Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

7,940 କୋଟି ଟଙ୍କା ଦାନ କରି ରେକର୍ଡ କରିଛନ୍ତି ଏହି ଭାରତୀୟ ଶିଳ୍ପପତି, ଜାଣନ୍ତୁ କିଏ

ନୂଆଦିଲ୍ଲୀ : ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ତଥା ଓ୍ଵିପ୍ରୋର ଅଧ୍ୟକ୍ଷ ଅଜିମ୍‌ ପ୍ରେମଜୀ ଚଳିତ ବର୍ଷ ପାଇଁ  ଭାରତର ସବୁଠୁ ବଦାନ୍ୟ ବ୍ୟକ୍ତି ଭାବେ ସ୍ଥାନ ପାଇଛନ୍ତି । ସେ 2020 ବର୍ଷ ପାଇଁ 7940 କୋଟି ଟଙ୍କା ଦାନ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି ।ପ୍ରେମଜୀ ଦିନ ପ୍ରତି ହାରାହାରି 22 କୋଟି ଟଙ୍କା ଦାନ କରୁଥିବା ଜଣାପଡିଛି । 75 ବର୍ଷୀୟ ଏହି ଶିଳ୍ପପତି ଜଣକ 2020ରେ 7904 କୋଟି ଟଙ୍କା ଦାନ କରିଥିବା ନେଇ ଏଡେଲଗିଭ ହୁରୁନ ଇଣ୍ଡିଆ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ଭାରତୀୟ ଧନୀକଙ୍କ ମଧ୍ୟରେ ପାଞ୍ଚ ନମ୍ବର ସ୍ଥାନରେ ରହିଥିବା ପ୍ରେମଜୀ ସମାଜସେବା ପାଇଁ ଅର୍ଥଦାନରେ ପ୍ରଥମ ସ୍ଥାନରେ ରହିଛନ୍ତି । ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ।

ଏଡେଲଗିଭ ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ଆହୁରି 9 ଜଣ ଶିଳ୍ପପତି ସାମିଲ ଅଛନ୍ତି । 795 କୋଟି ଟଙ୍କାର ଦାନ ସହିତ ଶିବ ନାଦାର ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ମୁକେଶ ଅମ୍ବାନୀ 458 କୋଟିର ଦାନ ସହିତ ତୃତୀୟ ସ୍ଥାନରେ ରହିଥିବା ବେଳେ କୁମାର ମଙ୍ଗଳମ ବିର୍ଲା 276 କୋଟି ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ସେହିପରି ଅନୀଲ୍‌ ଅଗ୍ରଓ୍ବାଲ 215 କୋଟି ଦାନ ଦେଇ ପଞ୍ଚମସ୍ଥାନରେ ରହିଥିବାବେଳେ ଅଜୟ ପିରାମଲ୍‌ 196 କୋଟି, ନନ୍ଦନ ନିଲେକାନୀ 196 କୋଟି, ହିନ୍ଦୁଜା ବ୍ରଦର୍ସ 159 କୋଟି, ଗୌତମ ଅଦାନୀ 88 କୋଟି, ରାହୁଲ୍‌ ବଜାଜ 74 କୋଟିର ଦାନ ଦେଇ ଯଥାକ୍ରମେ ଷଷ୍ଠ ରୁ ଦଶମ ସ୍ଥାନରେ ରହିଛନ୍ତି । ତେବେ ଏହି ବଦାନ୍ୟ ତାଲିକାରେ 7ଜଣ ମହିଳା ଶିଳ୍ପପତି ରହିଛନ୍ତି । ରୋହିଣୀ ନିଲେକାନୀ ସର୍ବାଧିକ 47 କୋଟି ଟଙ୍କାର ଦାନ ଦେଇଥିବାବେଳେ ଅନୁ ଆଗା 36 କୋଟି ଏବଂ କିରଣ ମଜୁମଦାର ଶ’ 34 କୋଟି ଟଙ୍କା ଦାନ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ସ୍ବାସ୍ଥ୍ୟ

କରୋନା ମୁକାବିଲା : ଏହି ଶିଳ୍ପପତି ପ୍ରଦାନ କଲେ ୧୧୨୫ କୋଟି

ବେଙ୍ଗାଲୁରୁ : ଭାରତରେ କରୋନା ଦିନକୁ ଦିନ ସଙ୍କଟମୟ ପରସ୍ଥିତି ଆଡକୁ ଗତି କରୁଥିବା ବେଳେ ବିଭିନ୍ନ ମହଲରୁ ସହାୟତାର ସୂଅ ଛୁଟିଛି । ଭାରତୀୟ ଶିଳ୍ପପତି ତଥା ସମାଜସେବୀ ଅଜିମ୍ ପ୍ରେମ୍‌ଜୀ ପିଏମ୍ କେୟାର ଫଣ୍ଡକୁ ୧୧୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ୱିପ୍ରୋ ଲିମିଟେଡ୍‌, ୱିପ୍ରୋ ଏଣ୍ଟରପ୍ରାଇଜେସ୍ ଏବଂ ଅଜିମ୍ ପ୍ରେମ୍‌ଜୀ ଫାଉଣ୍ଡେସନ୍ ପକ୍ଷରୁ ମିଳିତ ଭାବରେ ଏହି ଅର୍ଥ ପ୍ରଦାନ କରାଯାଇଛି । ୱିପ୍ରୋ ଲିମିଟେଡ୍ ପକ୍ଷରୁ ୧୦୦ କୋଟି, ୱିପ୍ରୋ ଏଣ୍ଟରପ୍ରାଇଜେସ୍ ପକ୍ଷରୁ ୨୫ କୋଟି ଏବଂ ଅଜିମ୍ ପ୍ରେମ୍‌ଜୀ ଫାଉଣ୍ଡେସନ୍ ପକ୍ଷରୁ ୧୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।