Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅବୈଧ ସମ୍ପର୍କକୁ ନେଇ ପୁରୁଷ ଓ ମହିଳାଙ୍କୁ ଲଣ୍ଡା: ତିନି ଜଣ ଗିରଫ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମେନପୁରୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସମାନ ସମ୍ପ୍ରଦାୟର ଜଣେ ଦଳିତ ବିଧବା ଏବଂ ଜଣେ ପୁରୁଷଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଭୟଙ୍କୁ ଧରି ଲଜ୍ଜିତ କରାଯାଇଥିଲା। ଶୁକ୍ରବାର ରାତିରେ ନାଗଲା ଗୁରୁବାକ୍ ଗ୍ରାମରେ ଏହି ଘଟଣା ଘଟିଛି।

ଉଭୟଙ୍କୁ ସର୍ବସାଧାରଣ ଆଗରେ ଲଣ୍ଡା କରିବା ସହିତ, ସେମାନଙ୍କ ମୁହଁକୁ କଳା କରାଯାଇଥିଲା। ସେମାନଙ୍କୁ ଜୋତାର ମାଳ ପିନ୍ଧାଇ ଅପମାନିତ କରାଯିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା।

ପୀଡିତାଙ୍କ ମଧ୍ୟରୁ ଜଣେ ଦେଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ଶନିବାର ଦିନ ତିନି ଜଣଙ୍କୁ ଗିରଫ କରିଛି। ମେନପୁରୀ ପୋଲିସ ଅଧୀକ୍ଷକ ଅଜୟ କୁମାର କହିଛନ୍ତି ଯେ ଆଇପିସି ଧାରା ୪୯୯ ଏବଂ ୫୦୦, ୨୬୯ ଏବଂ ୨୭୦ ଅନୁଯାୟୀ ୧୦ ଜଣ ଅଜଣା ମହିଳାଙ୍କ ସମେତ ୧୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅବଶିଷ୍ଟ ଅଭିଯୁକ୍ତଙ୍କ ପାଇଁ ଖୋଜାଖୋଜି ଚାଲିଥିବା ସେ କହିଛନ୍ତି।

ଗତ ତିନି ବର୍ଷ ଧରି ଏହି ଯୋଡିଙ୍କର ସମ୍ପର୍କ ଥିବା ସ୍ଥାନୀୟ ଲୋକ ଦାବି କରିଛନ୍ତି। (ଏଜେନ୍ସି)