ଦ ଡ୍ୟୁକ୍ ଅଫ କେମ୍ବ୍ରିଜ୍ ତଥା ବ୍ରିଟେନ୍ ରାଜବଂଶର ଦାୟାଦ ପ୍ରିନ୍ସ ଓ୍ବିଲିୟମ୍ ନ୍ୟୁଜିଲ୍ୟାଣ୍ଡର କ୍ରିଷ୍ଟଚର୍ଚ୍ଚ ଗସ୍ତରେ ଯିବେ। ଏହି ଗସ୍ତରେ କ୍ରିଷ୍ଟଚର୍ଚ୍ଚ ଆକ୍ରମଣରେ ଶହିଦ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ବୋଲି ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ୍ ଗୁରୁବାର ପ୍ରକାଶ କରିଛନ୍ତି। ପ୍ରିନ୍ସ ଓ୍ବିଲିୟମ୍ଙ୍କ ଏହି ଗସ୍ତ ନେଇ ଆର୍ଡେନ୍ କହିଛନ୍ତି ‘ କିଛି ସପ୍ତାହ ପୂର୍ବରୁ ଏକ ବର୍ବର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ନ୍ୟୁଜିଲ୍ୟାଣ୍ଡର ଶହୀଦ ମାନଙ୍କ ପାଇଁ ରାଜକୁମାର ସମୟ ବାହାର କରିଥିବାରୁ ମୁଁ ରାଜକୁମାରଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି’। ଏ ନେଇ ପ୍ରିନ୍ସଙ୍କ ବାସଭବନ କେନିଙ୍ଗଟନ୍ ପ୍ୟାଲେସ୍ ପକ୍ଷରୁ ମଧ୍ୟ ସମାନ ଖବର ପ୍ରକାଶ ପାଇଛି। ଏହି ଗସ୍ତରେ ଓ୍ବିଲିୟମ୍ଙ୍କ ପତ୍ନୀ କ୍ୟାଥେରିନ୍ ଏବଂ ସନ୍ତାନମାନେ ଯୋଗ ଦେବେକି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ପ୍ରିନ୍ସ ଓ୍ବିଲିୟମ୍ଙ୍କ ନ୍ୟୁଜିଲ୍ୟାଣ୍ଡ ସହିତ ସମ୍ପର୍କ ବହୁତ ପୁରାତନ। ୨୦୧୧ ଭୂକମ୍ପ ସମୟରେ ମଧ୍ୟ ସେ କ୍ରିଷ୍ଟଚର୍ଚ୍ଚ ଗସ୍ତ କରିଥିଲେ। ଏହାପରେ ପତ୍ନୀ ଓ ତିନି ସନ୍ତାନଙ୍କ ସହିତ ଶେଷଥର ପାଇଁ ୨୦୧୪ରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲେ।
