Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ବିଶ୍ୱ ବୟସ୍କ ନିର୍ଯ୍ୟାତନା ସଚେତନତା ଦିବସ’ ପାଳିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ବ୍ରହ୍ମପୁର ନିକଟ ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼କୁଶସ୍ଥଳୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ‘ବିଶ୍ୱ ବୟସ୍କ ନିର୍ଯ୍ୟାତନା ସଚେତନତା ଦିବସ’ ପାଳିତ ହୋଇଯାଇଛି।

ବରିଷ୍ଠ ନାଗରିକଙ୍କ ଆଇନଗତ ଆବଶ୍ୟକତା ପୂରଣ କରିବା ପାଇଁ ଆଇନଗତ ସହାୟତା ଶିବିର ସହିତ ଏହି’ ବିଶ୍ୱ ବୟସ୍କ ନିର୍ଯ୍ୟାତନା ସଚେତନତା ଦିବସ’ ପାଳନ ହୋଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଠାରୁ ଏହି ଦିବସ ଆରମ୍ଭ ହେବା ସହ ପ୍ରତ୍ୟେକ ବର୍ଷ ଜୁନ ୧୫ ତାରିଖରେ ରାଜ୍ୟ ତଥା ପ୍ରତି ଜିଲ୍ଲାରେ ଏହା ପାଳନ କରାଯିବ।

ଏହି ଅବସରରେ ବରିଷ୍ଠ ବ୍ୟକ୍ତି ମାନଙ୍କ ସମସ୍ୟା ଏବଂ ସମାଧାନ ଦିଗରେ ଗୁରୁତ୍ୱ ଦେବା ସହ ଗ୍ରାମର କିଛି ବରିଷ୍ଠ ବ୍ୟକ୍ତି ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପିଏଲଏ-ପିୟୁଏସ ଅଧ୍ୟକ୍ଷା ସୁଭଦର୍ଶୀ ପଟ୍ଟନାୟକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଟି.କେ ରେଡ୍ଡୀ, ସଦସ୍ୟା ଡ଼ା ମିନାକ୍ଷୀ ଦେବୀ, ରଙ୍ଗେଈଲୁଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷ୍ମୀନରସିଂହ ପଟ୍ଟନାୟକ, ବଡ଼କୁଶସ୍ଥଳୀ ପିଇଓ ପ୍ରମୁଖ ଯୋଗଦେଇଥିଲେ।

Categories
ଆଞ୍ଚଳିକ

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ବିଶ୍ୱ ଶ୍ରମିକ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଜି ମଧ୍ୟ ଏହି ଶ୍ରମିକ ଦିବସ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜିଲ୍ଲା ଓ ଦୌରା ଜର୍ଜ ରୂପଶ୍ରୀ ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନା ରେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ସ୍ଥିତ ମା କାଳୁଆ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଛି। ପ୍ରତି ଶ୍ରମିକ ମାନଙ୍କୁ ସମ୍ମାନୀତ କରିବା ସହ ସେମାନଙ୍କ କାର୍ଯକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅଧିକାର ପ୍ରତି ଗୁରୁତ୍ୱ ଦେବା ଉଦ୍ଦେଶ୍ୟ ରଖି ଆଜିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଯେଉଁଥିରେ ବରିଷ୍ଠ ଓକିଲ ତଥା ଗଞ୍ଜାମ ଓକିଲ ସଂଘ ଉପ-ସଭାପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଟି.କେ ରେଡ୍ଡୀ, ସଦସ୍ୟା ତଥା ଓକିଲ ଡ଼ଃ ମିନାକ୍ଷୀ ଦେଵୀ ଓ ସବିତା ସାହୁକାର, ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଲ୍ଲୀପ କୁମାର ଶତପଥୀ, ଅତିରିକ୍ତ ଶ୍ରମ ଅଧିକାରୀ କାର୍ତ୍ତିକ ସେନାପତି ଓ ପ୍ରକାଶ କୁମାର ପରିଡାଙ୍କ ସମେତ ବହୁ ଶ୍ରମିକ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ୨୪ ଜଣ ଶ୍ରମ ଉପଭୋକ୍ତାଙ୍କୁ ବିଭିନ୍ନ ସେବା ପାଇଁ ୩ ଜଣ ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୁରଣ, ଦୁଇ ଶ୍ରମିକ ବିବାହ କାର୍ଯ୍ୟକ୍ରମ ନିମନ୍ତେ ୫୦ ହଜାର ଟଙ୍କା ଓ ୧୯ ଜଣଙ୍କୁ ଶ୍ରମ କାର୍ଡ ପ୍ରଦାନ କରାଯାଇଥିଲା

Categories
ଆଞ୍ଚଳିକ

ଗୋଦାବରୀଶ ବିଦ୍ୟାପୀଠରେ ଆଇନ ସେବା ପ୍ରାଧିକରଣ ବିଷୟରେ ସଚେତନତା କାର୍ଯ୍ୟକ୍ରମ

ବାଣପୁର: ଆଜି ତାଲୁକ ଆଇନ ସେବା ସମିତି, ବାଣପୁର ପକ୍ଷରୁ ଗୋଦାବରୀଶ ବିଦ୍ୟାପୀଠ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର। ଅନ୍ୟମାନଙ୍କ ମଧ୍ୟରେ ବାଣପୁର କୋର୍ଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ, ବରିଷ୍ଠ ଆଇନଜୀବୀ ବିପ୍ଳବ କୁମାର ମୁଦୁଲି, ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ ଏବଂ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ପ୍ରଧାନ ଆଦି ଉପସ୍ଥିତ ଥିଲେ।

ଏହି ଅବସରରେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆଇନ ସେବା ପ୍ରାଧିକରଣ ଏବଂ ତାହାର କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ଆଇନସେବା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ, ବିଭିନ୍ନ ପ୍ରକାର ଆଇନସେବା ଯଥା ଆଇନ ପରାମର୍ଶ ମଧ୍ୟସ୍ଥତା ମାଧ୍ୟମରେ ମାମଲା ଫଇସଲା, ଯୋଗ୍ୟ ହିତାଧିକାରୀଙ୍କ ପାଇଁ ମାଗଣାରେ ଓକିଲ ନିଯୁକ୍ତି ତଥା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମିଳିବାକୁ ଥିବା ଆଇନଗତ ସାହାଯ୍ୟ ବିଷୟରେ ଆଲୋକପାତ କରିଥିଲେ।

ବରିଷ୍ଠ ଆଇନଜୀବୀ ଶ୍ରୀ ମୁଦୁଲି ଯିଏକି ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର, ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବାପାଇଁ ଉପଦେଶ ଦେବା ସହ ଶିକ୍ଷାଧିକାର ଆଇନ, ପୀଡ଼ିତା କ୍ଷତିପୂରଣ ଆଇନ ବିଷୟରେ ବୁଝାଇଥିଲେ। ପରିଶେଷରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ: ସମାଧାନ ହେଲା ୪୮,୨୪୪ ଟି ମାମଲା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରା ଜଜ ନିଶିଥ ନିଶାକଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଯଥା ଖୋର୍ଦ୍ଧା, ବାଣପୁର, ଚିଲିକା, ଜଟଣୀ ପରିସରରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ମୋଟ ୫୩,୪୫୨ ଟି ମାମଲା ସମସ୍ତ ବିଚାର ବିଭାଗୀୟ ଅଦାଲତଙ୍କ ପକ୍ଷରୁ ଆଗତ ପୂର୍ବକ ସେଥିମଧ୍ୟରୁ ମୋଟ ୪୮,୨୪୪ ଟି ମାମଲାର ଫଇସଲା କରାଯାଇ ସମୁଦାୟ ୩ କୋଟି ୮୬ ଲକ୍ଷ ୬୫ ହଜାର ୧୨ ଟଙ୍କା (ବୀମା, ରାଜସ୍ଵ  ଖାଉଟି ସମସ୍ୟା ସମ୍ପର୍କିତ ରାଜିନାମା) ସ୍ଵାକ୍ଷରିତ ହୋଇଥିଲା। ତନ୍ମଧ୍ୟରେ ଗାଡ଼ି ମୋଟର ଦୁର୍ଘଟଣା ସମ୍ପର୍କିତ ୧୬୦ ଟି ମାମଲା ମଧ୍ୟରୁ ୮ ଟି ର ଫଇସଲା କରାଯାଇ ୬୧ ଲକ୍ଷ ୯୦ ହଜାର ଟଙ୍କା ଦୁର୍ଘଟଣା କ୍ଷତିପୂରଣ ରାଶି ପୀଡିତମାନଙ୍କୁ ପ୍ରଦାନ ପାଇଁ ସମ୍ପୃକ୍ତ ବୀମା କମ୍ପାନୀମାନଙ୍କୁ ଅଦାଲତଙ୍କ ପକ୍ଷରୁ ଆଦେଶ ଦିଆଯାଇଛି।

ସେହିପରି ୧୪ଟି ଖାଉଟି ମାମଲା ଆଗତ ପୂର୍ବକ ସେଥିରୁ ଗୋଟିଏ ମାମଲାର ଫଇସଲା କରାଯାଇ ୪୩,୨୬୮ ଟଙ୍କା, ୪୩ ଟି ଜମି ଅଧିଗ୍ରହଣ ମାମଲା ରୁ ୧ ଟି, ୨୬୪ ଟି ପାରିବାରିକ ମାମଲାରୁ  ୩୪ଟି, ୫୨,୯୭୦ ଟି ରାଜସ୍ଵ  ମାମଲାରୁ ୪୮,୨୦୦ଟି ମାମଲାର ଫଇସଲା କରାଯାଇ ୩,୨୪,୩୧ ,୭୪୪ ଟଙ୍କା ରାଜସ୍ଵ ସଂଗ୍ରହ କରାଯାଇଥିଲା। ଏହି ଲୋକ ଅଦାଲତରେ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୌଦାମିନୀ ସିଂ, ଉପସ୍ଥିତ ରହି ଲୋକ ଅଦାଲତର ସଫଳତା ପାଇଁ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ରାଜସ୍ଵ  ଅଧିକାରୀ, କୋର୍ଟ କର୍ମଚାରୀ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ପରବର୍ତ୍ତୀ ଜାତୀୟ ଲୋକ ଅଦାଲତ ଆଗାମୀ ୧୩ ମଇ ୨୦୨୩ ରେ ଅନୁଷ୍ଠିତ ହେବା ସମ୍ପର୍କରେ ସୂଚନା ଦେଇ ଜନସାଧାରଣ ଏହାର ସୁବିଧା ନେବାକୁ ପରାମର୍ଶ ଦେଇଛନ୍ତି।