Categories
ଆଜିର ଖବର ଜାତୀୟ ଖବର

ଦୁଷ୍କର୍ମ ପୀଡ଼ିତା କରୋନାରେ ଆକ୍ରାନ୍ତ : ଅଭିଯୁକ୍ତଙ୍କ ସମେତ ଦୁଇ କଏଦୀ ଏବେ କ୍ବାରେଣ୍ଟାଇନ୍‌ରେ

ଦିଲ୍ଲୀ : ଦେଶରେ କରୋନା ସ୍ଥିତି ଜଟିଳ ହେଉଥିବାବେଳେ କରୋନା ଆକ୍ରାନ୍ତଙ୍କୁ ନେଇ ଏକ ରୋଚକ ଖବର ରହିଛି । ଦିଲ୍ଲୀର ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି। ଦୁଷ୍କର୍ମ ଅଭିଯୁକ୍ତ ଜଣ ତିହାର ଜେଲ୍‌ରେ ବନ୍ଦୀ ରହିଥିବାବେଳେ ଏବେ ଅଭିଯୁକ୍ତ ସମେତ ଦୁଇ କଏଦୀଙ୍କ କରୋନା ଟେଷ୍ଟ ପାଇଁ ନମୁନା ନିଆଯାଇଛି। ଅଭିଯୁକ୍ତଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିବାବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଏହି ଅଭିଯୁକ୍ତଙ୍କୁ କିଛି ଦିନ ପୂର୍ବରୁ ତିହାର୍‌ ଜେଲ୍‌କୁ ଅଣାଯାଇଥିଲା । ତାଙ୍କୁ ଜେଲ ନମ୍ବର 2ରେ ରଖାଯାଇଥିଲା।  ଗତ 9 ତାରିଖରେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କୁ କରୋନାରେ ପଜିଟିଭ୍‌ ହୋଇଥିବାର ସୂଚନା ପାଇଥିଲେ। ଏହା ପରେ ଅଭିଯୁକ୍ତ ଓ ଅଭିଯୁକ୍ତଙ୍କ ସହ ରହିଥିବା ଦୁଇ ଅନ୍ୟ କଏଦୀଙ୍କୁ ପୃଥକବାସରେ ରଖାଯାଇ କରୋନା ଟେଷ୍ଟ କରାଯାଇଛି ।

ଏବେ ଜେଲ୍‌ରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଜେଲ୍‌ ପ୍ରଶାସନ ସ୍ବତନ୍ତ୍ର ପ୍ରସ୍ତୁତି କରିଛନ୍ତି । ତିହାର୍‌ ଜେଲ୍‌ରେ ଆଇସୋଲେସନ୍‌ ଓ୍ବାର୍ଡ ମଧ୍ୟ ତିଆରି କରାଯାଇଛି । ଏଠାରେ ଅଭିଯୁକ୍ତ ଓ କଏଦୀଙ୍କ ସ୍କ୍ରିନିଂ ମଧ୍ୟ କରାଯାଉଛି ।

Categories
ଆଜିର ଖବର

ହାଇଦ୍ରାବାଦ ଏନ୍‌କାଉଣ୍ଟରକୁ ପ୍ରଶଂସା କଲେ ଜଗନମୋହନ

ଆନ୍ଧ୍ରପ୍ରଦେଶ, ୯/୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ଶୁକ୍ରବାର ଘଟିଥିବା ପୋଲିସ୍‌ ଏନକାଉଣ୍ଟରକୁ ପ୍ରଶଂସା କରିଛନ୍ତି । ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ ମାମଲାରେ ଚାରି ଅଭିଯୁକ୍ତଙ୍କୁ  ତେଲେଙ୍ଗାନା ପୋଲିସ୍‌ର ଏନକାଉଣ୍ଟରକୁ ନେଇ ଏବେ ରାଜନୀତି ବେଶ୍‌ ସରଗରମ। ତେବେ ଏହି ପ୍ରସଙ୍ଗକୁ ନେଇ ଦେଶରେ ଚର୍ଚ୍ଚା ଚାଲିଥିବାବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଅଧିକାଂଶ ଏହାକୁ ସମର୍ଥନ କରୁଥିବାବେଳେ ଅନେକେ ଏହାର ବିରୋଧ କରୁଛନ୍ତି ।

ଆନ୍ଧ୍ରପ୍ରଦେଶ ବିଧାନସଭାରେ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଏହି ଘଟଣାକୁ ପ୍ରଶଂସା କରିବା ସହିତ କହିଛନ୍ତି ଯେ, ମୁଁ ଦୁଇଟି ଝିଅଙ୍କର ପିତା। ମୋ’ର ଜଣେ ଭଉଣୀ ଓ ପତ୍ନୀ ଅଛନ୍ତି। ଯଦି ମୋ’ ଝିଅଙ୍କୁ କିଛି ହୋଇଥା’ନ୍ତା, ତେବେ ପିତା ଭାବରେ ମୋ’ ପ୍ରତିକ୍ରିୟା କ’ଣ ରହିବ। ମୁଁ କ’ଣ ଚାହଁବି। ବୋଲି କହିଛନ୍ତି ଜଗନମୋହନ। ତେବେ ଅପରାଧକୁ ନେଇ ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତ୍ତନ ହେବା ସହିତ ତ୍ବରିତ ନ୍ୟାୟ ପ୍ରଦାନ ଜରୁରୀ ବୋଲି ମତ ଦେଇଛନ୍ତି ଜଗନ ମୋହନ। (ଏଜେନ୍ସି)

Categories
ବିଶେଷ ଖବର

ଭିଡତନ୍ତ୍ର ଆଡକୁ ଅଗ୍ରସର ହେଉଥିବା ଗଣତନ୍ତ୍ର ଆଖିରେ ଏନକାଉଣ୍ଟର ବନାମ ଦୁଷ୍କର୍ମ

ସମୀକ୍ଷା ବ୍ୟୁରୋ

ସାରାଦେଶରେ ଏବେ ଗଣଦୁଷ୍କର୍ମ ଓ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା। ହାଇଦ୍ରାବାଦର ଗଣଦୁଷ୍କର୍ମ ଓ ଏହାର ପରବର୍ତ୍ତୀ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା  ଥମି ନଥିବାବେଳେ ଉନ୍ନାଓ  ମୃତ୍ୟୁ। ପୁଣି ଦୁଷ୍କର୍ମ ଅଭିଯୋଗ ଫେରାଇ ନ ଆଣିବା ପାଇଁ ଏସିଡ୍‌ ମାଡ଼ର ଘଟଣା ସାମ୍ନାକୁ ଆସିଛି। ଦେଶରେ ନାରୀ ଜାତି ଉପରେ ଚାଲିଥିବା ନିର୍ଯାତନା ଓ ଅତ୍ୟାଚାର ଥମିବାର ନାଁ ଧରୁନାହିଁ। ଗୋଟିଏ ଘଟଣା ଉପରୁ ପରଦା ନ ଉଠୁଥିବାବେଳେ ଅନ୍ୟ ଗୋଟେ ଘଟଣା ଘଟିଯାଉଛି। ପ୍ରତି କୋଡିଏ ମିନିଟ୍‌ରେ ଜଣେ ଦୁଷ୍କର୍ମର ଶିକାର ହେଉଛନ୍ତି।

ସମ୍ପ୍ରତି ଦେଶରେ ଚାଲିଥିବା ଦୁଷ୍କର୍ମ ଓ ଏନକାଉଣ୍ଟରକୁ ନେଇ ସାରା ଦେଶ ଏବେ ଦୁଇ ଭାଗରେ ବିଭାଜିତ ହୋଇଯାଇଛି। ହାଇଦ୍ରାବାଦ ଗଣ ଦୁଷ୍କର୍ମ ଘଟଣାର ଏନକାଉଣ୍ଟର ପରେ ଏହାକୁ ନେଇ ଦେଶରେ ଗୋଟେ ଅଲଗା ପ୍ରକାର ବାତାବରଣ ଦେଖିବାକୁ ମିଳିଛି। ତେଲେଙ୍ଗାନା ପୋଲିସ୍‌ର ଏପରି କାର୍ଯ୍ୟକୁ ପ୍ରଚୁର ଜନସମର୍ଥନ ମିଳୁଥିବାବେଳେ ବୁଦ୍ଧିଜୀବୀ, ସମାଜକର୍ମୀ ତଥା ନ୍ୟାୟମୂର୍ତ୍ତିମାନେ ଏହାର ବିରୋଧ କରିଛନ୍ତି।

ହାଇଦ୍ରାବାଦ ଦୁଷ୍କର୍ମ ପୀଡ଼ିତାଙ୍କୁ ସାହାଯ୍ୟ ନାମରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବାବେଳେ ଉତ୍ତରପ୍ରଦେଶର ଉନ୍ନାଓରେ ଦୁଷ୍କର୍ମ ଅଭିଯୋଗ ଆଣି ନ୍ୟାୟ ଅପେକ୍ଷାରେ ଥିବା ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ଜୀଅନ୍ତା ଜାଳିଦେଇଥିଲେ। ୯୦% ପୋଡ଼ିଯାଇଥିବା ଏହି ପୀଡ଼ିତା ଜୀବନ ସହ ୪୦ ଘଣ୍ଟାର ଯୁଦ୍ଧ କରି ଶୁକ୍ରବାର ରାତ୍ର ୧୧.୪୦ ସମୟରେ ପ୍ରାଣ ହରାଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ପୀଡ଼ିତା ଜଣକ ବୟାନ ରେକର୍ଡ ପାଇଁ କୋର୍ଟ ଯିବା ରାସ୍ତାରେ ହିଁ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏହି ପ୍ରସଙ୍ଗରେ ବିଳମ୍ବିତ ନ୍ୟାୟକୁ କିଛି ଲୋକ ଦାୟୀ କରୁଥିବାବେଳେ ହାଇଦ୍ରାବାଦ ଏନ୍‌କାଉଣ୍ଟର ପରି ଏହି ପ୍ରସଙ୍ଗରେ ଅଭିଯୁକ୍ତଙ୍କ ପ୍ରତି ସେପରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ଦୁଷ୍କର୍ମ ଘଟଣାରେ କଠୋର ଦଣ୍ଡ ଆଇନ୍‌ ଓ ତ୍ବରିତ ନ୍ୟାୟ ପ୍ରକ୍ରିୟାକୁ ନେଇ ସାଧାରଣରେ ଦାବି ଉଠୁଛି। ଅପରାଧର ମୂଳୋତ୍ପାଟନ କରିବାକୁ ହେଲେ ଆଜିର ସମୟରେ ଭୟ ହିଁ ଏକମାତ୍ର ମାଧ୍ୟମ। ଆମର ନ୍ୟାୟ ବ୍ୟବସ୍ଥାର ଶିଥୀଳତା ଯୋଗୁଁ ଲୋକେ ଆରାମରେ ଅପରାଧ କରି ଖସି ଯାଉଛନ୍ତି। ଅନ୍ୟ ରାଷ୍ଟ୍ର ପରି ଯଦି ଦୁଷ୍କର୍ମକୁ ନେଇ କଠୋର ଦଣ୍ଡବ୍ୟବସ୍ଥା କରାଯା’ନ୍ତା, ତେବେ ଏହାକୁ କିଛିକାଂଶରେ ବନ୍ଦ କରାଯାଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ହାଇଦ୍ରାବାଦ ଏନକାଉଣ୍ଟର ପରେ ଏହାକୁ ନେଇ ସୁପ୍ରିମ୍‌କୋର୍ଟରେ ଯାଚିକା ଦାଏର କରାଯାଇଛି। ଏହି ଏନ୍‌କାଉଣ୍ଟରକୁ ନେଇ ରହିଥିବା ଅନେକ ପ୍ରଶ୍ନର ଉତ୍ତର ଖୋଜାଯାଉଛି। ଜାତୀୟ ମାନବାଧିକାର କମିଶନ ଏହାର ସମୀକ୍ଷା କରୁଥିବାବେଳେ ଗତକାଲି ଏହି ଏନ୍‌କାଉଣ୍ଟରକୁ ନେଇ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡେମତ ଦେଇ କହିଛନ୍ତି ଯେ, ପ୍ରତିଶୋଧପୂର୍ଣ୍ଣ ନ୍ୟାୟ କେବେ ବି ନ୍ୟାୟ ପଦବାଚ୍ୟ ନୁହେଁ।

ପ୍ରତିଶୋଧ କେବେ ନ୍ୟାୟ ହୋଇପାରିବନି ଏହା ସତ୍ୟ, ତେବେ ନ୍ୟାୟ ପାଇଁ ପୀଡ଼ିତାଙ୍କୁ ଆଉ କେତେ କଷ୍ଟ କରିବାକୁ ପଡ଼ିବ। ୨୦୧୨ରେ ଘଟିଥିବା ନିର୍ଭୟା ଆଜି ବି ନ୍ୟାୟ ପାଇଁ ପଡ଼ି ରହିଛି। ଦୁଷ୍କର୍ମ ପୀଡ଼ିତା ପାଇଁ ଫାଷ୍ଟ ଟ୍ରାକ୍‌ କୋର୍ଟର ସୁବିଧା ରହିଥିଲେ ବି ଦଣ୍ଡ ବ୍ୟବସ୍ଥାରେ ଏତେ ଶିଥିଳତା କାହିଁକି ?

ଗଣତନ୍ତ୍ରକୁ ଭିଡତନ୍ତ୍ର କବଳରୁ ମୁକ୍ତ କରିବାକୁ ହେଲେ ତ୍ବରିତ ନ୍ୟାୟ ଓ ନ୍ୟାୟପାଳିକାର ସଂସ୍କାର ଆଜିର ସମୟରେ ବଡ଼ ଆବଶ୍ୟକତା ପାଲଟିଛି।