କଂଗ୍ରେସ ନେତା ଉଦିତ୍ ରାଜ ଆଜିକାଲି ନିଜର ବିବାଦୀୟ ମନ୍ତବ୍ୟ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ପୂର୍ବରୁ ଇଭିଏମ୍କୁ ନେଇ ସୁପ୍ରିମ୍କୋର୍ଟଙ୍କ ଉପରେ ଆରୋପ ଲଗାଇଥିଲେ। ଏବେ ନିର୍ବାଚନୀ ଫଳାଫଳ ଘୋଷଣା ସରିବା ପରେ କଂଗ୍ରେସର ପରାଜୟକୁ ସ୍ବୀକାର କରି ସେ ସିଧା ଟାର୍ଗେଟ୍ ସାମାଜିକ ଗଣମାଧ୍ୟମ ତଥା ଗଣମାଧ୍ୟମକୁ ଦାୟୀ କରିଛନ୍ତି। ଉଦିତ୍ ରାଜ୍ ଟୁଇଟ୍ କରି କହିଛନ୍ତି ଯେ, ରାହୁଲ୍ ଗାନ୍ଧିଙ୍କ ଦୃଢ ନେତୃତ୍ବ ନେଇଥିଲେ, କିନ୍ତୁ ଦୁର୍ଭାଗ୍ୟ ଯେ, ଦେଶର ସାଧାରଣ ଜନତା ମିଛ ତଥା କାଳ୍ପନିକ ଡର, ଦେଶ ଅସୁରକ୍ଷିତ ଆଦି କଥାବସ୍ତୁ, ଯାହା ସାମାଜିକ ଗଣମାଧ୍ୟମ ତଥା ଜାତୀୟ ଗଣମାଧ୍ୟମ ଦ୍ବାରା ପ୍ରଭାବିତ ହୋଇ ଏପରି ନିଷ୍ପତ୍ତି ନେଇଛନ୍ତି। ୨୦୧୪ରେ ଉତ୍ତର ପଶ୍ଚିମ ଦିଲ୍ଲୀର ବିଜେପି ସାଂସଦ ରହିଥିବା ଉଦିତ୍ ରାଜଙ୍କୁ ଚଳିତ ଥର ବିଜେପି ଟିକେଟ୍ ନ ଦେବାରୁ ବିଜେପିରୁ ଯାଇ କଂଗ୍ରେସ ମିଶିଥିଲେ। ବିଜେପି ଉଦିତ୍ଙ୍କ ସ୍ଥାନରେ ଚଳିତ ଥର ଗାୟକ ହଂସରାଜଙ୍କ ପ୍ରାର୍ଥୀ କରିଥିବାବେଳେ ସେ ରେକର୍ଡ ସଂଖ୍ୟାରେ ଜିତ୍ ହାସଲ କରିଛନ୍ତି। ଉଦିତ୍ କଂଗ୍ରେସରେ ମିଶିବା ପରେ ବିଜେପି ବିରୋଧୀ ବୟାନବାଜି କରୁଛନ୍ତି।
Tag: uditraj
କଂଗ୍ରେସରେ ଯୋଗ ଦେଲେ ଉଦିତ ରାଜ
ବିଜେପିରୁ ଟିକେଟ୍ ନମିଳିବା ପରେ ସାଂସଦ ଉଦିତ ରାଜ ଅସନ୍ତୋଷ ପ୍ରକାଶ କରି ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ପାର୍ଟିକୁ ସ୍ୱାଗତ କରିଛନ୍ତି। ବିଜେପି ଉଦିତଙ୍କ ଟିକେଟ୍ କାଟି ତାଙ୍କ ସ୍ଥାନରେ ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କୁ ଉତ୍ତର-ପଶ୍ଚିମ ଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଛି। ୨୦୧୪ରେ ବିଜେପି ଟିକେଟରୁ ଉତ୍ତର-ପଶ୍ଚିମ ଦିଲ୍ଲୀ ଆସନରେ ବିଜୟ ହାସଲ କରିଥିବା ସାଂସଦ ଉଦିତ ରାଜଙ୍କୁ ଏଥର ପୁଣି ଲଢିବାକୁ ବିଜେପି ସୁଯୋଗ ଦେଇନାହିଁ। ମଙ୍ଗଳବାର ବିଜେପିର ପ୍ରାର୍ଥୀ ତାଲିକା ଆସିବା ପରେ ସେଥିରେ ତାଙ୍କ ନାଁ ନଥିବାରୁ ଉଦିତ ବିରୋଧୀ ମନୋଭାବ ପୋଷଣ କରିଥିଲେ। ଏପରିକି ନିଜ ଟ୍ୱିଟର୍ ହ୍ୟାଣ୍ଡେଲରୁ ସେ ତାଙ୍କ ନାଁ ପୂର୍ବରୁ ଚୌକିଦାର ଶବ୍ଦ ମଧ୍ୟ ହଟାଇ ଦେଇଥିଲେ। ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଉତ୍ତର-ପଶ୍ଚିମ ଦିଲ୍ଲୀ ଆସନ ପାଇଁ ରାଜେଶ ଲିଲୋଥିୟାଙ୍କୁ ପ୍ରାର୍ଥୀ କରି ସାରିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କଂଗ୍ରେସ ଉଦିତଙ୍କୁ ଅନ୍ୟ କୌଣସି ରାଜ୍ୟରୁ ନିର୍ବାଚନ ଲଢିବା ପାଇଁ ଟିକେଟ୍ ଦେଇପାରେ।