Categories
ଜାତୀୟ ଖବର ବିଶେଷ ଖବର

ଦେଶରେ ଆରମ୍ଭ ହେଲା କିଶୋରମାନଙ୍କ ଟୀକାକରଣ, ଜାଣନ୍ତୁ ସେମାନଙ୍କୁ କେଉଁ ଟୀକା ଦିଆଯାଉଛି

ନୂଆଦିଲ୍ଲୀ: ୧୫ ରୁ ୧୮ ବର୍ଷ ବୟସର କିଶୋରମାନଙ୍କ ପାଇଁ ଟୀକାକରଣ ଆଜିଠାରୁ ଆରମ୍ଭ ହେଉଛି। ଏହି ଗୋଷ୍ଠୀ ପାଇଁ କେବଳ କୋଭାକ୍ସିନ ଟୀକା ଦିଆଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୨୦୦୭ ମସିହାରେ କିମ୍ବା ତା’ପୂର୍ବରୁ ଜନ୍ମ ହୋଇଥିବା ସମସ୍ତ କିଶୋର ଏହି ଟିକା ପାଇବାକୁ ଯୋଗ୍ୟ ହେବେ। ଏହି ବର୍ଗ ପାଇଁ କୋଭିଡ ଟିକା ପଞ୍ଜିକରଣ ଜାନୁଆରୀ ୧ ରୁ କୋୱନି ପୋର୍ଟାଲରେ ଉପଲବ୍ଧ କରାଯାଇଛି।

ଟିକା ପାଇଁ ବୁକିଂ ଅନଲାଇନରେ କିମ୍ବା କୋଭିଡ ଟିକା କେନ୍ଦ୍ର ପରିଦର୍ଶନ କରି ଟିକା ମଧ୍ୟ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଟିକା ସମସ୍ତ ଆୟ ବର୍ଗଙ୍କୁ ମାଗଣାରେ ଉପଲବ୍ଧ କରାଯାଇଛି। ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ମାଗଣା ଟିକା ପ୍ରଦାନ କରୁଛନ୍ତି।

ଏହାପୂର୍ବରୁ ଡିସେମ୍ବର ୨୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ୧୫ ରୁ ୧୮ ବର୍ଷ ବୟସର କିଶୋରମାନଙ୍କ ପାଇଁ ଉଙଠଓଊ ଟୀକାକରଣ ଜାନୁୟାରୀ ୩ ରୁ ଆରମ୍ଭ ହେବ। ଦେଶର ଯୋଗ୍ୟ ଜନସଂଖ୍ୟାର ୯୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଟିକା ଏବଂ ୬୫ ପ୍ରତିଶତ ଜନସଂଖ୍ୟାକୁ ଦ୍ୱିତୀୟ ଟିକା ଦିଆଯାଇଛି।

ମହାରାଷ୍ଟ୍ରର କୋଭିଡ ସଂକ୍ରମଣରେ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଆଜିଠାରୁ ଦ୍ରୁତଗତିରେ କିଶୋରମାନଙ୍କୁ ଟୀକାକରଣ ଆରମ୍ଭ କରିଛନ୍ତି। ୧୫ ରୁ ୧୮ ବର୍ଷ ବୟସର କିଶୋରମାନଙ୍କୁ ଟୀକାକରଣ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମସ୍ତ ବ୍ୟବସ୍ଥା କରାଯାଇଛି।

ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ କହିଛନ୍ତି ଯେ ରାଜ୍ୟ ସରକାର ଏହି ମାସ ଶେଷ ସୁଦ୍ଧା ୧୫ ରୁ ୧୮ ବର୍ଷ ବୟସର କିଶୋରମାନଙ୍କ ଟୀକାକରଣ ସଂପୂର୍ଣ୍ଣ କରିବାକୁ ଯୋଜନା କରିଛନ୍ତି। ଆସନ୍ତାକାଲି ଠାରୁ ୮୩ ଲକ୍ଷ କିଶୋର କୋଭିଡ ଟିକା ପ୍ରଦାନ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର

ଟୀକାକରଣ କରି ଦେଶର ନାଗରିକଙ୍କୁ ଦୁଇ ଭାଗ କଲେ ସରକାର, ମୌଳିକ ଅଧିକାର କ୍ଷୁର୍ଣ୍ଣ; ହାଇକୋର୍ଟ

ନୂଆଦିଲ୍ଲୀ : ଗତକାଲି କେରଳ ହାଇକୋର୍ଟ ଦେଶରେ ଟୀକାରଣ ନେଇ ଏକ ମାମଲାର ଶୁଣାଣି କରି ଏକ ନୂଆ ମତ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, କେନ୍ଦ୍ର ସରକାର କୋଭିଡ19 ଟୀକାକରଣ କରି ଦେଶର ନାଗରିକଙ୍କୁ ଦୁଇ ଭାଗରେ ବିଭକ୍ତ କରିଦେଲେ। ଗୋଟିଏ ବର୍ଗରେ ନାଗରିକ, ଯେଉଁମାନେ କୋଭାକ୍ସିନ୍ ଟିକା ନେଇଛନ୍ତି ସେମାନଙ୍କର ବିଦେଶକୁ ଯିବା ପ୍ରତିବନ୍ଧକ ଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ନାଗରିକମାନେ ଅଛନ୍ତି, ଯେଉଁମାନେ କୋଭିସିଲ୍ଡ ଟିକା ଗ୍ରହଣ କରିଛନ୍ତି ଏବଂ ସେମାନେ ଯେ କୈଣସି ସ୍ଥାନକୁ ଯାଇପାରିବେ।

କୋର୍ଟ କହିଛନ୍ତି ଯେ କେନ୍ଦ୍ରର ଏହି ପଦକ୍ଷେପ ଆବେଦନକାରୀଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରିଛି। ଜଷ୍ଟିସ୍ ପିଭି ଉନିକ୍ରିଷ୍ଣନ୍ କହିଛନ୍ତି ଯେ, ଆନ୍ତର୍ଜାତୀୟ ସ୍ତରର ସ୍ୱୀକୃତିପ୍ରାପ୍ତ ଟୀକାକରଣର କରାଯିବା ଉଚିତ। ଫଳରେ କାମ କରିବାକୁ ବିଦେଶ ଯିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ମୌଳିକ ଅଧିକାର ଅକ୍ଷୁର୍ଣ୍ଣ ରହିପାରିବ।

ସାଉଦି ଆରବରେ ଫିଟର ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ବିଦେଶ ଯିବାକୁ ଚାହୁଥିଲେ ମଧ୍ୟ ସେ ଯାଇପାରୁ ନ ଥିଲେ। କାରଣ ହେଲା ସେ କୋଭାକ୍ସିନର ଦୁଇଟି ଡୋଜ୍ ନେଇଛନ୍ତି ଯାହା ଗଲ୍ଫ ଦେଶରେ ସ୍ୱୀକୃତିପ୍ରାପ୍ତ କିମ୍ବା ଅନୁମୋଦିତ ନୁହେଁ। ଏହା ଦ୍ବାରା ସେ ନିଜର ରୋଜଗାର କରିବାରେ ଅସମର୍ଥ ହୋଇଛନ୍ତି ବୋଲି ଆବେଦନ କରିଛନ୍ତି।

ଶୁଣାଣି ସମୟରେ କେନ୍ଦ୍ର କୋର୍ଟଙ୍କୁ କହିଛନ୍ତି ଯେ ସୁପ୍ରିମକୋର୍ଟରେ ଏଭଳି ଏକ ମାମଲା ବିଚାରାଧୀନ ଅଛି, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ ହେବ ବୋଲି କହିଥିଲେ। ତେବେ ଏହାର ନିଷ୍ପତି କରି କେନ୍ଦ୍ର କୋର୍ଟଙ୍କୁ ଅବଗତ କରାନ୍ତୁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଏପରିକି କୋର୍ଟ କହିଛନ୍ତି ଯେ ଯଦି ଏହି ନିଷ୍ପତ୍ତି ନେବାକୁ କେନ୍ଦ୍ର ଅଧିକ ସମୟ ନେବାକୁ ଚାହୁଁଛି, ତେବେ ବିଦେଶରେ କାର୍ଯ୍ୟ କରିବା ସମୟରେ ଆବେଦନକାରୀ ବିଦେଶରେ ଯେତିକି ଦରମା ପାଉଛନ୍ତି ତାଙ୍କୁ ସେତିକି ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି କହିଛନ୍ତି ଯେ ଏ କ୍ଷେତ୍ରରେ କୋର୍ଟ କେବଳ ଦର୍ଶକଙ୍କ ପରି ଚୁପଚାପ୍ ବସିପାରିବେ ନାହିଁ। ଏହାର ପରବର୍ତ୍ତି ଶୁଣାଣି ଆସନ୍ତାକାଲି କରାଯିବ।

Categories
ଜାତୀୟ ଖବର ବିଶେଷ ଖବର

କେନ୍ଦ୍ର ସରକାର କହିଲେ ବର୍ତ୍ତମାନ ରାଜ୍ୟଗୁଡିକୁ ଦିଆଯାଇଛି ୨୯.୩୫ କୋଟି ଡୋଜରୁ ଅଧିକ ଟିକା

ନୂଆଦିଲ୍ଲୀ, ଦେଶବ୍ୟାପୀ ଟିକାକରଣ ଅଭିଯାନର ଏକ ଅଂଶସ୍ୱରୂପ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସହାୟତା ରୂପେ ମାଗଣାରେ କୋଭିଡ ଟିକା ଯୋଗାଇ ଦେଉଛନ୍ତି । ଏଥିସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଯେପରି ସିଧାସଳଖ ଟିକା କ୍ରୟ କରିପାରିବେ ସେନେଇ ମଧ୍ୟ ଭାରତ ସରକାର ସୁବିଧା କରାଇଛନ୍ତି । ଟିକାକରଣ, ପରୀକ୍ଷଣ, ଚିହ୍ନଟ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ମହାମାରୀ ନିୟନ୍ତ୍ରଣ ଓ ପରିଚାଳନା ପାଇଁ ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଅଂଶବିଶେଷ ।

କୋଭିଡ-୧୯ ଟିକାକରଣର ଉଦାର ଓ ତ୍ୱରିତ ପର‌୍ୟ୍ୟାୟ-୩ ମେ ୦୧, ୨୦୨୧ରୁ ଆରମ୍ଭ ହୋଇଛି ।

ଏହି ରଣନୀତି ଅନୁଯାୟୀ, ଭାରତ ସରକାର ପ୍ରତ୍ୟେକ ମାସରେ କେନ୍ଦ୍ରୀୟ ଔଷଧ ଗବେଷଣାଗାର (ସିଡିଏଲ) ମଞ୍ଜୁରି ପ୍ରାପ୍ତ ଯେକୌଣସି ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ୫୦% କ୍ରୟ କରିବେ । ଭାରତ ସରକାର ପୂର୍ବଭଳି ଏହି ଟିକାର ଡୋଜ ଗୁଡ଼ିକୁ ବିନା ମୂଲ୍ୟରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦେବେ ।

ବର୍ତ୍ତମାନ ସୁଦ୍ଧା ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଉଭୟ ବିନା ମୂଲ୍ୟରେ ଏବଂ ରାଜ୍ୟମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କ୍ରୟ ପ୍ରକ୍ରିୟାରେ ୨୯.୩୫ କୋଟି ଡୋଜରୁ ଅଧିକ (୨୯,୩୫,୦୪,୮୨୦) ଟିକା ଉପଲବ୍ଧ କରାଇଛନ୍ତି ।

ଏଥିମଧ୍ୟରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ୨୬,୩୬,୨୬,୮୮୪ ଡୋଜ ଟିକା (ଆଜି ସକାଳ ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ) ବିନିଯୋଗ ହୋଇଛି ।

ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ନିକଟରେ ୨.୯୮ କୋଟି (୨,୯୮,୭୭,୯୩୬) ଡୋଜରୁ ଅଧିକ କୋଭିଡ ଟିକା ବିନିଯୋଗ ହେବା ପାଇଁ ଉପଲବ୍ଧ ରହିଛି ।

ଏହା ବ୍ୟତୀତ, ବର୍ତ୍ତମାନ ୨,୩୧୦ରୁ ଅଧିକ ଡୋଜ ଟିକା ପାଇପଲାଇନରେ ଅଛି ଏବଂ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଏହାକୁ ଗ୍ରହଣ କରିବେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡିଶାର 22ଟି ଜିଲ୍ଲାରେ 18-44 ବର୍ଷ ପ୍ରଥମ ଡୋଜ ଟିକା ଆରମ୍ଭ କରିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର, ଏହି ମାସରେ 22ଟି ଜିଲ୍ଲାରେ ଟିକାକରଣ ଆରମ୍ଭ କରିବାକୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମାହାପାତ୍ର ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ, 22 ଜିଲ୍ଲାରେ 18 ରୁ 44 ବର୍ଷ ମଧ୍ୟରେ ସମସ୍ତଙ୍କୁ ପ୍ରଥମ ଡୋଜ ଟିକାକରଣ ଆରମ୍ଭ କରନ୍ତୁ। ଜିଲ୍ଲାର ସମସ୍ତ ଏନଏସି, ମ୍ୟୁନିସପାଲିଟ ଅଞ୍ଚଳରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଓଡିଶାକୁ ତିନୋଟି ପର୍ଯ୍ୟାୟରେ  6 ଲକ୍ଷ 45 ହଜାର 790 ଡୋଜ ଟିକା ଆସିଛି। ଏହି ଟିକା କେବଳ ପ୍ରଥମ ଡୋଜ ଭାବେ ଦିଆଯିବ ବୋଲି ନିଷ୍ପତି କରାଯାଇଛି।
Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜିଠାରୁ ପୁଣି ଥରେ ଆରମ୍ଭ ହେବ କୋଭିଡ ଟିକାକରଣ

ଭୁବନେଶ୍ୱର: ଆଜିଠାରୁ ପୁଣି ଥରେ ଦିଆଯିବ ପ୍ରଥମ ପର୍ଯ୍ୟାୟର ବାକି ଥିବା କରୋନା ଟିକା। ପ୍ରଥମ ପର୍ଯ୍ୟାୟର ଆଜି ସୁଦ୍ଧା ପ୍ରାୟ ୧ ଲକ୍ଷ ୭୩ ହଜାର ୬୩୬ ଜଣ ବାକି ଅଛନ୍ତି। ତେବେ ଏହି ଟିକା ଆଜି କେବଳ ଭୁବନେଶ୍ବରରେ ଦିଆଯିବ। ଆସନ୍ତାକାଲିଠାରୁ ସାରା ଓଡିଶାରେ ଦିଆଯିବ। ଏହି ଟିକାକରଣ ପାଇଁ ରେଜିଷ୍ଟ୍ରେସନ ଶେଷ ହୋଇଛି। ଏଥିସହିତ ଟିକାକରଣ ପାଇଁ ଜିଲ୍ଲାରୁ ମାଇକ୍ରୋପ୍ଲାନ ମଧ୍ୟ ଆସିସାରିଛି। ଏହି ପ୍ରକ୍ରିୟା ଫେବ୍ରୁଆରୀ ୧୦ରେ ଶେଷହେବ।

Categories
ଜାତୀୟ ଖବର ବିଶେଷ ଖବର

ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଆରମ୍ଭ ହେଲା କରୋନା ଟୀକାକରଣ, ଟୀକା ନେବା ପରେ କଣ କହିଲେ ଶୁଣନ୍ତୁ

ଭୁବନେଶ୍ବର, ଓଡିଶାରେ କରୋନା ଟୀକାକରଣ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ସଚିବଙ୍କ ଉପସ୍ଥିତିରେ କ୍ୟାପିଟାଲ ହସପିଟାଲରେ ଏହାର ଶୁଭାରମ୍ଭ କରାଯାଇଛି। ପ୍ରଥମ ଟୀକା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିଲା। ଏହାପରେ କ୍ୟାପିଟାଲ ହସପିଟାଲର ନିର୍ଦ୍ଦେଶକ ଡ.ଲକ୍ଷ୍ମୀଧର ସାହୁ ଟୀକା ନେଇଥିଲେ। ଟୀକା ପରେ ଉଭୟଙ୍କୁ କିଛି ସମୟ ପାଇଁ ଅବଜରଭେସନରେ ରଖାଯାଇଥିଲା।

ଏହାପରେ ନିର୍ଦ୍ଦେଶକ ବାହାରକୁ ଆସି ନିଜର ଅନୁଭବ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ସାଧାରଣ ଇଂଜେକସନ ନେଲେ ଯେପରି ଅନୁଭବ ହୁଏ ସେହିପରି ଲାଗିଲା। ଏଥିରେ କୌଣସି ନୂତନତ୍ବ ନାହିଁ। ଏହାପରେ କିଛି କଣ ହେବ ବୋଲି ଅବଜରଭେସନରେ ରଖାଯାଇଥିଲା। ହେଲେ ସେମିତି କିଛି ସାଇଡ ଇଫେକ୍ଟ ହେଲା ନାହିଁ। ବର୍ତ୍ତମାନ ସାଧାରଣ  ପରି ଲାଗୁଛି।

ସେ କହିଥିଲେ ଯେ, ଆମେ ଯେହେତୁ ଡାକ୍ତରୀ ସେବାରେ ଅଛୁ, ଆମେ ଜାଣିଛୁ ଯେ, ଏହି ଟୀକା କିପରି ପ୍ରସ୍ତୁତ ହୋଇଛି। ସେ ସଂପର୍କରେ ଆମେ ଅବଗତ ଅଛୁ। ତେଣୁ ଆମେ ନିଶ୍ଚିତ ହେଲୁ ଯେ, ଏହି ଟୀକା ନେବାରେ କିଛି ଅସୁବିଧା ନାହିଁ। ଏଥିସହିତ ସମସ୍ତଙ୍କୁ ଆମେ ଆହ୍ବାନ କରୁଛୁ ଯେ, ସମସ୍ତେ ଟୀକା ନିଅନ୍ତୁ। କରୋନା ମହାମାରୀକୁ ବିଶ୍ବରୁ ହଟାଇ ଦିଅନ୍ତୁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଫାଇଜର ଟିକା ନେବାର 24 ଘଣ୍ଟା ମଧ୍ୟରେ ଦୁଇ ଅସୁସ୍ଥ : ଚେତାବନୀ ଜାରି କଲା ବ୍ରିଟେନ ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ : ବ୍ରିଟେନରେ ଟିକାକରଣ ଆରମ୍ଭ ହୋଇଛି । ଫାଇଜର ଟିକାକୁ ବ୍ରିଟେନ ସରକାର ଅନୁମତି ପ୍ରଦାନ କରିଥିବା ବେଳେ ଏହି ଟିକାକୁ ନେଇ ଏକ ନୂତନ ସମସ୍ୟା ସମ୍ମୁଖକୁ ଆସିଛି । ଫାଇଜର ଟିକା ନେଇ ଦୁଇ ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବାର ଖବର  ସମ୍ମୁଖକୁ ଆସିଛି । ଏହି ଘଟଣା ସମ୍ମୁଖକୁ ଆସିବା ପରେ ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ଅସୁସ୍ଥ ହୋଇଥିବା ଦୁଇ ବ୍ୟକ୍ତି ସ୍ୱାସ୍ଥ୍ୟ କର୍ମୀ ଏବଂ ଟିକା ନେବାର 24 ଘଣ୍ଟା ମଧ୍ୟରେ ଉଭୟ ଅସୁସ୍ଥ ହୋଇ ପଡିଥିଲେ । ଉଭୟ ସ୍ୱାସ୍ଥ୍ୟକର୍ମୀଙ୍କ ଅବସ୍ଥା ସୁଧୁରୁଥିବା ନେଇ ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ଭ୍ୟାକ୍‌ସିନ୍‌ କାରଣରୁ ଦୁହିଁଙ୍କର ଆର୍ଲଜି ରିଆକ୍ସନ ହୋଇଥିବାର ସୂଚନା ଦେଇଛି ବ୍ରିଟେନ୍‌ର ନ୍ୟାସନାଲ୍‌ ହେଲ୍ଥ ସର୍ଭିସ୍‌ । ଏହାପରେ ଯେଉଁମାନଙ୍କର ମେଡିସିନ୍‌ ଅଥବା ଖାଦ୍ୟ ଓ ଭ୍ୟାକସିନ୍‌କୁ ନେଇ ଆଲର୍ଜି ରହିଥିବା ବ୍ୟକ୍ତିଙ୍କୁ ଫାଇଜର ଟୀକା ନ ଲଗାଇବାକୁ ସ୍ବାସ୍ଥ୍ୟ ବିଭାଗ ଚେତାବନୀ ଜାରି କରିଛି । ବ୍ରିଟେନ୍‌ରେ ପ୍ରତ୍ୟେକ ଦିନ 5000ରୁ 7000 ଲୋକଙ୍କୁ ଟିକ ଦିଆଯାଉଛି।

ଏହି ଘଟଣା ଉପରେ ଭାରତର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ନଜର ରଖିଛି । ଏହା ପୂର୍ବରୁ ଡିସେମ୍ବର ଚାରି ତାରିଖରେ ଡିସିଜିଆଇ ନିକଟରେ ଟିକାର ଜରୁରୀକାଳୀନ ଅନୁମତି ପାଇଁ ଆବେଦନ କରାଯାଇଥିଲା । ଭାରତରେ କୌଣସି ଟିକାର ବ୍ୟବହାର ପାଇଁ ରହିଥିବା ନିୟମ ଫାଇଜର ପାଳନ କରିନାହିଁ । ଭାରତରେ ଟିକାର କ୍ଲିନିକାଲ ଟ୍ରାଏଲ ହୋଇନଥିବା କାରଣରୁ ଏହି ଟିକାକୁ ଅନୁମତି ମିଳିବା ଅସମ୍ଭବ ମନେ ହେଉଥିବା ବେଳେ ଅସୁସ୍ଥତା ଘଟଣା ଏହି ଆଶଙ୍କାକୁ ଆହୁରି ଦୃଢୀଭୂ୍ତ କରିଛି।

ଉଲ୍ଲେଖଯୋଗ୍ୟ ଯେ, ଆମେରିକୀୟ କମ୍ପାନୀ ଫାଇଜର ଏବଂ ଜର୍ମାନୀ କମ୍ପାନୀ ବାୟୋଏନଟେକ୍ ପକ୍ଷରୁ ଫାଇଜର ଟିକା ନିର୍ମାଣ କରାଯାଇଛି । ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସୁଦ୍ଧା ଟିକାଟି 95 ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା । ତେବେ ଏହି ଟିକାର ମୁଲ୍ୟ ଅପେକ୍ଷାକୃତ ଅଧିକ ହୋଇଥିବାରୁ ଭାରତୀୟ ବଜାରରେ ଏହାର ଉପଯୋଗିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

୨୨୫ ଟଙ୍କାରେ ମିଳିବ କରୋନା ଟୀକା, ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରୁଛି ୧୦ କୋଟି ଟୀକା

ନୂଆଦିଲ୍ଲୀ: ଯଦି ସବୁ ପରୀକ୍ଷା ସଫଳ ହୁଏ ତାହେଲେ ଭାରତର ସେରମ ଇନଷ୍ଟିଚ୍ୟୁଟ ଆଗାମୀ ଦିନରେ ୧୦ କୋଟି ଟୀକା ପ୍ରସ୍ତୁତ କରିବ। ସହଜ ଓ ସୁଲଭ ମୂଲ୍ୟରେ ପୃଥିବୀର ଗରୀବ ଲୋକଙ୍କ ପାଇଁ ଏହି ଟୀକାର ମୂଲ୍ୟ ୩ ଡଲାର ଭିତରେ ସୀମିତ ରହିବ। ଏଥିଲାଗି ସେରମ କୁ ମାଇକ୍ରୋସଫ୍ଟ ର ପ୍ରତିଷ୍ଠାତା ବିଲ ଗେଟ୍ସଙ୍କର “ଦି ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ” ସହାୟତା ପ୍ରଦାନ କରୁଛି। ଭାରତୀୟ ମୂଲ୍ୟ ହିସାବରେ ଏହି ଟୀକାର ଦାମ ୨୨୫ ଟଙ୍କା ରହିବ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ଵାରା ଏହି ଟୀକା ପ୍ରସ୍ତୁତ ହୋଇଥିବା ବେଳେ ଏହାର ଉତ୍ପାଦନ ଓ ବିତରଣ ସେରମ କରିବ ବୋଲି ସୂଚନା ମିଳିଛି।

Categories
ଆଜିର ଖବର ଜାତୀୟ ଖବର

କରୋନା ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପୁଣେର ସେରମ୍‌ ପ୍ରତିଷ୍ଠାନରେ କରିବାକୁ ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା କଂପାନୀର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା କୋଭିଡ୍‌-19 ଟିକା କୋଭିସିଲ୍‌ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପୁଣେ ସ୍ଥିତ ଭାରତୀୟ ସେରମ୍‌ ପ୍ରତିଷ୍ଠାନରେ କରିବା ପାଇଁ ଭେଷଜ ନିୟନ୍ତ୍ରଣ ମହାନିର୍ଦେଶକ (ଡିସିଜିଆଇ) ଅନୁମତି ପ୍ରଦାନ କରିଛନ୍ତି।

ଅପରପକ୍ଷରେ ଆକ୍ରାନ୍ତଙ୍କ ମଧ୍ୟରୁ ମୃତକଙ୍କ ସଂଖ୍ୟା କମିବା (ସିଏଫ୍‌ଆର) ଏବଂ ଅଧିକ ସୁସ୍ଥ ହେବା ଘଟଣାରେ ଭାରତ ସମଗ୍ର ବିଶ୍ୱରେ ତାହାର ସଫଳତା ବଜାୟ ରଖିଛି। ଏବେ ଭାରତରେ କୋଭିଡ୍‌ ରୋଗୀଙ୍କ ମୃତ୍ୟୁସଂଖ୍ୟା ଆକ୍ରାନ୍ତଙ୍କ ଅନୁପାତରେ ସର୍ବନିମ୍ନ ସ୍ତରରେ ରହିଛି। ଆଜିର ସର୍ବଶେଷ ତଥ୍ୟ ଅନୁସାରେ ଏହି ମୃତ୍ୟୁହାର ବା ସିଏଫ୍‌ଆର ଆହୁରି ହ୍ରାସ ପାଇ 2.11 ଶତାଂଶରେ ପହଞ୍ଚିଛି। ଭାରତ ସରକାର କୋଭିଡ୍‌ ପରିଚାଳନା ପାଇଁ ଯେଉଁ ପରୀକ୍ଷା, ଚିହ୍ନଟ, ଚିକିତ୍ସା ରଣନୀତି ପ୍ରଣୟନ କରିଛନ୍ତି ଏହି ଉପଲବ୍‌ଧି ତାହାର ସଫଳ କାର୍ଯ୍ୟକାରିତାର ପରିଣତି।

ଦେଶରେ ଏବେ କୋଭିଡ୍‌ ପରିଚାଳନା ପାଇଁ ଯେଉଁ ରଣନୀତି ଗ୍ରହଣ କରାଯାଇଛି ସେଥିରେ ସବୁଠୁ ବିପଦାପନ୍ନ ଥିବା ଜନସଂଖ୍ୟାକୁ ଚିକିତ୍ସା ଓ ଯତ୍ନରେ ଅଗ୍ରାଧିକାର ଦିଆଯାଉଛି। ଗତ 24 ଘଣ୍ଟା ମଧ୍ୟରେ ଭାରତରେ 40 ହଜାର 574ରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ 11ଲକ୍ଷ 86 ହଜାର 203 ଜଣ କୋଭିଡ୍‌ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ହାର କୋଭିଡ୍‌ ଆକ୍ରାନ୍ତଙ୍କ ମଧ୍ୟରେ 65.77 ପ୍ରତିଶତ।

ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟକ ରୋଗୀ ସୁସ୍ଥ ହେଉଥିବାରୁ ଏବେ ଆରୋଗ୍ୟ ଲାଭ କରୁଥିବା ଓ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧିପାଇ 6 ଲକ୍ଷରେ ପହଞ୍ଚିଛି। ଏବେ ଏହି ସଂଖ୍ୟା 6ଲକ୍ଷ 6ହଜାର 846 ରହିଛି। ଏହାର ଅର୍ଥ ଏବେ ଭାରତରେ ସକ୍ରିୟ କୋଭିଡ୍‌ଙ୍କ ସଂଖ୍ୟା 5ଲକ୍ଷ 79ହଜାର 357 ରହିଛି ଏବଂ ସେମାନେ ସମସ୍ତେ ଚିକିତ୍ସା ଓ ତଦାରଖ ବ୍ୟବସ୍ଥା ମଧ୍ୟରେ ରହିଛନ୍ତି। (ପିଆଇବି ଓଡିଶା)

 

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୯ରୁ ଆରମ୍ଭ ହେବ ଭୁବନେଶ୍ୱରରେ ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର : ଭୁବନେଶ୍ୱରରେ ଜାନୁଆରୀ ୧୯, ୨୦ ଓ ୨୧ ତାରିଖରେ ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୪୯ଟି ବୁଥ୍‌ରେ ୪୯୮ଟି ଦଳ ଅନ୍ତର୍ଭୁକ୍ତ ୯୯୬ଟି ଟୀକାଦାନକାରୀ ଏହି ବ୍ୟାପକ କାର୍ଯ୍ୟକ୍ରମକୁ ପରିଚାଳନା କରିବେ। ରେଲେୱ ଷ୍ଟେସନ୍‌, ବସ୍‌ଷ୍ଟାଣ୍ଡ ଓ ହାଟ ପ୍ରଭୃତି ଗହଳି ସ୍ଥାନମାନଙ୍କରେ ବହିରାଗତ ଶିଶୁମାନଙ୍କୁ ପୋଲିଓ ଟୀକା ଦେବା ପାଇଁ ୩୦ଟି ଅସ୍ଥାୟୀ ଦଳ ଗଠନ କରାଯାଇଛି। ୫ଟି ଭ୍ରମ୍ୟମାଣ ଦଳ ମୁତୟନ ହୋଇ ସମସ୍ତ ନିର୍ମାଣାଧିନ ସ୍ଥଳୀଗୁଡ଼ିକରେ ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ସମାହିତ ହେବ।

ଏହି ବିଶାଳ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପଲସ୍‌ ପୋଲିଓ ଟୀକାକରଣ-୨୦୨୦ର ସିଟି ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ମୁ୍ୟନିସିପାଲ କର୍ପୋରେସନର୍‌ କମିଶନର ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ କହିଲେ ଯେ, ୫ ବର୍ଷରୁ କମ୍‌ ସମସ୍ତ ଶିଶୁଙ୍କୁ ଏହି ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ଜରୁରୀ। ଏଥିନିମନ୍ତେ ଆଶା ଓ ଅଙ୍ଗନୱାଡ଼ି କର୍ମୀମାନେ ରାଜଧାନୀର ପ୍ରତ୍ୟେକ ଘର ବୁଲି ସୂଚନା ଦେବା ଓ ସଚେତନତାର ପ୍ରସାର କରାଇବା ଆବଶ୍ୟକ। ରାଜଧାନୀର ବିଭିନ୍ନ ବସ୍ତିରେ ରହୁଥିବା ପରିବାରଗୁଡ଼ିକର ୫ବର୍ଷରୁ କମ୍‌ ସମସ୍ତ ଶିଶୁ ଯେପରି ଏହି ପୋଲିଓ ଟୀକାକରଣ ସୁଯୋଗ ନେଇପାରିବେ ସେ ଦିଗରେ ସମସ୍ତ ଉଦ୍ୟମ କରିବାକୁ ଶ୍ରୀ ଚୌଧୁରୀ ପରାମର୍ଶ ଦେଇଥିଲେ। ସେହିପରି କେଉଁ ଅଞ୍ଚଳରେ କେଉଁଠି ବୁଥ୍‌ ହୋଇଛି, ସେ ସମ୍ବନ୍ଧରେ ଜାଣିବା ପାଇଁ  ବିଏମସି ତରଫରୁ ୱେବସାଇଟ୍‌ରେ ଲିଙ୍କ୍‌ ଦିଆଯିବ।  ନିକୋ ପାର୍କ ଓ ଅନ୍ୟାନ୍ୟ ପାର୍କରେ କେତେଗୁଡ଼ିଏ ମଡ଼େଲ ଟୀକାକରଣ ବୁଥ୍‌ କରାଯାଇ ଶିଶୁମାନଙ୍କ ପାଇଁ ଟୀକାଦାନ ସଙ୍ଗେ ସଙ୍ଗେ ଖେଳିବାର ବ୍ୟବସ୍ଥା ମଧ୍ୟ କରାଯିବାକୁ ଶ୍ରୀ ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି।