Categories
ଆଜିର ଖବର ଜାତୀୟ ଖବର

ବିକଶିତ ଭାରତର ଅମୃତ କାଳ: ପରିବହନ ଭିତ୍ତିଭୂମିର ରୂପାନ୍ତରିକରଣ

ନୂଆଦିଲ୍ଲୀ: ଗତ ଦଶନ୍ଧି ଭିତରେ ଭାରତର ବ୍ୟାପକ ପରିବର୍ତ୍ତନ ହୋଇଛି। ବିଭିନ୍ନ ପ୍ରକାର ସରକାରୀ ଯୋଜନା, ମିଶନ ମୋଡରେ ପ୍ରକଳ୍ପ ସହ ସାମାଜିକ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିଛି। ପ୍ରଗତି, ପିଏମ ଗତିଶକ୍ତି, ଜାତୀୟ ଲଜିଷ୍ଟିକ ପଲିସି, ଭାରତମାଳା, ସାଗରମାଳା, ଉଡାନ ପରି କେତକ ପ୍ରମୁଖ ଯୋଜନା ଲାଗି ଭାରତ ବିକାଶର ଗତିପଥରେ ରହିଛି। ଅଧିକ ସଂଖ୍ୟକ ରାଜପଥ, ଜାତୀୟ ରାଜପଥ ସହ ରେଳବାଇର ବିଦ୍ୟୁତିକରଣ, ଗ୍ରୀନ ଏୟାରଫିଲ୍ଡ ସୃଷ୍ଟି, ପାହାଡିଆ ଅଂଚଳରେ ଝୁଲା ପୋଲ, ସ୍ମାର୍ଟ ଡିଜିଟାଲ ପ୍ଲାଟଫର୍ମ, ଅଭୂତପୂର୍ବ ଭିତ୍ତିଭୂମିର ବିକାଶ ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଦିଗରେ ଆମେ ଅଗ୍ରସର ହୋଇପାରୁଛୁ।

ଚଳିତବର୍ଷ ନୂଆଦିଲ୍ଲୀରେ ଏପ୍ରିଲ ୩୦ରେ ୪୬ତମ ପ୍ରଗତି ସଭା (ପ୍ରୋ ଆକ୍ଟିଭ ଗଭର୍ଣ୍ଣାନ୍ସ ଆଣ୍ଡ ଟାଇମ୍ଲି ଇମ୍ପ୍ଲିପେନଟେସନ) ଅନୁଷ୍ଠିତ ହୋଇଛି। ଏହି ସ୍କିମ ଅଧୀନରେ ରହିଥିବା ୩୬୩ଟି ପ୍ରକଳ୍ପ ଭିତରୁ ନବେ ହଜାର କୋଟିର ଆଠଟି ପ୍ରକଳ୍ପକୁ ଏହି ବୈଠକରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି।

୨୦୨୧ ଅକ୍ଟୋବର ୧୩ରେ ଆରମ୍ଭ କରାଯାଇଥିବା ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅଧୀନରେ ରେଳବାଇ, ରାସ୍ତା, ଜଳପଥ, ବିମାନ ବନ୍ଦର, ସଡକ ପଥର ପ୍ରାୟ  ଶହେ ଲକ୍ଷ କୋଟି ଟଙ୍କାର ବିଭିନ୍ନ ଭିତିଭୂମି ଖର୍ଚ୍ଚ କରାଯାଇଛି। ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଭାରତମାଳା, ସାଗରମାଳା କ୍ଷେତ୍ରର ବିଭିନ୍ନ ଯୋଜନା ଅଧୀନରେ ପ୍ରାୟ ୧୫.୩୯ ଲକ୍ଷ କୋଟିର ପ୍ରକଳ୍ପର ସମୀକ୍ଷା କରାଯାଇଥିଲା।

୨୦୨୨ ସେପ୍ଟେମ୍ବର ୧୭ ତାରିଖରେ ଏନଏଲପି ବା ନେସନାଲ ଲଜିଷ୍ଟିକ ପଲିସି ଆରମ୍ଭ କରାଯାଇଥିଲା। ୨୦୩୦ ସୁଦ୍ଧା ୨୫ଟି ପ୍ରମୁଖ ରାଷ୍ଟ୍ର ଭିତରୁ ଭାରତର ଏଲପିଆଇ ବା ଲଜିଷ୍ଟିର ପର୍ଫରମାନ୍ସ ଇଣ୍ଡେକ୍ସ ବୃଦ୍ଧି କରାଯିବ। ୨୦୧୪ ପରିସଂଖ୍ୟାନ ତୁଳନାରେ ୨୦୨୩ରେ ୧୬୦ଟି ଦେଶ ଭିତରୁ ୫୪ଟି ଦେଶର ୧୬ଟି ସ୍ଥାନରେ ବିଶ୍ୱବ୍ୟାଙ୍କର ଏଲପିଆଇ ବୃଦ୍ଧି କରାଯାଇଛି।

ଚଳିତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୫୩ ଲକ୍ଷ କିଲୋମିଟର ପରିମିତ ରାସ୍ତା ବୃଦ୍ଧି କରାଯାଇଛି। ତା ଭିତରୁ ଏକ କୋଟି ୪୬ ହଜାର କିମି ଜାତୀୟ ରାଜପଥ, ଏକ କୋଟି ୭୯ ହଜାର କୋଟି କିମିର ରାଜ୍ୟ ରାଜପଥ, ଷାଠିଏ କୋଟି ୧୯ ହଜାର କିମି ଅନ୍ୟ ରାଜପଥ ନିର୍ମାଣ କରାଯାଇଛି। ୨୦୧୪ରୁ ୨୦୨୩-୨୪ ଯାଏ ସଡକ ପରିବହନ ଓ ରାଜପଥ ନିର୍ମାଣ ବଜେଟରେ ୫୭୦ ପ୍ରତିଶତ ବୃଦ୍ଧି କରାଯାଇଛି।

ଭାରତ ପରିମାଳା ଯୋଜନା ଅଧୀନରେ ୫.୩୫ ଲକ୍ଷ କୋଟିର ୩୪, ୮୦୦ କିମିର ରାସ୍ତା ନିର୍ମାଣ ଲାଗି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଇକୋନୋମିକ କରିଡର, ଇଂଟର କରିଡର, ଫିଡର ରୁଟ, ନେସନାଲ କରିଡର, ବର୍ଡର ଓ ଅନ୍ତରାଷ୍ଟ୍ରିୟ ସଂଯୋଗିକରଣ, ଉପକୂଳ ଓ ବନ୍ଦର ସଂଯୋଗୀକରଣ, ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ପରି ବିଭିନ୍ନ ଭିତିଭୂମି ସରକାର ହତକୁ ନେଇ କାର୍ଯ୍ୟ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ମୋଟ ୨୬, ୪୨୫ କିମି ଭିତରୁ ୨୦, ୩୭୮ କିମିର ରାସ୍ତା ସରିଛି।

ଅଟଳ ଟନେଲ, ବୋଗିବିଲ ପୋଲ, ଧୋଲା ସାଦିଆ ପୋଲ, ଚେନାନି ନସ୍ରି ଟନେଲ, ଜିବାଙ୍ଗ ଲୋହିତ ପୋଲ, କୋଲ୍ଲମ ବାଇପାସ, ମୈତ୍ରୀ ସେତୁ, ସୁଦର୍ଶନ ସେତୁ, ସୋନମାର୍ଗ ଟନେଲ ପରି ଅନେକ ପ୍ରକଳ୍ପ ସରିଛି। ଅରୁଣାଚଳର ଫ୍ରଟରିୟର ଏକ୍ସପ୍ରେସ, ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ, ଚାରମାର୍ଗ ବିକାଶ ପରିଯୋଜନା ପରି ବିଭିନ୍ନ ପ୍ରମୁଖ ପ୍ରକଳ୍ପର ଏବେ ବି କାମ ଚାଲିଛି। ଅହମଦାବାଦ ଢୋଲେରା, ବେଙ୍ଗାଳୁରୁ ଚେନ୍ନାଇ, ଦିଲ୍ଲୀ ଅମୃତସର କଟରା, କାନପୁର ଲକ୍ଷନୌ ଏକ୍ସପ୍ରେସ ଏସବୁ ଭିତରୁ ଅନ୍ୟତମ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କୋଟିଏ ୬୩ ହଜାର ଲୋକ ବସବାସ କରୁଥିବା ଅଂଚଳକୁ ରାସ୍ତା ଫିଟିଛି। ପିଏମଜିଏସବାଇ-୨, ପିଏମଜିଏସବାଇ-୩, ପିଏମଜିଏସବାଇ-୪ ଯୋଜନାରେ ବି ଅନେକ ଜାଗାକୁ ସଡକପଥ ତିଆରି ଚାଲିଛି। ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ଆରମ୍ଭ ହୋଇ ଆଦିବାସୀ ଅଧ୍ୟୁଷିତ ଅନେକ ଅଂଚଳକୁ ରାସ୍ତା ଫିଟାଯାଉଛି।

ମେଟ୍ରୋ ରେଳ ଲାଇନ କ୍ଷେତ୍ରରେ ଚଳିତବର୍ଷ ମେ ମାସ ସୁଦ୍ଧା ୧୦୧୩ କିମି ମେଟ୍ରୋ ଲାଇନ କାର୍ଯ୍ୟକ୍ଷମ ହୋଇପାରିଛି। ଗତ ଏଗାର ବର୍ଷ ଭିତରେ ୭୬୩ କିମି ଅଧିକା ରେଳ ଲାଇନ ଯୋଡା ଯାଇପାରିଛି। ମେଟ୍ରୋ ନେଟବାର୍କ କ୍ଷେତ୍ରରେ ସାରା ବିଶ୍ୱରେ ଭାରତବର୍ଷ ତୃତୀୟ ସ୍ଥାନରେ ରହିଛି। ଏହି କାଳଖଣ୍ଡ ଭିତରେ ୯୯୨ କିମି ବ୍ୟାପୀ ୩୪ଟି ନୂଆ ମେଟ୍ରୋ ରେଳ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଚଳିତ ଆର୍ଥିକ ବର୍ଷରେ ବିଗତ ବର୍ଷ ଅପେକ୍ଷା ମେଟ୍ରୋ ସମ୍ପ୍ରସାରଣ କ୍ଷେତ୍ରରେ ବଜେଟକୁ ଛଅ ଗୁଣା ବୃଦ୍ଧି କରାଯାଇ ୩୪,୮୦୭ କୋଟିରେ ପହଂଚା ଯାଇପାରିଛି।

ସେହିପରି ରେଳବାଇ କ୍ଷେତ୍ରରେ ବଜେଟକୁ ୨୦୧୪ ବଜେଟ ଅପେକ୍ଷା ନଅ ଗୁଣା ବୃଦ୍ଧି କରାଯାଇଛି। ବନ୍ଦେ ଭାରତ ଟ୍ରେନ, ଅମ୍ରିତ ଭାରତ ଟ୍ରେନ, ନମୋ ଭାରତ ରାପିଡ ରେଲ ପରି ବିଭିନ୍ନ ବିଶ୍ୱମାପ କାଠିର ରେଳ ସେବା ଏବେ ଆମ ଦେଶରେ ଉପଲବ୍ଧ। ଆସନ୍ତା ଦୁଇ ତିନି ବର୍ଷ ଭିତରେ ୨୦୦ଟି ନୂଆ ବନ୍ଦେ ଭାରତ ଟ୍ରେନ, ୧୦୦ଟି ଅମ୍ରିତ ଭାରତ ଟ୍ରେନ, ୫୦ଟି ନମୋ ଭାରତ ରାପିଡ ରେଳ, ୧୭,୫୦୦ଟି ସାଧାରଣ ନନ ଏସି କୋଚର ପ୍ରଚଳନ ହେବାର କାର୍ଯ୍ୟକ୍ରମ ରହିଛି। ଚେନାବ ପୋଲ, ନୂଆ ପବମନ ପୋଲ, କୋସି ରେଲ ମହାସେତୁ ପରି ବିଭିନ୍ନ ନୂଆ ରେଳ ପ୍ରକଳ୍ପ ହାତକୁ ନିଆଯାଇ କାର୍ଯ୍ୟକ୍ଷମ କରାଯାଇଛି।

ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସାରା ଦେଶରେ ୧୬୦ଟି ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇପାରିଛି। ଏହାରି ଭିତରୁ ୧୪୫ଟି ବିମାନ ବନ୍ଦର, ୨ଟି ବାଟର ଏରୋଡ୍ରମ, ୧୩ଟି ହେଲିପୋର୍ଟ ଅନ୍ତର୍ଭୁକ୍ତ। ଉଡାନ ବା ଉଡେ ଦେଶ କା ଆମ ନାଗରିକ ଯୋଜନାରେ ରିଜିଓନାଲ କନେକ୍ଟିଭିଟି ସ୍କିମ ଲାଗୁ କରାଯାଇଛି। କୃଷି ଉଡାନ ଯୋଜନାରେ ଆଦିବାସୀ ଅଧ୍ୟୁଷିତ ଓ ଉତର-ପୂର୍ବ ରାଜ୍ୟକୁ କୃଷି ଉତ୍ପାଦ ପହଂଚାଇବା ଲକ୍ଷ୍ୟରେ ଅନେକ ପଦକ୍ଷେପ ନିଆଯାଉଛି। ଲାଇଫ ଲାଇନ ଉଡାନ ଯୋଜନାରେ କୋଭିଡ ମହମାରୀ ବେଳେ ସ୍ୱାସ୍ଥ୍ୟ ରକ୍ଷାକାରୀ ଅନେକ ଔଷଧ ଓ ଅନ୍ୟାନ୍ୟ ଜିନିଷ ନିର୍ଦ୍ଦିଷ୍ଟ ଜାଗାରେ ପହଂଚି ପାରିଥିଲା।

ଏହି ଉଡାନ କାର୍ଯ୍ୟକ୍ରମ ମାଧ୍ୟମରେ କୋଭିଡ ଲାବ ପ୍ରତିଷ୍ଠା, ମେଡିକାଲ ସାମଗ୍ରୀ ସ୍ଥାନାନ୍ତରିକରଣ ଓ ବିଶାଖାପାଟଣା ଗ୍ୟାସ ଲିକ ପରି ବିଭିନ୍ନ ଅସମୟରେ ସେବା ଯୋଗା ଯାଇପାରିଥିଲା। ହେମସ ବା ହେଲିକପ୍ଟର ଏମର୍ଜେନସି ମେଡିକାଲ ସେବା ମାଧ୍ୟମରେ ପରିବାର କଲ୍ୟାଣ ବିଭାଗ ସହ ଯୋଗାଯୋଗ ରକ୍ଷା କରାଯାଇ ଉତରାଖଣ୍ଡ ସରକାର ପାହାଡିଆ ଅଂଚଳରେ ଭଲ ଆମ୍ବୁଲାନ୍ସ ସେବା ଯୋଗାଇପାରିଛନ୍ତି। ପାଇଲଟ ପ୍ରୋଜେକ୍ଟ ହିସାବରେ ଋଷିକେଶ ଏମ୍ସ କ୍ଷେତ୍ରରେ ସଫଳତା ମିଳିପାରିଛି। ଡ୍ରୋନ ଇକୋ ସିଷ୍ଟମ ସଂସ୍କାର ଯୋଜନା ଅଧୀନରେ ଭାରତ ଡ୍ରୋନ ମହୋତ୍ସବ (୨୦୨୨) ଓ ପ୍ରସ୍ତାବିତ ଡ୍ରୋନ ବିଲ (୨୦୨୫) ଲାଗୁ ହେବା ଦ୍ୱାରା ବୈଶ୍ୱିକ ଡ୍ରୋନ ସେବା କ୍ଷେତ୍ରରେ ଭାରତ ଦି ପାଦ ଅଗ୍ରସର ହୋଇପାରିଛି।

୨୦୧୪ରୁ ୨୦୨୫ ଭିତରେ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ, ଯାନ୍ତ୍ରିକ ଓ ପ୍ରଯୁକ୍ତିଗତ ଅଗ୍ରଗତି, ବ୍ୟାପକ ପୁଞ୍ଜି ବିନିଯୋଗ କରାଯାଇଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟରେ ସବୁ କ୍ଷେତ୍ରରେ ଦେଶର ଅଗ୍ରଗତିକୁ ପ୍ରାଧାନ୍ୟ ଦିଆଯାଇ ଭୌଗୋଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ଭାରତବର୍ଷର ସାମର୍ଥ୍ୟକୁ ମଜଭୂତ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ୍ (ଓଏନ୍ଓଏସ୍)କୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗବେଷଣାଭିତ୍ତିକ ପ୍ରବନ୍ଧ ଏବଂ ପତ୍ରିକା ପ୍ରକାଶନୀଗୁଡ଼ିକୁ ଦେଶବ୍ୟାପୀ ଉପଲବ୍ଧ କରାଇବା ପାଇଁ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘ୱାନ ନେସନ୍ ୱାନ୍ ସବସ୍କ୍ରିପ୍ସନ୍’କୁ  ଅନୁମୋଦନ ମିଳିଛି। ଏହି ଯୋଜନା ଏକ ସରଳ, ଉପଭୋକ୍ତା ଅନୁକୂଳ ଏବଂ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ପରିଚାଳିତ ହେବ। ସରକାରୀ ଉଚ୍ଚଶିକ୍ଷା ନୁଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ ଗବେଷଣା ଓ ବିକାଶ ପରୀକ୍ଷାଗାର ପାଇଁ ଏହା ‘ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ୍’ ସୁବିଧା ହେବ।

ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବରେ ୩ କ୍ୟାଲେଣ୍ଡର ବର୍ଷ, ୨୦୨୫, ୨୦୨୬ ଏବଂ ୨୦୨୭ ପାଇଁ ଏକ ଦେଶ ଏକ ସବସ୍କ୍ରିପ୍ସନ ପାଇଁ ସମୁଦାୟ ପ୍ରାୟ ୬,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଭାରତର ଯୁବବର୍ଗଙ୍କ ପାଇଁ ଗୁଣାତ୍ମକ ଉଚ୍ଚଶିକ୍ଷାର ସର୍ବାଧିକ ଉପଲବ୍ଧତା ନିମନ୍ତେ ଶିକ୍ଷା କ୍ଷେତ୍ରରେ ଗତ ଦଶନ୍ଧି ମଧ୍ୟରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପରିସର ଏବଂ ପହଞ୍ଚକୁ ଆହୁରି ବୃଦ୍ଧି କରିବ ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ। ଏହା ଗବେଷଣା ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସରକାରୀ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ ଏବଂ ଗବେଷଣା ଓ ବିକାଶ ପରୀକ୍ଷାଗାରଗୁଡିକରେ ଗବେଷଣା ଏବଂ ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏଏନଆରଏଫ୍ ପଦକ୍ଷେପକୁ ସମର୍ଥନ କରିବ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ସ୍ୱୟଂଶାସିତ ଆନ୍ତଃବିଶ୍ୱବିଦ୍ୟାଳୟ କେନ୍ଦ୍ର ସୂଚନା ଓ ପାଠାଗାର ନେଟୱାର୍କ (ଆଇଏନଏଫଏଲଆଇବିଇଟି) ନାମକ ଏକ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ସମନ୍ୱିତ ଜାତୀୟ ସବସ୍କ୍ରିପ୍ସନ ମାଧ୍ୟମରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଗବେଷଣା ଓ ବିକାଶ ଅନୁଷ୍ଠାନର ପରିଚାଳନା ଅଧୀନରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ ଯୋଜନାର ଲାଭ ପ୍ରଦାନ କରାଯିବ। ଏହି ତାଲିକାରେ ପ୍ରାୟ ୧.୮ କୋଟି ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗବେଷକଙ୍କୁ ମିଶାଇ ୬,୩୦୦ରୁ ଅଧିକ ଅନୁଷ୍ଠାନ କୁ ସାମିଲ କରାଯାଇଛି, ଯେଉଁମାନେ ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନର ଲାଭ ଉଠାଇବାରେ ସକ୍ଷମ ହେବେ।

ଏହା ୨୦୪୭ ସୁଦ୍ଧା ବିକଶିତ ଭାରତ, ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଏବଂ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ (ଏଏନଆରଏଫ)ର ଲକ୍ଷ୍ୟ ଅନୁରୂପ ଅଟେ। ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ସହର ସମେତ ସମସ୍ତ ବିଭାଗର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଓ ବୈଜ୍ଞାନିକମାନଙ୍କ ନିକଟରେ ଗବେଷଣାଧର୍ମୀ ପତ୍ରିକା ଉପଲବ୍ଧ ହେବ, ଯାହା ଦ୍ୱାରା ଦେଶରେ ମୌଳିକ ତଥା ଆନ୍ତଃବିଭାଗୀୟ ଗବେଷଣାକୁ ପ୍ରୋତ୍ସାହିତ କରାଯିବ। ଏଏନଆରଏଫ ଏହି ଅନୁଷ୍ଠାନଗୁଡ଼ିକର ଭାରତୀୟ ଲେଖକମାନଙ୍କର ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନର ବ୍ୟବହାର ଏବଂ ପ୍ରକାଶନଗୁଡ଼ିକର ସମୟକ୍ରମେ ସମୀକ୍ଷା କରିବ।

ଉଚ୍ଚଶିକ୍ଷା ବିଭାଗର ଏକ ସମନ୍ୱିତ ପୋର୍ଟାଲ ‘‘ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନ’’ ରହିବ, ଯାହା ମାଧ୍ୟମରେ ଅନୁଷ୍ଠାନଗୁଡ଼ିକ ପତ୍ରିକାଗୁଡ଼ିକୁ ଆକସେସ୍ କରିବାରେ ସକ୍ଷମ ହେବେ। ଏଏନଆରଏଫ ଏହି ଅନୁଷ୍ଠାନଗୁଡ଼ିକର ଭାରତୀୟ ଲେଖକମାନଙ୍କର ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନର ବ୍ୟବହାର ଏବଂ ପ୍ରକାଶନଗୁଡ଼ିକର ସମୟକ୍ରମେ ସମୀକ୍ଷା କରିବ। ଉଚ୍ଚ ଶିକ୍ଷା ବିଭାଗ ଏବଂ ଅନ୍ୟମନ୍ତ୍ରଣାଳୟଗୁଡ଼ିକ ସେମାନଙ୍କ ପରିଚାଳନା ଅଧୀନରେ ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ଗବେଷଣା ଓ ବିକାଶ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଗବେଷକମାନଙ୍କ ମଧ୍ୟରେ ଏକ ରାଷ୍ଟ୍ର ଏକ ସବସ୍କ୍ରିପସନର ଉପଲବ୍ଧତା ଏବଂ ଯୋଗାଣ ପଦ୍ଧତି ବିଷୟରେ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ଅଭିଯାନ ସକ୍ରିୟ ଭାବରେ ପରିଚାଳନା କରିବେ, ଯାହାଫଳରେ ସମଗ୍ର ଦେଶରେ ଏହି ସୁବିଧାର ଉନ୍ନତ ବ୍ୟବହାର ହେବ। ସମସ୍ତ ସରକାରୀ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗବେଷକଙ୍କ ଦ୍ୱାରା ଏହି ଅନନ୍ୟ ସୁବିଧାର ଅଧିକରୁ ଅଧିକ ଉପଯୋଗ ପାଇଁ ନିଜ ନିଜ ସ୍ତରରେ ଅଭିଯାନ ଚଳାଇବାକୁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରାଯିବ।

Categories
ବିଶେଷ ଖବର

ରୋଜଗାର ମେଳା ଅଧୀନରେ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା। ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍‌), ଯଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌), ସୀମା ସୁରକ୍ଷା ବଳ (ବିଏସଏଫ୍‌), ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି), ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌), ଇଣ୍ଡୋ ତିବ୍ଦତ ସୀମା ପୋଲିସ (ଆଇଟିବିପି), ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସରେ ଯବାନ ମାନଙ୍କୁ ନିଯୁକ୍ତି ଦେଇଛି। ସାରା ଦେଶରୁ ମନୋନୀତ ହୋଇଥିବା ନବ ନିଯୁକ୍ତମାନେ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି), ସବ୍‌- ଇନ୍ସପେକ୍ଟର (ଜେନେରାଲ ଡ୍ୟୁଟି) ଏବଂ ଅଣ – ଜେନେରାଲ ଡ୍ୟୁଟି କ୍ୟାଡର ପଦବୀରେ ଯୋଗ ଦେବେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଅମୃତ କାଳରେ ‘ଅମୃତ ରକ୍ଷକ’ ଭାବେ ମନୋନୀତ ହୋଇଥିବା ନବ ନିଯୁକ୍ତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ନୂତନ ଭାବେ ନିଯୁକ୍ତ କର୍ମଚାରୀମାନେ କେବଳ ଦେଶର ସେବା କରିବେ ନାହିଁ , ବରଂ ଦେଶ ଓ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରିବେ ବୋଲି ସେ ସେମାନଙ୍କୁ ‘ଅମୃତ ରକ୍ଷକ’ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ଆପଣମାନେ ହିଁ ଏହି ‘ଅମୃତ କାଳ’ ର ‘ଅମୃତ ରକ୍ଷକ’।

ରୋଜଗାର ମେଳାର ଏହି ସଂସ୍କରଣ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ଦେଶ ଗର୍ବ ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିିଥିଲେ। ସେ କହିଛନ୍ତି ଯେ ଚନ୍ଦ୍ରଯାନ – ୩ ସଫଳ ଅବତରଣ ପରେ ପ୍ରଜ୍ଞାନ ରୋଭର କ୍ରମାଗତ ଭାବେ ଚନ୍ଦ୍ରର ଅତ୍ୟାଧୁନିକ ଫଟୋ ପ୍ରସାରଣ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସମ୍ମାନଜନକ ମୁହୂର୍ତ୍ତରେ ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ସେମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ଆରମ୍ଭ କରୁଛନ୍ତି ଏବଂ ସମସ୍ତ ନୂତନ ନିଯୁକ୍ତ ବ୍ୟକ୍ତି ଏବଂ ସେମାନଙ୍କ ପରିବାରକୁ ସେ ଶୁଭେଚ୍ଛା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କିମ୍ବା ସୁରକ୍ଷା ଏବଂ ପୋଲିସ ବାହିନୀ ଚୟନ ସହିତ ଆସୁଥିବା ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ସରକାର ପୋଲିସ୍ ବାହିନୀର ଆବଶ୍ୟକତା ପ୍ରସଙ୍ଗକୁ ନେଇ ଅତ୍ୟନ୍ତ ଗମ୍ଭୀର ଅଛନ୍ତି। ଅର୍ଦ୍ଧସାମରିକ ବାହିନୀ ନିଯୁକ୍ତି କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଆବେଦନ ଠାରୁ ଚୂଡ଼ାନ୍ତ ଚୟନ ପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି, ପୂର୍ବ ଭଳି କେବଳ ଇଂରାଜୀ କିମ୍ବା ହିନ୍ଦୀ ଭାଷା ବ୍ୟତୀତ ୧୩ଟି ଆଂଚଳିକ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେଉଛି । ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଂଚଳରେ ଶତାଧିକ ଆଦିବାସୀ ଯୁବକଙ୍କୁ ନିୟମ କୋହଳ କରି ନିଯୁକ୍ତି ଦେବା ପାଇଁ ସେ ଉଲ୍ଲେଖ କରିଥିଲେ । ସୀମାବର୍ତ୍ତୀ ଅଞ୍ଚଳ ଓ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ଯୁବକ ମାନଙ୍କ ପାଇଁ ସ୍ୱତନ୍ତ୍ର କୋଟା ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ ।

ଦେଶର ବିକାଶକୁ ସୁନିଶ୍ଚିତ କରିବାରେ ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତି ମାନଙ୍କର ଦାୟିତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଇନ୍‌ର ଶାସନ ଦ୍ୱାରା ଏକ ସୁରକ୍ଷିତ ପରିବେଶ ବିକାଶର ଗତିକୁ ତ୍ୱରାନ୍ୱିତ କରିଥାଏ । ଉତ୍ତରପ୍ରଦେଶର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏମିତି ଏକ ସମୟ ଥିଲା. ବିକାଶରେ ଏହି ରାଜ୍ୟ ପଛରେ ଥିଲା ଏବଂ ଅପରାଧ କ୍ଷେତ୍ରରେ ମଧ୍ୟ ଏକ ଅଗ୍ରଣୀ ରାଜ୍ୟ ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଆଇନର ଶାସନ ଆରମ୍ଭ ହେବା ପରେ ରାଜ୍ୟ ଏବେ ବିକାଶର ନୂତନ ଶିଖର ଛୁଇଁବାରେ ସକ୍ଷମ ହୋଇଛି ଏବଂ ଏକ ଭୟମୁକ୍ତ ନୂତନ ସମାଜ ପ୍ରତିଷ୍ଠା କରାଯାଉଛି । “ଆଇନ ଶୃଙ୍ଖଳାର ଏଭଳି ବ୍ୟବସ୍ଥା ଲୋକଙ୍କ ମଧ୍ୟରେ ଥିବା ବିଶ୍ୱାସକୁ ଦୃଢ଼ କରୁଛି ବୋଲି ସେ କହିଛନ୍ତି” । ଅପରାଧ ହାର କମିବା ସହ ରାଜ୍ୟରେ ପୁଞ୍ଜି ନିବେଶ ବୃଦ୍ଧି ପାଉଛି ବୋଲି ସେ ଉଲ୍ଲେଖ କରିବା ସହ ଯେଉଁ ରାଜ୍ୟରେ ଅପରାଧ ହାର ଅଧିକ ରହିଛି ସେଠାରେ ପୁଞ୍ଜି ନିବେଶ ପରିମାଣ ବହୁତ କମ୍ ରହିଛି ଏବଂ ସମସ୍ତ ନିଯୁକ୍ତି ସୁଯୋଗ ବନ୍ଦ ହୋଇଯାଇଛି ବୋଲି ଦର୍ଶାଇଛନ୍ତି ।

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଭାରତର ମାନ୍ୟତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଦୋହରାଇଥିଲେ ଯେ, ଏହି ଦଶନ୍ଧି ମଧ୍ୟରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ । “ମୋଦୀ ଅତ୍ୟନ୍ତ ଦାୟିତ୍ୱର ସହ ଏଭଳି ଗ୍ୟାରେଣ୍ଟି ଦେଉଛନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାଧାରଣ ନାଗରିକ ମାନଙ୍କ ଉପରେ ବଢୁଥିବା ଅର୍ଥନୀତିର ପ୍ରଭାବ ଜାରି ରଖିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅର୍ଥନୀତିର ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ କ୍ଷେତ୍ରର ଅଭିବୃଦ୍ଧି ନିହାତି ଭାବେ ଗୁରୁତ୍ୱପୂର୍ଣ୍ଣ । ମହାମାରୀ ସମୟରେ ଫାର୍ମା ଉଦ୍ୟୋଗ ଗୁଡିକର ଭୂମିକା ବିଷୟରେ ସେ ଆଲୋଚନା କରିଥିଲେ । ଆଜି , ଭାରତର ଫାର୍ମା ଉଦ୍ୟୋଗର ମୂଲ୍ୟ ପାଖାପାଖି ୪ ଲକ୍ଷ କୋଟି ଟଙ୍କାରେ ପହଂଚିଛି ଏବଂ ୨୦୩୦ ସୁଦ୍ଧା ଏହି ଉଦ୍ୟୋଗର ମୂଲ୍ୟ ପାଖାପାଖି ୧୦ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଭିବୃଦ୍ଧିର ଅର୍ଥ ହେଉଛି ଆଗାମୀ ବର୍ଷ ଗୁଡ଼ିକରେ ଫାର୍ମା ଉଦ୍ୟୋଗରେ ଅଧିକ ପରିମାଣରେ ଯୁବକ ମାନଙ୍କର ଆବଶ୍ୟକତା ପଡିବ ଏବଂ ନିଯୁକ୍ତି ପାଇଁ ଅନେକ ସୁଯୋଗ ସୃଷ୍ଟି ହେବ ।

ଅଟୋମୋବାଇଲ ଏବଂ ଅଟୋ ଯନ୍ତ୍ରାଂଶ ଉଦ୍ୟୋଗ ଗୁଡିକର ସମ୍ପ୍ରସାରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଉଭୟ ଉଦ୍ୟୋଗର ମୂଲ୍ୟ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଏବଂ ଆଗାମୀ ବର୍ଷ ଗୁଡ଼ିକରେ ଏହାର ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହି ଅଭିବୃଦ୍ଧି ହାର ବଜାୟ ରଖିବା ପାଇଁ ଅଟୋମୋବାଇଲ ଉଦ୍ୟୋଗକୁ ଆହୁରି ଅନେକ ଯୁବକଙ୍କର ଆବଶ୍ୟକତା ପଡ଼ିବ, ଯାହା ଦ୍ୱାରା ଦେଶରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ । ଗତ ବର୍ଷ ପାଖାପାଖି ୨୬ ଲକ୍ଷ କୋଟି ଟଙ୍କାର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ସ୍ପର୍ଶ କରିବା ସହ ଆଗାମୀ ସାଢ଼େ ତିନି ବର୍ଷ ମଧ୍ୟରେ ଏହା ୩୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ସେ କହିଥିଲେ । ସମ୍ପ୍ରସାରଣ ସହିତ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି ।

ଭିତ୍ତିଭୂମି ବିକାଶ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ , ଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଭିତ୍ତିଭୂମି ଉପରେ ୩୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି । ଏହା ଯୋଗାଯୋଗ ସହିତ ପର୍ଯ୍ୟଟନ ଏବଂ ଆତିଥ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ଦେଉଛି ଏବଂ ନୂତନ ନିଯୁକ୍ତି ସୃଷ୍ଟି କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ୨୦୩୦ ସୁଦ୍ଧା ପର୍ଯ୍ୟଟନ କ୍ଷେତ୍ର ଅର୍ଥନୀତିରେ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଯୋଗଦାନ କରିବ ଏବଂ ଆନୁମାନିକ ୧୩ – ୧୪ କୋଟି ନିଯୁକ୍ତି ସୃଷ୍ଟି କରିବ । ଏହା କେବଳ ସଂଖ୍ୟା ନୁହେଁ, ନିଯୁକ୍ତି ସୃଷ୍ଟି ମାଧ୍ୟମରେ, ସହଜ ଜୀବନଶୈଳୀ ଏବଂ ଆୟ ବୃଦ୍ଧି ଦ୍ୱାରା ସାଧାରଣ ନାଗରିକ ମାନଙ୍କର ଜୀବନକୁ ପ୍ରଭାବିତ କରିବ ବୋଲି ସେ ଉଲ୍ଲେଖ କରିଥିଲେ ।

“ବିଗତ ୯ ବର୍ଷ ମଧ୍ୟରେ ସରକାରଙ୍କ ପ୍ରୟାସ ଯୋଗୁଁ ପରିବର୍ତ୍ତନର ଏକ ନୂତନ ଯୁଗ ଦେଖିବାକୁ ମିଳିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ସୂଚନା ଦେଇଛନ୍ତି ଯେ, ଗତ ବର୍ଷ ଭାରତ ରେକର୍ଡ ପରିମାଣରେ ରପ୍ତାନି କରିବା ହେଉଛି ବିଶ୍ୱ ବଜାରରେ ଭାରତ ପ୍ରସ୍ତୁତ ସାମଗ୍ରୀର ଚାହିଦା ବୃଦ୍ଧିର ସଙ୍କେତ । ଏହାର ଫଳାଫଳ ସ୍ୱରୂପ, ଉତ୍ପାଦନ ବୃଦ୍ଧି ପାଇଛି, ରୋଜଗାର ବଢ଼ିଛି ଏବଂ ପରିବାରର ଆୟ ବୃଦ୍ଧି ପାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହୋଇଛି ଏବଂ ଭାରତରେ ମୋବାଇଲ ଫୋନର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ମୋବାଇଲ୍ ଉତ୍ପାଦନରେ ବହୁଗୁଣିତ ବୃଦ୍ଧି ପାଇଁ ସେ ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ଗୁଡିକୁ ଶ୍ରେୟ ଦେଇଛନ୍ତି । ଦେଶ ଏବେ ଅନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଉପରେ ମଧ୍ୟ ଧ୍ୟାନ ଦେଉଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଏବଂ ଆଇଟି ଏବଂ ହାର୍ଡୱେର୍ ଉତ୍ପାଦନ କ୍ଷେତ୍ରରେ ମୋବାଇଲ୍ ଉତ୍ପାଦନ କ୍ଷେତ୍ରର ସଫଳତାକୁ ଭାରତ ଦୋହରାଇବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ । “ସେହି ଦିନ ଦୂର ନୁହେଁ ଯେତେବେଳେ ଭାରତରେ ନିର୍ମିତ ଲାପଟପ୍ ଏବଂ ବ୍ୟକ୍ତିଗତ କମ୍ପ୍ୟୁଟର ଆମକୁ ଗର୍ବିତ କରିବ”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ‘ଭୋକାଲ୍ ଫର୍ ଲୋକାଲ’ ର ମନ୍ତ୍ର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଭାରତ ନିର୍ମିତ ଲାପଟପ୍ ଏବଂ କମ୍ପ୍ୟୁଟର କିଣିବା ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ଏହାର ଫଳସ୍ୱରୂପ ଉତ୍ପାଦନ ଏବଂ ରୋଜଗାର ବୃଦ୍ଧି ପାଇଛି । ଦେଶରେ ଘଟୁଥିବା ଅର୍ଥନୈତିକ ବିକାଶ ପାଇଁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବା ନିମନ୍ତେ ନୂତନ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ କାନ୍ଧରେ ଦିଆଯାଇଥିବା ଦାୟିତ୍ୱ ଗୁଡିକ ସମ୍ପର୍କରେ ସେ ଦୋହରାଇ ଥିଲେ ।

୯ ବର୍ଷ ପୂର୍ବେ ଆଜିର ଦିନରେ ପ୍ରଧାନମନ୍ତ୍ରୀ ‘ଜନଧନ ଯୋଜନା’ ର ଶୁଭାରମ୍ଭ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । “ଏହି ଯୋଜନା ଗ୍ରାମବାସୀ ମାନଙ୍କର ଏବଂ ଗରିବ (ଗାଓଁ ଓ ଗରିବ) ଲୋକମାନଙ୍କ ଆର୍ôଥକ ସଶକ୍ତିକରଣ ସହିତ ରୋଜଗାର ସୃଷ୍ଟି କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଛି’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଯୋଜନା ଅଧୀନରେ ଗତ ୯ ବର୍ଷ ମଧ୍ୟରେ ୫୦ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଏହି ଯୋଜନା ଗରିବ ଓ ଅବହେଳିତ ମାନଙ୍କ ପାଖରେ ସିଧାସଳଖ ପହଞ୍ଚାଇବାରେ ସହାୟକ ହେବା ସହ ଆଦିବାସୀ, ମହିଳା, ଦଳିତ ଓ ଅନ୍ୟାନ୍ୟ ବଞ୍ଚିତ ବର୍ଗର ଲୋକଙ୍କୁ ରୋଜଗାର ଓ ଆତ୍ମନିଯୁକ୍ତି ଯୋଗାଇବାରେ ସହାୟକ ହୋଇଛି । ଅନେକ ଯୁବକଯୁବତୀ ବ୍ୟାଙ୍କ ପ୍ରତିନିଧି, ବ୍ୟାଙ୍କ ମିତ୍ର ଭାବେ ଚାକିରି ପାଇଥିଲେ । ୨୧ ଲକ୍ଷରୁ ଅଧିକ ଯୁବକଯୁବତୀ ବ୍ୟାଙ୍କ ମିତ୍ର ବା ବ୍ୟାଙ୍କ ସଖୀ ଭାବେ ନିୟୋଜିତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି । ଜନଧନ ଯୋଜନା, ମୁଦ୍ରା ଯୋଜନାକୁ ମଧ୍ୟ ସୁଦୃଢ଼ କରିଛି ବୋଲି ସେ କହିଥିଲେ । ମୁଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨୪ ଲକ୍ଷ କୋଟିରୁ ଅଧିକ ଟଙ୍କାର ବନ୍ଧକ ମୁକ୍ତ ଋଣ ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ହିତାଧିକାରୀ ମାନଙ୍କ ମଧ୍ୟରୁ ୮ କୋଟି ପ୍ରଥମ ଥରର ଉଦ୍ୟୋଗୀ ଅଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଧୀନରେ ପ୍ରାୟ ୪୫ ଲକ୍ଷ ରାସ୍ତା କଡର ଦୋକାନୀ ମାନଙ୍କୁ ପ୍ରଥମ ଥର ପାଇଁ ବିନା ଗ୍ୟାରେଂଟିରେ ଋଣ ମଞ୍ଜୁର କରାଯାଇଥିଲା । ଏହି ଯୋଜନାର ହିତାଧିକାରୀ ମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା, ଦଳିତ, ପଛୁଆ ଓ ଆଦିବାସୀ ଯୁବକ ଅଛନ୍ତି । ଜନଧନ ଆକାଉଣ୍ଟ ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନକୁ ସୁଦୃଢ଼ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଜନଧନ ଯୋଜନାର ଭୂମିକା ପ୍ରକୃତରେ ଅଧ୍ୟୟନର ବିଷୟ ବୋଲି ସେ କହିଛନ୍ତି।

ଅନେକ ରୋଜଗାର ମେଳାରେ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେମାନେ ଜନ ସେବା କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି । “ସରକାର ଏବଂ ଶାସନରେ ପରିବର୍ତ୍ତନ ଆଣିବା ଅଭିଯାନରେ ଆପଣ ସମସ୍ତେ ଯୁବକମାନେ ମୋର ସବୁଠାରୁ ବଡ ଶକ୍ତି’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜିର ଯୁବପିଢ଼ି ଏପରି ଏକ ପିଢ଼ିରୁ ଆସିଛନ୍ତି ଯେଉଁଠାରେ ସବୁକିଛି ମାତ୍ର ଗୋଟିଏ କ୍ଲିକ୍ ଦୂରରେ ଅଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦ୍ରୁତ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଆଜିର ପିଢ଼ି ବିଖଣ୍ଡିତ ନୁହେଁ ବରଂ ସମସ୍ୟାର ସ୍ଥାୟୀ ସମାଧାନ ଖୋଜୁଛନ୍ତି । ସରକାରୀ କର୍ମଚାରୀ ହିସାବରେ ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିବ, ଯାହା ଦୀର୍ଘକାଳୀନ ଭାବେ ଲୋକ ମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି । “ଆପଣମାନେ ଯେଉଁ ପିଢ଼ିର ଅଟନ୍ତି, ସେହି ପିଢ଼ି କିଛି ହାସଲ କରିବାକୁ ସଂକଳ୍ପବଦ୍ଧ । ଏହି ପିଢ଼ି କାହାର ଆଶୀର୍ବାଦ ଚାହୁଁ ନାହିଁ, ଏହା କେବଳ ଚାହୁଁଛି ଯେ କେହି ସେମାନଙ୍କ ରାସ୍ତାରେ ପ୍ରତିବନ୍ଧକ ନ ହୁଅନ୍ତୁ”, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନସେବକ ଭାବରେ ଲୋକଙ୍କ ଆକାଂକ୍ଷା ପୂରଣ ଉପରେ ଗୁରୁତ୍ୱାରୋପ କରିବେ । ଯଦି ସେମାନେ ଏହି ବୁଝାମଣାରେ କାମ କରନ୍ତି ତେବେ ଆଇନ ଶୃଙ୍ଖଳା ବଜାୟ ରଖିବାରେ ବହୁତ ସାହାଯ୍ୟ ପାଇବେ ବୋଲି ସେ କହିଛନ୍ତି ।

ବକ୍ତବ୍ୟ ଶେଷ କରି , ପ୍ରଧାନମନ୍ତ୍ରୀ ଅର୍ଦ୍ଧସାମରିକ ବାହିନୀ ଭାବରେ ଶିକ୍ଷାଲାଭ କରିବାର ମନୋଭାବ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଉପଲବ୍ଧ ୬୦୦ ରୁ ଅଧିକ ପାଠ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । “ଏହି ପୋର୍ଟାଲରେ ୨୦ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ପଞ୍ଜୀକରଣ କରିଛନ୍ତି । ମୁଁ ଅନୁରୋଧ କରୁଛି ଯେ, ଆପଣମାନେ ସମସ୍ତେ ମଧ୍ୟ ଏହି ପୋର୍ଟାଲରେ ଯୋଗ ଦିଅନ୍ତୁ ଏବଂ ଏହାର ଫାଇଦା ନିଅନ୍ତୁ । ଶେଷରେ ପ୍ରଧାନମନ୍ତ୍ରୀ ନୂତନଭାବେ ନିଯୁକ୍ତ କର୍ମଚାରୀଙ୍କ ଜୀବନରେ ଶାରୀରିକ ସୁସ୍ଥତା ଏବଂ ଯୋଗକୁ ଏକ ଦୈନନ୍ଦିନ ଅଭ୍ୟାସ ଭାବରେ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ପୃଷ୍ଠଭୂମି

ଆଭ୍ୟନ୍ତରୀଣ ନିରାପତ୍ତା, ଆତଙ୍କବାଦ ମୁକାବିଲା, ବିଦ୍ରୋହ ମୁକାବିଲା, ବାମପନ୍ଥୀ ଉଗ୍ରବାଦ ବିରୋଧୀ ଏବଂ ଦେଶର ସୀମା ସୁରକ୍ଷା ଭଳି ବହୁମୁଖୀ ଭୂମିକା ନିର୍ବାହ କରିବାରେ ସିଏପିଏଫ୍ ଏବଂ ଦିଲ୍ଲୀ ପୁଲିସର ସୁଦୃଢ଼ୀକରଣ ଏହି ବାହିନୀକୁ ଅଧିକ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବାରେ ସହାୟକ ହେବ ।

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକ ମାନଙ୍କୁ ସେମାନଙ୍କ ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରା ଯାଉଛି ।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମୋଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ‘ଯେ କୌଣସି ସ୍ଥାନରେ, ଯେକୌଣସି ଡିଭାଇସ୍‌’ ଶିକ୍ଷଣ ଫର୍ମାଟ ପାଇଁ ୬୭୩ରୁ ଅଧିକ ଇ- ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରା ଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଆରପିଏଲ ଦକ୍ଷତା ତାଲିମ ଅଧୀନରେ ପ୍ରଶିକ୍ଷଣ ନେଇଥିବା ପ୍ରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ କାଳରେ ପାଞ୍ଚଟି ସଂକଳ୍ପ ସମେତ ଭାରତକୁ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବା ପାଇଁ ନାଗରିକମାନଙ୍କୁ ଦାୟିତ୍ୱବାନ ହେବା ପାଇଁ ଆହ୍ୱାନ କରିଛନ୍ତି। କାରଣ, ଭାରତୀୟମାନେ ଦାୟିତ୍ୱବାନ ହେଲେ ଏବଂ ଆମ ଦେଶର ଶ୍ରମବଳ ସମ୍ପୂର୍ଣ୍ଣ ଉପଯୋଗ ହୋଇପାରିଲେ ହିଁ ଭାରତ ବିଶ୍ୱର ଆର୍ଥିକ ମହାଶକ୍ତିର କେନ୍ଦ୍ରବିନ୍ଦୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ରେକଗନାଇଜେସନ ଅଫ୍ ପ୍ରାଇଅର୍ ଲର୍ଣ୍ଣିଂ(ଆରପିଏଲ) ଦକ୍ଷତା ତାଲିମ ଅଧୀନରେ ନୂଆଦିଲ୍ଲୀ ମ୍ୟୁନିସପାଲ କାଉନସିଲ ଅଞ୍ଚଳର ପ୍ରଶିକ୍ଷଣ ନେଇଥିବା ପ୍ରାର୍ଥୀଙ୍କୁ ପ୍ରମାଣ ପତ୍ର ବିତରଣ କରିଛନ୍ତି। ଏହି ତାଲିମ ଅଧୀନରେ ନୂଆ କୌଶଳ ସହ ଯୋଡ଼ିଥିବା ଯୁବବର୍ଗଙ୍କୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଆମେ ଅଗ୍ରସର ହେଉଥିବା ବେଳେ ଦକ୍ଷତା ବିକାଶ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ରାଷ୍ଟ୍ର ନିର୍ମାଣ ପାଇଁ ସମସ୍ତେ ଶ୍ରମବଳ ସମର୍ପିତ କଲେ ହିଁ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ। ସେଥିପାଇଁ ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ।

ପାରମ୍ପରିକ କ୍ଷେତ୍ରରୁ ବାହାରି ଆକାଂକ୍ଷା ପୂରଣ କରିବା ଲକ୍ଷ୍ୟରେ ଦକ୍ଷତା ବିକାଶକୁ ଆଗକୁ ନେବାକୁ ହେବ। ବର୍ତ୍ତମାନ ସମୟରେ ଭାରତ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବିଶ୍ୱରେ ସର୍ବବୃହତ ବଜାର ଭାବରେ ପରିଣତ ହୋଇଛି। ଉଭା ହେଉଥିବା ନୂଆ କ୍ଷେତ୍ରରୁ ନୂତନ କୌଶଳ ଶିଖିବାକୁ ହେବ। ବ୍ଲକଚେନ, କ୍ରିପଟୋ, ମେଟାଭର୍ସ ଭଳି ପ୍ରଯୁକ୍ତିବିଦ୍ୟା ଚାକିରିର ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରୁଛି। ଶିଳ୍ପବିପ୍ଳବ ୪.୦, ବିଶ୍ୱରେ ଉଭା ହେଉଥିବା ସୁଯୋଗର ଲାଭ ଏବଂ ମୁଣ୍ଡ ପିଛା ଉତ୍ପାଦନକୁ ଗତି ଦେବା ପାଇଁ ପ୍ରସ୍ତୁତି ନିମନ୍ତେ ସମସ୍ତଙ୍କୁ ସ୍କିଲିଂ, ଅପ ସ୍କିଲି ଏବଂ ରି-ସ୍କିଲିଂ ହେବାକୁ ପଡ଼ିବ। ସମାଜ ଯେତେବେଳେ ଦକ୍ଷ ହେବ ଭାରତ ସେତେ ସମୃଦ୍ଧ, ବିକଶିତ ଏବଂ ଗତିଶୀଳ ହେବ। ସବକା ପ୍ରୟାସ ମାଧ୍ୟମରେ ଦିଲ୍ଲୀର ଶ୍ରମବଳକୁ ସ୍କିଲ, ଅପ-ସ୍କିଲ ଏବଂ ରି-ସ୍କିଲ କରିବା ପାଇଁ ଏକ ମଡ଼େଲ ପ୍ରସ୍ତୁତ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକସେନା, ଦିଲ୍ଲୀ ସରକାରଙ୍କ ମୁଖ୍ୟ ସଚିବ ନରେଶ କୁମାର, ଏନଡିଏମସି, ସ୍କିଲ ଇଣ୍ଡିଆ, ଏନଏସଡିସିର ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।