Categories
ଆଜିର ଖବର ରାଜ୍ୟ ଖବର

ନବନିଯୁକ୍ତ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ରଙ୍କୁ ସ୍ବାଗତ, ଶୋଭାଯାତ୍ରାରେ ସହର ପରିକ୍ରମା

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସର ନିବନିଯୁକ୍ତ ସଭାପତି ଶ୍ରୀ ରଣଜିତ ପାତ୍ର ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବାପରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିମାନ ବନ୍ଦର ଠାରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବନ୍ଧନା ଦିଆଯାଇଥିଲା। ବିମାନ ବନ୍ଦର ଠାରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଶ୍ରୀ ପାତ୍ରଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯାଇଥିଲା।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଶ୍ରୀ ପାତ୍ରଙ୍କୁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ଶ୍ରୀ ପ୍ରସାଦ ହରିଚନ୍ଦନ, ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ପିିସିିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ଦେବାଶଷ ପଟ୍ଟନାୟକ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରମୁଖ ଶ୍ରୀ ପାତ୍ରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ।

ଯୁବ କଂଗ୍ରେସ ଆଗାମୀ ଦିନରେ ଓଡ଼ିଶାର ବେକାର ଯୁବକ ଯୁବତୀଙ୍କର ସଂଗ୍ରାମକୁ ତୀବ୍ରତର କରିବେ। ନବୀନ ଓ ମୋଦି ସରକାରଙ୍କର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଏବଂ ବେକାର ଯୁବକ ଯବୁତୀମାନଙ୍କ ପ୍ରତି ହେଉଥିବା ଅବିଚାର ବିରୁଦ୍ଧରେ ତୃଣମୂଳ ସ୍ତରରୁ ଆନ୍ଦୋଳନ କରିବ। ଯୁବ କଂଗ୍ରେସର ଆହ୍ୱାନ ହେଉଛି “ନିଯୁକ୍ତି ଦିଅ ନହେଲେ ଗାଦି ଛାଡ” ବୋଲି ସେ କହିଥିଲେ।