ଡାହାଣୀମାନଙ୍କୁ ନେଇ ସମାଜରେ ଥିବା ଅନ୍ଧବିଶ୍ୱାସ ଉପରେ ଆଧାରିତ ‘ହେମଲ ଉମ୍ବୁଲ’ ନାଟକ ପ୍ରସ୍ତୁତ କରାଯାଇଛି। ଏଭଳି ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ପାଇଁ ନାଟକ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।

‘‘ଆଦିବାସୀ ମେଳାରେ ପ୍ରଥମ ଥର ପାଇଁ ବହୁଭାଷୀ ନାଟକ ମହୋତ୍ସବ ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ। ଏହା ଆଦିବାସୀ ସମ୍ପ୍ରଦାୟର କଳାକାରମାନଙ୍କୁ ସୃଜନଶୀଳ ଚିନ୍ତାଧାରା ଗ୍ରହଣ କରିବାକୁ ଏବଂ ସେମାନଙ୍କ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣିବାକୁ ପ୍ରେରଣା ଦେବ’’, କହିଛନ୍ତି ଦଶରଥ ସିଂ।ଶନିବାର, ବହୁଭାଷୀ ନାଟକ ମହୋତ୍ସବର ପ୍ରଥମ ଦିନ ରହିଥିଲା। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଖଡିଆବାସାରୁ ଆସିଥିବା ମା’ ବିରାଟପାଟ ତାୟାନ୍ ବୁର୍ ବଂଗା ମାଡ଼ିଲ ଡ୍ରାମାଟିକ୍ କ୍ଲବର ସଦସ୍ୟମାନେ ମୁଣ୍ଡାରୀ ଭାଷାରେ”ରିଲିଙ୍ଗ କେଡାମନ୍ମି ଜୀବନ ରେୟା ସେନହୋରା’ ନାଟକ ମଞ୍ଚସ୍ଥ କରିଥିଲେ।

ଏଥିରେ ମୋବାଇଲ ଫୋନର ବହୁଳ ବ୍ୟବହାର କରି ଜଣେ ଆଦିବାସୀ ଯୁବକ କିଭଳି ନିଜର ପ୍ରେମ, ପରିବାର ଏବଂ ବୃଦ୍ଧ ପିତାମାତାଙ୍କୁ ହରାଇଛନ୍ତି ତାହା ଦେଖିବାକୁ ମିଳିଥିଲା। ଶତ୍ରୁଘ୍ନ ସିଂହ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ସେହିପରି ସାନ୍ତାଳୀ ଭାଷାରେ “ଦିନ ଗେ ଡୁବୁଙ୍ଗ ଡୁବୁଙ୍ଗ’ ନାଟକ ପରିବେଷଣ କରାଯାଇଥିଲା। ଆଦିବାସୀ ସମ୍ପ୍ରଦାୟରେ ଆଧୁନିକ ନୃତ୍ୟ ଏବଂ ସଙ୍ଗୀତ ଆଦି ବ୍ୟବହାର ଯୋଗୁଁ ସେମାନଙ୍କର ଜୀବନଶୈଳୀ କିପରି ପ୍ରଭାବିତ ହେଉଛି ତାହା ଏଥିରେ ପ୍ରଦର୍ଶନ କରାଯାଇଥିଲା। ଗଙ୍ଗାଧର ହେମ୍ବ୍ରମ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି।

ସାନ୍ତାଳୀ ଭାଷାରେ ନାଟକ ପରିବେଷଣ ପାଇଁ ଏତେ ଚମତ୍କାର ମଞ୍ଚ ଯୋଗାଇ ଦେଇଥିବାରୁ ଶ୍ରୀ ହେମ୍ବ୍ରମ୍ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗକୁ ଧନ୍ୟବାଦ ଦେଇଛନ୍ତି। ନାଟକ ମହୋତ୍ସବର ପ୍ରଥମ ଦିନରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବ ରୂପା ରୋଶନ ସାହୁ ଏବଂ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ ଜନଜାତି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।

‘‘ଆଦିବାସୀ ଭାଷାର ବିବିଧତା ଆମ ରାଜ୍ୟ ପାଇଁ ଏକ ବଡ଼ ସମ୍ପତ୍ତି। ଆଦିବାସୀ ମେଳା ପଡ଼ିଆରେ ଆୟୋଜିତ ବହୁଭାଷୀ ନାଟକ ମହୋତ୍ସବ ମଧ୍ୟ ଆମ ପ୍ରତିଭାବାନ କଳାକାରମାନଙ୍କ ପାଇଁ ଭଲ ସୃଜନଶୀଳ ପ୍ଲାଟଫର୍ମ ପାଲଟିଛି’’, କହିଛନ୍ତି ସଚିବ ରୂପା ରୋଶନ ସାହୁ।

ଫେବୃଆରୀ ୫, ସୋମବାର ଆଦିବାସୀ ମେଳାର ଉଦଯାପନୀ ଉତ୍ସବ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ପଣ୍ଡିତ ଲାକୋବୋଦ୍ରା ଡ୍ରାମାଟିକ୍ କ୍ଲବ ପକ୍ଷରୁ ‘ହୋ’ ଭାଷାରେ ନାଟକ ‘ଆଦିବାସୀ’ ପରିବେଷଣ କରାଯିବ। ଏହାର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ରାଜ ଗାଇପାଇ। ଏଥିରେ ବିସ୍ଥାପିତ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ଦୁର୍ଦ୍ଦଶାକୁ ନେଇ ପ୍ରସ୍ତୁତ ହୋଇଛି ବୋଲି ମ୍ୟାନେଜର ସମୟ ପୂର୍ତ୍ତି କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରରେ ଆରମ୍ଭ ହେଲା ଆଦିବାସୀ ମେଳା-୨୦୨୪,  ମୁଖ୍ୟ ଆକର୍ଷଣ ଆଦିବାସୀ ଗାଁ ଓ ହାଟ

ଭୁବନେଶ୍ବର: ଓଡିଶାର ଜନଜାତିଙ୍କ ଜୀବନଜୀବିକା, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆୟୋଜିତ ହୋଇଛି ଆଦିବାସୀ ମେଳା-୨୦୨୪। ଚଳିତ ବର୍ଷ ୟୁନିଟ-୧ ସ୍ଥିତ ଆଦିବାସୀ ପଡିଆରେ ଏହି ମେଳାର ଆୟୋଜନ କରାଯାଇଛି। ଜାନୁଆରୀ ୨୬ ରୁ ଆରମ୍ଭ ହୋଇ ଏହି ମେଳା ଫେବୃଆରୀ ୫ ଯାଏଁ ଚାଲିବ। ପ୍ରତ୍ୟହ ଅପରାହ୍ନ ୨ଟା ୩୦ ରୁ ରାତି ୯ ଟା ଯାଏଁ ଏହି ମେଳା ସର୍ବସାଧାରଣଙ୍କ ନିମନ୍ତେ ଖୋଲାରହିବ।

ଏହି ମେଳାର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାମ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗ ଦେଇ ଆଦିବାସୀ ମେଳାର ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ। ସମାରୋହରେ ସମ୍ମାନନୀୟ ଅତିଥି ଭାବେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପାରୋଶନ ସାହୁ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇ କହିଛନ୍ତି, ଜନଜାତିମାନେ ଆମର ଗର୍ବ ଓ ଗୌରବ। ଜନଜାତିମାନଙ୍କ ଉନ୍ନତି ଓ କଲ୍ୟାଣ ତଥା ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଗଠନ କରାଯାଇଛି। ଜନଜାତି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆଦିବାସୀ ସଂସ୍କୃତି ସହ ପରିଚିତ କରିବା ପାଇଁ ଭାଷା ଲ୍ୟାବ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି। ଜାତୀୟସ୍ତରରେ ଜନଜାତିଙ୍କ କଳାକୁ ସ୍ବତନ୍ତ୍ର ପରିଚୟ ମିଳିପାରିଛି।

ଆମ ରାଜ୍ୟରେ ଆଦିବାସୀ ମେଳା ଖୁବ୍ ଲୋକପ୍ରିୟ କାର‌୍ୟ୍ୟକ୍ରମ। ଏହାଦ୍ବାରା ଜନଜାତିଙ୍କ ସାମଗ୍ରୀ ପାଇଁ ବଜାର ସୃଷ୍ଟିର ପ୍ରୟାସ କରାଯିବା ସହ ସେମାନଙ୍କ ସଂସ୍କୃତି ସହ ରାଜ୍ୟବାସୀ ପରିଚିତ ହୋଇ ପାରିଥାନ୍ତି।

ଅନ୍ୟପକ୍ଷେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି, ଜନଜାତିଙ୍କ ଜୀବନଶୈଳୀ, ପରମ୍ପରାକୁ ଲୋକଲୋଚନକୁ ଆଣିବା ପାଇଁ  ପ୍ରତିବର୍ଷ ଆଦିବାସୀ ମେଳାର ଆୟୋଜନ କରୁଛି ବିଭାଗ। ସେମାନଙ୍କୁ ସାମାଜିକ, ଅର୍ଥନୈତିକ ଭାବଧାରାରେ ସାମିଲ କରିବା ଲକ୍ଷ୍ୟ ନେଇ ଆଦିବାସୀ ମେଳାର ଆୟୋଜନ କରାଯାଉଛି।

ଏହାଦ୍ବାରା ଜନଜାତିଙ୍କ ହସ୍ତକଳା ସାମଗ୍ରୀ ଏବଂ ଆଦିବାସୀ ଅଞ୍ଚଳର ଉତ୍ପାଦନର ବିକ୍ରୟ କରିବାର ଅବସର ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ଉଦ୍ୟମରେ ବିକଶିତ ହୋଇଥିବା ଜନଜାତିଙ୍କ ଜୀବନଶୈଳୀ ଏହିମେଳାରେ ପ୍ରଦର୍ଶିତ ହେବ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ ଶାସନ ସଚିବ କହିଛନ୍ତି, ୧୯୫୧ ମସିହାରୁ କଟକରେ ପ୍ରଥମେ ଆରମ୍ଭ ହୋଇଥିବା ଏହି ମେଳା ୧୯୫୪ ମସିହା ଠାରୁ ଭୁବନେଶ୍ବରରେ ଅନୁଷ୍ଠିତ ହୋଇ ଆସୁଛି। ପ୍ରତିବର୍ଷ ବିଭାଗ ଏଥିରେ ନୂଆ ନୂଆ ଉପାଦାନକୁ ଯୋଡିବାରେ ପ୍ରୟାସ ଜାରି ରଖିଛି। ଏହି ମେଳାରେ ଆଦିବାସୀ ହାଟକୁ ଲୋକେ ଦେଖିବାକୁ ପାଇବେ।

ଏହାସହ ଭାଷାକୁ ଗୁରୁତ୍ବ ଦେଇ ମେଳାରେ ପ୍ରତିସନ୍ଧ୍ୟାରେ ବହୁଭାଷୀ ଥିଏଟର୍ ଫେଷ୍ଟିଭାଲ୍ ପରିବେଷଣ କରାଯିବ। ଜନଜାତି ସମ୍ପ୍ରଦାୟଙ୍କ ଦାବିକୁ ଦୃଷ୍ଟିରେ ରଖି ଆଗକୁ ସାମଗ୍ରୀ ବିକ୍ରୟ ପାଇଁ ସେମାନଙ୍କୁ ସ୍ଥାୟୀ ଦୋକାନ ଯୋଗାଇଦିଆଯିବା ନେଇ ବିଭାଗୀୟ ଶାସନ ସଚିବ ମତ ପ୍ରକାଶ କରିଛନ୍ତି।

ଚଳିତ ବର୍ଷ ୧୦୯ ଟି ଷ୍ଟଲକୁ ନେଇ ଆଦିବାସୀ ମେଳାର ଆୟୋଜନ କରାଯାଇଥିବା ବେଳେ ଉଦଘାଟନୀ ସନ୍ଧ୍ୟାରେ ସ୍ବତନ୍ତ୍ର ଜର୍ଣ୍ଣାଲ୍ “ଆଦିବାସୀ”ର ୬୩ତମ ସଂସ୍କରଣ ଉନ୍ମୋଚନ କରାଯାଇଛି। ଏହାସହ ୧୦ ଜଣ ବିଭିନ୍ନ ସମ୍ପ୍ରଦାୟର ଜନଜାତିଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।

ସମାରୋହରେ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟାନ୍ୟ ଅତିଥି ମଧ୍ୟରେ ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ରଥ ଓ ଅନ୍ୟାନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଦିବାସୀ ମେଳାରେ ଜୈବିକ କୃଷି ସାମଗ୍ରୀର ସର୍ବାଧିକ ଚାହିଦା, ଗୋଟିଏ ଦିନରେ ୬୫ଲକ୍ଷ ଟଙ୍କାର କାରବାର

ଭୁବନେଶ୍ୱର, ଆଦିବାସୀମେଳାକୁ ବୁଲି ଆସୁଥିବା ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇଛି ଜୈବିକ କୃଷି ସାମଗ୍ରୀ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜନଜାତି ସମ୍ପ୍ରଦାୟଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରୋତ୍ସାହନରେ ଅଣାଯାଇଥିବା ଜୈବିକ କୃଷି ଉତ୍ପାଦ ଗୁଡିକୁ ଲୋକେ ଆଗ୍ରହର ସହ ଖରିଦ କରୁଛନ୍ତି । ଏଥି ମଧ୍ୟରେ ହଳଦୀ ଠାରୁ ଆରମ୍ଭକରି ଗୁଗ, ବିରି, ମାଣ୍ଡିଆ, ବୁଟ, ହରଡ, କୋଳଥ ଆଦି ରହିଛି । ଏଥି ସହିତ ହରିଡା, ବାହାଡା, ଅଦା, ଶୁଣ୍ଠି, ଶୁଖିଲାଲଙ୍କା, ଆମ୍ବଅଦା, ମହୁ ଆଦି ସାମଗ୍ରୀକୁ ଲୋକେ ଅଧିକ ପରିମାଣରେ ଖରିଦ କରୁଛନ୍ତି । ଆଦିବାସୀ ମେଳାର ୧୩ତମ ସଂଧ୍ୟାରେ ମେଳାକୁ ପ୍ରାୟ ୮୫ ହଜାର ଲୋକ ବୁଲିବାକୁ ଆସିଥିବାବେଳେ ୬୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କିଣାବିକା ହୋଇଛି । ଆଦିବାସୀ ହାଟରୁ ଲୋକେ ବିପୁଳ ମାତ୍ରାରେ ସାମଗ୍ରୀ ଖରିଦ କରିଛନ୍ତି । ସେହିଭଳି ଜାତୀୟ ଜନଜାତି ଖାଦ୍ୟ ମେଳାରେ ୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ୟବସାୟ ହୋଇଥିବାବେଳେ ହସ୍ତଶିଳ୍ପ ମଣ୍ଡପରେ ୬ଲକ୍ଷ ଟଙ୍କାର କାରବାର ହୋଇଛି । ସେହିଭଳି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ପରିବେଶିତ ସମସ୍ୟା ଭିତ୍ତିକ ନାଟକ “ସବୁ ରାତିର ସକାଳ ଅଛି” କୋହଲା ପାଗକୁ ବେଶ୍ ଉଷ୍ମ କରିଥିଲା । ଆଜି ପର୍ଯ୍ୟନ୍ତ କେବଳ ଆଦିବାସୀ ନୃତ୍ୟ, ସଂଗୀତ ଓ ବାଦ୍ୟର ତାଳେ ତାଳେ ଝଙ୍କୃତ ହେଉଥିବା ମେଳା ମଣ୍ଡପ ଆଜି ଏକ ଭିନ୍ନ ସ୍ୱାଦର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥି ସହିତ ଆଦିବାସୀ ହାଟରୁ ମେଳା ବୁଲିବାକୁ ଆସିଥିବା ଲୋକେ ଆଦିବାସୀ ମାନଙ୍କର ହାତ ତିଆରି ବିରି, ଧଳା ସୋରିଷ, ମକା, ବାଜରା, ଧଣିଆ, ମାଣ୍ଡିଆ ପ୍ରସ୍ତୁତ କେକ୍‌, ସେୟାବିନ୍‌, ଆମ୍ବସଢ଼ା, ନାଲିଲଙ୍କା, କାଜୁ, ଝୁଣା, ମୁଗ, ବିଭିନ୍ନ ପ୍ରକାର ବଡି, ଡାଲଚିନ୍‌, ଗୁଜୁରାତି, ଅଳେଇଚ, ବାସୁମତୀ ଚାଉଳ, କଞ୍ଚା ହଳଦୀ, ଦେଶୀ ଆଳୁ, ଦେଶୀ ଅଦା ଇତ୍ୟାଦି ଖରିଦ କରିଛନ୍ତି । ଦୁଇ ଦିନ ଧରି ରାଜଧାନୀରେ କୋହଲା ପାଗ ଲାଗି ରହିଥିଲେ ମଧ୍ୟ ମେଳାରେ ଲାଗି ରହୁଥିବା ଜନସମାଗମ ଉପରେ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ ।