Categories
ବିଶେଷ ଖବର

ଓଡିଶା ରାଜନୀତିରେ ମହିଳା ନେତୃତ୍ଵ, ଉପେକ୍ଷା ଓ ଅବହେଳାର ଅନ୍ଧାରି ଇତିହାସ

କେଦାର ମିଶ୍ର

ଓଡିଶାର ରାଜନୀତି କେବଳ ନୁହେଁ, ପୂରା ଭାରତର ରାଜନୀତି ସବୁବେଳେ ପୁରୁଷ  ପ୍ରଧାନ ହୋଇ ରହି ଆସିଛି। ସ୍ଵାଧୀନତା ପରେ ଆମେ ଯେଉଁ ସମ୍ବିଧାନ ଗ୍ରହଣ କଲୁ, ତାର ମୌଳିକ ଲକ୍ଷ୍ୟ ଥିଲା ସାମାଜିକ ଓ ଲିଙ୍ଗଗତ ସମତା। ସାମାଜିକ ନ୍ୟାୟ ଓ ସମତା ଲାଗି ସମାଜର ବଞ୍ଚିତ ବର୍ଗଙ୍କୁ ଉଭୟ ରାଜନୈତିକ ଓ ଅର୍ଥନୈତିକ ସଂରକ୍ଷଣ ମିଳିଲା। ହେଲେ ହଜାର ହଜାର ବର୍ଷ ଧରି ବୈଷମ୍ୟର ଶିକାର ହୋଇଥିବା ଭାରତୀୟ ମହିଳାଙ୍କର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସମତା ପ୍ରସଙ୍ଗରେ ଆଜି ମଧ୍ୟ ନିର୍ଣ୍ଣାୟକ ନିଷ୍ପତ୍ତି ନେବାରେ ଭାରତୀୟ ରାଷ୍ଟ୍ର ଏବଂ ସମାଜ ବିଫଳ ହୋଇଛନ୍ତି। ପୂରା ଭାରତର ଚିତ୍ର ଅପେକ୍ଷା ଓଡିଶାର ରାଜନୀତିରେ ମହିଳାଙ୍କର ଅଂଶିଦାରିତା ଓ ସହଭାଗୀତାକୁ ନେଇ ଆଲୋଚନା କଲାବେଳେ, ଆମକୁ ଏମିତି କିଛି ତଥ୍ୟ ମିଳିବ, ଯାହା ଅନେକାଂଶରେ ଆମର ସାମ୍ବିଧାନିକ ସମତାର ବିଚାର ଉପରେ ପ୍ରଶ୍ନ ଚିହ୍ନ ଲଗାଇବାକୁ ବାଧ୍ୟ ହେବ। ଏବେ କିଛି ତଥ୍ୟକୁ ପରଖିବା ଆସନ୍ତୁ-

  • ୧୯୩୬ ରୁ ୨୦୨୦, ୮୪ ବର୍ଷର ଓଡିଶା ରାଜ୍ୟରେ ମାତ୍ର ଜଣେ ମହିଳା ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ୧୪/୬/୧୯୭୨ ରୁ ୩/୩/୧୯୭୩ ଓ ୬/୩/୭୪ ରୁ ୧୬/୧୨/୭୬, ପାଖାପାଖି ତିନି ବର୍ଷ ଓଡିଶା ମୁଖ୍ୟମନ୍ତ୍ରୀ ଭାବେ ନନ୍ଦିନୀ ଶତପଥି ଦାୟିତ୍ଵ ତୁଲାଇଥିଲେ। ସେ ଥିଲେ ଓଡିଶାର ପ୍ରଥମ ଓ ଅନ୍ତିମ ମହିଳା ମୁଖ୍ୟମନ୍ତ୍ରୀ।
  • ଓଡିଶାରେ ଜଣେ ବି ମହିଳା ରାଜ୍ୟପାଳ ଆଜିଯାଏଁ ନିଯୁକ୍ତି ପାଇନାହାନ୍ତି।
  • ମନ୍ତ୍ରୀମଣ୍ଡଳର ତିନି ପ୍ରମୁଖ ବିଭାଗ- ଅର୍ଥ, ଗୃହ ଓ ରାଜସ୍ୱ ବିଭାଗ ଦାୟିତ୍ଵ କେବେ ବି କୌଣସି ମହିଳାଙ୍କ ହାତକୁ ଯାଇନାହିଁ।
  • ଓଡିଶା ବିଧାନସଭାର ବାଚସ୍ପତି ପଦରେ ଆଜି ପର୍ୟନ୍ତ କୌଣସି ମହିଳା ନିର୍ବାଚିତ ହୋଇ ନାହାନ୍ତି।
  • ବିଧାନସଭାର ବିରୋଧୀ ଦଳ ନେତା ଭାବେ ଆଜିଯାଏ ଜଣେ ବି ମହିଳାଙ୍କୁ ଦାୟିତ୍ଵ ମିଳିନାହିଁ।
  • ରାଜ୍ୟର ମୁଖ୍ୟ ଶାସନ ସଚିବ ବା ପୋଲିସ ମହା ନିର୍ଦ୍ଦେଶକ ପଦରେ କୌଣସି ମହିଳା ଆଜି ଯାଏଁ ଅବସ୍ଥାପିତ ହୋଇ ନାହାନ୍ତି।
  • ଓଡିଶା ହାଇକୋର୍ଟରେ କେହିବି ମହିଳା ମୁଖ୍ୟ ବିଚାରପତି ଏ ଯାବତ ସ୍ଥାୟୀ ନିଯୁକ୍ତି ପାଇନହାନ୍ତି। ପ୍ରଥମଥର ଲାଗି ବର୍ତ୍ତମାନ ଜଷ୍ଟିସ ସଞ୍ଜୁ ପଣ୍ଡା ଓଡିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଦାୟିତ୍ବରେ ରହିଛନ୍ତି।
  • ଓଡିଶା ବିଧାନସଭାର ଇତିହାସରେ କେବେହେଲେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ୧୫% ରୁ ଅଧିକ ହୋଇନାହିଁ।
  • ଚଳିତ ବିଧାନସଭାରେ ମାତ୍ର ୧୫ ଜଣ ମହିଳା ବିଧାୟକ ରହିଛନ୍ତି।
  • ଲୋକସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ନୀତିକୁ ସମର୍ଥନ କରି ଓଡିଶାର ବିଜୁ ଜନତା ଦଳ ୨୧ ଲୋକସଭା ଆସନରୁ ୮ ଟିରେ ମହିଳାଙ୍କୁ ଟିକଟ ଦେଇଥିଲା। ପ୍ରଥମଥର ଲାଗି ଓଡିଶାରୁ ୭ ଜଣ ମହିଳା ଲୋକସଭା ସଦସ୍ୟ ନିର୍ବାଚିତ ହୋଇଛନ୍ତି। ତେବେ ବିଧାନସଭାରେ ଏହି ନିୟମ ବିଲକୁଲ ଲାଗୁ ହୋଇନାହିଁ।
  • ଆଜିର ଓଡିଶା ମନ୍ତ୍ରୀମଣ୍ଡଳରେ ମାତ୍ର ଦୁଇଜଣ ମହିଳା ମନ୍ତ୍ରୀ ରହିଛନ୍ତି।

ଏମିତି ତଥ୍ୟ ଅସରନ୍ତି। ଗୋଟେ ରାଜ୍ୟ ଗଠନରେ ସମାନ ଭୂମିକା ନିର୍ବାହ କରୁଥିବା ଆମ ରାଜ୍ୟର ମହିଳାମାନଙ୍କୁ ସମାନ ରାଜନୈତିକ କ୍ଷମତା ନ ଦେବାର କାରଣ କଣ? ଏ କ୍ଷେତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଅବଦାନକୁ ଆମେ ବାରମ୍ବାର ମନେ ପକାଇବାକୁ ବାଧ୍ୟ। ପ୍ରଥମଥର ଲାଗି ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ଦଳର ସରକାର ପଞ୍ଚାୟତ ସ୍ତରରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଇଥିଲେ। ୨୦୧୧ ନବୀନ ପଟ୍ଟନାୟକଙ୍କ ସରକାର ଏହାକୁ ୫୦% କୁ ବୃଦ୍ଧି କରିଥିଲେ। ପଞ୍ଚାୟତ ରାଜନୀତିରେ ମହିଳାଙ୍କର ଭାଗୀଦାରିତା ବଢିଥିବା ବେଳେ, ବିଧାନସଭା ରେ ମଧ୍ୟ ଏହା ପ୍ରତିଫଳିତ ହେବା ଜରୁରୀ। ବିଜୁ ବାବୁ ସରକାରୀ ଚାକିରିରେ ମଧ୍ୟ ମହିଳାଙ୍କୁ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରିଥିଲେ।

ଯେତେଦିନ ପର୍ୟନ୍ତ ରାଜନୈତିକ ଦଳଗୁଡିକର ନେତୃତ୍ବରେ ପିତୃତନ୍ତ୍ରର ପ୍ରାଧାନ୍ୟ ରହିଥିବ ସେତେଦିନ ଲିଙ୍ଗଗତ ସମତାର ସ୍ଵପ୍ନ ସାକାର ହୋଇ ପାରିବ ନାହିଁ। ୭୦ ବର୍ଷର ଗଣତାନ୍ତ୍ରିକ ଇତିହାସରେ ଓଡିଶାର କୌଣସି ରାଜନୈତିକ ଦଳ ମହିଳାଙ୍କର ନେତୃତ୍ବରେ ପରିଚାଳିତ ହୋଇଛି କି? ଏ ପ୍ରଶ୍ନର ଉତ୍ତରରେ ଆମେ ବୁଲି ବୁଲି ପୁଣି ନନ୍ଦିନୀ ଶତପଥିଙ୍କ ପାଖରେ ପହଞ୍ଚିବା। ସେ ଥିଲେ ପ୍ରଦେଶ କଂଗ୍ରେସର ଏକମାତ୍ର ମହିଳା ଅଧ୍ୟକ୍ଷା। ତାଙ୍କ ପରେ କୌଣସି ଜାତୀୟ ବା ଆଞ୍ଚଳିକ ଦଳର ରାଜ୍ୟ ନେତୃତ୍ଵ ନେବାର ସୁଯୋଗ ଓଡିଆ ମହିଳାଙ୍କୁ ମିଳିନାହିଁ।

ମହିଳାଙ୍କୁ ରାଜନୈତିକ ଓ ଅର୍ଥନୈତିକ କ୍ଷମତା ଦେବାରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଏହା ବିଧାନସଭାରେ ଓ ମନ୍ତ୍ରୀମଣ୍ଡଳରେ ପ୍ରତିଫଳିତ ହେଉନାହିଁ। କେବଳ ଔପଚାରିକ ଭାବେ ଜଣେ ଦୁଇ ଜଣ ମହିଳାଙ୍କୁ ଗୁରୁତ୍ଵହୀନ ବିଭାଗର ମନ୍ତ୍ରୀ କରି ନିଜର ଦାୟିତ୍ଵ ସରିଗଲା ବୋଲି ଭାବିଲେ ହେବନାହିଁ। କେବେ ଓଡିଶା ମନ୍ତ୍ରୀମଣ୍ଡଳରେ ଆମେ ୮ ଜଣ ମହିଳାଙ୍କୁ ମନ୍ତ୍ରୀ ଭାବରେ ଦେଖିବୁ? କେବେ ବିଧାନସଭାରେ ଆମର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନର ସୁଯୋଗ ପାଇବେ?

ସମତାର ସୂତ୍ର ରାଜନୈତିକ କ୍ଷମତାର ସହଭାଗିତାରୁ ଆସିଥାଏ। ସେ ସହଭାଗିତାର ସୁଯୋଗ ସୃଷ୍ଟି ହେବ କେବେ?