Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ରସ୍ତୁତ ‘ଖଜୁରୀ ଗୁଡ଼’ର ଚାହିଦା

ନୂଆଦିଲ୍ଲୀ/ ଭୁବନେଶ୍ୱର: ତାଳ ଓ ଖଜୁରୀରୁ ପ୍ରସ୍ତୁତ ଗୁଡ଼ ହେଉଛି ଏକ ପାରମ୍ପରିକ ଖାଦ୍ୟ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥିବାରୁ ବର୍ତ୍ତମାନ ସମୟରେ ଏହାର ଭଲ ଚାହିଦା ରହିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ‘ଓଡ଼ିଶା ମଣ୍ଡପ’ରେ ଏହି ଖଜୁରୀ ଗୁଡ଼ ଏକ ପ୍ରମୁଖ ଆକର୍ଷଣ ପାଲଟିଛି।

ଓଡ଼ିଶା ମଣ୍ଡପରେ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲରେ ଖଜୁରୀ ଗୁଡ଼ ପ୍ରଦର୍ଶନ ଓ ବିକ୍ରି କରାଯାଉଛି। ତା’ସହିତ ତାଳ ଓ ଖଜୁରୀ ଗଛର ପତ୍ରରୁ ପ୍ରସ୍ତୁତ ବିଭିନ୍ନ ଘରୋଇ ଉପକରଣ ମଧ୍ୟ ଏଠାରେ ବିକ୍ରି କରାଯାଉଛି। ଦେଶ ବିଦେଶରୁ ଆସୁଥିବା ଦର୍ଶକମାନେ ଏହାକୁ ଆଗ୍ରହର ସହ କିଣୁଛନ୍ତି।ମଙ୍ଗଳବାର ସୁଦ୍ଧା ଏହି ଷ୍ଟଲରେ ୩୫ ହଜାର ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି।

‘‘ଖଜୁରୀ ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଭଲ। ତେଣୁ ପ୍ରତିବର୍ଷ ଆମେ ବାଣିଜ୍ୟ ମେଳାରୁ ଖଜୁରୀ ଗୁଡ଼ କିଣିଥାଉ। ବିଶେଷକରି, ଓଡ଼ିଶା ଖଜୁରୀ ଗୁଡ଼ର ଏକ ନିଆରା ସ୍ୱାଦ ରହିଛି। ଆମେ ଓଡ଼ିଶା ମଣ୍ଡପରୁ ଖୋଜି ଖୋଜି ଏହି ଗୁଡ଼ କିଣୁଛୁ,’’ କହିଛନ୍ତି ଦିଲ୍ଲୀର ଜଣେ ବାସିନ୍ଦା ଭାରତ ଭୂଷଣ ଅରୋରା।

ସେହିପରି ଦିଲ୍ଲୀର ଆଉ ଜଣେ ଦର୍ଶକ ଧରମବୀର ଅଗ୍ରୱାଲ କହନ୍ତି, ‘‘ଆମ ପରିବାରରେ ସମସ୍ତେ ନିୟମିତ ଗୁଡ଼ ଖାଇବାକୁ ପସନ୍ଦ କରୁଛନ୍ତି। ବାଣିଜ୍ୟ ମେଳା ଆସିଲେ ଆମେ ଓଡ଼ିଶା ମଣ୍ଡପରୁ ଖଜୁରୀ ଗୁଡ଼ କିଣିଥାଉ। ଏଥର ମଧ୍ୟ ଆମେ ଖଜୁରୀ ଗୁଡ଼ କିଣିଛୁ। ଏହା ଜୈବିକ ଉପାୟରେ ପ୍ରସ୍ତୁତ ହେଉଥିବାରୁ ଖାଇବାକୁ ଭଲ ଲାଗୁଛି।’’

ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଅଧୀନରେ କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଗଜପତି, ଢେଙ୍କାନାଳ, ଅନୁଗୋଳ ଏବଂ ବୌଦ୍ଧ ଜିଲ୍ଲା ରହିଛି। ତା’ ଭିତରୁ ଗଜପତି, ଢେଙ୍କାନାଳ, ଅନୁଗୋଳ ଓ ବୌଦ୍ଧ ଜିଲ୍ଲାରେ ଖଜୁରୀ ଗୁଡ଼ ପ୍ରସ୍ତୁତି ହେଉଛି। ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଅଧୀନରେ ଥିବା ୨୩ଟି ପ୍ରାଥମିକ ତାଳଗୁଡ଼ ସମବାୟ ସମିତି ମାଧ୍ୟମରେ ଏହି ଗୁଡ଼ ଉତ୍ପାଦନ କରାଯାଉଛି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଜୀବିକା ପାଉଛନ୍ତି।

‘‘ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ରସ୍ତୁତ ଖଜୁରୀ ଗୁଡ଼ର ଭଲ ଚାହିଦା ରହିଛି। ମେଳା ବୁଲିବାକୁ ଆସୁଥିବା ଲୋକମାନେ ଏହି ଗୁଡ଼ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ରାଜ୍ୟ ସରକାର ଏହାକୁ ପ୍ରୋତ୍ସାହନ ଦେଉଥିବାରୁ ଓଡ଼ିଶା ବାହାରେ ଏହାର ଭଲ ଚାହିଦା ରହୁଛି,’’ କହିଛନ୍ତି ବାଣିଜ୍ୟ ମେଳାକୁ ଆସିଥିବା ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘର ମାର୍କେଟିଂ ଇନଚାର୍ଜ ଅନିଲ କୁମାର ବେହେରା।

ସମବାୟ ସଙ୍ଘ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଖଜୁରୀ ଏବଂ ତାଳ ବଗିଚା ସୃଷ୍ଟି କରାଯାଉଛି। ଚାଷୀମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଖଜୁରୀ ଗଛରୁ ରସ ସଂଗ୍ରହ କରିଥାନ୍ତି। ଏହାକୁ ଚୁଲିରେ ରନ୍ଧାଯାଇ ଗୁଡ଼ ପ୍ରସ୍ତୁତ କରାଯାଇଥାଏ। ପ୍ରାଥମିକ ସମବାୟ ସମିତିଗୁଡ଼ିକଠାରୁ ଗୁଡ଼ ସଂଗ୍ରହ କରାଯିବା ପରେ ଏହାକୁ ପ୍ୟାକେଜିଂ କରାଯାଇଥାଏ।

ଖଜୁରୀ ଗୁଡ଼କୁ ସମ୍ପୂର୍ଣ୍ଣ ଜୈବିକ ଉପାୟରେ ପ୍ରସ୍ତୁତ କରାଯାଉଛି। ନିକଟରେ ଏହା ଜିଆଇ ମାନ୍ୟତା ପାଇଛି। ‘ଓଡ଼ିଶା ଖଜୁରୀ ଗୁଡ଼’ ନାଁରେ ଏହା ବଜାରରେ ଉପଲବ୍ଧ ହେଉଛି।

ଏହି ଗୁଡ଼ କିପରି ବଜାର ସଂଯୋଗ ହୋଇପାରିବ ସେନେଇ ସମବାୟ ସଂଘ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଭୁବନେଶ୍ୱରର ୟୁନିଟ-୨ ଓ ଗଣ୍ଡମୁଣ୍ଡା ଏବଂ କଟକର ଚାନ୍ଦିନୀଚୌକଠାରେ ଥିବା ଆଉଟଲେଟରେ ଏହା ବିକ୍ରି କରାଯାଉଛି। ଏହାଛଡ଼ା ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ମେଳାରେ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇ ଏହି ଗୁଡ଼ ବିକ୍ରି କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶାର ‘ମିଶନ ଶକ୍ତି’ ମହିଳାଙ୍କ ହାତ ତିଆରି ଉତ୍ପାଦର ଚାହିଦା

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଛି ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୪। ଏହି ମେଳାରେ ଓଡ଼ିଶାର ମିଶନ ଶକ୍ତି ମହିଳାମାନଙ୍କ ହାତ ତିଆରି ବିଭିନ୍ନ ଉତ୍ପାଦର ବିଶେଷ ଚାହିଦା ରହିଛି। କନ୍ଧମାଳ ହଳଦୀ ସହିତ ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ‘ଓଡ଼ିଶା ମଣ୍ତପ’ରେ ଲୋକଙ୍କର ଭିଡ଼ ଜମୁଛି।

ନଭେମ୍ବର ୧୪ରୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆରମ୍ଭ ହୋଇଛି। ସୋମବାର ଦିନ ସଂସଦୀୟ କମିଟିର (ବାଣିଜ୍ୟ) ପ୍ରତିନିଧିମାନେ ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କରିଥିଲେ। ଓଡ଼ିଶାର କାରୁକାର୍ଯ୍ୟ, କଳା କାରିଗରିକୁ ଦେଖି ସେମାନେ ପ୍ରଶଂସା କରିଥିଲେ।

‘ଓଡ଼ିଶା ମଣ୍ଡପ’ରେ ଏଥର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୨୫ଟି ଷ୍ଟଲ ସ୍ଥାନ ପାଇଛି। ତା’ଭିତରେ ମିଶନ ଶକ୍ତି ବିଭାଗ ପକ୍ଷରୁ ୫ଟି ଷ୍ଟଲ ରହିଛି। ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର (ଏସଏଚଜି) ସଦସ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଆକର୍ଷଣ ସାଜିଛି।

ଯାଜପୁର ଜିଲ୍ଲାର ଜୟ ମା’ ମଙ୍ଗଳା ଏସଏଚଜି, କେନ୍ଦ୍ରାପଡ଼ା ଜିଲ୍ଲାର ସତ୍ୟସାଇ ଉତ୍ପାଦକ ଗୋଷ୍ଠୀ, ବାଲେଶ୍ୱରର ମା’ ସୁଭଦ୍ରା ଏସଏଚଜି, କନ୍ଧମାଳର ଶ୍ରୀୟା ଏସଏଚଜି ଏବଂ ଖୋର୍ଦ୍ଧାର ରାଧାରାଣୀ ଏସଏଚଜି ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଓଡ଼ିଶା ମଣ୍ଡପରେ ପ୍ରଦର୍ଶନ ଓ ବିକ୍ରି କରାଯାଉଛି।

‘‘ପ୍ରଥମ ଥର ପାଇଁ ଆମେ ଦିଲ୍ଲୀରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାକୁ ଆସିଛୁ। ଆମ ଷ୍ଟଲରେ ଜଉ କଣ୍ଢେଇ ଓ ଲାଖ ଚୁଡ଼ି ଭଲ ବିକ୍ରି ହେଉଛି। ଲୋକମାନେ ଆସି ଏହାକୁ ଆଗ୍ରହର ସହିତ କିଣିବା ସହ ଏସବୁ କେମିତି ତିଆରି ହେଉଛି ତାହା ପଚାରି ବୁଝୁଛନ୍ତି’’, କହିଛନ୍ତି ଏସଏଚଜି ସଦସ୍ୟା ଫୁଲମଣି ସୋରେନ୍।

‘‘ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ନେଇ ଆମେ ଦିଲ୍ଲୀ ଆସିଛୁ। ମାଣ୍ଡିଆ ଛତୁଆ, କୁରୁମା, ବିସ୍କୁଟ ଆଦି କିଣିବାକୁ ଲୋକେ ପସନ୍ଦ କରୁଛନ୍ତି। ଆମେ ଭଲ ଦି’ ପଇସା ବ୍ୟବସାୟ ମଧ୍ୟ କରିପାରୁଛୁ,’’ କହିଛନ୍ତି ଏସଏଚଜି ସଦସ୍ୟା ପୂର୍ଣ୍ଣିମା ବେହେରା।

‘ଓଡ଼ିଶା ମଣ୍ଡପ’ରେ ଥିବା ମିଶନ ଶକ୍ତି ଷ୍ଟଲରେ କନ୍ଧମାଳ ହଳଦୀ ସହିତ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ନୁଡୁଲ୍ସ, ମିକ୍ସଚର, କୁରୁମା, ନିମିକି, ସେଉ ଏବଂ ଲଡୁ ଆଦି ରହିଛି। ସେହିପରି ଟସରରୁ ତିଆରି ଆକର୍ଷଣୀୟ ଶାଢ଼ି ଓ ଆଧୁନିକ ପୋଷାକ, ଜଉ କଣ୍ଢେଇ ଓ ଲାଖ ଚୁଡ଼ି, କାଇଁଚ ଓ ସବାଇ ଘାସରୁ ପ୍ରସ୍ତୁତ ଘର ସାଜସଜ୍ଜା ଜିନିଷ ଏବଂ ବିଭିନ୍ନ ମସଲା ଆଦି ଦର୍ଶକଙ୍କୁ ଆକୃଷ୍ଟ କରୁଛି।

ମିଶନ ଶକ୍ତି ବିଭାଗ ପକ୍ଷରୁ ଖୋଲାଯାଇଥିବା ୫ଟି ଷ୍ଟଲରେ ୧୦ରୁ ଅଧିକ ଏସଏଚଜି ମହିଳା ଅଂଶଗ୍ରହଣ କରିଛନ୍ତି। ଦିଲ୍ଲୀ ବଜାରରେ ସେମାନଙ୍କ ହାତ ତିଆରି ସାମଗ୍ରୀ ବିକ୍ରି ଓ ପ୍ରଦର୍ଶନ କରିବାର ସୁଯୋଗ ପାଇଥିବାରୁ ସେମାନେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବାଣିଜ୍ୟ ମେଳା ବୁଲି ଆସୁଥିବା ଲୋକମାନେ ଓଡ଼ିଶା ମଣ୍ଡପରେ ମିଶନ ଶକ୍ତି ଷ୍ଟଲରୁ ମା’ମାନଙ୍କ ହାତ ତିଆରି ଜିନିଷ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଏକ ଅନନ୍ୟ ପଦକ୍ଷେପକୁ ସେମାନେ ପ୍ରସଂଶା କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ବାଣିଜ୍ୟମେଳା ଫଟୋ ଆଲ୍‌ବମ୍‌ ପ୍ରଦାନ କଲେ ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟପାଳ ଶ୍ରୀ ରଘୁବାର ଦାସଙ୍କୁ ଭେଟି ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍‌ର ଫଟୋ ସମ୍ବଳିତ ଏକ ଆଲ୍‌ବମ୍‌ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଲିଲିୟନ୍‌ ସ୍ୱର୍ଣ୍ଣ ପଦକ ହାସଲ କରିବାର ଗୌରବ ଅର୍ଜନ କରିଛି। ନୂଆଦିଲ୍ଲୀର ପ୍ରଗତି ମଇଦାନରେ ନଭେମ୍ବର ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ମେଳାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଷ୍ଟଲରେ ରାଜ୍ୟର କଳାକାର, ବୁଣାକାର, ଶିଳ୍ପୀ ଏବଂ କାରିଗରଙ୍କ ଦ୍ୱାରା ନିର୍ମିତ ସାମଗ୍ରୀର ବିପଣନ ଓ ପ୍ରଦର୍ଶନ ହୋଇଥିଲା।

ମେଳାରେ ରାଜ୍ୟର ପ୍ରଗତିର ଚିତ୍ର ସହ ନାରୀ ସଶକ୍ତିକରଣର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। ବାଣିଜ୍ୟ ମେଳାରେ ବିଭିନ୍ନ ପ୍ରଦର୍ଶନ, ଅତିଥି ପରିଚର୍ଯ୍ୟା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ରାଜ୍ୟ ଦିବସ ସମାବେଶ ଓ ଅନ୍ୟାନ୍ୟ ଘଟଣାବଳୀ ସମ୍ବଳିତ ଫଟୋଚିତ୍ର ରହିଥିବା ଆଲ୍‌ବମ୍‌ ରାଜ୍ୟପାଳଙ୍କୁ ନିର୍ଦ୍ଦେଶକ ଶ୍ରୀ ସାମଲ ପ୍ରଦାନ କରିଥିଲେ।

ଶ୍ରୀ ସାମଲ ଆଲ୍‌ବମ୍‌ ପ୍ରଦାନ କରିବା ସମୟରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍‌ ସଂପର୍କରେ ବିଶଦ ଭାବେ ସୂଚନା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅହିଂସାର ବାର୍ତ୍ତା ଦେଉଛି ଓଡ଼ିଶାର ‘କରୁଣା ସିଲ୍କ’

ଭୁବନେଶ୍ୱର: ରେଶମ ଉତ୍ପାଦନ ବେଳେ ପାରମ୍ପରିକ ପଦ୍ଧତିରୁ ବାହାରି ଏକ ନୂଆ ବାଟ ଆପଣାଇଛି ଓଡ଼ିଶା। ଅହିଂସା ଉପାୟରେ ଏଣ୍ଡିକୀଟ ଖୋସାରୁ ପ୍ରସ୍ତୁତ ‘କରୁଣା ସିଲ୍କ’ ଓଡ଼ିଶାର ରେଶମ ଚାଷ ପରମ୍ପରାକୁ ଏକ ନୂଆ ଦିଗ ଦେଇଛି। ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ‘ଓଡ଼ିଶା ପାଭିଲିୟନ’ରେ ଏହି ନିଆରା ସିଲ୍କ ପ୍ରମୁଖ ଆକର୍ଷଣ ପାଲଟିଛି।

ସାଧାରଣତଃ ରେଶମ ଖୋସାରୁ ସୂତା ବାହାର କରିବା ବେଳେ ଏହାକୁ ଗରମ ପାଣିରେ ଫୁଟାଇବାକୁ ପଡ଼ିଥାଏ, ଯେଉଁଥିରେ ଖୋସା ଭିତରେ ଥିବା ରେଶମ କୀଟ ମୃତ୍ୟୁବରଣ କରିଥାଏ। କିନ୍ତୁ ରେଶମ କୀଟକୁ ନମାରି ଅହିଂସା ଉପାୟରେ ଓଡ଼ିଶା ଉତ୍ପାଦନ କରୁଛି ଏହି ନୂତନ ସିଲ୍କ। ଅହିଂସା ବା କରୁଣା ବାଟ ଅବଲମ୍ବନ କରି ଏହି ରେଶମ ଉତ୍ପାଦନ କରାଯାଉଥିବାରୁ ଏହାର ନାଁ ଦିଆଯାଇଛି ‘କରୁଣା ସିଲ୍କ’। ଏହି କରୁଣା ସିଲ୍କରୁ ଏବେ କରୁଣାମୟ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ହେଉଛି ଖଣ୍ଡୁଆ ପାଟ।

‘‘ଏ ବର୍ଷ ଅର୍ନ୍ତଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନକୁ ବେଶ୍ ଆକର୍ଷଣୀୟ କରାଯାଇଛି। ତେବେ ପାଭିଲିୟନର ସ୍ୱତନ୍ତ୍ର ଆକର୍ଷଣ ହୋଇଛି କରୁଣା ସିଲ୍କ। ଓଡ଼ିଶାର ଏହି ନୂତନ ପ୍ରୟୋଗ କଥା ଜାଣି ସେଠାକୁ ଆସିଥିବା ପରିଦର୍ଶକମାନେ ବେଶ୍ ଖୁସି ହେଉଛନ୍ତି’’, କହିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ। ବିଭାଗ ପକ୍ଷରୁ ପ୍ରଗତି ମଇଦାନରେ ଓଡ଼ିଶା ପାଭିଲିୟନକୁ ପ୍ରସ୍ତୁତ କରାଯାଇଛି, ଯେଉଁଠି ରାଜ୍ୟ ସରକାରଙ୍କର ୭ଟି ବିଭାଗର ୨୪ଟି ଷ୍ଟଲ ଖୋଲାଯାଇଛି।

‘‘ଆଜିର ଦିନରେ ସିଲ୍କ ଉତ୍ପାଦନ ବେଳେ ରେଶମ ପୋକକୁ ନମାରି ତାକୁ ପ୍ରଜାପତି କରି ଖୋସାରୁ ଉଡ଼ାଇ ଦିଆଯାଉଛି। ଏଭଳି ଅହିଂସା ଉପାୟରେ ଓଡ଼ିଶାରୁ ସିଲ୍କ ଉତ୍ପାଦନ ହେଉଛି ଜାଣି ଖୁସି ଲାଗିଲା। ପୁଣି ସେହି ସିଲ୍କରୁ ଜଗନ୍ନାଥଙ୍କର ଅଙ୍ଗ ବସ୍ତ୍ର ପ୍ରସ୍ତୁତ ହେଉଛି। ଓଡ଼ିଶା ପାଭିଲିୟନରେ କରୁଣା ସିଲ୍କର ଲାଇଭ୍ ବୁଣା ଦେଖି ମତେ ଗୋଟେ ନୂଆ ଅନୁଭୂତି ମିଳିଲା’’, ନିଜର ଖୁସି ବର୍ଣ୍ଣନା କରି କହିଛନ୍ତି ନୂଆଦିଲ୍ଲୀର ବାସିନ୍ଦା ରିନା ସିଂ।

‘‘ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭାବନା ହେଉଛି ଯେ କୌଣସି ଉତ୍ପାଦନ ଲାଗି ବ୍ୟବହାର ପଦ୍ଧତି ଅହିଂସା ମାର୍ଗରେ ହେବା ଦରକାର। ଓଡ଼ିଶାରେ ସିଲ୍କ ଉତ୍ପାଦନ ବେଳେ ରେଶମ କୀଟକୁ ନମାରି ନୂତନ ଓରଷ୍ଟେଡ୍ ପଦ୍ଧତି ମାଧ୍ୟମରେ ଆମେ ଖୋସାରୁ ସୂତା ବାହାର କରୁଛୁ। ଏଣ୍ଡି ଚାଷ କ୍ଷେତ୍ରରେ ଏହାକୁ ପରୀକ୍ଷାମୂଳକ ଭାବେ କରାଯାଉଛି। ରେଶମ କୀଟ ପ୍ରଜାପତି ହୋଇ ଉଡ଼ିଗଲା ପରେ ସେହି ଖୋସାକୁ ବ୍ୟବହାର କରି ସୂତା ପ୍ରସ୍ତୁତ କରାଯାଉଛି। ପ୍ରଜାପତି ଉଡ଼ିଗଲା ବେଳେ ଖୋସାଟି ଫାଟି ଯାଉଥିବାରୁ ସ୍ପିନିଙ୍ଗ ମିଲ୍ ମାଧ୍ୟମରେ ଆଧୁନିକ ଟେକ୍ନୋଲୋଜି ପ୍ରୟୋଗ କରି ଆବଶ୍ୟକ ରେଶମ ସୂତା ବାହାର କରାଯାଉଛି’’, ସୂଚନା ଦେଇ କହିଛନ୍ତି ଓଡ଼ିଶା ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶୋଭନକୃଷ୍ଣ ସାହୁ।

ଭାରତରେ ୪ ପ୍ରକାର ରେଶମ କୀଟ ଚାଷ କରାଯାଉଛି। ତା’ଭିତରେ ରହିଛି ମଲବେରୀ, ଟସର, ଏରି ବା ଏଣ୍ଡି ଏବଂ ମୁଗା। ମୁଗାକୁ ବାଦ୍ଦେଇ ଓଡ଼ିଶାରେ ଅନ୍ୟ ୩ଟି ରେଶମ ଚାଷ ହେଉଛି।

ଓଡ଼ିଶା ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ୨୦୨୨ରୁ ପାଇଲଟ୍ ପ୍ରକଳ୍ପ ଭାବେ ‘କରୁଣା ସିଲ୍କ’ର ଉତ୍ପାଦନ ଆରମ୍ଭ କରାଯାଇଛି। ପ୍ରଥମେ ୭୦୦ ଚାଷୀଙ୍କୁ ନେଇ ଏଥିପାଇଁ ଏଣ୍ଡିକୀଟ ଚାଷ କରାଯାଇଥିଲା। ସେଥିରୁ ୮୨ କୁଇଣ୍ଟାଲ ରେଶମ ଉତ୍ପାଦନ ହୋଇଥିଲା। ଚଳିତ ବର୍ଷ ଏହାର ସଂପ୍ରସାରଣ କରାଯାଇ ୧୪ଟି ଜିଲ୍ଲାର ୨୫୦୦ରୁ ଅଧିକ ଚାଷୀଙ୍କୁ ଏଥିରେ ଯୋଡ଼ା ଯାଇଛି। ଏଥର ୨୦୦ କୁଇଣ୍ଟାଲରୁ ଅଧିକ ‘କରୁଣା ସିଲ୍କ’ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ଜଡ଼ା ଗଛର ପତ୍ର ଖାଇ ଏଣ୍ଡିକୀଟମାନେ ବଢୁଛନ୍ତି।
‘‘ଗୋଟିଏ ମଲବରୀ ସିଲ୍କ ଶାଢ଼ି ବୁଣିବା ପାଇଁ ଯେତିକି ସୂତା ଆବଶ୍ୟକ ସେଥିରେ ୧୦ରୁ ୨୦ ହଜାର ପର୍ଯ୍ୟନ୍ତ ରେଶମ ପୋକ ମରିଥାନ୍ତି। ସେହିପରି ଗୋଟିଏ ଟସର ସିଲ୍କ ଶାଢ଼ି ପାଇଁ ୫ରୁ ୭ ହଜାର ପୋକ ମରନ୍ତି। ସାରା ପୃଥିବୀରେ ଏ ଯେଉଁ ପାରମ୍ପରିକ ଓ ଯାନ୍ତ୍ରିକ ପଦ୍ଧତି ବ୍ୟବହାର ହେଉଛି ତାକୁ ଭାଙ୍ଗି ଓଡ଼ିଶା ଅହିଂସା ବା କରୁଣା ଉପାୟରେ ପ୍ରସ୍ତୁତ କରୁଛି ‘କରୁଣା ସିଲ୍କ’। ଏହା ଆମ ରାଜ୍ୟ ପାଇଁ ନିଶ୍ଚିତ ଭାବେ ଏକ ଗୌରବର ବିଷୟ’’, ଅଧିକ ସୂଚନା ଦେଇ କହନ୍ତି ବିଭାଗୀୟ ସ୍ୱତନ୍ତ୍ର ସଚିବ ଶୋଭନକୃଷ୍ଣ ସାହୁ।

ଆଗରୁ ଶ୍ରୀମନ୍ଦିର ପାଇଁ ଯେଉଁ ଖଣ୍ଡୁଆ ପାଟ ସରକାରଙ୍କ ପକ୍ଷରୁ ଦିଆଯାଉଥିଲା ସେଥିପାଇଁ ବାହାର ରାଜ୍ୟରୁ ସୂତା ଆସୁଥିଲା। ଏହି ସୂତା ରେଶମ କୀଟକୁ ମାରି ପ୍ରସ୍ତୁତ ହେଉଥିଲା। କିନ୍ତୁ ବର୍ତ୍ତମାନ ଶ୍ରୀଜୀଉଙ୍କ ଅଙ୍ଗଲାଗି ହେଉଛି କରୁଣା ସିଲ୍କ, ଯାହାକି ସମ୍ପୂର୍ଣ୍ଣ ଅହିଂସା ଉପାୟରେ ପ୍ରସ୍ତୁତ।

ଖଣ୍ଡୁଆ ପାଟର ଆଉ ଏକ ଆକର୍ଷଣ ହେଉଛି ଏଥିରେ ବୁଣା ଯାଇଥିବା କବି ଜୟଦେବଙ୍କ ‘ଗୀତଗୋବିନ୍ଦ’ର ସୁଲଳିତ ପଂକ୍ତି। ଖୋର୍ଦ୍ଧା ଜିଲ୍ଲା ରାଉତପଡ଼ା ଗ୍ରାମର ପାରମ୍ପରିକ ରେଶମ କାରିଗରମାନେ ଏବେ ଏହି ‘କରୁଣା ସିଲ୍କ’ରୁ ସାତ୍ତ୍ୱିକ ଖଣ୍ଡୁଆ ପାଟ ପ୍ରସ୍ତୁତ କରୁଛନ୍ତି। ଏହି କାରିଗରମାନେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ନିଜର କଳା ପ୍ରଦର୍ଶନ କରୁଛନ୍ତି।
‘‘ଅହିଂସା ମାର୍ଗରେ ପ୍ରସ୍ତୁତ ରେଶମ ସୂତାକୁ ନେଇ ଆମେ ମହାପ୍ରଭୁଙ୍କ ପାଇଁ ଯୋଗାଇ ଦେଉଛୁ ପବିତ୍ର ଖଣ୍ଡୁଆ ପାଟ। ଏଠି ଦିଲ୍ଲୀର ବାଣିଜ୍ୟ ମେଳାରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଆଗରେ ସେହି କାମ ଦେଖାଇପାରୁଥିବାରୁ ଆମକୁ ବହୁତ ଖୁସି ଲାଗୁଛି’’, କହିଛନ୍ତି ଖୋର୍ଦ୍ଧା ରାଉତପଡ଼ାର କାରିଗର ଅଶୋକ କୁମାର ଦାସ।

ଓଡ଼ିଶା ପାଭିଲିୟନରେ ଖୋର୍ଦ୍ଧା ରାଉତପଡ଼ାରୁ ଆସିଥିବା ଆଉ ଜଣେ କାରିଗର ଗୋପିନାଥ ଦାସ ଖଣ୍ଡୁଆ ପାଟ ବୁଣୁଛନ୍ତି। ସେ କହନ୍ତି, ‘‘ମହାପ୍ରଭୁ ଜଗନ୍ନାଥ ତ କହି ନାହାନ୍ତି ଜୀବକୁ ହତ୍ୟାକରି ତାଙ୍କ ପାଇଁ ଆମେ ଆଭୂଷଣ ପ୍ରସ୍ତୁତ କରିବା। ତେଣୁ ପୋକକୁ ନମାରି ଉତ୍ତମ ଟେକ୍ନୋଲୋଜି ବ୍ୟବହାର କରି ସେଥିରୁ ବାହାରୁଥିବା ସୂତାରୁ ଆମେ ପାଟ ବସ୍ତ୍ର ତିଆରି କରୁଛୁ। ରାଜ୍ୟ ସରକାରଙ୍କ ନିଜସ୍ୱ ତତ୍ତ୍ୱାବଧାନରେ ଏହି କରୁଣା ସିଲ୍କ ବୁଣା କାମ କରାଯାଉଛି।

‘କରୁଣା ସିଲ୍କ’ରୁ ପ୍ରସ୍ତୁତ ଆକର୍ଷଣୀୟ ଜ୍ୟାକେଟ୍ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନର ବୟନିକା ଷ୍ଟଲରେ ବିକ୍ରି ହେଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରୁ ବିଭିନ୍ନ ପ୍ରକାର ପୋଷାକ ତିଆରି ପାଇଁ ଯୋଜନା ରହିଛି।

ଓଡ଼ିଶା ସରକାରଙ୍କ ନୂଆ ପ୍ରୟାସ ‘କରୁଣା ସିଲ୍କ’ ଭାରତୀୟ ମହାନ ଅହିଂସା ଦର୍ଶନର କଥା କହୁଛି। ଏହା ଭାରତୀୟ ବୟନଶିଳ୍ପ ମାନଚିତ୍ରରେ ରାଜ୍ୟ ପାଇଁ ଏକ ନୂଆ ପରିଚୟ ଆଣିଦେଇଛି।