ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର “ମନ୍ କି ବାତ୍” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍” କାର୍ଯ୍ୟକ୍ରମର ଏହା ଥିଲା ୯୩ ତମ ସଂସ୍କରଣ। ଆଜିର ଏହି ସଂସ୍କରଣରେ ପ୍ରଧାନମନ୍ତ୍ରୀ ଭାରତକୁ ଆସିଥିବା ଚିତାକୁ ନେଇ ଆଲୋକପାତ କରିଥିବା ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଜିର “ମନ୍ କି ବାତ୍” କାର୍ଯ୍ୟକ୍ରମରେ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବିଷୟରେ….
ପ୍ରଧାନମନ୍ତ୍ରୀ ତାଙ୍କ ଅବିଭାଷଣରେ ଚିତାକୁ ନେଇ ପ୍ରଥମେ କହିଥିଲେ ଯେ, ବିଗତ ଦିନରେ ଯେଉଁ କଥା ଆମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ତାହା ହେଲା ଚିତା। ଚିତା ଉପରେ କଥା ହେବା ପାଇଁ ବହୁତ ଗୁଡ଼ିଏ ଆସିଛି। ଉତ୍ତରପ୍ରଦେଶର ଅରୁଣ କୁମାର ଗୁପ୍ତା ହୁଅନ୍ତୁ କି ତେଲଙ୍ଗାନାର ଏନ୍.ରାମଚନ୍ଦ୍ରନ ରଘୁରାମ୍ ଜୀ, ଗୁଜରାଟର ରାଜନ୍ ଜୀ ହୋଇଥାଆନ୍ତୁ କିମ୍ବା ଦିଲ୍ଲୀର ସୁବ୍ରତ୍ ଜୀ। ଦେଶର କୋଣ ଅନୁକୋଣରୁ ଲୋକେ ଚିତା ଭାରତକୁ ଫେରିବା ନେଇ ଆନନ୍ଦ ପ୍ରକାଶ କରିଛନ୍ତି। ୧୩୦ କୋଟି ଭାରତବାସୀ ଆନନ୍ଦିତ, ଗର୍ବିତ। ଏହାହିଁ ହେଉଛି ଭାରତର ପ୍ରକୃତି ପ୍ରେମ। ଏ ବିଷୟରେ ଲୋକଙ୍କର ଗୋଟିଏ ହିଁ ପ୍ରଶ୍ନ, ମୋଦିଜୀ ଆମକୁ ଚିତା ଦେଖିବାର ସୁଯୋଗ କେବେ ମିଳିବ?
ଗୋଟିଏ ଟାସ୍କ ଫୋର୍ସ ଗଠିତ ହୋଇଛି। ଏହି ଟାସ୍କ ଫୋର୍ସ ଚିତାମାନଙ୍କ ଉପରେ ଦୃଷ୍ଟି ରଖିବ ଏବଂ ଏଠାକାର ପରିବେଶରେ ଏମାନେ କେତେ ମାତ୍ରାରେ ନିଜକୁ ଖାପ ଖୁଆଇ ପାରିଛନ୍ତି, ତାହା ତଦାରଖ କରିବ। ଏହାକୁ ଭିତ୍ତି କରି କିଛି ମାସ ପରେ କିଛି ନିଷ୍ପତି ଗ୍ରହଣ କରାଯିବ । ତା ପରେ ହିଁ ଆପଣ ଚିତାମାନଙ୍କୁ ଦେଖିପାରିବେ। କିନ୍ତୁ ସେ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କୁ କିଛି କାମ ଦେଉଛି, ଏଥିପାଇଁ ମାଇ ଗଭ୍ ପ୍ଲାଟଫର୍ମରେ ଗୋଟିଏ ପ୍ରତିଯୋଗୀତାର ଆୟୋଜନ କରାଯିବ, ଯେଉଁଥିରେ କିଛି କଥା ଶେୟାର କରିବା ପାଇଁ ମୁଁ ଜନସାଧାରଣଙ୍କୁ ଅନୁରୋଧ କରୁଛି। ଚିତାମାନଙ୍କୁ ନେଇ ଆମେ ଯେଉଁ ଅଭିଯାନ ଚଳାଉଛୁଁ, ସେହି ଅଭିଯାନର ନାମ କଣ ହେବା ଉଚିତ? ଏହି ଚିତାମାନଙ୍କର ପ୍ରତ୍ୟେକଙ୍କର ନାମକରଣ କରାଯିବା ଉଚିତ କି ? ଏମାନଙ୍କ ନାମ କଣ ରଖାଯାଇପାରେ ? ଅବଶ୍ୟ, ଏହି ନାଁ ଗୁଡ଼ିକ ପାରମ୍ପାରିକ ହେଲେ ବହୁତ ଭଲ ହୁଅନ୍ତା। କାରଣ, ଆମ ସମାଜ ଓ ସଂସ୍କୃତି, ପରମ୍ପରା ଓ ଐତିହ ସହ ଜଡ଼ିତ ବସ୍ତୁଗୁଡ଼ିକ ଆମକୁ ସହଜରେ ନିଜ ଆଡ଼କୁ ଆକର୍ଷିତ କରିଥାଏ। କେବଳ ସେତିକି ନୁହେଁ, ଆପଣମାନେ ଏ କଥା ମଧ୍ୟ ଜଣାନ୍ତୁ ଯେ, ମଣିଷ ପଶୁମାନଙ୍କ ସହ କିଭଳି ବ୍ୟବହାର କରିବା ଉଚିତ? ଆମର ମୌଳିକ କର୍ତ୍ତବ୍ୟରେ ମଧ୍ୟ ପ୍ରାଣୀମାନଙ୍କ ପ୍ରତି ସମ୍ମାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରତିଯୋଗୀତାରେ ନିଶ୍ଚିତ ଭାବେ ଅଂଶଗ୍ରହଣ କରିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ। କିଏ ଜାଣେ, ପୁରସ୍କାର ରୂପେ ଚିତାଙ୍କୁ ଦେଖିବାର ପ୍ରଥମ ସୁଯୋଗ ଆପଣଙ୍କୁ ହିଁ ମିଳିଯାଇପାରେ!
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜିଠାରୁ ତିନି ଦିନ ପରେ ଅର୍ଥାତ ସେପ୍ଟେମ୍ବର ୨୮ ତାରିଖ ଦିନ ଅମୃତ ମହୋତ୍ସବର ଗୋଟିଏ ବିଶେଷ ଦିନ ପଡ଼ୁଛି। ସେହି ଦିନ ଆମେ ଭାରତମାତାଙ୍କ ବୀର ସୁପୁତ୍ର ଭଗତ ସିଂହଙ୍କ ଜନ୍ମଦିନ ପାଳନ କରିବା। ଭଗତ ସିଂହଙ୍କ ଜନ୍ମଦିନର ଠିକ ପୂର୍ବରୁ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ରୂପେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ଏ କଥା ସ୍ଥିର କରାଯାଇଛି ଯେ, ଚଣ୍ଡିଗଡ଼ ବିମାନ ବନ୍ଦରର ନାମ ଏବେ ଶହୀଦ ଭଗତ ସିଂହଙ୍କ ନାମାନୁସାରେ ହେବ। ଦୀର୍ଘ ଦିନ ଧରି ଏହା ପ୍ରତୀକ୍ଷିତ ଥିଲା। ମୁଁ ଚଣ୍ଡିଗଡ଼, ପଞ୍ଜାବ, ହରିଆନା ସମେତ ଦେଶର ସମସ୍ତ ଜନସାଧାରଣଙ୍କୁ ଏହି ନିଷ୍ପତି ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି।
ଆମେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଠାରୁ ପ୍ରେରଣା ଗ୍ରହଣ କରି, ସେମାନଙ୍କ ଆଦର୍ଶକୁ ଅନୁସରଣ କରି ସେମାନଙ୍କ ସ୍ୱପ୍ନର ଭାରତ ଗଢ଼ିବା, ତାହାହିଁ ସେମାନଙ୍କ ପ୍ରତି ହେବ ଆମ ଶ୍ରଦ୍ଧାଞ୍ଜଳୀ। ଶହିଦମାନଙ୍କ ସ୍ମୃତିସ୍ଥଳ, ସେମାନଙ୍କ ନାମାନୁସାରେ ସ୍ଥାନ ଓ ସଂସ୍ଥାଗୁଡ଼ିକର ନାମ ଆମକୁ କର୍ତ୍ତବ୍ୟ ପାଇଁ ପ୍ରେରଣା ଯୋଗାଇଥାଏ। ମାତ୍ର କିଛି ଦିନ ତଳେ ଦେଶ, କର୍ତ୍ତବ୍ୟପଥ ଉପରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ମୁର୍ତ୍ତୀ ପ୍ରତିଷ୍ଠା ମାଧ୍ୟମରେ ଏଭଳି ଏକ ପ୍ରୟାସ କରିଛି । ଆଉ ଏବେ, ଶହିଦ୍ ଭଗତ ସିଂହଙ୍କ ନାମାନୁସାରେ ଚଣ୍ଡିଗଡ଼ ବିମାନ ବନ୍ଦରର ନାମ ଏହି ଦିଗରେ ଆଉ ଏକ ପଦକ୍ଷେପ । ମୁଁ ଚାହେଁ ଅମୃତ ମହୋତ୍ସବରେ ଆମେ ଯେଉଁଭଳି ଭାବେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହିତ ଜଡ଼ିତ ହୋଇ ବିଶେଷ ଅବସରକୁ ଯେମିତି ପାଳନ କରୁଛୁ, ଠିକ ସେହିଭଳି ସେପ୍ଟେମ୍ବର ୨୮ ତାରିଖ ଦିନ ମଧ୍ୟ ଦେଶର ଯୁବବର୍ଗ କିଛି ନୂତନ ପ୍ରଚେଷ୍ଟା ନିଶ୍ଚୟ କରନ୍ତୁ।
ମୋଦୀ କହିଛନ୍ତି ଯେ, ଅବଶ୍ୟ ଆପଣ ସମସ୍ତଙ୍କ ପାଖରେ ସେପ୍ଟେମ୍ବର ୨୮ ତାରିଖକୁ ପାଳନ କରିବାର ଆଉ ଗୋଟିଏ ବାହାନା ରହିଛି । ଜାଣିଛନ୍ତି, ତାହା କ’ଣ? ମୁଁ କେବଳ ଦୁଇ ପଦ କହିବି, କିନ୍ତୁ ମୁଁ ଜାଣିଛି ଯେ, ଆପଣମାନଙ୍କ ଉତ୍ସାହ ଆହୁରି ଚାରିଗୁଣ ବଢ଼ିଯିବ। ଏହି ଦୁଇଟି ଶବ୍ଦ ହେଲା ସର୍ଜିକାଲ୍ ଷ୍ଟ୍ରାଇକ୍। କ’ଣ? ବଢ଼ିଗଲା ନା ଉତ୍ସାହ ? ଆମ ଦେଶରେ ଚାଲିଥିବା ଅମୃତ ମହୋତ୍ସବ ଅଭିଯାନକୁ ଆମେ ସମ୍ପୂର୍ଣ୍ଣ ମନଧ୍ୟାନ ଦେଇ ପାଳନ କରିବା, ଆମ ଖୁସିକୁ ସମସ୍ତଙ୍କ ସହ ବାଣ୍ଟିବା।
ଜୀବନର ସଂଘର୍ଷ ଦେଇ ଗତି କରିଥିବା ବ୍ୟକ୍ତି ଆଗରେ କୌଣସି ବାଧା ତିଷ୍ଠି ପାରେନି। ନିଜର ଦୈନନ୍ଦିନ ଜୀବନରେ ଆମେ ଏଭଳି କିଛି ବନ୍ଧୁମାନଙ୍କୁ ଦେଖିଥାଉ, ଯିଏ କିଛି ନା କିଛି ଶାରୀରିକ ଆହ୍ୱାନ ସହ ସଂଗ୍ରାମ କରୁଥାଆନ୍ତି। ଏଭଳି ଅନେକ ଲୋକ ମଧ୍ୟ ରହିଛନ୍ତି, ଯେଉଁମାନଙ୍କ ଶ୍ରବଣ ଶକ୍ତି ନାହିଁ କିମ୍ବା ନିଜ କଥାକୁ ସେମାନେ ଭାଷାରେ ପ୍ରକାଶ କରିପାରନ୍ତିନି। ଏଭଳି ବନ୍ଧୁମାନଙ୍କ ପାଇଁ ସବୁଠାରୁ ବଡ଼ ସମ୍ବଳ ହେଉଛି ସାଙ୍କେତିକ ଭାଷା। କିନ୍ତୁ ଭାରତରେ ଅନେକ ବର୍ଷ ଧରି ଏହି ଅସୁବିଧା ରହିଥିଲା ଯେ, ସାଙ୍କେତିକ ଭାଷା ପାଇଁ କୌଣସି ସ୍ପଷ୍ଟ ଭାବଭଙ୍ଗୀ ନିର୍ଦ୍ଧାରିତ ହୋଇ ନ ଥିଲା, ମାନକ (ଷ୍ଟାଣ୍ଡାର୍ଡ଼) ନ ଥିଲା। ଏହି ଅସୁବିଧାକୁ ଦୂର କରିବା ପାଇଁ ହିଁ ବର୍ଷ ୨୦୧୫ରେ ଭାରତୀୟ ସାଙ୍କେତିକ ଭାଷା ଗବେଷଣା ଓ ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ଏହି ସଂସ୍ଥା ଏ ଯାବତ ଦଶ ହଜାର ଶବ୍ଦ ଏବଂ ଅଭିବ୍ୟକ୍ତିର ଅଭିଧାନ ପ୍ରସ୍ତୁତ କରିସାରିଥିବାରୁ ମୁଁ ଆନନ୍ଦିତ। ଦୁଇ ଦିନ ପୂର୍ବେ ଅର୍ଥାତ ସେପ୍ଟେମ୍ବର ୨୩ ତାରିଖ ଦିନ ସାଙ୍କେତିକ ଭାଷା ଦିବସରେ ଅନେକ ବିଦ୍ୟାଳୟ ପାଠ୍ୟକ୍ରମକୁ ମଧ୍ୟ ସାଙ୍କେତିକ ଭାଷାରେ ଆରମ୍ଭ କରାଯାଇଛି। ସାଙ୍କେତିକ ଭାଷାର ସ୍ଥିରୀକୃତ ମାନକକୁ ବଜାୟ ରଖିବା ପାଇଁ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ବହୁତ ଗୁରୁତ୍ୱ ଦିଆଯାଛି। ସାଙ୍କେତିକ ଭାଷାର ଯେଉଁ ଅଭିଧାନ ତିଆରି ହୋଇଛି, ତାହାର ଭିଡିଓ ପ୍ରସ୍ତୁତ କରି ମଧ୍ୟ ଏହାକୁ ପ୍ରଚାର କରାଯାଉଛି। ୟୁ-ଟ୍ୟୁବରେ ଅନେକ ବ୍ୟକ୍ତିବିଶେଷ ଓ ସଂସ୍ଥାମାନେ ଭାରତୀୟ ସାଙ୍କେତିକ ଭାଷାରେ ନିଜର ଚ୍ୟାନେଲ ଆରମ୍ଭ କରିଦେଇଛନ୍ତି। ଅର୍ଥାତ, ସାତ ଆଠ ବର୍ଷ ପୂର୍ବେ ସାଙ୍କେତିକ ଭାଷାକୁ ନେଇ ଦେଶରେ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା, ଏବେ ଏହାର ଲାଭ ମୋର ଲକ୍ଷ ଲକ୍ଷ ଦିବ୍ୟାଙ୍ଗ ଭାଇ-ଭଉଣୀ ମାନଙ୍କୁ ମିଳିବାରେ ଲାଗିଛି। ହରିଆନାରେ ରହୁଥିବା ପୂଜା ତ ଭାରତୀୟ ସାଙ୍କେତିକ ଭାଷାକୁ ନେଇ ବିଶେଷ ଖୁସି। ଆଗରୁ ସେ ନିଜ ପୁଅ ସହ କଥାବାର୍ତ୍ତା କରିପାରୁ ନଥିଲେ । କିନ୍ତୁ, ୨୦୧୮ରେ ସାଙ୍କେତିକ ଭାଷାର ତାଲିମ ନେବା ପରେ ମା-ପୁଅ ଉଭୟଙ୍କ ଜୀବନ ସହଜ ହୋଇଯାଇଛି । ପୂଜାଙ୍କ ପୁଅ ମଧ୍ୟ ସାଙ୍କେତିକ ଭାଷା ଶିଖିଲେ ଏବଂ ନିଜ ବିଦ୍ୟାଳୟରେ ସେ ଷ୍ଟୋରୀ ଟେଲିଂରେ ପୁରସ୍କାର ହାସଲ କରି ମଧ୍ୟ ଦେଖାଇଦେଲେ। ସେହିଭଳି, ଟିଙ୍କାଜୀଙ୍କ ୬ ବର୍ଷର ଝିଅଟିଏ ଅଛି, ଯିଏ ଶୁଣିପାରୁ ନାହିଁ। ଟିଙ୍କାଜୀ ନିଜ ଝିଅକୁ ସାଙ୍କେତିକ ଭାଷାର କୋର୍ସ କରାଇଥିଲେ। କିନ୍ତୁ ତାଙ୍କୁ ନିଜକୁ ସାଙ୍କେତିକ ଭାଷା ଜଣା ନ ଥିଲା। ତେଣୁ ସେ ନିଜ ଝିଅ ସହ ଭାବ-ବିନିମୟ କରିପାରୁନଥିଲେ। ଏବେ ଟିଙ୍କାଜୀ ମଧ୍ୟ ସାଙ୍କେତିକ ଭାଷାର ତାଲିମ ଗ୍ରହଣ କରିଛନ୍ତି। ବର୍ତ୍ତମାନ ମା-ଝିଅ ପରସ୍ପର ମଧ୍ୟରେ ବହୁତ କଥା ହେଉଛନ୍ତି। ଏହି ପ୍ରଚେଷ୍ଟାର ଏକ ବଡ଼ ଲାଭ କେରଳର ମଞ୍ଜୁ ମଧ୍ୟ ପାଇଛନ୍ତି। ମଞ୍ଜୁ ଜନ୍ମରୁ ହିଁ ଶ୍ରବଣ ଶକ୍ତିହୀନ ଥିଲେ। କେବଳ ସେତିକି ନୁହେଁ, ତାଙ୍କ ପିତା-ମାତାଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ସ୍ଥିତି ଥିଲା। ଏଭଳି ପରିସ୍ଥିତିରେ ସାଙ୍କେତିକ ଭାଷା ହିଁ ସାରା ପରିବାର ପାଇଁ ଭାବ-ବିନିମୟର ମାଧ୍ୟମ ହୋଇପାରିଛି। ଏବେ ତ ମଞ୍ଜୁ ନିଜେ ସାଙ୍କେତିକ ଭାଷାର ଶିକ୍ଷକ ହେବା ପାଇଁ ନିଷ୍ପତି ଗ୍ରହଣ କରିସାରିଛନ୍ତି।
ମୁଁ ଏ ସମ୍ପର୍କରେ ‘ମନ୍ କୀ ବାତ୍’ରେ ଏଥିପାଇଁ ମଧ୍ୟ ଚର୍ଚ୍ଚା କରୁଛି, ଯେପରକି ଭାରତୀୟ ସାଙ୍କେତିକ ଭାଷାକୁ ନେଇ ସଚେତନତା ବଢ଼ୁ। ଏଥିରୁ ଆମେ ଆମର ଦିବ୍ୟାଙ୍ଗ ବନ୍ଧୁମାନଙ୍କୁ ଅଧିକରୁ ଅଧିକ ସାହାଯ୍ୟ କରିପାରିବା। ଭାଇ ଓ ଭଉଣୀମାନେ, କିଛିଦିନ ପୂର୍ବରୁ ମୋତେ ବ୍ରେଲରେ ଲେଖାହୋଇଥିବା ହେମକୋଷର ଏକ Copy ମଧ୍ୟ ମିଳିଛି। ହେମକୋଷ ଅସମିୟା ଭାଷାର ସବୁଠୁ ପୁରୁଣା ଶବ୍ଦକୋଷ ମଧ୍ୟରୁ ଅନ୍ୟତମ। ଏହା ଊନବିଂଶ ଶତାବ୍ଦୀରେ ପ୍ରସ୍ତୁତ କରାଯାଇଥିଲା । ଏହାର ସମ୍ପାଦନା କରିଥିଲେ ପ୍ରଖ୍ୟାତ ଭାଷାବିତ୍ ହେମଚନ୍ଦ୍ର ବରୁଆ। ହେମକୋଷର ବ୍ରେଲ୍ ସଂସ୍କରଣ ପ୍ରାୟ ୧୦ ହଜାର ପୃଷ୍ଠାର ଏବଂ ଏହା ୧୫ରୁ ଅଧିକ ଖଣ୍ଡରେ ପ୍ରକାଶିତ ହେବାକୁ ଯାଉଛି। ଏଥିରେ ୧ ଲକ୍ଷରୁ ମଧ୍ୟ ଅଧିକ ଶବ୍ଦର ଅନୁବାଦ କରାଯିବ । ମୁଁ ଏହି ସମ୍ବେଦନଶୀଳ ପ୍ରୟାସର ବହୁତ ପ୍ରଶଂସା କରୁଛି। ଏହିଭଳି ପ୍ରତ୍ୟେକ ପ୍ରୟାସ ଦିବ୍ୟାଙ୍ଗ ବନ୍ଧୁମାନଙ୍କର କୌଶଳ ଓ ସାମର୍ଥ୍ୟ ବଢ଼ାଇବାରେ ବହୁତ ସାହାଯ୍ୟ କରିଥାଏ । ଆଜି ଭାରତ ପାରାସ୍ପୋର୍ଟସରେ ମଧ୍ୟ ସଫଳତାର ବାନା ଉଡ଼ାଉଛି। ଆମେ ସମସ୍ତେ ଅନେକ ପ୍ରତିଯୋଗିତାରେ ଏହାର ସାକ୍ଷୀ ରହିଛୁ । ଆଜି ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ଫିଟନେସ୍ ସଂସ୍କୃତିକୁ ତୃଣମୂଳ ସ୍ତରରେ ଆଗକୁ ନେବା କାମରେ ଲାଗିପଡ଼ିଛନ୍ତି। ଏହାଦ୍ୱାରା ଦିବ୍ୟାଙ୍ଗମାନଙ୍କ ଆତ୍ମବିଶ୍ୱାସକୁ ବହୁତ ଶକ୍ତି ମିଳିଥାଏ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିଗତ ବର୍ଷଗୁଡ଼ିକରେ ଆମର ପର୍ବଗୁଡ଼ିକ ସାଥିରେ ଦେଶର ଏକ ନୂଆ ସଂକଳ୍ପ ଯୋଡ଼ି ହୋଇଯାଇଛି । ଆପଣମାନେ ଜାଣନ୍ତି ଯେ ଏହି ସଂକଳ୍ପଟି ହେଉଛି ‘Vocal for Local’ । ଏବେ ଆମେ ଉତ୍ସବଗୁଡ଼ିକର ଆନନ୍ଦରେ ଆମ ଅଂଚଳର କାରିଗର, ଶିଳ୍ପୀ ଏବଂ ବ୍ୟବସାୟୀମାନଙ୍କୁ ମଧ୍ୟ ସହଭାଗୀ କରୁଛେ । ଆସନ୍ତା ୨ ଅକ୍ଟୋବର ଗାନ୍ଧୀଜୟନ୍ତୀ ଅବସରରେ ଆମେ ଏହି ଅଭିଯାନକୁ ଆହୁରି ଆଗେଇ ନେବାକୁ ସଂକଳ୍ପ କରିବା । ଖଦି, ହ୍ୟାଣ୍ଡଲୁମ୍, Handicraft ଏ ସମସ୍ତ ଉତ୍ପାଦ ସହିତ ସ୍ଥାନୀୟ ଜିନିଷଗୁଡ଼ିକୁ ନିଶ୍ଚୟ କିଣନ୍ତୁ । ଏହି ଉତ୍ସବର ବାସ୍ତବ ଆନନ୍ଦ ସେତେବେଳେ ମିଳିବ ଯେତେବେଳେ ପ୍ରତ୍ୟେକ ଲୋକ ଏଥିରେ ଭାଗୀଦାର ହୋଇପାରିବେ । ସେଥିପାଇଁ ସ୍ଥାନୀୟ ଉତ୍ପାଦଗୁଡ଼ିକରେ କାମ କରୁଥିବା ଲୋକମାନଙ୍କୁ ଆମେ ସମର୍ଥନ କରିବା ଉଚିତ । ଗୋଟିଏ ଭଲ ଉପାୟ ହେଲା, ଆମେ ଯାହା ଉପହାର ଦେବା ସେଥିରେ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ସ୍ଥାନ ଦେବା ।
ବର୍ତ୍ତମାନ ଏ ଅଭିଯାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ – ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ଆମେ ଆତ୍ମନିର୍ଭର ଭାରତର ଲକ୍ଷ୍ୟନେଇ ମଧ୍ୟ ଆଗେଇ ଚାଲିଛୁ ଯାହା ବାସ୍ତବରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ । ଏଥିପାଇଁ ଆପଣମାନଙ୍କୁ ନିବେଦନ କରୁଛି କି ଏଥର ଆପଣମାନେ ଖଦି, ହ୍ୟାଣ୍ଡଲୁମ୍, ହ୍ୟାଣ୍ଡିକ୍ରାଫ୍ଟ ଜିନିଷଗୁଡ଼ିକୁ କିଣିବାରେ ସବୁ ରେକର୍ଡ ଭାଙ୍ଗିଦିଅନ୍ତୁ । ମୁଁ ଦେଖିଛି ଯେ ଉତ୍ସବଗୁଡ଼ିକ ସମୟରେ ପ୍ୟାକିଂ ଏବଂ ପ୍ୟାକେଜିଂ ପାଇଁ ପଲିଥିନ୍ ବ୍ୟାଗଗୁଡ଼ିକର ବହୁଳ ବ୍ୟବହାର ହୋଇଥାଏ । ସ୍ୱଚ୍ଛତାର ଉତ୍ସବରେ ପଲିଥିନ୍ ଭଳି ହାନିକାରକ ଆବର୍ଜନା ଆମ ଉତ୍ସବ ଭାବନାର ବିରୁଦ୍ଧାଚରଣ କରେ । ତେଣୁ ଆମେମାନେ ସ୍ଥାନୀୟ ଅଂଚଳରେ ତିଆରି ହେଉଥିବା Non Plastic ବ୍ୟାଗଗୁଡ଼ିକ ବ୍ୟବହାର କରିବା ଉଚିତ । ଆମ ଅଂଚଳରେ ଝୋଟରୁ, ସୂତାରୁ, କଦଳୀଗଛରୁ ଏମିତି ଅନେକ ପାରମ୍ପରିକ ବ୍ୟାଗଗୁଡ଼ିକର ପ୍ରଚଳନ ବଢ଼ିବାରେ ଲାଗିଲାଣି । ଆମେମାନେ ପର୍ବପର୍ବାଣୀ ସମୟରେ ଏଗୁଡ଼ିକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶ ସଙ୍ଗେ ସଙ୍ଗେ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ହେଉଛି ଆମର ଦାୟିତ୍ୱ ।
ଆମ ଶାସ୍ତ୍ରରେ କୁହାଯାଇଛି ଯେ – ‘ପର୍ ହିତ ସରିସ ଧର୍ମ ନେହିଁ ଭାଇ’ ଅର୍ଥାତ ଅନ୍ୟମାନଙ୍କର କଲ୍ୟାଣ କରିବା, ଅନ୍ୟମାନଙ୍କର ସେବା ବା ଉପକାର ଭଳି କୌଣସି ଧର୍ମ ନାହିଁ । ବିଗତ ଦିନମାନଙ୍କରେ ସମାଜ ସେବାର ଏହି ଧାରଣାର ଗୋଟିଏ ଭିନ୍ନ ଉଦାହରଣ ଦେଖିବାକୁ ମିଳିଲା । ଆପଣ ମଧ୍ୟ ଦେଖିଥିବେ ଯେ ଲୋକମାନେ ଆଗେଇଆସି କୌଣସି ଟିବି ରୋଗୀକୁ ପୋଷ୍ୟ କରିନେଉଛନ୍ତି ତଥା ତା’ର ପୁଷ୍ଟିକର ଖାଦ୍ୟ ପାଇଁ ସମସ୍ତ ଦାୟିତ୍ୱ ନେଉଛନ୍ତି । ବାସ୍ତବରେ ଏହା ‘ଟିବି ମୁକ୍ତ ଭାରତ’ ଅଭିଯାନର ଏକ ଅଙ୍ଗ ଯାହାର ଆଧାର ହେଉଛି ଜନଭାଗିଦାରୀ ତଥା କର୍ତ୍ତବ୍ୟ ଭାବନା । ସଠିକ୍ ପୋଷଣ ଏବଂ ଠିକ୍ ସମୟରେ ଔଷଧ ବ୍ୟବହାର ଦ୍ୱାରା ଟିବି ରୋଗର ଚିକିତ୍ସା ସମ୍ଭବ । ମୋର ବିଶ୍ୱାସ ଯେ ଜନଭାଗିଦାରୀର ଏହି ଶକ୍ତି ଦ୍ୱାରା ଭାରତ ୨୦୨୫ ମସିହା ସୁଦ୍ଧା ଟିବିମୁକ୍ତ ହୋଇପାରିବ ।
କେନ୍ଦ୍ରଶାସିତ ଅଂଚଳ ଦାଦ୍ରା-ନଗରହାବେଲି ଏବଂ ଡାମନ୍ ଡିଉରୁ ମଧ୍ୟ ଏକ ଏହିଭଳି ଉଦାହରଣ ମିଳିଛି ଯାହା ମନକୁ ଛୁଇଁଯାଉଛି। ଏଠାକାର ଆଦିବାସୀ ଅଂଚଳରେ ରହୁଥିବା ଜିନୁ ରାଓତିଆ ଲେଖିଛନ୍ତି ଯେ ସେଠାରେ ଚାଲିଥିବା ଦତକ ଗ୍ରାମ କାର୍ଯ୍ୟକ୍ରମରେ ମେଡ଼ିକାଲ କଲେଜର ଛାତ୍ରମାନେ ୫୦ଟି ଗ୍ରାମକୁ ପୋଷ୍ୟଗ୍ରାମ ଭାବରେ ଗ୍ରହଣ କରିଛନ୍ତି। ଏହି ଗ୍ରାମଗୁଡ଼ିକ ମଧ୍ୟରେ ଜିନୁଜୀଙ୍କର ଗ୍ରାମ ମଧ୍ୟ ସାମିଲ ହୋଇଛି। ମେଡ଼ିକାଲ କଲେଜର ଏହି ଛାତ୍ରମାନେ ଗ୍ରାମର ଲୋକମାନଙ୍କୁ ରୋଗଠାରୁ ଦୂରେଇ ରହିବାକୁ ସଚେତନ କରୁଛନ୍ତି, ରୋଗ ହେଲେ ସହାୟତା କରୁଛନ୍ତି ତଥା ସରକାରୀ ଯୋଜନାଗୁଡ଼ିକ ବିଷୟରେ ସୂଚନା ମଧ୍ୟ ଦେଉଛନ୍ତି। ପରୋପକାରର ଏହି ଭାବନା ଗ୍ରାମବାସୀମାନଙ୍କ ମଧ୍ୟରେ ନୂତନ ଖୁସିର ସଂଚାର କରିଛି। ମୁଁ ଏଥିପାଇଁ ମେଡ଼ିକାଲ କଲେଜର ସବୁ ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଉଛି।