Categories
ଆଜିର ଖବର ରାଜ୍ୟ ଖବର

୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ବସିଲା ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ 

ଭୁବନେଶ୍ୱର: ଆଗାମୀ ଅପ୍ରେଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

୧୯୪୮ ମସିହା ଅପ୍ରେଲ୍‌ ୧୩ ତାରିଖରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠାର ଶିଳାନ୍ୟାସ କରିଥିଲେ। ଚଳିତ ବର୍ଷ ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠାର ପ୍ଲାଟିନମ୍‌ ଜୟନ୍ତୀ ପାଳନ କରାଯାଉଥିବାରୁ ଏହି ଉତ୍ସବକୁ ସରସ ସୁନ୍ଦର, ଆନନ୍ଦ ଉଲ୍ଲାସ ଏବଂ ଅଧିକ ଆକର୍ଷଣୀୟ ସହକାରେ ପାଳନ କରିବାକୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏହି ବୈଠକରେ ସୂଚନା ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ପୁଲିସ୍‌ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ବିଡିଏ ଉପାଧକ୍ଷ ଶ୍ରୀ ବଲୱନ୍ତ ସିଂ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ,  ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ କେ. ସୂଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇଥିଲେ।

ସେହିପରି ବି.ଏମ୍‌.ସି. ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ,  ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡାଙ୍କ  ସମେତ ରାଜ୍ୟ ସ୍ୱରାଷ୍ଟ୍ର, ଗୃହ ଓ ନଗର ଉନ୍ନୟନ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ବାଣିଜ୍ୟ ଓ ପରିବହନ, ପୂର୍ତ୍ତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଓ୍ୱାଟକୋ ଆଦି ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ତ୍ତୃପକ୍ଷ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ  ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକ, ଉପସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏବଂ ସାଧାରଣ ସଂପାଦକ  ଶ୍ରୀ ସନତ ମିଶ୍ର ପ୍ରମୁଖ ଯୋଗଦେଇ ଉତ୍ସବ ଆୟୋଜନ ସଂପର୍କରେ ମତ ରଖିଥିଲେ ।

ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ବି.ଏମ୍‌.ସି ତରଫରୁ କରାଯାଇଥିବା ବ୍ୟାପକ ପ୍ରସ୍ତୁତି ସମ୍ପର୍କରେ ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ସବିଶେଷ ତଥ୍ୟ ରଖିଥିଲେ। ତିନି ଦିନ ଧରି ଆୟୋଜିତ ଏହି ଉତ୍ସବରେ ଅପ୍ରେଲ୍‌ ୧୩ ତାରିଖ ସକାଳେ ବିଧାନସଭା ସୌଧ ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ, ଉତ୍ସବକୁ ଅତିଥିମାନଙ୍କୁ ନିମନ୍ତ୍ରଣ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ, ବିଦ୍ୟାଳୟର ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ପ୍ୟାରେଡ ପରିବେଷଣ, ଉତ୍ସବ ଅବସରରେ ଏକ କଫିଟେବୁଲ ପୁସ୍ତକ ପ୍ରକାଶନ ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି।

ସେହିପରି ଅପ୍ରେଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଉତ୍କଳ ମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ବି.ଏମ୍‌.ସିର ପ୍ରତ୍ୟେକ ୱାର୍ଡ଼ସ୍ତରରେ ମଧ୍ୟ ଉତ୍ସବ ପାଳନ କରାଯିବ । ୱାର୍ଡ ସଫେଇ ଠାରୁ ଆରମ୍ଭ କରି ନୃତ୍ୟ, ସଙ୍ଗୀତ, ରଙ୍ଗୋଲୀ, ଚିତ୍ରାଙ୍କନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଭିନ୍ନ ଓ୍ୱାର୍ଡରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯିବ।

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରାଯିବ। ରାଜଧାନୀ ପ୍ରତିଷ୍ଠା  ଶିଳାନ୍ୟାସ ଫଳକ ଏବଂ ଏହାର ପରିସରକୁ ପରିଷ୍କାର ପରିଚ୍ଛନ୍ନ ଓ ସୌନ୍ଦର୍ଯ୍ୟକରଣ କରାଯିବ। କେଶରୀ ଟକିଜ୍‌, ଏଜି ଛକ ଏବଂ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ୩ଟି ସୁଦୃଶ୍ୟ ସ୍ୱାଗତ ତୋରଣ ଲଗାଯିବ।  ଉତ୍ସବ ସ୍ଥଳରେ ଅତିଥି ମାନଙ୍କର ବସିବା ପାଇଁ ବ୍ୟାପକ ବ୍ୟବସ୍ଥା, ଗାଲିଚା ବିଛେଇ ଓ ବ୍ୟାରିକେଡିଂ ବ୍ୟବସ୍ଥା, ଉତ୍ସବସ୍ଥଳ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର କୋଠାବାଡ଼ି ଆଲୋକୀକରଣ, ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ କୋଠା ଏବଂ ଜୟଦେବ ଭବନ ଠାରେ ଭୁବନେଶ୍ୱରର ଐତିହ୍ୟ, ବର୍ତ୍ତମାନ ଏବଂ ସଫଳତାକୁ ନେଇ ପ୍ରଦର୍ଶନୀ ଆୟୋଜନ, ରକ୍ତଦାନ ଶିବିର ଆୟଜନ କରାଯିବ।

ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ଅଗ୍ନିଶମ ସେବା ଓ, ଆମ୍ବୁଲାନ୍ସ  ସେବା ବ୍ୟବସ୍ଥା, ଉତ୍ସବ ଏବଂ ପରେଡ୍‌ରେ ଅଂଶଗ୍ରହଣ କରୁଥିବା ଛାତ୍ର-ଛାତ୍ରୀଙ୍କ ନିମନ୍ତେ ଯାତାୟତ ପାଇଁ ବସ୍, ଟ୍ରାଫିକ୍‌ ନିୟନ୍ତ୍ରଣ, ପାନୀୟଜଳ, ସହରରେ ଥିବା ପ୍ରମୁଖ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀ​‌ରେ ମାଲ୍ୟାର୍ପଣ କରାଯିବା ସହ ସମସ୍ତ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାରକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଭୁବନେଶ୍ୱର ମହାନଗର  ନିଗମ ତରଫରୁ ଅପ୍ରେଲ୧୪ ତାରିଖରେ ମାରାଥନ୍‌ ଏବଂ ୧୫ ତାରିଖରେ ସାଇକ୍ଲୋଥର୍ମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସଂପର୍କରେ ବି.ଏମ୍‌.ସି କମିଶନର ଶ୍ରୀ କୁଲାଙ୍ଗେ ବୈଠକରେ  ସୂଚନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କଲେ ନୂଆ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଆଜି ନେବେ ଦାୟିତ୍ବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ମଙ୍ଗଳବାର ଦିନ ସକ୍ଷାତ କରିଛନ୍ତି ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଏଥିସହିତ ନୂଆ ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଓଇଆରସିର ଅଧ୍ୟକ୍ଷ ସୁରେଶ ମହାପାତ୍ର ମଧ୍ୟ ଭେଟିଛନ୍ତି। ତିନିଜଣଙ୍କୁ ରାଜ୍ୟ ସରକାର ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି।

ନିକଟରେ ରାଜ୍ୟ ସରକାର ବରିଷ୍ଠ ଆଇଏଏସ ପ୍ରଦୀପ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିଛନ୍ତି। ସେ ଆଜି ବୁଧବାର ଦିନ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ। ସେହିପରି ଆଜି ମଧ୍ୟ ବରିଷ୍ଠ ଆଇଏଏସ ଅନୁ ଗର୍ଗ ମଧ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବରିଷ୍ଠ ଆଇଏଏସ ଅନୁ ଗର୍ଗ ହେଲେ ଉନ୍ନୟନ କମିଶନର

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ ପ୍ରଦୀପ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ଦେଇଛନ୍ତି। ସେ ଆସନ୍ତା ମାର୍ଚ୍ଚ 1 ତାରିଖରେ ଦାୟିତ୍ବ ଗ୍ରହଣ କରିବେ। ସେ ମୁଖ୍ୟ ଶାସନ ସଚିବ ହେବା ପରେ ଉନ୍ନୟନ କମିସନର ଭାବେ ଅନୁ ଗର୍ଗଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।

୧୯୯୧ ବ୍ୟାଚର ଆଇଏଏସ ଅଧିକାରୀ ଅନୁ ଗର୍ଗଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ୟାହାରେ ଅଛନ୍ତି। ସେ ବର୍ତ୍ତମାନ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେ ଏହି ଦାୟିତ୍ବରେ ମଧ୍ୟ ରହିବେ। ସେହିପରି ତାଙ୍କୁ ଯୋଜନା ଏବଂ ସମନ୍ବୟ ବିଭାଗର ଅତିରିକ୍ତ ଶାସନ ସଚିବ ମଧ୍ୟ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁନରୁଦ୍ଧାର ହେବ ଶୁକ-ପାଇକା ନଦୀ: ପ୍ରାୟ ୪୯.୬୭ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦିତ

ଭୁବନେଶ୍ୱର: ଜଳସେଚନ ଏବଂ ପ୍ରାକୃତିକ ଜୈବ-ପରିବେଶ ବିକାଶ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପଭାବେ କଟକ ଜିଲ୍ଲା ଅନ୍ତର୍ଗତ ମହାନଦୀ ତେଲ୍ଟାର ଶୁକ-ପାଇକା ନଦୀର ପୁନରୁଦ୍ଧାର ହେବ। ସ୍ଥାନୀୟ ଭାବେ ମୃତ-ନଦୀ ବୋଲି ଜଣାଶୁଣା ଏହି ନଦୀ ଖୁବ୍ ଶିଘ୍ର ପୁଣି ଜୀବନ୍ତ ଓ ଚଳଚଞ୍ଚଳ ହେବ।

ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ବନ୍ଧିତ ଏକ ପ୍ରକଳ୍ପ ଅନୁମୋଦିତ ହୋଇଛି। ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ପ୍ରକଳ୍ପର ବୈଷୟିକ, ଆର୍ଥିକ ଏବଂ ପ୍ରଶାସନିକ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ପ୍ରକଳ୍ପର ବିଭିନ୍ନ ଦିଗ ବିଚାର କରି ଏହି ପ୍ରାକୃତିକ ନାଳର ପୁନରୁଦ୍ଧାର ନିମନ୍ତେ ଖୁବ୍ ଶିଘ୍ର ଟେଣ୍ଡର ଆହ୍ୱାନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ପୁର୍ନବିନ୍ୟାସ ପରେ ବର୍ଷ ତମାମ ଯେପରି ନଦୀରେ ଯଥେଷ୍ଟ ପାଣି ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜଳ ସଂପଦ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନାଳରେ ଭରା-ଜଳ ରହିଲେ ତାହା ପାର୍ଶ୍ୱବର୍ତ୍ତୀ ସ୍ଥାନର ମୁର୍ତ୍ତିକା ଆର୍ଦ୍ରତା ବଜାୟ ରଖିବାରେ ସହାୟକ ହେବା ସହ ଉଭୟ ପାର୍ଶ୍ୱର କୃଷି ଜମିକୁ ବର୍ଷ ତମାମ ଉତ୍ପାଦନକ୍ଷମ କରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ବର୍ଷା ଓ ବନ୍ୟାଋତୁକୁ ଆଖିରେ ରଖି ପ୍ରକଳ୍ପ କାର୍ଯ୍ୟାୟନ ସମୟ-ନିର୍ଘଣ୍ଟ ନିର୍ଦ୍ଧାରଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ବହୁମାତ୍ରାରେ ବନ୍ୟାପାଣି ନାଳରେ ଆସି ଯେପରି ପ୍ରଭୁତ କ୍ଷତି ନଘଟାଇବ ସେହିପରି ପ୍ରକଳ୍ପ ଡ଼ିଜାଇନ୍ ବୈଷୟିକ କୌଶଳ ଏବଂ କାର୍ଯ୍ୟାୟନ ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ପ୍ରକଳ୍ପ ପାଇଁ ପ୍ରାୟ ୪୯.୬୭ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ବୈଠକରେ ଅନୁମୋଦନ କରାଯାଇଥିଲା। ନଦୀର ଉଭୟ ପାର୍ଶ୍ୱରେ ଥିବା ଗ୍ରାମୀଣ ରାସ୍ତାଗୁଡିକୁ ସଂଯୋଗ କରିବା ନିମନ୍ତେ ନଦୀ ଉପରେ ୪ ଟି ପୋଲ ନିର୍ମାଣ ହେବ। ସମୁଦାୟ ପ୍ରକଳ୍ପକୁ ୧୮ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଣାଇଥିଲେ ଯେ ଏହି ପ୍ରାକୃତିକ ନାଳଟି ମହାନଦୀର ଦକ୍ଷିଣ ପାର୍ଶ୍ୱସ୍ଥିତ ଆୟତପୁର ଗ୍ରାମ ପାଖରୁ ବାହାରିଛି । କଟକ ସଦର, ନିଶ୍ଚିନ୍ତକୋଇଲି ଏବଂ ରଘୁନାଥପୁର ବ୍ଲକ୍ର ପ୍ରାୟ ୨୧ ଟି ପଞ୍ଚାୟତ ଦେଇ ପ୍ରାୟ ୩୦.୪୫ କି.ମି. ଅତିକ୍ରମ କଲାପରେ ଏହା ପୁନଶ୍ଚ ତାରପୁର ନିକଟସ୍ଥ ବଙ୍କାଳଠାରେ ମହାନଦୀରେ ମିଶିଛି। ୧୯୫୦ ମସିହାରେ ତତ୍କାଳୀନ ପ୍ରଳୟଙ୍କରୀ ବନ୍ୟା ନିୟନ୍ତ୍ରଣ ଉପାୟଭାବେ ଏହାର ଜଳ ପ୍ରବେଶ ପାର୍ଶ୍ୱ ବନ୍ଦ କରାଯାଇଥିଲା। ଏହି ପ୍ରାକୃତିକ ନାଳଟି ପୁନରୁଦ୍ଧାର ହେଲେ ଅଧିକ ଜଳସେଚନ ସୁବିଧା ସୃଷ୍ଟି ସହ, ମତ୍ସ୍ୟ ଚାଷ ଓ ଉଭୟ ପାର୍ଶ୍ୱ ଜମିରେ ଅର୍ଥକାରୀ ଫସଲ ଆଦି ଉତ୍ପାଦନ ହୋଇପାରିବ । ପ୍ରାକୃତିକ ଜୈବ-ପରିବେଶ ମଧ୍ୟ ପୁର୍ନଜୀବିତ ହେବ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ, ଜଳ ସଂପଦ ବିଭାଗ ପ୍ରଧାନ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

୨୦୨୩ ଜୁନ ସୁଦ୍ଧା ଶେଷ ହେବ ଲୋୟର ସୁକତେଲ ପ୍ରକଳ୍ପର ସ୍ପିଲ୍ ୱେ କାର୍ଯ୍ୟ

ଭୁବନେଶ୍ୱର: ରାଜ୍ୟ ଜଳ ସଂପଦ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଗୁରୁବାର ଆଭାସୀ ବୈଠକ ମାଧ୍ୟମରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ, ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଓ ବାଙ୍କତିରା ଜଳସେଚନ ପ୍ରକଳ୍ପ ଏବଂ ମୟୂରଭଞ୍ଜ ଜିଲ୍ଲାର ସୋନୋ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ଓ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ବ୍ୟାପକ ଆଲୋଚନା କରାଯାଇଥିଲା।
ବୈଠକରୁ ଜଣାଯାଇଛି ଯେ, ଆଗାମୀ ଜୁନ୍-୨୦୨୩ ସୁଦ୍ଧା ଲୋୟର ସୁକତେଲ ପ୍ରକଳ୍ପର ସ୍ପିଲ୍ ୱେ କାଯ୍ୟ ଶେଷ ହେବ। ଏଥିପାଇଁ ପ୍ଲେଟ୍ ଗାର୍ଡର ଓ ଦକ୍ଷିଣ ପାର୍ଶ୍ୱ ଡାଇକ୍ ନିର୍ମାଣ କାଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା। ୨୦୨୧ ମସିହାରେ ଏହି ପ୍ରକଳ୍ପ ଅଧୀନରେ ୧୫୦୦୦ ହେକ୍ଟର ଓ ୨୦୨୨ ରେ ୧୭୦୦୦ ହେକ୍ଟର ସେଚାଞ୍ଚଳକୁଅତିରିକ୍ତ ଜଳସେଚନ ସୁବିଧା କରାଯାଇଥିବା ବେଳେ ଆଗାମୀ ଖରିଫ-୨୦୨୩ ସୁଦ୍ଧା ଆଉ ୮୦୦୦ ହେକ୍ଟର ଜମିକୁ ଜଳସେଚନ ପାଇଁ କାଯ୍ୟ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ସେହିପରି ମୟୂରଭଂଜ ଜିଲ୍ଲାର ସୋନୋ ଜଳସେଚନ ପ୍ରକଳ୍ପ ଓବାଲେଶ୍ୱର ଜିଲ୍ଲାର ବାଙ୍କତିରା ଜଳସେଚନ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ଏହି ପ୍ରକଳ୍ପ ଦ୍ୱୟର କାର‌୍ୟ୍ୟାରମ୍ଭ ପାଇଁ ପରିବେଶ ମଂଜୁରୀ ଏବଂ ଟେଣ୍ଡର କାର୍ଯ୍ୟକୁ ତ୍ୱରିତ ପଦକ୍ଷେପ ନିଆଯାଇ ଶେଷ କରିବାକୁ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ।

Categories
Cyclone ଜାତୀୟ ଖବର ବିଶେଷ ଖବର

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବୈଠକ, ଖୋଲିଲା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ, ଛୁଟି ବାତିଲ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ‘ଆସାନି’ ଫଳରେ ରାଜ୍ୟର ଉପକୂଳ ଅଂଚଳରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସଂପଦ ବିଭାଗ ତରଫରୁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ବୈଠକରେ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର‌୍ୟ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦାୟିତ୍ୱ ସଂପନ୍ନନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରା ଏହା ପରିଚାଳିତ ହେବ । ସମ୍ଭାବ୍ୟ ବାତ୍ୟା ପାଇଁ ସବୁ ପ୍ରକାର ପ୍ରସ୍ତୁତିରେ ରହିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ବଳ ଥିବାନଦୀ ଓ କେନାଲ ବନ୍ଧଗୁଡିକ ପ୍ରତି ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି ।

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ଜିଲ୍ଲାପ୍ରଶାସନ ସହିତ ସମନ୍ୱୟ ରଖି ଆବଶ୍ୟକ ଆନୁଷଙ୍ଗିକ ସହାୟତା ଯୋଗାଇଦେବେ । ବାତ୍ୟା ଯୋଗୁଁ ବନ୍ୟା ବା ଅତ୍ୟଧିକ ବର୍ଷାଫଳରେ ଡ୍ରେନେଜ ସମସ୍ୟା ଉପୁଜିଲେ ତାହାକୁ ତୁରନ୍ତ ପରିସ୍କାର ପାଇଁ ଆବଶ୍ୟକ ଯନ୍ତ୍ରପାତି ସହ ପଦକ୍ଷେପ ନେବାକୁ କୁହାଯାଇଛି ।

ଜଳଭଣ୍ଡାରଗୁଡିକର ସ୍ଥିତି ଅନୁଧ୍ୟାନ କରି ନିୟନ୍ତ୍ରଣ କକ୍ଷକୁ ନିୟମିତ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା ଯନ୍ତ୍ରୀମାନଙ୍କର ଛୁଟି ବାତିଲ କରାଯାଇଛି । ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବିନା ଅନୁମତିରେ ଛୁଟି ମଂଜୁର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ସଚିବ (ତଦାରଖ) ଚନ୍ଦ୍ରଶେଖର ପାଢୀ, ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର, ସର୍ବୋଚ୍ଚ ଯନ୍ତ୍ରୀ( ଯୋଜନା ଓ ନକ୍ସାଙ୍କନ) ଅସୀମ ମହାପାତ୍ର, ଅତିରିକ୍ତ ଶାସନ ସଚିବ ସୁବ୍ରତ କୁମାର ପଣ୍ଡା, ମୁଖ୍ୟ ଯନ୍ତ୍ରୀ , ବେସିନ୍ ମ୍ୟାନେଜର-ମହାନଦୀ କାଠଯୋଡି ସିଷ୍ଟମ ଭକ୍ତରଂଜନ ମହାନ୍ତି, ମୁଖ୍ୟଯନ୍ତ୍ରୀ ଡ୍ରେନେଜ୍ ବାଲେଶ୍ୱର ନାଥ ସାହୁ, ମୁଖ୍ୟଯନ୍ତ୍ରୀ ଏଚ୍.ଏଚ୍ .ଜି.ଆଇ.ସ୍ ଓ ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଛଅ ଜଣ ଆଇଏଏସଙ୍କୁ ମିଳିଲା ନୂଆବର୍ଷ ଭେଟି, ଅତିରିକ୍ତ ମୁଖ୍ୟ ଶାସନ ସଚିବକୁ ପଦୋନ୍ନତି

ଭୁବନେଶ୍ବର : ନୂଆବର୍ଷରେ ଓଡିଶାର ଛଅଜଣ ଆଇଏଏସଙ୍କୁ ମିଳିଛି ନୂଆବର୍ଷ ଭେଟି। ସେମାନଙ୍କୁ ରାଜ୍ୟ ସରକାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏହି ପଦବୀ ହେଉଛି ଆଇଏଏସର ସର୍ବୋଚ୍ଚ ପଦୋନ୍ନତି। ଯେଉଁମାନଙ୍କୁ ଏହି ପଦବୀକୁ ପଦନ୍ନୋତି ଦିଆଯାଇଛି ସେମାନେ ହେଲେ

1-ଅନୁ ଗର୍ଗ

2-ମଧୂସୁଦନ ପାଢୀ

3-ସତ୍ୟବ୍ରତ ସାହୁ

4-ବିଜୟ ଆରୋରା

5-ଜି ଶ୍ରୀନିବାସ

6-ଆରତୀ ଆହୁଜା

ଜି ଶ୍ରୀନିବାସ ଏବଂ ଆରତୀ ଆହୁଜା ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ରବି ଋତୁରେ ମେଗା ଲିଫ୍ଟ ଜରିଆରେ ୨୦ ହଜାର ହେକ୍ଟର ଜମିକୁ କରାଯିବ ଜଳସେଚନ

ଭୁବନେଶ୍ୱର, ରାଜ୍ୟ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଅପରାହ୍ଣରେ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟରେ ବୃହତ୍ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ମାସିକ ସମୀକ୍ଷା ବୈଠକରେ ଯୋଗଦେଇ ପୁରୁଣା ମେଗାଲିଫ୍ଟ ପ୍ରକଳ୍ପର ସ୍ଥିତି ଓ ନୂତନ ମେଗା ଲିଫ୍ଟ ନିର୍ମାଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।
ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଳ ଯୋଗାଣ କରୁଥିବା ନବନିର୍ମିତ ସୁନ୍ଦରଗଡ ଜିଲ୍ଲାର ବରଗାଁ ଏବଂ ଗଂଜାମ ଜିଲ୍ଲାର କଳିଙ୍ଗଡୋଳା ବୃହତ୍ ଉଠାଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ ।

ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଧିକ ମେଗା ଲିଫ୍‌ଟ ପ୍ରକଳ୍ପ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ସଚିବ ବିଭାଗୀୟ ଯନ୍ତ୍ରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଆସନ୍ତା ରବି ଋତୁରେ ମେଗା ଲିଫ୍ଟ ଜରିଆରେ ୨୦ ହଜାର ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା ଲକ୍ଷ୍ୟ ରଖାଯାଇଛି ।

କେନ୍ଦୁଝର ଜିଲ୍ଲାରେ ୧୪ଟି ବୃହତ୍ ଉଠାଜଳସେଚନ ପ୍ରକଳ୍ପ ଓମବାଡିସି ପାଣ୍ଠିରୁ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ବେଳେ ଆବଶ୍ୟକ ବୈଷୟିକ ଅନୁମୋଦନ ପରେ ସେସବୁକୁ ନିର୍ମାଣ କରାଯିବ ବୋଲି ବୈଠକରୁ ଜଣାଯାଇଛି । ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ( ଯୋଜନା ଓ ନକ୍ସାଙ୍କନ) ଇଂ. ବିଜୟ କୁମାର ମିଶ୍ର, ମୁଖ୍ୟ ଯନ୍ତ୍ରୀ(ମେଗା ଲିଫ୍ଟ) ଇଂ ଚିନ୍ମୟ ରାଉତ, ବିଭାଗୀୟ ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଫଟୋ ଖବର

ବିଭିନ୍ନ ନଦୀରେ ସୃଷ୍ଟି ହୋଇଥିବା ଘାଇ ଏବଂ ଘଳିଆ ମରାମତି କାମକୁ ତଦାରଖ କରୁଛନ୍ତି ଜଳସଂପଦ ସଚିବ

ଭୁବନେଶ୍ବର, ଚଳିତ ଲଘୁଚାପ ଜନିତ ବନ୍ୟାରେ ବିଭିନ୍ନ ନଦୀ ଓ ଶାଖା ନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଛୋଟବଡ ଘାଇ ଏବଂ ଘଳିଆଗୁଡିକର ବନ୍ଦ କରାଯିବା କାର୍ଯ୍ୟ ଜଳ ସମ୍ପଦ ବିଭାଗ ଦ୍ବାରା ଜାରି ରହିଛି। ବିଭାଗର ସଚିବ ଅନୁ ଗର୍ଗଙ୍କ ସହିତ ବରିଷ୍ଠ ଅଧିକାରୀ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଯନ୍ତ୍ରୀମାନେ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ମରାମତି କାମ ତଦାରଖ କରୁଛନ୍ତି।