Categories
ଆଜିର ଖବର ରାଜ୍ୟ ଖବର

ପ୍ରାୟ ୨୮ ଶହ ଲୋକ ସୀମା ଡେଇଁ ବାଲେଶ୍ବର ଆସିଛନ୍ତି: ଆର୍‌ଡିସି

ବାଲେଶ୍ବର: ବାଲେଶ୍ବରରେ କରୋନା ଆକ୍ରାନ୍ତ ବଢିବା ପରେ ଏବେ ଏହି ଜିଲ୍ଲାରେ ସ୍ଥିତି ସମୀକ୍ଷା କରାଯାଇଛି। ଏହି ସମୀକ୍ଷାରୁ ପ୍ରାୟ ୨୮ ଶହ ଲୋକ ସୀମା ଡେଇଁ ବାଲେଶ୍ବରର ପଶି ଆସିବାର ସୂଚନା ମିଳିଛି। ଗତ ଦୁଇ ମାସ ଭିତରେ ପ୍ରାୟ ୨୭ ଶହ/୨୮ଶହ ଲୋକ ବାଲେଶ୍ବର ଆସିଛନ୍ତି। ପଡୋଶୀ ରାଜ୍ୟରେ କାମ କରୁଥିବା ବହୁ ଲୋକ ପଶି ଆସିଛନ୍ତି ବୋଲି ସୂଚନା ରହିଛି। ବାଲେଶ୍ବର ସ୍ଥିତି ସମୀକ୍ଷା ପରେ ଏପରି ସୂଚନା ପ୍ରଦାନ କରିଛନ୍ତି ଆରଡିସି ଅନୀଲ୍‌ ସାମଲ୍‌। ଲକ୍‌ ଡାଉନ୍‌ ପରେ ମଧ୍ୟ କିଛି ଲୋକ ପଶି ଆସିଥିବାର ଜଣାପଡିଛି। ସରପଞ୍ଚ ଏବଂ ଜିପିଇଓମାନଙ୍କ ଦ୍ବାରା ଡାଟା ପ୍ରସ୍ତୁତ କରାଯାଇଛି। ବାହାରୁ ଆସିଥିବାର ସମସ୍ତ ଲୋକଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯିବା ନେଇ ବ୍ୟବସ୍ଥା କରାଯାଇଛି। ସେହିପରି ୧୪ ଦିନ କ୍ବାରେଣ୍ଟାଇନ ରହିବାକୁ ବାଧ୍ୟତାମୂଳକ କରାଯାଇଛି। କ୍ବାରେଣ୍ଟାଇନ୍‌ରେ ରଖି ସେମାନଙ୍କ ସାମ୍ପଲ୍‌ ଟେଷ୍ଟ କରାଯିବ। ଗତକାଲି ଚିହ୍ନଟ ହୋଇଥିବା ଏକ ତୃତୀୟାଂଶ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ରହିଥିବାରୁ ଏବେ ଏହି ସୂଚନାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଓଡ଼ିଶାରେ କରୋନା ଆକ୍ରାନ୍ତ ବଢିବାରେ ଲାଗିଛି। ଦିଲ୍ଲୀ ନିଜାମୁଦ୍ଦିନ୍‌ ଲିଙ୍କ୍‌ ଯୋଗୁଁ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବାବେଳେ ଏବେ ମୁଣ୍ଡବ୍ୟାଥାର କାରଣ ପାଲଟିଛି କୋଲକାତା ଲିଙ୍କ୍‌। ଗତକାଲି ଚିହ୍ନଟ ହୋଇଥିବା ସମସ୍ତ ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣଙ୍କ କୋଲକାତା ଲିଙ୍କ୍‌ ଥିବାର ଜଣାପଡିଥିଲା। ଗତ ୨୮ ଦିନ ମଧ୍ୟରେ ପଶ୍ଚିମବଙ୍ଗରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ସରକାରଙ୍କୁ ନିଜ ଆଡ଼ୁ ସୂଚନା ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗୋମୂତ୍ରରେ ଆରୋଗ୍ୟ ହେଉଛି କୋରୋନା : ଗୁଜବ ପ୍ରଚାର କରି ଯୁବକ ଗିରଫ

କୋଲକାତା : ଗୋମୂତ୍ରରେ ଆରୋଗ୍ୟ ହେଉଛି କୋରୋନା ଭାଇରସ୍‌ । ଏପରି ଗୁଜବ ସୃଷ୍ଟି କରି ଗିରଫ ହୋଇଛନ୍ତି ପଶ୍ଚିମବଙ୍ଗର ଯୁବକ । କୋରୋନା ଭାଇରସ୍‌ରୁ ଆରୋଗ୍ୟ ପାଇଁ ରସୁଣ, ତୁଳସୀ ପତ୍ରର ବ୍ୟବହାର ପରି ଗୁଜବ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ବେଳେ କଲିକତାର ହୁଗୁଳୀ ଜିଲ୍ଲାରେ ଗୋମୂତ୍ରର ଗୁଜବ ଦେଖିବାକୁ ମିଳିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ହୁଗୁଳୀ ଜିଲ୍ଲାର ମାମୁଦ ଅଲ୍ଲୀ । ନିଜ ସାଙ୍ଗ ମାନଙ୍କୁ ହଇରାଣ କରିବା ପାଇଁ ଅଲ୍ଲୀ ଏହି ଗୁଜବ ପ୍ରଚାର କରିଥିଲେ । ପୋଲିସ୍‌ ମାମୁଦ ଅଲ୍ଲୀଙ୍କୁ ଗିରଫ କରିବା ପରେ ସେ ସାଧାରଣ ଲୋକଙ୍କୁ ନୁହେଁ ବରଂ ନିଜ ସାଙ୍ଗ ମାନଙ୍କ ପାଇଁ କରିଥିଲେ ବୋଲି ପ୍ରକାଶ କରିଛନ୍ତି । ସେ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ମାମୁଦ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ଗଣତନ୍ତ୍ର ଦିବସ ପ୍ୟାରେଡ୍‌ରୁ ବାଦ୍‌ ପଡ଼ିଲା ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ

ପଶ୍ଚିମବଙ୍ଗ, 2/1: ନୂତନ ବର୍ଷ ଆସିବା ସହିତ ଗଣତନ୍ତ୍ର ଦିବସର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଏହି ପ୍ୟାରଡ୍‌ରେ ପ୍ରଦର୍ଶିତ ହେବାକୁ ଥିବା ରାଜ୍ୟଗୁଡ଼ିକ ପ୍ରଜ୍ଞାପନ ମେଢ ସୂଚୀରୁ ପଶ୍ଚିମବଙ୍ଗ ବାଦ୍‌ପଡିଛି । ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ନେଇ କେନ୍ଦ୍ର ସରକାରଙ୍କୁ ପାଖକୁ ମୋଟ 56ଟି ପ୍ରସ୍ତାବ ଆସିଥିଲା । ଏହି ପ୍ରସ୍ତାବ ମଧ୍ୟରେ ପଶ୍ଚିମବଙ୍ଗର ପ୍ରସ୍ତାବ ମଧ୍ୟ ରହିଥିଲା । କିନ୍ତୁ କେନ୍ଦ୍ର ସରକାର ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଭିନ୍ନ ବିଷୟକୁ ନେଇ ପଶ୍ଚିମବଙ୍ଗ ସରକାର  ଓ କେନ୍ଦ୍ର ସରକାର ମଧ୍ୟରେ ବିବାଦୀୟ ସ୍ଥିତି ଲାଗି ରହିଛି । ତେବେ ନିକଟରେ ଏହି ପ୍ରଜ୍ଞାପନ ମେଢ ବାଦ୍‌ ପଡ଼ିବା ଘଟଣା ଏକ ନୂତନ ବିବାଦର ସୂତ୍ରପାତ କରିପାରେ ବୋଲି ସୂଚନା ମିଳୁଛି ।

ଗଣତନ୍ତ୍ର ଦିବସ ପ୍ୟାରେଡ୍‌ ଅବସରରେ  ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶନ ହୋଇଥାଏ। ଏଥିରେ ରାଜ୍ୟ, କେନ୍ଦ୍ର ଶାସିତ ପ୍ରଦେଶ ଓ କେନ୍ଦ୍ରୀୟ ମନ୍ତ୍ରାଳୟର ଉପସ୍ଥିତ ଜାହିର୍‌ କରାଯାଇଥାଏ। ଚଳିତ ବର୍ଷ ପ୍ୟାରେଡ୍‌ରେ ମୋଟ 22ଟି ମେଢ ପ୍ରଦର୍ଶନ କରାଯିବ । ଏଥିରେ 16ଟି ରାଜ୍ୟ, 6ଟି କେନ୍ଦ୍ର ଶାସିତ ପ୍ରଦେଶ ଓ 6ଟି କେନ୍ଦ୍ରୀୟ ମନ୍ତ୍ରାଳୟ ରହିଛନ୍ତି । ରକ୍ଷା ମନ୍ତ୍ରାଳୟ ନିକଟରକୁ ପ୍ୟାରେଡ୍‌ ନିମେନ୍ତ ମୋଟ 56ଟି ପ୍ରସ୍ତାବ ଆସିଥିଲା। ଏହି ମେଢ ପ୍ରଦର୍ଶନରେ ସାମିଲ୍‌ ପାଇଁ ଏକ ଲମ୍ବପ୍ରକ୍ରିୟା କରାଯାଇଥାଏ । ଏକ୍ସପର୍ଟ କମିଟି ଦ୍ବାରା ଏହି ମେଢ ପ୍ରଦର୍ଶନ ଉପରେ ନିଷ୍ପତ୍ତି ନିଆଯାଇଥାଏ । ଏଥିରେ ପ୍ରଜ୍ଞାପନ ମେଢର ଥିମ୍‌, କନ୍‌ସେପ୍ଟ, ଡିଜାଇନ୍‌, ଭିଜୁଆଲ୍‌ ଓ ଇଫେକ୍ଟ ଆଦିକୁ ନଜର ଦିଆଯାଇଥାଏ । (ଏଜେନ୍ସି)

Categories
ଆଜିର ଖବର

ଚଳିତ ବର୍ଷ ପଶ୍ଚିମବଙ୍ଗରେ ଡେଙ୍ଗୁରେ ପ୍ରାଣ ହରାଇଛନ୍ତି ୨୭ ଜଣ

କଲିକତା,୪/୧୨: ଚଳିତ ବର୍ଷ ପଶ୍ଚିମବଙ୍ଗରେ ଡେଙ୍ଗୁ ପରସ୍ଥିତିରେ ସୁଧାର ଆସିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୭ ଜଣ ବ୍ୟକ୍ତି ପ୍ରାଣ ହରଇଛନ୍ତି। ୨୦୧୮ରେ ଡେଙ୍ଗୁରେ ୮୬ ଜଣ ପ୍ରାଣ ହରାଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟାକୁ ସରକାର ୨୭କୁ ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ସମୁଦାୟ ୪୪ ହଜାର ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଡେଙ୍ଗୁ ରୋକିବା ନିମନ୍ତେ ସରକାରଙ୍କ ପକ୍ଷରୁ ୩ ହଜାର ଡାକ୍ତର ଏବଂ ୪ ହଜାର ନର୍ସଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସମୁଦାୟ ୪୭୫ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ମମତା ସୂଚନା ଦେଇଛନ୍ତି। (ଏଜେନ୍ସୀ)

 

Categories
ଆଜିର ଖବର

ଆସନ ହରାଇବା ନେଇ ମମତା ଭୟଭୀତ : ଓଓ୍ବେସୀ

ପଶ୍ଚିମବଙ୍ଗରେ ଆସନ ହରେଇବା ନେଇ ମମତା ଭୟଭୀତ ଅଛନ୍ତି ବୋଲି ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦ୍ଦିନ ଓଓ୍ବେସୀ ମତ ଦେଇଛନ୍ତି । ଗତକାଲି ଓଓ୍ବେସୀଙ୍କ ଦଳ ଏଆଇଏମଆଇଏମ ପଶ୍ଚିମବଙ୍ଗରେ ନିର୍ବାଚନରେ ଅଂଶଗ୍ରହଣ ନେଇ ଘୋଷଣା କରିଥିଲା । ଏହା ପରେ ମମତା ଓଓ୍ବେସୀଙ୍କ ଦଳକୁ ଉଗ୍ର ମୁସଲିମ ମାନସିକତା ଦଳ ବୋଲି କହିଥିଲେ । ଏହି ଘୋଷଣା ପରେ ମଙ୍ଗଳବାର ଦିନ ଓଓ୍ବେସୀ ମମତାଙ୍କୁ ପ୍ରତି ଆକ୍ରମଣ କରିଛନ୍ତି । ସାମାଜିକ ବିକାଶ କ୍ଷେତ୍ରରେ ପଶ୍ଚିମବଙ୍ଗ ପଛୁଆ ରହିଥିବା ବେଳେ ଦିଦି ଏଆଆଇଏମଏମ୍‌କୁ ଆକ୍ରମଣ କରିବା ପରାଜୟକୁ ନେଇ ସେ କେତେ ଭୟଭୀତ ତାହା ପ୍ରମାଣ କରୁଛି । ମମତା ଉଗ୍ର ଚିନ୍ତାଧାରା ଦଳ କଥା କହୁଛନ୍ତି ମାତ୍ର ବିଜେପି ପଶ୍ଚିମବଙ୍ଗରେ 42ରୁ 18 ଲୋକସଭା ଆସନରେ କିପରି ବିଜୟୀ ହେଲା ବୋଲି ଓଓ୍ବେସୀ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର

ପଞ୍ଚମ ଦିନରେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ : ମମତାଙ୍କୁ ଡାକିଲେ ରାଜ୍ୟପାଳ

ପଞ୍ଚମ ଦିନରେ ପହଞ୍ଚିଛି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ। ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ପରିବର୍ତ୍ତେ ମମତା ସରକାର ଆନ୍ଦୋଳନରତ ଡାକ୍ତରଙ୍କୁ ଧମକ ଓ ଚେତାବନୀ ଦେଇଥିଲେ। ଯାହାକୁ ବିରୋଧ କରି ପଶ୍ଚିମବଙ୍ଗର ଡାକ୍ତରଙ୍କୁ ସମର୍ଥନ କରିଛନ୍ତି ଅଧିକାଂଶ ରାଜ୍ୟର ଡାକ୍ତରମାନେ। ପଶ୍ଚିମବଙ୍ଗରେ ଚିକିତ୍ସା କରିବା ଅସୁରକ୍ଷିତ ଦର୍ଶାଇ ଇତି ମଧ୍ୟରେ ରାଜ୍ୟରେ ୫୦୦ରୁ ଅଧିକ ଡାକ୍ତର ଇସ୍ତଫା ଦେଇସାରିଛନ୍ତି। ପରିଣାମସ୍ୱରୂପ ରୋଗୀ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏହି ଆନ୍ଦୋଳନରେ ଦେଶ ତଥା ପଶ୍ଚିମବଙ୍ଗର ବଡ଼ ବଡ଼ ଡାକ୍ତରାମାନେ ମଧ୍ୟ ସାମିଲ ହୋଇଛନ୍ତି। ଏଭଳି ସ୍ଥିତିରେ ଦାବି ପୂରଣ ଲାଗି ଏମ୍‌ସ ରେସିଡେଣ୍ଟ ଡାକ୍ତର ସଂଘ ପଶ୍ଚିମବଙ୍ଗ ସରକାରକୁ ୪୮ ଘଣ୍ଟାର ଚରମପତ୍ର ଦେଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ନିସର୍ତ୍ତ କ୍ଷମା ମାଗିବାକୁ କହିଛି ଡାକ୍ତର ସଂଘ। ଏହି ସମୟ ମଧ୍ୟରେ ଡାକ୍ତରଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ ଚେତାବନୀ ଦେଇଛି। ଏପରିକି ଦାବି ପୂରଣ ନ ହେଲେ ଆସନ୍ତା ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବେ ବୋଲି ସୂଚନା ଦେଇଛନ୍ତି।  ଅନ୍ୟପଟେ ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ନିବେଦନ କରିଛନ୍ତି ଏବଂ ଡାକ୍ତରଙ୍କୁ ସୁରକ୍ଷା ଦେବା ବଦଳରେ ମୁଖ୍ୟମନ୍ତ୍ରୀ ମମତାଙ୍କ ଧମକକୁ ନିନ୍ଦା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ସେହିପରି ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗର ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ହସ୍ତକ୍ଷେପ କରୁଥିବା ଜଣାପଡିଛି। ସେ ଏହି ବିଷୟକୁ ନେଇ ମମତାଙ୍କ ସହିତ ଆଲୋଚନା କରିବାକୁ ଚାହିଁଥିବା ସୂଚନା ରହିଛି।

Categories
ଆଜିର ଖବର

ପଶ୍ଚିମବଙ୍ଗରେ ରହିବା ପାଇଁ ବଙ୍ଗଳା ଶିଖିବା ଜରୁରୀ : ମମତା ବାନାର୍ଜୀ

ପଶ୍ଚିମବଙ୍ଗରେ ରହିବାକୁ ହେଲେ ବଙ୍ଗଳା ଶିଖିବା ଜରୁରୀ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଯେତେବେଳେ ଆମେ ଅନ୍ୟ କୌଣସି ରାଜ୍ୟକୁ ଯାଉଛୁ ତେବେ ସେହି ରାଜ୍ୟର ଭାଷା କହିବାକୁ ଚେଷ୍ଟା କରୁଛୁ ସେହିପରି ଯିଏ ପଶ୍ଚିମବଙ୍ଗରେ ରହିବ ତାଙ୍କୁ ବଙ୍ଗଳା ହିଁ କହିବାକୁ ପଡିବ। ଉତ୍ତର ୨୪ ପ୍ରଗଣାର ଏକ ରାଲିରେ ଏହି ମତ ଦେଇଛନ୍ତି ମମତା। ବିଜେପି ପଶ୍ଚିମବଙ୍ଗକୁ ଗୁଜୁରାଟ ବନାଇବାକୁ ଚାହୁଁଛି ବୋଲି ମଧ୍ୟ କହିଛନ୍ତି ମମତା। ଗୁଜୁରାଟ ପରି ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ଦଙ୍ଗା ରାଜନୀତି କରିବାର ପ୍ରୟାସ କରୁଛି ବୋଲି ମମତା କହିଛନ୍ତି। ବର୍ତ୍ତମାନ ବଙ୍ଗଳା ଭାଷାକୁ ଆଗକୁ ଆଣିବାର ସମୟ ଆସିଛି ବୋଲି କହିଛନ୍ତି ମମତା। ସେହିପରି ଏହି ରାଲିରେ ଅପର୍ଣ୍ଣା ସେନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ମମତା। ମମତା ଡାକ୍ତରଙ୍କ ସହିତ ଆଲୋଚନା କରି ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଧାରନ୍ତୁ ବୋଲି କହିଥିଲେ ଅପର୍ଣ୍ଣା ସେନ।

Categories
ଆଜିର ଖବର

ଗଙ୍ଗା ପ୍ରଦୂଷଣ ନେଇ ଉଦ୍‌ବେଗ : ତିନୋଟି ରାଜ୍ୟକୁ ଏନ୍‌ଜିଟିର ୨୫ ଲକ୍ଷ ଜରିମାନା

ଗଙ୍ଗା ନଦୀକୁ ବାରମ୍ବାର ପ୍ରଦୂଷିତ କରୁଥିବାରୁ ତିନୋଟି ରାଜ୍ୟକୁ ୨୫ ଲକ୍ଷ ଟଙ୍କାର ଜରିମାନା ପ୍ରଦାନ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଉପରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି) ଅସନ୍ତୋଷ ପ୍ରକାଶ କରିବା ସହିତ ଏହି ୩ଟି ରାଜ୍ୟକୁ ୨୫ ଲକ୍ଷ ଟଙ୍କା ଲେଖାଏ ଜରିମାନା ଲାଗୁ କରିଛନ୍ତି। ରାଜ୍ୟଗୁଡ଼ିକ ଦୂଷିତ ପାଣିକୁ ସ୍ବଚ୍ଛ ନ କରି ସିଧାସଳଖ ଗଙ୍ଗାକୁ ଛାଡ଼ୁଥିବାରୁ ନଦୀର ଦଳ ଦୂଷିତ ହେଉଛି। ତେଣୁ ଏନଜିଟି ଉପରୋକ୍ତ ୩ ରାଜ୍ୟକୁ ସିୱେଜ ପ୍ରକଳ୍ପ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ କୌଣସି ରାଜ୍ୟ ତାହାକୁ ପାଳନ କରିନାହାନ୍ତି। ବିହାର ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ସିୱେଜ ପ୍ରକଳ୍ପ ଶେଷ କରି ନ ଥିବାବେଳେ ପଶ୍ଚିମବଙ୍ଗା ୨୨ରୁ ୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛି। ଝାଡ଼ଖଣ୍ଡ ବି ଆବଶ୍ୟକ ସଂଖ୍ୟକ ସିୱେଜ ପ୍ରକଳ୍ପ କରିବାରେ ବିଫଳ ହୋଇଛି। ଏ ନେଇ ଏନଜିଟି ୩ ରାଜ୍ୟକୁ ନୋଟିସ ଜାରି କରିଥିଲେ ବି କୌଣସି ରାଜ୍ୟ ପକ୍ଷରୁ ପ୍ରତିନିଧି ହାଜର ହୋଇ ନ ଥିଲେ। ତେଣୁ ରାଜ୍ୟଗୁଡ଼ିକର ଆଭିମୁଖ୍ୟ ଉପରେ ଟ୍ରିବ୍ୟୁନାଲ ଅସନ୍ତୋଷ ପ୍ରକାଶ କରିବା ସହ ଏଭଳି ଗମ୍ଭୀର ମାମଲାରେ ସରକାରଙ୍କ ସମ୍ବେଦନହୀନତା ଚିନ୍ତାର ବିଷୟ ବୋଲି କହିଛନ୍ତି।

Categories
ଆଜିର ଖବର

ପଶ୍ଚିମବଙ୍ଗର ଦୁଇ ଐତିହାସିକ ମସଜିଦ୍‌ରେ ମହିଳାଙ୍କୁ ନମାଜ ପଢିବା ପାଇଁ ମିଳିଲା ଅନୁମତି

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାଠାରେ ଦୁଇ ଐତିହାସିକ ମସଜିଦ୍‌ ଯଥାକ୍ରମେ ନଖୋଡା ମସ୍‌ଜିଦ୍‌ ଓ ଟିପୁ ସୁଲତାନ୍‌ ମସଜିଦ୍‌ରେ ମହିଳାଙ୍କୁ ନମାଜ୍‌ ପଢିବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ଦୁଇ ମସ୍‌ଜିଦ୍‌ରେ ମହିଳାଙ୍କ ପାଇଁ ଅଲଗା ଅଲଗା ହଲ୍‌ କରାଯାଉଛି, ଯେଉଁଠି ସେମାନେ ନମାଜ୍‌ ପାଠ କରିପାରିବେ। ଏହା ସହିତ ମହିଳାଙ୍କ ପାଇଁ ସ୍ବତନ୍ତ୍ର ପ୍ରବେଶର ବ୍ୟବସ୍ଥା ସହିତ ଶୌଚାଳୟର ମଧ୍ୟ ବ୍ୟବସ୍ଥା କରାଯାଉଛି। ବଙ୍ଗର ଇମାମ୍‌ ଆସୋସିଏସନ୍‌ ଲିଖିତ ଦାବି ଦ୍ବାରା ଏହି ଦୁଇ ମସଜିଦ୍‌ର କମିଟି ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଉଛନ୍ତି। ନଖୋଡ଼ା ମସଜିଦ୍‌ ବାଦୀ ମସ୍‌ଜିଦ୍‌ ରୂପେ ପରିଚିତ। ଦୁଇ ମସଜିଦ୍‌ରେ ମହିଳାଙ୍କ ନମାଜ ପାଠ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ କୋଲକାତା ନଗର ନିଗମଙ୍କୁ ସୂଚନା ଦିଆଯାଇଛି। ନଗର ନିଗମ ତରଫରୁ ଏହି ଦୁଇ ମସଜିଦ୍‌ରେ ମହିଳା ଓ ଦିବ୍ୟାଙ୍ଗ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେଉଛନ୍ତି।

Categories
ଆଜିର ଖବର

ପୁନଃ ନିର୍ବାଚନ ପାଇଁ ହିଂସାତ୍ମକ ରାସ୍ତା ଆପଣାଉଛି ତୃଣମୂଳ : ବିଜେପି

ପଶ୍ଚିମବଙ୍ଗର କିଛି ବୁଥ୍‌ରେ ପୁନର୍ବାର ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସର ନେତା ମାନେ ହିଂସାତ୍ମକ ରାସ୍ତା ଆପଣାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ସଶସ୍ତ୍ର ସୁରକ୍ଷା ବଳଙ୍କୁ ବିଜେପି ନିଜର ରାଜନୈତିକ ସୁରକ୍ଷା ପାଇଁ ବ୍ୟବହାର କରୁଛି ବୋଲି ତୃଣମୂଳ ପକ୍ଷରୁ ଅଭିଯୋଗ ଅଣାଯିବା ପରେ ବିଜେପି ପକ୍ଷରୁ ଏହି ଅଭିଯୋଗ କରାଯାଇଛି। ତୃଣମୂଳ ନେତୃବୃନ୍ଦ ନିଜର ମାନସିକ ଭାରସାମ୍ୟ ହରାଇଥିବା ପରି ପ୍ରତୀୟମାନ ହେଉଛି ବୋଲି ବିଜେପି ପକ୍ଷରୁ ମୁକୁଲ ରାୟ କହିଛନ୍ତି। ଗତକାଲି ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ 9ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେଉଥିବା ବେଳେ ତନ୍ମଧ୍ୟରୁ 8ଟି ସଂସଦୀୟ କ୍ଷେତ୍ରର ବିଭିନ୍ନ ବୁଥ୍‌ରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ନିର୍ବାଚନରେ ପରାଜୟ ଭୟରେ ତୃଣମୂଳ ଏପରି ଅଭିଯୋଗ ଆଣିବା ସହିତ ହିଂସାକାଣ୍ଡର ରାସ୍ତା ଆପଣାଇଛି ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟା ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର

ଝୁଲା ସଂସଦର ସମ୍ଭାବନା; ପଶ୍ଚିମବଙ୍ଗ ଓ ଓଡିଶା ର ଫଳାଫଳ ଉପରେ ନିର୍ଭର କରୁଛି ନରେନ୍ଦ୍ର ମୋଦୀଙ୍କ ଭାଗ୍ୟ

କେଦାର ମିଶ୍ର

ଆଜି ସନ୍ଧ୍ୟାରେ ୧୭ଶ ଲୋକସଭା ପାଇଁ ସାଧାରଣ ନିର୍ବାଚନ ଲାଗି ପ୍ରଚାର ଶେଷ ହେଉଛି। ଆସନ୍ତା ୧୯ ତାରିଖରେ ସପ୍ତମ ତଥା ଶେଷ ପର୍ଯାୟ ଲାଗି ଭୋଟ ଗ୍ରହଣ କରାଯିବ। ଶେଷ ପର୍ଯାୟରେ ଆଉ ୫୯ ଟି ଆସନରେ ଭୋଟ ଗ୍ରହଣ ବାକିଥିବା ବେଳେ ୪୮୩ ଆସନରେ ଭୋଟ ଗ୍ରହଣ ସରିଯାଇଛି। ମୋଟାମୋଟି ଏବେ ଦେଶର ଜନମତ କେଉଁ ଦିଗକୁ ଯିବ ତାର ଏକ ସ୍ପଷ୍ଟ ଚିତ୍ର ଜଣା ପଡିଯାଉଛି। ନିର୍ବାଚନ ଆରମ୍ଭ ସମୟରେ ପୁଲୱାମା ଆକ୍ରମଣ ଓ ତାର ପରବର୍ତ୍ତୀ ସାମରିକ ଉତ୍ତେଜନା କୁ କେନ୍ଦ୍ର କରି ରାଜନୀତି ଚଳଚଞ୍ଚଳ ଥିଲା। ଡିସେମ୍ବର ୨୦୧୭ ରେ ବିଜେପି ମଧ୍ୟପ୍ରେଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ହାରିବା ପରେ ଦଳ ଭିତରେ ଯେଉଁ ଆଶଙ୍କା ଥିଲା ତାହା ପୁଲୱାମା ଓ ବାଲାକୋଟ ମାଧ୍ୟମରେ ଦୂର ହୋଇ ଯାଇଥିଲା। ତେବେ ନିର୍ବାଚନ ଘୋଷଣା ପରେ ସେନାବାହିନୀକୁ ନେଇ ବିଜେପି ରାଜନୀତି ଖୁବ ବେଶୀ ପ୍ରଭାବଶାଳୀ ସାବ୍ୟସ୍ତ ହେଲାନାହିଁ।

ପାଞ୍ଚ ବର୍ଷର ଶାସନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସରକାରର ସଫଳତା ଆଧାରରେ ଭୋଟ ନ ମାଗି, କଂଗ୍ରେସକୁ ଗାଳି ଦେବାକୁ ମୁଖ୍ୟ ପ୍ରସଙ୍ଗ କଲେ। ଏହି ନିର୍ବାଚନ ପ୍ରଚାରରେ ହଠାତ ପଣ୍ଡିତ ଜବାହାରଲାଲ ନେହେରୁ ଓ ରାଜୀବ ଗାନ୍ଧୀ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଗଲେ। ନରେନ୍ଦ୍ର ମୋଦୀ ନିଜ ସଫଳତାର ମୂଳ ଭାବରେ ଗାନ୍ଧୀ ପରିବାରର ବିଫଳତା ବୋଲି ବୋଧେ ଭାବିନେଲେ! ଯାହାର ପରିଣତି ସ୍ଵରୂପ ନିର୍ବାଚନ ପ୍ରଚାରରେ କୌଣସି ବାସ୍ତବ ପ୍ରସଙ୍ଗ ଆଉ ଆଲୋଚିତ ହେଲାନାହିଁ। ରାଜନୀତିର ଗମ୍ଭୀର ଚିନ୍ତନ ସ୍ଥାନରେ ପ୍ରଧାନମନ୍ତ୍ରୀ ଆମ୍ବ ଖାଆନ୍ତି କି ନାଇଁ, ଯଦି ଖାଆନ୍ତି ତାକୁ ଚୁଚୁମି କି ନା କାଟିକରି ଖାଆନ୍ତି, ତାହା ଚର୍ଚ୍ଚାରେ ରହିଲା। ଏପରିକି ପ୍ରଧାନମନ୍ତ୍ରୀ ମନି ପର୍ସ ଧରନ୍ତି କି ନାଇଁ, ତାହା ମଧ୍ୟ ଚର୍ଚ୍ଚାରେ ରହିଲା। ମୂଳତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ନିର୍ବାଚନକୁ ଏକ ଅଣରାଜନୈତିକ ନିର୍ବାଚନ କରିବାକୁ ପ୍ରବଳ ପ୍ରୟାସ କରିଥିଲେ।

ତେବେ ପ୍ରଧାନମନ୍ତ୍ରୀ ରାଜନୀତି ଚର୍ଚ୍ଚା ରୁ ଯେତେ ଦୂରେଇବାକୁ ଚାହିଁଲେ ମଧ୍ୟ ନିର୍ବାଚନ ରାଜନୀତିର ସବୁଠୁ ବଡ ଖେଳ,ଏହାକୁ ଅସ୍ଵୀକାର କରି ନିର୍ବାଚନ ଲଢି ହେବନାହିଁ। ନିର୍ବାଚନର ପ୍ରଥମ  ପର୍ୟାୟରୁ ଶେଷ ପର୍ଯାୟ ପର୍ଯନ୍ତ ପ୍ରଧାନମନ୍ତ୍ରୀ ବାରମ୍ବାର ପ୍ରସଙ୍ଗ ବଦଳାଇଛନ୍ତି ଓ ବିଜେପିର ଏକମାତ୍ର ଏଜେଣ୍ଡା ଯେ କେବଳ ନରେନ୍ଦ୍ର ମୋଦୀ, ତାହା ପ୍ରମାଣିତ କରିଛନ୍ତି। ତେବେ ଛଅ ଟି ପର୍ଯାୟର ନିର୍ବାଚନ ଫଳାଫଳ ବିଜେପି ଲାଗି ଖୁବ ଉତ୍ସାହଜନକ ନୁହେଁ ବୋଲି ଏବେ ଦିଲ୍ଲୀ ମହଲରେ ଚର୍ଚ୍ଚା ଚାଲିଛି। ବିଶେଷକରି ଉତ୍ତରପ୍ରଦେଶରେ ପ୍ରବଳ ବିଜେପି ବିରୋଧୀ ହାୱା ବିଷୟରେ ସବୁଠି ଚର୍ଚ୍ଚା ଚାଲିଛି। ଉତ୍ତର ପ୍ରଦେଶରେ ଗତଥର ବିଜେପିକୁ ୮୦ ରୁ ୭୩ ଆସନ ମିଳିଥିବା ବେଳେ ଚଳିତ ନିର୍ବାଚନରେ ସମାଜବାଦୀ ଓ ବହୁଜନ ସମାଜ ପାର୍ଟିର ମେଣ୍ଟ ବିଜେପିର ବାଟ ଓଗାଳିଛି। ମେଣ୍ଟ ଅତି କମରେ ୪୦ ରୁ ୫୦ ଆସନ ଏଥର ପାଇବ ବୋଲି ଏବେ ଆକଳନ କରାହେଉଛି।

ସେହିପରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ, ଗୁଜରାଟ, ଛତିଶଗଡ, ହରିୟାନା ଓ କର୍ଣ୍ଣାଟକ ରେ ଗତଥର ଭଳି ସମାନ ଫଳାଫଳ ବିଜେପି ଖାତାକୁ ଆସୁନାହିଁ। ତେଣୁ ଉତ୍ତର ଭାରତ ଓ ପଶ୍ଚିମ ଭାରତର ରାଜ୍ୟ ଗୁଡିକରେ ବିଜେପି ଯେଉଁ କ୍ଷତି ସହିବ ତାହା ଓଡିଶା ଓ ପଶ୍ଚିମବଙ୍ଗରେ ଭରଣା ହୋଇ ପାରିବ ବୋଲି ବିଜେପି ଚିନ୍ତା କରୁଛି। ଓଡିଶାରେ ୧୨ଓ ପଶ୍ଚିମ ବଙ୍ଗରେ ୨୨ ଟି ଆସନ ପାଇବାକୁ ବିଜେପି ଆଶା ରଖିଛି। ତେବେ ଓଡିଶାରେ କେଉଁ ୧୨ଟି ଆସନ ବିଜେପି ପାଇବ ଓ ଏହା ପଛରେ ନିର୍ବାଚନୀ ଯୁକ୍ତି କଣ, ତାହା ବିଜେପିକୁ ଜଣା ନାହିଁ। ବିଜେପିର ଯୁକ୍ତି ହେଲା ଗୋଟିଏ ଲୋକସଭା ଆସନର କୌଣସି ବିଧାନସଭା ଆସନ ନ ଜିତିଲେ ମଧ୍ୟ ଲୋକସଭା ଆସନ ବିଜେପି ଖାତାକୁ ଆସିବ। ଯଦି ସତରେ ତାହା ଘଟେ ଏହା ଭାରତୀୟ ନିର୍ବାଚନୀ ଇତିହାସରେ ଏକ ବିସ୍ମୟକର ଘଟଣା ବୋଲି ଆମକୁ ମାନିବାକୁ  ପଡିବ।

ପ୍ରଥମଥର ଲାଗି ଓଡିଶା ନିର୍ବାଚନରେ ଏଥର ଭୋଟ ବିଭାଜନର ପ୍ରଶ୍ନ ଉଠିଛି। ଲୋକସଭାରେ ଓ ବିଧାନସଭା ରେ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାର ପ୍ରବଣତା ଦେଖିବାକୁ ମିଳିଛି। ତେବେ ଏ ପ୍ରକାର ପ୍ରବଣତା ବିଜେପିକୁ କେତୋଟି ଆସନ ଦେବ, ତାହା କହିବା ମୁସ୍କିଲ। ଭୋଟ ପ୍ରତିଶତ ବଢିଲେ ଯେ ଦଳର ଆସନ ସଂଖ୍ୟା ବଢିବ, ତାହା ବିଲକୁଲ କହିହେବ ନାହିଁ। ଏହା ଆଗରୁ ବିଜେଡି ବିରୋଧରେ ବିଜେପିର ଯେଉଁ ମୁହଁ ଫୁଟାଣି ଥିଲା ଆଜି ଆଉ ତାହା ନାହିଁ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏବେ ନବୀନ ପଟ୍ଟନାୟକଙ୍କ ସ୍ତୁତି ଗାନରେ ଲାଗି ପଡିଛନ୍ତି। ଏଥିରୁ ଅନ୍ତତଃ ଗୋଟିଏ କଥା ସ୍ପଷ୍ଟ ଯେ ବିଜେପିର ଓଡିଶା ଆଶା ନବୀନଙ୍କ ଭରସାରେ ଚାଲିଛି। ପଶ୍ଚିମବଙ୍ଗରେ ବିଜେପି ଏଥର ଏକ ପ୍ରକାର “କର ବା ମର” ସଂଘର୍ଷ କରୁଛି। ତ୍ରିଣମୂଳ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନରେନ୍ଦ୍ର ମୋଦୀଙ୍କ ଏକ ନମ୍ବର ଶତ୍ରୁ ଭାବରେ ଉଭା ହୋଇଛନ୍ତି। ପଶ୍ଚିମ ବଙ୍ଗ ନିର୍ବାଚନରେ ବ୍ୟାପକ ହିଂସା ଓ ବିଜେପି ତଥା ତୃଣମୂଳ ଭିତରେ ଯେଉଁ କଟୁ ସଂଘର୍ଷ ଚାଲିଛି, ସେଥିରୁ ଗୋଟେ କଥା ଜଣ ପଡୁଛି ଯେ, ବିଜେପି ଲାଗି ପଶ୍ଚିମବଙ୍ଗ ହିଁ ଶେଷ ଆଶା।

ପଶ୍ଚିମବଙ୍ଗ ରାଜନୀତି ରେ ଭୟଙ୍କର ଧୃବୀକରଣ ଯୋଗୁଁ ବିଜେପି ଲାଭବାନ ହେବ ବୋଲି ବିଜେପି ତରଫରୁ ପ୍ରଚାର ଚାଲିଛି। ତେବେ ବାସ୍ତବ କ୍ଷେତ୍ରରେ ମମତା ଦିଦିଙ୍କୁ ମାତ ଦେବା ଭଳି ପରିସ୍ଥିତି ବଙ୍ଗଳାରେ ଆସିନାହିଁ। ଓଡିଶା ଓ ବଙ୍ଗଳା କୁ ମିଶେଇ ବିଜେପି ୧୫ ଆସନ ପାଇଲେ ବହୁତ ବଡ ସଫଳତା ହେବ। ବର୍ତ୍ତମାନର ପରିସ୍ଥିତି ଓ ପୃଷ୍ଠଭୂମିରୁ ଏକଥା କୁହାଯାଇପାରେ ଯେ ଆମେ ଏକ ଝୁଲା ଭବିଷ୍ୟତ ଆଡକୁ ଗତି କରୁଛୁ।

Categories
ଆଜିର ଖବର

ଦୁର୍ନୀତିଗ୍ରସ୍ତ ଏବଂ ମାଫିଆ ତୁଷ୍ଟୀକରଣ ତୃଣମୂଳର ପ୍ରଥମ ଲକ୍ଷ୍ୟ : ନିର୍ମଳା ସୀତାରମଣ

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପଶ୍ଚିମବଙ୍ଗରେ ଏକ ନିର୍ବାଚନୀ ରାଲିରେ ତୃଣମୂଳକୁ କଡା ସମାଲୋଚନା କରିଛନ୍ତି। ଦୁର୍ନୀତିଗ୍ରସ୍ତ ଏବଂ ମାଫିଆ ଗୋଷ୍ଠୀଙ୍କ ତୁଷ୍ଟୀକରଣ ମମତା ବାନାର୍ଜୀ ସରକାରର ପ୍ରଥମ ଲକ୍ଷ୍ୟ ବୋଲି ସୀତାରମଣ କହିଛନ୍ତି। ମାଫିଆ ଗୋଷ୍ଠୀର ତୁଷ୍ଟିକରଣରେ ସରକାର ବ୍ୟସ୍ତ ରହୁଥିବାରୁ ରାଜ୍ୟରେ ପୋଲିସ ବିଭାଗ ପ୍ରଭାବହୀନ ହୋଇ ପଡିଛି। ଏଥିପାଇଁ ପଶ୍ଚିମବଙ୍ଗମରେ ନାରଦ-ଶାରଦା ପରି ଦୁର୍ନୀତି ଦେଖିବାକୁ ମିଳିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ସେହିପରି ତୃଣମୂଳର ତ ତୁଷ୍ଟିକରଣ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ନିର୍ମଳା। ବିଜେପିର ମେଦିନିପୁର ଲୋକସଭା ପ୍ରାର୍ଥୀ ଦିଲ୍ଲୀପ କୁମାର ଘୋଷଙ୍କ ପାଇଁ ନିର୍ବାଚନ ପ୍ରଚାରରେ ତୃଣମୂଳକୁ ସମାଲୋଚନା କରିଛନ୍ତି ଏହି ରାଜ୍ୟସଭା ସାଂସଦ। ଉଲ୍ଲେଖଯୋଗ୍ୟ ଯେ, ପକଶ୍ଚିମବଙ୍ଗରେ ନିର୍ବାଚନ ୭ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ମେଦିନିପୁରରେ ମେ ୧୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

Categories
ଆଜିର ଖବର

ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟର ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରଚାର ଶେଷ

ପଶ୍ଚିମବଙ୍ଗର ତିନିଟି ଜିଲ୍ଲାରେ ପାଞ୍ଚଟି ଲୋକସଭା ଆସନ ପାଇଁ ସାତ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩ ଭୋଟ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେଉଛି। ଏପ୍ରିଲ ୨୩ ରେ ପାଞ୍ଚଟି ଲୋକସଭା ଆସନ ବାଲୁରାଘାଟ,ଉତ୍ତର ମାଲଦା,ଦକ୍ଷିଣ ମାଲଦା ,ଜାଙ୍ଗିପୁର ଏବଂ ମୁର୍ଶିଦାବାଦ ରେ ଭୋଟ ଗ୍ରହଣ କରାଯିବ। ଏହି ନିର୍ବାଚନ ମଣ୍ଡଳୀ ଗୁଡିକ ରେ ଭାରତୀୟ ଜନତା ପାର୍ଟି ,ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ,ଭାରତୀୟ ଜାତୀୟ କଂଗ୍ରେସ ଏବଂ ବାମ ପନ୍ଥୀ ଦଳ ଗୁଡିକ ନିଜର ପ୍ରାର୍ଥୀ ଦେଇଛନ୍ତି। ଏହି ପାଞ୍ଚଟି ଆସନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ,ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏବଂ ବାମପନ୍ଥୀ ଦଳଗୁଡିକ ର ଶୀର୍ଷ ନେତାଗଣ ହାଇଭୋଲଟେଜ୍‌ ପ୍ରଚାର କରିଛନ୍ତି । ତେବେ ଏହି ହାଇଭୋଲେଟେଜ୍‌ ପ୍ରଚାର କେବଳ ମୋଦୀ ଏବଂ ମମତା ମଧ୍ୟରେ ସୀମିତ ରହିଛି। ଦୁର୍ନୀତିରୁ ନେଇ ଜାତିଆଣ ବାଦ, ଏନଆରସି ରୁ ଆରମ୍ଭ କରି ଚିଟଫଣ୍ଡ ଦୁର୍ନୀତିରୁ ନେଇ ସୁରକ୍ଷା ପର୍ଯ୍ୟନ୍ତ ଥିବା ମୁଦ୍ଦାଗୁଡିକୁ ଦଳମାନେ ପ୍ରଚାରରେ ସାମିଲ କରିଛନ୍ତି।  ତୃଣମୂଳ କଂଗ୍ରେସ ମୁଖ୍ୟ ମୋଦୀଙ୍କୁ ହରାଇବାକୁ ଆହ୍ଵାନ ଦେଇଥିବା ବେଳେ ମୋଦୀ ମଧ୍ୟ ତାଙ୍କ ଦଳ ସପକ୍ଷରେ ମତଦାନ କରିବାକୁ ଲୋକଙ୍କୁ କହିଛନ୍ତି।

ବାଲାଘାଟରେ ପ୍ରମୁଖ ସ୍ରୋତରେ ଥିବା ଦଳ ଯଥା ଏଆଇଟିଏମ୍‌ସି, ବିଜେପି, ,ଆରଏସ୍‌ପି, କଂଗ୍ରେସକୁ ମିଶାଇ ୧୩ ଜଣ ପ୍ରତିଯୋଗୀ ରହିଛନ୍ତି। କିନ୍ତୁ ମୁଖ୍ୟ ଲଢେଇ ଟିଏମ୍‌ସି ଓ ବିଜେପି ମଧ୍ୟରେ ହେବ। ୨୦୧୪ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଅର୍ପିତା ଘୋଷ ରିଭଲ୍ଯୁସନାରୀ ସୋସିଆଲିଷ୍ଟ ପାର୍ଟି ର ବିମଲେନ୍ଦୁ ସରକାରକୁ ହରାଇ ସେହି ନିର୍ବାଚନ ମଣ୍ଡଳୀକୁ  ବାମପନ୍ଥୀ ଙ୍କ ହାତ ରୁ ଛଡାଇ ଆଣିଥିଲେ। ରିଭଲ୍ଯୁସନାରୀ ସୋସିଆଲିଷ୍ଟ ପାର୍ଟି ସେହି ଆସନ କୁ ନିଜ କବ୍ଜା ରେ ରଖିଥିଲା ଯାହା ୧୯୭୭ ରୁ ୨୦୦୯ ଯାଏଁ ଜନଜାତି ପ୍ରାର୍ଥୀ ପାଇଁ ସଂରକ୍ଷିତ ଥିଲା। ପୂର୍ବ ଲୋକସଭା ନିର୍ବାଚନରେ ଟିଏମସିର ଅର୍ପିତା ଘୋଷ ଆରଏସପି ର ବିମଲେନ୍ଦୁ ସରକାର ଙ୍କୁ ୧,୦୬,୯୬୪ ଭୋଟ ରେ ପରାସ୍ତ କରିଥିଲେ। ସେହି ଭୋଟ ରେ ଟି ଏମ ସି ୩୯.୮୫ ପ୍ରତିଶତ ଭୋଟ ଏବଂ ଆର ଏସ ପି ୨୯.୪୫ ପ୍ରତିଶତ ଭୋଟ ପାଇଥିଲା ଏବଂ ବିଜେପି ୨୧.୭୦ ପ୍ରତିଶତ ଓ କଂଗ୍ରେସ ୭.୮୫ ପ୍ରତିଶତ ଭୋଟ ପାଇଥିଲା।

Categories
ଆଜିର ଖବର

ଦୁଇଟି ପର୍ଯ୍ୟାୟ ନିର୍ବାଚନ ପରେ ଦିଦିଙ୍କ ନିଦ ହଜି ଯାଇଛି : ମୋଦି

ପଶ୍ଚିମବଙ୍ଗରେ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ସମାଲୋଚନା କରିଛନ୍ତି ମୋଦି। ମୋଦି କହିଛନ୍ତି ରାଜ୍ୟରେ ଦୁଇଟି ପର୍ଯ୍ୟାୟର ନିର୍ବାଚନ ପରେ ବର୍ତ୍ତମାନ ଦିଦିଙ୍କ ନିଦ ହଜିଯାଇଛି। ମେ ୨୩ରେ ନିର୍ବାଚନ ଫଳାଫଳ ଆସିବା ପରେ ଗୁଣ୍ଡାଗର୍ଦ୍ଦି, ସାଧାରଣ ଜନତାଙ୍କ ଅର୍ଥ ହରିଲୁଟ ଏବଂ ବିକାଶରେ ବାଧା ସୃଷ୍ଟି କରିବାର ପରିଣାମ କଣ ହୁଏ ତାହା ଜାଣି ପାରିବେ ବୋଲି କହିଥିଲେ ମୋଦି। ମୋଦି କହିଥିଲେ ରାଜ୍ୟର ବିକାଶରେ ବାଧା ସୃଷ୍ଟି କରୁଥିବା ସ୍ପିଡ୍‌ ବ୍ରେକର୍‌ ଦିଦିଙ୍କ ନିଦ ବର୍ତ୍ତମାନ ହଜିଯାଇଛି। ୨୩ ତାରିଖରେ ମୋଦି ସରକାର ଗଠନ ହେବା ପରେ ପଶ୍ଚିମବଙ୍ଗକୁ ବାଂଲାଦେଶୀ ଅନୁପ୍ରବେଶ କାରୀଙ୍କୁ ରୋକିବାରେ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୋଦି କହିଥିଲେ। ସର୍ବଦା ମମତା ‘ମା, ମାଟି , ମାନୁଷ’ର ନାରା ଦେଉଥିଲେ ମଧ୍ୟ ପଶ୍ଚିମବଙ୍ଗ ବାସୀଙ୍କ ଅର୍ଥକୁ ଚିଟ୍‌ଫଣ୍ଡ ଜରିଆରେ ଲୁଟିଛନ୍ତି ବୋଲି ମୋଦି କହିଥିଲେ। ସେହିପରି ଏକ ନିର୍ଦ୍ଦିଷ୍ଟ ଜାତିର ଲୋକଙ୍କୁ ପ୍ରଭାବିତ କରିବା ପାଇଁ ପଡୋଶୀ ରାଷ୍ଟ୍ରର ଅଭିନେତାଙ୍କୁ ଆଣି ପ୍ରଚାର ଚଳାଇଥିଲେ। ସେହିପରି ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁଥିବା ନେତାଙ୍କ ମଧ୍ୟରେ ମମତା ଅନ୍ୟତମ ବୋଲି ମୋଦି କହିଛନ୍ତି।