Categories
ଆଜିର ଖବର ରାଜ୍ୟ ଖବର

ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୫: ବାଣପୁରରେ ଯୋଗ କଲେ ଆଇନ ମନ୍ତ୍ରୀ

ବାଣପୁର: ଆଜି ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପ୍ରଶାସନ ତରଫରୁ ସ୍ଥାନୀୟ ଗୋଦାବରୀଶ ମହାବିଦ୍ୟାଳୟ ଠାରେ ଥିବା ଇନଡୋର ଷ୍ଟାଡିୟମରେ ବିଶାଳ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଅଞ୍ଚଳବାସୀଙ୍କ ସହ ଯୋଗରେ ଭାଗ ନେଇଥିଲେ।

ଅନୁରୂପ ଭାବେ ଉକ୍ତ ଶିବିରରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡା, ତହସିଲଦାର ଟି. ପଦ୍ମନାଭ ଦୋରା, ବିଡ଼ିଓ ଶୀତଲ ଅଗ୍ରୱାଲ,ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା ପ୍ରମୁଖ ଭାଗ ନେଇଥିଲେ।

ଉକ୍ତ ଯୋଗ କାର୍ଯ୍ୟକ୍ରମରେ ଗୋଦାବରୀଶ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଞ୍ଚଳ ବାସିନ୍ଦାଙ୍କୁ ଯୋଗଗୁରୁ ସୁବ୍ରତ କୁମାର ମାନ୍ଧାତା ଯୋଗ ଶିକ୍ଷା ଦେବା ସହ ଯୋଗର ବିଭିନ୍ନ କାର୍ଯ୍ୟକାରିତା ସମର୍କରେ ଅବଗତ କରାଇଥିଲେ। ଯୋଗ କରି ନିଜ ଶରୀର ନିରୋଗ ରଖିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତଙ୍କୁ ନିବେଦନ କରିବା ସହ କେବଳ ଯୋଗ ଦିବସରେ ଯୋଗ କଲେ ହେବନାହିଁ ବରଂ ପ୍ରତ୍ୟହ ଯୋଗ କରିବା ଆବଶ୍ୟକ ବୋଲି କହିଥିଲେ।

ପରିଶେଷରେ ଯୋଗ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ବ୍ୟକ୍ତିଙ୍କ ପରିବାର, ବନ୍ଧୁ ଏବଂ ସମାଜକୁ ଯୋଗକରିବାକୁ ଉତ୍ସାହିତ କରି ସୁସ୍ଥ ରହିବାକୁ ଶପଥ ପାଠ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଯୁକ୍ତ ଦୁଇ ନୂତନ ଶ୍ରେଣୀ ଗୃହ ଉଦଘାଟନ କଲେ ଆଇନ ମନ୍ତ୍ରୀ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଭଗବତୀ ବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚଳିତ ବର୍ଷ ନୂତନ ଭାବେ ଖୋଲିଥିବା ଯୁକ୍ତ ଦୁଇ ବିଜ୍ଞାନ ନୂତନ ଶ୍ରେଣୀ ଗୃହର ଉଦଘାଟନ ଉତ୍ସବ ଏବଂ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟର ସଭାପତି ରାଜ କିଶୋର ଭୋପାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ।

ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଦ୍ୟାଳୟ ସମ୍ପାଦକ ତଥା ବରିଷ୍ଠ ଆଇନଜିବି ଶ୍ୟାମସୁନ୍ଦର ମିଶ୍ର, ପ୍ରଧାନ ଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ, ଯୁକ୍ତ ଦୁଇ ଅଧ୍ୟକ୍ଷ ବିଜୟ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବାଣପୁର ଶିଶୁ ମନ୍ଦିରେ ଚଳିତ ବର୍ଷ ନୂତନ ଭାବେ ଦ୍ୱାଦଶ ଶ୍ରେଣୀ ଖୋଲିଥିବା ବେଳେ ବିଜ୍ଞାନ ପରୀକ୍ଷାଗାର ଗୃହକୁ ମନ୍ତ୍ରୀ ଉଦଘାଟନ କରିଥିଲେ।

ଚଳିତ ବର୍ଷ ବାଣପୁର ବ୍ଲକରେ ଶତକଡା ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଦଶମ ଶ୍ରେଣୀର ଦୁଇଜଣ ଏବଂ ଶତକଡା ୮୫ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖିଥିବା ଦ୍ୱାଦଶ ଶ୍ରେଣୀର ନଅ ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀ ଓ ଅତିଥିମାନେ ସମ୍ବର୍ଦ୍ଧନା ଦେବା ସହ ସେମାନଙ୍କର ଉତ୍ତୋରୋତ୍ତର କାମନା କରିଥିଲେ।

ବାଣପୁର ଶିଶୁ ମନ୍ଦିର ଆମ ପରିବାରର ଏକ ଅଂଶବିଶେଷ ବୋଲି କହିବା ସହ ଏହାର ସମସ୍ତ ଅସୁବିଧାକୁ ଦୂର କରିବା ମୋର କର୍ତ୍ତବ୍ୟ ବୋଲି ଆଇନ ମନ୍ତ୍ରୀ ବିଦ୍ୟାଳୟର କର୍ମକର୍ତ୍ତାମାନଙ୍କୁ କହିଥିଲେ।

ଅନୁରୂପ ଭାବେ ଉକ୍ତ ବିଦ୍ୟାଳରେ ଚଳିତ ଶିକ୍ଷାବର୍ଷରୁ ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଯୁକ୍ତ ଦୁଇ ବିଜ୍ଞାନ ପ୍ରାରମ୍ଭ ହୋଇଥିବାରୁ ବିଦ୍ୟାଳୟର କର୍ମକର୍ତ୍ତାମାନେ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକ କର୍ମଚାରୀମାନଙ୍କର ସମସ୍ୟାବଳୀ ସମ୍ପର୍କରେ ଆଲୋଚନା କଲେ ଆଇନ ମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ଆଜି ଲୋକସେବା ଭବନ ସ୍ଥିତ ଆଇନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ଶିକ୍ଷକ କର୍ମଚାରୀମାନଙ୍କର ସମସ୍ୟାବଳୀ ସମ୍ପର୍କରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ପ୍ରତିନିଧି ମଣ୍ଡଳୀମାନଙ୍କ ସହ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସେମାନଙ୍କ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ବିଭିନ୍ନ ଦିଗ ଉପରେ ବିଶେଷ ଆଲୋଚନା କରିଥିଲେ।

ଉକ୍ତ ବୈଠକରେ ୧୯୪ ଅଣ-ଅନୁଦାନ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଶିକ୍ଷକ ଓ କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳୀ ଓ ପେନସନ୍‌ ପ୍ରଦାନ, ୧୯୯୪ ଅନୁଦାନ ନିୟମ ଆଧାରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ, ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ ପାଳନ କରି ସମସ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟର ସରକାରୀକରଣ, ୧୯୦୦, ୨୨୦୦ ଓ ୨୮୦୦ ଗ୍ରେଡ଼-ପେ ରେ ଥିବା ଅସଙ୍ଗତି ଦୂରୀକରଣ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ କର୍ମଚାରୀ ନିଯୁକ୍ତି ଆଦି ବିଷୟ ଆଲୋଚନା ହୋଇଥିଲା।

ଆଗାମୀ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ନେଇ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଏହି ଆଲୋଚନାରେ ଏକାମ୍ରର ବିଧାୟକ ବାବୁ ସିଂ, ପାଲଲହଡ଼ାର ବିଧାୟକ ଅଶୋକ କୁମାର ମହାନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଗିରିଶ ଚନ୍ଦ୍ର ସିଂ ସମେତ ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

କଥା ଦେଇ କଥା ରଖିଲେ ଆଇନ ମନ୍ତ୍ରୀ: ଆରମ୍ଭ ହେଲା ରଙ୍କନାଥ ଦେବଙ୍କ ପିଠର ଉନ୍ନୟନ କାର୍ଯ୍ୟ

ବାଣପୁର: କଥା ଦେଇ କଥା ରଖିଲେ ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ। ବାଣପୁର ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପିଠର ଉନ୍ନତିକରଣ ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଚଳିତ ମହାଶିବରାତ୍ରି ଅବସରରେ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ଅନୁରୋଧକ୍ରମେ ମନ୍ଦିର ପରିଦର୍ଶନ କରି ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାବେଳେ ଆଜି ରଙ୍କନାଥ ଦେବଙ୍କ ପିଠର ଉନ୍ନତିକରଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ବିଶିଷ୍ଟ ସମାଜସେବୀ ନନ୍ଦ କିଶୋର ମିଶ୍ରଙ୍କ ଉପସ୍ଥିତିରେ ଭୂମିପୂଜନ କରାଯାଇ ନିର୍ମାଣ କାର୍ଯ୍ୟର ଶୁଭ ଦିଆଯାଇଛି।

ମନ୍ତ୍ରୀ ଉକ୍ତ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ବ୍ୟୟବରାଦ କରିଥିବା ବେଳେ ଉନ୍ନୟନ କାର୍ଯ୍ୟ ଦୃତ ଗତିରେ ଜାରି ରହିବ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ପ୍ରକାଶ କରିଥିଲେ। ଅନୁରୂପ ଭାବେ ମାନ୍ୟବର ମନ୍ତ୍ରୀ ଉକ୍ତ ଉନ୍ନୟନ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ସହଯୋଗ ଜାରି ରଖିବେ ବୋଲି ଶ୍ରୀ ରଣସିଂହ କହିଥିଲେ।

ରଙ୍କନାଥ ଦେବ ପୀଠର ଉନ୍ନତିକରଣ ଦ୍ୱାରା ଶ୍ରଦ୍ଧାଳୁମାନେ ଭବିଷ୍ୟତରେ ଉପକୃତ ହେବେ ବୋଲି ସମାଜସେବୀ ଶ୍ରୀ ମିଶ୍ର କହିଥିଲେ।

ଏହି ଅବସରରେ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଏବଂ ରଙ୍କନାଥ ଦେବ ମନ୍ଦିର ପରିଚାଳନା କମିଟିର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ଏବଂ ଏଥି ନିମନ୍ତେ ମାନ୍ୟବର ମନ୍ତ୍ରୀଙ୍କୁ ସମସ୍ତେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ଗୌରବ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ: ଯୋଗ ଦେଲେ ଆଇନ ମନ୍ତ୍ରୀ

ଯାଜପୁର: ଆଜି ଯାଜପୁର ଦକ୍ଷିଣବନ୍ଧ ସ୍ଥିତ ଉତ୍କଳ ଗୌରବ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ।

ଏହି ବିଦ୍ୟାଳୟକୁ ଗଢ଼ି ତୋଳିଥିବା ସମାଜସେବୀ ଓ ଶିକ୍ଷା ପ୍ରେମୀ ମାନଙ୍କୁ ଅଶେଷ ଧନ୍ୟବାଦ୍। ବିଦ୍ୟାଳୟଟି ୫୦ ଗୋଟି ବସନ୍ତ ଅତିକ୍ରମ କରିସାରିଛି। ବିଦ୍ୟାଳୟ ହେଉଛି ମଣିଷର ଭବିଷ୍ୟତ ତିଆରି କାରଖାନା। ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଷ୍ଠିତ କରିବାରେ ଶିକ୍ଷକ ମାନଙ୍କର ଯେତିକି ଦାୟିତ୍ଵ, ଅଭିଭାବକ ମାନଙ୍କର ମଧ୍ୟ ସେତିକି ଦାୟିତ୍ୱ ରହିବା ଆବଶ୍ୟକ। ସମାଜ ବିକଶିତ ହେଲେ, ରାଜ୍ୟ ଓ ଦେଶ ବିକଶିତ ହେବ ଏବଂ ଆମ ସମସ୍ତଙ୍କର ସମ୍ମାନ ବଢ଼ିବ।

ଉତ୍ଥାନ, ପତନ ଗୋଟିଏ ଜାତିର ଇତିହାସରେ କିଛି ନୂଆ କଥା ନୁହେଁ। ଇଂରେଜ ଶାସନ ଅମଳରେ ନିର୍ଯ୍ୟାତିତ ଓଡ଼ିଆ ଜାତି ମୂମୁର୍ଷ ଅବସ୍ଥାରେ ନିଜର ଅସ୍ତିତ୍ବ ରକ୍ଷା ପାଇଁ ସଂଗ୍ରାମରତ ଥିବାବେଳେ କେତେଜଣ ଯୋଗଜନ୍ମା ବ୍ୟକ୍ତିବିଶେଷଙ୍କ ଆବିଭାର୍ବ ଜାତୀୟ ଜୀବନରେ ଆଶାର ସଂଚ଼ାର କରିଥିଲା। ଉତ୍କଳୀୟ ସଂସ୍କୃତିର ସୁରକ୍ଷା ତଥା ରାଜନୈତିକ,ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ଏକ ସ୍ବତତ୍ନ ସ୍ଥାନ ଦେବା ପାଇଁ ଯେଉଁ ଯୋଗଜନ୍ମା ନିଜର ଜୀବନକୁ ତିଳତିଳ କରି ଉତ୍ସର୍ଗ କରିଥିଲେ,ସେମାନଙ୍କ ମଧ୍ୟରୁ ଦେଶପ୍ରାଣ ଉତ୍କଳଗୌରବ ମଧୁସୂଦନ ଦାସ ଅନ୍ୟତମ।ସେହି ଉତ୍କଳ ଗୈାରବଙ୍କ ନାମରେ ନାମିତ ଏହି ବିଦ୍ୟାଳୟକୁ ସରସ,ସୁନ୍ଦର ଶିକ୍ଷା କ୍ଷେତ୍ରରେ ଯାଜପୁର ଜିଲ୍ଲା ତଥା ସମଗ୍ର ଓଡ଼ିଶାରେ ସୁପରିଚିତ କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ହେବା ଆବଶ୍ୟକ।

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ ହୋଇଛି,ଯାହାକି ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଆଧାର କରି ରାଜ୍ଯର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ସଶକ୍ତ ବିଦ୍ୟାର୍ଥୀ ଗଠନ କରିବାରେ ବିଶେଷ ସହାୟକ ହେବ।

ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ଜୀବନ, ଆକାଂକ୍ଷା ଓ ସ୍ପନ୍ଦନ ଏହି ବିଦ୍ୟାଳୟ ସହ ଯୋଡି ହୋଇ ରହିଛି। ଅନେକ ବ୍ୟକ୍ତିବିଶେଷଙ୍କର ଆଦିଭୂମି ଏହି ଶିକ୍ଷାନୁଷ୍ଠାନ ଦୀର୍ଘ ୫୦ ବର୍ଷ ଧରି ଅନେକ ଛାତ୍ରଛାତ୍ରୀ ବିଶେଷତଃ ସାଧାରଣ ବିଦ୍ୟାର୍ଥୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସଫଳ ହୋଇଛି। ଏହି ସଫଳତା ପାଇଁ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ଓ ବିଦ୍ୟାଳୟ ସହ ଜଡିତ ସମସ୍ତଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇବା ସହ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଯାଜପୁର ସାଂସଦ ଡ଼ଃ ରବିନ୍ଦ୍ର ନାରାୟଣ ବେହେରା, ବିଶିଷ୍ଟ ସମାଜସେବୀ ଗୈାତମ ରାୟ, ବବିତା ମଲ୍ଲିକଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ବୃନ୍ଦ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଶିଶୁ ବଟିକା ଶ୍ରେଣୀରେ ନାମ ଲେଖାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବାଣ୍ଟିଲେ ଆଇନ ମନ୍ତ୍ରୀ ଓ ପୁରୀ ସାଂସଦ

ବାଣପୁର: ବିଦ୍ୟାଳୟରେ ପିଲାମାନଙ୍କ ନାମ ଲେଖାକୁ ସ୍ମରଣୀୟ କରିବା ପାଇଁ ଓ ୫ ବର୍ଷ ବୟସରୁ ଅଧିକ ବୟସର ପିଲାଙ୍କୁ ଏକ ଉତ୍ତମ, ସଂଗଠିତ ଓ ଅନୁଭୂତି ମୂଳକ ଶିକ୍ଷଣ ପରିବେଶ ପ୍ରଦାନର ଲକ୍ଷ୍ୟ ନେଇ ଆସନ୍ତା ଏପ୍ରିଲ ମାସର ୨ ତାରିଖରେ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହେବାକୁ ଯାଉଥିବା “ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ” କାର୍ଯ୍ୟକ୍ରମରେ ଯୋଗଦାନ କରି ଯୋଗ୍ୟ ପିଲାମାନଙ୍କର ଶିଶୁ ବାଟିକା ଶ୍ରେଣୀରେ ନାମ ଲେଖାଇବା ପାଇଁ ଆଜି ପବିତ୍ର ପଞ୍ଚୁଦୋଳର ମେଳଣ ଉତ୍ସବ ଅବସରରେ ବାଣପୁର ବ୍ଳକର ଭୀମପୁର ଗ୍ରାମରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପୁରୀ ସାଂସଦ ସମ୍ବିତ ପାତ୍ର, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଅଭିଭାବକମାନଙ୍କୁ କୁନି କୁନି ପିଲା ମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ନିମନ୍ତ୍ରଣ ପତ୍ର ବଣ୍ଟନ କରି ଏହି ନୂତନ ଶିକ୍ଷା ଯାତ୍ରାକୁ ଭବ୍ୟ ଓ ଅବିସ୍ମରଣୀୟ କରିବାକୁ ଅନୁରୋଧ କରିଥିଲେ।

ବାଣପୁର ପଂଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ସି. ଏଚ. ବିଜୟଲକ୍ଷ୍ମୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ସେଠୀ, ସ୍ଥାନୀୟ ସରପଞ୍ଚ ସୁରେଶ ଚନ୍ଦ୍ର ବାରିକୀ, ବିଭିନ୍ନ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କ ଉପସ୍ଥିତିରେ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା ପ୍ରସ୍ତୁତି ତଦାରଖ କଲେ ଆଇନ ମନ୍ତ୍ରୀ

ବାଣପୁର: ଖୋର୍ଦ୍ଧା ଜିଲ୍ଲାର ଓଡ଼ିଶା ପ୍ରସିଦ୍ଧ ବାଣପୁର ଐତିହାସିକ ପଞ୍ଚୁଦୋଳ ଯାତ୍ରା ମାର୍ଚ୍ଚ ୧୯-୨୦ ତାରିଖରେ ପଲଟଣ ପଡ଼ିଆ ଠାରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଆୟୋଜିତ ପ୍ରସ୍ତୁତି ବୈଠକରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଠାକୁର ଓ ଠାକୁରାଣୀ ମାନଙ୍କ ଆଗମନ, ନିରବଛିନ୍ନ ବିଦ୍ୟୁତ ସେବା, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା, ଶ୍ରଦ୍ଧାଳୁ ମାନଙ୍କ ନିରାପତ୍ତା ବ୍ୟବସ୍ଥା, ପରିଷ୍କାର, ପରିଚ୍ଛନ୍ନତା ଆଦି ସମସ୍ତ ବିଷୟରେ ବିସ୍ମୃତ ଭାବେ ଆଲୋଚ଼ନା କରିବା ସହ ପଞ୍ଚୁଦୋଳ ଯାତ୍ରାକୁ ମହାଆଡମ୍ବରରେ ପାଳନ କରିବାପାଇଁ ଯାହା ଯାହା ଆବଶ୍ୟକ, ତାହା ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତବର୍ଷ ପଞ୍ଚୁଦୋଳ ଯାତ୍ରାକୁ ଚିତାକର୍ଷକ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଏକାଧିକ ପଦକ୍ଷେପ ନେଇଥିବା ଜଣାପଡିଛି। ରାଜ୍ୟ ସଂକୃତି ବିଭାଗର ସହଯୋଗରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ଉକ୍ତ ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଚ଼ଞ୍ଚଳ ରଣା, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ପଞ୍ଚୁଦୋଳ କମିଟି ସଭାପତି ତଥା ବାଣପୁର ତହସିଲଦାର ଟି.ପଦ୍ମନାଭ ଦୋରା, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସଞ୍ଚୟ କୁମାର ପଟ୍ଟନାୟକ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ନିଗମାନନ୍ଦ ନନ୍ଦ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍, ବାଣପୁର ଥାନାଧିକାରୀ ରମେଶ କୁମାର ଦେବତ୍ତା, ବାଲୁଗାଁ ଥାନାଧିକାରୀ ଜୟପ୍ରକାଶ ପରିଡ଼ା, ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ, ବିଦ୍ୟୁତ୍ ବିଭାଗର ଏସଡ଼ିଓ ଟୁକୁନା ଦଳାଇ, ପଞ୍ଚୁଦୋଳ କମିଟିର ସମ୍ପାଦକ ମାଧବ ବାରିକି, ଉପସଭାପତି ବୀରଭଦ୍ର କାଣ୍ଡିଙ୍କ ସମେତ ପଞ୍ଚୁଦୋଳ କମିଟି ର ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚ଼ିଲିକା ପଞ୍ଚାୟତ ସମିତି ଅଧିବେଶନରେ ଯୋଗଦେଲେ ଆଇନ ମନ୍ତ୍ରୀ, ପୁରୀ ସାଂସଦ

ବାଲୁଗାଁ: ଆଜି ପୂର୍ବାହ୍ନରେ ଚ଼ିଲିକା ବ୍ଲକ ସଭାଗୃହରେ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରାଙ୍କ ଅଧ୍ୟକ୍ଷତାରେ ଚ଼ିଲିକା ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିବେଶନରେ ରାଜ୍ୟ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଓ ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ର ଯୋଗଦେଇ ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ, ଜଳ ଯୋଗାଣ ଓ ପରିମଳ ବିଭାଗ, ମହିଳା ଓ ଶିଶୁ ବିକାଶ କଲ୍ୟାଣ ବିଭାଗ, ମନରେଗା, ବିକଶିତ ଗାଁ ଓ ବିକଶିତ ଓଡ଼ିଶାର‌ ସଫଳ ରୂପାୟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ ଓ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଗ୍ରାମୀଣ ଓଡ଼ିଶାର ଜୀବନଧାରଣ ଓ ମାନବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗ୍ରାମୀଣ ଭିତ୍ତିଭୂମିର ବିକାଶ ନିହାତି ଆବଶ୍ୟକ ବୋଲି ସାଂସଦ ଡ଼ାଃ ପାତ୍ର କହିଥିଲେ। ବ୍ଲକ ଉନ୍ନୟନ ଅଧିକାରିଣୀ ପୁନମ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏହି ବୈଠକରେ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ତହସିଲଦାର‌ କାହ୍ନୁ ଚରଣ ଘଡ଼ାଇ, ଜିଲ୍ଲା ପରିଷଦ ସଦସ୍ୟା,ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବରେ ଯୋଗଦେଲେ ଆଇନ ମନ୍ତ୍ରୀ, ପୁରୀ ସାଂସଦ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ ଆଜି ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଓଡ଼ିଶାର ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି, ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ମୁଖ୍ୟ ବକ୍ତା, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷl ସୁକାନ୍ତି ପାଇକରାୟ ସମ୍ମାନିତ ଅତିଥି ଓ ବିଶିଷ୍ଟ ଶିକ୍ଷାବିତ୍ ତଥା ମଞ୍ଚ ଉଦଘୋଷକ ଡକ୍ଟର ମୃତ୍ୟୁଞ୍ଜୟ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ୪୪ତମ ବାର୍ଷିକ ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଛାତ୍ରୀମାନଙ୍କର ଉଦବୋଧନୀ ସଂଗୀତ ପରେ ଅଧ୍ୟକ୍ଷ ମଂଚାସୀନ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ମୁଖ୍ୟ ବକ୍ତା ଡକ୍ଟର ସମ୍ବିତ ପାତ୍ର ବିକଶିତ ଭାରତ ବର୍ଷରେ ଓଡ଼ିଆ ବ୍ୟକ୍ତିମାନଙ୍କର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଭାବ ଓ ପ୍ରଜ୍ଞାର ଅବତାରଣା କରି କହିଥିଲେ ଯେ ଶ୍ରୀଜଗନ୍ନାଥ ଓଡ଼ିଆ ମାନଙ୍କର ବୁଦ୍ଧି, ସର୍ଜନଶୀଳତା ଓ ବିଚlରଶୀଳତାକୁ ପରିଚାଳିତ କରୁଛନ୍ତି।  ଶ୍ରୀଜଗନ୍ନାଥ ଆମ ଅସ୍ମିତା ଓ ଆମ ପ୍ରଗତିର ଉତ୍ସ। ସାମ୍ପ୍ରତିକ ସମୟରେ ଓଡ଼ିଶାର ଯୁବବର୍ଗ ଚାକିରୀ ପଛରେ ନ ଗୋଡ଼ାଇ କୃତ୍ରିମ ବୁଦ୍ଧିମତାର ସାହାଯ୍ୟ ନେଇ ଆତ୍ମନିର୍ଭର ହେବା ସହ ଅନ୍ୟମାନଙ୍କ ପ୍ରେରଣାର ଉତ୍ସ ହେବା ଆବଶ୍ୟକ।

ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିଟି ଅନୁଷ୍ଠାନିକ ବିକାଶରେ ଯୁବବର୍ଗଙ୍କ ପ୍ରତିବଦ୍ଧତା ଅପରିହାର୍ଯ୍ୟ ବୋଲି ବକ୍ତବ୍ୟ ଦେଇଥିଲେ। ଏଥିସହ ମହାବିଦ୍ୟାଳୟର ଗୁଣାତ୍ମକ ବିକାଶ ପାଇଁ ଅଧ୍ୟାପକ ଅଧ୍ୟାପିକାମାନେ ନିରନ୍ତର ଲାଗିରହିଲେ ଶିକ୍ଷାର୍ଥୀମାନଙ୍କର ଅନ୍ତର୍ନିହିତ ବିକାଶ ହେବା ସହ ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି ସେ ଆଲୋକପାତ କରିଥିଲେ।

ଅନ୍ତର୍ଜାତୀୟ ମଞ୍ଚ ସଂଚାଳକ ଡକ୍ଟର ମୃତ୍ୟୁଞ୍ଜୟ ରଥ ବାଲୁଗାଁ ବାଣପୁର ଅଂଚଳର କଳା,ସାହିତ୍ୟ, ନାଟ୍ୟକଳl, ଐତିହ୍ୟ, ସଂସ୍କୃତି, ଓ ଵୀରତ୍ୱର ଗାଥା ଉପସ୍ଥାପନ କରି ଛାତ୍ର ଛାତ୍ରୀ ଓ କର୍ମଚାରୀମାନଙ୍କୁ ଅନୁପ୍ରାଣିତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ପୃଥ୍ୱୀରାଜ ହରିଚନ୍ଦନ ବାଲୁଗାଁ ଅଂଚଳର ବିଶିଷ୍ଟ ମଞ୍ଚ କଳାକାର ଓ ଚଳଚିତ୍ର ଅଭିନେତା ରବି ନନ୍ଦଙ୍କୁ ଚଳିତବର୍ଷର ଶାନ୍ତନୁ ଦାଶ ସ୍ମାରକୀ ନାଟ୍ୟ ସମ୍ମାନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଏହାପରେ ମହାବିଦ୍ୟାଳୟର ଯୁକ୍ତ ଦୁଇ ଓ ଯୁକ୍ତ ତିନି ସ୍ତରରେ ଛାତ୍ର ତଥା ସାଂସ୍କୃତିକ ପରିଷଦ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ବୌଦ୍ଧିକ, କ୍ରୀଡ଼ା, ନାଟ୍ୟ, ସାହିତ୍ୟ ଓ ବିଜ୍ଞାନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀମାନଙ୍କୁ ସମ୍ମାନିତ ବକ୍ତା ଡକ୍ଟର ରଥ, ଅଧ୍ୟାପକ ଅନଙ୍ଗ ଭୀମ ବିଶ୍ୱାଳ, ତ୍ରିବିକ୍ରମ ପଣ୍ଡା, ଅକ୍ଷୟ କୁମାର ମିଶ୍ର ପ୍ରମୁଖ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଡକ୍ଟର କୈଳାସ ଚନ୍ଦ୍ର ମହାରଣା ମଞ୍ଚ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଯୁକ୍ତଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ। ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ, ବିଦ୍ୟାଧର ଜୁଝାରସିଂହ, ସୁବ୍ରତ ତ୍ରିପାଠୀ, ରୀନା ରାଉତ, ମନସ୍ବିନୀ ପଟ୍ଟନାୟକ, ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର, ହିମାଂଶୁ କୁମାର ଦାଶ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଲୋକସେବା ଭବନ ବିଧି ବିଭାଗ ପରିସରରେ ଇ-ଗ୍ରନ୍ଥାଳୟକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

ଭୁବନେଶ୍ଵର: ଆଜି ଲୋକସେବା ଭବନର ବିଧି ବିଭାଗ ପରିସରରେ ଇ-ଗ୍ରନ୍ଥାଳୟକୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଉଦଘାଟନ କରିଥିଲେ।

ଏହି ଗ୍ରନ୍ଥାଳୟରେ ଆଇନଗତ ଗବେଷଣା ଓ ସରକାରୀ ସ୍ଥରରେ ବିଭିନ୍ନ କାର୍ଯ୍ୟ ପାଇଁ ସହାୟକ ସର୍ବୋଚ୍ଚ ନ୍ୟାୟଳୟ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତଥା ଅନ୍ୟ ଅଧସ୍ଥନ ନ୍ୟାୟଳୟର ସମସ୍ତ ଆଦେଶ ଉପଲବ୍ଧ ହେବ। ତତସହିତ ଏହି ଗ୍ରନ୍ଥାଳୟରେ ସର୍ବଶେଷ ଅଦ୍ୟତନ ଆଇନ ମାମଲା, ଦିନପଞ୍ଜି, ଉଦ୍ଧୃତି, ବ୍ୟବସାୟ ନୀତି,ଅନ୍ତର୍ଜାତୀୟ ତଥ୍ୟ, ଇ-ପୁସ୍ତକ, କମିଟି ରିପୋର୍ଟ୍, ଇସ୍ତାହାର ଏବଂ ଅଧ୍ୟାଦେଶ ଆଦି ଅତ୍ୟନ୍ତ ସୁବୋଧ ଓ ସୁଗମ୍ୟ ଭାବେ ଉପଲବ୍ଧ ହେବ।

ଏହି ଅବସରରେ ସମସ୍ତ ସରକାରୀ ବିଭାଗ ମାନଙ୍କୁ ମନୁପାତ୍ର ଅନଲାଇନ ଡାଟାବେସ୍, Orissa Law Times, ଇ-ଗ୍ରନ୍ଥାଳୟ ଓ LMS ରେ ସୁଗମ ପ୍ରବେଶ ପାଇଁ ସୁବିଧା ଯୋଗାଇ ଦିଆଯିବ ଯାହା ସର୍ବସାଧାରଣଙ୍କୁ ତ୍ଵରିତ ନ୍ୟାୟ ଦେବା ପାଇଁ ସହାୟକ ହେବ। ଏହା ଆଇନ ବିଭଗ ଦ୍ଵାରା ଏକ ଅତ୍ୟନ୍ତ ଯୁଗାନ୍ତକାରୀ ଏବଂ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ବିଧି ଚେତକ ତଥା ସ୍ଵତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ଦ୍ଵିତୀୟ ଅତିରିକ୍ତ ବିଧି ଚେତକ ତଥା ଅତିରିକ୍ତ ଶାସନ ସଚିବ ବିଭୁ ପ୍ରସାଦ ପଣ୍ଡା, ଆଇନ୍ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କମ୍ ଖର୍ଚ୍ଚରେ ଯକୃତ ପ୍ରତିରୋପଣର ଚିକିତ୍ସା ସୁବିଧା ଉପରେ ଆଲୋଚନା କଲେ ଆଇନ ମନ୍ତ୍ରୀ

ଭୁବନେଶ୍ଵର: ଆଜି ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ହାଇଦ୍ରାବାଦ୍‌ ସ୍ଥିତ ଏଆଇଜି ମେଡିକାଲର ଭାଇସ୍ ପ୍ରେସିଡେଣ୍ଟ ସନ୍ତୋଷ ସାହୁ, ମେଡିକାଲର ସହକାରୀ ସାଧାରଣ ପରିଚାଳକ ଚିତ୍ତରଞ୍ଜନ ମଲ୍ଲିକ ଓ ଅଜିତ୍ କୁମାର ନାୟକ, ରାଜ୍ୟ ସରକାରଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟର ନୋଡାଲ ଅଫିସର ପ୍ରଫେସର (ଡାଃ) ରାଜେଶ କୁମାର ଡୋରା, ଉତ୍କଳ ହସ୍ପିଟାଲର ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାଃ ସତ୍ୟ ପ୍ରକାଶ ରାୟ ଚୌଧୁରୀଙ୍କ ସହ ସୌଜନ୍ୟ ମୂଳକ ଭାବରେ ସାକ୍ଷାତ କରି ବିଭିନ୍ନ ସରକାରୀ ହସ୍ପିଟାଲରେ କମ୍ ଖର୍ଚ୍ଚରେ କିଭଳି ଯକୃତ ପ୍ରତିରୋପଣର ସମସ୍ତ ପ୍ରକାରର ଚିକିତ୍ସା ସୁବିଧା କରାଯାଇପାରିବ ସେ ଦିଗରେ ବିଭିନ୍ନ ପଦକ୍ଷେପ ବାବଦରେ ସବିଶେଷ ଆଲୋଚନା କରିଥିଲେ।

ଆଗମୀ ଦିନରେ ସମଗ୍ର ଓଡ଼ିଶା ପ୍ରଦେଶରେ ଉତ୍ତମ ସ୍ବାସ୍ଥ୍ୟ ସେବା ସହ ସହଜ ଓ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଆମ ସରକାର ଯୋଜନାବଦ୍ଧ ଭାବେ କାମ କରୁଛନ୍ତି‌ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀବଳଦେବଜୀଉ ମନ୍ଦିରର ପାରିପାର୍ଶ୍ଵିକ ଉନ୍ନତିକରଣ ଉପରେ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ତୁଳସୀକ୍ଷେତ୍ର ଆରାଧ୍ୟଦେବତା ଶ୍ରୀବଳଦେବଜୀଉ ମନ୍ଦିରର ପାରିପାର୍ଶ୍ଵିକ ପରିବେଶର ଉନ୍ନତୀକରଣ କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି ବା ପ୍ରସ୍ତୁତି କରାଯାଉଛି ତାହା ଜାଣିବା ପାଇଁ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏକ ଜରୁରୀ ଚିଠି ଲେଖି ଜାଣିବାକୁ ଚାହିଁବା ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି।

ତରବରିଆ କ୍ରମେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ପ୍ରସାଶନିକ ଦଳ ମନ୍ଦିର ନିକଟରେ ପହଁଚି ପାରିପାର୍ଶ୍ଵିକ ପରିସ୍ଥିତି କିପରି ରହିଛି ତାହାର କ୍ଷେତ୍ରସମୀକ୍ଷା କରିଛନ୍ତି। ମନ୍ଦିର ମଧ୍ୟରେ ରହିଥିବା କେତେକ ସ୍ଥାନ ଯଥା ସିନ୍ଧୁକ ରଖିବା ସ୍ଥାନ, କାଠ ରଖିବା ଜାଗା, ମନ୍ଦିର ପାଚେରୀକୁ ଲାଗିଥିବା ଉଦ୍ୟାନ, ଚନ୍ଦନ ପୋଖରୀ ନିକଟରେ ପହଁଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ମନ୍ଦିର ମଧ୍ୟରେ କାଠ ଏବଂ ସିନ୍ଦୁକ କିଭଳି ଅନ୍ୟତ୍ର ସ୍ଥାନାନ୍ତର ହେବ ସେ ନେଇ ନିଷ୍ପତି ନିଆଯାଇପାରେ ବୋଲି ଦେବୋତର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପରୋକ୍ଷରେ ସୂଚନା ଦେଇଛନ୍ତି । ସେହିପରି ମନ୍ଦିରକୁ ଲାଗି ରହିଥିବା ଶିଶୁ ଉଦ୍ୟାନ ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି ତାହାର କିପରି ଉନତିକରଣ କରାଯାଇପାରିବ ସେନେଇ ମଧ୍ୟ ପ୍ରତିନିଧି ଦଳ କ୍ଷେତ୍ର ଅନୁଧ୍ୟାନ କରିଥିଲେ।

5 T ଯୋଜନାରେ ମନ୍ଦିର ଉନତି ପାଇଁ 10 କୋଟି ଟଙ୍କା ଆର୍ଥିକ ଅନୁଦାନ ପୂର୍ଵତନ ସରକାର ଯୋଗାଇ ଦେଇଥିଲେ। ସେହି ଅନୁଦାନ ବିନିଯୋଗ ହେବା ପରେ ପାଖାପାଖି ଅଢେଇ କୋଟି ଟଙ୍କା ବଳକା ଭାବେ ପଡି ରହିଛି। ଦେବୋତର ସଂସ୍ଥା ପକ୍ଷରୁ ନିକଟ ଅତୀତରେ ମନ୍ଦିର ନିକଟରେ ରହିଥିବା ଏକ ଚନ୍ଦନ ପୋଖରୀ କୁ ଶ୍ରୀଜୀଉଙ୍କ ନାଁରେ କିଣାଯାଇଛି।

ଏହି ପୋଖରୀକୁ ବଳିପଡ଼ିଥିବା ଆର୍ଥିକ ଅନୁଦାନରେ କିପରି ଚତୁଃପାର୍ଶ୍ଵର ଉନୟନ କରାଯିବ ସେ ନେଇ ମଧ୍ୟ ପ୍ରତିନିଧି ଦଳ ବୁଲି ଦେଖିଛନ୍ତି। ଏ ସମ୍ପର୍କରେ ସଂଗ୍ରହ କରାଯାଇଥିବା ଚୂଡାନ୍ତ ରିପୋର୍ଟ ଆଇନ ମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ପରେ ମନ୍ଦିର ପ୍ରଶାସନ ସହ ଜିଲ୍ଲା ପ୍ରଶାସନର ଏକ ଦଳ ଆଇନ ମନ୍ତ୍ରୀଙ୍କ ସହ ମନ୍ଦିର ଉନତି ସମ୍ପର୍କରେ ସଦ୍ୟତମ ଆଲୋଚନା କରିବେ।

ପୁରୀ ଶ୍ରୀମନ୍ଦିର ପରି ତୁଳସୀକ୍ଷେତ୍ର ଶ୍ରୀବଳଦେବଜୀଉ ମନ୍ଦିର ଚାରିପଟେ ଏକ ପରିକ୍ରମା ପ୍ରକଳ୍ପ କରାଯିବ ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ତେଵେ ମନ୍ଦିର ଚତୁଃପାର୍ଶ୍ଵର ଉନୟନ କାର୍ଯ୍ୟ କିପରି ହେବ ସେଥିପାଇଁ ବର୍ତ୍ତମାନ ସରକାର କିଭଳି ଆଭିମୁଖ୍ୟ ପୋଷଣ କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଇନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଛବି ସ୍ପଷ୍ଟ ହେବ ବୋଲି ସୂଚନା ମିଳୁଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଖୋଲିଲା ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ଧାନମଣ୍ଡି: ଯୋଗ ଦେଲେ ଆଇନ ମନ୍ତ୍ରୀ ଏବଂ ପୁରୀ ସାଂସଦ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ଖରିଫ ଧାନମଣ୍ଡି ବାଣପୁର ସ୍ଥିତ ବଡହନ୍ତୁଆଡ଼ ସେବା ସମବାୟ ସମିତି ଆନୁକୂଲ୍ୟରେ ସ୍ଥାନୀୟ ପଲଟନ ପଡିଆ ଠାରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସମ୍ମାନିତ ଅତିଥି ଭାବେ ପୁରୀ ସାଂସଦ ଡ଼ା ସମ୍ବିତ ପାତ୍ର ଯୋଗଦେଇ ଉକ୍ତ ମଣ୍ଡିକୁ ଉଦଘାଟନ କରିଥିଲେ।

ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଅନ୍ୟାନ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି. ପଦ୍ମନାଭ ଦୋରା, ସିଏସଓ ସୁଗଦା ମୁର୍ମୁ, ଡ଼ିଆରସିଏସ ଅଳକାନନ୍ଦା ଜେନା, ଏଆରସିଏସ ଉର୍ମିଳା ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସଭାକୁ ସମ୍ବୋଧିତ କରି କହିଥିଲେ, ଚ଼ାଷ ଓ ଚ଼ାଷୀ ଙ୍କୁ ସର୍ବାଧିକ ଗୁରୁତ୍ବ ଦେଉଥିବା ଆମ ସରକାର ଧାନ ଚାଷୀଙ୍କ ପାଇଁ ଐତିହାସିକ ପଦକ୍ଷେପ ସ୍ୱରୂପ ୨୩୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ସହ ୮୦୦ ଟଙ୍କାର ଇନପୁଟ ସହାୟତା ରାଶି ପ୍ରଦାନ କରୁଛନ୍ତି। ଚ଼ାଷୀ ଙ୍କ ଉନ୍ନତି ହେଲେ ରାଜ୍ୟ ର ଉନ୍ନତି ହେବ।

ସେହିପରି ଭାବେ ସମ୍ମାନିତ ଅତିଥି ସାଂସଦ ଡ଼ା ପାତ୍ର କହିଥିଲେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆରମ୍ଭ ହୋଇଛି। ମୋହନ ସରକାର ସଦାବେଳେ ଚାଷୀଙ୍କ ପାଇଁ ସମର୍ପିତ ଏବଂ ଆମେ ଚାଷୀଙ୍କ ସହ ଅଛୁ, ରହିବୁ। ସେବା ସମବାୟ ସମିତି ସଭାପତି ମାଧବ ଚନ୍ଦ୍ର ବାରିକି ସ୍ୱାଗତ ଭାଷଣ ଦେଇଥିବା ବେଳେ ମଞ୍ଚକୁ ଭି.କାମେଶ୍ୱର ଆଚାରୀ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ: ଯୋଗ ଦେଲେ ଆଇନ ମନ୍ତ୍ରୀ

ବାଣପୁର: ଆଜି ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଶଶୀଭୂଷଣ ସ୍ମୃତି କମିଟି ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ବିଶିଷ୍ଟ ଜନନେତା ଶଶୀଭୂଷଣ ହରିଚ଼ନ୍ଦନ ଙ୍କ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ବିଶିଷ୍ଟ ଅତିଥି ଭାବେ ଚ଼ିଲିକା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ,ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା କବି ଶଶାଙ୍କ ଚୂଡ଼ାମଣି,ସମ୍ମାନିତ ଅତିଥି ଭାବେ ଚ଼ିଲିକା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ଶଶୀଭୂଷଣ ସ୍ମୃତି କମିଟି ର ସଭାପତି ଗୋଲକ ବିହାରୀ ପଟ୍ଟନାୟକ, ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ ଯୋଗ ଦେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ବିଶିଷ୍ଟ ଜନନେତା ସ୍ବର୍ଗତ ଶଶୀଭୂଷଣ ହରିଚ଼ନ୍ଦନ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ସ୍ମୃତି ଚ଼ାରଣ କରିଥିଲେ‌‌।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେବା ସହ ଶୃଙ୍ଖଳିତ ଭାବରେ ଶିକ୍ଷା ଗ୍ରହଣ କରି ସମାଜରେ ପ୍ରତିଷ୍ଠିତ ହେବା ପାଇଁ ମାନ୍ୟବର ମନ୍ତ୍ରୀ ଉପଦେଶ ଦେବା ସହ ସ୍ବର୍ଗତ ଶଶୀଭୂଷଣ ହରିଚ଼ନ୍ଦନ ଙ୍କ ଜନସେବା,ସମବାୟ କ୍ଷେତ୍ରରେ‌ ତାଙ୍କ ଅନବଦ୍ୟ ଅବଦାନ ବିଷୟରେ ଅଭିଭାଷଣ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ହରିଚନ୍ଦନ ଙ୍କ ସୁପୁତ୍ର ବିଶିଷ୍ଟ ରାଜନୀତିଜ୍ଞ ଦୁଷ୍ମନ୍ତ ହରିଚ଼ନ୍ଦନ, ପୂର୍ବତନ ସରପଞ୍ଚ ରମେଶ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତ୍ୟ ନାରାୟଣ ପାଲଟା ସିଂହ ଙ୍କ ସମେତ ବହୁ ବ୍ୟକ୍ତିବିଶେଷ ମାନେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର ପଞ୍ଚାୟତ ସମିତିର ଚ଼ତୁର୍ଥ ସାଧାରଣ ଅଧିବେଶନ: ଅଧିକାରୀଙ୍କୁ ତାଗିଦ କଲେ ଆଇନ ମନ୍ତ୍ରୀ

ବାଣପୁର: ଆଜି ବାଣପୁର ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷ ଠାରେ ଚ଼ତୁର୍ଥ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଚ଼ିଲିକା ବିଧାୟକ ତଥା ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗ ଦେଇ ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ, ଜଳ ଯୋଗାଣ ଓ ପରିମଳ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମତ୍ସ୍ୟ ଚାଷ,ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ,ମନରେଗା ଓ ବ୍ଲକ ର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଏହି ଅବସରରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଜନପ୍ରତିନିଧି ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ସହ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ତେବେ ଜନପ୍ରତିନିଧିମାନେ ସରକାରୀ ଅଧିକାରୀଙ୍କୁ କିଛି ତଥ୍ୟ ମାଗିଲେ ସେମାନେ ତଥ୍ୟ ନଦେଇ ସେମାନଙ୍କୁ ପାଲଟା ଦୁର୍ବ୍ୟବହାର କରୁଥିବା ମନ୍ତ୍ରୀଙ୍କ ନିକଟରେ ଏକାଧିକ ଜନପ୍ରତିନିଧି ଅଭିଯୋଗ କରିଥିଲେ। ମନ୍ତ୍ରୀ ଏଥିରେ କ୍ଷୁବ୍ଧ ହେବା ସହ ଉପସ୍ଥିତ ସରକାରୀ ଅଧିକାରୀଙ୍କୁ ତାଗିଦ କରିଥିଲେ। ଏବଂ ସରକାରୀ ଅଧିକାରୀ ମାନେ ଜନପ୍ରତିନିଧି ଓ ଜନସାଧାରଣଙ୍କୁ ତଥ୍ୟ ଦେବାକୁ ବାଧ୍ୟ ବୋଲି କହିଥିଲେ।

ଅନୁରୂପ ଭାବେ କୃଷି ଏବଂ ଜଳ ଯୋଗାଣ ଓ ପରିମଳ ବିଭାଗ ବିରୁଦ୍ଧରେ ମାଳମାଳ ଅଭିଯୋଗ ଆସିଥିବାର ଦେଖିବାକୁ ମିଳିଥିଲା।

ଏହି ବୈଠକରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି. ପଦ୍ମନାଭ ଦୋରା, ବାଲୁଗାଁ ଏସଡିପିଓ ଯୁଗଳ କୁମାର ମଲ୍ଲିକ, ଆଇଆଇସି ରମେଶ କୁମାର ଦେବତା, ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟାଙ୍କ ସମେତ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବଡହନ୍ତୁଆଡ଼ ପ୍ରାଥମିକ କୃଷି ସମବାୟ ସମିତି ଲିଃ ର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟନ କଲେ ଆଇନ ମନ୍ତ୍ରୀ

ବାଣପୁର: ବାଣପୁର ବଡହନ୍ତୁଆଡ଼ ପ୍ରାଥମିକ କୃଷି ସମବାୟ ସମିତି ଲିଃ ର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟନ ଆଜି ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଯୋଗଦେଇ ଏହାକୁ ଉଦଘାଟିତ କରିଥିଲେ।

ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମାଜସେବୀ ବୀରଭଦ୍ର କାଣ୍ଡି, ସଭାପତି ମାଧବ ଚନ୍ଦ୍ର ବାରିକି, ସମବାୟବିତ ଗୋଲଖ ବିହାରୀ ପଟ୍ଟନାୟକ, ହରିହର ସାହୁ ଆଦି ଯୋଗଦେଇଥିଲେ।

ଏହି ଅବସରରେ ବାଣପୁର ବ୍ଲକର ସମସ୍ତ ୧୩ ଗୋଟି ସମବାୟ ସମିତିର ସଭାପତି ଓ ସମ୍ପାଦକ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କୃଷକ ମାନଙ୍କ ବିଭିନ୍ନ ସମସ୍ୟା ଯଥା ଆଗକୁ ଆସୁଥିବା ମଣ୍ଡିରେ ଧାନକ୍ରୟ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଉପସ୍ଥିତ ଅତିଥି ମାନେ ମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ। ମନ୍ତ୍ରୀ ଉକ୍ତ ସମସ୍ୟାକୁ ହୃଦୟଙ୍ଗମ କରିବା ସହ ଏହାର ସମାଧାନ ଦିଗରେ ପ୍ରତିଶୃତି ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ କେଶରୀ ଡକ୍ଚର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବରେ ଯୋଗ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ଵର: କଟକରେ ଉତ୍କଳ କେଶରୀ ଡକ୍ଚର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଛି। ଜିଲ୍ଲା ପ୍ରଶାସନ, ମହାନଗର ନିଗମ ଓ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ମହତାବଙ୍କ ବହୁମୁଖୀ ପ୍ରତିଭାର ଆଲୋଚନା କରିଥିଲେ। ସେ କହିଥିଲେ, ଓଡିଶାର ବିକାଶ, ଅସ୍ମିତା ଓ ଓଡିଆ ଜାତିର ଟେକ ପାଇଁ ସେ ସାରା ଜୀବନ ଲଢେଇ ଜାରି ରଖିଥିଲେ।

ଓଡିଶାର ବିକାଶ କ୍ଷେତ୍ରକୁ ତାଙ୍କ ଅବଦାନ ଅତୁଳନୀୟ। ସମାରୋହରେ କଟକ ମେୟର ସୁବାସ ସିଂ, ବିଧାୟକ ସୌଭିକ ବିଶ୍ବାଳ, ପ୍ରକାଶ ସେଠୀ, ସୋଫିଆ ଫିର୍ଦୋସ, ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ଓ ନୟନ କିଶୋର ମହାନ୍ତି, କଟକ ଜିଲ୍ଲାପାଳ ଦତାତ୍ରେୟ ଭାଓ ସାହେବ ସିନ୍ଦେ, ସିଏମସି କମିଶନର ଅନାମ ଚନ୍ଦ୍ର ପାତ୍ର ପ୍ରମୁଖ ମହତାବଙ୍କ ସ୍ମୃତିଚାରଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜୟୀ ରାଜଗୁରୁଙ୍କ ଉପରେ ଅଧିକ ଗବେଷଣା ଓଡ଼ିଶା ଇତିହାସ ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଏ ଜାତି ହେଉଛି ବୀର ଜାତି, ଏହି ପବିତ୍ର ଓଡ଼ିଶା ମାଟି ଅନେକ ବୀର ପୁରୁଷଙ୍କୁ ଜନ୍ମ ଦେଇଛି। ଖ୍ରୀଷ୍ଟପୂର୍ବ ସମୟରୁ ଆରମ୍ଭ କରି ଇଂରେଜ ଶାସନ ପର୍ଯ୍ୟନ୍ତ ଓଡ଼ିଆ ଜାତି ବିଭିନ୍ନ ସମୟରେ ନିଜର ବୀରତ୍ୱର ପ୍ରଦର୍ଶନ କରି ଆସିଛି। ସାରା ଦେଶ ଯେତେବେଳେ ଇଂରେଜମାନଙ୍କ ଅଧୀନକୁ ଆସିଯାଇଥିଲା, ସେତେବେଳେ ଏ ମାଟିର ବୀର ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୋଧରେ ଯେଉଁ ରଣହୁଙ୍କାର ଦେଇଥିଲେ ତାହା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି। ତେଣୁ ଜୟୀ ରାଜଗୁରୁଙ୍କ ଜୀବନୀ ଓ ବୀରତ୍ୱ ଉପରେ ଅଧିକ ଗବେଷଣା ଓଡ଼ିଶା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ସାରା ଦେଶ ଯେତେବେଳେ ଇଂରେଜମାନଙ୍କ ଦ୍ୱାରା ଶାସିତ ହୋଇ ଅତ୍ୟାଚାରର ଶିକାର ହେଉଥିଲା ସେତେବେଳେ ଏହି ଖୋର୍ଦ୍ଧା ମାଟିରୁ ବିଦ୍ରୋହର ସ୍ପୁଲିଙ୍ଗ ନିର୍ଗତ ହୋଇଥିଲା। ଏ ଜାତିର ବୀର ପାଇକମାନଙ୍କୁ ଏକାଠି କରି ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୋଧରେ ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ ତାହା ସାରା ଇଂରେଜ ଶାସନକୁ ହତବାକ୍ କରିଦେଇଥିଲା। ତେଣୁ ଏହି ବୀରତ୍ୱର ଗାଥାକୁ ଯୁବପିଢ଼ି ପଢ଼ିବା ଜରୁରୀ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରାକ୍ତନ ଶିକ୍ଷା ପ୍ରଶାସକ ଡ. ପ୍ରଫୁଲ୍ଲ କୁମାର ରଥ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଜୟୀ ରାଜଗୁରୁଙ୍କୁ ଜଣେ ବିଶିଷ୍ଟ ଦେଶଭକ୍ତ, ରାଜଭକ୍ତ ଓ ଜାତିଭକ୍ତ ବୋଲି କହିବା ସହ ତାଙ୍କଠାରେ ତ୍ୟାଗୀ ଓ ଯୋଗୀର ଅପୂର୍ବ ସମନ୍ୱୟ ଘଟିଥିଲା ବୋଲି ମତବ୍ୟକ୍ତ କରିଥିଲେ। ଦୂରଦୃଷ୍ଟି ଓ ଯୁଦ୍ଧକୌଶଳ ତାଙ୍କୁ ପ୍ରକୃତ ବୀର ଆଖ୍ୟା ପ୍ରଦାନ କରିଛି ବୋଲି ସେ କହିଥିଲେ।

ସେହିପରି ବିଶିଷ୍ଟ ଶିକ୍ଷାବିତ୍ ତଥା ଐତିହାସିକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଇଂରେଜମାନଙ୍କୁ ଏ ମାଟିରୁ ତଡ଼ିବା ପାଇଁ ଯେଉଁ ଜାତୀୟତା ଜନ୍ମଲାଭ କରିଥିଲା ତାହାର ନେତୃତ୍ୱ ନେଇଥିଲେ ବିପ୍ଳବୀ ଜୟୀ ରାଜଗୁରୁ। ତାଙ୍କ ସମୟରେ ଯେଉଁ ସଂଗ୍ରାମ ଆରମ୍ଭ ହୋଇଥିଲା ତାହା ହିଁ ଥିଲା ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ପକ୍ଷରୁ ‘ଜୟୀ ରାଜଗୁରୁଙ୍କ ଜୀବନୀ’ ସଂପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ମାନ୍ୟବର ଶ୍ରୀଯୁକ୍ତ ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର ଉଦ୍ଘାଟନ କରିଥିବାବେଳେ ଏଥିରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରଥମ ନିର୍ଦ୍ଦେଶକ ଡ. କୈଳାଶ ଚନ୍ଦ୍ର ଟିକାୟତରାୟ, ପ୍ରାକ୍ତନ ପ୍ରଶାସକ ଦିଗମ୍ବର ମହାନ୍ତି, ଐତିହାସିକ ଡ. ବିନୋଦିନୀ ଦାଶ, ଶିକ୍ଷାବିତ୍ ପ୍ରଫେସର ପ୍ରସନ୍ନ କୁମାର ଜେନାଙ୍କ ସମେତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଗବେଷକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଜୟୀ ରାଜଗୁରୁଙ୍କ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ବୈଷୟିକ ସ୍ୱାଗତ ଭାଷଣ ଦେଇଥିବାବେଳେ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶାର ସମ୍ପାଦକ ଜଟାଧାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସକାଳେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏଜି ଛକସ୍ଥିତ ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଲୋକସଂପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନା, ପ୍ରମୋଦିନୀ ଟେଟେଙ୍କ ସମେତ ବରିଷ୍ଠ ଅଧିକାରୀ, ଅନ୍ୟ ମାନ୍ୟଗଣ୍ୟ ବକ୍ତି ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଟକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଆସିଲା ବଡ ପ୍ରତିକ୍ରିୟା

ଭୁବନେଶ୍ଵର: କଟକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ଏବେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହି ମାମଲାକୁ ନେଇ ରାଜ୍ୟ ସରକାର ଗୁରୁତ୍ବର ସହ ନେଇଛନ୍ତି। ବର୍ତ୍ତମାନ ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଆସିଛି।

ଆଇନ ମନ୍ତ୍ରୀ କହିଛନ୍ତି ଯେ, ମହିଳାଙ୍କ ଉପରେ ଆକ୍ରମଣ ହେଉ କି ନିର୍ଯାତନା କିମ୍ବା ଦୁଷ୍କର୍ମ, ସରକାର କଠୋର ଭାବେ ଦମନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ମହିଳା ବିରୋଧୀ ଅପରାଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ସରକାର କହିଛନ୍ତି।

କଟକରେ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତିରେ ଯେଉଁ ଘଟଣା ଘଟିଛି। ସେହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି। କୌଣସି ଟାଳଟୁଳ ନୀତି ଆପଣାଇବେନି। ଦୋଷୀକୁ ଦଣ୍ଡିତ କରିବା ପାଇଁ ସବୁ ପଦକ୍ଷେପ ନିଆଯିବ। ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ସଜାଡ଼ିବା ପାଇଁ ପଦକ୍ଷେପ ନିଆଯାଉଛି। ୨୦୩୬ ସୁଦ୍ଧା ଓଡିଶା ଦେଶରେ ମହିଳା ବିରୋଧୀ ଅପରାଧ ମୁକ୍ତ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ବ୍ଲାକମେଲିଂ କରିବା ଅଭିଯୋଗ ହୋଇଥିଲା। ଏହାପରେ ୬ ଜଣ ଅଭିଯୁକ୍ତଙ୍କୁ କଟକ ପୋଲିସ ଗରିଫ କରିଥିଲା।

ଅଭିଯୋଗ ଅନୁସାରେ କଟକର ଜଣେ କଲେଜ ଛାତ୍ରୀ ତାଙ୍କର ପୁରୁଷ ବନ୍ଧୁଙ୍କ ସହ ପୁରୀଘାଟ ଥାନା ଅଞ୍ଚଳର ଏକ କାଫେରେ ଜନ୍ମଦିନ ପାଳନ କରିଥିଲେ। ସେଠାରେ ଛାତ୍ରୀଙ୍କ ଅଜାଣତରେ ସାଙ୍ଗମାନେ ତାଙ୍କର ଅଶ୍ଲିଳ ଫଟୋ ଉଠାଇଥିଲେ। ଏଥିରେ ସହଯୋଗ କରିଥିଲେ ଭରତପୁର ଅଞ୍ଚଳରେ ରହୁଥିବା କାଫେ ମାଲିକ। ଏହାପରେ ଛାତ୍ରୀଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରକୁ ଡାକି ନେଇ ଗଣ ଦୁଷ୍କର୍ମ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇନ ମନ୍ତ୍ରୀଙ୍କୁ ମିଶନ ଶକ୍ତି ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଚିଲିକା: ଚ଼ିଲିକା ବ୍ଲକ ପରିସରରେ ବିଶ୍ବ ଭାରତୀ ବ୍ଲକ ମିଶନ ଶକ୍ତି ମହାସଂଘ ପକ୍ଷରୁ ଆୟୋଜିତ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏମବିକେ, ସିଆରପି, ବ୍ୟାଙ୍କମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର, ଅଙ୍ଗନବାଡି କର୍ମୀ ପ୍ରମୁଖ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କୁ ଉଚ୍ଚ୍ବସିତ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି।

ଏହି ସମ୍ବର୍ଦ୍ଧନା ଉତ୍ସବରେ ମହିଳାମାନଙ୍କୁ ସ୍ବାବଲମ୍ବୀ ଓ ସଶକ୍ତିକରଣ କରିବା ନିମନ୍ତେ ଚ଼ିଲିକା ଅଞ୍ଚଳରେ ମହିଳା ଶିଳ୍ପାଞ୍ଚଳ ସ୍ଥାପନ କରି ୫୦୦୦ ରୁ ଉର୍ଦ୍ଧ୍ବ ମହିଳାଙ୍କୁ ନିୟୋଜିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ଏମବିକେ, ସିଆରପି, କୃଷିମିତ୍ର, ବ୍ୟାଙ୍କ ମିତ୍ର ଓ ପ୍ରାଣୀମିତ୍ର ମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ପୁରସ୍କୃତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ଚ଼ିଲିକା ବ୍ଲକ ବିଡ଼ିଓ ହଳଧର ଶବର, ତହସିଲଦାର କାହ୍ନୁଚରଣ ଘଡ଼ାଇ, ସିଡ଼ିପିଓ ଅନୁସୂୟା ମିଶ୍ର, ମହାସଂଘ ସଭାନେତ୍ରୀ, ସମ୍ପାଦିକା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର: ସାନହନ୍ତୁଆଡ଼ ଗ୍ରାମ ଗିରିଗୋବର୍ଦ୍ଧନ ପୂଜାରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସାନହନ୍ତୁଆଡ଼ ଗ୍ରାମରେ ବହୁ ଆଡମ୍ବର ସହକାରେ ଗିରିଗୋବର୍ଦ୍ଧନ ପୂଜା ରୀତିନିତି ଅନୁସାରେ ପାଳିତ ହୋଇଯାଇଛି। ବହୁ ପୁରାତନ କାଳରୁ ଉକ୍ତ ଗ୍ରାମରେ ପାଳିତ ହୋଇଆସୁଥିବା ଏହି ପୂଜାରେ ହଜାର ହଜାର ଭକ୍ତଙ୍କର ସୁଅ ଛୁଟିଥିଲା। ସାନହନ୍ତୁଆଡ଼ ଗ୍ରାମର ପ୍ରତି ଘରେ ଘରେ ପୂର୍ଣ୍ଣକୁମ୍ଭ ,ଦୀପ ପ୍ରଜ୍ଜ୍ବଳନ ଓ ଘର ସମ୍ମୁଖକୁ ମୁରୁଜ ଝୋଟି ଚିତା ଓ ଫୁଲରେ ସୁସଜ୍ଜିତ କରାଯାଇଥିଲା। ରବିବାର ଶେଷଦିନ ଅବସରରେ ପୂଜା ମହୋତ୍ସବରେ ବାଣପୁର ଅଞ୍ଚଳର ପେଣ୍ଡୁରା ପଲ୍ଲୀ, ଭଗବତୀପୁର ନୂଆଗାଁ, ଦେଓଗାଁ, କୋଳଥଡିହ , ମାଟିଆ ପୋଖରୀ ଓ ସାନ ହନ୍ତୁଆଡ଼ ଗ୍ରାମର ରେ ୭ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ସଂକୀର୍ତ୍ତନ ମଣ୍ଡଳି ହରି ନାମ ଶ୍ରୀ କୃଷ୍ଣ ଭଗବାନଙ୍କର ଭଜନ ଜଣାଣ ପରିବେଷଣ କରିଥିଲେ।

ଗ୍ରାମର ତିନି ଠାକୁର ଯଥାକ୍ରମେ ଶ୍ରୀ ରଘୁନାଥ ଦେବ, ଶ୍ରୀ କୁଞ୍ଜ ବିହାରୀ ଦେବ ଓ ଶ୍ରୀ ମଦନ ମୋହନ ଦେବଙ୍କ ବିମାନକୁ ଫୁଲରେ ସୁସଜ୍ଜିତ କରାଯାଇ ନଗର ପରିକ୍ରମା କରାଯାଇଥିଲା।ଏହି ସମୟରେ ଏକ ଆଧ୍ୟତ୍ମିକ ପରିବେଶ ଦେଖିବାକୁ ମିଳିଥିଲା।

ଏହି ଅବସରରେ ପାଖାପାଖି ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ସଂନ୍ଧ୍ୟାରେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସାନହନ୍ତୁଆଡ଼ ଗ୍ରାମର ଦୁଇ ସଭାପତି ମୁକୁନ୍ଦ ପ୍ରସାଦ ମହାନ୍ତି, ସୁଧୀର କୁମାର ପ୍ରଧାନ, ସାରଥୀ ସାମନ୍ତରାୟ , ନିରଞ୍ଜନ ପ୍ରଧାନ ଗ୍ରାମର ସମସ୍ତ ଅଧିକାରୀ ଏବଂ କମିଟି ସଦସ୍ୟ ବୃନ୍ଦ, ଗ୍ରାମର ଉଦୟମାନ ଯୁବକ ସୁଜୁତ ଛାଟୋଇ, ଅମିତାଭ ପଟ୍ଟନାୟକ , ସୁରେନ୍ଦ୍ର ସାମନ୍ତରାୟ , ନିଲେଶ ବରାଳ, ଉତ୍ତମ ସୁନ୍ଦରା, ଶିବଶକ୍ତି ଶାସମଲ ପ୍ରମୁଖ ସମସ୍ତ କାର୍ଯ୍ୟ ସୁଚାରରୂପେ ତୁଲାଇଥିଲେ।