Categories
ଆଜିର ଖବର

ଯୋଗୀ ଏବଂ ମାୟାବତୀଙ୍କୁ ଇସିଙ୍କ ଛାଟ :  ନିର୍ବାଚନୀ ପ୍ରଚାର ଉପରେ ଲାଗିଲା ପ୍ରତିବନ୍ଧକ

ନିର୍ବାଚନ ଆୟୋଗ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଯୋଗୀ ଆଦିତ୍ୟନାଥ ଓ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ନିର୍ବାଚନୀ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯୋଗୀଙ୍କ ନିର୍ବାଚନୀ ପ୍ରଚାର ଉପରେ ୭୨ ଘଣ୍ଟା (୩ ଦିନ) ଏବଂ ବହୁଜନ ସମାଜବାଦୀ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା ମାୟାବତୀଙ୍କ ପ୍ରଚାର ଉପରେ ୪୮ ଘଣ୍ଟା (୨ ଦିନ)ର ପ୍ରତିବନ୍ଧକ ଲଗାଇଛି। ମଙ୍ଗଳବାର ସକାଳ ୬ଟାରୁ ଏହି ପ୍ରତିବନ୍ଧକ ଲାଗୁ ହେବ। ଯୋଗୀ ଏବଂ ମାୟାବତୀଙ୍କ ବିରୋଧରେ ନିର୍ବାଚନ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ରହିଥିଲା। ଉଭୟ ଉତ୍ତେଜକ ଭାଷଣ ଦେଇଥିବାର ଅଭିଯୋଗ ମଧ୍ୟ ରହିଥିଲା। ସୂଚନାଯୋଗ୍ୟ ଏନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ଏଥିରେ ନେତାମାନେ ଜାତି, ଧର୍ମ ଆଧାରରେ ଘୃଣା ପ୍ରସାରଣ କରୁଥିବାର ଟିପ୍ପଣୀମାନ ଦେଉଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। ଏଭଳି ଘୃଣ୍ୟ ରାଜନୀତି କରୁଥିବା ବ୍ୟକ୍ତିବିଶେଷ ତଥା ରାଜନୈତିକ ଦଳ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଥିଲା। ସୁପ୍ରିମକୋର୍ଟ ଏହି ମାମଲାରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଉଭୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ ଅୟୋଗଙ୍କୁ କହିଥିଲେ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଇସି ଆଜି ଯୋଗୀ ଓ ମାୟାଙ୍କ ନିର୍ବାଚନୀ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

Categories
ଆଜିର ଖବର

ଭାଷାରେ ସଞ୍ଜମତା ରକ୍ଷା ପାଇଁ ଯୋଗୀଙ୍କୁ ନିର୍ବାଚନ କମିଶନଙ୍କ ଚେତାବନୀ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଡା ସମାଲୋଚନା କରିଛନ୍ତି ନିର୍ବାଚନ କମିଶନ। ଭବିଷ୍ୟତରେ ନିଜର ଭାଷାରେ ସଞ୍ଜମତା ଅବଲମ୍ବନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ସେନାକୁ ‘ମୋଦୀଙ୍କ ସେନା’ କହି ବିବାଦ ଘେରକୁ ଆସିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ ଆୟୋଗ ଏହି ଚେତାବନୀ ଦେଇଛନ୍ତି। ଭବିଷ୍ୟତରେ ଏଭଳି ମନ୍ତବ୍ୟ ନ ଦେବା ଲାଗି ସତର୍କ ରହିବାକୁ ଆୟୋଗ ଯୋଗୀଙ୍କୁ ଚେତାଇଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ରାଜନୈତିକ ସଭାରେ ଯୋଗୀ ଆଦିତ୍ୟନାଥ ଭାରତୀୟ ସେନାକୁ ‘ମୋଦୀ ଜୀ କି ସେନା’ ଆତଙ୍କବାଦୀଙ୍କ ଘରେ ପଶି ସେମାନଙ୍କୁ ମାରିଛନ୍ତି ବୋଲି ଉଦବୋଧନ ଦେଇଥିଲେ। ଏହାକୁ ନେଇ ବିରୋଧୀମାନେ ଆପତ୍ତି ଉଠାଇବା ସହ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଆୟୋଗ ଯୋଗୀଙ୍କୁ ନୋଟିସ ଜାରି କରିବା ସହ ଏପ୍ରିଲ ୫ ତାରିଖ ମଧ୍ୟରେ ଉତ୍ତର ରଖିବାକୁ କହିଥିଲେ। ଆୟୋଗଙ୍କୁ ଉତ୍ତର ଦେଇ ଯୋଗୀ କହିଥିଲେ ଯେ, କଂଗ୍ରେସ ଲୋକମାନେ ଆତଙ୍କବାଦୀମାନଙ୍କୁ ବିରିୟାନୀ  ଖାଇବାକୁ ଦେଉଥିଲେ ଏବଂ ମୋଦୀଙ୍କ ସେନା ଆତଙ୍କବାଦୀମାନଙ୍କୁ ଗୁଳି କରି ମାରୁଛନ୍ତି। ଏହା ହେଉଛି ପାର୍ଥକ୍ୟ। କଂଗ୍ରେସର ଲୋକମାନେ ଆତଙ୍କୀ ସଂଗଠନ ମାସୁଦ ଆଝାରକୁ ଉତ୍ସାହିତ କରିବାକୁ ‘ଜୀ’ ଶବ୍ଦ ବ୍ୟବହାର କରୁଛନ୍ତି ବୋଲି ଯୋଗୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଏହା ସହ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକୁ ଯୋଗୀ ପ୍ରଶଂସା ମଧ୍ୟ କରିଛନ୍ତି।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ଯୋଗୀଙ୍କ ନାମରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ଆଣିଲେ ପୂର୍ବ ନୌସେନା ମୁଖ୍ୟ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ପୂର୍ବତନ ନୌସେନା ମୁଖ୍ୟ  ଆଡ୍‌ମିରାଲ ଏଲ୍‌ ରାମଦାସ। ଯୋଗୀ ଭାରତୀୟ ସେନାବାହିନୀକୁ ମୋଦିଜୀଙ୍କ ସେନା ବୋଲି କହିଥିବା ମନ୍ତବ୍ୟ ଉପରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ରାମଦାସ। ସେ କହିଛନ୍ତି, ସଶସ୍ତ୍ର ବଳ କୌଣସି ବ୍ୟକ୍ତିବିଶେଷଙ୍କର ନୁହେଁ ଏହା ସଦାସର୍ବଦା ଦେଶ ଓ ଦେଶବାସୀଙ୍କ ନିକଟରେ ପ୍ରତିବଦ୍ଧ। ଏପରି ମନ୍ତବ୍ୟ କେବଳ ତାଙ୍କୁ ନୁହେଁ ବରଂ ସେନାରେ କାର୍ଯ୍ୟ କରୁଥିବା ଅନେକ ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇଛି। ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନ ମୁଖ୍ୟ ହୋଇଥିବାରୁ ମୁ ଁ ତାଙ୍କ ନିକଟରେ ଅଭିଯୋଗ ବାଢିଛି ବୋଲି ରାମଦାସ କହିଛନ୍ତି। ସୂଚନାଯୋଗ୍ୟ ଯ, ଗାଜିଆବାଦରେ ଏକ ନିର୍ବାଚନୀ ରାଲୁିକୁ ସମ୍ବୋଧିତ କରିବା ଅବସରରେ ଯୋଗୀ ଆଦିତ୍ୟନାଥ ଭାରତୀୟ ସେନାକୁ ମୋଦିଙ୍କ ସେନା ବୋଲି ଅଭିହିତ କରିଥିଲେ। ରାମଦାସଙ୍କ ସହିତ ଅନ୍ୟତମ ଅବସରପ୍ରାପ୍ତ ଲ୍ୟୁଟ୍‌ନାଣ୍ଟ ଜେନେରାଲ୍‌ ଏଚ୍‌ ଏସ୍‌ ପନାଗ ମଧ୍ୟ ନିଜର ନିରାଶା ବ୍ୟକ୍ତ କରିଛନ୍ତି। ପନାଗ କହିଛନ୍ତି, ସେନାକୁ ସର୍ବଦା ରାଜନୀତିରୁ ଉର୍ଦ୍ଧ୍ବରେ ରହିଥାଏ ମାତ୍ର ବିଗତ କିଛି ବର୍ଷ ମଧ୍ୟରେ ପ୍ରତ୍ୟକ ନେତା ନିଜର ରାଜନୈତିକ ଫାଇଦା ନିମନ୍ତେ ସେନାର ଅପବ୍ୟବହାର କରୁଛନ୍ତି। ନିର୍ବାଚନ କମିଶନ ଏହି ମାମଲାର ତଦନ୍ତ ଆଦେଶ ଦେଇଥିବା ବେଳେ ଗାଜିଆବାଦ ଜିଲ୍ଲା ମୁଖ୍ୟଙ୍କ ଠାରୁ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।