Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏଣିକି ଓଡିଶାର ଜଳ ସଂପଦ ପରିଚାଳନା ପାଇଁ ବ୍ୟବହାର ହେବ ଏଆଇ ଟେକନୋଲୋଜି

ଭୁବନେଶ୍ବର: ରାଜ୍ୟ ଜଳ ସୂଚନା ବିଜ୍ଞାନ କେନ୍ଦ୍ର (ଏସଡବ୍ଲୁଆଇସି)ଏବଂ ଭୁବନେଶ୍ୱର ଆଇଆଇଟି ସହଯୋଗରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ର ବ୍ୟବହାର କରି ଜଳ ସମ୍ପଦର  ପରିଚାଳନା ଏବଂ ତଥ୍ୟ  ସଂଚାରଣ ଓ ଡିଜିଟାଇଜେସନର ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନ କରିବା  ସଂପର୍କିତ  ଏକ ବୈଷୟିକ  କର୍ମଶାଳା ଆଜି ଅନୁଷ୍ଠିତ  ହୋଇଯାଇଛି ।

ଏହି କର୍ମଶାଳାକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଉଦ୍ଘାଟନ କରିବା ସହିତ ଜଳ ସମ୍ପଦ ପରିଚାଳନା କ୍ଷେତ୍ରରେ  ଦେଖାଦେଉଥିବା ସମସ୍ୟାର ସମାଧାନ ପାଇଁ  ବୈଷୟିକ ଜ୍ଞାନକୌଶଳକୁ  ସମନ୍ୱିତ କରିବା ଏବଂ  ବୁଦ୍ଧିମାନ ତଥ୍ୟ ପ୍ରଣାଳୀର ଗୁରୁତ୍ୱ ରହିଥିବା ସଂପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଉନ୍ନୟନ କମିଶନର କହିଛନ୍ତି ଯେ,  “ଆମେ “ବିକଶିତ ଓଡିଶା @୨୦୩୬” ଏବଂ “ବିକଶିତ ଭାରତ @୨୦୪୭” ପାଇଁ “ଭିଜନ ଡକ୍ୟୁମେଣ୍ଟ” ପ୍ରସ୍ତୁତ କରୁଛୁ, ଏବଂ ସେଥିରେ  ଆମେ ବିଭିନ୍ନ ଅଧ୍ୟାୟକୁ ଦେଖୁଛୁ, ତନ୍ମଧ୍ୟରୁ ମହିଳା ନେତୃତ୍ୱାଧିନ ବିକାଶ ହେଉ ବା ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଏବଂ ସୁଶାସନରେ ଆଇଟିର ପ୍ରୟୋଗ ହେଉ, ସବୁଥିରେ ଡିଜିଟାଇଜେସନ ଏବଂ ତଥ୍ୟ ପରିଚାଳନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହି ପ୍ରସଙ୍ଗରେ, ପ୍ରତ୍ୟେକ ବିଭାଗ ନିଜ ନିଜର ବିଭାଗର ଦକ୍ଷତା ବୃଦ୍ଧି କରିବା ପାଇଁ ଏଆଇ ଉପଯୋଗର ଆବଶ୍ୟକତା ରହିଥିବା ସଂପର୍କରେ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ ।

ଜଳ ପରିଚାଳନାରେ  ସକ୍ରିୟ ଅଂଶୀଦାର, ବିଶେଷଜ୍ଞ ଏବଂ ଅଧିକାରୀମାନଙ୍କୁ ବୈଷୟିକ ଓ ସଂସ୍ଥାଗତ ଦକ୍ଷତାକୁ ସଶକ୍ତ  କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କର୍ମଶାଳା,  କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଏଆଇ ସାଧନଗୁଡ଼ିକର  ବ୍ୟବହାରକୁ ପ୍ରୋତ୍ସାହିତ କରିବା, ଜଳ ସମ୍ପଦ କ୍ଷେତ୍ରରେ ଡାଟା(ତଥ୍ୟ) ଆଧାରିତ ଯୋଜନା , ଦକ୍ଷ ନିରୀକ୍ଷଣ  ଓ ସୂଚନାଭିତ୍ତିକ ନିଷ୍ପତ୍ତି ନେଇ ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି ।  ଏହି କର୍ମଶାଳା ଜଳ ପରିଚାଳନା କ୍ଷେତ୍ରରେ ରାଜ୍ୟର ଆଭିମୁଖ୍ୟକୁ ଜାତୀୟ ବିକାଶ ଲକ୍ଷ୍ୟ ଓ ବିଶ୍ୱର ସର୍ବୋତ୍ତମ ଅଭ୍ୟାସ ଆଭିମୁଖ୍ୟ ସହିତ ସଂଯୋଜିତ କରିବାର ସୁଯୋଗ ପ୍ରଦାନ କରିଛି ।

କର୍ମଶାଳାରେ (ଏସଡବ୍ଲୁଆଇସି)ର ନିର୍ଦ୍ଦେଶକ  ଇଂ.  କୃଷ୍ଣ ଚନ୍ଦ୍ର ମହାନ୍ତି ଯୋଗଦେଇ ଜଳ ସମ୍ପଦର ସ୍ଥାୟୀ ଓ ସମାନତା ଭିତ୍ତିରେ  ପରିଚାଳନା ନିଶ୍ଚିତ କରିବା ପାଇଁ ତଥ୍ୟ ଆଧାରିତ ପରିଚାଳନା ମଡେଲ୍ ର ଆବଶ୍ୟକତା ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । ଜଳ ସଂପର୍କିତ ତଥ୍ୟ ଏବଂ ଯୋଜନା ନୀତି ପ୍ରୟୋଗରେ ଏହାର ପ୍ରୟୋଗ ପାଇଁ ରାଜ୍ୟ ଜଳ ସୂଚନା  ବିଜ୍ଞାନ କେନ୍ଦ୍ର  ଏକ ଜ୍ଞାନ କେନ୍ଦ୍ର ଭାବେ ଭୂମିକା ନିର୍ବାହ କରିବ ବୋଲି ଗୁରୁତ୍ୱ ଦିଆଯାଇଛି ।

ଉଦଘାଟନୀ ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଡଃ. ଚନ୍ଦ୍ରଶେଖର ପାଢୀ, ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ (ଆଇଆଇଡବ୍ଲୁଏମ)ର ନିର୍ଦ୍ଦେଶକ ଇଂ. ଏ. ଷଡ଼ଙ୍ଗୀ, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ନିର୍ଦ୍ଦେଶକ ଡଃ. ବି.କେ ସାହୁ ପ୍ରମୁଖ ଯୋଗଦେଇ ବିଷୟ ପ୍ରସଙ୍ଗରେ ଉପସ୍ଥାପନ କରିଥିଲେ।

ଅନୁଷ୍ଠିତ କର୍ମଶାଳାରେ ଏସଡବ୍ଲୁଆଇସି ଓ ଆଇଆଇଟି ଭୁବନେଶ୍ୱର ସହିତ ଏହି ମୂଲ୍ୟବାନ ଆଲୋଚନା ଓ ପ୍ରଶିକ୍ଷଣ ପଦକ୍ଷେପ, ଏଥିରେ ଅଂଶଗ୍ରହଣ କରିଥିବା ଅଂଶୀଦାର ଅନୁ​ଷ୍ଠାନ ତଥା ବିଭାଗର ସମସ୍ତ ଇଂଜିନିଅର, ଡାଟା ମ୍ୟାନେଜର , ଆଇ.ଟି. ପେଶାଦାର  ଏବଂ ଯୋଜନା ପ୍ରସ୍ତୁତକାରୀଙ୍କୁ ଜ୍ଞାନ ଆହରଣ କରିବା ଓ ସର୍ବୋତ୍ତମ ଅଭ୍ୟାସଗୁଡିକୁ ସମାନ୍ତରାଳ ଭାବେ ବିଭିନ୍ନ ବିଭାଗରେ ପ୍ରୟୋଗ କରାଯାଇପାରିବ,ସେ ସଂପର୍କରେ ଆଲୋଚନା କରାଯାଇଥିଲା।

ଅନୁଷ୍ଠିତ ବୈଷୟିକ ଅଧିବେଶନ-୧ ରେ ଆଇଆଇଟି କମ୍ପ୍ୟୁଟର ବିଜ୍ଞାନ ଓ ଇଂଜିନିୟରିଂର ବିଭାଗୀୟ ମୁଖ୍ୟ ଡଃ. ଦେବୀ ପ୍ରସାଦ ଡୋଗ୍ରା ଯୋଗଦେଇ  କୃତ୍ରିମ  ବୁଦ୍ଧିମତା ଓ ତଥ୍ୟ  ବିଶ୍ଳେଷଣର ଗୁରୁତ୍ୱ ଏବଂ ଏହା ଜଳ ପରିଚାଳନା, କ୍ଷେତ୍ର ସର୍ବେକ୍ଷଣ ଓ କୃଷି ତଥା କୃଷିଭିତ୍ତିକ ନିଯୁକ୍ତିରେ କିପରି  ସହାୟକ ହୋଇପାରିବ,   ସେ ସଂପର୍କରେ  ଉପସ୍ଥାପନ କରିଥିଲେ ।  ପରେ ପରେ ଟିମ “ଭାସର” ତରଫରୁ ଜଳସଂପଦ ବିଭାଗରେ ବିକଶିତ “ୱାଟର ଇଆରପି” ( ଇମରଜେନସି ରେନ୍‌ସପନ୍‌ସ ପ୍ଲାନ) “ଗୋ ଓ୍ୱାଟର”  ସଂପର୍କରେ ଅଂଶଗ୍ରହଣକାରୀଙ୍କୁ ବୁଝାଯାଇଥିଲା ।

ବୈଷୟିକ ଅଧିନ-୨ରେ  ଆଇଆଇଟି, ଭୁବନେଶ୍ୱର ସ୍କୁଲ ଅଫ  ଭୂ, ସାଗର ଏବଂ ଜଳବାୟୁ ବିଜ୍ଞାନର ପ୍ରାଧ୍ୟାପକ ଡଃ. ସନ୍ଦୀପ ପଟ୍ଟନାୟକ ଯୋଗଦେଇ ବର୍ଷା ପୂର୍ବାନୁମାନ ସଂପର୍କରେ ଏଆଇ କିପରି ଉଲ୍ଲେଖନୀୟ  ଭାବେ  ନିଷ୍ପତ୍ତି ନେବାରେ ଗୁରୁତ୍ୱଭୂମିକା  ନିର୍ବାହ କରୁଛି,  ସେ ସଂପର୍କରେ ଉପସ୍ଥାପନ  ପ୍ରକାଶ କରିଥିଲେ ।

ବୈଷୟିକ ଅଧିନ-୩ରେ ଆଇଆଇଟି, ଭୁବନେଶ୍ୱର  କମ୍ପ୍ୟୁଟର ବିଜ୍ଞାନ  ଏବଂ ଇଞ୍ଜିନିୟରଂ ତଥା  ଇଲେକଟ୍ରିକାଲ ଓ କମ୍ପ୍ୟୁଟର ବିଜ୍ଞାନ ପ୍ରାଧ୍ୟାପକ ଡ଼ଃ ରାମ  ପ୍ରକାଶ ପାଢ଼ୀ ଯୋଗ ଦେଇ ଜଳ ପରିଚାଳନା ପାଇଁ ସର୍ବୋତ୍ତମ ଅଭ୍ୟାସ  ନିମନ୍ତେ  ଏଆଇ ମାଧ୍ୟମରେ ଅଧିକ ଶିକ୍ଷା  ଓ ଅନୁସଂନ୍ଧାନ  ଆବଶ୍ୟକତା ସଂପର୍କରେ  ଉପସ୍ଥାପନ କରିଥିଲେ ।  ଶେଷ ଅଧିବେଶନରେ  ଆଇଆଇଟି ସ୍କୁଲ ଅଫ  ଇନ୍‌ଫ୍ରାଷ୍ଟକ୍ଚର ର  ପ୍ରାଧ୍ୟାପକ ଡଃ. ମିନୁ ରାମଦାସ ସରକାର ଯୋଗ ଦେଇ ଜଳ ପରିଚାଳନା ଓ ଡିଜିଟାଲ ଟେକ୍ନୋଲୋଜି ସଂପର୍କରେ ଆଲୋକପାତ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ରେଙ୍ଗାଲୀ ଜଳସେଚନ ପ୍ରକଳ୍ପ ଅଗ୍ରଗତି ସଂପର୍କରେ ଉନ୍ନୟନ କମିଶନରଙ୍କ ସମୀକ୍ଷା

ଭୁବନେଶ୍ବର: ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ କେନାଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ଅଗ୍ରଗତି ସଂପର୍କରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ  ଶ୍ରୀମତୀ ଅନୁ ଗର୍ଗ ଆଜି ଅପରାହ୍ନରେ ରାଜୀବ ଭବନ ସ୍ଥିତ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଛନ୍ତି।

ନିର୍ମାଣାଧିନ ରେଙ୍ଗାଲୀ  ଦକ୍ଷିଣ ପାର୍ଶ୍ୱ  ଜଳସେଚନ ପ୍ରକଳ୍ପ କିପରି ଶୀଘ୍ର ସଂପୂର୍ଣ୍ଣ କରାଯାଇ ଏହାଦ୍ୱାରା ଅଧିକରୁ ଅଧିକ ଚାଷୀ ଉପକୃତ ହେବେ, ସେ ସଂପର୍କରେ ଏକ ସମୀକ୍ଷା ବୈଠକ କରି ରହିଥିବା ସମସ୍ୟାର ସମାଧାନ କରିବାକୁ ରାଜ୍ୟ କୃଷି ଓ କୃଷକ ସଶକ୍ତକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ  ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପରାମର୍ଶ ଦେଇଥିଲେ।

ଅନୁଷ୍ଠିତ ବୈଠକରେ ଜଳସଂପଦ ବିଭାଗ ସର୍ବୋଚ୍ଚ ମନ୍ତ୍ରୀ, ରେଙ୍ଗାଲୀ ଜଳସେଚନ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ, ଆଠଗଡ଼ ଉପଜିଲ୍ଲାପାଳ, ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସଂପୃକ୍ତ  ଅନ୍ୟ ଯନ୍ତ୍ରୀମାନଙ୍କ ଉପସ୍ଥିତିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ,  ନିର୍ମାଣାଧିନ ପ୍ରକଳ୍ପ କେତେ ଶେଷ ହୋଇଛି, ଅବଶିଷ୍ଟ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ  କ’ଣ ସବୁ  ସମସ୍ୟା ରହିଛି, ସେ ସଂପର୍କରେ  ପୁଙ୍ଖାନୁପୁଙ୍ଖ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ବୈଠକରୁ ଜଣାଯାଇଛି ଯେ, ଅନୁଗୋଳ ଜିଲ୍ଲାର ସମଲ ବ୍ୟାରେଜ୍‌ରୁ ବାହାରିଥିବା ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ କେନାଲରୁ ଗୋନ୍ଦିଆ, ଦର୍ପଣ, ନରସିଂହପୁର ଓ ଆଠଗଡ଼ ଶାଖା କେନାଲ୍  ସୃଷ୍ଟି ହୋଇଛି। ଏହାଦ୍ୱାରା  ଅନୁଗୋଳ, ଢ଼େଙ୍କାନାଳ, କଟକ, ଯାଜପୁର ଆଦି  ୪ଟି ଜିଲ୍ଲାର ୧୪ ବ୍ଲକରେ ମୋଟ ୮୪,୪୦୬ ହେକ୍ଟର ଚାଷ ଉପଯୋଗୀ ସେଚାଂଚଳକୁ କେନାଲ ଯୋଗେ ଜଳ ପ୍ରବାହ ଲକ୍ଷ୍ୟ ରହିଥିବା ବେଳେ ଏହି ସବୁ ଅଂଚଳରେ ୧୯,୬୮୬ ହେକ୍ଟରକୁ ଉଠାଜଳସେଚନ ମାଧ୍ୟମରେ ଜଳସେଚନ ଲକ୍ଷ୍ୟ ରହିଛି।

ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ ଜଳସେଚନ ପ୍ରକଳ୍ପ ମୁଖ୍ୟ କେନାଲର ଦୈର୍ଘ୍ୟ ୯୫.୦୪ କି.ମି. ହୋଇଥିବା ବେଳେ ଏହାର ନିର୍ମାଣ  କାର୍ଯ୍ୟ ସରିଛି। ଏହାର ଶାଖା କେନାଲଗୁଡିକର  ମୋଟ ଦୈର୍ଘ୍ୟ ୧୯୬.୬୬ କି.ମି ହୋଇଥିବା ବେଳେ ସେଥିରୁ ୧୩୬.୮୮ କି.ମିର ଖନନ କାର୍ଯ୍ୟ ସରିଛି। ଅବଶିଷ୍ଟ କେନାଲ ଖନନ ପାଇଁ ତ୍ୱରିତ ପଦକ୍ଷେପ ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିଲା।

ଜଳସେଚନ ଉପଯୋଗୀ ସେଚାଞ୍ଚଳ ମଧ୍ୟରୁ  ପୂର୍ବରୁ କେନାଲ ଯୋଗେ ୧୭,୬୦୬ ହେକ୍ଟର ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇଥିବା ବେଳେ ଆଗାମୀ ଡିସେମ୍ବର ସୁଦ୍ଧା ଆଉ ୧୦,୦୦୦ ହେକ୍ଟର ଓ ମାର୍ଚ୍ଚ ମାସ ସୁଦ୍ଧା ଆଉ ୧୬,୩୩୪ ଏହିପରି ଏହି ମୋଟ ୪୩,୯୪୦ ହେକ୍ଟର ସେଚାଂଚଳକୁ ସେଚ ସାମର୍ଥ ସୃଷ୍ଟି ଲକ୍ଷ୍ୟ ଧାର୍ଯ୍ୟ ରହିଛି।

ନିର୍ମାଣାଧିନ ଅବଶିଷ୍ଟ ଅଂଶରୁ କେତେକ କ୍ଷେତ୍ରରେ ଜମି ଅଧଗ୍ରହଣରେ ବିଳମ୍ବ ଘଟିଥିବା ଓ ପରିବେଶ ମଞ୍ଜୁରୀ ଜନିତ ସମସ୍ୟା ରହିଛି। ସେ ସବୁ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇ ନିର୍ମାଣାଧିନ କେନାଲ କାର୍ଯ୍ୟକୁ ସଂପୂର୍ଣ୍ଣ କରାଯିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ପରିସଂଖ୍ୟାନ ଅନୁଯାୟୀ ମୋଟ କେନାଲ ଦୈର୍ଘ୍ୟର  ୮୦.୩୭% ଜମି ଅଧିଗ୍ରହଣ ପୂର୍ବକ ଖନନ କାର୍ଯ୍ୟ କରାଯାଇଥିବା ବେଳେ ବେଳେ ସ୍ଥାନୀୟ  ସମସ୍ୟା ରହିଥିବା ୮.୪୬ ପ୍ରତିଶତ କାର୍ଯ୍ୟ ସମାଧାନ କରାଯାଇ  କରାଯିବ।

ସେହିପରି ୧୧.୧୭% ସଂରକ୍ଷିତ ଜଙ୍ଗଲ ଓ ଜଙ୍ଗଲ ମଂଜୁର ଅର୍ନ୍ତଭୁକ୍ତ ରହିଥିବେ ବେଳେ ସେଥିରୁ  ୮୭୪.୫୯୫୭ ହେକ୍ଟର ଷ୍ଟେଜ୍-୨  ଜଙ୍ଗଲ ଜମି ମଂଜୁରୀ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ତରଫରୁ ମିଳିସାରିଛି । ଅବଶିଷ୍ଟ ୨୫୧.୧୭ ହେକ୍ଟର ଜଙ୍ଗଲ ଜମି ପରିବେଶ ଅନୁମୋଦନ ପାଇଁ ପକ୍ରିୟା ଜାରି ରହିଛି।

କ୍ଷତିପୂରଣ ବନୀକରଣ (କମ୍ପେନେସେଟୋରୀ ଆଫରେଷ୍ଟେସନ) ଜରିଆରେ ଏହି ସମସ୍ୟାର ସମାଧାନ କରାଯାଇ ପରିବେଶ ମଂଜୁରୀ ନିମନ୍ତେ ପଦକ୍ଷେପ ନିଆଯାଇଛି। କଟକ ଜିଲ୍ଲାରେ ଜମି ଅଧିଗ୍ରହଣ ସମସ୍ୟା ରହିଥିବା ପ୍ରସଙ୍ଗରେ କଟକ ଜିଲ୍ଲାପାଳଙ୍କୁ ସମସ୍ୟାର ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି ।

ଅନୁଗୋଳ ଜିଲ୍ଲାର ଶତ ପ୍ରତିଶତ, ଢେଙ୍କାନାଳ ଜିଲ୍ଲାର ୫୮%, କଟକ ଜିଲ୍ଲାର ୧୭% ସେଚାଂଚଳରେ ସେଚ ସାମର୍ଥ ସୃଷ୍ଟି କରାଯାଇଥିବା ବେଳେ କେତେକ ଅଂଚଳକୁ ପରୀକ୍ଷାମୂଳକ ଭାବେ  ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରି ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ ଜଳସେଚନ କେନାଲ ଯୋଗେ ସେଚ ସୁବିଧା ଯୋଗାଇବା ସଂପର୍କରେ ଆଲୋଚନା ପୂର୍ବକ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।