Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟକୁ ଏଲଓଆଇ ହସ୍ତାନ୍ତର

ନୂଆଦିଲ୍ଲୀ: ଭାରତରେ ନିଜର ଏକ କ୍ୟାମ୍ପସ ସ୍ଥାପନ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ ୟୁକେର ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରୁ ଅନ୍ୟତମ ଲିଭରପୁଲ ବିଶ୍ୱବିଦ୍ୟାଳୟକୁ ଲେଟର ଅଫ୍ ଇଣ୍ଟେଣ୍ଟ (LoI) ପତ୍ର ହସ୍ତାନ୍ତର କରିଛନ୍ତି। ୟୁଜିସି (ଭାରତରେ ବିଦେଶୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନର କ୍ୟାମ୍ପସ ସ୍ଥାପନ ଏବଂ ପରିଚାଳନା) ନିୟମାବଳୀ, ୨୦୨୩ ଅନୁଯାୟୀ ଅଧୀନରେ ଦ୍ୱିତୀୟ ବିଦେଶୀ ବିଶ୍ୱବିଦ୍ୟାଳୟ ଭାବରେ ଏହାକୁ ଏଲଓଆଇ ଜାରି କରାଯାଯାଇଛି।

ଏହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସ୍ୱାଗତ କରିବା ସହ କହିଛନ୍ତି ଯେ ବିଶ୍ୱସ୍ତରୀୟ ଉଚ୍ଚ ଶିକ୍ଷାରେ ଭାରତ ବିଶ୍ୱସ୍ତ ଅଂଶୀଦାର ଭାବରେ ଉଭା ହୋଇଛି। ଆଜିର ଏଲଓଆଇ ତାହାର ଏକ ପ୍ରତିଫଳନ। ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଭାରତର ଶୈକ୍ଷିକ ସହଯୋଗକୁ ଆଗେଇ ନେବା ଦିଗରେ ଏହା ଆଉ ଏକ ମାଇଲଖୁଣ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥାକୁ ଦୋହରାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହି ମହତ୍ତ୍ୱାକାଂକ୍ଷାକୁ ସାକାର କରିବା ଦିଗରେ ଜାତୀୟ ଶିକ୍ଷା ନୀତି ଏକ ଚାବିକାଠି ଭାବରେ ଅବତୀର୍ଣ୍ଣ ହୋଇଛି। ମୂଳ, ଭବିଷ୍ୟତବାଦୀ ଏବଂ ବିଶ୍ୱସ୍ତରୀୟ ଶିକ୍ଷାକୁ ପ୍ରୋତ୍ସାହନ ଦେଉଥିବା ଜାତୀୟ ଶିକ୍ଷା ନୀତିର ପ୍ରମୁଖ ପରାମର୍ଶ ହେଇଛି ବୈଶ୍ୱକ ନାଗରିକ ସୃଷ୍ଟି କରିବା।

କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଗବେଷଣା, ବିକାଶ ଏବଂ ନବସୃଜନ ଭଳି କ୍ଷେତ୍ର ଉପରେ ଧ୍ୟାନ ଦେବାକୁ ଆହ୍ୱାନ କରିଥିଲେ। ଲିଭରପୁଲ ବିଶ୍ୱବିଦ୍ୟାଳୟ ନବସୃଜନ ସହ ଷ୍ଟେମ ସମ୍ବନ୍ଧୀୟ ଗବେଷଣା ଉପରେ ଧ୍ୟାନ ଦେବା ଉପରେ ପ୍ରାଥମିକତା ଦେଉଥିବାରୁ ଖୁସିପ୍ରକାଶ କରିଥିଲେ। ସେ କହିଥିଲେ ବିଶ୍ୱ ନାଗରିକରୁ ନୂଆପିଢି ତିଆରି କରିବା ଗୁରୁତ୍ୱପୂର୍ଣ୍ଣ। ଭାରତରେ ‘ଇନୋଭେସନ ସେଣ୍ଟର’ ବିଶ୍ୱବିଦ୍ୟାଳୟ ଏବଂ ସମାଜ ଉଭୟ ପାଇଁ ପାରସ୍ପରିକ ଭାବରେ ଲାଭଦାୟକ ହେବ।

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ଲିଭରପୁଲ ବିଶ୍ୱବିଦ୍ୟାଳୟ ହେଉଛି ଭାରତରେ ନିଜର ଉପସ୍ଥିତି ଘୋଷଣା କରିବାରେ ଚତୁର୍ଥ ବିଦେଶୀ ବିଶ୍ୱବିଦ୍ୟାଳୟ। ଚଳିତ ଶିକ୍ଷା ବର୍ଷ ସୁଦ୍ଧା ବିଶେଷକରି ଷ୍ଟେମ୍ବ(ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ, ମେଡିସିନ୍ ଏବଂ ବିଜନେସ) ଶିକ୍ଷାରେ ୧୫ଟି ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତକୁ ଆସିବେ। ବେଙ୍ଗାଲୁରୁରେ ଲିଭରପୁଲ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଏକ ବିଶ୍ୱସ୍ତରୀୟ କ୍ୟାମ୍ପସ ହେବ, ଯାହା ଗବେଷଣା ଏବଂ ନବସୃଜନର ସୀମାକୁ ଆଗକୁ ବଢ଼ାଇବ ଏବଂ ବିଶ୍ୱ କଲ୍ୟାଣ ଏବଂ ସମୃଦ୍ଧିରେ ଯୋଗଦାନ ଦେବା ପାଇଁ ବୈଜ୍ଞାନିକ ମନୋଭାବକୁ ପ୍ରୋତ୍ସାହିତ କରିବ। ଏହା ଦ୍ୱାରା ଭାରତରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାର ଲକ୍ଷ୍ୟକୁ ପ୍ରାପ୍ତ କରିବାରେ ସହାୟକ ହେବ। ସ୍ଥାୟୀତ୍ୱ, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଏବଂ ସମୃଦ୍ଧି ଆଜି ବିଶ୍ୱର ସାଧାରଣ ଏଜେଣ୍ଡା ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟଗୁଡ଼ିକ ଆକର୍ଷଣୀୟ ସ୍ଥାନରେ ପରିଣତ ହୋଇଛି। ‘ବସୁଧୈବ କୁଟୁମ୍ବକମ୍’ ନୀତି ସହିତ ଭାରତ ବିଶ୍ୱସ୍ତରୀୟ ଏଜେଣ୍ଡାକୁ ଆଗେଇ ନେବା ଏବଂ ବିଶ୍ୱ ଦାୟିତ୍ୱ ପୂରଣ କରିବା ପାଇଁ ଉପଯୁକ୍ତ ସ୍ଥାନ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଏହି ସମାରୋହ ଅବସରରେ ରୟାଲ୍ କଲେଜ୍ ଅଫ୍ ଅବେଷ୍ଟ୍ରରିସିଆନ୍ସ ଆଣ୍ଜ ଗାଇନାକୋଲୋଜିଷ୍ଟସ୍ (ଆରସିଓଜି), ଆଷ୍ଟ୍ରାଜେନେକା ଫାର୍ମା ଇଣ୍ଡିଆ ଲିମିଟେଡ୍, ୟୁ ଉଇ କ୍ୟାନ୍ ଏବଂ ଡ୍ରିମ୍ ଇଲେଭେନ ସମେତ କମ୍ପାନୀ ଏବଂ ସଂଗଠନ ସହିତ ଭବିଷ୍ୟତର ସହଯୋଗୀ ସୁଯୋଗ ଅନୁସନ୍ଧାନ କରିବା ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଗୋଦାବରୀଶ ମହାବିଦ୍ୟାଳୟକୁ ୪ କୋଟି ଅନୁଦାନ, ଆଇନ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟକୁ ବିଭିନ୍ନ ବିକାଶ ମୂଳକ କାମ ପାଇଁ ୪ କୋଟି ଟଙ୍କା ସରକାରୀ ଅନୁଦାନ ମିଳିଛି। ନୂତନ ସରକାର ଦାୟିତ୍ଵ ନେବାପରେ ଜୁଲାଇ ମାସ ୨୬ ତାରିଖରେ ମହାବିଦ୍ୟାଳୟର ୬୧ ତମ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବରେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ବାଣପୁରର ବରପୁତ୍ର ପୃଥ୍ୱୀରାଜ ହରିଚନ୍ଦନ ଓ ଉଚ୍ଚଶିକ୍ଷା ତଥା ଯୁବ ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ମହାବିଦ୍ୟାଳୟର କ୍ରୀଡା ଭିତ୍ତିଭୂମୀ, ଛାତ୍ରୀନିବାସ, ପାଠାଗାର ଇତ୍ୟାଦିର ନିର୍ମାଣ ପାଇଁ ଯେଉଁ ଅନୁଦାନ ଘୋଷଣା କରିଥିଲେ ଆଜି ତଦନୁଯାୟୀ ମହାବିଦ୍ୟାଳୟକୁ ଏହି ଅର୍ଥରାଶି ପ୍ରଦାନ କରାଯାଇଛି।

ଏଥି ନିମନ୍ତେ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ଜିତେନ୍ଦ୍ର କୁମାର ଭୋଳ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତାଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ।ମାନ୍ୟବର ମନ୍ତ୍ରୀ ମହାବିଦ୍ୟାଳୟର ଅଭାବ ଅସୁବିଧା ଗୁଡ଼ିକୁ ହୃଦୟଙ୍ଗମକରି ଏହାର ଆଶୁ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଥିବାରୁ ବାଣପୁରର ଜନସାଧାରଣ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଅଧ୍ୟକ୍ଷଙ୍କ ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି।

Categories
ଆଞ୍ଚଳିକ

ଅଗ୍ରଣୀ ଶିକ୍ଷାନୁଷ୍ଠାନ କେମେଷ୍ଟ୍ରୀ ଫୋରମ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହରରେ ଅବସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ କେମେଷ୍ଟ୍ରୀ ଫୋରମ୍ ର ବାର୍ଷିକ ଉତ୍ସବ ପାଳନ ହୋଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ସମାଧାନ ପଣ୍ଡାଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ନିଷ୍ଟ୍ ମହାବିଦ୍ୟାଳୟର କେମେଷ୍ଟ୍ରୀ ବିଭାଗ ମୁଖ୍ୟ ଡଃ ଦୁର୍ଯୋଧନ ସାହୁ, ସମ୍ମାନିତ ଅତିଥି ଭାବେ ଭିତମ୍ ଶିକ୍ଷାନୁଷ୍ଠାନ ର ପ୍ରଫେସର ଡ଼ଃ ଅନୁପ କୁମାର ପଣ୍ଡା ଓ ବ୍ରହ୍ମପୁର ପୌର ନିଗମ ସଦସ୍ୟ ପ୍ରଶାନ୍ତ କୁମାର ପଟ୍ଟନାୟକ (ଟୁନା) ପ୍ରମୁଖ ଯୋଗ ଦେଇ ଅଧ୍ୟୟନରତ ବିଦ୍ୟାର୍ଥୀ ମାନଙ୍କୁ ରାସାୟନିକ ବିଜ୍ଞାନର ପ୍ରୟୋଗ ଓ ବିକଶିତ ବିଷୟରେ ଦିଗଦର୍ଶନ ଦେଇଥିଲେ।

ଏଥି ସହିତ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ମୁଳକ କାର୍ଯ୍ୟକ୍ରମରେ କ୍ରୁତିତ୍ବ ହାସଲ କରିଥିବା ପ୍ରତିଯୋଗି ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଶିକ୍ଷାବିତ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସାମାଜିକ ଅନୁଷ୍ଠାନ “ବିପଦର ବଂଧୁ” ରାଜ୍ୟ ସଭାପତି ଟି କ୍ରିଷ୍ଣା ରାଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦ୍ୟାର୍ଥୀ ଓ ଅନୁଷ୍ଠାନ ର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।