Categories
ଆଜିର ଖବର ଜାତୀୟ ଖବର

ଲକ ଡାଉନ୍‌ ସମୟରେ ମଦ ଚୋରାଚାଲାଣ, କନେଷ୍ଟବଳ ସମେତ ଚାରି ଗିରଫ

ନୂଆଦିଲ୍ଲୀ : ଲକଡାଉନ୍‌ ସମୟରେ ମଦ ତସ୍କରୀ ଅପରାଧରେ ଦିଲ୍ଲୀ ପୋଲିସ୍‌ର ଜଣେ କନେଷ୍ଟବଳଙ୍କ ସମେତ ଚାରିଜଣ ଗିରଫ ହୋଇଛନ୍ତି । ରବିନ୍ଦ୍ର ନାମକ ଏହି କନେଷ୍ଟବଳ ଜଣକ ବେଗପୁର ପୋଲିସ୍‌ ଥାନାରେ ନିୟୋଜିତ ଥିଲେ। ସେ ତାଙ୍କ ସାଥୀମାନଙ୍କ ସହିତ ମଦ ଚୋରାଚାଲାଣରେ ସାମିଲ୍‌ ରହିଥିଲେ ।

ପୋଲିସ୍‌ ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ତତକ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ କରିଛି । ମିଳିଥିବା ସୂଚନା ଅନୁସାରେ ପୋଲିସ୍‌କୁ ଜହାଙ୍ଗିରୀପୁରୀଠାରେ ଏକ ହୋଟେଲ୍‌ ସାମ୍ନାରୁ କନେଷ୍ଟବଳଙ୍କ ସମେତ ତାଙ୍କ ସାଥୀଙ୍କୁ ଧରିବାରେ ସଫଳ ହୋଇଥିଲା ।  50 ବୋତଲ ମଦ ଜବତ ହେବା ସହିତ ଏହି ଅପରାଧୀମାନଙ୍କ ବିରୋଧରେ ମାମଲା ଦାଏର କରାଯାଇଛି ।

କରୋନା ସହ ମୁକାବିଲା କରିବା ପାଇଁ ଦେଶରେ ମାର୍ଚ୍ଚ 24ରୁ ଲକ୍ ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ସମୟରେ ରାଜ୍ୟର ସମସ୍ତ ମଦଦୋକାନକୁ ବନ୍ଦ କରାଯିବା ସହିତ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏପରି ସମୟରେ ଜଣେ ପୋଲିସ କର୍ମୀଙ୍କ ଦ୍ବାରା ମଦ ଚୋରାଚାଲାଣ ଓ ପୋଲିସ୍‌ର ଯାଞ୍ଚ ଚର୍ଚ୍ଚାର ଶରବ୍ୟ ପାଲଟିଛି ।