Categories
ଆଜିର ଖବର ଜାତୀୟ ଖବର

ଅବହେଳିତ ବର୍ଗଙ୍କୁ ଋଣ ସହାୟତା ପାଇଁ ଦେଶବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅବହେଳିତ ବର୍ଗଙ୍କୁ ଋଣ ସହାୟତା ପାଇଁ ଦେଶବ୍ୟାପୀ ଜନସମ୍ପର୍କ ସ୍ଥାପନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏଥିସହିତ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଏବଂ ରୋଜଗାର ଆଧାର ଜନକଲ୍ୟାଣ (ପିଏମ-ସୁରଜ) ଜାତୀୟ ପୋର୍ଟାଲ ଉନ୍ମୋଚନ କରିବା ସହ ଦେଶର ଅବହେଳିତ ବର୍ଗର ଏକ ଲକ୍ଷ ଉଦ୍ୟୋଗୀଙ୍କୁ ଋଣ ସହାୟତା ମଞ୍ଜୁର କରିଛନ୍ତି । ଏହି ଅବସରରେ ସେ ଅନୁସୂଚିତ ଜାତି, ଅବହେଳିତ ବର୍ଗ ଓ ସଫେଇ କର୍ମଚାରୀଙ୍କ ସମେତ ପଛୁଆ ବର୍ଗର ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ।

ମଧ୍ୟପ୍ରଦେଶ ଇନ୍ଦୋରର ନରେନ୍ଦ୍ର ସେନ କ୍ଲାଉଡ କମ୍ପ୍ୟୁଟିଂ ସହିତ କାରବାର କରୁଥିବା ଏକ ଇଣ୍ଟରନେଟ୍ କମ୍ପାନୀର ପ୍ରତିଷ୍ଠାତା ଅଟନ୍ତି । ସାଇବର କ୍ୟାଫେର ମାଲିକ ହେବାଠାରୁ ଆରମ୍ଭ କରି କୋଡିଂ ଶିଖିବା ଏବଂ ଏକ କମ୍ପାନୀର ପ୍ରତିଷ୍ଠାତା ହେବା ପର୍ଯ୍ୟନ୍ତ ସେ ତାଙ୍କର ଯାତ୍ରା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଏମ୍ଏସ୍ଏମ୍ଇଗୁଡ଼ିକୁ ଡିଜିଟାଲ ସକ୍ଷମ କରି ସେଗୁଡ଼ିକୁ ସଶକ୍ତ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ଅନ୍ୟ ଜଣେ ନରେନ୍ଦ୍ରଙ୍କ କାହାଣୀ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଖୋଲା ମନରେ ଅନୁରୋଧ କରିବା ପରେ ଶ୍ରୀ ସେନ୍ ଜଣାଇଥିଲେ ଯେ ସେ ଗୋଟିଏ ଗାଁରେ ଜନ୍ମ ନେଇଥିଲେ। କିନ୍ତୁ ତାଙ୍କ ପରିବାର ଇନ୍ଦୋର ଚାଲିଆସିଥିଲେ ଏବଂ ବାଣିଜ୍ୟରେ ତାଙ୍କର ପୃଷ୍ଠଭୂମି ଥିଲେ ମଧ୍ୟ ପ୍ରଯୁକ୍ତି ପ୍ରତି ତାଙ୍କର ଗଭୀର ଆଗ୍ରହ ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ନାସ୍‌କମ୍‌ର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଏବଂ ଭାରତରେ କ୍ଲାଉଡ୍ ଗୋଡାଉନ୍‌ ପାଇଁ ଦାବି ତାଙ୍କୁ କ୍ଲାଉଡ୍ କମ୍ପ୍ୟୁଟିଂ ଉପରେ କାମ ଆରମ୍ଭ କରିବାକୁ ପ୍ରେରଣା ଦେଇଥିଲା। ଶ୍ରୀ ସେନ୍ କହିଥିଲେ, ‘‘ଗୋଟିଏ ଗାଁରେ ବସିଥିବା ଜଣେ ନରେନ୍ଦ୍ର ଅନ୍ୟ ଜଣେ ନରେନ୍ଦ୍ରଙ୍କ ଠାରୁ ପ୍ରେରଣା ପାଇଥିଲେ।’’ କାର୍ଯ୍ୟ କ୍ଷେତ୍ରରେ ରହିଥିବା ଆହ୍ୱାନ ଏବଂ ସରକାରଙ୍କ ସମର୍ଥନ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଅନୁସନ୍ଧାନ ଉପରେ ଶ୍ରୀ ସେନ୍ କହିଥିଲେ ଯେ, ସହାୟତା ପାଇଁ ତାଙ୍କ ଅନୁରୋଧକୁ ତତ୍କାଳୀନ ସୂଚନା ପ୍ରଯୁକ୍ତି ସଚିବ ଅନୁମୋଦନ କରିଥିଲେ ଯାହା ଭାରତର ପ୍ରଥମ ଡାଟା ସେଣ୍ଟର ପାର୍କର ବିକାଶ ପାଇଁ ବାଟ କଡ଼େଇ ନେଇଥିଲା । ଷ୍ଟାର୍ଟଅପ୍ ପ୍ରତି ଆଗ୍ରହ ପ୍ରକାଶ କରିଥିବାରୁ ଶ୍ରୀ ସେନ୍ ଏବଂ ଅନ୍ୟ ଯୁବଗୋଷ୍ଠୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଏବଂ ସେମାନଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ । ଏହି ସଫଳତା ପାଇଁ ସେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଜମ୍ମୁରୁ ବୁଟିକ୍ ଚଳାଉଥିବା ନୀଲମ କୁମାରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ମହାମାରୀ ଲକଡାଉନ୍ ସମୟରେ ହୋଇଥିବା ସମସ୍ୟାକୁ ସେ ମନେ ପକାଇଥିଲେ। ସେ ଉଜ୍ଜ୍ୱଳା, ପ୍ରଧାନମନ୍ତ୍ରୀ ଆବାସ, ଆୟୁଷ୍ମାନ ଏବଂ ସ୍ୱଚ୍ଛ ଭାରତ ଭଳି ଅନେକ କଲ୍ୟାଣକାରୀ ଯୋଜନାର ହିତାଧିକାରୀ ଅଟନ୍ତି । ସେ ବ୍ୟବସାୟ ଆରମ୍ଭ କରିବା ପାଇଁ ସରକାରୀ ଋଣ ନେଇଥିଲେ। ଚାକିରି ପ୍ରଦାତା ହୋଇଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ ଯେ ଦେଶର କୋଣ ଅନୁକୋଣରୁ ଯେଉଁମାନେ ପୂର୍ବରୁ ଅଣଦେଖାର ଶିକାର ହୋଇଥିଲେ ସେମାନେ ଏବେ ସରକାରୀ ଯୋଜନାର ଲାଭ ଉଠାଉଛନ୍ତି । ତାଙ୍କ ପ୍ରେରଣାଦାୟକ କାହାଣୀ ପ୍ରକାଶ କରିଥିବାରୁ ପ୍ରଧାନମନ୍ତ୍ରୀ ନୀଲମଙ୍କୁ ଧନ୍ୟବାଦ ଦେଇଥିଲେ। ଜନଧନ, ମୁଦ୍ରା, ପିଏମ୍ ଆବାସ ଏବଂ ଉଦ୍ୟୋଗ ବିକାଶ ଯୋଜନା ଭଳି ଯୋଜନା ପଛୁଆ ରହିଥିବା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ବୋଲି ସେ କହିଛନ୍ତି।

ଜଳ ଜୀବନ ଆଗ୍ରୋଟେକ୍ ର ସହ ପ୍ରତିଷ୍ଠାତା ମହାରାଷ୍ଟ୍ର ଅହମ୍ମଦନଗରର ଶ୍ରୀ ନରେଶ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଯେ ତାଙ୍କ ଷ୍ଟାର୍ଟଅପ୍ କୃଷି ବର୍ଜ୍ୟଜଳ ସଂରକ୍ଷଣ ସହ ଜଡ଼ିତ । ଆମ୍ବେଦକର ସାମାଜିକ ଅଭିନବତା ମିଶନ ଅଧୀନରେ ୩୦ ଲକ୍ଷ ଟଙ୍କାର ଋଣ ରାଶି ମିଳିବା ତାଙ୍କୁ ତାଙ୍କର କମ୍ପାନୀ ପ୍ରତିଷ୍ଠା ପାଇଁ ଯନ୍ତ୍ରପାତି କିଣିବାରେ ସାହାଯ୍ୟ କରିଥିଲା ବୋଲି ସେ ଉଲ୍ଲେଖ କରିଥିଲେ। ସେ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। କୃଷି କ୍ଷେତ୍ରରୁ ଏକ କମ୍ପାନୀର ପ୍ରତିଷ୍ଠାତା ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଅନୁସନ୍ଧାନ ପରେ ଶ୍ରୀ ନରେଶ କହିଥିଲେ ଯେ ସେ ତାଙ୍କ ପିତାମାତାଙ୍କ ସହ ଚାଷ ଜମିରେ କାମ କରୁଥିଲେ ଯାହା ତାଙ୍କୁ ଆବଶ୍ୟକ ଅଭିଜ୍ଞତା ଦେଇଥିଲା । ଆୟୁଷ୍ମାନ ଭାରତ କାର୍ଡ ଏବଂ ରାଷ୍ଟ୍ରୀୟ ରାସନ ଯୋଜନାର ଲାଭ ପାଇବା ବିଷୟରେ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ନିଜ କମ୍ପାନୀ ମାଧ୍ୟମରେ କୃଷକମାନଙ୍କୁ ସହାୟତା କରିବା ସମ୍ପର୍କରେ ଶ୍ରୀ ନରେଶ କହିଥିଲେ ଯେ ତାଙ୍କ କମ୍ପାନୀ ଦ୍ୱାରା ଉତ୍ପାଦିତ ଏବଂ ଡିଜାଇନ୍ କରାଯାଇଥିବା ଉତ୍ପାଦକୁ ଭାରତ ସରକାରଙ୍କ ଠାରୁ ପେଟେଣ୍ଟ ମିଳିଛି । ଏହା କୃଷି ସମୟରେ ଜଳର ଅପଚୟକୁ ରୋକିବାରେ ସାହାଯ୍ୟ କରେ । କୃଷି କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ନୂତନ ଉଦ୍ୟୋଗଗୁଡ଼ିକୁ ସରକାରୀ ଯୋଜନାର ଲାଭ ଉଠାଇବାକୁ ସେ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଉତ୍ସାହକୁ ପ୍ରଶଂସା କରିବା ସହ କୃଷି କ୍ଷେତ୍ରରେ ପ୍ରବେଶ କରିବାକୁ ଚାହୁଁଥିବା ଯୁବବର୍ଗଙ୍କ ପାଇଁ ସେ ପ୍ରେରଣା ବୋଲି କହିଥିଲେ।

ସଫେଇ କର୍ମଚାରୀ ଗୁଣ୍ଟୁରର ଶ୍ରୀମତୀ ମୁତାମ୍ମା ତାଙ୍କ ନାମରେ ଏକ ସେପ୍ଟିକ୍ ଟ୍ୟାଙ୍କ ଡିସଲୁଜିଂ ଗାଡି ଆବଣ୍ଟନ ପାଇ ଗର୍ବିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । ଏହା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା ବୋଲି ସେ ସୂଚନା ଦେଇଥିଲେ। ନିଜ ଯାତ୍ରା ବିଷୟରେ ବର୍ଣ୍ଣନା କରି ସେ ଭାବପ୍ରବଣ ହୋଇପଡ଼ିଥିଲେ। ‘‘ଏହି ଗାଡ଼ି ମୋତେ ଶକ୍ତି ଦେଇଛି ଏବଂ ସମାଜ ମୋତେ ନୂଆକରି ସମ୍ମାନ ଦେବା ଆରମ୍ଭ କରିଛି । ଏସବୁ ଆପଣଙ୍କ ପଦକ୍ଷେପ ଯୋଗୁଁ ହୋଇଛି ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । ପ୍ରଧାନମନ୍ତ୍ରୀ ପଚାରିବାରୁ ସେ ତାଙ୍କ ପିଲାଙ୍କ ପାଠପଢ଼ା ବିଷୟରେ ଅବଗତ କରାଇଥିଲେ ଏବଂ ଡ୍ରାଇଭିଂ ଶିଖି ସେମାନଙ୍କ ଜୀବନକୁ ବଦଳାଉଛନ୍ତି ବୋଲି କହିଥିଲେ। ସେ ଏବଂ ତାଙ୍କ ପରିବାର ଲାଭ କରୁଥିବା ସମସ୍ତ କଲ୍ୟାଣକାରୀ ଯୋଜନା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ପ୍ରିୟ କ୍ଷେତ୍ର ଅର୍ଥାତ୍ ସ୍ୱଚ୍ଛତାକୁ ଆଗକୁ ନେବା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ ନାଗରିକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସରକାର ଗତ ୧୦ ବର୍ଷ ଧରି କାର୍ଯ୍ୟ କରୁଛନ୍ତି । ‘‘ମହିଳାଙ୍କ ସମ୍ମାନ ଏବଂ ସମୃଦ୍ଧି ଆମ ସଂକଳ୍ପର ମୁଖ୍ୟ ଅଂଶ’’, ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ୪୭୦ଟି ଜିଲ୍ଲାର ପ୍ରାୟ ୩ ଲକ୍ଷ ଲୋକଙ୍କ ଆଭାସୀ ଉପସ୍ଥିତିକୁ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ଦଳିତ, ପଛୁଆ ଓ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଦିଗରେ ଦେଶ ଆଉ ଏକ ବଡ଼ ସମ୍ଭାବନା ଦେଖୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ସେ କହିଥିଲେ ଯେ, ଆଜିର ଏହି ଅବସର ଗରିବ ଲୋକଙ୍କୁ ପ୍ରାଥମିକତା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଝଲକ ପ୍ରଦାନ କରୁଛି। ଭାରତର ୫୦୦ଟି ଜିଲ୍ଲାର ଅବହେଳିତ ବର୍ଗର ୧ ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୭୨୦ କୋଟି ଟଙ୍କାର  ଆର୍ଥିକ ସହାୟତା ଟ୍ରାନ୍ସଫର କରିବା ବିଷୟରେ ଉଲ୍ଲେଖ କରି ସେ କହିଥିଲେ, ‘‘ପୂର୍ବ ସରକାରମାନଙ୍କ ସମୟରେ ଡିବିଟିର ଏଭଳି ବ୍ୟବସ୍ଥା ଅକଳ୍ପନୀୟ ଥିଲା। ସୁରଜ ପୋର୍ଟାଲର ଶୁଭାରମ୍ଭ କରିବା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ସମାଜର ଅବହେଳିତ ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ। ଏହା ଅନ୍ୟ ସରକାରୀ ଯୋଜନା ଭଳି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ଦଲାଲ, କମିଶନ ଏବଂ ସୁପାରିସରୁ ମୁକ୍ତ ସୁବିଧା ଯୋଗାଇ ଦେବ । ନର୍ଦ୍ଦମା ଏବଂ ସେପ୍ଟିକ୍ ଟାଙ୍କିରେ ନିୟୋଜିତ ସଫେଇ ମିତ୍ରମାନଙ୍କୁ ଆୟୁଷ୍ମାନ ଭାରତ କାର୍ଡ ଏବଂ ପିପିଇ କିଟ୍ ବଣ୍ଟନ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଅନୁସୂଚିତ ଜାତି, ଜନଜାତି ଓ ଓବିସିଙ୍କ ସମେତ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଅଭିଯାନର ଏକ ଅଂଶ ବିଶେଷ ଭାବେ ବିଭିନ୍ନ ସେବାର ବିସ୍ତାର କରାଯାଇଛି ବୋଲି ସେ କହିଥିଲେ ଏବଂ ଆଜିର ଯୋଜନା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ହିତାଧିକାରୀମାନଙ୍କ ସହ ତାଙ୍କର ବାର୍ତ୍ତାଳାପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦଳିତ, ବଞ୍ଚିତ ଏବଂ ପଛୁଆ ସଂପ୍ରଦାୟର ଲୋକଙ୍କ ପାଖରେ ଯେପରି କଲ୍ୟାଣକାରୀ ଯୋଜନା ପହଞ୍ଚୁଛି ସେଥିରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଏହା ତାଙ୍କୁ ଭାବପ୍ରବଣ କରିଥାଏ କାରଣ ସେ ଏମାନଙ୍କ ଠାରୁ ଅଲଗା ନୁହଁନ୍ତି ଏବଂ ଏମାନଙ୍କ ମଧ୍ୟରେ ତାଙ୍କ ପରିବାରକୁ ଦେଖନ୍ତି ।

୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ବିଷୟରେ ଆଲୋକପାତ କରି ବଞ୍ଚିତ ବର୍ଗଙ୍କ ବିକାଶ ବିନା ଏହି ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ସେ ଅତୀତର ମାନସିକତାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ଏବଂ ଦଳିତ, ପଛୁଆ, ବଞ୍ଚିତ ଓ ଆଦିବାସୀଙ୍କ ପାଇଁ ଗ୍ୟାସ ସଂଯୋଗ, ବ୍ୟାଙ୍କ ଆକାଉଣ୍ଟ, ଶୌଚାଳୟ ଆଦି ସୁବିଧା ଉପଲବ୍ଧ ହେଉଛି।

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ କେବଳ ମୌଳିକ ସୁବିଧାର ବ୍ୟବସ୍ଥା କରିବାରେ ବଞ୍ଚିତ ବର୍ଗର ଅନେକ ପିଢ଼ି ନଷ୍ଟ ହୋଇଯାଇଥିଲା। ଶ୍ରୀ ମୋଦୀ କହିଥିଲେ, ‘‘୨୦୧୪ ପରେ ସରକାର ସେହି ବର୍ଗ ନିକଟରେ ପହଞ୍ଚିଥିଲେ ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ଆଶା ହରାଇଥିଲେ । ସେମାନଙ୍କୁ ଦେଶର ବିକାଶରେ ଅଂଶୀଦାର କରିଥିଲେ।’’ ପ୍ରଧାନମନ୍ତ୍ରୀ  କହିଥିଲେ ଯେ ମାଗଣା ରାସନ, ମାଗଣା ଚିକିତ୍ସା, ପକ୍କା ଘର, ଶୌଚାଳୟ ଏବଂ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ଭଳି ଯୋଜନାର ସବୁଠାରୁ ବଡ଼ ହିତାଧିକାରୀ ହେଉଛନ୍ତି ପଛୁଆ, ବଞ୍ଚିତ ବର୍ଗର ଲୋକ । ସେ ଆହୁରି କହିଥିଲେ, ‘‘ବର୍ତ୍ତମାନ ଆମେ ଏହି ଯୋଜନାଗୁଡ଼ିକରେ ଶତପ୍ରତିଶତ ସମ୍ପୂର୍ଣ୍ଣତା ଲକ୍ଷ୍ୟ ନେଇ କାମ କରୁଛୁ ।

ପ୍ରଧାନମନ୍ତ୍ରୀ ଯାଯାବର ଏବଂ ଅର୍ଦ୍ଧ-ଯାଯାବର ସମ୍ପ୍ରଦାୟ ପାଇଁ ଯୋଜନା ଏବଂ ସଫେଇ କର୍ମଚାରୀଙ୍କ ପାଇଁ ‘ନମସ୍ତେ’ ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ହାତରେ ମଇଳା କାଢ଼ିବା ଭଳି ଅମାନବୀୟ ପ୍ରଥାର ଉଚ୍ଛେଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ୬୦,୦୦୦ ପୀଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ଯାହାଦ୍ୱାରା ସେମାନେ ସମ୍ମାନଜନକ ଜୀବନ ଯାପନ କରିପାରିବେ ।

‘‘ଏସସି, ଏସଟି ଏବଂ ଓବିସି ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସରକାର ଯଥାସମ୍ଭବ ପ୍ରୟାସ କରୁଛନ୍ତି’’, ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସେମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା ଦ୍ୱିଗୁଣିତ ହୋଇଛି । କେବଳ ଚଳିତ ବର୍ଷ ଅନୁସୂଚିତ ଜାତି ସମ୍ପ୍ରଦାୟର କଲ୍ୟାଣ ପାଇଁ ସରକାର ପ୍ରାୟ ୧ ଲକ୍ଷ ୬୦ ହଜାର କୋଟି ଟଙ୍କା ପ୍ରଦାନ କରିଥିବା ସେ ସୂଚନା ଦେଇଥିଲେ। ପୂର୍ବ ସରକାର ସମୟରେ ଲକ୍ଷ ଲକ୍ଷ ଟଙ୍କା କେବଳ ଦୁର୍ନୀତି ସହ ଜଡ଼ିତ ଥିଲା ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଏହି ଅର୍ଥକୁ ଦଳିତ ଓ  ବଞ୍ଚିତଙ୍କ କଲ୍ୟାଣ ଏବଂ ଦେଶର ବିକାଶ ପାଇଁ ଖର୍ଚ୍ଚ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନୁସୂଚିତ ଜାତି, ଜନଜାତି ଓ ଓବିସି ଯୁବକମାନଙ୍କ ପାଇଁ ବୃତ୍ତି ବୃଦ୍ଧି, ସର୍ବଭାରତୀୟ ମେଡିକାଲ ସିଟ୍ କୋଟାରେ ଓବିସି ପାଇଁ ୨୭ ପ୍ରତିଶତ ସିଟ୍ ସଂରକ୍ଷଣ, ନିଟ୍ ପରୀକ୍ଷାରେ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବେଶ ସୁବିଧା, ଗରିବ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ବିଦେଶରେ ସ୍ନାତକୋତ୍ତର ଓ ପିଏଚ୍‌ଡି ଡିଗ୍ରୀ ହାସଲ ପାଇଁ ଜାତୀୟ ବିଦେଶ ବୃତ୍ତି ସହାୟତା ପ୍ରଦାନ କରିବାକୁ ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ବିଜ୍ଞାନ ସମ୍ବନ୍ଧୀୟ ବିଷୟରେ ପିଏଚଡି କରିବାରେ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ଜାତୀୟ ଫେଲୋସିପ୍ ରାଶି ମଧ୍ୟ ବୃଦ୍ଧି କରାଯାଇଛି। ଜାତୀୟ ପଛୁଆ ବର୍ଗ ଆୟୋଗକୁ ସାମ୍ବିଧାନିକ ମାନ୍ୟତା ମିଳିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ବାବାସାହେବ ଆମ୍ବେଦକରଙ୍କ ଜୀବନ ସହ ଜଡ଼ିତ ପଞ୍ଚ ତୀର୍ଥର ବିକାଶ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

ଅନୁସୂଚିତ ଜାତି, ଜନଜାତି ଓ ଓବିସି ସମ୍ପ୍ରଦାୟର ଗରିବଙ୍କୁ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା ମୁଦ୍ରା ଯୋଜନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ସରକାର ବଞ୍ଚିତ ବର୍ଗର ଯୁବକମାନଙ୍କ ନିଯୁକ୍ତି ଏବଂ ଆତ୍ମନିଯୁକ୍ତିକୁ ମଧ୍ୟ ପ୍ରାଥମିକତା ଦେଉଛନ୍ତି।’’ ସେ ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା ଏବଂ ଭେଞ୍ଚର କ୍ୟାପିଟାଲ ଫଣ୍ଡ ସ୍କିମ୍ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ ଯାହା ଏସସି ଓ ଏସଟି ବର୍ଗରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିଥାଏ। ଦଳିତମାନଙ୍କ ମଧ୍ୟରେ ଉଦ୍ୟୋଗକୁ ଦୃଷ୍ଟିରେ ରଖି ତାଙ୍କ ସରକାର ଆମ୍ବେଦକର ସାମାଜିକ ଅଭିନବତା ଏବଂ ଇନକ୍ୟୁବେସନ୍ ମିଶନ ମଧ୍ୟ ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

ଦଳିତ ଏବଂ ବଞ୍ଚିତ ସମୁଦାୟର କଲ୍ୟାଣ ପାଇଁ ନୀତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଏହା ଗରିବ ଲୋକଙ୍କୁ ସମ୍ମାନ ଏବଂ ନ୍ୟାୟ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ। ମୋଦୀ ଆପଣଙ୍କୁ ଏହି ଗ୍ୟାରେଣ୍ଟି ଦିଅନ୍ତି, ଆଗାମୀ ୫ ବର୍ଷରେ ବିକାଶ ଓ ବଞ୍ଚିତ ବର୍ଗଙ୍କ ପ୍ରତି ସମ୍ମାନର ଏହି ଅଭିଯାନ ତ୍ୱରାନ୍ୱିତ ହେବ। ଆପଣଙ୍କ ବିକାଶ ଦ୍ୱାରା ଆମେ ବିକଶିତ ଭାରତର ସ୍ୱପ୍ନ ପୂରଣ କରିବୁ।

ପୃଷ୍ଠଭୂମି

ଅବହେଳିତ ବର୍ଗଙ୍କୁ ଋଣ ସହାୟତା ପାଇଁ ପିଏମ-ସୁରଜ ଜାତୀୟ ପୋର୍ଟାଲ ଗରିବ ଲୋକଙ୍କୁ ପ୍ରାଥମିକତା ଦେବା (ବଞ୍ଚିତୋଁ କୋ ବରିୟତା) ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଏହା ଏକ ରୂପାନ୍ତରକାରୀ ପଦକ୍ଷେପ, ଯାହାର ଉଦ୍ଦେଶ୍ୟ ହେଉଛି ସମାଜର ସବୁଠାରୁ ଅବହେଳିତ ବର୍ଗର ଉନ୍ନତି। ସମଗ୍ର ଦେଶରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଏହି ଋଣ ସହାୟତା ପ୍ରଦାନ କରାଯିବ ଏବଂ ବ୍ୟାଙ୍କ, ଏନବିଏଫସି-ଏମଏଫଆଇ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ମାଧ୍ୟମରେ ସୁବିଧା ଯୋଗାଇ ଦିଆଯିବ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନେସନାଲ ଆକ୍ସନ ଫର ମେକାନିକାଲ୍ ସେନ୍ସିମେଣ୍ଟ ଇକୋସିଷ୍ଟମ (ନମସ୍ତେ) ଅଧୀନରେ ସଫେଇ ମିତ୍ର (ନର୍ଦ୍ଦମା ଓ ସେପ୍ଟିକ୍ ଟାଙ୍କି କର୍ମଚାରୀ)ଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଏବଂ ପିପିଇ କିଟ୍ ବଣ୍ଟନ କରିଥିଲେ। ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ସେବା କରୁଥିବା ଛାମୁଆଁ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ସୁରକ୍ଷିତ ରଖିବା ଦିଗରେ ଏହି ପଦକ୍ଷେପ ଆଉ ଏକ ପଦକ୍ଷେପ।

ଏହି କାର୍ଯ୍ୟକ୍ରମରେ ଦେଶର ୫୦୦ରୁ ଅଧିକ ଜିଲ୍ଲାରୁ ବିଭିନ୍ନ ସରକାରୀ ଯୋଜନାର ପ୍ରାୟ ୩ ଲକ୍ଷ ପଛୁଆ ବର୍ଗର ହିତାଧିକାରୀ ଅଂଶଗ୍ରହଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

“ଜଣେ ଉତ୍ସାହିତ ଯୁବକ ନିଶା ଦ୍ରବ୍ୟ ସେବନ ଆଡକୁ ମୁହାଁଇ ପାରିବ ନାହିଁ”: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞକୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ‘ଅଶ୍ୱମେଧ ଯଜ୍ଞ’ ସହିତ ସେ ଜଡିତ ହେବାକୁ ନେଇ ରହିଥିବା ଦ୍ୱନ୍ଦ୍ୱରୁ ଆରମ୍ଭ କରିଥିଲେ, କାରଣ ସେ ଭାବିଥିଲେ ଯେ, ଏହାକୁ ନେଇ ଭୁଲ ବ୍ୟାଖ୍ୟା ମଧ୍ୟ କରାଯାଇପାରେ। ତେବେ ସେ କହିଲେ, “ଯେତେବେଳେ ମୁଁ ଆଚାର୍ଯ୍ୟ ଶ୍ରୀ ରାମ ଶର୍ମାଙ୍କ ଭାବନାକୁ ବଜାୟ ରଖିବା ଏବଂ ଏହାକୁ ନୂତନ ଅର୍ଥ ପ୍ରଦାନ କରିବା ପାଇଁ ଅଶ୍ୱମେଧ ଯଜ୍ଞ ଦେଖିଲି , ମୋର ସନ୍ଦେହ ଦୂର ହୋଇଗଲା।

ଲକ୍ଷ ଲକ୍ଷ ଯୁବକଙ୍କୁ ନିଶାରୁ ଦୂରେଇ ରଖିବା ଏବଂ ରାଷ୍ଟ୍ର ନିର୍ମାଣ କାର୍ଯ୍ୟ ପ୍ରତି ଏହାର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ସ୍ୱୀକାର କରିଛନ୍ତି, “ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞ ଏକ ବିରାଟ ସାମାଜିକ ଅଭିଯାନରେ ପରିଣତ ହୋଇଛି। ଭାରତର ଭାଗ୍ୟ ଗଢିବା ଏବଂ ଏହାର ବିକାଶରେ ଯୋଗଦାନ କରିବାରେ ଯୁବଗୋଷ୍ଠୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ସେମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ଏହି ମହାନ ପ୍ରୟାସରେ ପ୍ରତିବଦ୍ଧତା ପାଇଁ ସେ ଗାୟତ୍ରୀ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ଆଚାର୍ଯ୍ୟ ଶ୍ରୀରାମ ଶର୍ମା ଏବଂ ମାତା ଭଗବତୀଙ୍କ ଶିକ୍ଷା ମାଧ୍ୟମରେ ବ୍ୟକ୍ତିବିଶେଷଙ୍କୁ ପ୍ରେରଣା ଦେବା ପାଇଁ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଶ୍ରୀ ଗାୟତ୍ରୀ ପରିବାରର ଅନେକ ସଦସ୍ୟଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ସ୍ମରଣ କରିଥିଲେ।

ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ଏବଂ ପୂର୍ବରୁ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ। ୩ ରୁ ୪ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ନିଶାମୁକ୍ତ ଭାରତ ପାଇଁ ଦେଶବ୍ୟାପୀ ପଦକ୍ଷେପ ଯାହା ସହିତ ୧୧ କୋଟି ଲୋକ ଯୋଡି ହୋଇ ରହିଛନ୍ତି, ତାହା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ନିଶା ବ୍ୟକ୍ତି ଓ ସମାଜର ବିପର୍ଯ୍ୟୟ ଘଟାଇଥାଏ ଏବଂ ବ୍ୟାପକ କ୍ଷୟକ୍ଷତି କରିଥାଏ। ସାମାଜିକ ଓ ଧାର୍ମିକ ସଂଗଠନର ମିଳିତ ସହଯୋଗରେ ବାଇକ୍ ରାଲି, ଶପଥ ଗ୍ରହଣ ସମାରୋହ ଏବଂ ରାସ୍ତା କଡର ନାଟକ ସମେତ ବ୍ୟାପକ ପ୍ରଚାର ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ମନ୍ କି ବାତ୍‌ରେ ମଧ୍ୟ ନିଶା ବିରୋଧରେ ପ୍ରତିକାର ବ୍ୟବସ୍ଥାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏକ ବିକଶିତ ଏବଂ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲରେ ଯୁବକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି କହିଛନ୍ତି, “ଆମେ ଆମର ଯୁବକମାନଙ୍କୁ ବୃହତ୍ ଜାତୀୟ ଏବଂ ବିଶ୍ୱସ୍ତରୀୟ ପଦକ୍ଷେପ ସହିତ ଯୋଡ଼ିବା ଦ୍ୱାରା ସେମାନେ ଛୋଟ ଛୋଟ ଭୁଲରୁ ଦୂରେଇ ରହିବେ। ‘ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରିଡ୍‌’ ଏବଂ ‘ଗୋଟିଏ ବିଶ୍ୱ, ଗୋଟିଏ ସ୍ୱାସ୍ଥ୍ୟ’ ଭଳି ବିଶ୍ୱସ୍ତରୀୟ ପଦକ୍ଷେପରେ ସାମୂହିକ ଉଦ୍ୟମର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତର ଅଧ୍ୟକ୍ଷତାରେ ଜି -୨୦ ଶିଖର ସମ୍ମିଳନୀର ବିଷୟବସ୍ତୁ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ଏହାର ଉଦାହରଣ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏଭଳି ଜାତୀୟ ଓ ବିଶ୍ୱସ୍ତରୀୟ ଅଭିଯାନରେ ଆମେ ଆମର ଯୁବକମାନଙ୍କୁ ଯେତେ ଅଧିକ ସାମିଲ କରିବୁ, ସେମାନେ ଭୁଲ ମାର୍ଗରୁ ଦୂରେଇ ରହିବେ।

କ୍ରୀଡ଼ା ଓ ବିଜ୍ଞାନ ଉପରେ ସରକାରଙ୍କ ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ, ଚନ୍ଦ୍ରଯାନର ସଫଳତା ଯୁବପିଢ଼ିଙ୍କ ମଧ୍ୟରେ ଟେକ୍ନୋଲୋଜି ପ୍ରତି ଏକ ନୂତନ ଆଗ୍ରହ ସୃଷ୍ଟି କରିଛି। ଯୁବବର୍ଗଙ୍କ ଶକ୍ତିକୁ ସଠିକ ଦିଗରେ ପରିଚାଳିତ କରିବା ଦିଗରେ ଏଭଳି ପଦକ୍ଷେପର ପରିବର୍ତ୍ତନକାରୀ ପ୍ରଭାବ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଓ ଖେଲୋ ଇଣ୍ଡିଆ ଭଳି ପଦକ୍ଷେପ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ଏବଂ ଉତ୍ସାହିତ ଯୁବକମାନେ ନିଶା ଦ୍ରବ୍ୟ ସେବନ ଆଡକୁ ମୁହାଁଇ ପାରିବେ ନାହିଁ ବୋଲି ସେ କହିଛନ୍ତି।

ନୂତନ ସଂଗଠନ ‘ମେରା ଯୁବ ଭାରତ (ଏମୱାଇ ଭାରତ)’ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଦେଶ ନିର୍ମାଣରେ ଯୁବ ଶକ୍ତିର ସଠିକ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ୧.୫ କୋଟିରୁ ଅଧିକ ଯୁବକ ଏହି ପୋର୍ଟାଲରେ ପଞ୍ଜୀକରଣ କରି ସାରିଛନ୍ତି।

ମାଦକ ଦ୍ରବ୍ୟ ନିଶାର ବିନାଶକାରୀ ଫଳାଫଳକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱୀକାର କରିବା ସହ ତୃଣମୂଳ ସ୍ତରରୁ ମାଦକ ଦ୍ରବ୍ୟ ସେବନକୁ ଦୂର କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ମାଦକ ଦ୍ରବ୍ୟର ବ୍ୟବହାରକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବା ପାଇଁ ଦୃଢ ପାରିବାରିକ ସହାୟତା ବ୍ୟବସ୍ଥାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ। ତେଣୁ ନିଶାମୁକ୍ତ ଭାରତ ଗଠନ ପାଇଁ ପରିବାରଗୁଡ଼ିକ ଅନୁଷ୍ଠାନ ଭଳି ସୁଦୃଢ଼ ହେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଏକ ଗୌରବମୟ ଭବିଷ୍ୟତ ଆଡ଼କୁ ଦେଶର ଗତିପଥ ଉପରେ ଆସ୍ଥା ପ୍ରକଟ କରି ପ୍ରଧାନମନ୍ତ୍ରୀ ମୋଦୀ ମନେ ପକାଇ କହିଛନ୍ତି, ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ମୁଁ କହିଥିଲି ଯେ ଭାରତ ପାଇଁ ଏକ ହଜାର ବର୍ଷର ଏକ ନୂତନ ଯାତ୍ରା ଆରମ୍ଭ ହେଉଛି। ବ୍ୟକ୍ତିଗତ ବିକାଶର ପ୍ରୟାସ ମାଧ୍ୟମରେ ଜାତୀୟ ବିକାଶ ମାଧ୍ୟମରେ ବିଶ୍ୱ ନେତୃତ୍ୱ ହେବା ଦିଗରେ ଭାରତର ଯାତ୍ରାକୁ ନେଇ ଆଶାବାଦୀ ଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହି ଅମୃତ କାଳରେ ଆମେ ଏହି ନୂତନ ଯୁଗର ପ୍ରଭାତ ଦେଖୁଛୁ।

Categories
ଜାତୀୟ ଖବର ବିଶେଷ ଖବର

ଆଚାର୍ଯ୍ୟ ଶ୍ରୀ ଏସ୍ ଏନ୍ ଗୋଏଙ୍କାଙ୍କ ୧୦୦ତମ ଜୟନ୍ତୀ ପାଳନର ଉଦ୍‌ଯାପନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଏସ ଏନ ଗୋଏଙ୍କାଙ୍କ ୧୦୦ତମ ଜୟନ୍ତୀ ପାଳନର ସମାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ।

ବର୍ଷକ ତଳେ ବିପାସନା ଧ୍ୟାନ ଶିକ୍ଷକ ଆଚାର୍ଯ୍ୟ ଶ୍ରୀ ଏସ୍ ଏନ୍ ଗୋଏଙ୍କାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ର ଶୁଭାରମ୍ଭକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ‘ଅମୃତ ମହୋତ୍ସବ’ ପାଳନ କରିବା ସହ କଲ୍ୟାଣ ମିତ୍ର ଗୋଏଙ୍କାଙ୍କ ଆଦର୍ଶକୁ ମଧ୍ୟ ମନେ ପକାଇଥିଲା । ଆଜି ଏହି ଉତ୍ସବ ସମାପ୍ତ ହେଉଥିବା ବେଳେ ଦେଶ ଏକ ବିକଶିତ ଭାରତର ସଂକଳ୍ପ ପୂରଣ ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭଗବାନ ବୁଦ୍ଧଙ୍କ ମନ୍ତ୍ରକୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଅର୍ଥ ବର୍ଣ୍ଣନା କରି କହିଛନ୍ତି ଯେ ଏକାଠି ଧ୍ୟାନ କଲେ ପ୍ରଭାବଶାଳୀ ଫଳ ମିଳିଥାଏ। ଏହି ଏକତା ଭାବନା ଏବଂ ଏକତାର ଶକ୍ତି ହେଉଛି ବିକଶିତ ଭାରତର ଏକ ପ୍ରମୁଖ ଆଧାର। ବର୍ଷସାରା ସମାନ ମନ୍ତ୍ର ପ୍ରଚାର କରିଥିବାରୁ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ଗୋଏଙ୍କାଙ୍କ ସହ ତାଙ୍କର ସମ୍ପର୍କକୁ ସ୍ମରଣ କରିଥିଲେ ଏବଂ କହିଥିଲେ ଯେ ଜାତିସଂଘରେ ବିଶ୍ୱ ଧର୍ମ ସମ୍ମିଳନୀର ପ୍ରଥମ ବୈଠକ ପରେ ସେମାନେ ଗୁଜୁରାଟରେ ଏକାଧିକ ଥର ସାକ୍ଷାତ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ତାଙ୍କୁ ଦେଖିବା ଏବଂ ଆଚାର୍ଯ୍ୟଙ୍କୁ ନିକଟରୁ ଜାଣିବା ଓ ବୁଝିବାର ସୌଭାଗ୍ୟ ପାଇଥିବାରୁ ଶ୍ରୀ ମୋଦୀ ନିଜକୁ ଭାଗ୍ୟବାନ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ଗୋଏଙ୍କା ତାଙ୍କ ଶାନ୍ତ ଏବଂ ଗମ୍ଭୀର ବ୍ୟକ୍ତିତ୍ୱ ସହିତ ବିପାସନାକୁ ଗଭୀର ଭାବରେ ଗ୍ରହଣ କରିଥିବା ବିଷୟରେ ବକ୍ତବ୍ୟ ରଖିଥିଲେ ଯାହା ସେ ଯେଉଁଠି ବି ଯାଆନ୍ତି ସେଠାରେ ପୁଣ୍ୟର ବାତାବରଣ ସୃଷ୍ଟି କରିଥିଲେ । ‘ଗୋଟିଏ ଜୀବନ, ଗୋଟିଏ ମିଶନ’ର ଉତ୍କୃଷ୍ଟ ଉଦାହରଣ ଶ୍ରୀ ଗୋଏଙ୍କାଙ୍କର କେବଳ ଗୋଟିଏ ମିଶନ ଥିଲା- ବିପାସନା ! ସେ ସମସ୍ତଙ୍କୁ ବିପାସନାର ଜ୍ଞାନ ପ୍ରଦାନ କରିଥିଲେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ମାନବିକତା ଏବଂ ବିଶ୍ୱ ପାଇଁ ଏହି ଅବଦାନକୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ବିପାସନା ସମଗ୍ର ବିଶ୍ୱ ପାଇଁ ପ୍ରାଚୀନ ଭାରତୀୟ ଜୀବନଶୈଳୀର ଏକ ଚମତ୍କାର ଉପହାର ହୋଇଥିଲେ ମଧ୍ୟ ଦେଶରେ ଏହି ଐତିହ୍ୟ ଦୀର୍ଘ ଦିନ ଧରି ହଜି ଯାଇଥିଲା ଏବଂ ବିପାସନା ଶିକ୍ଷା ଦାନ ଓ ଶିକ୍ଷଣ କଳାର ଅନ୍ତ ଘଟିଥିବା ପରି ମନେ ହୁଏ । ତେବେ ମିଆଁମାରରେ ୧୪ ବର୍ଷ ତପସ୍ୟା କରିବା ପରେ ଶ୍ରୀ ଗୋଏଙ୍କା ଜ୍ଞାନ ଅର୍ଜନ କରି ଭାରତର ପ୍ରାଚୀନ ଗୌରବ ବିପାସନା ନେଇ ମାତୃଭୂମିକୁ ଫେରିଥିଲେ ବୋଲି ପ୍ରଧାନମନ୍ତ୍ରୀ  ସୂଚନା ଦେଇଥିଲେ । ବିପାସନର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଏହା ଆତ୍ମ-ରୂପାନ୍ତରଣ ମାଧ୍ୟମରେ ଆତ୍ମ-ପରିବର୍ତ୍ତନର ମାର୍ଗ । ହଜାର ହଜାର ବର୍ଷ ପୂର୍ବେ ଯେତେବେଳେ ଏହାର ପ୍ରଚଳନ ହୋଇଥିଲା, ସେତେବେଳେ ଏହାର ବହୁତ ପ୍ରାସଙ୍ଗିକତା ଥିଲା, ପ୍ରଧାନମନ୍ତ୍ରୀ ଏହି ବିଶ୍ୱାସକୁ ଦୋହରାଇଥିଲେ ଯେ ଏହା ଆଜିର ଜୀବନରେ ଆହୁରି ପ୍ରାସଙ୍ଗିକ ହୋଇପାରିଛି କାରଣ ଏହା ବିଶ୍ୱର ସାମ୍ପ୍ରତିକ ଆହ୍ୱାନର ସମାଧାନ କରିବାର ଶକ୍ତି ରଖିଛି । ସେ କହିଛନ୍ତି ଯେ ଗୁରୁଜୀଙ୍କ ପ୍ରୟାସ ଯୋଗୁଁ ବିଶ୍ୱର ୮୦ରୁ ଅଧିକ ଦେଶ ଧ୍ୟାନର ମହତ୍ତ୍ୱ ବୁଝିଛନ୍ତି ଏବଂ ଏହାକୁ ଗ୍ରହଣ କରିଛନ୍ତି । ଆଚାର୍ଯ୍ୟ ଶ୍ରୀ ଗୋଏଙ୍କା ପୁଣି ଥରେ ବିପାସନାକୁ ଏକ ବିଶ୍ୱସ୍ତରୀୟ ପରିଚୟ ଦେଇଛନ୍ତି। ଆଜି ଭାରତ ସମ୍ପୂର୍ଣ୍ଣ ଶକ୍ତି ସହିତ ସେହି ସଂକଳ୍ପକୁ ନୂତନ ସମ୍ପ୍ରସାରଣ କରୁଛି”, ଜାତିସଂଘରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାର ଭାରତର ପ୍ରସ୍ତାବକୁ ୧୯୦ ରୁ ଅଧିକ ଦେଶର ସମର୍ଥନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ।

ଯଦିଓ ଭାରତର ପୂର୍ବପୁରୁଷମାନେ ବିପାସନା ଯୋଗ ର ପ୍ରକ୍ରିୟା ଉପରେ ଗବେଷଣା କରିଥିଲେ, ତଥାପି ପରବର୍ତ୍ତୀ ପିଢ଼ି ଏହାର ମହତ୍ତ୍ୱ କୁ ଭୁଲି ଯାଇଥିବା ବିଡ଼ମ୍ବନା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଆଚାର୍ଯ୍ୟ ଶ୍ରୀ ଏସ୍ ଏନ୍ ଗୋଏଙ୍କାଙ୍କ ଭଳି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନେତୃତ୍ବ ବିଷୟରେ ସେ କହିଥିଲେ, ” ବିପାସନା, ଧ୍ୟାନ, ଧରଣାକୁ ପ୍ରାୟତଃ କେବଳ ତ୍ୟାଗ ଏବଂ ଲୋକଙ୍କ ବିଷୟ ଭାବରେ ବିବେଚନା କରାଯାଏ, କିନ୍ତୁ ଏହାର ଭୂମିକା ଭୁଲି ଯାଇଥିଲା”। ଗୁରୁଜୀଙ୍କୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ସୁସ୍ଥ ଜୀବନ ଆମ ସମସ୍ତଙ୍କ ନିଜ ପ୍ରତି ଏକ ବଡ଼ ଦାୟିତ୍ୱ”। ବିପାସନାର ଉପକାରିତା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଆଜିର ଆହ୍ୱାନପୂର୍ଣ୍ଣ ସମୟରେ ବିପାସନା ଅଭ୍ୟାସ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ଯେତେବେଳେ ଯୁବକମାନେ କର୍ମଜୀବନ ସନ୍ତୁଳନ, ପ୍ରଚଳିତ ଜୀବନଶୈଳୀ ଏବଂ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ମାନସିକ ଚାପର ଶିକାର ହୋଇଛନ୍ତି । ଏହା କେବଳ ସେମାନଙ୍କ ପାଇଁ ନୁହେଁ ବରଂ ମାଇକ୍ରୋ ଓ ନ୍ୟୁକ୍ଲିୟର ପରିବାରର ସଦସ୍ୟମାନଙ୍କ ପାଇଁ ମଧ୍ୟ ଏକ ସମାଧାନ ଯେଉଁଠାରେ ବୟସ୍କ ପିତାମାତା ବହୁତ ଚାପରେ ରହୁଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ବୟସ୍କ ଲୋକଙ୍କୁ ଏଭଳି ପଦକ୍ଷେପ ସହ ଯୋଡ଼ିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଏହି ଅଭିଯାନ ମାଧ୍ୟମରେ ସମସ୍ତଙ୍କ ଜୀବନକୁ ଶାନ୍ତିପୂର୍ଣ୍ଣ, ସୁଖୀ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ କରିବା ପାଇଁ ଆଚାର୍ଯ୍ୟ ଗୋଏଙ୍କାଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଭବିଷ୍ୟତ ପିଢ଼ି ଏହି ଅଭିଯାନର ଲାଭ ନିଅନ୍ତୁ ବୋଲି ସେ ଚାହୁଁଥିଲେ ଏବଂ ସେଥିପାଇଁ ସେ ତାଙ୍କର ଜ୍ଞାନକୁ ବିସ୍ତାର କରିଥିଲେ । ସେ ଏତିକିରେ ଅଟକି ନଥିଲେ ବରଂ ଦକ୍ଷ ଶିକ୍ଷକ ମଧ୍ୟ ସୃଷ୍ଟି କରିଥିଲେ। ପ୍ରଧାନମନ୍ତ୍ରୀ ପୁଣି ଥରେ ବିପାସନା ବିଷୟରେ ବର୍ଣ୍ଣନା କରି କହିଲେ ଯେ ଏହା ଆତ୍ମାର ଯାତ୍ରା ଏବଂ ନିଜକୁ ଗଭୀର ଭାବରେ ବୁଝିବାର ଏକ ଉପାୟ। ତେବେ ଏହା କେବଳ ଏକ ଶୈଳୀ ନୁହେଁ ବରଂ ଏକ ବିଜ୍ଞାନ । ଏହି ବିଜ୍ଞାନର ଫଳାଫଳ ବିଷୟରେ ଆମେ ଅବଗତ ଥିବାରୁ ଏବେ ଆଧୁନିକ ବିଜ୍ଞାନର ମାନଦଣ୍ଡ ଅନୁଯାୟୀ ଏହାର ପ୍ରମାଣକୁ ବିଶ୍ୱ ଆଗରେ ଉପସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଏ ଦିଗରେ ସମଗ୍ର ବିଶ୍ୱରେ ଅନେକ କାମ ଚାଲିଥିବା ବେଳେ ବିଶ୍ୱକୁ ଅଧିକ କଲ୍ୟାଣ ଆଣିବା ପାଇଁ ନୂତନ ଗବେଷଣା ମାଧ୍ୟମରେ ଏହାକୁ ଅଧିକ ଗ୍ରହଣୀୟ କରିବା ଦିଗରେ ଭାରତକୁ ଆଗେଇ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ନିଜର ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ଏସ୍ ଏନ୍ ଗୋଏଙ୍କାଙ୍କ ଜନ୍ମ ଶତବାର୍ଷିକୀ ପାଳନକୁ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ସମୟ ବୋଲି କହିଥିଲେ ଏବଂ ମାନବ ସେବା ପାଇଁ ତାଙ୍କର ପ୍ରୟାସକୁ ଆଗକୁ ବଢ଼ାଇବା ପାଇଁ ବିଶ୍ୱାସ ବ୍ୟକ୍ତ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଶ୍ରୀ ଖୋଦଲଧାମ ଟ୍ରଷ୍ଟ – କ୍ୟାନସର ହସ୍ପିଟାଲର ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରୀ ଖୋଦଲଧାମ ଟ୍ରଷ୍ଟ – କର୍କଟ ହସ୍ପିଟାଲର ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କରିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଖୋଦଲଧାମର ପବିତ୍ର ଭୂମି ଏବଂ ଖୋଦଲ ମା’ଙ୍କ ଭକ୍ତଙ୍କ ସହ ଯୋଗାଯୋଗ କରିବା ନେଇ ଅତ୍ୟନ୍ତ ସୌଭାଗ୍ୟ ପ୍ରକାଶ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀ ଖୋଦଲଧାମ ଟ୍ରଷ୍ଟ ଅମରେଲି ଠାରେ କର୍କଟ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ରର ଶିଳାନ୍ୟାସ ସହିତ ଜନକଲ୍ୟାଣ ଏବଂ ସେବା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଶ୍ରୀ ଖୋଦଲଧାମ ଟ୍ରଷ୍ଟ – କାଗୱାଡ ପ୍ରତିଷ୍ଠାର ୧୪ ବର୍ଷ ପୂରଣ କରିବ ଏବଂ  ସେ ଉଲ୍ଲେଖ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଲେଉଭା ପଟିଦାର ସମ୍ପ୍ରଦାୟ ୧୪ ବର୍ଷ ପୂର୍ବେ ସେବା, ମୂଲ୍ୟବୋଧ ଏବଂ ସମର୍ପଣର ସଂକଳ୍ପ ନେଇ ଶ୍ରୀ ଖୋଦଲଧାମ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ । ସେବେଠାରୁ ଟ୍ରଷ୍ଟ ନିଜର ସେବା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ କାମ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶିକ୍ଷା କ୍ଷେତ୍ର ହେଉ, କୃଷି ହେଉ କି ସ୍ୱାସ୍ଥ୍ୟ କ୍ଷେତ୍ର ହେଉ, ଏହି ଟ୍ରଷ୍ଟ ପ୍ରତ୍ୟେକ ଦିଗରେ ଉତ୍କୃଷ୍ଟ କାର୍ଯ୍ୟ କରିଛି”, ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ବିଶ୍ୱାସ ବ୍ୟକ୍ତ କରି କହିଥିଲେ ଯେ ଅମରେଲିରେ ନିର୍ମାଣ କରାଯାଉଥିବା କର୍କଟ ଚିକିତ୍ସାଳୟ ସେବା ଭାବନାର ଆଉ ଏକ ଉଦାହରଣ ହେବ ଏବଂ ଅମରେଲି ସମେତ ସୌରାଷ୍ଟ୍ରର ଏକ ବିଶାଳ ଅଞ୍ଚଳକୁ ବହୁତ ଉପକୃତ କରିବ ।

କର୍କଟ ଭଳି ଗମ୍ଭୀର ରୋଗର ଚିକିତ୍ସା ଯେ କୌଣସି ବ୍ୟକ୍ତି ଓ ପରିବାର ପାଇଁ ଏକ ବଡ଼ ଆହ୍ୱାନ ପାଲଟିଥାଏ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ କର୍କଟ ଚିକିତ୍ସାରେ ଯେପରି କୌଣସି ରୋଗୀ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ସରକାର ପ୍ରୟାସ କରୁଛନ୍ତି । ଏହି ଦୃଷ୍ଟିକୋଣ ଅନୁଯାୟୀ,  ଗତ ୯ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୩୦ଟି ନୂତନ କର୍କଟ ହସ୍ପିଟାଲ ବିକଶିତ ହୋଇଛି ଏବଂ ୧୦ଟି ନୂତନ କର୍କଟ ହସ୍ପିଟାଲର କାର୍ଯ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

କର୍କଟ ରୋଗର ଚିକିତ୍ସା ପାଇଁ ସଠିକ୍ ପର୍ଯ୍ୟାୟରେ ଚିହ୍ନଟ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଦର୍ଶାଇଛନ୍ତି ଯେ ଗ୍ରାମର ଲୋକମାନଙ୍କ କ୍ଷେତ୍ରରେ ରୋଗ ଚିହ୍ନଟ ହେବା ବେଳକୁ କର୍କଟ ବ୍ୟାପିବା ଆରମ୍ଭ ହୋଇଯାଏ । ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ଗ୍ରାମ ସ୍ତରରେ ୧.୫ ଲକ୍ଷରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରିଛନ୍ତି ଯେଉଁଠାରେ କର୍କଟ ସମେତ ଅନେକ ଗମ୍ଭୀର ରୋଗର ଆଗୁଆ ଚିହ୍ନଟ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । “ଯେତେବେଳେ କର୍କଟ ରୋଗ ଶୀଘ୍ର ଚିହ୍ନଟ ହୁଏ, ଡାକ୍ତରମାନେ ମଧ୍ୟ ଏହାର ଚିକିତ୍ସାରେ ବହୁତ ସାହାଯ୍ୟ କରିଥାନ୍ତି”, ବୋଲି ସେ ଆହୁରି ମଧ୍ୟ କହିଥିଲେ । ଗର୍ଭାଶୟ କର୍କଟ ବା ସ୍ତନ କର୍କଟ ଭଳି ରୋଗର ପ୍ରାରମ୍ଭିକ ଚିହ୍ନଟରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ ଉଲ୍ଲେଖ କରିବା ସହିତ କେନ୍ଦ୍ର ସରକାରଙ୍କ ପ୍ରୟାସରୁ ମହିଳାମାନେ ମଧ୍ୟ ବହୁତ ଉପକୃତ ହୋଇଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ ।

ଗତ ୨୦ ବର୍ଷ ମଧ୍ୟରେ ଗୁଜରାଟ ରାଜ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି କରିଛି ଏବଂ ଏହା ଭାରତର ଏକ ବିଶାଳ ଚିକିତ୍ସା କେନ୍ଦ୍ରରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ୨୦୦୨ ସୁଦ୍ଧା ଗୁଜରାଟରେ ମାତ୍ର ୧୧ଟି ମେଡିକାଲ କଲେଜ ଥିବା ବେଳେ ଆଜି ଏହି ସଂଖ୍ୟା ୪୦ କୁ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦ ବର୍ଷ ମଧ୍ୟରେ ଏଠାରେ ଏମବିବିଏସ୍ ସିଟ୍ ସଂଖ୍ୟା ପାଖାପାଖି ୫ ଗୁଣ ବୃଦ୍ଧି ପାଇଛି ଏବଂ ପିଜି ସିଟ୍ ସଂଖ୍ୟା ମଧ୍ୟ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି । “ବର୍ତ୍ତମାନ ରାଜକୋଟରେ ଆମର ଏମ୍ସ ମଧ୍ୟ ଅଛି”, ବୋଲି ସେ ଉଲ୍ଲେଖ କରିଥିଲେ । ୨୦୦୨ ମସିହା ସୁଦ୍ଧା ଗୁଜରାଟରେ ମାତ୍ର ୧୩ଟି ଫାର୍ମାସି କଲେଜ ଥିବା ବେଳେ ଆଜି ସେଗୁଡିକର ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି ଏବଂ ଡିପ୍ଲୋମା ଫାର୍ମାସି କଲେଜ ସଂଖ୍ୟା ମଧ୍ୟ ଗତ ୨୦ ବର୍ଷ ମଧ୍ୟରେ ୬ ରୁ ୩୦କୁ ବୃଦ୍ଧି ପାଇଛି । ପ୍ରତ୍ୟେକ ଗ୍ରାମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ସହିତ ଗୁଜରାଟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ସଂସ୍କାରର ମଡେଲ ଉପସ୍ଥାପନ କରିଛି, ଯାହା ଦ୍ୱାରା ଆଦିବାସୀ ଏବଂ ଗରିବ ଅଂଚଳରେ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଗୁଜରାଟରେ ୧୦୮ ଆମ୍ବୁଲାନ୍ସ ସୁବିଧା ଉପରେ ଲୋକଙ୍କ ବିଶ୍ୱାସ କ୍ରମାଗତ ଭାବେ ଦୃଢ଼ ହୋଇଛି ।

ଯେ କୌଣସି ଦେଶର ବିକାଶ ପାଇଁ ଏକ ସୁସ୍ଥ ଓ ଦୃଢ଼ ସମୁଦାୟର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । “ଖୋଦଲ ମାତାଙ୍କ ଆଶୀର୍ବାଦରେ, ଆମ ସରକାର ଆଜି ଏହି ଚିନ୍ତାଧାରାକୁ ଅନୁସରଣ କରୁଛନ୍ତି”, ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯାହା ଆଜି ବହୁ ସଂଖ୍ୟକ କର୍କଟ ରୋଗୀଙ୍କ ସମେତ ୬ କୋଟିରୁ ଅଧିକ ଲୋକଙ୍କ ଚିକିତ୍ସାରେ ସାହାଯ୍ୟ କରିଛି ଏବଂ ସେମାନଙ୍କୁ ଏକ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିଛି । ୧୦,୦୦୦ ଜନ ଔଷଧି କେନ୍ଦ୍ର ଖୋଲିବା ବିଷୟରେ ମଧ୍ୟ ସେ କହିଥିଲେ , ଯେଉଁଠାରେ ୮୦ ପ୍ରତିଶତ ରିହାତିରେ ଔଷଧ ଉପଲବ୍ଧ କରାଯାଏ । ପିଏମ୍  ଜନ ଔଷଧି କେନ୍ଦ୍ର ସଂଖ୍ୟା ୨୫,୦୦୦ କୁ ବୃଦ୍ଧି କରିବା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାରୁ ରୋଗୀଙ୍କୁ ରକ୍ଷା କରାଯାଇଛି ବୋଲି ସେ ମଧ୍ୟ କହିଛନ୍ତି । କ୍ୟାନସର ଔଷଧର ମୂଲ୍ୟକୁ ମଧ୍ୟ ସରକାର ନିୟନ୍ତ୍ରଣ କରିଛନ୍ତି , ଯାହା ଅନେକ କର୍କଟ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

ଟ୍ରଷ୍ଟ ସହ ତାଙ୍କର ଦୀର୍ଘକାଳୀନ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ୯ଟି ଅନୁରୋଧ କରିଥିଲେ । ପ୍ରଥମତଃ, ପ୍ରତି ବୁନ୍ଦା ଜଳକୁ ସଂରକ୍ଷଣ କରିବା ଏବଂ ଜଳ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା । ଦ୍ୱିତୀୟ – ଗ୍ରାମ ସ୍ତରରେ ଡିଜିଟାଲ କାରବାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ତୃତୀୟ – ନିଜ ଗ୍ରାମ, ଅଞ୍ଚଳ ଓ ସହରକୁ ସ୍ୱଚ୍ଛତା କ୍ଷେତ୍ରରେ ଏକ ନମ୍ବର କରିବା ପାଇଁ କାମ କରିବା । ଚତୁର୍ଥ – ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ଏବଂ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦକୁ ଯଥାସମ୍ଭବ ବ୍ୟବହାର କରିବା । ପଞ୍ଚମ – ଦେଶ ଭିତରେ ଭ୍ରମଣ କରିବା ଏବଂ ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା । ଷଷ୍ଠ – ପ୍ରାକୃତିକ ଚାଷ ସମ୍ପର୍କରେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ସପ୍ତମ – ଦୈନନ୍ଦିନ ଖାଦ୍ୟରେ ଶ୍ରୀ ଅନ୍ନକୁ ସାମିଲ କରିବା । ଅଷ୍ଟମ – ଫିଟନେସ୍‌, ଯୋଗ କିମ୍ବା କ୍ରୀଡ଼ାରେ ଲିପ୍ତ ରହି ଏହାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବା ଏବଂ ଶେଷରେ – କୌଣସି ପ୍ରକାର ଡ୍ରଗ୍ସ ଏବଂ ନିଶା ଠାରୁ ଦୂରେଇ ରହିବା ।

ଏହି ଟ୍ରଷ୍ଟ ପୂର୍ଣ୍ଣ ନିଷ୍ଠା ଓ ସାମର୍ଥ୍ୟ ସହିତ ନିଜର ଦାୟିତ୍ୱ ନିର୍ବାହ ଜାରି ରଖିବ ଏବଂ ଅମରେଲିରେ ନିର୍ମାଣ କରାଯାଉଥିବା କର୍କଟ ଚିକିତ୍ସାଳୟ ସମଗ୍ର ସମାଜର କଲ୍ୟାଣ ପାଇଁ ଉଦାହରଣ ପାଲଟିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ସେ ଲେଉଭା ପଟିଦାର ସମାଜ ଏବଂ ଶ୍ରୀ ଖୋଦଲଧାମ ଟ୍ରଷ୍ଟକୁ ଶୁଭେଚ୍ଛା ଜଣାଇଛନ୍ତି । “ମା’ ଖୋଦଲଙ୍କ କୃପାରୁ ଆପଣମାନେ ସମାଜସେବାରେ ନିୟୋଜିତ ହେବା ଉଚିତ” ବୋଲି ସେ ଆହୁରି ମଧ୍ୟ କହିଥିଲେ ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଦେଶରେ ବିବାହ ସମାରୋହ କରିବା ଏବଂ ବିଦେଶୀ ଡେଷ୍ଟିନେସନ୍ ୱେଡିଂରୁ ଦୂରେଇ ରହିବାକୁ ଶୁଭେଚ୍ଛୁ ବର୍ଗଙ୍କୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଶେଷରେ “ମେଡ୍ ଇନ୍ ଇଣ୍ଡିଆ ଭଳି ଏବେ ୱେଡ୍ ଇନ୍ ଇଣ୍ଡିଆ” (ଭାରତରେ ତିଆରି ଭଳି ଭାରତରେ ବିବାହ) ପ୍ରସଙ୍ଗ ଉପରେ ମତ ଦେଇଥିଲେ ।

Categories
ଭିଡ଼ିଓ

ପ୍ରବାସୀ ଶ୍ରମିକଙ୍କ ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ନବୀନ |

Categories
ଆଜିର ଖବର ରାଜ୍ୟ ଖବର

କରୋନା ମୁକାବିଲା ନେଇ ସରପଞ୍ଚମାନଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍-୧୯ ପରିଚାଳନା ନେଇ ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା କରାଯାଇଥିଲା। ମୋଟ ୬ ହଜାର ୭ ଶହ ୯୮ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। ପଞ୍ଚାୟତରେ କରୋନା ସଂକ୍ରମଣ ରୋକିବାକୁ ସବୁ ସରପଞ୍ଚକୁ ଶପଥ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାହାରୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟିନ୍‌ରେ ରଖିବା ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛନ୍ତି।  କରୋନା ମୁକାବିଲା କ୍ଷେତ୍ରରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲୋକସଭା ବାଚସ୍ପତିଙ୍କ ଦ୍ୱାରା ଆହୂତ ଭିଡ଼ିଓ କନ୍‌ଫରେନ୍‌ସିଂରେ ଯୋଗଦେଲେ ବାଚସ୍ପତି ଡ. ପାତ୍ର

ଭୁବନେଶ୍ୱର:  ସଂପ୍ରତି ବିଶ୍ୱବ୍ୟାପୀ କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟରେ ଏହାର ସ୍ଥିତି, ସଫଳ ମୁକାବିଲା ଓ ଲକ୍‌ ଡାଉନ୍‌ବେଳେ ବିଧାୟୀ କାର୍ଯ୍ୟ ପରିଚାଳନା ସଂପର୍କରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍‌ ପ୍ରକାଶ ବିର୍ଲା ଆଜି ସମସ୍ତ ରାଜ୍ୟର ବାଚସ୍ପତିଙ୍କ ସହ ଆଲୋଚନା କରିଛନ୍ତି।

ଲୋକସଭା ବାଚସ୍ପତି ଶ୍ରୀ ବିର୍ଲା କୋଭିଡି୍‌-୧୯ ମୁକାବିଲା ଦିଗରେ ସମସ୍ତ ସାଂସଦ ଓ ବିଧାୟକମାନଙ୍କର ସକରାତ୍ମକ ସହଯୋଗ କାମନା କରିଥିଲେ। ସଚିବାଳୟ ମାର୍ଗସ୍ଥିତ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(ଏନ୍‌ଆଇସି)ରେ ଅନୁଷ୍ଠିତ ଏହି ଭିଡ଼ିଓ କନ୍‌ଫରେନ୍‌ସିଂରେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଓଡ଼ିଶାରେ କରୋନା ସଂକ୍ରମଣ, କୋଭିଡ୍‌-୧୯ ସ୍ୱତନ୍ତ୍ର ହସ୍‌ପିଟାଲ୍‌ ପ୍ରତିଷ୍ଠା, ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଓଡ଼ିଶାରେ ଲକ୍‌ ଡାଉନ୍‌, କ୍ୱରାଣ୍ଟାଇନ୍‌, ଆଇସୋଲେସନ୍‌, ସାମାଜିକ ଦୂରତ୍ୱ, ହାତଧୁଆ ଆଦି କଡ଼ାକଡ଼ି ଭାବେ ପାଳନ କରାଯାଉଛି ବୋଲି ସେ କହିଥିଲେ। ସଂକ୍ରମିତ ଅଞ୍ଚଳଗୁଡ଼ିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ବର୍ତ୍ତମାନ ଉପୁଜିଥିବା ସ୍ଥିତିର ମୁକାବିଲା ପାଇଁ ମନ୍ତ୍ରୀମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କ୍ଷମତାପନ୍ନ କମିଟି ଓ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସଚିବସ୍ତରୀୟ କମିଟି ଗଠନ କରାଯାଇଛି। ବିଦେଶରୁ ଓଡ଼ିଶା ଆସିଥିବା ଲୋକଙ୍କ ପଂଜୀକରଣ ବାଧ୍ୟତାମୂଳକ କରାଯିବା ସହିତ ଅନ୍ୟ ରାଜ୍ୟରୁ ଫେରିଥିବା ବ୍ୟକ୍ତିମାନଙ୍କ ପାଇଁ କ୍ୱରାଣ୍ଟାଇନ୍‌ ବ୍ୟବସ୍ଥା ଲାଗୁ କରାଯାଇଛି । ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ଚାଉଳ ଓ ଗହମ ଏବଂ ମଧ୍ୟାହ୍ନ ଭୋଜନ ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ଆଗୁଆ ୩ ମାସ ପାଇଁ ରାସନ୍‌ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ପ୍ରବକ୍ତା ଓ ଅନ୍ୟ ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ କରୋନା ସଂକ୍ରମଣ ସଂପର୍କିତ ସୂଚନା ଦୈନିକ ପ୍ରଦାନ କରାଯାଉଛି ବୋଲି ବାଚସ୍ପତି ଡ. ପାତ୍ର କହିଥିଲେ।

ବିଧାୟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଧାନ ସୌଧକୁ ସାନିଟାଇଜ୍‌ କରାଯିବା ସହ ଷୋଡଶ ବିଧାନସଭାର ତୃତୀୟ ଅଧିବେଶନ (ବଜେଟ୍‌ ଅଧିବେଶନ) ଲୋକସେବା ଭବନର ସମ୍ମେଳନ କକ୍ଷରେ ମାର୍ଚ୍ଚ ୩୦ ତାରିଖରେ ଅନୁଷ୍ଠିତ ହୋଇଛି ଓ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍‌ ଜରିଆରେ ବାଚନିକ ଭୋଟରେ ପାରିତ ହୋଇଛି ବୋଲି ବାଚସ୍ପତି ଡ. ପାତ୍ର ପ୍ରକାଶ କରିଥିଲେ।

ଲୋକସଭା ବାଚସ୍ପତି ଶ୍ରୀ ବିର୍ଲାଙ୍କ ପରାମର୍ଶ କ୍ରମେ ଓଡ଼ିଶା ବିଧାନସଭାରେ ଏକ ନିୟନ୍ତ୍ରଣ କକ୍ଷ ଯଥାଶୀଘ୍ର ସ୍ଥାପନ କରାଯିବ। ନିଜ ନିର୍ବାଚନ ମଣ୍ଡଳୀର ଲୋକମାନେ ଅନ୍ୟ ରାଜ୍ୟରେ ଅସୁବିଧାରେ ଥିଲେ ସେମାନଙ୍କ ସବିଶେଷ ବିବରଣୀ ବିଧାୟକ/ବିଧାୟିକାମାନେ ଏହି କକ୍ଷକୁ ପ୍ରଦାନ କଲେ ବିଧାନସଭା ପକ୍ଷରୁ ଏହି ସୂଚନା ଲୋକସଭା ବାଚସ୍ପତି, ସଂପୃକ୍ତ ରାଜ୍ୟର ବାଚସ୍ପତି ଓ ସରକାରଙ୍କ ଦୃଷ୍ଟିକୁ ଅଣାଯିବ, ଯଦ୍ଦ୍ୱାରା ଏହି ସମସ୍ୟାର ସମାଧାନ ସହଜ ହେବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଧାନସଭା ପରିସରରେ ପାନ, ଗୁଟଖା, ସୁପାରି ଆଦି ସେବନ କରି ଛେପ ପକାଇଲେ ଆର୍ଥିକ ଜରିମାନା ଆଦାୟ ହେବ । ୨୦ ତାରିଖଠାରୁ ସମସ୍ତ ଗ୍ରୁପ୍‌-ଏ ଅଧିକାରୀ ଏବଂ ଗ୍ରୁପ୍‌-ବି, ସି, ଡି ବର୍ଗର ୫୦ ପ୍ରତିଶତ ଅଧିକାରୀ/କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପାଇଁ ଓଡ଼ିଶା ବିଧାନସଭା ପକ୍ଷରୁ ଆଦେଶନାମା ପ୍ରକାଶ ପାଇଛି । ଏହି ଭିଡ଼ିଓ କନ୍‌ଫରେନ୍‌ସିଂବେଳେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ଏନ୍‌ଆଇସିର ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ପ୍ରତିଭା ସିଂ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ସରିତା ସାହୁ, ବୈଷୟିକ ନିର୍ଦ୍ଦେଶକ ଅଶୋକ କୁମାର ବେହେରା ଓ ବିଧାନସଭାର ଯୁଗ୍ମ ସଚିବ ସରୋଜ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।