Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆର୍ଦ୍ରଭୂମି ମାନ୍ୟତା ପାଇଲା ଓଡ଼ିଶାର ତାମ୍ପରା ହ୍ରଦ, ହୀରାକୁଦ ଜଳଭଣ୍ଡାର ଏବଂ ଅଂଶୁପା ହ୍ରଦ

ନୂଆଦିଲ୍ଲୀ/ଭୁବନେଶ୍ବର: ସ୍ବାଧୀନତାର ୭୫ତମ ବର୍ଷରେ ଭାରତ ସରକାର ଆଉ ୧୧ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛନ୍ତି, ଫଳରେ ଦେଶରେ ମୋଟ୍‌ ରାମସାର କ୍ଷେତ୍ରର କ୍ଷେତ୍ରଫଳ ୧୩,୨୬,୬୭୭ରେ ପହଞ୍ଚିଛି। ଏଥିରେ ଓଡ଼ିଶାର ୩ଟି ଆର୍ଦ୍ରଭୂମି ସାମିଲ ରହିଛି। ଏଗୁଡ଼ିକ ହେଲା ଗଞ୍ଜାମ ଜିଲ୍ଲାର ତାମ୍ପରା ହ୍ରଦ, ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାର ଏବଂ କଟକ ଜିଲ୍ଲାରେ ଥିବା ଅଂଶୁପା ହ୍ରଦ।

ରାମସାର ତାଲିକାରେ ନୂଆ କରି ସାମିଲ ହୋଇଥିବା ୧୧ଟି ଆର୍ଦ୍ରଭୂମି ମଧ୍ୟରେ ତାମିଲନାଡ଼ୁର ୪ଟି, ଓଡ଼ିଶାର ୩ଟି ଏବଂ ଜମ୍ମୁ ଓ କଶ୍ମୀରର ଦୁଇଟି କ୍ଷେତ୍ର ସାମିଲ ରହିଛି। ସେହିପରି ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ଗୋଟିଏ ଲେଖାଏଁ କ୍ଷେତ୍ର ସାମିଲ ରହିଛି। ରାମସାର ତାଲିକାରେ ସାମିଲ ହେବା ପରେ ଏସବୁ ଆର୍ଦ୍ରଭୂମିର ସଂରକ୍ଷଣ ଓ ପରିଚାଳନା ସମେତ ସମ୍ପଦର ସୁବିନିଯୋଗ ସମ୍ଭବ ହୋଇପାରିବ।

୧୯୭୧ ମସିହାରେ ଇରାନର ରାମସାର ଠାରେ ସ୍ବାକ୍ଷରିତ ହୋଇଥିବା ରାମସାର ସମ୍ମିଳନୀରେ ଭାରତ ଅନ୍ୟତମ ଚୁକ୍ତିବଦ୍ଧ ରାଷ୍ଟ୍ର ଭାବେ ସାମିଲ ହୋଇଛି। ଭାରତ ୧ ଫେବୃଆରୀ ୧୯୮୨ରେ ରାମସାର ରାଜିନାମରେ ସ୍ବାକ୍ଷର କରିଥିଲା। ୧୯୮୨ରୁ ୨୦୧୩ ମଧ୍ୟରେ ମୋଟ୍‌ ୨୬ଟି କ୍ଷେତ୍ରକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରାଯାଇଥିଲା। ତେବେ ୨୦୧୪ରୁ ୨୦୨୨ ମଧ୍ୟରେ ଦେଶ ୪୯ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛି।

ଚଳିତ ବର୍ଷ (୨୦୨୨)ରେ କେବଳ ୨୮ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ଭାବେ ଘୋଷଣା କରାଯାଇଛି। ଚଳିତ ବର୍ଷ ୧୯ଟି ଆର୍ଦ୍ରଭୂମିକୁ ରାମସାର ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ୨୦୨୧ରେ ୧୪ଟି କ୍ଷେତ୍ରକୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ତାମିଲନାଡ଼ୁରେ ସର୍ବାଧିକ ୧୪ଟି ରାମସାର କ୍ଷେତ୍ର ଥିବା ବେଳେ ୧୦ଟି ରାମସାର କ୍ଷେତ୍ର ସହ ଉତ୍ତର ପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି।

Categories
ଆଜିର ଖବର ଆଞ୍ଚଳିକ ଜାତୀୟ ଖବର ରାଜ୍ୟ ଖବର

ଗତ ୨ ବର୍ଷରେ ଚିଲିକା ଓ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ସରକାର ଦେଇଛନ୍ତି ୪.୭ କୋଟି ଟଙ୍କା

ନୂଆଦିଲ୍ଲୀ, ଗତ ୨ ବର୍ଷ ମଧ୍ୟରେ ମୋଦି ସରକାର ନ୍ୟାସନାଲ୍ ପ୍ଲାନ୍‌ ଫର୍ କନଜରଭେସନ୍ ଅଫ୍ ଆକ୍ୱାଟିକ ଇକୋସିଷ୍ଟମ (ଏନପିସିଏ) ଅଧୀନରେ ଓଡ଼ିଶାକୁ ୪.୭ କୋଟି ଟଙ୍କା ଦେଇଛନ୍ତି । ଭାରତର ସର୍ବବୃହତ ଲୁଣି ହ୍ରଦ ଚିଲିକା ଏବଂ ଓଡିଶାର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ ଏହି ଅନୁଦାନ ଦିଆଯାଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକେରଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର।