Categories
ଆଜିର ଖବର ଜାତୀୟ ଖବର

ଅଯୋଧ୍ୟାରେ ନିର୍ମାଣ ହେଉଛି ଭବ୍ୟ ରାମ ମନ୍ଦିର, ଦାନ କରିବାକୁ ଅପିଲ୍‌ କଲେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍‌ ରାୟ

ଅଯୋଧ୍ୟା:  ଗତ ଅଗଷ୍ଟ 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଶ୍ରୀରାମର ମନ୍ଦିର ନିର୍ମାଣର ଭୂମି ପୂଜନ ହେବା ପରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏବେ ଆରମ୍ଭ ହୋଇଛି ।  ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏକ ଭିଡିଓ ଜାରି କରି ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ମନ୍ଦିର ନିର୍ମାଣ ନିମନ୍ତେ ଯୋଗଦାନ କରିବାକୁ ସେ ଅପିଲ କରିଛନ୍ତି । ଦେଶର କୋଟି କୋଟି ରାମ ଭକ୍ତ ମନ୍ଦିର ନିର୍ମାଣ ନିମନ୍ତେ ଦାନ କରିବାକୁ ଚାହୁଁଥିବାରୁ ଟ୍ରଷ୍ଟ ପକ୍ଷରୁ ଏକ ଆକାଉଣ୍ଟ ନମ୍ବର ଜାରି କରାଯାଇଥିବା ସେ କହିଛନ୍ତି । ଏହା ସମ୍ପର୍କରେ ଅଧିକ ତଥ୍ୟା ରାମ ଜନ୍ମଭୂମି ଟ୍ରଷ୍ଟ ତରଫରୁ ଟୁଇଟର୍‌ ହ୍ୟାଣ୍ଡେଲ୍‌ ଦିଆଯିବ ବୋଲି ସୂଚନା ଦିଆଯାଇଛି । ଏଣୁ ରାମ ଭକ୍ତମାନେ ଯଥା ଶକ୍ତି ଏବଂ ଯଥା ସମ୍ଭବ ଅର୍ଥ ଦାନ କରନ୍ତୁ ବୋଲି ସେ ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ର ମୁଖ୍ୟ ନୃତ୍ୟ ଗୋପାଳ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅଯୋଧ୍ୟା ଭୂମି ପୂଜନରେ ନୃତ୍ୟ ଗୋପାଳ ଦାସ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ବାବା ରାମଦେବ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ସାଧୁସନ୍ଥ ସାମିଲ ହୋଇଥିଲେ । (ଏଜେନ୍ସି)

Categories
ବିଶେଷ ଖବର

ସାଗରିକାଙ୍କର ବାପୁଙ୍କ ପାଖକୁ ଚିଠି

ମୂଳ ରଚନା-ସାଗରିକା ଘୋଷ
ଅନୁବାଦ-ରଙ୍ଗାଚରଣ ପ୍ରଧାନ

ପ୍ରୀୟ ବାପୁ,

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଭାଷଣ ଦେଇ ମନ୍ଦିର ଆନ୍ଦୋଳନକୁ ସ୍ବାଧୀନତା ସଂଗ୍ରାମ ସହ ତୁଳନା କରିଛନ୍ତି । ସେ ଆପଣଙ୍କ ନାମ ନେଇ କହିଛନ୍ତି ଯେ ଯେମିତି ସ୍ଵାଧୀନତା ଆନ୍ଦୋଳନ ବେଳେ ସମାଜର ସବୁ ସ୍ତରର ଲୋକେ ମହାତ୍ମାଗାନ୍ଧୀଙ୍କ ସହିତ ଯୋଗ ଦେଇଥିଲେ, ସେମିତି ଏବେ ସବୁ ଲୋକେ ମନ୍ଦିରକୁ ସମର୍ଥନ କରୁଛନ୍ତି ।

ବାବରୀ ମସଜିଦର ଧ୍ବଂସ ଉପରେ ତିଆରି ହେବାକୁ ଯାଉଥିବା ଏହି ମନ୍ଦିର ବିଷୟରେ ଏବେ ଆପଣ କି ମତ ରଖିବେ ? ସେହି ମସଜିଦ୍ ଧ୍ବଂସ ବିଷୟରେ ସୁପ୍ରୀମ କୋର୍ଟ ୨୦୧୭ ମସିହାରେ କହିଥିଲେ ଯେ ଏହା ‘ଏକ ଅପରାଧ ଯାହା ସମ୍ବିଧାନର ଧର୍ମନିରପେକ୍ଷ ଗଢଣକୁ ଦୋହଲାଇ ଦେଇଛି’ । ଆପଣ ଅହିଂସାର ଆଲୋକବର୍ତ୍ତିକା ଥିଲେ । ଆପଣଙ୍କ ପାଇଁ ସବୁବେଳେ ମାର୍ଗ ହଁ ଲକ୍ଷପ୍ରାପ୍ତିକୁ ଔଚିତ୍ୟତା ପ୍ରଦାନ କରେ । ୧୯୨୦-୨୨ ମସିହାରେ ହୋଇଥିବା ଅସହଯୋଗ ଆନ୍ଦୋଳନ ଚୌରିଚୌରାର ହିଂସାକାଣ୍ଡରେ ପରିଣତ ହେବା ଯୋଗୁଁ ଆପଣ ଏହାକୁ ପ୍ରତ୍ୟାହାର କରିଥିଲେ । ଆପଣ ସବୁବେଳେ ବିଶ୍ବାସ କରୁଥିଲେ ଯେ ନୀତିହୀନ ମାର୍ଗ ଫଳପ୍ରାପ୍ତିର ଗୁଣ ନଷ୍ଟ କରି ତାହାକୁ ଏକ ନୈତିକତା ବିହୀନ କ୍ଷମତା ପୀପାସାରେ ପରିଣତ କରିଦିଏ । ସେହିପରି ନାଟ୍ୟକାର ଆଣ୍ଟନ୍ ଚେକୋଭ କହିଛନ୍ତି ‘ ପ୍ରଶଂସନୀୟ ଲକ୍ଷ ପାଇଁ ଉପଯୋଗ ହୋଇଥିବା ଘୃଣ୍ୟ ମାର୍ଗ ଲକ୍ଷକୁ ମଧ୍ୟ ଘୃଣ୍ୟ କରିଥାଏ’ । ଭାରତର ସ୍ବାଧୀନତା ସଂଗ୍ରାମ ନୈତିକତାର ତେଜଃଶାଳିତାରେ ଉଦଭାସିତ ହୋଇଥିଲା । କାରଣ ଏହା ପ୍ରାୟ ସମ୍ପୂର୍ଣ୍ଣ ଭାବେ ଅହିଂସକ ଥିଲା ।

କିନ୍ତୁ ଠିକ୍ ଏହାର ଓଲଟା, ଅଶି ଦଶକରୁ ଆରମ୍ଭ ହୋଇଥିବା ବିଶ୍ବ ହିନ୍ଦୁ ପରିଷଦ, ଆର.ଏସ୍.ଏସ୍ ଓ ବିଜେପି ଦ୍ବାରା ପରିଚାଳିତ ଏହି ମନ୍ଦିର ଆନ୍ଦୋଳନଟି ହିଂସାପୁର୍ଣ ଥିଲା ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଯାଇଥିଲା । ମନ୍ଦିର ଆନ୍ଦୋଳନ ସାରା ଭାରତରେ ଅନେକ ସାଂପ୍ରଦାୟିକ ଲେଲିହାନ ସୃଷ୍ଟି କରିଥିଲା । ମସଜିଦ୍ ଧ୍ବଂସ ପରବର୍ତ୍ତୀ ୧୯୯୩ ମସିହାର ବମ୍ବେ ଦଙ୍ଗାରେ ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ । ଏହାର ୨୮ ବର୍ଷ ପରେ ଆଜି ମଧ୍ୟ ଏହି ଧ୍ବଂସ ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ ହୋଇଥିବା ଅପରାଧିକ ମୋକଦ୍ଦମା ଘୋଷାଡି ହୋଇ ଚାଲିଛି । ପ୍ରଭୁ ରାମଙ୍କ ନାମରେ ଏହି ଗୈରିକ ଭିଡ଼ ଠୁଳ କରିବାକୁ ଆପଣ କ’ଣ ସ୍ବୀକୃତି ଦେଇଥାନ୍ତେ ? କାରଣ ଆପଣଙ୍କର ଜିଦ୍ ଥିଲା ଯେ ନୈତିକତାପୂର୍ଣ୍ଣ ଲକ୍ଷପ୍ରାପ୍ତି ପାଇଁ ନୈତିକତାପୂ ମାର୍ଗ ଅପରିହାର୍ଯ୍ୟ ।

ଆଜି ସମ୍ପୂର୍ଣ୍ଣ ବଳ ପ୍ରୟୋଗ ଓ ଏକ ମୁଖ୍ୟ ରାଜନୈତିକ ଶକ୍ତି ସହିତ ସମାନ ଧାଡିରେ ଛିଡ଼ା ହୋଇଥିବା ରାଷ୍ଟଶକ୍ତିର ସାହାଯ୍ୟରେ ମନ୍ଦିର ତିଆରି ହେବାକୁ ଯାଉଛି । କିନ୍ତୁ ଆପଣ ଥିଲେ ରାଷ୍ଟ୍ରଶକ୍ତିର ସବୁଠାରୁ ଉଚ୍ଚସ୍ବରର ବିରୋଧୀ । ଆପଣଙ୍କ ପାଇଁ ରାଷ୍ଟ୍ର ହେଉଛ ଅବିଚ୍ଛେଦ୍ୟଭାବେ ଏକ ହିଂସାତ୍ମକ ସତ୍ତା । ଆପଣ କହିଥିଲେ : ‘ ମୁଁ ରାଷ୍ଟ୍ରର ଶକ୍ତି ବୃଦ୍ଧିକୁ ସବୁଠାରୁ ଅଧିକ ଭୟର ସହିତ ଦେଖେ’ ଏବଂ ଗୋଟିଏ ରାଷ୍ଟ୍ର ‘ଯଥେଷ୍ଟ ଶକ୍ତି ବୃଦ୍ଧି ବିନା ତିଷ୍ଠି ରହି ପାରେନାହିଁ ଓ ନିଜକୁ ସୁରକ୍ଷା ଦେଇପାରେ ନାହିଁ’ । ଖୋଦ୍ ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରୋତ୍ସାହିତ ହେଉଥିବାରୁ ସମ୍ପୁର୍ଣ୍ଣ ରାମ ମନ୍ଦିର ଯୋଜନାଟି ହିଁ ହେଉଛି ଏହି ରାଷ୍ଟ୍ରଶକ୍ତିର ମୁର୍ତ୍ତିମନ୍ତ ରୁପ ।

ଏବେ ‘ରାମରାଜ୍ୟ’ ଶବ୍ଦଟିକୁ ବାରମ୍ବାର ଉଚ୍ଚାରଣ କରାଯାଉଛି । କିନ୍ତୁ ଶକ୍ତିଶାଳୀ ରାଜନେତାଙ୍କ ଦ୍ବାରା ସମର୍ଥିତ ଏହି ପ୍ରସ୍ତାବିତ ରାମ ମନ୍ଦିର କ’ଣ ରାମରାଜ୍ୟ ଆଣିଦେବ ? ରାମରାଜ୍ୟ ବିଷୟରେ ଆପଣ କହିଥିଲେ : ‘ ମୁଁ ଯେତେବେଳେ (ଅଧୁନା ପାକିସ୍ତାନରେ ଥିବା) ସୀମାବର୍ତ୍ତୀ ପ୍ରାନ୍ତକୁ ଯାଏ ମୁଁ ଏହାକୁ ଖୁଦାଇ ରାଜ୍ କୁହେ , ମୁଁ ଯେତେବେଳେ ଖ୍ରୀଷ୍ଟିଆନ ଶ୍ରୋତାଙ୍କ ମଧ୍ୟକୁ ଯାଏ ସେତେବେଳେ ମୁଁ ଏହାକୁ ଧରାପୃଷ୍ଠରେ ଈଶ୍ବରଙ୍କ ରାଜ୍ୟ ବୋଲି ବର୍ଣ୍ଣନା କରେ … ମୁଁ ହଜାର ଥର ପୁନରାବୃତ୍ତି କରି କହିବି ଯେ ରାମନାମ ହେଉଛି ଭଗବାନଙ୍କର ଅନେକ ନାମ ମଧ୍ୟରୁ ଗୋଟିଏ ‘। ଆପଣଙ୍କ ପାଇଁ ଭଗବାନ ଏକ ନିର୍ଦ୍ଦିଷ୍ଟ ଧର୍ମ ନଥିଲେ, ଭଗବାନ ହେଉଛନ୍ତି ସତ୍ୟ ଏବଂ ସତ୍ୟ ପାଇଁ ବ୍ୟକ୍ତିଗତ ସଂଘର୍ଷ ।

ବିଧାୟକ କିଣାବିକା, ଅର୍ଥବଳରେ ସରକାର ପତନ କରାଇବା, ସରକାରୀ ଏଜେନ୍ସିଗୁଡିକୁ ବ୍ୟବହାର କରି ବିପକ୍ଷକୁ ଭୟଭୀତ କରାଇବା କିମ୍ବା ଗୋଟିଏ ନିଷ୍ଠୁର ଆଇନ ଦ୍ବାରା ଅସହମତିକୁ ଚପାଇ ଦେବା ଭଳି ଘଟଣାସବୁ ନିଶ୍ଚିତ ଭାବେ ରାମରାଜ୍ୟରେ ହୁଏନାହିଁ । ଆଜିର ଦିନରେ ଅନେକ ଛାତ୍ର, ଅଧ୍ୟାପକ, ଡାକ୍ତର ଓ ଓକିଲଙ୍କୁ ଜେଲରେ ଭର୍ତ୍ତି କରାଯାଇଛି । ବ୍ରିଟିଶ ଆପଣଙ୍କୁ ଜେଲରେ ଭର୍ତ୍ତି କରିବା ପାଇଁ ଯେଉଁ ପୁରୁଣାକାଳିଆ ଆଇନ୍ ଉପଯୋଗ କରିଥିଲା ଏମାନଙ୍କ ବିରୋଧରେ ମଧ୍ୟ ସେହି ଆତଙ୍କବାଦ ବିରୋଧୀ ଓ ଦେଶଦ୍ରୋହ କାନୁନ୍ ବ୍ୟବହାର କରାଯାଉଛି । ଆପଣଙ୍କ ପାଇଁ ଭିନ୍ନମତ ଓ ଅସହମତି ପୁରସ୍କାର ସଦୃଶ ଥିଲା । ଆପଣ କହିଥିଲେ : ‘ ସବୁବେଳେ ମୋତେ ବିରୋଧ କର , କିନ୍ତୁ ଆପଣଙ୍କର ଏହି ବିରୋଧ ପାଇଁ ମୁଁ ଆପଣଙ୍କୁ ଭଲପାଇବାରେ ଉଣା କରିବି ନାହିଁ ‘ । ଅକସ୍ମାତ ଘୋଷଣା ହୋଇଥିବା ଲକଡାଉନ୍ ସମୟରେ ଅସହାୟ ରାଜ୍ୟାନ୍ତର ଶ୍ରମିକଙ୍କୁ ଶହ ଶହ , ଏପରିକି ହଜାର ହଜାର, କିଲୋମିଟର ତାତିଲା ରାଜରାସ୍ତାରେ ଯେପରି ଅତି ନିଷ୍ଠୁର ଭାବେ ନିଜ ଭାଗ୍ୟ ଆଦରିବାକୁ ଛାଡି ଦିଆଗଲା ତାହା ତ ରାମରାଜ୍ୟରେ ହୁଏନାହିଁ ।

ଶାସକ ବିଜେପି ସବୁବେଳେ ରାମଙ୍କୁ ଏକ ଦୃଢ଼ ମାଂସପେଶୀଯୁକ୍ତ ବୀର ଚରିତ୍ର ଭାବେ ଦେଖି ଆସିଛି, ଯିଏ ହାତରେ ଧନୁଶର ଧରିଥିବେ, ଶତ୍ରୁମାନଙ୍କୁ ପରାଭୁତ କରୁଥିବେ ଓ ଧର୍ମୀୟ ସଂଖ୍ୟାଲଘୁଙ୍କ ଉପରେ ପ୍ରଭୁତ୍ବ ବିସ୍ତାର କରୁଥିବେ । ଆପଣ କ’ଣ, ରାମଙ୍କୁ ସେହି ରୁପରେ ଦେଖୁଥିଲେ ? ଆପଣ ଲେଖିଥିଲେ : ‘ ରାମାୟଣ କଷ୍ଟ, ବିଚ୍ଛେଦ ଓ ପ୍ରାୟଶ୍ଚିତର ଏକ ନଥି ବ୍ୟତୀତ ଆଉ କିଛି ନୁହେଁ ‘ । ତେଣୁ ରାମାୟଣ କହିଲେ ‘ଅନ୍ୟ’ ଓ କିମ୍ବା ଧର୍ମୀୟ ସଂଖ୍ୟାଲଘୁଙ୍କ ଉପରେ ଶକ୍ତି ଜାହିର କରିବାକୁ ବୁଝାଯାଏ ନାହିଁ । ବରଂ ରାମାୟଣ ନିଜ ଭିତରେ ଥିବା ଅସୁର ଉପରେ ବିଜୟ ହାସଲ କରିବା ପାଇଁ ଉଦ୍ଦିଷ୍ଟ ବ୍ୟକ୍ତିଗତ ସଂଘର୍ଷକୁ ବୁଝାଇଥାଏ ।

ଆପଣଙ୍କ ପ୍ରାର୍ଥନା ସଭା ଗୁଡିକ ଠାରୁ ଏହି ଭବ୍ୟ ସରକାରୀ ଭୂମିପୂଜନ ବହୁତ ଅଲଗା ଅଟେ । ଆପଣଙ୍କ ପ୍ରାର୍ଥନା ସଭା ଅନେକ ଶୃଙ୍ଖଳିତ ଥିଲା, ଅଧିକାଂଶ ସମୟରେ ଖୋଲାରେ ହେଉଥିଲା ଓ ସର୍ବଧର୍ମ ସମାବେଶି ଥିଲା ଯେଉଁଠାରେ ଗୀତା, କୋରାନ୍, ବାଇବେଲ ଓ ଜେଣ୍ଡ ଆଭେଷ୍ଟା ପାଠ କରା ଯାଉଥିଲା । ଆପଣ କ୍ଵଚିତ କୈାଣସି ମନ୍ଦିର ବୁଲିବାକୁ ଯାଇଛନ୍ତି, ନା କୈାଣସି ଦେବଦେବୀଙ୍କ ସହ ଆପଣଙ୍କର କୌଣସି ଫଟୋ ଅଛି ନା ଆପଣଙ୍କୁ କେବେ କୈାଣସି କର୍ମକାଣ୍ଡରେ ଲିପ୍ତ ରହିଥିବାର ଦେଖାଯାଇଥିଲା । ଆଜିକାଲି ରାଜନେତାମାନେ ଧର୍ମୀୟ କର୍ମକାଣ୍ଡ କରୁଛନ୍ତି । କିନ୍ତୁ ସେମାନେ ଧର୍ମର ମୁଳନୀତିକୁ ଭୃକ୍ଷେପ କରନ୍ତି କି ? ରାମରାଜ୍ୟର ଆଦର୍ଶ ହେଉଛି କରୁଣା, ନ୍ୟାୟ ଓ ଭଲ ପାଇବା । ଯଦି ରାମ ମନ୍ଦିରର ଚାକଚକ୍ୟ ଆମକୁ ଏଥିପ୍ରତି ଅନ୍ଧ କରିଦିଏ ତେବେ ତାହା ଦୁର୍ଭାଗ୍ୟଜନକ ହେବ ।

ବାପୁ, ଆପଣ ଯଦି ଆଜି ବଞ୍ଚିଥାନ୍ତେ , ତେବେ ଆପଣ କ’ଣ ଅଯୋଧ୍ୟାରେ ହୋଇଥିବା ଏହି ଶକ୍ତି ପ୍ରଦର୍ଶନକାରୀ ଉତ୍ସବରେ ଯୋଗ ଦେଇଥାନ୍ତେ ? ନିଶ୍ଚିତ ଭାବରେ ନୁହେଁ । ଆପଣ ଏହାଠାରୁ ବହୁ ଦୂରରେ ଥାଆନ୍ତେ , ହୁଏତ ଦକ୍ଷିଣ କାଶ୍ମୀରରେ ଆପଣ ପାଦରେ ଚାଲି ଚାଲି ବୁଲୁଥାନ୍ତେ , କିମ୍ବା ଆପଣ ଆସାମର ବନ୍ୟା ପ୍ଲାବିତ ଅଞ୍ଚଳରେ ଥାଆନ୍ତେ , କିମ୍ବା କୋଭିଡ ସମୟରେ ଚାକିରି ହରାଇଥିବା ଅସହାୟ ରାଜ୍ୟାନ୍ତର ଶ୍ରମିକ ପାଖରେ ବସିଥାନ୍ତେ , ସବୁଠାରୁ ଦୁର୍ବଳ ଓ ଅସୁରକ୍ଷିତ ଲୋକ ପାଖକୁ କେବଳ ଆର୍ଥିକ ସାହାଯ୍ୟ ନୁହେଁ, ତା ସହିତ ଭାବୁକ ଓ ଆଧ୍ୟାତ୍ମିକ ଆନନ୍ଦ ନେଇ ପହଞ୍ଚି ଯାଇଥାନ୍ତେ । ଆପଣ ତ ଆଜି ନାହାନ୍ତି । ଏବେ ଆମକୁ ଖୁବ ଶୀଘ୍ର ଏକ ଭବ୍ୟ ରାମ ମନ୍ଦିର ମିଳିଯିବ । କିନ୍ତୁ ଭାରତରେ ରାମରାଜ୍ୟ କିଏ ତିଆରି କରିବ ?