Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୫ ରେ ମତଦାନ: ଆଜିଠୁ ବୁଥକୁ ଗଲେ ପୋଲିଂ ଅଧିକାରୀ

ଖୋର୍ଦ୍ଧା: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ୨୫ ତାରିଖ ମତଦାନ ହେବ। ଆଜିଠାରୁ ପୋଲିଂ ଅଧିକାରୀ ବୁଥକୁ ଯାତ୍ରା କରିଛନ୍ତି। ଖୋର୍ଦ୍ଧା ଓ ବେଗୁନିଆ ପାଇଁ ଜିଲ୍ଲା ପଣ୍ୟାଗାର ଏବଂ ଚିଲିକା ପାଇଁ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା ଷ୍ଟଙ୍ଗରୁମ କରାଯାଇଛି। ଏଠାରୁ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀ ମାନେ ଇଭିଏମ ଓ ଭିଭିପାର୍ଟ ମେସିନ ଧରି ବୁଥରେ କଡା ସୁରକ୍ଷା ବଳୟରେ ପହଞ୍ଚିଛନ୍ତି ବୋଲି ବେଗୁନିଆ ରିଟର୍ଣ୍ଣି ଅଫିସର ବାଦଲ ମହାନ୍ତି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

୬ଟି ରାଜ୍ୟରେ ପ୍ରତ୍ୟକ୍ଷ ଭାବେ ମତଦାନ ପ୍ରକ୍ରିୟା ଦେଖିଲେ ୨୩ଟି ଦେଶର ୭୫ ଜଣ ପ୍ରତିନିଧି

ନୂଆଦିଲ୍ଲୀ: ଭାରତରେ ୨୦୨୪ ସାଧାରଣ ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ଦେଖିଥିବାରୁ ବିଭିନ୍ନ ଦେଶରୁ ଆସିଥିବା ଅନ୍ତର୍ଜାତୀୟ ପ୍ରତିନିଧିମାନେ ଖୁସି ବ୍ୟକ୍ତ କରିଛନ୍ତି। କେତେକ ପ୍ରତିନିଧି ନିର୍ବାଚନରେ ସ୍ୱଚ୍ଛତାକୁ ପ୍ରଶଂସା କରିଥିବା ବେଳେ ଅନ୍ୟମାନେ ଗ୍ରୀନ୍ ପୋଲିଂ ଷ୍ଟେସନ ଭଳି ନିର୍ବାଚନ ଆୟୋଗଙ୍କ ପଦକ୍ଷେପକୁ ପ୍ରେରଣାଦାୟକ ବୋଲି କହିଛନ୍ତି। ଇଭିଏମ-ଭିଭିପାଟ୍ ର ରେଣ୍ଡମାଇଜେସନ୍  ସମେତ ନିର୍ବାଚନରେ ଜ୍ଞାନକୌଶଳର ବ୍ୟାପକ ବ୍ୟବହାରକୁ ପ୍ରତିନିଧିମାନେ ପ୍ରଶଂସା କରିଥିଲେ। ଗଣତାନ୍ତ୍ରିକ ଆଦର୍ଶକୁ ସୁଦୃଢ଼ କରିବା ଦିଗରେ ଭାରତୀୟ ମତଦାତାଙ୍କ ଅତୁଟ ବିଶ୍ୱାସ ଓ ପ୍ରତିବଦ୍ଧତାକୁ ନେଇ ସେମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ବୋଲି କେତେକ ପ୍ରତିନିଧି କହିଛନ୍ତି। ମୋଟାମୋଟି ଭାବରେ,ଭାରତରେ ନିର୍ବାଚନ ପ୍ରକ୍ରିୟା ଏକ ଶାନ୍ତିପୂର୍ଣ୍ଣ, ସମାବେଶୀ,ସୁଲଭ ଏବଂ ଏକ ଉତ୍ସବମୁଖର ମନୋଭାବ ସହିତ ଅନୁଷ୍ଠିତ ହୁଏ ବୋଲି ଭାରତ ଗସ୍ତରେ ଆସିଥିବା ଏହି ଦେଶଗୁଡ଼ିକର ନିର୍ବାଚନ ପରିଚାଳନା ସମିତି ସଦସ୍ୟମାନେ ଏକମତ ହୋଇଥିଲେ।

ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (ଆଇଇଭିପି) ଅଧୀନରେ ନିକଟରେ ଶେଷ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭାରତର ସାଧାରଣ ନିର୍ବାଚନର ପ୍ରତ୍ୟକ୍ଷ ଅନୁଭବ କରିବା ପରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି।

ତୃତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରତିନିଧିମାନେ ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଦେଖିଥିଲେ, ଯେଉଁଥିରେ ବିଶ୍ୱସ୍ତରର ସବୁଠୁ ଅଧିକ ମଣିଷ ଓ ବ୍ୟବସ୍ଥାଗତ ଗତିବିଧି ଦେଖିବାକୁ ମିଳିଥିଲା।

ଆଇଇଭି ୨୦୨୪ର ତୃଣମୂଳସ୍ତରରେ ଅନୁଭୂତି

କର୍ଣ୍ଣାଟକ

କାମ୍ବୋଡିଆ, ଟ୍ୟୁନିସିଆ, ମୋଲଡୋଭା, ସେସେଲ୍ସ ଏବଂ ନେପାଳର ପ୍ରତିନିଧିମାନେ କର୍ଣ୍ଣାଟକର ବେଲଗାମ ସଂସଦୀୟ ନିର୍ବାଚନ ମଣ୍ଡଳୀ ଗସ୍ତ କରି ମତଦାନ କେନ୍ଦ୍ର ଭିତରେ ମତଦାନ ଅଧିକାରୀ ଓ ପ୍ରିଜାଇଡିଂ ଅଫିସରଙ୍କ ସହ ଆଲୋଚନା କରିଥିଲେ, ଛାୟା ମତଦାନ ବା ମକ୍ ପୋଲ୍ ଦେଖିଥିଲେ, କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ମିଡିଆ ମନିଟରିଂ ସୁବିଧା ପରିଦର୍ଶନ କରିଥିଲେ। ଛାୟା ମତଦାନ ବା ମକ୍ ପୋଲ୍, ମତଦାନ କେନ୍ଦ୍ର ଭିତରେ ପ୍ରାର୍ଥୀଙ୍କ ପ୍ରତିନିଧିଙ୍କ ଉପସ୍ଥିତି ଓ ସମ୍ପୃକ୍ତି ଯୋଗୁଁ ପ୍ରତିନିଧିମାନେ ସ୍ୱଚ୍ଛତାକୁ ପ୍ରଶଂସା କରିଥିଲେ।

ଗୋଆ

ଭୁଟାନ, ମଙ୍ଗୋଲିଆ ଏବଂ ଇସ୍ରାଏଲର ଏକ ଗଣମାଧ୍ୟମ ଟିମ୍ ଗୋଆର ଉଭୟ ନିର୍ବାଚନ ମଣ୍ଡଳୀରେ ମତଦାନ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଦେଖିଥିଲେ। ମକ୍ ପୋଲ୍, କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ମିଡିଆ ମନିଟରିଂ ସେଣ୍ଟର ଓ ଡେସପ୍ୟାଚ୍‌ସେଣ୍ଟର ସମ୍ପର୍କରେ ମଧ୍ୟ ସେମାନଙ୍କୁ ଅବଗତ କରାଯାଇଥିଲା। ଭୂଟାନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଭୁଟାନ ଓ ମଙ୍ଗୋଲିଆର ନିର୍ବାଚନ ଅଧିକାରୀମାନେ ନିର୍ବାଚନ ପରିଚାଳନାରେ ମତଦାନ କେନ୍ଦ୍ର ଭିତରେ ରାଜନୈତିକ ଦଳ, ଗଣମାଧ୍ୟମ, ପ୍ରାର୍ଥୀଙ୍କ ପ୍ରତିନିଧିଙ୍କୁ ସାମିଲ କରିବାରେ ସ୍ୱଚ୍ଛତାକୁ ପ୍ରଶଂସା କରିଥିଲେ। ଦିବ୍ୟାଙ୍ଗ ପୋଲିଂ ଷ୍ଟେସନ ଏବଂ ପିଙ୍କ ପୋଲିଂ ଷ୍ଟେସନକୁ ପରିଦର୍ଶନ କରି ପ୍ରତିନିଧିମାନେ ଏହାକୁ ପ୍ରଶଂସା କରିବା ସହଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

ପ୍ରତିନିଧିମାନେ ଇଭିଏମ୍-ଭିଭିପ୍ୟାଟର ରେଣ୍ଡମାଇଜେସନ୍ ପାଇଁ ସଫ୍ଟୱେରର ବ୍ୟବହାରକୁ ସେମାନେ ପ୍ରଶଂସା କରିଥିଲେ।

ମଧ୍ୟପ୍ରଦେଶ

ଶ୍ରୀଲଙ୍କା ଏବଂ ଫିଲିପାଇନ୍ସର ପ୍ରତିନିଧିଙ୍କୁ ନେଇ ଗଠିତ ଏକ ୧୧ ଜଣିଆ ଅନ୍ତର୍ଜାତୀୟ ଟିମ୍ ଭୋପାଳ, ବିଦିଶା, ସିହୋର ଏବଂ ରାଇସେନ ନିର୍ବାଚନ ମଣ୍ଡଳୀର ମତଦାନ କେନ୍ଦ୍ର ପରିଦର୍ଶନ କରି ଲୋକସଭା ନିର୍ବାଚନର ପ୍ରକ୍ରିୟା ସମ୍ପର୍କରେ ପ୍ରାଥମିକ ସୂଚନା ହାସଲ କରିଛନ୍ତି। ମତଦାତାଙ୍କ ସହ କଥାବାର୍ତ୍ତା କରି ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାରତୀୟ ନାଗରିକଙ୍କ ଉତ୍ସାହ ଓ ସକ୍ରିୟ ଅଂଶଗ୍ରହଣକୁ ଅନୁଭବ କରିଥିଲେ। ନିଜ ଅନୁଭୂତିକୁ ପ୍ରତିଫଳିତ କରି ପ୍ରତିନିଧିମାନେ ଭାରତରେ ଦେଖିଥିବା ଜୀବନ୍ତ ଗଣତନ୍ତ୍ରକୁ ପ୍ରଶଂସା କରିଥିଲେ। ଗଣତାନ୍ତ୍ରିକ ଆଦର୍ଶକୁ ସୁଦୃଢ଼ କରିବା ଦିଗରେ ଭାରତୀୟ ଭୋଟରଙ୍କ ଅତୁଟ ବିଶ୍ୱାସ ଓ ପ୍ରତିବଦ୍ଧତାକୁ ନେଇ ସେମାନେ ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ।

ଉତ୍ତର ପ୍ରଦେଶ

ଚିଲି, ଜର୍ଜିଆ, ମାଳଦ୍ୱୀପ, ନାମିବ୍ୟା, ପାପୁଆ ନ୍ୟୁ ଗିନି ଏବଂ ଉଜବେକିସ୍ତାନର ପ୍ରତିନିଧିମାନେ ୭ ମେ, ୨୦୨୪ରେ ଉତ୍ତରପ୍ରଦେଶର ଫତେପୁର ସିକ୍ରି ଏବଂ ଆଗ୍ରା ସଂସଦୀୟ କ୍ଷେତ୍ରରେ ମତଦାନ ଦେଖିଥିଲେ। ଏହି ଦୁଇ ନିର୍ବାଚନ ମଣ୍ଡଳୀଅଧୀନରେ ରହିଥିବା ତାଜମହଲ ଏବଂ ଫତେପୁର ସିକ୍ରିର ସ୍ଥାପତ୍ୟ ଶୈଳୀ ଦେଖିବା ପାଇଁ ଅତିଥିମାନଙ୍କୁ ନିଆଯାଇଥିଲା। ମତଦାନ ଦିନ ଏବଂ ମତଦାନ ଦିନର ପୂର୍ବ ଦିନ ସେମାନେ ବିଭିନ୍ନ ବ୍ୟବସ୍ଥା/କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ହୋଇଥିଲେ। ଭାରତରେ ନିର୍ବାଚନ ପ୍ରକ୍ରିୟା ଏକ ଶାନ୍ତିପୂର୍ଣ୍ଣ, ସମାବେଶୀ ଏବଂ ସୁଲଭ ବୋଲି ଏହି ଦେଶଗୁଡ଼ିକର ନିର୍ବାଚନ ପରିଚାଳନା ସମିତିର ସଦସ୍ୟମାନେ ସହମତ ହୋଇଥିଲେ।

ଗୁଜରାଟ

ଅହମ୍ମଦାବାଦରେ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୨୪ ପାଇଁ ଫିଜି, ଅଷ୍ଟ୍ରେଲିଆ, ରୁଷ, ମାଡାଗାସ୍କର, କିର୍ଗିଜସ୍ତାନର ପ୍ରତିନିଧିମାନେ ପ୍ରାକ୍ ନିର୍ବାଚନ ବ୍ୟବସ୍ଥା ଏବଂ ମତଦାନ ପ୍ରକ୍ରିୟା ଦେଖିଥିଲେ। ଡବଲ ଲକ୍ ବ୍ୟବସ୍ଥା ଥିବା ଷ୍ଟ୍ରଙ୍ଗରୁମ୍ ଏବଂ ଇଭିଏମ୍ ର ପ୍ରଭାବଶାଳୀ ସୁରକ୍ଷା କୁ ସୁନିଶ୍ଚିତ କରିବା ପାଇଁ ସଶସ୍ତ୍ର ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିବାରୁ ପ୍ରତିନିଧି ଦଳ ପ୍ରଭାବିତ ହୋଇଥିଲେ। ଅହମ୍ମଦାବାଦ ପୂର୍ବ ସଂସଦୀୟ କ୍ଷେତ୍ରର ସାନନ୍ଦ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମହିଳାଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ରଗୁଡ଼ିକୁ ମଧ୍ୟ ପ୍ରତିନିଧିଙ୍କ ଦ୍ୱାରାପ୍ରଶଂସା କରାଯାଇଥିଲା। ଏହା ମହିଳାମାନଙ୍କ ଉପରେ ଆତ୍ମବିଶ୍ୱାସ ଏବଂ ସେମାନଙ୍କ ଅଂଶଗ୍ରହଣକୁ ବଢ଼ାଉଥିବା ସେମାନେ ମତପ୍ରକାଶ କରିଥିଲେ। ବୟସ୍କ ଭୋଟରଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱେଚ୍ଛାସେବୀଙ୍କ ସହ ସବୁ ସ୍ଥାନରେ ରାମ୍ପ ଓ ହ୍ୱିଲଚେୟାରର ସୁବିଧାକୁ ମଧ୍ୟ ପ୍ରଶଂସା କରାଯାଇଥିଲା। ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲ ବାଲଟ ପେପର ବ୍ୟବସ୍ଥାମଧ୍ୟ ଦୃଷ୍ଟିହୀନ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ଭଲ ପଦକ୍ଷେପ ବୋଲି ଅନ୍ତର୍ଜାତୀୟ ପ୍ରତିନିଧିମାନେ ପ୍ରଂସା କରିଥିଲେ।

ମହାରାଷ୍ଟ୍ର

ବାଂଲାଦେଶ, ଶ୍ରୀଲଙ୍କା, କାଜାଖସ୍ତାନ ଏବଂ ଜିମ୍ବାୱେର ନିର୍ବାଚନ ପରିଚାଳନା ସଂସ୍ଥାର ପ୍ରତିନିଧିମାନେ ମହାରାଷ୍ଟ୍ରର ରାୟଗଡ ସଂସଦୀୟ କ୍ଷେତ୍ର ପରିଦର୍ଶନ କରି ନିର୍ବାଚନ ପୂର୍ବ ବ୍ୟବସ୍ଥା, ମତଦାନ ଦଳ ଗୁଡ଼ିକର ବିସ୍ତାର ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ସଦେଖିଥିଲେ। ଏହି ଦଳ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର, ପ୍ରିଜାଇଡିଂ ଅଫିସର ଏବଂ ଅନ୍ୟ ନିର୍ବାଚନ ସମ୍ବନ୍ଧୀୟ ଅଧିକାରୀଙ୍କ ସହ ଭାରତୀୟ ନିର୍ବାଚନର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ। ମତଦାନ କେନ୍ଦ୍ରରେ ସ୍ୱଚ୍ଛତା ବ୍ୟବସ୍ଥାଦେଖି ପ୍ରତିନିଧିମାନେ ପ୍ରଭାବିତ ହୋଇଥିଲେ।

 

ପୃଷ୍ଠଭୂମି

ଅଷ୍ଟ୍ରେଲିଆ, ବାଂଲାଦେଶ ଭୁଟାନ, କାମ୍ବୋଡିଆ, ଚିଲି, ଫିଜି, ଜର୍ଜିଆ, କାଜାଖସ୍ତାନ, କିର୍ଗିଜ ପ୍ରତିନିଧି, ମାଡାଗାସ୍କର, ମାଳଦ୍ୱୀପ, ମଙ୍ଗୋଲିଆ, ମୋଲଡୋଭା, ନାମିବିଆ, ନେପାଳ, ନ୍ୟୁ ଗିନି, ଫିଲିପାଇନ୍ସ, ରୁଷିଆ, ସେସେଲ୍ସ, ଶ୍ରୀଲଙ୍କା, ଟ୍ୟୁନିସିଆ, ଉଜ୍ବେକିସ୍ତାନ, ଜିମ୍ବାୱେ ଭଳି ୨୩ଟି ଦେଶର ପ୍ରତିନିଧି ୫ ମେ ୨୦୨୪ ରେ ତୃତୀୟ ପର୍ଯ୍ୟାୟ ମତଦାନ ଦେଖିବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ସେମାନେ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଏବଂ ଡ. ସୁଖବୀର ସିଂହ ସାନ୍ଧୁଙ୍କ ସହ ଆଲୋଚନା କରିଥିଲେ। ଏହାପରେ ପ୍ରତିନିଧିମାନେ ୬ଟି ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ବିଭିନ୍ନ ରାଜ୍ୟ ଯଥା କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ଗୋଆ ଓ ମଧ୍ୟପ୍ରଦେଶ ଗସ୍ତ କରିବା ସହ ଏଥିପାଇଁ ୧୩ଟି ନିର୍ବାଚନ ମଣ୍ଡଳୀର ମତଦାନ କେନ୍ଦ୍ର ପରିଦର୍ଶନ କରିଥିଲେ। ନିର୍ବାଚନ ପ୍ରସ୍ତୁତି, ଲଜିଷ୍ଟିକ୍ସ ଏବଂ ୱେବକାଷ୍ଟିଂ ବ୍ୟବସ୍ଥା ଦେଖିବା ସହ ନିର୍ବାଚନ ପୂର୍ବ ଦିନ ପୋଲିଂ ଅଫିସର ଓ ପ୍ରିଜାଇଡିଂ ଅଫିସରଙ୍କ ସହ ଯୋଗାଯୋଗ କରିବା ଏବଂ ମକ୍ ପୋଲ୍ ଦେଖିବା, ପ୍ରକୃତ ମତଦାନ ଦେଖିବା ଏବଂ ନିର୍ବାଚନ ଦିନ ଅର୍ଥାତ୍ ୭ ମେ, ୨୦୨୪ରେ ଭୋଟରଙ୍କ ସହ ଆଲୋଚନା କରିବା ପାଇଁ ରାଜ୍ୟର ସିଇଓମାନେ ଏହି ଗୋଷ୍ଠୀଗୁଡ଼ିକର ଗସ୍ତ ଆୟୋଜନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

EVM-VVPAT ଉପରେ SC ଙ୍କ ବଡ ନିଷ୍ପତ୍ତି, ବାଲାଟ୍ ପେପରରେ ଭୋଟ୍ ଦେବା ସହିତ ସମସ୍ତ ଦାବି ଖାରଜ

ନୂଆଦିଲ୍ଲୀ: ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ୍ (VVPAT) ସହିତ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ରେ ଦିଆଯାଉଥିବା ଭୋଟର ଶତପ୍ରତିଶତ ଯାଞ୍ଚ ଦାବିରେ ସୁପ୍ରିମକୋର୍ଟ ଏକ ବଡ ରାୟ ଦେଇଛନ୍ତି। VVPAT ସ୍ଲିପ୍ ମେଳଣ ସହ ଜଡିତ ସମସ୍ତ ଆବେଦନକୁ କୋର୍ଟ ଖାରଜ କରିଛନ୍ତି।

ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଫଳାଫଳ ଘୋଷଣା ହେବାର ୭ ଦିନ ମଧ୍ୟରେ ପ୍ରାର୍ଥୀ ପୁନଃ-ଯାଞ୍ଚ ପାଇଁ ଦାବି କରିପାରିବେ। ଇଞ୍ଜିନିୟରମାନେ ମାଇକ୍ରୋ କଣ୍ଟ୍ରୋଲରର ମେମୋରୀ ଯାଞ୍ଚ କରିବେ। ପ୍ରାର୍ଥୀଙ୍କୁ ଏହି ଅନୁସନ୍ଧାନର ଖର୍ଚ୍ଚ ବହନ କରିବାକୁ ପଡିବ। ଯଦି ଏହା ଭୁଲ ପ୍ରମାଣିତ ହୁଏ, ତେବେ ଟଙ୍କା ଫେରସ୍ତ ହେବ।

ଏଥିସହ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପାଙ୍କର ଦତ୍ତଙ୍କ ଖଣ୍ଡପୀଠ ଭବିଷ୍ୟତରେ VVPAT ସ୍ଲିପରେ ବାର୍ କୋଡ୍ ଉପରେ ବିଚାର କରିବାକୁ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି। ଏହା ବ୍ୟତୀତ ବାଲାଟ ପେପର ମାଧ୍ୟମରେ ନିର୍ବାଚନ ହେବାର ଦାବି ମଧ୍ୟ ଖଣ୍ଡପୀଠ ଗ୍ରହଣ କରିନାହାନ୍ତି। ଗତ ଶୁଣାଣିରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିରେ ସଂରକ୍ଷିତ ରଖିଥିଲେ।

ଗତ ଶୁଣାଣି ସମୟରେ ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପାଙ୍କର ଦତ୍ତାଙ୍କ ଖଣ୍ଡପୀଠ ଭିଭିପିଏଟ୍ ସହିତ ଇଭିଏମ୍ ମାଧ୍ୟମରେ ଦିଆଯାଇଥିବା ଭୋଟର ଯାଞ୍ଚ ଉପରେ ଆବେଦନ ଉପରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

ଏହି ସମୟରେ ନିର୍ବାଚନ ଆୟୋଗରେ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟିଙ୍କୁ କୋର୍ଟ କହିଛନ୍ତି ଯେ, ଆମେ ଭୁଲ ପ୍ରମାଣିତ ହେବାକୁ ଚାହୁଁନାହୁଁ କିନ୍ତୁ ଆମର ଅନୁସନ୍ଧାନ ବିଷୟରେ ସମ୍ପୂର୍ଣ୍ଣ ନିଶ୍ଚିତ ହେବାକୁ ଚାହୁଁଛୁ। ଏହି କାରଣରୁ ଆମେ ସ୍ପଷ୍ଟୀକରଣ ମାଗିବାକୁ ଚିନ୍ତା କରିଥିଲୁ ..।’

ବାସ୍ତବରେ, VVPAT ହେଉଛି ଏକ ସ୍ଵାଧୀନ ଭୋଟ୍ ଯାଞ୍ଚ ବ୍ୟବସ୍ଥା। ଏହା ମାଧ୍ୟମରେ, ଭୋଟରମାନେ ଜାଣିପାରିବେ ଯେ ସେମାନଙ୍କର ଭୋଟ୍ ସେହି ବ୍ୟକ୍ତିଙ୍କ ନିକଟକୁ ଯାଇଛି, ଯାହାଙ୍କୁ ସେମାନେ ଭୋଟ୍ ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଆସିବ ପିପିଲି ଫଳାଫଳ, କରୋନା ପାଇଁ ଏଥର ନୂଆ ପ୍ରକାରର ହେବ ଭୋଟ ଗଣତି

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପିପିଲି ଉପନିର୍ବାଚନର ଭୋଟ ଗଣତି ଆସନ୍ତାକାଲି ସକାଳ ଆଠଟାରୁ ଆରମ୍ଭ ହେବ। ଏଥିପାଇଁ ପୁରୀର ପେଣ୍ଠକଟା ଇଭିଏମ ୱେର ହାଉସରେ ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ଏଥର ଭିନ୍ନ ପ୍ରକାରର ଭୋଟ ଗଣତି ହେବ। କରୋନା ପାଇଁ ଏହି ଗଣତି ପରିବେଶରେ ସଂପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି।

ଏଥର ପ୍ରତି ଟେବୁଲରେ ଗଣତି ଅଧିକାରୀଙ୍କ ଆଗରେ ରହିବ ପଲିଥିନ ଚାଦର। ଏହା ଗଣତି ଅଧିକାରୀ ଓ ଏଜେଣ୍ଟ ମଧ୍ୟରେ ସଂକ୍ରାମଣକୁ ରୋକିବାରେ ସାହାଯ୍ୟ କରିବ। ଏଥିସହିତ ସମସ୍ତେ ସାନିଟାଇଜର ବ୍ୟବହାର କରିବା ସହିତ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତା ମୂଳକ କରାଯାଇଛି। ହଲ ଭିତରେ ଏଜେଣ୍ଟମାନେ ପଶିବା ପୂର୍ବରୁ ଦୁଇ ଡୋଜ ଟିକା ନେଇଥିବାର ପ୍ରମାଣ ପତ୍ର ଦେଖାଇବେ।

ଆଜି ରାତିରେ ଏହି ଗଣତି ହଲଗୁଡିକୁ ସଂପୂର୍ଣ୍ଣ ସାନାଟାଇଜ କରାଯାଇଛି। ଆସନ୍ତାକାଲି ପ୍ରତି ରାଉଣ୍ଡ ପରେ ପୁଣି ସାଇନଟାଇଜ କରାଯିବ। ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ଏକ ଟିମ ସେଠାରେ ମୁତୟନ କରାଯାଇଛି।

ଏହି ଗଣତି ପାଇଁ ତିନୋଟି ହଲର ବ୍ୟବସ୍ଥା କରାଯାଇଛି। ପ୍ରତି ହଲରେ ସାତୋଟି ଟେବୁଲ କରାଯାଇଛି। ପ୍ରତି ଟେବୁଲରେ ତିନିଜଣ ଅଧିକାରୀ ଗଣତି କାର୍ଯ୍ୟରେ ନିୟୋଜିତ ହେବେ। ତାଙ୍କ ସମ୍ମୁଖରେ ବସି ରାଜନୈତିକ ଦଳର ଏଜେଣ୍ଟମାନେ ତାହା ଅନୁଧ୍ୟାନ କରିବେ। ଗୋଟିଏ ଟେବୁଲରେ ଜଣେ ଲେଖାଏଁ ଏଜେଣ୍ଟ ନିଯୁକ୍ତି କରିବା ପାଇଁ ଦଳଗୁଡିକୁ କୁହାଯାଇଛି।

ପ୍ରତି ରାଇଣ୍ଡରେ କଣ ଫଳାଫଳ ହେଲା ତାହା ସେହି କାଉଣ୍ଟିଂ ହଲରେ ଥିବା ବଡ ମିନଟରରେ ପ୍ରଦର୍ଶିତ କରାଯିବ। ଏଥିସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ ସାଇଟରେ ମଧ୍ୟ ଫଳାଫଳକୁ ଲାଇଭ କରାଯିବ। ସେଥିପାଇଁ ନିର୍ବାଚନ ଅଧିକାରୀଙ୍କ ତରଫରୁ ଭୁବନେଶ୍ବର କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ୱେବସାଇଟ ହେଲା results.eci.gov.in।

ଭୋଟ ଗଣତି ସରିବା ପରେ VVPAT ଗଣତି କରାଯିବ। ସେଥିପାଇଁ ଆଖିବୁଜି ପାଞ୍ଚୋଟି ମେସିନର ସଂଖ୍ୟା ଗଣିତ କରାଯିବ। ଏହାପରେ ଇଭିଏମରେ ପଡିଥିବା ଭୋଟ ସହିତ ମେଳକ କରାଯିବ। ଭୋଟ ଗଣତି ଠିକ ଭାବରେ ପରିଚାଳନା କରିବା ଏବଂ ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆସନ୍ତାକାଲି ଅପରାହ୍ନ ବେଳକୁ ପିପିଲିର କିଏ ହେବେ ବିଧାୟକ ତାହାର ଏକ ସ୍ପଷ୍ଟ ଚିତ୍ର ମିଳିଯିବ।

Categories
ଆଜିର ଖବର

ଭିଭିପାଟ୍‌ ଓ ଇଭିଏମ୍‌ ମାମଲାକୁ ନେଇ ଇସିଙ୍କୁ ଭେଟିବେ ୨୧ଟି ବିରୋଧୀ ଦଳର ପ୍ରତିନିଧି

୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ୨ ଦିନ ପୂର୍ବରୁ ଇଭିଏମ ଓ ଭିଭିପାଟ୍‌ ମାମଲାକୁ ନେଇ ପୁଣି ଏକାଠି ହୋଇଛନ୍ତି ବିରୋଧୀ ଦଳ। ଏ ନେଇ ୨୧ଟି ବିରୋଧୀ ଦଳର ପ୍ରତିନିଧି ମଙ୍ଗଳବାର ନିର୍ବାଚନ ଆୟୋଗଙ୍କୁ ଭେଟି ଦାବି ଜଣାଇବେ।  କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ, କଂଗ୍ରେସ ନେତା ଅଭିଷେକ ମନୁ ସିଂଙ୍ଘୱୀ ଏବଂ ଅହମଦ ପଟେଲ ପ୍ରମୁଖ ପ୍ରତିନିଧି ଦଳ ସହିତ ନିର୍ବାଚନ ଆୟୋଗଙ୍କ ସହ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି। ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର ବରିଷ୍ଠ ନେତାମାନଙ୍କୁ ପ୍ରତିନିଧି ଦଳରେ ସାମିଲ କରିବାକୁ ଉଦ୍ୟମ କରାଯାଉଛି ବୋଲି ଜଣେ ନେତା କହିଛନ୍ତି। ନିର୍ବାଚନରେ ସ୍ବଚ୍ଛତା ଆଣିବା ଲାଗି ଏକ ନିର୍ବାଚନ ମଣ୍ଡଳୀର ୫୦ ପ୍ରତିଶତ ଇଭିଏମ ସହିତ ଏହାର ଭିଭିପାଟ ସ୍ଲିପଗୁଡ଼ିକୁ ଗଣନା କରିବା ଦାବିରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା। ଗତ ରବିବାର ଦିନ ଏକ୍ସିଟ୍‌ ପୋଲ୍‌ରିପୋର୍ଟ ପ୍ରକାଶନ ପରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ହଲଚଲ୍‌ ସୃଷ୍ଟି ହୋଇଛି। ତେବେ ଏହା ଶତପ୍ରତିଶତ ସତ୍ୟ ନୁହେଁ, ଅସଲ ରେଜଲ୍ଟ ତ ମେ ୨୩ ତାରିଖରେ ଜଣାପଡିବ ବୋଲି ବିରୋଧୀ ଦଳ କହିଛନ୍ତି।

Categories
ଆଜିର ଖବର

୧ ବଦଳରେ ୫ ଭିଭିପାଟ୍‌ ଗଣନା ପାଇଁ ଇଭିଏମ୍‌ ସଂଖ୍ୟା ବଢାଇଲେ ସୁପ୍ରିମ୍‌କୋର୍ଟ

ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ଦାୟର କରାଯାଇଥିବା ଯାଚିକା ଉପରେ ବିଚାର କରି ସୁ୍ପ୍ରିମ୍‌କୋର୍ଟ ଭିଭିପାଟ୍‌ ଗଣନା ପାଇଁ ଇଭିଏମ୍‌ ସଂଖ୍ୟା ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଏଣିକି ଗୋଟିଏ ବଦଳରେ ଏକ ନିର୍ବାଚନମଣ୍ଡଳୀରେ ୫ ଆସନରେ ଭିଭିପାଟ୍‌ ଗଣତି ହେବ। ବିଭିନ୍ନ ବିରୋଧୀ ଦଳ ମଧ୍ୟରୁ ୨୧ ଟି ଦଳ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରିଥିଲେ। ମାମଲାର ଶୁଣାଣି କରି ଖଣ୍ଡପୀଠ କହିଥିଲେ ପ୍ରତ୍ୟେକ ଆସନ ପାଇଁ ପୂର୍ବରୁ ଗୋଟିଏ ଆସନରେ ଭିଭିପାଟ୍‌ ଗଣାଯାଉଥିଲା ମାତ୍ର ବିରୋଧୀଙ୍କ ଅଭିଯୋଗ ପରେ ଏହି ସଂଖ୍ୟାରେ ବୃଦ୍ଧି କରାଯାଇଛି। ପୂର୍ବରୁ ନିର୍ବାଚନ କମିଶନ ୪୧୨୫ ପେପର ସ୍ଲିପ୍‌ କୁ ଇଭିଏମ୍‌ ସହ ମ୍ୟାଚ୍‌ କରାଉଥିବା ବେଳେ ବର୍ତ୍ତମାନର ନିଷ୍ପତ୍ତି ଅନୁଯାୟୀ ୨୦୬୨୫ ସ୍ଥାନରେ ଭିଭିପାଟ୍‌ ଗଣନା ହେବ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )