Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭାରତର ଉପକୂଳବର୍ତ୍ତୀ ସ୍ଥାନଗୁଡିକରେ ସମୁଦ୍ର ଘାସ ଏବଂ ସନ୍ତସନ୍ତିଆ ଲୁଣା ଅଞ୍ଚଳ ପୁନରୁଦ୍ଧାର ପାଇଁ ଆରମ୍ଭ ହେଲା ପଦକ୍ଷେପ

ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (IIT), ଭୁବନେଶ୍ୱର ଓ ଭାରତର ଉପକୂଳବର୍ତ୍ତୀ  ସମ୍ପ୍ରଦାୟଗୁଡ଼ିକର ଜଳବାୟୁ  ସହନଶୀଳତା ବୃଦ୍ଧି  ପ୍ରକଳ୍ପ (ECRICC)ର  ମିଳିତ ଆନୁକୂଲ୍ୟରେ ଆଜି ଭୁବନେଶ୍ୱରରେ ସମୁଦ୍ର ଘାସ ଏବଂ ସନ୍ତସନ୍ତିଆ ଲୁଣା ଅଞ୍ଚଳ  ସୁରକ୍ଷା, ପୁନରୁଦ୍ଧାର ଏବଂ ପରିଚାଳନା ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଓଡ଼ିଶାରେ ଜଳବାୟୁ ସହନଶୀଳତା ବୃଦ୍ଧି ପାଇଁ ଇକୋସିଷ୍ଟମ-ଆଧାରିତ ସମାଧାନ ଉପରେ ବିଚାର ବିମର୍ଶ କରିବା ନିମନ୍ତେ ଏହି କର୍ମଶାଳାରେ ପ୍ରମୁଖ ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରକମାନେ ଯୋଗ ଦେଇ ବିଶଦ ଆଲୋଚନା କରିଥିଲେ ।

ସବୁଜ ଜଳବାୟୁ ପାଣ୍ଠିର ସହାୟତାପ୍ରାପ୍ତ ଏବଂ କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (MoEF&CC) ଏବଂ ଓଡ଼ିଶା ସରକାରଙ୍କ ସହଭାଗୀତାରେ କାର୍ଯ୍ୟକାରୀ ହେଉଥିବା ଭାରତର ଉପକୂଳବର୍ତ୍ତୀ ସମ୍ପ୍ରଦାୟଗୁଡ଼ିକର ଜଳବାୟୁ ସହନଶୀଳତା ବୃଦ୍ଧି  ପ୍ରକଳ୍ପ (ECRICC), ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ଭାରତର ଉପକୂଳ ସମ୍ପ୍ରଦାୟ ଏବଂ ଇକୋସିଷ୍ଟମକୁ ସୁରକ୍ଷା ଦେବାର ଲକ୍ଷ୍ୟ ରଖିଛି । ସମୁଦ୍ର ଘାସ ଏବଂ ସନ୍ତସନ୍ତିଆ ଲୁଣା ଅଞ୍ଚଳ ଇକୋସିଷ୍ଟମର ବୈଜ୍ଞାନିକ ପୁନରୁଦ୍ଧାର ଏବଂ ପରିଚାଳନା ଉପରେ ଏହି ପ୍ରଚେଷ୍ଟା ଗୁରୁତ୍ଵାରୋପ କରେ, ଯାହା ଜୈବବିବିଧତା ସଂରକ୍ଷଣ, କାର୍ବନ ସିକ୍ୱେଷ୍ଟ୍ରେସନ୍ ଏବଂ ଉପକୂଳ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ।

ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (IIT), ଭୁବନେଶ୍ୱର ଉପରେ ଏହି ପ୍ରୟାସର ବୈଷୟିକ ପରାମର୍ଶ ଦାୟିତ୍ୱ ନ୍ୟସ୍ତ କରାଯାଇଛି I ଆଇ ଆଇ ଟି, ଭୁବନେଶ୍ୱର ଅଷ୍ଟ୍ରେଲିଆର ଜେମ୍ସ କୁକ୍ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ସହିତ ମିଳିତ ସହଯୋଗରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବୈଜ୍ଞାନିକ ଏବଂ ସମ୍ପ୍ରଦାୟ-ଭିତ୍ତିକ ପୁନରୁଦ୍ଧାର ରଣନୀତି କାର୍ଯ୍ୟକାରୀ କରିବ ।

କର୍ମଶାଳାର ଉଦଘାଟନୀ ଅଧିବେଶନରେ, UNDP ଭାରତର ଶକ୍ତି, ପରିବେଶ ଏବଂ ସହନଶୀଳତା ମୁଖ୍ୟ, ଶ୍ରୀ ଆଶିଷ ଚତୁର୍ବେଦୀ UNDP-GCF ପଦକ୍ଷେପଗୁଡ଼ିକର ଏକ ସାରାଂଶ ଏବଂ ECRICC ପ୍ରକଳ୍ପର ଅଗ୍ରଗତି ଉପରେ ତଥ୍ୟ  ପ୍ରଦାନ କରିଥିଲେ। ସବୁଜ ଜଳବାୟୁ ପାଣ୍ଠିର ଉପକୂଳ ପ୍ରକଳ୍ପ, MoEF&CCର ଅର୍ଥନୈତିକ ପରାମର୍ଶଦାତା ଏବଂ ଜାତୀୟ ପ୍ରକଳ୍ପ ନିର୍ଦ୍ଦେଶକ, ଶ୍ରୀମତୀ ରାଜଶ୍ରୀ ରାୟ ଉପକୂଳ ପରିବେଶର ପୁନରୁଦ୍ଧାର ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ଜାତୀୟ ପ୍ରକଳ୍ପ ସଂଯୋଜକ, MoEFCC, GoI, ଡକ୍ଟର ସୁନଦୀପ ଜଳବାୟୁ ପରିବର୍ତ୍ତନର ବିପଦ ହ୍ରାସ କରିବାରେ ପରିବେଶ-ଭିତ୍ତିକ ଅନୁକୂଳନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଡିନ୍, ଏମିରେଟସ୍ ପ୍ରଫେସର IIT ଭୁବନେଶ୍ୱର, ପ୍ରଫେସର ଟି. କେ. ବିଶ୍ୱାଳ ଉପକୂଳ ପରିବେଶ ପୁନରୁଦ୍ଧାରରେ ଅଗ୍ରଣୀ ଗବେଷଣା ପାଇଁ IITର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ ।

ବୈଷୟିକ ଅଧିବେଶନରେ, ପ୍ରମୁଖ ଗବେଷକ ଏବଂ ବିଶେଷଜ୍ଞଙ୍କ ଦ୍ୱାରା ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଉପସ୍ଥାପନା ପ୍ରଦାନ କରାଯାଇଥିଲା । IIT ଭୁବନେଶ୍ୱରର ଆସୋସିଏଟ୍ ପ୍ରଫେସର ଏବଂ ମୁଖ୍ୟ, ପୃଥିବୀ, ମହାସାଗର ଏବଂ ଜଳବାୟୁ ବିଜ୍ଞାନ ସ୍କୁଲ୍, ଡକ୍ଟର ଏସ୍.ଏଚ୍. ଫାରୁକ ସମୁଦ୍ର ଘାସ ଏବଂ ସନ୍ତସନ୍ତିଆ ଲୁଣା ଅଞ୍ଚଳ ହସ୍ତକ୍ଷେପର ପରିସର, ଆଶାନୂରୂପ ଫଳାଫଳ ଏବଂ ଉପଲବ୍ଧତା ଉପରେ ଆଲୋକପାତ କରିଥିଲେ । ଅଷ୍ଟ୍ରେଲିଆର ଜେମ୍ସ କୁକ୍ ବିଶ୍ୱବିଦ୍ୟାଳୟର ଡକ୍ଟର ଅମୃତ ମିଶ୍ର ଏକ ବିସ୍ତୃତ କାର୍ଯ୍ୟ ଯୋଜନା ଉପସ୍ଥାପନ କରିଥିଲେ, ଯେଉଁଥିରେ ଅଂଶୀଦାରଙ୍କ ଭୂମିକା, ସମୟସୀମା ଏବଂ କ୍ଷମତା-ନିର୍ମାଣ ଆବଶ୍ୟକତା ବିଷୟରେ ଆଲୋଚନା କରାଯାଇଥିଲା । ECRICC ଓଡ଼ିଶାର ରାଜ୍ୟ ପ୍ରକଳ୍ପ ପରିଚାଳିକା ଡକ୍ଟର ସ୍ପନ୍ଦିତା କର ଏହି ପଦକ୍ଷେପର ଦୀର୍ଘସ୍ଥାୟୀ ପ୍ରଭାବ ପାଇଁ ମୁଖ୍ୟ ପଦକ୍ଷେପ, ମାଇଲଖୁଣ୍ଟ ଏବଂ କାର୍ଯ୍ୟ ବିନ୍ଦୁଗୁଡ଼ିକର ଅବତାରଣା କରିଥିଲେ ।

ଓଡ଼ିଶାର ଅନନ୍ୟ ପରିବେଶଗତ ଏବଂ ସାମାଜିକ-ଅର୍ଥନୈତିକ ପରିପ୍ରେକ୍ଷୀରେ ପ୍ରସ୍ତୁତ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ, ନୀତି ସୁପାରିଶ ଏବଂ ଅଭିନବ ପୁନରୁଦ୍ଧାର ପଦ୍ଧତି ଉପରେ ଜ୍ଞାନ ଆଦାନପ୍ରଦାନକୁ ସହଜ କରିଥିଲା । ଡକ୍ଟର ଏସ୍.ଏଚ୍. ଫାରୁକଙ୍କ ଧନ୍ୟବାଦ ପ୍ରସ୍ତାବ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା, ପରେ ଅଂଶଗ୍ରହଣକାରୀମାନଙ୍କ ପାଇଁ ସହଯୋଗ ଏବଂ ଭବିଷ୍ୟତ ସହଭାଗୀତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନେଟୱାର୍କିଂ ଅଧିବେଶନ ହୋଇଥିଲା ।

ଇକୋସିଷ୍ଟମ-ଆଧାରିତ ଅନୁକୂଳନ, ବୈଜ୍ଞାନିକ ଗବେଷଣା ଏବଂ ସମ୍ପ୍ରଦାୟ ସମ୍ପୃକ୍ତିର ସ୍ଥାୟୀ ଉପକୂଳ ପରିଚାଳନାରେ ଓଡ଼ିଶାର ନେତୃତ୍ୱକୁ ECRICC ପ୍ରକଳ୍ପ ଅଗ୍ରାଧିକାର ଦେଉଛି । ଏହି କର୍ମଶାଳାରୁ ପ୍ରାପ୍ତ ଅନ୍ତର୍ଦୃଷ୍ଟି ସମୁଦ୍ର ଘାସ ଏବଂ ସନ୍ତସନ୍ତିଆ ଲୁଣା ଅଞ୍ଚଳ  ସୁରକ୍ଷା, ପୁନରୁଦ୍ଧାର ଏବଂ ପରିଚାଳନା ପାଇଁ ପରବର୍ତ୍ତୀ ପଦକ୍ଷେପଗୁଡ଼ିକୁ ମାର୍ଗଦର୍ଶନ କରିବ, ସ୍ଥାନୀୟ ସମ୍ପ୍ରଦାୟ ପାଇଁ ଦୀର୍ଘକାଳୀନ ପରିବେଶଗତ ଏବଂ ସାମାଜିକ-ଆର୍ଥିକ ଲାଭ ସୁନିଶ୍ଚିତ କରିବ।

Categories
ଆଜିର ଖବର ଜାତୀୟ ଖବର ବଜେଟ ୨୦୨୪

ଗତ ୯ ବର୍ଷରେ ବହୁମୁଖୀ ଦାରିଦ୍ର୍ୟରୁ ମୁକୁଳିଛନ୍ତି ୨୪ କୋଟି ୮୨ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ: ଗତ ୯ ବର୍ଷରେ ୨୪ କୋଟି ୮୨ ଲକ୍ଷ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି। ‘୨୦୦୫-୦୬ରୁ ଭାରତରେ ବହୁମୁଖୀ ଦାରିଦ୍ର୍ୟ ’ଶୀର୍ଷକ ନୀତି ଆୟୋଗର ଆଲୋଚନା ପତ୍ରରୁ ଏହା ଜଣାପଡ଼ିଛି । ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ଦାରିଦ୍ର୍ୟର ସମସ୍ତ ଦିଗକୁ ଦୂର କରିବା ପାଇଁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଏହି ଉଲ୍ଲେଖନୀୟ ସଫଳତାର ଶ୍ରେୟ ଦିଆଯାଇଛି। ନୀତି ଆୟୋଗର ସିଇଓ ବି.ଭି.ଆର ସୁବ୍ରମଣ୍ୟମଙ୍କ ଉପସ୍ଥିତିରେ ଆଜି ନୀତି ଆୟୋଗର ସଦସ୍ୟ ପ୍ରଫେସର ରମେଶ ଚାନ୍ଦ ଏହି ଆଲୋଚନା ପତ୍ର ଉନ୍ମୋଚନ କରିଥିଲେ। ଅକ୍ସଫୋର୍ଡ ପଲିସି ଆଣ୍ଡ ହ୍ୟୁମାନ ଡେଭଲପମେଣ୍ଟ ଇନିସିଏଟିଭ୍ (ଓପିଏଚ୍ଆଇ) ଏବଂ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଏହି ଦସ୍ତାବିଜ ପାଇଁ ବୈଷୟିକ ତଥ୍ୟ ପ୍ରଦାନ କରିଛନ୍ତି।

ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (ଏମପିଆଇ) ହେଉଛି ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ବ୍ୟାପକ ପଦକ୍ଷେପ ଯାହା ଆର୍ଥିକ ଦିଗ ବ୍ୟତୀତ ଏକାଧିକ ଦିଗରେ ଦାରିଦ୍ର୍ୟକୁ ବିବେଚନା କରିଥାଏ। ଏମପିଆଇର ବିଶ୍ୱସ୍ତରୀୟ ପଦ୍ଧତି ଦୃଢ଼ ଆଲକିର ଏବଂ ଫଷ୍ଟର (ଏଏଫ) ପଦ୍ଧତି ଉପରେ ଆଧାରିତ ଯାହା ତୀବ୍ର ଦାରିଦ୍ର୍ୟ ଆକଳନ କରିବା ପାଇଁ ଡିଜାଇନ୍ କରାଯାଇଥିବା ସାର୍ବଜନୀନ ସ୍ୱୀକୃତିପ୍ରାପ୍ତ ମେଟ୍ରିକ୍ ଆଧାରରେ ଲୋକଙ୍କୁ ଗରିବ ଭାବରେ ଚିହ୍ନଟ କରେ, ଯାହା ପାରମ୍ପରିକ ଆର୍ଥିକ ଦାରିଦ୍ର୍ୟ ପଦକ୍ଷେପଗୁଡିକର ପରିପୂରକ ଦୃଷ୍ଟିକୋଣ ପ୍ରଦାନ କରେ।

ଆଲୋଚନା ପତ୍ର ଅନୁଯାୟୀ, ଭାରତରେ ବହୁମୁଖୀ ଦାରିଦ୍ର୍ୟ ୨୦୧୩-୧୪ରେ ୨୯.୧୭% ଥିବାବେଳେ ୨୦୨୨-୨୩ରେ ଏହା ୧୧.୨୮% କୁ ହ୍ରାସ ପାଇଛି ଅର୍ଥାତ୍ ୧୭.୮୯ ପ୍ରତିଶତ ପଏଣ୍ଟ ହ୍ରାସ ପାଇଛି। ଉତ୍ତରପ୍ରଦେଶରେ ଗତ ୯ ବର୍ଷ ମଧ୍ୟରେ ୫.୯୪ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଥିବା ବେଳେ ବିହାରରେ ୩.୭୭ କୋଟି, ମଧ୍ୟପ୍ରଦେଶରେ ୨.୩୦ କୋଟି ଏବଂ ରାଜସ୍ଥାନରେ ୧.୮୭ କୋଟି ଲୋକ ରହିଛନ୍ତି।

୨୦୦୫-୦୬ରୁ ୨୦୧୫-୧୬ (ବାର୍ଷିକ ୭.୬୯% ହ୍ରାସ ହାର) ତୁଳନାରେ ୨୦୧୫-୧୬ ରୁ ୨୦୧୯-୨୧ (ବାର୍ଷିକ ୧୦.୬୬% ହ୍ରାସ ହାର) ମଧ୍ୟରେ ଦାରିଦ୍ର୍ୟ ହିସାବ ଅନୁପାତ ହ୍ରାସର ଗତି ବହୁତ ଦ୍ରୁତ ଥିଲା ବୋଲି ଏହି ଗବେଷଣାପତ୍ରରେ ଦର୍ଶାଯାଇଛି। ସମଗ୍ର ଅଧ୍ୟୟନ ଅବଧି ମଧ୍ୟରେ ଏମପିଆଇର ସମସ୍ତ ୧୨ ଟି ସୂଚକାଙ୍କରେ ଉଲ୍ଲେଖନୀୟ ଉନ୍ନତି ରେକର୍ଡ କରାଯାଇଛି। ସାମ୍ପ୍ରତିକ ପରିସ୍ଥିତି (ଅର୍ଥାତ୍ ୨୦୨୨-୨୩ ବର୍ଷ ପାଇଁ) ତୁଳନାରେ ୨୦୧୩-୧୪ ବର୍ଷରେ ଦାରିଦ୍ର୍ୟ ସ୍ତର ଆକଳନ କରିବା ପାଇଁ, ଏହି ନିର୍ଦ୍ଦିଷ୍ଟ ଅବଧି ପାଇଁ ଡାଟା ସୀମିତତା କାରଣରୁ ଆନୁମାନିକ ଆକଳନ ବ୍ୟବହାର କରାଯାଇଛି।

ଦାରିଦ୍ର୍ୟର ସମସ୍ତ ଦିଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯୋଗୁଁ ଗତ ୯ ବର୍ଷ ମଧ୍ୟରେ ୨୪.୮୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି। ଫଳରେ ଭାରତ ୨୦୩୦ ପୂର୍ବରୁ ବହୁମୁଖୀ ଦାରିଦ୍ର୍ୟ ହ୍ରାସ କରିବାର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାର ସମ୍ଭାବନା ରହିଛି। ସବୁଠାରୁ ଦୁର୍ବଳ ଓ ବଞ୍ଚିତ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ସରକାରଙ୍କ ନିରନ୍ତର ସମର୍ପଣ ଓ ଦୃଢ଼ ପ୍ରତିବଦ୍ଧତା ଏହି ସଫଳତାରେ ସହାୟକ ହୋଇଛି।

ସବୁ ଦିଗରୁ ଦାରିଦ୍ର୍ୟ ହ୍ରାସ କରିବା ଲକ୍ଷ୍ୟରେ ଭାରତ ସରକାର ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି। ପୋଷଣ ଅଭିଯାନ ଏବଂ ରକ୍ତହୀନତା ମୁକ୍ତ ଭାରତ ଭଳି ଉଲ୍ଲେଖନୀୟ ପଦକ୍ଷେପ ସ୍ୱାସ୍ଥ୍ୟ ସେବାର ଉପଲବ୍ଧତାକୁ ଯଥେଷ୍ଟ ବୃଦ୍ଧି କରିଛି, ଯାହା ଫଳରେ ଦାରିଦ୍ର୍ୟ ଯଥେଷ୍ଟ ହ୍ରାସ ପାଇଛି । ବିଶ୍ୱର ଅନ୍ୟତମ ବୃହତ୍ତମ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଲକ୍ଷ୍ୟ ଆଧାରିତ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାରେ ୮୧.୩୫ କୋଟି ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଗ୍ରାମୀଣ ଓ ସହରାଞ୍ଚଳ ଜନସଂଖ୍ୟାକୁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ଖାଦ୍ୟଶସ୍ୟ ବଣ୍ଟନକୁ ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିବା ଭଳି ସାମ୍ପ୍ରତିକ ନିଷ୍ପତ୍ତି ସରକାରଙ୍କ ପ୍ରତିବଦ୍ଧତାର ଉଦାହରଣ ଦେଇଛି। ମାତୃ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବା, ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ସ୍ୱଚ୍ଛ ରୋଷେଇ ଇନ୍ଧନ ବଣ୍ଟନ, ସୌଭାଗ୍ୟ ମାଧ୍ୟମରେ ଉନ୍ନତ ବିଦ୍ୟୁତ ସଂଯୋଗ ଆଦି ଯୋଗାଇ ଦିଆଯାଇଛି । ଏଥିସହିତ ସ୍ୱଚ୍ଛ ଭାରତ ମିଶନ ଏବଂ ଜଳ ଜୀବନ ମିଶନ ପରି ପରିବର୍ତ୍ତନମୂଳକ ଅଭିଯାନ ସାମୂହିକ ଭାବରେ ଲୋକଙ୍କ ଜୀବନଧାରଣ ଅବସ୍ଥା ଏବଂ ସାମଗ୍ରିକ କଲ୍ୟାଣକୁ ଉନ୍ନତ କରିଛି । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏବଂ ପିଏମ ଆବାସ ଯୋଜନା ଭଳି ପ୍ରମୁଖ କାର୍ଯ୍ୟକ୍ରମ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଗରିବ ଲୋକଙ୍କୁ ସୁରକ୍ଷିତ ଆବାସ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ଯଦିଓ ରାଜ୍ୟଗୁଡ଼ିକର ପ୍ରଦର୍ଶନ ଭିନ୍ନ ଭିନ୍ନ ରହିଛି ତଥାପି ପାରମ୍ପରିକ ଭାବରେ ଅଧିକ ଦାରିଦ୍ର୍ୟ ଥିବା କେତେକ ରାଜ୍ୟ ନିଜ ଲୋକମାନଙ୍କୁ ଦାରିଦ୍ର୍ୟରୁ ମୁକୁଳିବାରେ ସାହାଯ୍ୟ କରିବାରେ ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି; ଯଦ୍ଦ୍ୱାରା ବହୁମୁଖୀ ଦାରିଦ୍ର୍ୟରେ ଆନ୍ତଃରାଜ୍ୟ ଅସମାନତା ହ୍ରାସ ପାଇଛି । ଏହା ସହିତ ମୌଳିକ ସେବା ପାଇବାରେ ଥିବା ମୂଳ ସମସ୍ୟା ଦ୍ରୁତ ଗତିରେ ସମାଧାନ ହେଉଛି । ଫଳରେ ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ସଠିକ୍‌ ମାର୍ଗରେ ରହିଛି ।