Categories
ଆଜିର ଖବର ଜାତୀୟ ଖବର

‘ଗାନ୍ଧୀ ପରିବାରରେ ହିନ୍ଦୁମାନଙ୍କ ପ୍ରତି ଘୃଣା’: ରାହୁଲ ଗାନ୍ଧୀଙ୍କ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲା ଭିଏଚପି

ନୂଆଦିଲ୍ଲୀ: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ହିନ୍ଦୁ ବିରୋଧୀ ବୋଲି ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଅଭିହିତ କରିଛି। ଭିଏଚପି କହିଛି ଯେ, କଂଗ୍ରେସରେ ଅବଶିଷ୍ଟ ହିନ୍ଦୁମାନେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ମାନସିକତା ପ୍ରତି ସଚେତନ ହେବା ଉଚିତ୍।

ଭିଏଚପି କହିଛି ଯେ, “ରାମ ଜନ୍ମଭୁମୀ ଆନ୍ଦୋଳନ ସମ୍ବନ୍ଧରେ ରାହୁଲ ଗାନ୍ଧୀଙ୍କ ସର୍ବଶେଷ ବିବୃତ୍ତି ମିଥ୍ୟା ଅଟେ ଏବଂ ହିନ୍ଦୁମାନଙ୍କ ପ୍ରତି ଘୃଣାଭାବରେ ପରିପୂର୍ଣ୍ଣ। ଏଲ.କେ ଆଡଭାନୀଙ୍କ ଦ୍ୱାରା ନିଆଯାଇଥିବା ରଥ ଯାତ୍ରା ଏହି ସମଗ୍ର ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଅଟେ। କିନ୍ତୁ ରାହୁଲ ଗାନ୍ଧୀଙ୍କ ଦ୍ଵାରା ଦିଆଯାଇଥିବା ବୟାନ ଏହି ଯାତ୍ରାରୁ ଆରମ୍ଭ ହୋଇଥିବା ରାମ ଜନ୍ମଭୂମି ପାଇଁ ସଂଗ୍ରାମ, ତାଙ୍କର ଅଜ୍ଞତାକୁ ଦର୍ଶାଏ।

ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ ଡକ୍ଟର ସୁରେନ୍ଦ୍ର ଜୈନ ଆଜି କହିଛନ୍ତି ଯେ, ଜନ୍ମଭୂମି ପାଇଁ ହିନ୍ଦୁମାନଙ୍କର ସଂଗ୍ରାମ ୧୫୨୮ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ଆକ୍ରମଣକାରୀ ବାବର ରାମ ଜନ୍ମଭୂମିରେ ଅବସ୍ଥିତ ରାମଲାଲାର ପବିତ୍ର ମନ୍ଦିରକୁ ଭାଙ୍ଗି ଦେଇଥିଲେ। ୨୦୧୯ ରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପର୍ଯ୍ୟନ୍ତ ସାରା ଦେଶରେ ରାମ ଭକ୍ତମାନେ ସଂଘର୍ଷ ଜାରି ରଖିଥିଲେ।

ଡକ୍ଟର ଜୈନ ଅଭିଯୋଗ କରିଛନ୍ତି ଯେ, ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ପୁଣି ଥରେ ହିନ୍ଦୁ ସମାଜକୁ ଅପମାନିତ କରିଛନ୍ତି, ଯେଉଁମାନେ ବିଦେଶୀ ଆକ୍ରମଣ ସମ୍ମୁଖରେ ଆତ୍ମସମର୍ପଣ କରିନାହାନ୍ତି। ସେ କହିଛନ୍ତି ଯେ, “ଗୁରୁ ନାନକ ଦେବ, ଗୁରୁ ତେଗ ବାହାଦୂର ଏବଂ ଗୁରୁ ଗୋବିନ୍ଦ ସିଂ ଜୀଙ୍କର ଅମର ଅବଦାନକୁ ଭୁଲିଯିବା ପାଇଁ ରାହୁଲ ଗାନ୍ଧୀ ଷଡ଼ଯନ୍ତ୍ର କରିଛନ୍ତି। ରାହୁଲ ଗାନ୍ଧୀ ଲକ୍ଷ ଲକ୍ଷ ଶହୀଦଙ୍କୁ ଅପମାନିତ କରିଛନ୍ତି, ଯେଉଁମାନେ ରାମ ଜନ୍ମଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି।

ଭିଏଚପି ସାଧାରଣ ସମ୍ପାଦକ ଡକ୍ଟର ସୁରେନ୍ଦ୍ର ଜୈନ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ମଧ୍ୟ ସେହି ୬୦ କୋଟି ରାମ ଭକ୍ତଙ୍କ ଅବଦାନକୁ ଅପମାନିତ କରିଛନ୍ତି, ଯେଉଁମାନେ ରାମ ଜନ୍ମଭୂମି ନିର୍ମାଣରେ ଖୋଲା ହୃଦୟରେ ଯୋଗଦାନ କରିଛନ୍ତି। ଭିଏଚପି କହିଛି ଯେ, ରାହୁଲ ଗାନ୍ଧୀ ମହନ୍ତ ଦିଗବିଜୟ ନାଥ, ମହନ୍ତ ଅଭେଦ୍ଯନାଥ, ମହନ୍ତ ରାମଚନ୍ଦ୍ର ପରମହଂସ, ଅଶୋକ ସିଙ୍ଗଲଙ୍କ ପରି ମହାପୁରୁଷଙ୍କ ଅବଦାନକୁ ଭୁଲିଯିବାକୁ ଚାହୁଁଛନ୍ତି, ଯାହା କେବେ ସମ୍ଭବ ନୁହେଁ। ହିନ୍ଦୁ ସମାଜ ଏସବୁ ପ୍ରତି ସର୍ବଦା କୃତଜ୍ଞ ରହିବ।

ଭିଏଚପି ସାଧାରଣ ସମ୍ପାଦକ ରାହୁଲ ଗାନ୍ଧୀଙ୍କ ପରିବାରକୁ ଟାର୍ଗେଟ କରିଛନ୍ତି:

ସେ କହିଛନ୍ତି ଯେ, “ଦେଶର ବିକାଶରେ ଯୋଗଦାନ ଦେଇଥିବା ମହାପୁରୁଷଙ୍କୁ ଅପମାନ କରିବାର ପରମ୍ପରା ଥିବା ବ୍ୟକ୍ତି ଏହି କୃତଜ୍ଞତାକୁ ବୁଝିପାରିବେ ନାହିଁ। ରାହୁଲ ଗାନ୍ଧୀଙ୍କ ପରିବାରର ହିନ୍ଦୁମାନଙ୍କ ପ୍ରତି କେତେ ଘୃଣା ଭରି ରହିଛି ତାହା ତାଙ୍କ ବିବୃତ୍ତିରୁ ସ୍ପଷ୍ଟ ହୋଇଛି। ଫୈଜାବାଦରେ ଏସପି ପ୍ରାର୍ଥୀଙ୍କ ବିଜୟ ବିଶ୍ଳେଷଣ କରିବା ସମ୍ଭବ, କିନ୍ତୁ ଅଯୋଧ୍ୟାବାସୀଙ୍କୁ ବାରମ୍ବାର ଟାର୍ଗେଟ କରିବା ଠିକ୍ ନୁହେଁ।

ଭିଏଚପି ସାଧାରଣ ସମ୍ପାଦକ କହିଛନ୍ତି ଯେ, “ଅଯୋଧ୍ୟା ଲୋକଙ୍କ ଅବଦାନ କଦାପି ଭୁଲିପାରିବ ନାହିଁ। ରାହୁଲ ଗାନ୍ଧୀ ତାଙ୍କର ମିଥ୍ୟା ବିଜୟର ମୃଗ ମରିଚିକାରେ ବାସ କରୁଛନ୍ତି। ସେ ହିନ୍ଦୁମାନଙ୍କୁ ଅପମାନିତ କରିବା ପାଇଁ ଯେଉଁ ଜାଲ ବିଛାଉଛନ୍ତି, ସେଥିରେ ସେ ନିଜେ ଫସିଯିବେ।”

Categories
ବିଶେଷ ଖବର

ବିଜେପି ଭିତରେ ଆଉରଙ୍ଗଜେବ ଓ ବିଶ୍ଵାସଘାତକତାର ମହାନାଟକ; ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ବିଜେପିର ଆଭ୍ୟନ୍ତରୀଣ କନ୍ଦଳ

କେଦାର ମିଶ୍ର

“ଗୋଟେ କ୍ୟାଡର ଭିତ୍ତିକ ଦଳ”, “ଭିନ୍ନ ମତାଦର୍ଶର ଦଳ”…ଏମିତି କିଛି ବିଶେଷ ବିଶେଷଣ ସବୁବେଳେ ଭାରତୀୟ ଜନତା ପାର୍ଟି ଆଗରେ ଲଗାଇବାକୁ ଏହାର କର୍ମୀମାନେ ଭଲ ପାଆନ୍ତି। ଯାବତୀୟ ବୈଚାରିକ ମତଭେଦ ସତ୍ତ୍ୱେ ଏହି ଦଳର ସବୁଠୁ ବଡ ବିରୋଧୀ ମଧ୍ୟ ମାନିଥାନ୍ତି ଯେ ବିଜେପିରେ ଥିବା କର୍ମୀମାନେ ନିଜ ଦଳ ପ୍ରତି ଓ ଦଳର ବିଚାର ପ୍ରତି ଅନ୍ଧ ଭାବରେ ଅନୁରକ୍ତ। ହେଲେ ଏଇ ଅନ୍ଧ ଅନୁରକ୍ତିରୁ ସେମାନଙ୍କୁ ମିଳେ କଣ? ବିଜେପି ଆଜି ନିଜ କ୍ୟାଡର ପ୍ରତି ଅନୁରକ୍ତ କି? ଓଡିଶାର ସାଧାରଣ ନିର୍ବାଚନରେ ଦଳ ଯେଉଁ ପ୍ରକାର ଟିକଟ ଆବଣ୍ଟନ କରିଛି ତାକୁ ଦେଖି ଯେ କେହି ବି କହିବ ଯେ ଏ ଦଳ ନିଜର ଅନୁରକ୍ତ କର୍ମୀଙ୍କ ତୁଳନାରେ “ଉଡାପକ୍ଷୀ” ମାନଙ୍କ ଉପରେ ବେଶୀ ନିର୍ଭରଶୀଳ। ଏହି ଦଳରେ ଯୋଗଦାନ କରିବାର ଦୁଇ ଘଣ୍ଟା ଭିତରେ ଜଣେ ବ୍ୟକ୍ତିକୁ ଲୋକସଭା ଲଢିବାକୁ ଟିକଟ ଦିଆ ଯାଇପାରେ, ହେଲେ ଦଳ ପ୍ରତି ସମର୍ପିତ କର୍ମୀମାନେ ବର୍ଷ ବର୍ଷ ଧରି ସଂଘର୍ଷ କରିବା ପରେ ମଧ୍ୟ ଦଳ ଭିତରେ ଅଲୋଡା ହୋଇ ପଡିରହନ୍ତି।

ଏହାର ଦୁଇଟି ଉଦାହରଣ ହେଉଛନ୍ତି ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଟିକଟରୁ ବଞ୍ଚିତ ହୋଇଥିବା ପ୍ରାର୍ଥୀ ସୁବାସ ଚୌହାନ ଓ ସଦ୍ୟ ଦଳ ଛାଡିଥିବା ଦଳର ଉପ ସଭାପତି ରାଜକିଶୋର ଦାସ। ଏ ଦୁହେଁ ଓଡିଶାର ବିଜେପିରେ ଗତ ତିରିଶ ବର୍ଷ ଧରି କାମ କରିଛନ୍ତି। ଯେତେବେଳେ ବିଜେପି ପ୍ରତି ଓଡିଶାରେ କୌଣସି ସମର୍ଥନ ନଥିଲା ଏଇ ନେତାମାନେ ଦଳରେ ପଡିରହି ଦଳକୁ ଆଗକୁ ବଢାଇବାରେ ସହଯୋଗ କରିଛନ୍ତି। ହେଲେ ଟିକଟ ଦେଲାବେଳକୁ ଏମାନଙ୍କ ନାଁକୁ ବିଚାର କରାଯାଏ ନାହିଁ। ବିଜେପିରେ ଯୋଗଦାନ କରିବାର ମାତ୍ର କେଇ ଘଣ୍ଟା ଭିତରେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଓ ଖାରବେଳ ସ୍ଵାଇଁଙ୍କୁ ଟିକଟ ମିଳିଥିବା ବେଳେ ଗତ ଲୋକସଭା ନିର୍ବାଚନରେ ମାତ୍ର ଏଗାର ହଜାର ଭୋଟରେ ହାରିଥିବା ସୁବାସ ଚୌହାନଙ୍କୁ ଦଳ ଟିକଟ ଦେବାରୁ ବଞ୍ଚିତ କରିଛି।

ବରଗଡ ଲୋକସଭା ପାଇଁ ଟିକଟ ପାଇବାରୁ ବଞ୍ଚିତ ହେବା ପରେ ସୁବାସ ଚୌହାନ ତାଙ୍କର ଫେସବୁକ ୱାଲ ରେ ଏକ ପୋଷ୍ଟିଂ ଦେଇ ଲେଖିଛନ୍ତି-  “ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି। ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ। ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି। ବିଜେପି କୁ ଅକୁଣ୍ଠ ସମର୍ଥନ ଦେବାପାଇଁ ବରଗଡ଼ ଲୋକସଭାବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ବରଗଡ଼ ଲୋକସଭା ଟିକଟ କାଟି ଦିଆଗଲା। ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପ୍ରତିକ୍ରିୟା ତଥା ସମାଲୋଚନା ହେଲା। ପାର୍ଟିର ବରିଷ୍ଠ ନେତାମାନେ ମୋର କାର୍ଯ୍ୟକର୍ତା ତଥା ଜନତାଙ୍କୁ ଧମକ ଚମକ ଦେଲେ। ଅପମାନର ସୀମା ଟପିଗଲା। ଯାହାବି ହେଉ ପାର୍ଟି ଚାପର ବଶବର୍ତ୍ତୀ ହୋଇ ମତେ ପ୍ରଦେଶର ଉପସଭାପତି ଦାୟିତ୍ୱ ଦେଲା ଏବଂ ବିଜେପୁର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିର୍ଦ୍ଦେଶ ଦେଲା। କିନ୍ତୁ ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତ୍ତଶାଳୀ,ଶକ୍ତିଶାଳୀ ଲୋକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲି। କିନ୍ତୁ ଫଳ ଓଲଟା ହେଲା। ଏହା ପଶ୍ଚିମ ଓଡିଶାର ଅବିସି ସମାଜ ପ୍ରତି ଘୋର ଅପମାନ।”

ସୁବାସ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ସବୁଠୁ ଅଧିକ ବିତର୍କର ଆବଶ୍ୟକତା ରଖେ। ବିଜେପିର ରାଜ୍ୟ ମାମଲାରେ ନିଜକୁ ଅଘୋଷିତ ମୁଖିଆ ବୋଲାଉଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ଟେଲିଭିଜନ ବୁମ  ଆଗରେ ନିଜର ବାହାଦୁରି ଦେଖାଉଥିବାବେଳେ ରାଜ୍ୟ ସଙ୍ଗଠନରେ ତାଙ୍କର ଗ୍ରହଣୀୟତା ନାହିଁ। ଧର୍ମେନ୍ଦ୍ର ସତରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢି ପାରିବେ କି ? ନବୀନଙ୍କ ବିରୋଧରେ ଲଢିବା ବଡକଥା, ଧର୍ମେନ୍ଦ୍ର ଓଡିଶାରୁ ଲୋକସଭା ବା ବିଧାନସଭା ଲାଗି ଲଢିବାର ସତସାହସ ଦେଖାଇପାରିଛନ୍ତି କି ? କେବଳ ଦଳୀୟ ସଙ୍ଗଠନରେ ବିଜେଡ଼ିର ପ୍ରତ୍ୟାଖ୍ୟାତ ନେତାଙ୍କୁ ଧରି ବିଜୁ ଜନତା ଦଳର ବିକଳ୍ପ ହେବାକୁ ଧର୍ମେନ୍ଦ୍ର ବାବୁ ଯେଉଁ ଦିବାସ୍ଵପ୍ନ ଦେଖୁଛନ୍ତି ତାହାରି ଉପରେ ସୁବାସ ଚୌହାନ କଡା ପ୍ରହାର କରିଛନ୍ତି।

ତାଙ୍କଠୁ ପାଦେ ଆଗକୁ ଯାଇ ରାଜକିଶୋର ଦାସ କହିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଆଉରଙ୍ଗଜେବ। ନିଜ ଅହଂକାର ଲାଗି ସେ ଦଳ ଭିତରେ ଥିବା ନିଜ ଭାଇମାନଙ୍କୁ ହତ୍ୟା କରିପାରିବେ ବୋଲି ରାଜକିଶୋର କହିଛନ୍ତି। ଏ ପ୍ରସଙ୍ଗରେ ନିଜର ବକ୍ତବ୍ୟ ରଖି ବିଜେପିର ଜଣେ ପୁରୁଣା କର୍ମୀ କହନ୍ତି- ଦଳ ଏବେ କଂଗ୍ରେସ ରାସ୍ତାରେ ଚାଲିବା ଆରମ୍ଭ କରିଛି। ମତ, ବିଚାର ଓ ଆଦର୍ଶ ବୋଲି ବିଜେପିରେ ଆଉ କିଛି ନାହିଁ।

ବିଜେପି ଓ ସଙ୍ଘକର୍ମୀଙ୍କ କ୍ଷୋଭ ଏବେ ଚରମ ସୀମାରେ ପହଞ୍ଚିଛି। ଓଡିଶା ରାଜନୀତିରେ ୧୯ ବର୍ଷର ବିଜେଡି ଶାସନ ବିରୋଧରେ ଜନମତ ସୃଷ୍ଟି କରିବାର ମିଶନରେ ବାହାରିଥିବା ବିଜେପି ଏବେ ନିଜ ଦଳ ଭିତରେ ବିଭୀଷଣ ଓ ଆଉରଙ୍ଗଜେବମାନଙ୍କ ସହ ଲଢେଇ ରେ ନିଜର ସବୁ ସମୟ ଓ ଶକ୍ତି ସାରୁଛି।